ମଙ୍ଗଳବାର ଦିନ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହିତ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜେଡ଼ିରେ ପ୍ରତାରିତ ହେଉଥିବାର ଅଭିଯୋଗ କରି ଇସ୍ତଫା ଦେଇଥିଲେ। ବଳଭଦ୍ରଙ୍କୁ ଦଳକୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ଜୁଏଲ୍।
Tag: thesamikhsya
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପଦ୍ମ ପୁରସ୍କାରର ସମ୍ମାନିତ କରିଛନ୍ତି। ଚଳିତ ବର୍ଷ ପାଇଁ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୧୧ରେ ୪୬ଜଣଙ୍କ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଜି ମନୋନୀତ ଅନ୍ୟ ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଛି। ଲୋକଗୀତ ଗାୟିକା ତିଜନ ବାଇଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଭାରତୀୟ କ୍ରିକେଟ୍ ଜଗତର ଖେଳାଳୀ ଗୌତମ ଗମ୍ଭୀର ଓ ଭାରତୀୟ ଫୁଟବଲ୍ ଖେଳାଳୀ ସୁନୀଲ୍ କ୍ଷେତ୍ରୀଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ସଂଗୀତ ପାଇଁ ସ୍ବପ୍ନ ଚୌଧୁରୀ, ଅଭିନୟ ପାଇଁ ମନୋଜ ବାଜପେୟୀ, ପର୍ବତାରୋହୀ ବଛେନ୍ଦ୍ରୀ ପାଲ୍ ଓ ବ୍ୟବସାୟ ଓ ଫୁଡ୍ ପ୍ରୋସେସିଂ ପାଇଁ ଏମ୍ଡିଏମଚ୍ର ମାଲିକ ଧର୍ମାପାଲ ଗୁଲାଟିଙ୍କୁ ପଦ୍ମଭୂଷଣ ପ୍ରଦାନ କରିଛନ୍ତି। ସମ୍ମାନିତଙ୍କ ମଧ୍ୟରେ ଅଛନ୍ତି ୩ଜଣ ଓଡିଆ। ସେମାନେ ହେଲେ ଡି. ପ୍ରକାଶ ରାଓ, କମଳା ପୂଜାରୀ ଓ ଦୈତାରୀ ନାୟକ। ଏହା ସାଙ୍ଗରେ ୩ଜଣ ଓଡ଼ିଆ ପଦ୍ମଶ୍ରୀ ପାଇ ରାଜ୍ୟକୁ ଗୌରାବାନ୍ବିତ କରିଛନ୍ତି। କଟକ ବାସିନ୍ଦା ଡି.ପ୍ରକଶ ରାଓ ବୃତ୍ତିରେ ଜଣେ ଚା’ ଦୋକାନୀ, ହେଲେ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଆଜି ଏହି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି। ଏବେ ସେ ବସ୍ତିରେ ରହୁଥିବା ପିଲାମାନଙ୍କୁ ପାଠ ପଢାଇବା ସହ ରକ୍ତଦାନ, କଟକ ବଡ ମେଡିକାଲରେ ପ୍ରତିଦିନ ସକାଳେ ରୋଗୀଙ୍କୁ ଉଷୁମ ପାଣି ଦେଉଛନ୍ତି । ସେହିପରି ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ୱ ପାଇଁ କମଳା ପଦ୍ମଶ୍ରୀରେ ସମ୍ମାନୀତ ହୋଇଛନ୍ତି । ଆଉଜଣେ ସମାଜସେବୀ ହେଲେ ଦୈତାରୀ ନାୟକ। ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।
ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ପେଡ଼ାକୋଣ୍ଡାପଲ୍ଲୀ ଅଞ୍ଚଳରେ ମାଓବାଦୀ ଓ ଆନ୍ଧ୍ରପ୍ରଦେଶ ପୁଲିସର ଗ୍ରେହାଉଣ୍ଡ୍ ଫୋର୍ସ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ସମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବାର ଖବର ମଳିଛି। ପ୍ରାପ୍ତ ସୂଚନା ଆଧାରରେ ୧୯୮ ବାଟାଲିୟାନ୍ ସିଆର୍ପିଏଫ୍ ଓ ପୋଲିସ ମିଳିତ ଭାବେ ପାଟ୍ରୋଲିଙ୍ଗ୍ରେ ବାହାରିଥିଲେ। ପେଡ଼ାବାୟଲୁ ଗ୍ରାମ ନିକଟରେ ମାଓବାଦୀମାନେ ପ୍ରଥମେ ପାଟ୍ରୋଲିଙ୍ଗ୍ ପାର୍ଟି ଉପରକୁ ଗୁଳି ଚଳାଇବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମାଓବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ବିଜେଡ଼ିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା
ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବାବେଳେ ଏବେ ଦଳବଦଳ ପ୍ରକ୍ରିୟା ଚାଲୁ ରହିଛି। ବିଜେଡ଼ିର କିଛି ଟାଣୁଆ ନେତା ବିଜେପିରେ ଯୋଗ ଦେଇଥିବାବେଳେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଶନିବାର ବିଜେଡ଼ିରେ ଯୋଗଦେଇଛନ୍ତି। ବିଜେଡ଼ିରେ ସେ ନବୀନ ନିବାସ ଯାଇ ବିଜେଡିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି। ତାଙ୍କ ସହିତ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ନୂଆପଡ଼ାର ଏହି ଯୁବ ନେତା କହିଛନ୍ତି ଯେ, ସେ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ତାଙ୍କୁ ପ୍ରୋତ୍ସାହିତ କରିଛି। ବିଜେଡିରେ ମିଶି ସେ ନୂଆପଡ଼ା ଅଞ୍ଚଳର ବିକାଶ କରିପାରିବି ବୋଲି ଆଶା ରଖିଛନ୍ତି।
ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ସେ ନିଜର ଶାନ୍ତ ସ୍ବଭାବ ଓ ଧୁଆଁଧାର ବ୍ୟାଟିଂକୁ ନେଇ ନିଜର ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୬ରେ ଧୋନୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହୋଇଥିଲା ଫିଲ୍ମ ‘ଏମ୍ଏସ୍ ଧୋନୀ: ଦ ଅନ୍ଟୋଲ୍ଡ ଷ୍ଟୋରୀ’। ଏଥିରେ ଧୋନୀଙ୍କ ପିଲାବେଳରୁ ଖେଳ ପ୍ରତି ଥିବା ଦୁର୍ବଳତା, ଟିଟି ଭାବେ କାର୍ଯ୍ୟ କରିବା, ଭାରତୀୟ ଦଳରେ ଯୋଗଦାନ ଓ ବ୍ୟକ୍ତିଗତ ଜୀବନ ଉପରେ ଅନେକ କିଛି ଦେଖାଯାଇଥିଲା। ଏହି ଫିଲ୍ମରେ ସୁଶାନ୍ତ ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଧୋନୀଙ୍କ ଉପରେ ଏକ ଓ୍ବେବ୍ସିରିଜ ‘ରୋର୍ ଅଫ୍ ଦ ଲାୟନ୍’ ନିର୍ମାଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍। ୨୦୧୩ ଆଇପିଏଲ୍ରେ ସ୍ପୋର୍ଟ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଚେନ୍ନାଇ ସୁପରକିଙ୍ଗସ୍ ଉପରେ ୨ ବର୍ଷର ପ୍ରତିବନ୍ଧକ ଲଗାଯାଇଥିଲା। ସେତେବେଳେ ଏହାର ପ୍ରଭାବ ଦଳର ଅଧିନାୟକ ଥିବା ଧୋନୀଙ୍କ ଉପରେ ପଡ଼ିଥିଲା। ଏହି ସମୟରେ ଧୋନୀଙ୍କ ଉପରେ ବିତିଥିବା ଘଟଣାବଳୀକୁ ନେଇ ଏହି ଓ୍ବେବସିରିଜ୍ଟି ନିର୍ମିତ। ଏହି ସିରିଜ୍ ଜରିଆରେ ଧୋନୀ ଦର୍ଶକଙ୍କ ସହ ମନକଥା ସେୟାର କରିବେ। ଏହି ସିରିଜ୍ଟି ମାର୍ଚ୍ଚ ୨୦ରେ ହଟ୍ଷ୍ଟାର୍ରେ ଷ୍ଟ୍ରିମିଂ ହେବ ବୋଲି ସୂଚନା ରହିଛି। ଏହାର ନିର୍ଦ୍ଦେଶକ କବିର ଖାନ୍ କ୍ରିକେଟ୍ ଇତିହାସରେ ଭାରତ ଜିତିଥିବା ପ୍ରଥମ ଓ୍ବାଲ୍ଡ କପ୍କୁ ନେଇ ଫିଲ୍ମ‘୮୩’ର ନିର୍ମାଣ କରୁଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନିର୍ବାଚନକୁ ନେଇ ବିଗୁଲ୍ ବଜାଇଛନ୍ତି। ଏହି ଅବସରରେ ସେ ‘ମୁଁ ବି ଚୌକିଦାର ଅଭିଯାନ’ ଆରମ୍ଭ କରିଛନ୍ତି। ମୋଦୀ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଏହି ଭିଡ଼ିଓରେ ଚୌକିଦାର ଅଭିଯାନ ସହ ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଅଭିଯାନ ଆରମ୍ଭ କରିବ ବୋଲି କହିଛନ୍ତି। ଏହି ଭିଡ଼ିଓରେ ଆପଣଙ୍କର ଚୌକିଦାର ଦୃଢ ଭାବରେ ରାଷ୍ଟ୍ର ସେବା କରିବ। ଭ୍ରଷ୍ଟାଚାର, ମଇଳା, ସାମାଜିକ ବ୍ୟାଧି ବିରୁଧରେ ଲଢୁଥିବା ପ୍ରତି ବ୍ୟକ୍ତି ଜଣେ ଜଣେ ଚୌକିଦାର। ଭାରତର ପ୍ରଗତି ପାଇଁ ନିଷ୍ଠାପର ଭାବରେ କାମ କରୁଥିବା ପ୍ରତି ବ୍ୟକ୍ତି ଚୌକିଦାର। ଆଜି ପ୍ରତି ଭାରତୀୟ ମୁଁ ଜଣେ ଚୌକିଦାର ବୋଲି ମୋଦୀ ଟ୍ୱିଟ କରି କହିଛନ୍ତି। ଏହି ଅଭିଯାନ ମାଧ୍ୟମରେ ମୋଦୀ ମାର୍ଚ୍ଚ ୩୧ରେ ଦେଶବାସୀଙ୍କ ସହ ବାର୍ତ୍ତାଳାପ କରିବେ। କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ମଧ୍ୟ ଏହି ଭିଡିଓରେ କୁହାଯାଇଛି। ଏହି ଭିଡ଼ିଓରେ ଗୋଟେ ହିନ୍ଦୀ ଗୀତ ମଧ୍ୟ ରହିଛି, ଯେଉଁଥିରେ କୁହାଯାଇଛି – ‘ ଓ୍ବ ମୁଝେ କ୍ୟା ବେହେକା ଏଙ୍ଗେ’ (ସେ ମୋତେ କ’ଣ ଭୁଲେଇବେ)। ଏହି ବିଷୟରେ ଏକ ପଂକ୍ତି ରହିଛି –ଝୁଟ୍ କେ କପାଲ୍ ମେଁ ସତ କା ପ୍ରହାର ହୁଁ । ‘ ଆମର ସତ୍ୟ ସର୍ବଦା ମିଛ ବିରୋଧରେ ଜିତିଥାଏ ।’ ଫ୍ରାନ୍ସ ସହ ରାଫେଲ୍ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ସର୍ବଦା ମୋଦିଜୀଙ୍କ ବିରୋଧରେ ‘ଚୌକିଦାର ଚୋର୍ ହୈ’ ନାରା ଲଗାଇଛନ୍ତି।
ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସହଯୋଗୀ ଦଳମାନେ ପୁଣି ଥରେ ବିଜେପି ସହ ହାତ ମିଳାଉଛନ୍ତି। ପୂର୍ବରୁ ଆସାମର ଆସାମ ଗଣପରିଷଦ ସହ ହାତ ମିଶାଇଥିବାବେଳେ ଏବେ ଉତ୍ତର ପ୍ରଦେଶର ଅନ୍ୟତମ ଦଳ ‘ଅପନା ଦଳ’ ଏନଡିଏ ମେଣ୍ଟରେ ସାମିଲ ହୋଇଛି। ଗତକାଲି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲଙ୍କ ସହ ଆଲୋଚନା ପରେ ଏହି ସୂଚନା ମିଳିଛି। ଏହି ଆଞ୍ଚଳିକ ଦଳ ଉତ୍ତର ପ୍ରଦେଶର ୨ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଛି। ଗୋଟିଏ ସିଟରୁ ଅନୁପ୍ରିୟା ଲଢ଼ିବେ, ତେବେ ଅନ୍ୟ ଆସନରୁ କିଏ ପ୍ରାର୍ଥୀ ହେବେ, ତାହା ସ୍ଥିର ହୋଇନାହିଁ। ଚଳିତ ନିର୍ବାଚନରେ ଅପନା ଦଳ ବିଜେପି ସହ ମେଣ୍ଟରେ ସାମିଲ ହେବ କି ନାହିଁ, ସେ ସମ୍ପର୍କରେ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ୨୦୧୪ରେ ବିଜେପି ଓ ଅପନା ଦଳ ମଧ୍ୟରେ ମେଣ୍ଟ ହୋଇଥିଲା। ଏହାପରେ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ।
ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡିଶା କଂଗ୍ରେସର ହାତ ଦୁର୍ବଳ ହେବାରେ ଲାଗିଛି। ଅନେକ ଛାମୁଆ ନେତା ତଥା ବିଧାୟକ ଦଳ ଛାଡିଛନ୍ତି। ଆଜି କଂଗ୍ରେସକୁ ଏକ ଜୋରଦାର ଝଟକା ଲାଗିଛି। ଦଳର ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି। ସେ ୨୦ ବର୍ଷ ହେଲା ଦଳରେ କାମ କରୁଥିଲେ ସୁଦ୍ଧା ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ କଂଗ୍ରେସ ଛାଡିବା ପରେ କେଉଁ ଦଳକୁ ଯିବେ ସେ ନେଇ ସସପେନ୍ସ ଲାଗି ରହିଛି। ପୂର୍ବରୁ ବିଜେଡ଼ି ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏବେ ପୁଣି ପଦ୍ମ ଦଳରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି। କିନ୍ତୁ ଏନେଇ ସିଏ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ଦିନେ ଦୁଇ ଦିନ ଭିତରେ କେଉଁ ଦଳରେ ଯୋଗ ଦେବେ ସେନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଆଚରଣ ବିଧି ଲାଗୁ ହେବା ପରେ କାନ୍ଥବାଡ଼, ଖୁଣ୍ଟ, ଦୋକାନ, ରାସ୍ତାରେ ଆଦି ଲାଗିଥିବା କୌଣସି ଦଳ କିମ୍ବା ରାଜନେତାଙ୍କ ଫଟୋ ଜନିତ ପୋଷ୍ଟରକୁ କାଢ଼ି ଦିଆଯାଇଛି। ମାତ୍ର ଶାସକ ଦଳ ବିଜେପି ନିର୍ବାଚନ କମିସନ ଜାରି କରିଥିବା ଏହି ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ପେଟ୍ରୋଲ୍ ପମ୍ପ୍, ବିମାନବନ୍ଦର ଓ ରେଳ ଷ୍ଟେସନ୍ ଆଦି ସ୍ଥାନରେ ଏବେ ବି ମୋଦିଙ୍କ ଫଟୋ ଲଗାଯାଇଛି। ଯାହା ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ମୋଦିଙ୍କ ଫଟୋକୁ ଏପରି ସ୍ଥାନରୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନର ତାଲିକା ନିକଟ ଅତୀତରେ ନିର୍ବାଚନ କମିସନ ଜାରି କରି ସାରିଛନ୍ତି। ତାଲିକା ଜାରି ହେବା ସହ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ଆଚରଣ ବିଧି ମୁତାବକ ସମସ୍ତ ଦଳ ଓ ରାଜନେତାଙ୍କ ହୋର୍ଡିଂ ଓ ପୋଷ୍ଟର୍କୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହାକୁ ନେଇ ଉଭୟ ବିଜେଡ଼ି ଓ ବିଜେପି ଦୁହେଁ ଦୁହିଁଙ୍କୁ ଦୋଷାରୋପ କରିଛନ୍ତି ।
ଲୋକପାଳ ନିଯୁକ୍ତି ପାଇଁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଗଣତନ୍ତ୍ରରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ କରି ସେ ଏହି ଚୟନ କମିଟି ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ନିୟମ ଅନୁଯାୟୀ, ଲୋକସଭାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇଥିବା ବ୍ୟକ୍ତି ଏହି ଲୋକପାଳ ଚୟନ କମିଟିରେ ସଦସ୍ୟ ରହିବା କଥା। ତେବେ ଶ୍ରୀ ଖାଡ଼ଗେ ବିରୋଧୀ ଦଳର ନେତା ଭାବେ ସ୍ୱୀକୃତି ପାଇଥିଲେ ମଧ୍ୟ ଏହି ପଦବୀର ଅଧିକାରୀ ହେବାପାଇଁ ତାଙ୍କ ଦଳ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ଆସନ ନାହିଁ। ତେଣୁ ସେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଏହି ବୈଠକରେ ଯୋଗ ଦେବାର ଥିଲା। ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶ୍ରୀ ଖାଡ଼ଗେ କହିଛନ୍ତି, ଲୋକପାଳ ଆଇନ୍ର ଧାରା ୪(୨) ଅନୁଯାୟୀ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ମଧ୍ୟ ସରକାର ଲୋକପାଳ ଅଧ୍ୟକ୍ଷ ଚୟନ କରିବାର କ୍ଷମତା ରଖିଛନ୍ତି। ମୋଦି ସରକାର ୫ ବର୍ଷ ହେଲା ଲୋକପାଳ ନିଯୁକ୍ତ କରୁ ନଥିଲେ। ଏବେ ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ସରକାର ଲୋକପାଳ ଗଠନ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି।
ଆମ୍ ଆଦ୍ମୀ ପାର୍ଟିର ଚାନ୍ଦିନୀ ଚୌକ ବିଧାୟିକା ଅଲ୍କା ଲାମ୍ବା କଂଗ୍ରେସର ଯୋଗଦେବା ନେଇ ଇଚ୍ଛୁକ ରହିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ ତାଙ୍କୁ ସ୍ବୀକାର କରିପାରିବ, ତେବେ ସେ ନିଶ୍ଚୟ ଯୋଗଦାନ କରିବେ। ଦିଲ୍ଲୀ ଓ ହରିୟାଣାରେ କଂଗ୍ରେସ ସହ ଆପ୍ ମେଣ୍ଟ କରିବା ନେଇ ବେଶ୍ ଚର୍ଚ୍ଚାରେ ରହିଥିଲା। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲ କଂଗ୍ରେସ ସହ ମେଣ୍ଟ କରିବା ନେଇ ବାରମ୍ବାର ନିବେଦନ କରି ଆସିଛନ୍ତି। ଅଲକା ଲମ୍ବା ୧୯୯୫ରେ ଦିଲ୍ଲୀ ୟୁନିଭରସିଟିର ଷ୍ଟୁଡେଣ୍ଟ ୟୁନିଅନ୍ର ଅଧ୍ୟକ୍ଷ ହୋଇ ଚର୍ଚ୍ଚାକୁ ଆସିଥିଲେ। ଦୁଇ ବର୍ଷ ପରେ ସେ କଂଗ୍ରେସ ଛାତ୍ର ସଂଗଠନ ଏନଏସ୍ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ମହିଳା କଂଗ୍ରେସ, ଦିଲ୍ଲୀ କଂଗ୍ରେସ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ବିଭିନ୍ନ ପଦବୀରେ ମଧ୍ୟ ଅବସ୍ଥାପିତ ରହିଥିଲ। ଅଲ୍କା ୨୦୧୩ ମସିହାରେ ଆମ୍ ଆଦ୍ମୀ ପାର୍ଟିରେ ଯୋଗଦାନ କରିଥିଲେ।
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ୨୬ତମ ଜନ୍ମଦିନ ଅବସରରେ ଚଳଚ୍ଚିତ୍ର ନିର୍ମାତା କରନ୍ ଜୋହର୍ ତାଙ୍କୁ ଜନ୍ମଦିନର ଉପହାର ସ୍ବରୂପ ‘କଲଙ୍କ୍’ ଫିଲ୍ମର ଏକ ପୋଷ୍ଟର ରିଲିଜ୍ କରିଛନ୍ତି । ଏହି ପୋଷ୍ଟରରେ କେବଳ ଆଲିଆଙ୍କୁ ଦେଖିବାକୁ ମିଳିଛି। ସେ ଏହି ପୋଷ୍ଟରକୁ ସେୟାର କରି କରନ୍ ଲେଖିଛନ୍ତି ଯେ, – ‘ସାହସକୁ ଏଭଳି ସୁନ୍ଦର ରୂପେ କେବେ ଦେଖିନାହିଁ। କଲଙ୍କର ‘ରୂପ’ ସହ ପରିଚିତ ହୁଅନ୍ତୁ।’ ପୂର୍ବରୁ ଏହି ଚଳଚ୍ଚିତ୍ରର ଆଲିଆ ଭଟ୍ଟ, ବରୁଣ ଧାଓ୍ବନ, ଆଦିତ୍ୟରାୟ କପୁର୍, ମାଧୁରୀ ଦୀକ୍ଷିତ୍, ସୋନାକ୍ଷୀ ସିହ୍ନା ଓ ସଞ୍ଜୟଦତ୍ତଙ୍କ ପୋଷ୍ଟର ରିଲିଜ୍ କରାଯାଇଥିବାବେଳେ ଏହାର ଟିଜର୍ ମଧ୍ୟ ରିଲିଜ୍ ହୋଇସାରିଛି। ଏହି ଟିଜର୍କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । ‘କଲଙ୍କ୍’ ଏପ୍ରିଲ୍ ୧୭ରେ ପରଦାକୁ ଆସିବ ବୋଲି ଜଣାପଡିଛି।
ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜନୈତିକ ନେତା ନିଜ ଦଳ ବଦଳ ଆରମ୍ଭ କରିଛନ୍ତି। ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଦଳ ଛାଡିବାର ସଙ୍କେତ ଦେଇଛନ୍ତି। ସେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଶତ୍ରୁଘ୍ନ କହିଛନ୍ତି ଯେ, ଦେଶ ଆପଣଙ୍କ ସମ୍ମାନ କରୁଛି। ତେବେ ଆପଣଙ୍କ ନେତୃତ୍ୱରେ ବିଶ୍ୱାସନୀୟତାର ଅଭାବ ରହିଛି। ଆପଣ ଯାହା କରୁଛନ୍ତି ତାହା କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶତ୍ରୁଘ୍ନ। ବୋଧ ହୁଏ ଲୋକେ ଆପଣଙ୍କୁ ବିଶ୍ୱାସ କରୁ ନାହାଁନ୍ତି ବୋଲି ଟୁଇଟ୍ କରିଛନ୍ତି ଶତ୍ରୁଘ୍ନ। ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। କିଛିଦିନ ହେବ ଦଳକୁ ନେଇ ବେଶ୍ ଅସନ୍ତୋଷ ରହିଥିଲେ ଶତ୍ରୁଘ୍ନ। ସେ ନବ ନେତୃତ୍ବ ସହ କାର୍ଯ୍ୟଭାର ସମ୍ଭାଳିବା ପାଇଁ ମଧ୍ୟ କହିଥିଲେ ।
ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଆଜି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଏନ୍ସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ନାତି ପାର୍ଥ ପାଓ୍ବରଙ୍କ ନାମ ରହିଛି। ପାର୍ଥ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍ ପାଓ୍ବରଙ୍କ ପୁଅ। ପାର୍ଥଙ୍କୁ ପୁଣେ ଜିଲ୍ଲା ମାବଲ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଶିରୁର୍ ଆସନ ପାଇଁ ଅମୋଲ୍ କୋଲ୍ହେ,, ନାସିକ୍ରୁ ସମୀର ଭୁଜବଳ ଓ ମହାରାଷ୍ଟ୍ର ପାଇଁ ବଜରଂଗ ସୋନେବଣେଙ୍କ ନାମ ରହିଛି। ଏହା ପୂର୍ବରୁ ଏନ୍ସିପି ତା’ର ପ୍ରଥମ ତାଲିକାରେ ୧୨ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଥିଲା। ବାରାମତୀରୁ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ କରିଛି। ସୁପ୍ରିୟା ୨୦୦୯ ଓ ୨୦୧୪ ଲୋକସଭା ଆସନ ଜିତିଛନ୍ତି। ମହାରାଷ୍ଟ୍ରର ମୋଟ ୪୮ ସିଟ୍ରେ କଂଗ୍ରେସ ଓ ଏନ୍ସିପି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ଏନ୍ସିପି ୨୦ଟି ଆସନ ଓ କଂଗ୍ରେସ ୨୬ଟି ଆସନରେ ନିର୍ବାଚନ ଲଢିବେ। ବାକି ୨ଟି ଆସନକୁ କଂଗ୍ରେସ-ଏନ୍ସିପି ମେଣ୍ଟ ରାଜୁ ସେଟ୍ଟି ପାର୍ଟିକୁ ଦେବାକୁ ସ୍ଥିର କରାଯାଇଛି। ୨୦୧୪ ଲୋକସଭା ନିର୍ବାଚନରେ ଏନ୍ସିପି ୪ଟି ସିଟ୍ ହାତେଇଥିବାବେଳେ କଂଗ୍ରେସ ୨ଟି ଓ ବାକି ୪୨ଟି ଆସନ ଏନଡିଏ ମେଣ୍ଟ ହାତରେ ରହିଥିଲା।
ଚାରା ଦୁର୍ନୀତି ସମ୍ପର୍କିତ ୩ଟି ମାମଲାରେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇକୁ ଜବାବ ତଲାବ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟଙ୍କ ଆବେଦନ ଉପରେ ସିବିଆଇକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପ୍ରତି ସେ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାରରେ ଜେଲ୍ ଦଣ୍ଡ ଭୋଗୁଛନ୍ତି। ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଦ୍ବାରା ୨୦୧୯ ଜାନୁଆରୀ ୧୦ରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ସେ ଉଚ୍ଚନ୍ୟାୟାଳୟରେ ଆବେଦନ କରିଥିଲେ।
କଂଗ୍ରେସର ହାତ ଛାଡିପାରନ୍ତି ସାଲେପୁର ବିଧାୟକ!
କଂଗ୍ରେସ ଛାଡିପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । ଖୁବଶୀଘ୍ର କଂଗ୍ରେସର ହାତ ଛାଡି ପଦ୍ମ ଧରିପାରନ୍ତି ପ୍ରକାଶ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା । ପ୍ରକାଶ ମଧ୍ୟ ଏହାକୁ ସିଧାସଳଖ ଖଣ୍ଡନ କରିନଥିଲେ ମଧ୍ୟ ଏନେଇ ସ୍ପଷ୍ଟ ସଂକେତ ମଧ୍ୟ ଦେଇନଥିଲେ । ଏହାଛଡା ପ୍ରକାଶ ମଧ୍ୟ ବିନା ଦଳୀୟ ଚିହ୍ନରେ ଏକ ବଡ ରାଲି କରିଥିବାର ଦେଖିବାକୁ ମିଳିଥିଲା ପ୍ରକାଶ ହାତ ଛାଡ଼ି ଶଙ୍ଖ ଧରିବା ବଦଳରେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି ।
ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ଦଳ ବଦଳ ରାଜନୀତି ଜାରି ରହିଛି। କଂଗ୍ରେସର ପୂର୍ବ ସାଂସଦ ଅରବିନ୍ଦ ଶର୍ମା ଏବେ ପଦ୍ମଫୁଲ ଧରିଛନ୍ତି। ଦିଲ୍ଲୀର ହରିୟାଣା ଭବନରେ ମନୋହର ଲାଲ୍ ଖଟ୍ଟର, ହରିୟାଣା ଲୋକସଭା ନିର୍ବାଚନ ପ୍ରଭାରୀ କଲରାଜ ମିଶ୍ର, କେନ୍ଦ୍ରୀୟ ମନ୍ତ୍ରୀ କୃଷ୍ଣପାଲ ଗୁର୍ଜର, ଚୌଧୁରୀ ବିରେନ୍ଦ୍ର ସିଂହ ଓ ହରିୟାଣାର କ୍ୟାବିନେଟ୍ ମନ୍ତ୍ରୀ ରାମବିଲାସ ଶର୍ମାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ସେ ବିଜେପିରେ ମିଶିଛନ୍ତି। ଅରବିନ୍ଦ ଶର୍ମା ଦୁଇଥର କଂଗ୍ରେସ ସାଂସଦ ହୋଇସାରିଛନ୍ତି। ୧୯୯୬ ମସିହାରେ ୧୧ ତମ ଲୋକସଭା ନିର୍ବାଚନରେ ସୋନିପତ୍ ସିଟ୍ ରୁ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ରୁପେ ନିର୍ବାଚନ ଲଢି ଅରବିନ୍ଦ ଶର୍ମା ଜିତିଥିଲେ। ଏହାପରେ ସେ ଶିବସେନାର ପ୍ରଦେଶ ଅଧ୍ୟକ୍ଷ ରହିବା ସହ ରୋହତକ ଲୋକସଭା ନିର୍ବାଚନ ଲଢି ହାରିଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ ହୋଇ କରନାଲ ଲୋକସଭା ୨୦୦୪ ରୁ ୨୦୦୯ ନିର୍ବାଚନ ଲଢି ଜିତି ଥିଲେ। ୨୦୧୪ରେ ଏହାପରେ ସେ କଂଗ୍ରେସ ଛାଡି ବସପାରେ ମିଶିଥିଲେ ଏବେ ସେ ବିଜେପିରେ ଯୋଗଦେଇଛନ୍ତି।
ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିନ ୧୧ଟାରେ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜ ଦିବ୍ୟ ସଂହଦେଓ ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ର ବଜେଟ ଉପସ୍ଥାପନ କରାଯାଇଛି। ଗଜପତି ମହାରାଜା ୧୦୨ କୋଟିର ବଜେଟ୍ ଉପସ୍ଥାପନା କରିଛନ୍ତି। ଶ୍ରୀମନ୍ଦିର ପାଇଁ ୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ସହିତ ଦାନ ଅର୍ଥ ବଢାଇବା ପାଇଁ ବଜେଟରେ ନିଷ୍ପତ୍ତି ହୋଇଛି। ୩୮ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ପାଇଁ ଖର୍ଚ୍ଚ ହେବ ଏବଂ ସେବକ କଲ୍ୟାଣ ପାଣ୍ଠି ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରାରେ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗଜପତିଙ୍କ ପାରିତୋଷିକ ବାବଦକୁ ବାର୍ଷିକ ୬ ଲକ୍ଷରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହ ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୃଦ୍ଧି ଓ ଶ୍ରୀମନ୍ଦିରରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ମଧ୍ୟ କରାଯାଇଛି।
ସାଇନା ନେହଓ୍ବାଲ୍ଙ୍କ ବାୟୋପିକ୍ରେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ଅଭିନୟ କରିବେ ବୋଲି ସୂଚନା ରହିଥିଲା। ଏପରିକି ସେ ଏହି ଫିଲ୍ମ ପାଇଁ ବ୍ୟାଡ୍ମିଣ୍ଟନ ଟ୍ରେନିଂ ନେବା ସହିତ ଏହି ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ଜାରି ହୋଇଥିଲା। କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ବଦଳରେ ପରିଣିତୀ ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ପ୍ରଯୋଜକ ଭୂଷଣ କୁମାର କହିଛନ୍ତି ଯେ, ଏହି ଫିଲ୍ମକୁ ସେ ବହୁତ୍ ଜଲ୍ଦି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଶ୍ରଦ୍ଧାଙ୍କ ଡେଟ୍ ପ୍ରୋବ୍ଲେମ୍ ଯୋଗୁଁ ଫିଲ୍ମର ଶୁଟିଂରେ ବହୁତ ଡେରି ହେଉଛି। ଶ୍ରଦ୍ଧା ଏବେ ସୁଶାନ୍ତଙ୍କ ସହ ଛିଛୋର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏହା ପରେ ସେ ରେମୋ ଡିସୁଜାଙ୍କ ’ଷ୍ଟ୍ରିଟ୍ ଡ୍ୟାନ୍ସର’ ପାଇଁ ଶୁଟିଂ କରିବେ। ଏବଂ ‘ସାହୋ’ ପାଇଁ ମଧ୍ୟ ଶ୍ରଦ୍ଧା ଖୁବ୍ ବ୍ୟସ୍ତ ରହୁଛନ୍ତି। ପୂର୍ବରୁ ଶ୍ରଦ୍ଧାଙ୍କ ପାଇଁ ନିର୍ଦ୍ଦେଶକ ଅମୋଲ୍ ଗୁପ୍ତେ ମଧ୍ୟ ଟିକେ ନାରାଜ ରହିଥିଲ। ତେବେ ଶ୍ରଦ୍ଧାଙ୍କ ବଦଳରେ ପରିଣୀତିକୁ ଏବେ ଏହି ଫିଲ୍ମରେ ଜଡିତ ହୋଇଥିବାର ପ୍ରଯୋଜକ ବେଶ୍ ଖୁସି ଅଛନ୍ତି। ସେ ଏହି ଫିଲ୍ମକୁ ୨୦୨୦ରେ ରିଲିଜ୍ କରାଇବାକୁ ଚାହାଁନ୍ତି। ଏଥିପାଇଁ ପରିଣୀତି ମଧ୍ୟ ଟ୍ରେନିଂ ନେବା ଆରମ୍ଭ କଲେଣି ବୋଲି ଶୁଣିବାକୁ ମିଳୁଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ବରଗଡ଼ଠାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ରାହୁଲ୍ ଉଭୟ ବିଜେଡ଼ି ଓ ବିଜେପିକୁ ସମାଲୋଚନା କରିବା ସହିତ ଜିଏସ୍ଟିକୁ ନେଇ ଏକ ବଡ଼ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସରକାରକୁ ଆସିଲେ ଜିଏସ୍ଟିରେ ପରିବର୍ତ୍ତନ କରାଯାଇ ଏହାର ସରଳୀକରଣ କରାଯିବ। ସେହିପରି ଓଡ଼ିଶାର ଧାନର ମୁଖ୍ୟ କେନ୍ଦ୍ର ହେଉଛି ବରଗଡ଼, କିନ୍ତୁ ବରଗଡ଼ରେ ଚାଷୀ ଆତ୍ମହତ୍ୟା ଦେଖିବାକୁ ମିଳୁଛି। ସେହିପରି ରାଜ୍ୟରେ କଂଗ୍ରେସ ଶାସନ ଆସିଲେ ଚାଷୀଙ୍କ ପାଇଁ ଋଣ ଛାଡ଼କରିବ ବୋଲି କହିଛନ୍ତି। ସେହିପରି ସମସ୍ତଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ଅଧିକାର ମିଳିବା ଉପରେ ମଧ୍ୟ ଜୋର୍ ଦେଇଛନ୍ତି। ନବୀନ ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ରିମୋଟ୍ ଦ୍ବାରା ପରିଚାଳିତ ହେଉଛନ୍ତି ବୋଲି କହିଛନ୍ତି। ଶୀତଳଭଣ୍ଡାର ଓ ବେରୋଜଗାରୀକୁ ନେଇ ନବୀନଙ୍କୁ ସମାଲୋଚନା କରିବା ସହିତ ଓଡ଼ିଶାରେ ଚିଟ୍ଫଣ୍ଡ୍ ଦୁର୍ନୀତିରେ ୫ ହଜାର କୋଟି ଓ ଖଣି ଦୁର୍ନୀତିରେ ୫୦ ହଜାର କୋଟି ହୋଇଥିବାର କହିଛନ୍ତି। ଏବଂ କଂଗ୍ରେସ ସରକାର ଆସିଲେ ଏହି ଦୁର୍ନୀତି ଉପରେ ତଦନ୍ତ ଚଳାଇ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ରାହୁଲ୍ କହିଛନ୍ତି।
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍ ମୁଖ୍ୟ ମାସୁଦ୍ ଅଜହର୍ଙ୍କୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ଆଗତ ପ୍ରସ୍ତାବକୁ ଚୀନ୍ ବିରୋଧ କରିବା ପରେ ମଧ୍ୟ ଆତଙ୍କୀ ମାସୁଦ୍ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଚାଲିଛି। ମାସୁଦ୍ ଉପରେ ଫ୍ରାନ୍ସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ମାସୁଦର ସମସ୍ତ ସମ୍ପତ୍ତିକୁ ଅଚଳ କରିବାକୁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସର ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଦେଶରେ ଥିବା ମାସୁଦ୍ର ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ଠାବ କରାଯାଇ ସେଗୁଡ଼ିକୁ ଫ୍ରିଜ୍ କରାଯିବ। ଜାମ୍ମୁ-କାଶ୍ମୀରର ପୁଲ୍ଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ୍ ହେବା ପରେ ଜୈଶ୍-ଏ—ମହମ୍ମଦ (ଜେଇଏମ୍) ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପାକିସ୍ତାନ ଉପରେ ବିଶ୍ବ ସମୁଦାୟ ପକ୍ଷରୁ ଚାପ ପଡୁଛି। ଆତଙ୍କବାଦ ବିରୋଧରେ ଲଢେଇ କରିବା ପ୍ରସଙ୍ଗରେ ଫ୍ରାନ୍ସ ସହ ସର୍ବଦା ଭାରତ ସହ ରହିଆସିଛି ଓ ଆଗୁକୁ ମଧ୍ୟ ସମର୍ଥନ କରିବ ବୋଲି କହିଛି।