ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକପାଳ ଚୟନ କମିଟି ନିକଟରେ ପୂର୍ବତନ ସୁପ୍ରିମ୍କୋର୍ଟ ଜଜ୍ ପିନାକି ଚନ୍ଦ୍ର ଘୋଷଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ସୂଚନା ରହିଛି। ସୋମବାର ଦିନ ଏହା ଔପଚାରିକ ଭାବେ ଘୋଷଣା ହେବ ବୋଲି ଜଣାପଡିଛି। ୨୦୧୭ ମସିହା ମେ ମାସରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ୍ ଘୋଷ ବର୍ତ୍ତମାନ ନେସ୍ନାଲ୍ ହ୍ୟୁମାନ ରାଇଟ୍ସ କମିସନ(ଏନ୍ଏଚ୍ଆର୍ସି)ର ସଦସ୍ୟ ଅଛନ୍ତି। ମାର୍ଚ ୭ ତାରିଖରେ ସୁପ୍ରିମ୍କୋର୍ଟ ମୋଦି ସରକାରଙ୍କୁ ୧୦ ଦିନ ଭିତରେ ଲୋକପାଳ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଲୋକପାଳ ନିଯୁକ୍ତି ବୈଠକକୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ବର୍ଜନ କରିଥିଲେ। ସେ ଚୟନ କମିଟିର ଜଣେ ସଦସ୍ୟ ଥିବା ସତ୍ୱେ ବୈଠକରେ ଅନୁପସ୍ଥିତ ରହିଥିଲେ। ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଘୋଷଙ୍କୁ ନିଯୁକ୍ତି ମିଳିବା ସହ ଲୋକପାଳ ନିଯକ୍ତିରେ ଅନ୍ୟ ୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।
Tag: thesamikhsya
ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢିବେ ନବୀନ !
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ନୁହେଁ ବରଂ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର କୌଣସି ଆସନରୁ ଠିଆ ହୋଇ ପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ବରଗଡ଼ର ବିଜେପୁର କିମ୍ବା ଭଟଲି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ରହିଛି। ତେବେ କେଉଁ ବିଧାନସଭା ଆସନରୁ ନବୀନ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ନବୀନଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳି ହେଉଛି ହିଞ୍ଜିଳି। ଏଠାରୁ ସେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ।
ଦୁଇଦିନିଆ ମାଳଦୀପ ଗସ୍ତରେ ସୁଷମା ସ୍ବରାଜ
ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଦୁଇଦିନିଆ ମାଳଦୀପ ଗସ୍ତରେ ଯାଇଛନ୍ତି। ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୁଷମାଙ୍କ ସହ ବିଦେଶ ସଚିବ ବିଜୟ ଗୋଖେଲଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ମଧ୍ୟ ମାଳଦୀପ ଯାଇଛନ୍ତି। ଏହି ଗସ୍ତରେ ଦୁଇ ଦେଶ ଭିତରେ ସମ୍ପର୍କ ମଜବୁତ୍ କରିବା ନେଇ ବିଭିନ୍ନ ରାଜନୈତିକ ଓ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା ହେବ। ଏହି ଗସ୍ତ ଅବସରରେ ସୁଷମା ସ୍ବରାଜ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସାଲେହ, ଗୃହ ମନ୍ତ୍ରୀ ଶେଖ ଇମ୍ରାନ୍ ଅବଦୁଲ୍ଲା ପ୍ରମୁଖଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି।
ବିହାରରେ ଏନଡିଏ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଆସନ ଗୁଡିକର ଭାଗବଣ୍ଟା ହୋଇଛି। ବିଜେପି, ଜେଡିୟୁ, ଏଲଜେପି ମିଳିତ ଭାବେ ଲଢିବେ ବୋଲି ଏକ ସମ୍ୱାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ଏଥିରେ ବିଜେପି-ଜେଡିୟୁକୁ ୧୭-୧୭ ଆସନ ମିଳିଥିବା ବେଳେ ଏଲଜେପିରୁ ୬ଦିଆଯାଇଛି। କଟିହାର, ପୂର୍ଣ୍ଣିୟା, ଗୋପାଳଗଞ୍ଜ, ସୀବାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଲନ୍ଦା,କାରାକାଟ, ଗୟା, ଜାହାନବାଦ, ସୁପେଲ, କିଷାନଗଞ୍ଜ, ମଧେପୁରା, ବାଲ୍ମୀକି ନଗର, ସୀତାମଡୀ, ଝାଞ୍ଜରପୁର ଆଦି ଜେଡ଼ିୟୁ ଭାଗରେ ରହିଥିବାବେଳେ ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ମହାରାଜଗଞ୍ଜ, ମଧୁବନୀ, ଅରରିଆ, ଦରଭଙ୍ଗା ,ମୁଜଫରପୁର, ସାରଣ, ଉଜିଆରପୁର,ବେଗୁସରାୟ, ପାଟନା ସାହିବ. ପଟାଳିପୁତ୍ର, ଆରା, ଶିବହର, ବସ୍କର ସାସାରମ, ଔରଙ୍ଗାବାଦ ଆଦି ବିଜେପି ହାତରେ ରହିଛି। ଏଲ୍ଜେପି ହାତରେ ରହିଛି ବୈଶାଲୀ, ସମସ୍ତୀପୁର,ହାଜିପୁର, ଖଗଡିଆ, ଜମୁଇ,ନବାଦା ଆସନ।
ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କର ସୋସିଆଲ୍ ମିଡ଼ିଆରେ କ୍ୟାମ୍ପେନ୍ ଏବେ ଜୋର୍ସୋର୍ରେ ଚାଲିଛି। ଆଜି ବିଜେପି ତରଫରୁ ‘ମୁଁ ବି ଚୌକିଦାର’ର ଟ୍ବିଟ୍ରରେ ନାମ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଟୁଇଟର୍ ଆକାଉଣ୍ଟରେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି। ଏହି କ୍ରମରେ ବିଜେପିର ନେତା ଏମ୍ଜେ ଆକବର୍ ମଧ୍ୟ ଏହି କ୍ୟାମ୍ପେନ୍ରେ ସାମିଲ୍ ହୋଇ ଟୁଇଟ୍ କରିଛନ୍ତି। ତାଙ୍କର ଏହି ଟୁଇଟ୍କୁ ଜବାବ୍ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ରେଣୁକା ସାହାଣେ। ଏମ୍ଜି ଅକବର୍ ଚୌକିଦାର ଟ୍ୟାଗ୍ ଲଗାଇ ଟୁଇଟ୍ କହିଛନ୍ତି, ‘ମୁଁ ବି ଚୌକିଦାର’ କ୍ୟାମ୍ପେନ୍ରେ ଯୋଗ ଦେଇ ଗର୍ବ ଅନୁଭବ କରୁଛି। ଭାରତର ଜଣେ ନାଗରିକ ହୋଇଥିବାରୁ ଭାରତକୁ ପ୍ରେମ କରେ, ମୁଁ ଭ୍ରଷ୍ଟାଚାର, ଗରିବ ଓ ଆତଙ୍କବାଦକୁ ହଟାଇବା ଦିଗରେ ପୂରା ଜୋର୍ ଲଗାଇବି ଓ ଏକ ନୂଆ ଭାରତ ନିର୍ମାଣରେ ସାହାଯ୍ୟ କରିବ, ଯାହା ସୁରକ୍ଷିତ, ଶକ୍ତ ଓ ସମୃଦ୍ଧ ରହିବ ବୋଲି ଟୁଇଟ୍ କରିଛନ୍ତି। ଏହି ଟୁଇଟ୍ର ଜବାବ୍ରେ ଅଭିନେତ୍ରୀ ରେଣୁକା। ସେ ତାଙ୍କ ଟୁଇଟ୍ରେ ଯଦି ଆପଣ ଚୌକିଦାର ହେବେ, ତା’ହେଲେ ଦେଶର କୌଣସି ମହିଳା ସୁରକ୍ଷିତ ରହିବେ ନାହିଁ କହିବା ସହିତ ‘ ନିଲ୍ଲଜର ସୀମା’ ଓ ଇଣ୍ଡିଆ ମି ଠୁ ବୋଲି ଟ୍ୟାଗ୍ କରିଛନ୍ତି। ବିଜେପି ନେତା ଏମ୍ଜେ ଆକବର୍ଙ୍କ ନାମରେ ମିଠୁ ଅଭିଯୋଗ ଆସିବା ପରେ ସେ ବିଦେଶ ରାଜ୍ୟମନ୍ତ୍ରୀରୁ ଇସ୍ତଫା ଦେଇଛନ୍ତି। ଆକବରଙ୍କ ଉପରେ ପାଖାପାଖି ୨୦ଜଣ ମହିଳା ସାମ୍ବାଦିକ ଯୌନଶୋଷଣର ଅଭିଯୋଗ କରିଥିଲେ।
ଉତ୍ତରାଖଣ୍ଡର ବାଗେଶ୍ବରଠାରେ ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଠାରେ ଗରୁଡ୍ ବ୍ଲକ୍ର ମେଟନାର ବିଜେପି ନେତା ନିଜ ପୁଅର ବାହାଘର କାର୍ଡରେ ମୋଦିଙ୍କୁ ଭୋଟ୍ ଦେବାର ଅପିଲ୍ କରାଯାଇଥିଲା। ଏହି ମାମଲାରେ ଜିଲ୍ଲା ନିର୍ବାଚନ କମିଶନର ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜେପି ନେତା ଜଗଦୀଶ ଯୋଶୀ ଏପ୍ରିଲ୍ ୧୧ରେ ହେବାକୁ ଥିବା ନିର୍ବାଚନରେ ପିଏମ୍ ମୋଦିଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ନିର୍ମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି। ଏହି କାର୍ଡଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହା ସାମ୍ନାକୁ ଆସୁଛି। ବିଜେପି ନେତା ଜଗଦୀଶଙ୍କ ପୁଅଙ୍କ ବାହାଘର ଏପ୍ରିଲ୍ ୨୨କୁ କିରଣଙ୍କ ସହିତ ହେବାକୁ ରହିଛି। ଏହି କାର୍ଡରେ ବାରାତ୍ରେ ସାମିଲ୍ ହେବା ସହିତ ନିର୍ବାଚନ ସମ୍ବନ୍ଧୀୟ ଅପିଲ୍ କରାଯାଇଛି। ଏହି କାର୍ଡରେ ପଦ୍ମଫୁଲର ଚିତ୍ର ମଧ୍ୟ ରହିଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇଟାଇଛି। ଏବେ ସବୁ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ପ୍ରଦତ୍ତ ନିୟମ ପାଳନ କରିବାକୁ ବାଧ୍ୟ। ଯୋଶୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ସହକାରୀ ରିଟର୍ଣ୍ଣିଙ୍ଗ୍ ଅଫିସର୍ (ବାଗଶ୍ୱେର ଏଆର୍ଓ) ତାଙ୍କୁ ନୋଟିସ୍ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
କଂଗ୍ରେସ ଛାଡ଼ିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପିରେ ସାମିଲ୍ ହେବା ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ବକୁ ଭରସା କରି ବିଜେପିରେ ଯୋଗ ଦେଇଛନ୍ତି। ମୋଦିଙ୍କ ସବ୍କା ସାଥ୍ ବିକାଶ ଧାରାକୁ ଆଗେଇ ନେବାକୁ ମନପ୍ରାଣ ଦେଇ କାମ କରିବେ ବୋଲି କହିଛନ୍ତି। ୨୦ ବର୍ଷର ସମ୍ପର୍କ ଛିନ୍ନ କରି ପ୍ରକାଶ ବେହେରା ଶନିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ସେ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗିରହିଥିଲା।
ବରିଷ୍ଠ ନେତା ଦିଲୀପ ରାୟ ଶନିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ଦିଲୀପ ଖୁବ୍ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିଲୀପ ତାଙ୍କ ସମର୍ଥକଙ୍କ ସହ ସୋମବାର ବିଜେଡିରେ ଯୋଗଦାନ କରିବେ। ହେଲେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ବିଜେଡିରେ ମିଶିବା ପୂର୍ବରୁ ଦିଲୀପ କିଛି ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ରବିବାର ଦଳର ଏକ ବୈଠକ ବସିବ। ଦିଲୀପଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କିଛି ସର୍ତ୍ତକୁ ନେଇ ଆଲୋଚନା କରାଯିବ। ସେ ବିଜେଡିକୁ ଫେରିଲେ, ତାଙ୍କୁ କେନ୍ଦ୍ରାପଡା କିମ୍ବା ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ସେହିପରି ଦିଲୀପଙ୍କ ଯୋଗଦାନ ପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରମୁଖ ରାଜନୈତିକ ସହଯୋଗୀ ଭାବେ ଦିଲୀପ ଜଣାଶୁଣା। ୨୦୦୯ରେ ଉଭୟେ ଏକସଙ୍ଗେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ମିଶିଥିଲେ। ହେଲେ ଗତବର୍ଷ ଦିଲୀପ ଏବଂ ବିଜୟ ଭାଜପାରୁ ଇସ୍ତଫା ଦେଇଥିଲେ। ରାଉରକେଲାରୁ ପ୍ରତିନିଧିତ୍ୱ କରୁଥିବା ଦିଲୀପ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଦିଲ୍ଲୀପଙ୍କ ଘରବାହୁଡ଼ା ପକ୍କା ଲାଗୁଥିଲେ ମଧ୍ୟ ବିଜୟ ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି।
୨୦୧୪ରେ ଚାଏ ବାଲାର ନାରା ଲଗାଇଥିବାବେଳେ କରିଥିବାବେଳେ ୨୦୧୯ରେ ଚୌକିଦାରର ନାରା ଲଗାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିଧିବଦ୍ଧ ଭାବେ ନିର୍ବାଚନୀ ବିଗୁଲ୍ ବଜାଇ ‘ମୈ ଚୌକିଦାର ହୁଁ’ର ଅଭିଯାନ ଆରମ୍ଭ କରିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନାମ ଚୌକିଦାରରେ ପରିବର୍ତ୍ତନ ହୋଇଛି। ଏବେ ମୋଦୀ ନିଜ ନାମ ଆଗରେ ଟ୍ୱିଟରରେ ଚୌକିଦାର ନାମ ଯୋଡି ସାରିଲେଣି। ଏବେ ଟ୍ୱିଟରରେ ଚୌକିଦାର ନରେନ୍ଦ୍ର ମୋଦୀ ଲେଖାଯାଉଛି। ମୋଦୀଙ୍କ ବ୍ୟତୀତ ଅମିତ ଶାହା, ରେଳ ମନ୍ତ୍ରୀ ପୀୟୁଷ ଗୋୟଲ, ବିଜେପିର ଆଇଟି ସେଲ ପ୍ରମୁଖ ଅମିତ ମାଲବୀୟ ମଧ୍ୟ ଟ୍ୱିଟରରେ ନିଜ ନାମ ଆଗରେ ଚୌକିଦାର ଲଗାଇଛନ୍ତି। ସେମାନଙ୍କ ବ୍ୟତୀତ ଜେପି ନଡ୍ଡା, ରମଣ ସିଂହ, ପୁନମ ମହାଜନ ସମେତ ବହୁ ବଡ ବଡ ନେତା ମଧ୍ୟ ଚୌକିଦାର ଲଗେଇଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ଏକ ଭିଡିଓ ଲଂଚ୍ କରିଛି। ୩.୪୫ ମିନିଟର ଏହି ଭିଡିଓରେ ମୁଁ ବି ଚୌକିଦାର ଅଭିଯାନ ବିଷୟରେ ଦେଖାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଟାକ୍ଷ ଚୌକିଦାର ଚୋରର ଜବାବ ଦେବାକୁ ଯାଇ ମୋଦୀ ଟ୍ୱିଟ କରିଛନ୍ତି କି, ଚୌକିଦାର ଏକା ନାହିଁ। ଯିଏ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଛି ସିଏ ବି ଜଣେ ଚୌକିଦାର। ମୋଦୀଙ୍କ ଟ୍ୱିଟ ପରେ ବହୁ ବିଜେପି ନେତା ମଧ୍ୟ ମୁଁ ବି ଚୌକିଦାର ବୋଲି ଟ୍ୱିଟ କରିଛନ୍ତି। ଏବେ ସୋସିଆଲ ମିଡିଆରେ ଏବେ ଚୌକିଦାର ଟ୍ରେଣ୍ଡ ଚାଲିଛି।
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶନିବାର ରାତିରେ ଏହି ତାଲିକା ଘୋଷଣା କରାଯାଇଛି। ଏଥିରେ ମୋଟ ୨୭ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ସେଥିମଧ୍ୟରେ ବର୍ତ୍ତମାନର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁରଙ୍କ ନାଁ ରହିଛି। ସେ ତିରୁବନନ୍ତପୁରମ୍ ଆସନରୁ ପ୍ରାର୍ଥୀ ହେବେ। ଏହି ତାଲିକାରେ ଶଶି ଥରୁରଙ୍କ ମିଶାଇ କେବଳ କେରଳରୁ ୧୨ ଜଣଙ୍କ ନାଁ ରହିଛି। ଏଥିରେ ଉତ୍ତର ପ୍ରଦେଶର ୭ ଜଣ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ଛତିଶଗଡ଼ର ୫ ଜଣ, ଅରୁଣାଚଳ ପ୍ରଦେଶର ଦୁଇ ଜଣ ଏବଂ ଆଣ୍ଡାମାନ୍ ଓ ନିକୋବାର ଦ୍ୱୀପପୁଞ୍ଜର ଜଣେ ପ୍ରାର୍ଥୀଙ୍କ ନାମ ରହିଛି। କେରଳରେ ୨୦ଟି ଲୋକସଭା ଆସନରୁ କଂଗ୍ରେସ ୧୬ଟିରେ ଲଢ଼ିବ। ସେଥିରୁ ୧୨ଟି ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଉ ୪ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଏହି ୧୨ ଜଣିଆ ତାଲିକାରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ କେ.ଭି ଥୋମାସ୍ଙ୍କ ନାଁ ନାହିଁ। ୨୦୧୪ରେ ସେ ଏର୍ଣ୍ଣାକୁଲମ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କ ବଦଳରେ ହିବି ଇଡେନ୍ଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି। ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତୁକିଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି। ସେ ଅରୁଣାଚଳ ୱେଷ୍ଟ୍ ଆସନରୁ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ନିନୋଙ୍ଗ ଇରିଙ୍ଗଙ୍କୁ ଦଳ ପ୍ରାର୍ଥୀ କରି ନାହିଁ। ତାଙ୍କ ବଦଳରେ ଅରୁଣାଚଳ ଇଷ୍ଟ୍ ଆସନରୁ ଜେମ୍ସ ଲୋଙ୍ଗଚା ୱାଙ୍ଗଲେଟ୍ଙ୍କୁ ପ୍ରାର୍ଥୀ କରାଯାଇଛି। ଉତ୍ତର ପ୍ରଦେଶରେ ଦଳ ହରେନ୍ଦ୍ର ମଲିକ (କୌରାନା), ଇନ୍ଦିରା ଭାଟ୍ଟି (ବିଜ୍ନୋର୍), ଓମ୍ ପ୍ରକାଶ ଶର୍ମା (ମୀରଟ୍), ଅରବିନ୍ଦ ସିଂହ ଚୌହାନ୍ (ଗୌତମ ବୁଦ୍ଧନଗର), ବ୍ରିଜେନ୍ଦର ସିଂହ (ଅଲିଗଡ଼), ପ୍ରୀତମ୍ ଲୋଧି (ହମିରପୁର) ଓ ବାଲ୍ କ୍ରିଷ୍ଣା ଚୌହାନ୍ (ଘୋସି)ଙ୍କୁ ଦଳ ପ୍ରାର୍ଥୀ କରିଛି। ଛତିଶଗଡ଼ରେ ଦଳ ଖେଲ୍ ସାଇ ସିଂ (ସୁରଗୁଜା), ଲାଲ୍ଜୀତ୍ ରାଠିଆ (ରାଇଘର), ରବି ଭରଦ୍ୱାଜ (ଜଙ୍ଗିର ଚମ୍ପା), ଦୀପକ ବୈଜ୍ (ବସ୍ତର) ଓ ବିରେଶ ଠାକୁର (କଙ୍କେର୍)ଙ୍କୁ ପ୍ରାର୍ଥୀ କରିଛି। ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରୁ ଦଳ କୁଲ୍ଦୀପ୍ ରାଏ ଶର୍ମାଙ୍କୁ ପ୍ରାର୍ଥୀ ଦଳ କରିଛି। ପ୍ରଥମ ତାଲିକାରେ ୧୫ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଥିଲା। ସୋନିଆ ଗାନ୍ଧି ରାଏବରେଲୀରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ରାହୁଲ୍ ଗାନ୍ଧି ଆମେଠିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା। ୨ୟ ତାଲିକାରେ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବ୍ବର ମୋରଦାବାଦ ଆସନରୁ ଏବଂ ପୁର୍ବତନ ସୁଶୀଲ୍ କୁମାର ସୋଲାପୁର ଆସନରୁ ଲଢିବେ ବୋଲି ସ୍ପଷ୍ଟ କରାଯାଇଥିଲା। ସେହିପରି ୩ୟ ତାଲିକାରେ ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବାବେଳେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ଏମ୍. ସାଙ୍ଗମା ସୁରୁ ଆସନରୁ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭିନ୍ସେଣ୍ଟ ଏମ୍. ପାଲା ସିଲଂ ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା।
ଜନତା ଦଳ ସେକୁଲାର୍ (ଜେଡିଏସ୍)ର ବରିଷ୍ଠ ନେତା ଦାନିଶ ଅଲୀ ଏବେ ହାତୀ ସହ ସାଥୀ ହୋଇଛନ୍ତି। ଦାନିଶ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସାମିଲ୍ରେ ହୋଇଛନ୍ତି। ସେ ଉତ୍ତରପ୍ରଦେଶର ଅମରୋହାରୁ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଦାନିଶ୍ କର୍ନାଟକରେ କଂଗ୍ରେସ ଓ ଜେଡିଏସ୍ରେ ମେଣ୍ଟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦାନିଶ୍ ଅଲୀ ଜେଡିଏସ୍ର ମୁଖ୍ୟ ପ୍ରବକ୍ତା ଓ ରାଷ୍ଟ୍ରୀୟ ମହାସଚିବ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଦାନିଶ୍ ଅଲୀ ଜେଡିଏସ୍ ଛାଡି ବିଏସ୍ପିରେ ଯୋଗ ଦେବା ଜେଡିଏସ୍ ପାଇଁ କ୍ଷତି ସାବ୍ୟସ୍ତ କରିପାରେ। କର୍ଣ୍ଣାଟକ ଲୋକସଭାରେ ୨୮ ସିଟ୍ରେ କଂଗ୍ରେସ ୨୦ ଓ ଜେଡିଏସ୍ ୮ଟି ସିଟ୍ରେ ନିର୍ବାଚନ ଲଢିବେ।
ପୁଣି ଦାମ-ବିଷ୍ଣୁଙ୍କ ବାକ୍ ଯୁଦ୍ଧ ଆରମ୍ଭ
ପୁଣି ତୁତୁ ମେଁମେଁ ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ। ଦାମ ବିଜେପିକୁ ଯିବା ପରେ ପୁଣି ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ ହୋଇଛି। ଆଜି ଦାମ କହିଛନ୍ତି – ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ବିଷ୍ଣୁ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିବେ ନାହିଁ। ଅନ୍ୟପକ୍ଷରେ ଦାମଙ୍କୁ ବି କଟାକ୍ଷ କରିଛନ୍ତି ବିଜେଡି ନେତା ବିଷ୍ଣୁ ଦାସ। ଦାମଙ୍କୁ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଭାବିନାହାନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାମଙ୍କର ସେତିକି ସକ୍ଷମତା ନାହିଁ। ଦାମ ବର୍ତ୍ତମାନ ପାରାଦୀପରୁ ଏବେ ବାଲିକୁଦା-ଏରସମା ଆଡ଼କୁ ମୁହାଁଇଲେଣି। ପଦ୍ମ ଧରି ଧୀରେ ଧୀରେ ବଙ୍ଗୋପସାଗର ଯିବେ ଓ ଉବୁଟୁବୁ ହେବେ ବୋଲି ବିଷ୍ଣୁ କହିଛନ୍ତି।
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପ୍ରଥମ ତାଲିକାରେ ସିପିଆଇଏମ୍ ପକ୍ଷରୁ ୪୫ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ୨୦୧୯ ସାଧାରଣ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଚାଲିଛି ଜୋର୍ଦାର ରାଜନୀତି ଓ ସମୀକରଣ। ଏହି ପରିପ୍ରେକ୍ଷିରେ ସିପିଆଇଏମ୍ ତାର ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭୁବନେଶ୍ୱର ଲୋକସଭା ଆସନକୁ ମଧ୍ୟ ସ୍ଥାନ ଦିଆଯାଇଛି। ପ୍ରକାଶିତ ତାଲିକା ଅନୁଯାୟୀ, ଭୁବନେଶ୍ୱରରୁ ଜନାର୍ଦ୍ଦନ ପତିଙ୍କୁ ଭୁବେନଶ୍ବରର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବିଜେପି, ବିଜେଡ଼ି ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ଜନାର୍ଦ୍ଦନ କହିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ବେକାରୀ, ଦଳିତ, ମହିଳା ଓ ସ୍ମାର୍ଟ ଆଦି ନିର୍ବାଚନୀ ବିଷୟକୁ ଧ୍ୟାନରେ ରଖି ନିର୍ବାଚନ ଲଢିବେ ବୋଲି କହିଛନ୍ତି ଜନାର୍ଦ୍ଦନ। କଂଗ୍ରେସ ସହ ଅନ୍ୟ ବାମପନ୍ଥୀ ଶକ୍ତିମାନେ ତାଙ୍କୁ ଶକ୍ତି ଯୋଗାଇବେ ବୋଲି ସେ କହିଛନ୍ତି।
ଗୋଟିଏ ପଟେ ପାକିସ୍ତାନ ଶାନ୍ତି ପାଇଁ ଉଦ୍ୟମ କରୁଥିବାର କହୁଥିବାବେଳେ ଆଉ ଗୋଟିଏ ପଟେ ଆତଙ୍କୀ କାର୍ଯ୍ୟକ୍ରମ ଚାଲୁ ରହିଛି। ଜମ୍ମୁ କାଶ୍ମୀରର ଶୋପିଆନାଠାରେ ଜଣେ ମହିଳା ସ୍ପେଶାଲ୍ ଅଫିସର୍ଙ୍କୁ ଆତଙ୍କୀ ଗୁଳିରେ ହତ୍ୟା କରିଛନ୍ତି। ଆଜି ୨.୪୦ ବେଳକୁ ଶ୍ରୀନଗରଠାରୁ ୬୦ କିଲୋମିଟର ଦୂର ଭେହିଲ୍ ଗାଁରେ ଖୁସ୍ବୁ ଜାନ୍ ନାମକ ଏହି ଏସ୍ପିଓଙ୍କ ଉପରକୁ ଆତଙ୍କବାଦୀମାନେ ଅତର୍କିତ ଭାବରେ ଗୁଳି ଚାଳନା କରିଥିବାରୁ ଏହି ଅଘଟଣ ଘଟିଛି। ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାପରେ ସେନା, ସ୍ବତନ୍ତ୍ର ଅପରେସନ୍ ଗ୍ରୁପ୍, ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ ସେହି ସ୍ଥାନକୁ ଘେରାଉ କରାଯାଇଛି।
ବଲିଉଡରେ ନିଜ ଅଭିନୟ ଜଲ୍ଓ୍ବାରେ ମାତୁଆଲା କରିଥିବା ଦୀପିକାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ନିକଟରେ ଲଣ୍ଡନର ମାଡାମ୍ ତୁସାଦ୍ ମ୍ୟୁଜିଅମ୍ରେ ସେ ନିଜର ମହମ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ନେଇ ଦୀପିକାଙ୍କ ଅପେକ୍ଷା ତାଙ୍କ ପତି ଅଭିନେତା ରଣବୀର ଅଧିକ ଉତ୍ସାହିତ ଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମର କିଛି ସମୟ ପରେ ରଣବୀର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଭାବପୂର୍ଣ୍ଣ କ୍ୟାପ୍ଶନ୍ ଲେଖିଥିଲେ। ସେ ଲେଖିଥିଲେ, ‘ଡିପି ୨.୦! ଅରିଜିନାଲ ତୋ ମେରେ ପାସ୍ ହେ’। ଏହା ସହ ଏକ ହାସଟ୍ୟାଗ୍ ‘ଟୁମଚ୍ଟୁହ୍ୟାଣ୍ଡେଲ’ ରହିଥିଲା। ଯାହାକି ଏବେ ଭାଇରାଲ ହେଉଛି। ଏହି ଅନାବରଣ କାର୍ଯ୍ୟକ୍ରମରେ ରଣବୀରଙ୍କ ଛଡ଼ା ଦୀପିକାଙ୍କ ପିତାମାତାଙ୍କ ସହ ଶ୍ୱଶୁର ଓ ଶାଶୁ ମଧ୍ୟ ଉପସ୍ଥିତ ଥିଲେ। ମ୍ୟାଡାମ୍ ତୁଷାଦ୍ ଲାଇବ୍ରେରୀରେ ବହୁ ବଲିଉଡ୍ ସେଲିବ୍ରିଟିଙ୍କ ମହମ ପ୍ରତିକୃତି ରହିଛି । ୨୦୧୮ ନଭେମ୍ବର ୧୪ରେ ଦୀପିକା ଓ ରଣବୀର୍ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୀପିକା ରଣବୀର୍ଙ୍କ ଯୋଡ଼ିଙ୍କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି। ଦୁହେଁ ପ୍ରଥମଥର ପାଇଁ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ‘ରାମଲୀଲା’ରେ ନଜର ଆସିଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ ଆଦି ଫିଲ୍ମରେ ନଜର ଆସିଛନ୍ତି। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍ରେ ରେକର୍ଡ କରିଛି।
ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ଏବେ ସଂପୂର୍ଣ୍ଣ ବଦଳି ଯାଇଛି। ଏବେ ଚାଲିଛି ଦଳବଦଳ ରାଜନୀତି । ଜଣେ ପରେ ଜଣେ ନେତା, ବିଧାୟକ ଓ ସାଂସଦ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ନିକଟରେ ବିଜେଡ଼ିର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ବିଜେପି ଦଳରେ ଯୋଗଦେବାପରେ ରାଜନୀତି ବେଶ୍ ସରଗରମ ରହିଥିଲା । ଦାମଙ୍କ ଦୁଇ ପୁଅ ଓ ଝିଅ ବିଜେଡ଼ି ଦଳରେ ରହିଥିଲେ । ଦାମଙ୍କ ପୁଅ ସମ୍ବିତ୍ ରାଉତରାୟଙ୍କୁ ପାରାଦୀପରୁ ଟିକେଟ୍ ଦେବାକୁ ବିଜେଡ଼ି ଚାହୁଁଥିବାବେଳେ ତାଙ୍କ ଝିଅ ପ୍ରୀତିନନ୍ଦା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଲେ ବୋଲି ସୂଚନା ଦେଇଛନ୍ତି । ତେବେ ପ୍ରୀତିନନ୍ଦା ବାପାଙ୍କ ମାର୍ଗ ଅନୁସରଣ କରୁଛନ୍ତି ନା ଆଉ କିଛି ରହିଛି, ତାହା ଆଗାମୀ ସମୟ କହିବ । ତେବେ ଦଳ ଛାଡ଼ିବା ପରେ ସେ କେଉଁ ଦଳରେ ଯୋଗଦେବେ କି ନା’ ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି । ସେ ବିଜେଡ଼ିରେ ପୂର୍ବତନ କର୍ପୋରେଟର ଭାବେ ଅବସ୍ଥାପିତ ଥିଲେ ।
ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ପ୍ରିୟ। ନିଜର ପ୍ରସାର ଓ ପ୍ରଚାର ପାଇଁ ବ୍ୟୟବହୁଳ ବିଜ୍ଞାପନ କରିଥା’ନ୍ତି। ସେ ବିଜ୍ଞାପନ ବାବଦରେ ୩୦୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥକୁ ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରତି ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ ହୋଇ ପାରି ଥାଆନ୍ତା। ସେ ଏହାକୁ ନେଇ ଟୁଇଟ୍ କରି କହିଛନ୍ତି। ବିଜେପି ଲାଗି ବିଜ୍ଞାପନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସର୍ବସାଧାରଣଙ୍କ କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ ନୁହେଁ। କେନ୍ଦ୍ର ସରକାର ନିଜର ବିଫଳତା ଘୋଡ଼ାଇବାକୁ ଓ ସେଥିରୁ ସର୍ବସାଧାରଣଙ୍କ ଧ୍ୟାନ ହଟାଇବାକୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏଭଳି ପ୍ରୟାସ କରୁଛନ୍ତି। ଫଳରେ ଦାରିଦ୍ର୍ୟ ଓ ବେକାରୀ ଭଳି ସମସ୍ୟା ଦେଶରେ ଗୁରୁତର ସମସ୍ୟା ହୋଇ ମୁଣ୍ଡ ଟେକିଛି। ଲୋକସଭା ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ନିମନ୍ତେ ସମାଜବାଦୀ ପାର୍ଟି ଓ ବିଏସ୍ପି ମେଣ୍ଟ କରିଛନ୍ତି।
ଦିଲ୍ଲୀରେ ହେବ କଂଗ୍ରେସ ଓ ଆପ୍ ମେଣ୍ଟ !
ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମି ପାର୍ଟି (ଆପ୍) ମଧ୍ୟରେ ମେଣ୍ଟ ହେବା ନେଇ ପୁଣି ଥିରେ ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ଏକ ନୂଆ ଫର୍ମୁଲା ବାହାରିଥିବା ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ୭ଟି ଲୋକସଭା ଆସନ ମଧ୍ୟରୁ ତିନିଟିରେ କଂଗ୍ରେସ ଓ ତିନିଟିରେ ଆମ ଆଦମି ପାର୍ଟି ଓ ଗୋଟିକରେ ଉଭୟ ଦଳ ଦ୍ୱାରା ମନୋନୀତ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ। ତେବେ ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀର ଆସନ ଉପରେ ଉଭୟ ଦଳର ନଜର ରହିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍ କଂଗ୍ରେସ ସହ ମେଣ୍ଟ କରିବାକୁ ବେଶ୍ ଆଗ୍ରହୀ ରହିଛନ୍ତି। ଏଣେ କଂଗ୍ରେସର ଦିଲ୍ଲୀ ପ୍ରଭାରୀ ପି.ସି ଚାକୋ କହିଛନ୍ତି ଭାରତୀୟ ଜନତା ପାର୍ଟିର ମୁକାବିଲା କରିବା ଲାଗି ଆପ୍ ଓ କଂଗ୍ରେସର ମେଣ୍ଟ ଜରୁରୀ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଖୁସି ନାହାନ୍ତି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷା ଶିଲା ଦୀକ୍ଷିତ୍। ତେବେ ଦିନେ ଦୁଇଦିନ ମଧ୍ୟରେ କଂଗ୍ରେସ ଓ ଆପ୍ ମେଣ୍ଟର ଚିତ୍ର ସ୍ପଷ୍ଟ ହେବାର ସୂଚନା ରହିଛି।
ବଲିଉଡ୍ର ସୁପରଷ୍ଟାର୍ ସଲମାନ ଖାନ୍ ନିଜ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍’ ପାଇଁ ଏକ ଗୀତ ଗାଇଛନ୍ତି । ଏହି ଫିଲ୍ମ ଜରିଆରେ ଜହୀର୍ ଇକବାଲ୍ ଓ ପ୍ରନୁତନ ବେହେଲ୍ ବଲିଉଡ୍ ଏଣ୍ଟ୍ରି କରୁଛନ୍ତି । ପୂର୍ବରୁ ଏହି ଗୀତ ପାଇଁ ପାକିସ୍ତାନୀ ଗାୟକ ଅତିଫ୍ ଅସଲମ୍ଙ୍କୁ ନିଆଯାଇଥିଲା । ତେବେ ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଫିଲ୍ମରେ ବାସନ୍ଦ କରାଯିବା ପରେ ସଲମନ୍ ଅତିଫ୍ଙ୍କୁ ଏହି ଫିଲ୍ମରୁ ବାଦ୍ ଦେଇଛନ୍ତି । ସଲମନ୍ ପୂର୍ବରୁ ଆଥିୟା ଓ ସୁରଜଙ୍କ ଅଭିନୀତ ଫିଲ୍ମ ‘ ହିରୋ ’ରେ ମେ ହୁଁ ତେରା ହିରୋ’ର ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏହା ପରେ ପରେ ସୁଲତାନ୍ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତେବେ ଭାଇଜାନ୍ ‘ନୋଟବୁକ୍’ ଫିଲ୍ମରେ ଗୀତ ଗାଇବା ସହିତ ଏହାର ଭିଡ଼ିଓରେ ମଧ୍ୟ ନଜର ଆସିବ । ଏହି ଫିଲ୍ମରେ ‘ଦିଲ୍ ଫିର୍ ଭି ଚୁପ୍କେ ସେ ପୁଛ ରହା ତୁମସେ ତୁମ ମୁଝ୍ସେ ଏ… ପ୍ୟାର କରୋଗୀ କ୍ୟା ’ ଗୀତଟି ଗାଇଛନ୍ତି । ୨୫ ସେକେଣ୍ଡର ଏହି ଗୀତର ପ୍ରଥମ ଧାଡ଼ି ସହ ତାଙ୍କର ଏକ ଭିଡ଼ିଓକୁ ସୋସିଆଲ୍ ସାଇଟ୍ରେ ସେୟାର କରି ଏହି ଗୀତ ରିଲିଜ୍ ହେବାର ସୂଚନା ଦେବା ସହ ପୂରା ଗୀତ ଓ ଭିଡିଓ ଆସନ୍ତା ଦୁଇଦିନ ଭିତରେ ରିଲିଜ୍ ହେବ ବୋଲି ସଲମାନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି । ନୂଆ ଅନ୍ଦାଜ ଓ ନୂଆ କାହାଣୀ ସହ ‘ନୋଟବୁକ୍’ ଫିଲ୍ମଟି ମାର୍ଚ୍ଚ ୨୯ରେ ପରଦା ଉପରକୁ ଆସିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦି’ ଆଗାମୀ ଏପ୍ରିଲ୍ ୧୨ ତାରିଖରେ ମୁକ୍ତିଲାଭ କରିବ ବୋଲି ସୂତ୍ରରୁ ଜଣାପଡିଛି। ଏହି ଫିଲ୍ମକୁ ସନ୍ଦୀପ ସିଂହ, ଆନନ୍ଦ ପଣ୍ଡିତ ଓ ସୁରେଶ ଓବରଏ୍ ପ୍ରମୁଖ ପ୍ରଯୋଜିତ କରୁଥିବାବେଳେ ଏଥିରେ ମୁଖ୍ୟ ଭୂମିକାରେ ବିବେକ୍ ଓବରୟ ନଜର ଆସୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ଉମଙ୍ଗ କୁମାର। ଏପ୍ରିଲ୍ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାର ପରଦିନ ଅର୍ଥାତ୍ ଏପ୍ରିଲ୍ ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବ। ଜାନୁଆରୀ ୨୮ରେ ଏହି ଚଳଚ୍ଚିତ୍ରର ଶୁଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତରାଖଣ୍ଡ ଓ ମୁମ୍ବାଇରେ ଏହାର ଶୁଟିଂ କରାଯାଇଛି। ଏହି ଫିଲ୍ମରେ ଜରିନା ଓ୍ବାହାବା, ବରଖା ବିଷ୍ଟ, ମନୋଜ ଯୋଶୀ, ବୋମନ ଇରାନୀ ପ୍ରମୁଖ ଅଭିନୟ କରୁଛନ୍ତି। ତେବେ ବହୁତ କମ୍ ସମୟ ମଧ୍ୟରେ ଫିଲ୍ମଟି ଶୁଟିଂ ସାରି ପରଦା ଉପରକୁ ଆସୁଥିବାରୁ ଫିଲ୍ମକୁ ଟ୍ରୋଲ୍ କରାଯାଇଛି। ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ସରିବା ପରେ ଏହାକୁ ନେଇ ଜଣେ ଫିଲ୍ମ ନା ମ୍ୟାଗି ବୋଲି କହି ଟ୍ରେଲ୍ କରିଛନ୍ତି।
ଅଣ୍ଡର-୧୭ ପୁରୁଷ ଫିଫା ବିଶ୍ୱକପ ହେବାପରେ ଭାରତ ଆଉ ଏକ ବିଶ୍ୱକପ ହେବା ନେଇ ସୂଚନା ମିଳିଛି। ଏହି ଫିଫା ବିଶ୍ବକପ୍ ସଫଳତାର ସହ ଆୟୋଜନ କରିଥିଲା ଭାରତ। ଭାରତରେ ୨୦୨୦ରେ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ ଆୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଛି। ମିଆମୀର ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଫୁଟବଲ୍ ମହାସଂଘ ପରିଷଦର ବୈଠକରେ ଏହି ସୂଚନା ମିଳିଛି। ସୂଚନାନୁସାରେ ସ୍ପେନ ଗତ ଅଣ୍ଡର -୧୭ ମହିଳା ଫିଫା ବିଶ୍ୱକପରେ ଚାମ୍ପିଆନ ହୋଇଥିଲା। ପୁରୁଷ ବିଶ୍ୱକପ ପାଇଁ ୟୁରୋପୀୟ ଦେଶ ନିଜର ସ୍ଥାନ ବଜାଇ ରଖିଛନ୍ତି। କିନ୍ତୁ ମହିଳା ଅଣ୍ଡର-୧୭ ବିଶ୍ୱକପରେ ଏସିଆର ବିଭିନ୍ନ ଦେଶଙ୍କ ଦବଦବା ରହିଛି। ଏହି ବିଶ୍ୱକପ ୫ ଥର ହୋଇସାରିଛି। ଉତ୍ତର କୋରିଆ ୨୦୦୮ ଓ ୨୦୧୬ରେ ଟାଇଟଲ୍ ପାଇଥିବାବେଳେ ଦକ୍ଷିଣ କୋରିଆ ୨୦୧୦, ଏବଂ ଜାପାନ ୨୦୧୪ର ଟାଇଟଲ୍ ହାସଲ କରିଛି। ଭାରତ ବର୍ତମାନ ପର୍ଯ୍ୟନ୍ତ ଏଥିରେ ଭାଗ ନେଇନାହିଁ। କିନ୍ତୁ ଏହି ବିଶ୍ବକପ୍ ଆୟୋଜିତ କରିବା ସହ ଭାରତୀୟ ଟିମ୍କୁ ସିଧାସଳଖ ବିଶ୍ବକପ୍ରେ ପ୍ରବେଶ କରିବାରେ ଅଧିକାର ମିଳିବ।