କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

Published: Mar 17, 2019, 1:10 pm IST

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶନିବାର ରାତିରେ ଏହି ତାଲିକା ଘୋଷଣା କରାଯାଇଛି। ଏଥିରେ ମୋଟ ୨୭ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ସେଥିମଧ୍ୟରେ ବର୍ତ୍ତମାନର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁରଙ୍କ ନାଁ ରହିଛି। ସେ ତିରୁବନନ୍ତପୁରମ୍ ଆସନରୁ ପ୍ରାର୍ଥୀ ହେବେ। ଏହି ତାଲିକାରେ ଶଶି ଥରୁରଙ୍କ ମିଶାଇ କେବଳ କେରଳରୁ ୧୨ ଜଣଙ୍କ ନାଁ ରହିଛି। ଏଥିରେ ଉତ୍ତର ପ୍ରଦେଶର ୭ ଜଣ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ଛତିଶଗଡ଼ର ୫ ଜଣ, ଅରୁଣାଚଳ ପ୍ରଦେଶର ଦୁଇ ଜଣ ଏବଂ ଆଣ୍ଡାମାନ୍ ଓ ନିକୋବାର ଦ୍ୱୀପପୁଞ୍ଜର ଜଣେ ପ୍ରାର୍ଥୀଙ୍କ ନାମ ରହିଛି। କେରଳରେ ୨୦ଟି ଲୋକସଭା ଆସନରୁ କଂଗ୍ରେସ ୧୬ଟିରେ ଲଢ଼ିବ। ସେଥିରୁ ୧୨ଟି ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଉ ୪ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଏହି ୧୨ ଜଣିଆ ତାଲିକାରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ କେ.ଭି ଥୋମାସ୍‌ଙ୍କ ନାଁ ନାହିଁ। ୨୦୧୪ରେ ସେ ଏର୍ଣ୍ଣାକୁଲମ୍‌ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କ ବଦଳରେ ହିବି ଇଡେନ୍‌ଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି। ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତୁକିଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି। ସେ ଅରୁଣାଚଳ ୱେଷ୍ଟ୍ ଆସନରୁ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ନିନୋଙ୍ଗ ଇରିଙ୍ଗଙ୍କୁ ଦଳ ପ୍ରାର୍ଥୀ କରି ନାହିଁ। ତାଙ୍କ ବଦଳରେ ଅରୁଣାଚଳ ଇଷ୍ଟ୍ ଆସନରୁ ଜେମ୍‌ସ ଲୋଙ୍ଗଚା ୱାଙ୍ଗଲେଟ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ଉତ୍ତର ପ୍ରଦେଶରେ ଦଳ ହରେନ୍ଦ୍ର ମଲିକ (କୌରାନା), ଇନ୍ଦିରା ଭାଟ୍ଟି (ବିଜ୍‌ନୋର୍‌), ଓମ୍‌ ପ୍ରକାଶ ଶର୍ମା (ମୀରଟ୍‌), ଅରବିନ୍ଦ ସିଂହ ଚୌହାନ୍‌ (ଗୌତମ ବୁଦ୍ଧନଗର), ବ୍ରିଜେନ୍ଦର ସିଂହ (ଅଲିଗଡ଼), ପ୍ରୀତମ୍‌ ଲୋଧି (ହମିରପୁର) ଓ ବାଲ୍‌ କ୍ରିଷ୍ଣା ଚୌହାନ୍‌ (ଘୋସି)ଙ୍କୁ ଦଳ ପ୍ରାର୍ଥୀ କରିଛି। ଛତିଶଗଡ଼ରେ ଦଳ ଖେଲ୍‌ ସାଇ ସିଂ (ସୁରଗୁଜା), ଲାଲ୍‌ଜୀତ୍‌ ରାଠିଆ (ରାଇଘର), ରବି ଭରଦ୍ୱାଜ (ଜଙ୍ଗିର ଚମ୍ପା), ଦୀପକ ବୈଜ୍‌ (ବସ୍ତର) ଓ ବିରେଶ ଠାକୁର (କଙ୍କେର୍‌)ଙ୍କୁ ପ୍ରାର୍ଥୀ କରିଛି।  ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରୁ ଦଳ କୁଲ୍‌ଦୀପ୍‌ ରାଏ ଶର୍ମାଙ୍କୁ ପ୍ରାର୍ଥୀ ଦଳ କରିଛି। ପ୍ରଥମ ତାଲିକାରେ ୧୫ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଥିଲା। ସୋନିଆ ଗାନ୍ଧି ରାଏବରେଲୀରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ରାହୁଲ୍‌ ଗାନ୍ଧି ଆମେଠିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା। ୨ୟ ତାଲିକାରେ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବ୍ବର ମୋରଦାବାଦ ଆସନରୁ ଏବଂ ପୁର୍ବତନ ସୁଶୀଲ୍‌ କୁମାର ସୋଲାପୁର ଆସନରୁ ଲଢିବେ ବୋଲି ସ୍ପଷ୍ଟ କରାଯାଇଥିଲା। ସେହିପରି ୩ୟ ତାଲିକାରେ ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବାବେଳେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ଏମ୍‌. ସାଙ୍ଗମା ସୁରୁ ଆସନରୁ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭିନ୍‌ସେଣ୍ଟ ଏମ୍‌. ପାଲା ସିଲଂ ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା।

Related posts