ବୁଲଗେରିଆରେ ଡାନ୍ କୋଲୋଭ-ନିକୋଲା ପେଟ୍ରୋଭ୍ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଏହି ମେଡାଲକୁ ସେ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମର୍ପିତ କରିଛନ୍ତି। ବିଜୟ ପରେ ଟ୍ୱିଟ୍ କରି ଏହି ସୂଚନା ନିଜେ ଦେଇଥିଲେ ବଜରଙ୍ଗ ପୁନିଆ। ସେ ଲେଖିଥିଲେ, ‘ମୁଁ ମୋର ସ୍ୱର୍ଣ୍ଣ ପଦକକୁ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମର୍ପିତ କରିବାକୁ ଚାହୁଁଛି। ସେ ମୋତେ ପ୍ରେରଣା ଯୋଗାଇଛନ୍ତି। ମୁଁ ଦିନେ ଭେଟି ତାଙ୍କ ସହ ହାତ ମିଳାଇବାକୁ ଚାହୁଁଛି।’ ବିଶ୍ୱ ଚାମ୍ପିଅନସିପର ରୌପ୍ୟ ବିଜେତା ବଜରଙ୍ଗ ପୁନିଆ ୬୫କି.ଗ୍ରା ଫ୍ରି-ଷ୍ଟାଇଲରେ ଆମେରିକାର ଜୋଡାନ୍ ଓଲିଭରଙ୍କୁ ହରାଇଥିଲେ।
Tag: thesamikhsya
ପୁଲଓ୍ୱାମା ଆତଙ୍କବାଦୀ ହମଲା ପରେ ଅନ୍ତର୍ଜାତୀୟ ସ୍ତରରେ ବେଶ ବଦନାମ ହୋଇଛି ପାକିସ୍ତାନ। ଏକଘରିଆ ଭଳି ପରିସ୍ଥିତିର ସାମନା କରିଛି। ଏଭଳି ସ୍ଥିତିରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖିଆ ମସୁଦ ଅଜହାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ଆଉ ବିରୋଧ କରିବ ନାହିଁ ପାକିସ୍ତାନ। ଏମିତି ଖବରକୁ ନେଇ ଏବେ ଚର୍ଚ୍ଚା। ଯଦି ଏଭଲି ହୁଏ, ତେବେ କୁଟନୈତିକ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିବ। ଜୈଶ-ଏ-ମହମ୍ମଦ ସହ ପାକିସ୍ତାନରେ ଥିବା ଆଉ କିଛି ପ୍ରତିବନ୍ଧକ ସଂଗଠନ ଉପରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରନ୍ତି ପାକିସ୍ତାନ ସରକାର। ମସୁଦ ଅଜହାରକୁ ବିଶ୍ୱ ଆତଙ୍କୀ ଘୋଷଣା ପାଇଁ ଜାତିସଂଘରେ ପ୍ରସ୍ତାବ ଆଗତ କରିଛନ୍ତି ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ।
ଭାଲେଣ୍ଟାଇନ୍ ଡେ’ ଅବସରରେ ମୁକ୍ତିଲାଭ କରିଥିଲା ରଣବୀର ସିଂହ ଓ ଆଲିଆ ଭଟ୍ଟ ଷ୍ଟାରର୍ ଫିଲ୍ମ ‘ଗଲି ବୟ’ । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାକା କରିଛି। ଏହି ଫିଲ୍ମରେ ନିର୍ଦ୍ଦେଶିକା ଜୋୟା ଅଖତର୍ ମୁରାଦ୍ ଓ ସଫିନାଙ୍କ ପ୍ରେମ କାହାଣୀକୁ ଦେଖାଇଛନ୍ତି। ‘ଗଲି ବୟ’ ପରେ ଜୋୟା ଏକ ୱେବସିରିଜ୍ ନେଇ ଆସୁଛନ୍ତି । ଜୋୟା ଅଖତର ଓ ତାଙ୍କର ସହଯୋଗୀ ରୀମା କାଗ୍ତୀ ‘ମେଡ ଇନ୍ ହେଭେନ୍’ର ଏକ ୱେବସିରିଜ୍ରେ ବ୍ୟସ୍ତ ରହିଛନ୍ତି । ଏହି ସିରିଜ୍ର ସୁଟିଂ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ କରାଯାଇଛି। ଏହାର ସିନେମାଟୋଗ୍ରାଫର୍ ହେଲେ ‘ଗଲି ବୟ’ ଫେମ୍ ପ୍ରିୟା ଓଜା। ‘ମେଡ ଇନ୍ ହେଭେନ୍’ର ପ୍ରିମିୟର୍ ମୁମ୍ବାଇରେ କରାଯାଇଛି ଓ କେତେକ ଖାସ୍ ଦର୍ଶକଙ୍କୁ ଏହାର ତିିନିଟି ଏପିସୋଡ୍ ଦେଖିବାର ସୁଯୋଗ ଦିଆଯାଇଛି। ୱେଡିଂ ପ୍ଲାନରଙ୍କ ଉପରେ ଆଧାରିତ ଏହି ସିରିଜର ପ୍ରତ୍ୟେକ ଏପିସୋଡ୍ରେ ନୂଆ ନୂଆ ବାହାଘର ଦେଖିବାକୁ ମିଳିବ। ଏହି ଶୋ’ରେ ଅର୍ଜୁନ୍ ମାଥୁର୍, ଶୋଭିତା ଧୂଲିପାଲା, ଜିମ୍ ସର୍ଭ ପ୍ରମୁଖ ଅଭିନୟ କରୁଛନ୍ତି । ଏହାକୁ ଆମାଜନ୍ ପ୍ରାଇମ୍ ଭିଡ଼ିଓରେ ଏହି ଶୋଟି ମାର୍ଚ୍ଚ ୮ରୁ ପ୍ରସାରିତ ହେବ ।
ପାକିସ୍ତାନର ଯୁଦ୍ଧ ବିମାନ F-16 ମାରି ଖସାଇବା ଓ ପାକିସ୍ତାନ ସେନା କବଜାରେ ୬୦ ଘଣ୍ଟା ରହିବା ପରେ ସ୍ବଦେଶ ଫେରିଛନ୍ତି ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଏବେ ଦିଲ୍ଲୀ ସ୍ଥିତ ଆର୍ମିର ରିସର୍ଚ୍ଚ ଏଣ୍ଡ ରେଫରାଲ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। କିନ୍ତୁ ଅଭିନନ୍ଦନ ଏବେ କାମକୁ ଫେରିବା ପାଇଁ ବ୍ୟାକୁଳ ହେଲେଣି। ଯେତେ ଶୀଘ୍ର ସମ୍ଭବ କକପିଟକୁ ଫେରିବାକୁ ଆଗ୍ରହୀ ଅଭିନନ୍ଦନ। ଏୟାରଫୋର୍ସର ବରିଷ୍ଠ ଅଧିକାରୀ ସେ ଏକଥା କହିଥିବା ଜଣା ପଡ଼ିଛି। ଅଭିନନ୍ଦନଙ୍କୁ ଗତକାଲି ହସ୍ପିଟାଲରେ ଭେଟିଥିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ରାଓ ଭାମରେ। ବାୟୁସେନାର MiG-21 ବିମାନରୁ ମିସାଇଲ ମାଡ଼ କରି ପାକିସ୍ତାନ F-16କୁ ଖସାଇ ଦେଇଥିଲେ ଅଭିନନ୍ଦନ।
କେଦାର ମିଶ୍ର
ପୁଣି ଚର୍ଚ୍ଚା ଚାଲିଛି, ଆଜି ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିପାରନ୍ତି। ଗତ ବର୍ଷେ ହେଲା ଏ ଖବର ବିଷୟରେ ଆମେ କେବଳ ଶୁଣି ଆସୁଛୁ। “ସମୀକ୍ଷା’ ରେ ବିଭିନ୍ନ ସୂତ୍ରରୁ ଆମେ ଥରେ ଅଧେ ଭବିଷ୍ୟବାଣୀ ବି କରିଥିଲୁ ଯେ ବୈଜୟନ୍ତ ବାବୁ ବିଜେପିରେ ମିଶୁଛନ୍ତି। ତେବେ ବୈଜୟନ୍ତଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା। ହଠାତ ଗତକାଲି ପୁଣି ଏକ ଖବର ଆସିଲା ଯେ ବୈଜୟନ୍ତ ଆଜି ଅପରାହ୍ନରେ ବିଜେପିରେ ଯୋଗଦେବେ। ନିର୍ବାଚନ ଘୋଷଣା ହେବାର ମାତ୍ର ଚାରି ପାଞ୍ଚ ଦିନ ଆଗରୁ ଏ ପ୍ରକାର ଖବରର ସତ୍ୟାସତ୍ୟ ଜାଣିବା ଆଦୌ ସହଜ ନୁହେଁ। ବୈଜୟନ୍ତଙ୍କ ଭୁବନେଶ୍ୱର କାର୍ୟାଳୟ ପାଖରେ ଏମିତି କିଛି ସୂଚନା ନାହିଁ ବୋଲି କୁହାଯାଇଛି। ତେବେ ଆଜି ସନ୍ଧ୍ୟାରେ ବୈଜୟନ୍ତ ବିଜେପିର କେନ୍ଦ୍ରୀୟ କାର୍ୟାଳୟକୁ ଆସିପାରନ୍ତି ବୋଲି ସୂଚନା ମିଳୁଛି। ଏ ପ୍ରସଙ୍ଗରେ ଆମେ କିଛି ନିର୍ଦ୍ଦିଷ୍ଟ ମତ ରଖୁନାହୁଁ।
ଆମେ ବାରମ୍ବାର କହିଆସିଛୁ ଯେ ବିଜେପି ହେଉଛି ବୈଜୟନ୍ତଙ୍କ ପାଇଁ ସ୍ଵାଭାବିକ ପସନ୍ଦ। ଦିଲ୍ଲୀର ଅନ୍ଦର ମହଲରେ ତାଙ୍କର ଘନିଷ୍ଠ ବନ୍ଧୁମାନେ ପ୍ରାୟ ସଂଘ ଓ ବିଜେପିର ଘନିଷ୍ଠ । ସଂଘ ସହ ମଧୁର ସମ୍ପର୍କ ଥିବା ଅନେକ ସାମ୍ବାଦିକ ବୈଜୟନ୍ତଙ୍କ ପାଇଁ ଓକିଲାତି କରି ଆସିଛନ୍ତି। ତାଙ୍କର ଓଡିଶା ଟେଲିଭିଜନର ବିଭିନ୍ନ କାର୍ଯକ୍ରମରେ ଏହି ଗୋଷ୍ଠୀର ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀଙ୍କୁ ଦେଖିବାକୁ ମିଳିଥାଏ। ପୂର୍ବରୁ ବୈଜୟନ୍ତଙ୍କୁ ଅଡୁଆରେ ପକାଇଥିବା ଅଭିଜିତ ଆୟାର ମିତ୍ର, ଆରତୀ ଟିକୁ ସିଂଙ୍କ ବିଷୟରେ ଆମେ ଜାଣିଛୁ। ନିକଟରେ ଓଟିଭିର ଏକ ଆୟୋଜନରେ ବିଜେପିର ଆଉଜଣେ ଘନିଷ୍ଠ ସାମ୍ବାଦିକ ଆନନ୍ଦ ରଙ୍ଗନାଥନଙ୍କୁ ଡକାଯାଇଥିଲା। ବିଭିନ୍ନ ଘଟଣାକ୍ରମ ଓ ବୈଜୟନ୍ତଙ୍କ ସୋସିଆଲ ମିଡିଆ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ପାଇଁ ବିଜେପି ହେଉଛି ପ୍ରଥମ ଓ ଶେଷ ପସନ୍ଦ। ତା ସତ୍ତ୍ୱେ ତାଙ୍କୁ ବିଜେପିରେ ପୂରେଇ ଦିଆଯାଉନାହିଁ କାହିଁକି ? ମଝିରେ ବିଜେପିର ଉପେକ୍ଷା ଦ୍ଵାରା ମର୍ମାହତ ବୈଜୟନ୍ତ କଂଗ୍ରେସରେ ମିଶିବେ କିମ୍ବା ଭିନ୍ନ ଏକ ଦଳ ଗଠନ କରିବେ ବୋଲି ଭାବୁଥିଲେ। କଂଗ୍ରେସରେ ତାଙ୍କ ଯୋଗଦାନକୁ ରାଜ୍ୟ ନେତୃତ୍ୱ ଚାତକ ଭଳି ଚାହିଁ ରହିଥିଲେ ହେଁ, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ବୈଜୟନ୍ତଙ୍କୁ ଗ୍ରହଣ କରିବାଲାଗି ପ୍ରସ୍ତୁତ ନଥିଲେ।
ବୈଜୟନ୍ତ ଆଜି ଯଦି ବିଜେପି ରେ ଯୋଗଦେବା ଖବର ସତ ହୁଏ, ତାହେଲେ ଏହାର କିଛି ପ୍ରଭାବ ଓଡିଶା ରାଜନୀତିରେ ପଡିବ କି? ବୈଜୟନ୍ତଙ୍କ ଯୋଗଦାନ ବିଜେପିକୁ ଲାଭବାନ କରିବ ନା ବିଜେପି ଭିତରେ ବୈଜୟନ୍ତ ବୋଝ ପାଲଟିବେ? ଓଡିଶାରେ ବିଜେପି ନେତୃତ୍ୱ ଆଜି ମଧ୍ୟ ପ୍ରଚଣ୍ଡ ଗୋଷ୍ଠୀ ବିବାଦରେ ଫସି ରହିଛି। ଦଳର ପୁରୁଣା ବନାମ ନୂଆ ନେତୃତ୍ବକୁ ନେଇ ଅହଂକାର ଯୁଦ୍ଧ ଲାଗି ରହିଛି। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଛି। ସେହିପରି ପୁରାତନ ଆରଏସଏସର ନେତାଏ ପ୍ରତାପ ଷଡଙ୍ଗୀଙ୍କୁ ନେତୃତ୍ୱ ଦେବାକୁ ବେଶୀ ଆଗ୍ରହୀ। ଗତ କିଛିଦିନ ହେଲାଣି ପ୍ରତାପ ବାବୁ ବିଜେପିର ରାଜ୍ୟ ସଂଗଠନ ଭିତରେ ଏକପ୍ରକାର ଏକଘରିକିଆ ହୋଇପଡିଛନ୍ତି। ନୂଆ କରି ବିଜେପିକୁ ଆସିଥିବା ଅପରାଜିତା ଷଡଙ୍ଗୀ ଏବେ ନିଜର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ସମ୍ଭାଳିବାରେ ବ୍ୟସ୍ତ। ସେ ଭୁବନେଶ୍ବରର ପୁରୁଖା ବିଜେପି କର୍ମୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ଇତିମଧ୍ୟରେ ଆସିଛି। ତେଣୁ ଭୁବନେଶ୍ବରର ବହୁ ପୁରୁଣା ବିଜେପି କର୍ମୀ ଓ ନେତା ଏବେ ନବୀନ ନିବାସମୁହାଁ କି କଂଗ୍ରେସ ଭବନମୁହାଁ ହେଲେଣି।
ସେଇ ସମୟରେ ବୈଜୟନ୍ତ ବିଜେପିକୁ ଆସିବା ଦଳ ପାଇଁ ଗୋଟେ ବିଚିତ୍ର ପରିସ୍ଥିତି ସୃଷ୍ଟି କରିବ। ବୈଜୟନ୍ତ ସିଧା ଦିଲ୍ଲୀରୁ ଯଦି ବିଜେପି ଟିକେଟ ନେଇ ଆସନ୍ତି ତାଙ୍କୁ ଓଡିଶା ବିଜେପି କର୍ମୀମାନେ ବାଧ୍ୟହୋଇ ସ୍ଵାଗତ କଲେ ମଧ୍ୟ ଆନ୍ତରିକ ଭାବରେ ତାଙ୍କୁ ଗ୍ରହଣ କରିବା ସହଜ ହେବନାଇଁ। କେନ୍ଦ୍ରାପଡା ଲୋକସଭା ପାଇଁ ପୂର୍ବରୁ ଲଢେଇ କରିଥିବା ବିଜେପିର ପ୍ରାର୍ଥୀ ବିଷ୍ଣୁ ଦାସ ସଂଘର ପୁରୁଣା ଲୋକ ଓ ତାଙ୍କର କେନ୍ଦ୍ରୀୟ ନେତୃତ୍ୱ ସହିତ ସମ୍ପର୍କ ବେଶ ନିବିଡ। ବିଷ୍ଣୁ ଦାସ ଓ ନୂଆ ଆଶାୟୀ ଥିବା ଜ୍ଞାନ ବେଉରାଙ୍କୁ ହତାଶ କରି ବୈଜୟନ୍ତ ଯଦି ଶେଷ ମୁହୂର୍ତ୍ତରେ ବିଜେପିର କେନ୍ଦ୍ରାପଡା ପ୍ରାର୍ଥୀ ହୁଅନ୍ତି ତାହେଲେ, ପୁରୁଣା ନେତାମାନେ ତାଙ୍କୁ କେମିତି ଗ୍ରହଣ କରିବେ ତାହା ଏକ ବଡ ପ୍ରଶ୍ନବାଚୀ।
ବୈଜୟନ୍ତ ନିଜ ତରଫରୁ କରାଇଥିବା ଏକ ସର୍ଭେରେ ଯେଉଁ ଚିତ୍ର ପାଇଥିଲେ, ସେଥିରେ କୁହାଯାଇଥିଲା ଯେ, ସେ ଯଦି କୌଣସି ଦଳ ତରଫରୁ ପ୍ରାର୍ଥୀ ନହୁଅନ୍ତି ତାହେଲେ ତାଙ୍କ ଜିତିବାର ସମ୍ଭାବନା ନାହିଁ। ତେଣୁ ଶେଷ ମୁହୂର୍ତ୍ତରେ ସେ ବିଜେପି କିମ୍ବା କଂଗ୍ରେସରୁ ଟିକଟ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଆସନ୍ତା ପନ୍ଦର ଦିନ ଭିତରେ ଓଡିଶାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେହି ସମୟରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ରାଜ୍ୟ ରାଜନୀତିରେ ବିଶେଷ କିଛି ପ୍ରଭାବ ପକାଇବାର ସମ୍ଭାବନା ଆଉ ନାହିଁ।
ତେବେ ସତରେ ଯଦି ବୈଜୟନ୍ତ ଆଜି ବିଜେପିରେ ଯୋଗ ଦିଅନ୍ତି ତାହେଲେ ଦୁଇଟି କଥା ରାଜ୍ୟ ରାଜନୀତିରେ ସ୍ପଷ୍ଟ ହୋଇଯିବ- ୧॰ ସେ ବିଜେପିରେ ଯୋଗ ଦେଇଥିବା ପ୍ରବାସୀ ନେତାଙ୍କ ଭିତରେ ସର୍ବ କନିଷ୍ଠ ହୋଇ ରହିବେ ଓ ୨॰ ତାଙ୍କ ଦ୍ଵାରା ପରିଚାଳିତ ଓ ଟିଭିର ସ୍ଵର ଅର୍ଦ୍ଧଗୈରିକ ରୁ ପୂର୍ଣ୍ଣ ଗୈରିକ ହୋଇଯିବ। ଏହି ଦୁଇଟି କଥା ବ୍ୟତୀତ ବୈଜୟନ୍ତଙ୍କ ବିଜେପି ଯୋଗଦାନର ତୃତୀୟ ପ୍ରଭାବ ଅଲଗା କିଛି ଥିବା ପରି ମନେହେଉ ନାହିଁ।
ଦୁର୍ଗମ ଅଞ୍ଚଳରେ ଥିବା ଜନବସତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ୨୦୦୯ ମସିହା ଆଇନ ଅନୁସାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ନେଇ ରାଜ୍ୟ ସରକାର ଉନ୍ନତି ଦିଗରେ ଏକ ପଦକ୍ଷେପ ନେଇଛନ୍ତି । ଏଣିକି ବାସସ୍ଥଳୀଠାରୁ ଦୁଇ,ତିନି କିମି ଦୂରରେ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ସେମାନଙ୍କ ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ପରିବାରରେ ନିଜ ଗାଁ ଠାରୁ ଦୁଇ, ତିନି କିମି ଚାଲି ଚାଲି ଯାଉଥିବା ପିଲାଙ୍କ ପାଇଁ ପରିବହନ ଖର୍ଚ୍ଚ ପ୍ରଦାନ କରିବେ ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ , ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ରୁ ଅଧିକ ରୁହେ ତେବେ ପିଲା ଓ ତତ୍ୱାବଧାରକଙ୍କୁ ମାସିକ ୬୦୦ଟଙ୍କା ପ୍ରଦାନ କରାଯିବ । ଉପସ୍ଥାନ ହାର ଯଦି ୫୦ ପ୍ରତିଶତରୁ ୬୪ପ୍ରତିଶତ ମଧ୍ୟରେ ରୁହେ ତେବେ ମାସିକ ୪୦୦ଟଙ୍କା ପ୍ରଦାନ କରାଯିବ । ସେହିପରି ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୩୦ ପ୍ରତିଶତରୁ ୫୦ ପ୍ରତିଶତ ରୁହେ ସେମାନଙ୍କୁ ମାସିକ ୩୦୦ଟଙ୍କା ପରିବହନ ବାବଦ ଖର୍ଚ୍ଚ ପ୍ରଦାନ କରାଯିବ । ଉପସ୍ଥାନ ହାର ୩୦ନପ୍ରତିଶତରୁ କମ ହେଲେ ଆଦୌ ପରିବହନ ଖର୍ଚ୍ଚ ପ୍ରଦାନ କରାଯିବ ନାହିଁ । ଏହି ନିଷ୍ପତି ଅନୁଯାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ତତ୍ୱାବଧାରଙ୍କୁ ନଗଦ ଟଙ୍କା ନ ଦିଆଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।
ଜାମ୍ମୁ-କାଶ୍ମୀର ପ୍ରଶାସନ ପୁଞ୍ଛ ଓ ରାଜୌରୀ ଜିଲ୍ଲାରେ ୪୦୦ ଅତିରିକ୍ତ ବଙ୍କର ତିଆରି କରିବାର ଯୋଜନାକୁ ମଞ୍ଜୁରୀ ମିଳିଯାଇଛି । ଗତ ପାଞ୍ଚ ଦିନ ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ଅନେକ ଥର ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଛି । ତେଣୁ ଅତିରିକ୍ତ ବଙ୍କର ଯଥାଶୀଘ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ପାକିସ୍ତାନ ପଟୁ ମାତ୍ରାଧିକ ଗୁଳିମାଡକୁ ନଜରରେ ରଖି ପ୍ରଶାସନ ଉଭୟ ପୁଞ୍ଛ ଏବଂ ରାଜୌରୀ ୨୦୦ ଲେଖାଏଁ ଅତିରିକ୍ତ ବଙ୍କର ତିଆରି କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ନିକଟରେ ପାକିସ୍ତାନ ଗୁଳିମାଡରେ ଚାରି ଜଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାକୁ ନଜରରେ ରଖି ସାଧାରଣ ନାଗରିକମାନଙ୍କ ପାଇଁ ସୁରକ୍ଷିତ କଲୋନି ନିର୍ମାଣ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି । ପ୍ରାୟ ଅଧିକାଂଶ ସମୟରେ ସେନା ଓ ଆତଙ୍କବାଦୀଙ୍କ ଗୁଳିଗୋଳା କାରଣରୁ ଏଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ଜୀବନ ଉପରେ ସଂକଟ ଭାରି ରହୁଛି ।
ଭାରତରେ ଜନ୍ମିତ ଆମେରିକୀୟ ମହିଳା ମେଧା ନାର୍ବେକର ୟୁନିଭରସିଟି ଅଫ ପେନସିଲଭାନିଆର ଉପସଭାପତି ଏବଂ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି । ସେ ସେଠାରୁ ଏମ ବି ଏ କରି ସାରିବା ପରେ ୩୨ ବର୍ଷ ଧରି ପେନ୍ସ ଡେଭେଲପମେଣ୍ଟ ଏଣ୍ଡ ଆଲୁମିନ୍ ରିଲେସନସ ଅଫିସରେ କାର୍ଯ୍ୟ କରିଥିଲେ । ସେ ବହୁ ଟ୍ରଷ୍ଟିଙ୍କ ସହ କାର୍ଯ୍ୟ କରିବା ସହିତ ସେ ଡିଏଆର ର ଆସୋସିଆଟ ଭାଇସ ପ୍ରେସିଡେଣ୍ଟ ମଧ୍ୟ ଥିଲେ । ନାର୍ବେକର ଉନିଭରସିଟି ଅଫ ପେନସିଲଭାନିଆ ଇସ୍ତାହାର ଅନୁଯାୟୀ ଜୁଲାଇ ୧ ରୁ ସେ ନୂତନ ପଦରେ ଅବସ୍ଥାପିତ ହେବେ । ୧୯୮୧ ରେ ସ୍ଵାର୍ଥମର୍ ମହାବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ କରିବା ସହିତ ହ୍ବାର୍ଟନରୁ ୧୯୮୬ ରେ ଏମବିଏ କରିଛନ୍ତି ମେଧା । ସେ ନୂତନ ପଦବୀରେ ଅବସ୍ଥାପିତ ହେଲେ ମଧ୍ୟ ଡିଏଆରକୁ ସହାୟତା ପ୍ରଦାନ କରିବେ । ସେ ଡିଏଆର ପକ୍ଷରୁ ପ୍ରେସିଡେଣ୍ଟଙ୍କ ପାଇଁ ଜଣେ ଲିଆସନ ଭାବେ କାର୍ଯ୍ୟ କରିବେ ଏବଂ ସେ ପାୱାର ଅଫ ପେନ ଫଣ୍ଡ ରାଇସିଙ୍ଗ କ୍ୟାମ୍ପେନର ବରିଷ୍ଠ ମ୍ୟାନେଜମେଣ୍ଟ ଟିମର ସଦସ୍ୟ ରହିବେ । ଲେସ୍ଲୀ କୃହଲ୍ଙ୍କ ଅବସର ନେବା ପରେ ମେଧା ତାଙ୍କ ସ୍ଥାନରେ ଅବସ୍ଥାପିତ ହେବେ ।
ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗ୍ରସ୍ତ କରିଛନ୍ତି । ଏହି ଗ୍ରସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଖଲ୍ଲିକୋଟ ଷ୍ଟାଡିୟମ୍ଠାରେ ୪୮୮ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମିତ ଜାନିବିଲି –ବ୍ରହ୍ମପୁର ବୃହତ ଜଳଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋର୍କାପଣ କରିଛନ୍ତି । ଏହା ସହ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୬ଟି ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଛନ୍ତି । ଏଠାରେ ଆୟୋଜିତ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ ରାଜ୍ୟର ସମସ୍ତ ପୌର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ୍ ଅନୁସାରେ ଦରମା ମିଳିବ ବୋଲି କହିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।
ମେରିଲାଣ୍ଡଠାରେ ଅନୁଷ୍ଠିତ ଚାରିଦିବସୀୟ ବାର୍ଷିକ କନଜରଭେଟିଭ୍ ପଲଟିକାଲ୍ ଆକ୍ସନ ସମ୍ମିଳନୀରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ଏଣିକି ଭାରତ ଉପରେ ଅଧିକ ଟିକସ ଆଦାୟ କରାଯିବ । ଏହି ସମ୍ମିଳନୀରେ ଟ୍ରମ୍ପ୍ ଭାରତ ତଥା ଅନ୍ୟାନ୍ୟ ଦେଶ ସହ ରହିଥିବା ଘରୋଇ ଏବଂ ଦ୍ଵିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଟ୍ରମ୍ପ୍ କହିଛନ୍ତି ଯେ, ଭାରତ ହେଉଛି ଅଧିକ ଶୁଳ୍କ ଅସୁଲ କରୁଥିବା ରାଷ୍ଟ୍ର । ଭାରତ ଆମେରିକୀୟ ସାମଗ୍ରୀ ଉପରେ ବହୁ ପରିମାଣର ଟିକସ ଲଗାଉଛି । ତେଣୁ ଆମେରିକା ମଧ୍ୟ ପାରସ୍ପରିକ ଟିକସ ଚାହୁଁଛି । ତେଣୁ ଭାରତୀୟ ସାମଗ୍ରୀ ଉପରେ ଅଧିକ ଟିକସ ଆଦାୟ କରିବାକୁ ଯୋଜନା କରାଯାଉଛି । ତେବେ ଭାରତ ଉପରେ ୨୫ ପ୍ରତିଶତ ପାରସ୍ପରିକ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାର ଟ୍ରମ୍ପ୍ କହିଛନ୍ତି ।
୧୦୦ କୋଟି କ୍ଲବରେ ସାମିଲ ହେଲା ‘ଟୋଟାଲ ଧମାଲ୍’
ଏ ବର୍ଷର ପ୍ରଥମ କମେଡି ସିନେମା ‘ଟୋଟାଲ ଧମାଲ୍’ ବକ୍ସଅଫିସରେ ମାତ୍ର ୯ ଦିନ ପରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ‘ଟୋଟାଲ୍ ଧମାଲ୍’ ହେଉଛି ମାଧୁରୀ ଦୀକ୍ଷିତଙ୍କ କ୍ୟାରିୟରର ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ପ୍ରଥମ ଫିଲ୍ମ । ଏହି ସିନେମା ପ୍ରଥମ ଦିନ ୧୬.୦ କୋଟି ଟଙ୍କାର ଆୟ କରିଥିଲା। ଦ୍ୱିତୀୟ ଦିନ ଏହା ୨୦.୪୦ କୋଟି ଟଙ୍କାର ଆୟ କରିଥିଲା। ଏପରିଭାବେ ପ୍ରଥମ ଦୁଇ ଦିନରେ ଏହାର କଲେକସନ୍ ୩୬ .୫୦ କୋଟିରେ ପହଞ୍ଚିଥିଲା। ପ୍ରଥମ ସପ୍ତାହାନ୍ତରେ ମୋଟ ୬୪ କୋଟି ଟଙ୍କାର ଆୟ କରିଥିଲା। ଏହି ଫିଲ୍ମ ବର୍ଷର ସବୁଠାରୁ ବଡ଼ ଉଇକେଣ୍ଡ ଓପନିଂ ବି କରିଥିଲା । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏହି ସିନେମାରେ ଅନୀଲ କପୁର, ଅଜୟ ଦେବଗନ୍, ଅର୍ଶଦ ଓ୍ଵରସି, ରିତେଶ ଦେଶମୁଖ୍, ଜନି ଲିଭର୍, ମାଧୁରୀ ଦୀକ୍ଷିତ, ବୋମନ୍ ଇରାନୀ ଓ ସଂଜୟ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଏହା ଗତ ୨୨ ତାରିଖରେ ରିଲିଜ୍ ହୋଇଥିଲା।
ଓଡ଼ିଶା ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ପାଲଟିଛି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ । ସ୍ଵଚ୍ଛ ଓ ସଂସ୍କାରମୂଳକ ପଦକ୍ଷେପ ନେଇ ମାଟ୍ରିକ୍ ପରୀକ୍ଷା ପରିଚାଳିତ କରିବାକୁ ସରକାରଙ୍କ ତରଫରୁ ଅନେକ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇ ଶିକ୍ଷାବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଗତକାଲି ଗଣିତ ପ୍ରଶ୍ନପତ୍ରର ‘ସେଟ୍ ଡି’ ଭାଇରାଲ୍ ହୋଇଥିଲା। ପରୀକ୍ଷା ଚାଲିଥିଲା ବେଳେ ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ସସ୍ପେଣ୍ଡ୍ କରାଯାଇଥିବାବେଳେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ପ୍ରଶ୍ନପତ୍ର ଭାଇରାଲ୍ ପରେ ପରେ ଓଏମ୍ଆର୍ ସିଟ୍ ଉଭାନ ହେବା ଘଟଣା ଶିକ୍ଷାବ୍ୟବସ୍ଥାକୁ ଆହୁରି ହରଡ଼ଘଣାରେ ପକାଇଛି । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ପଡ଼ିଆ ହାଇସ୍ସ୍କୁଲରୁ ଗଣିତ ଓଏମ୍ଆର୍ର ୧୦୮ଟି ସିଟ୍ ଉଭାନ୍ ହୋଇଛି । ଏ କଥା ଜଣାପଡ଼ିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରୁ କିପରି ଓଏମ୍ଆର୍ ସିଟ୍ ଗାଏବ ହେଲା, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍। ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ପଚରାଉଚରା କରାଯାଉଛି।
ପାକିସ୍ତାନ ଉପରେ ଭାରତୀୟ ବାୟୁସେନାଙ୍କ ଦ୍ବାରା ଏୟାର୍ ଷ୍ଟ୍ରାଇକ୍ ପରେ ଭାରତରେ ରାଜନୀତି ବେଶ୍ ଉଷ୍ମ ଧରିଛି । ଗତ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାଙ୍କ ଦ୍ବାରା କରାଯାଇଥିବା ଜୈଶ୍-ଏ-ମହମ୍ମଦ ଆତଙ୍କୀ ଠିକଣା ଉପରେ ଆକ୍ରମଣକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ପ୍ରମାଣ ମାଗିଥିବାବେଳେ ଏବେ କଂଗ୍ରେସ ନେତା ଦିଗ୍ବିଜୟ ସିଂ ମଧ୍ୟ ମୋଦି ଏହି ପ୍ରମାଣ ଦେବାକୁ ଦାବୀ କରିଛନ୍ତି। ଆମେରିକା ଓସାମା ବିନ୍ ଲାଡ଼େନ୍ର ମୃତ୍ୟୁ ପ୍ରମାଣ ଅର୍ନ୍ତଜାତୀୟସ୍ତରରେ ପ୍ରକାଶ କରିଥିଲା। ସେହିପରି ମୋଦି ମଧ୍ୟ ବାୟୁସେନାର ଆକ୍ରମଣର ତଥ୍ୟ ଉପସ୍ଥାପନ କରିବା ଆବଶ୍ୟକ ବୋଲି ଦିଗ୍ବିଜୟ କହିଛନ୍ତି। ମୋଦି କନ୍ୟାକୁମାରୀରେ କହିଥିଲେ ଯେ ୨୦୦୮ ମୁମ୍ବାଇଠାରେ ହୋଇଥିବା ୨୬/୧୧ ଆକ୍ରମଣ ସମୟରେ ବାୟୁସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଚାହୁଁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏପରି କରିବାକୁ ବାରଣ କରିଥିଲେ। ମୋଦିଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ ବୋଲି ଦିଗ୍ବିଜୟ କହିଛନ୍ତି । ବିଜେପି ‘ସର୍ଜିକାଲ୍ ଷ୍ଟ୍ରାଇକ୍-୨’ କରି ଏଥରର ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହୁଁଛି ବୋଲି କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ।
୩୨ ବର୍ଷରେ ଶକ୍ତି ତନୟା ଶ୍ରଦ୍ଧା
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ର ବ୍ୟାଡ଼ମ୍ୟାନ୍ ଶକ୍ତିକପୁର୍ଙ୍କ ତନୟା ଶ୍ରଦ୍ଧା ବଲିଉଡ୍ରେ ନିଜର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି । ୨୦୧୦ର ’ତିନି ପତି’ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ୨୦୧୧ରେ ଆସିଥିବା ‘ଲଭ୍ କା ଦ ଏଣ୍ଡ୍’ରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ୨୦୧୩ରେ ବଲିଉଡ୍ରେ ମୁକ୍ତିଲାଭ କରିଥିବା ‘ଆଶିକି ୨’ରେ ଆରୋହି ଚରିତ୍ରରେ ସେ ରାତାରାତି ଷ୍ଟାର୍ ପାଲଟିଯାଇଥିଲେ । ଏହି ଫିଲ୍ମ ପାଇଁ ଶ୍ରଦ୍ଧା ଫିଲ୍ମଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ହାତେଇଥିଲେ । ପରବର୍ତ୍ତୀ ସମୟରେ ‘ହାଇଦର୍’, ‘ଏକ୍ ଭିଲେନ୍’, ‘ଏବିସିଡ଼ି-୨’, ‘ଓକେ ଜାନୁ’, ‘ବାଗୀ’, ’ସ୍ତ୍ରୀ’, ‘ବତୀ ଗୁଲ୍ ମିଟ୍ଟର ଚାଲୁ’ ଆଦି ଫିଲ୍ମରେ ନଜର ଆସି ବେଶ୍ ସଫଳତା ସାଉଁଟିଛନ୍ତି । ଶ୍ରଦ୍ଧା ଏବେ ବାହୁବଲୀ ଫେମ୍ ପ୍ରଭାସଙ୍କ ସହ ‘ସାହୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ ସାହୋ’ ଫିଲ୍ମର ଏକ ଟିଜର୍ ରିଲିଜ୍ କରାଯାଇଛି । ସାହୋ ବ୍ୟତୀତ, ଷ୍ଟ୍ରିଟ୍ ଡ୍ୟାନ୍ସର୍, ସାଇନା ନେହ୍ୱାଲ୍ଙ୍କ ଜୀବନୀ ଆଦି ଫିଲ୍ମରେ ସେ ନଜର ଆସିବେ । ତେବେ ବଲିଉଡ୍ ଷ୍ଟାର୍ମାନେ ସବୁବେଳେ ତାଙ୍କ ରିୟଲ୍ ଲାଇଫ୍ ଠାରୁ ରିଲ୍ ଲାଇଫ୍କୁ ନେଇ ବେଶ୍ ଚର୍ଚ୍ଚାରେ ରହିଥା’ନ୍ତି । ‘ଆଶିକି-୨’ର ଅଭିନେତା ଆଦିତ୍ୟ ରୟ କପୁର୍ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବାବେଳେ ନିକଟରେ ସେ ଅଭିନେତା ନିର୍ଦ୍ଦେଶକ ଫରହାନ୍ ଅଖତର୍ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ତେବେ ଶ୍ରଦ୍ଧା ଦୁହିଁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୂରାପୂରି ନିରବ ରହିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଙ୍ଗା ସଫେଇ, ଜାତୀୟ ରାଜପଥ ନିର୍ମାଣ ଏବଂ ଆଧାର କାର୍ଡ ଆଦି ପ୍ରସଙ୍ଗରେ ପ୍ରଶଂସା କରିଛନ୍ତି । ଚିଦାମ୍ବରମ କହିଛନ୍ତି ଯେ, ମୋଦୀଙ୍କ ପ୍ରୟାସରେ ଗଙ୍ଗାନଦୀର ସଫେଇ ହୋଇପାରିଛି । ଯାହାକୁ ନେଇ ଗର୍ବ ଅନୁଭବ ହେଉଛି । ପ୍ରତ୍ୟେକ ସରକାର ଏପରି କିଛି ନିଷ୍ପତ୍ତି ନେଇଥାନ୍ତି ଯାହା ଲାଭକାରୀ ହୋଇଥାଏ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ରାଜପଥ ନିର୍ମାଣ କାର୍ଯ୍ୟକ୍ରମ ଉଲ୍ଲେଖନୀୟ । ଏନଡିଏ ସରକାର କଂଗ୍ରେସ ସରକାରଠାରୁ ପ୍ରତିଦିନ ଅଧିକ ରାସ୍ତା ନିର୍ମାଣ କରୁଛନ୍ତି । ଆଗାମୀ ସରକାର ମଧ୍ୟ ଆହୁରି ଅଧିକ କାମ କରିବେ । ବର୍ତ୍ତମାନର ଏନଡିଏ ସରକାର ଆଧାରକୁ ନେଇ ପ୍ରଶଂସାଯୋଗ୍ୟ । ଗଙ୍ଗାସଫେଇକୁ ନେଇ ଏକ ଭିନ୍ନ ମନ୍ତ୍ରାଳୟ ଗଠନ କରିଛନ୍ତି କେନ୍ଦ୍ରସରକାର । ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ୍କରୀ ୧୩ ମାସ ଭିତରେ ଗଙ୍ଗାନଦୀ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ହେବ ବୋଲି ବୟାନ ଦେଇଛନ୍ତି ।
ଗୌହ୍ଵାଟୀର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ଦ୍ଵାରା ସୁପାରିସ୍ ଜଷ୍ଟିସ୍ ସିଂହଙ୍କ ନାମକୁ ସ୍ଵୀକୃତ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍ । ୨୦୧୬ ମାର୍ଚ୍ଚ ୫ରେ ଆସାମର ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେପ୍ଟମ୍ବର ୨୦୧୮ରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି । ୬ସେପ୍ଟମ୍ବର ୧୯୫୬ ମସିହାରେ ଜନ୍ମିତ ଅବସରପ୍ରାପ୍ତ ବିଚାରପତି ଶ୍ରୀ ସିଂହ ସିଭିଲ୍, କ୍ରିମିନାଲ୍ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ବିଶେଷ ଦକ୍ଷତା ରଖିଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟରୁ ଓକିଲାତି ପେଶା ଆରମ୍ଭ କରିଥିବାବେଳେ ୨୦୦୨ ଏପ୍ରିଲ୍ ୧ରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୦୩, ମାର୍ଚ୍ଚ ୨୧ରେ ସ୍ଥାୟୀ ବିଚାରପତି ଦାୟିତ୍ବ ତୁଲାଇଥିବାବେଳେ ୨୦୧୬ ମାର୍ଚ୍ଚ ୫ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ପଦ ମଧ୍ୟ ସମ୍ଭାଳିଥିଲେ । ଓଡ଼ିଶା ଲୋକାପାଳ ଓ ଲୋକାୟୁକ୍ତ ଆଇନକୁ ବିଧାନସଭାରେ ଅତୀତରେ ଗୃହୀତ କରାଯାଇଥିଲା । ତେବେ ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟିବା ପରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାମୟ ପରିସ୍ଥିତିରେ ଶାନ୍ତି ଲାଗି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିଛନ୍ତି ବୋଲି ଦାବି କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ତେବେ ଭାରତ ପକ୍ଷରୁ ଜେନିଭା ଚୁକ୍ତିନାମା ଅନୁଯାୟୀ ଭାରତୀୟ ବୀର ଯବାନ୍ ଅଭିନନ୍ଦନଙ୍କୁ ଭାରତ ଫେରାଇଛନ୍ତି ବୋଲି କୁହାଯାଉଛି । ଭାରତୀୟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଭାରତରେ ପହଞ୍ଚିବା ପରେ ତାଙ୍କୁ ଦଳ ମତ ନିର୍ବିଶେଷରେ ଅଭିନନ୍ଦନ କରାଯାଇଛି । ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀ କହିଥିଲେ ଯେ ଭାରତରେ ଅଭିନନ୍ଦନର ଅର୍ଥ ବତ୍ତର୍ମାନ ବଦଳିଯାଇଛି । ଅଭିନନ୍ଦନ ଏବେ ଭାରତରେ ବଦଳାଇବାର ଶକ୍ତି ରଖିଛି ବୋଲି କହିଥିଲେ । ରାହୁଲ୍ ଗାନ୍ଧି ମଧ୍ୟ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦିଲ୍ଲୀର ସେନା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିନନ୍ଦନଙ୍କୁ ବାୟୁସେନାର ବରିଷ୍ଠ ଅଧିକାରୀ ଭେଟିବା ସହ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ଭେଟି ତାଙ୍କ ସ୍ଵାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଅଭିନନ୍ଦନ ପାକିସ୍ତାନରେ ରହିଥିବାର ଅନୁଭୂତି ବଖାଣିଛନ୍ତି । ୫୮ ଘଣ୍ଟା ଧରି ଅଭିନନ୍ଦନଙ୍କୁ ଯୁଦ୍ଧବନ୍ଦୀ କରି ପାକିସ୍ତାନୀ ସେନା ତାଙ୍କୁ ଯେଉଁ ନିର୍ଯାତନା ଦେଇଥିଲେ ତାହା ଅକଥନୀୟ ଥିଲା ବୋଲି ବାୟୁସେନା ଅଧିକାରୀଙ୍କ ନିକଟରେ ଏହା ପ୍ରକାଶ କରିଛନ୍ତି ଅଭିନନ୍ଦନ। ପାକିସ୍ତାନର ମୁଖା ଖୋଲି ସେ କହିଛନ୍ତି ଯେ ତାଙ୍କୁ ବନ୍ଦୀ ଭାବେ ଶାରୀରିକ ଯନ୍ତ୍ରଣା ଦିଆଯାଇ ନଥିଲେ ମଧ୍ୟ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ତାଙ୍କର ମିଗ୍-୨୧ ବିମାନ ଆକ୍ରମଣର ଶିକାର ହେବାପରେ ସେ ପାରାଚ୍ୟୁଟ୍ରେ ତଳକୁ ଓହ୍ଲାଇଥିଲେ। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ମାର୍ପିଟ୍ କରିଥିଲେ ଏବଂ ପରେ ପାକ୍ ସେନାକୁ ହସ୍ତାନ୍ତର କରିଥିଲେ। ପାକିସ୍ତାନୀ ସେନା ତାଙ୍କ ଆଖିରେ ପଟି ବାନ୍ଧିବା ସହିତ ହାତକୁ ମଧ୍ୟ ବାନ୍ଧି ଦେଇଥିଲା। ଆହତ ଅବସ୍ଥାରେ ତାଙ୍କୁ ଯୁଦ୍ଧବନ୍ଦୀ ଭାବେ ଠିଆ କରି ଭିଡିଓ ରେକର୍ଡିଂ କରାଇଥିଲା। ଏଭଳି ନିର୍ଯାତନା ସେ ମୁକ୍ତ ହେବା ପର୍ଯ୍ୟନ୍ତ ଚାଲିଥିଲା। । ତାଙ୍କରି ମୁହଁରୁ ପାକିସ୍ତାନର ପ୍ରଶଂସା ଗାନ ପାଇଁ ଚାପ ପକାଇଥିଲା। ଅଭିନନ୍ଦନ ଚା’ ପିଉଥିବା ଭିଡିଓ ଭାଇରାଲ ମଧ୍ୟ କରାଯାଇଥିଲା। ସେନା ତାଙ୍କୁ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ଉଦ୍ଧାର କରିଛି ଏବଂ ଭଲ ବ୍ୟବହାର କରୁଛି ବୋଲି ଅଭିନନ୍ଦନ କହୁଥିବା ଦେଖାଯାଇଥିଲା। କେବଳ ଏତିକି ନୁହେଁ, ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ କେତେକ ପ୍ରଚାର ଭିଡିଓ ଜାରି କରିଥିଲା ଯେଉଁଥିରେ ଅଭିନନ୍ଦନ ପାକିସ୍ତାନୀ ସେନାର ପ୍ରଶଂସା କରିବା ସହିତ ଭାରତୀୟ ମିଡିଆ ବିରୋଧରେ କହୁଥିବା ଦେଖାଯଇଥିଲା। ପ୍ରକ୍ରିୟା ଚୂଡ଼ାନ୍ତ ହେବାପରେ ତାଙ୍କୁ ତାଙ୍କର ଘଣ୍ଟା ଏବଂ ମୁଦି ଫେରାଇ ଦିଆଯାଇଥିବା ବେଳେ ପାକ୍ ସେନା ତାଙ୍କର ପିସ୍ତଲ ଫେରାଇ ନାହାଁନ୍ତି । ଅଭିନନ୍ଦନଙ୍କୁ ଭାରତ ଫେରାଇବା ପରେ ଇମ୍ରାନ୍ ଖାନ୍ଙ୍କୁ ନୋବେଲ୍ ବିଶ୍ଵ ଶାନ୍ତି ପୁରସ୍କାର ମିଳିବା ନେଇ ପାକିସ୍ତାନରେ ଜୋରସୋର୍ରେ ଦାବି ଚାଲିଛି । ତେବେ ଗୋଟିଏ ପଟେ ଶାନ୍ତିର ଦ୍ଵାହି ଦେଇ ଅଭିନନ୍ଦନଙ୍କୁ ଫେରାଇବା ଅନ୍ୟ ପଟେ ପିଓକେ ପଟୁ ଗୁଳି ବର୍ଷଣକରି ପାକିସ୍ତାନ ତଥା ତାଙ୍କର ପ୍ରଧାନମନ୍ତ୍ରୀ କିପରି ଶାନ୍ତିର ବାର୍ତ୍ତାବହ ସାଜିବେ ଏଥିରେ ସନ୍ଦେହ ହେଉଛି ।
କବିତା ଲେଖି ଜଣେ ଅପରାଧୀ ମୃତ୍ୟୁଦଣ୍ଡରୁ ନିଜକୁ ବଞ୍ଚାଇପାରିଛନ୍ତି । ଏକ ହତ୍ୟାକାଣ୍ଡ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲେ ମଧ୍ୟ ତାଙ୍କ ଦଣ୍ଡକୁ ପରିବର୍ତ୍ତନ କରାଯାଇ ଆଜୀବନ ଜେଲଦଣ୍ଡ ଦିଆଯାଇଛି । ଏହା କେବଳ ସମ୍ଭବ ହୋଇପାରିଛି କବିତା ପାଇଁ । ଅପରାଧୀ ଜଣକ ଜେଲ୍ରେ ରହିବା ସମୟରେ ହିଁ ସେ ଲେଖିଥିବା କବିତା ପାଇଁ ସୁପ୍ରିମକୋର୍ଟ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍କୋର୍ଟ ଏହି କବିତା ସବୁକୁ ଅନୁଶୀଳନ କରିବା ପରେ ଅପରାଧୀ ଜଣକ ନିଜ ଭୁଲ୍ ପାଇଁ ଅନୁତପ୍ତ ଏବଂ ତା’ ଭିତରେ ସଂସ୍କାର ଆସିଥିବାର ଜାଣିବାକୁ ପାଇଥିଲେ । ଜଷ୍ଟିସ୍ ଏକେ ସିକ୍ରି, ଜଷ୍ଟିସ୍ ଏସ୍ ଅବ୍ଦୁଲ ନାଜିର ଏବଂ ଜଷ୍ଟିସ୍ ଏମ୍ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ରାୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅପରାଧୀ ଜଣକ ଅର୍ଥ ଲୋଭରେ ଗୋଟିଏ ଛୁଆକୁ ଅପହରଣ କରିବା ପରେ ହତ୍ୟା କରିଥିଲା। ସେ ଅପରାଧ ଘଟାଇବା ବେଳକୁ ତାକୁ ୨୨ ବର୍ଷ ହୋଇଥିଲା ଏବଂ ୧୮ ବର୍ଷ ଜେଲ୍ରେ କାଟିସାରିଲାଣି।
ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦମୟ ପରିସ୍ଥିତିରେ ପାକିସ୍ତାନୀ ପ୍ରଶଂସକମାନେ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍ର ସଦ୍ଭାବନା ରାଜଦୂତର ପଦରୁ ହଟାଇବାକ ପାଇଁ ଦାବି କରିଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ନିକଟରେ ଭାରତ ତରଫରୁ ଏୟାର୍ ଷ୍ଟ୍ରାଇକ୍ କରାଯାଇଥିବା ସମୟରେ ‘ଜୟ ହିନ୍ଦ # ଭାରତୀୟ ଅଭିଯାନ’ରେ ‘ଯୁଦ୍ଧ ପାଇଁ ଖୁସି’ ବୋଲି ଏକ ଟ୍ଵିଟ୍ କରିଥିଲେ । ଏହି ଟ୍ଵିଟ୍କୁ ନେଇ ପାକିସ୍ତାନୀ ପ୍ରଶଂସକମାନେ ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବା ପାଇଁ ଯାଚିକା ଦାଏର କରିଛନ୍ତି । ପାକିସ୍ତାନୀ ପ୍ରଶଂସକଙ୍କ ମତରେ ସଂଯୁକ୍ତ ରାଷ୍ଟ୍ର ଓ ୟୁନିସେଫ୍କୁ ଟ୍ୟାଗ୍ କରିବା ସହ ଏକ ଅନ୍ଲାଇନ୍ରେ ଯାଚିକାରେ ବିଶ୍ଵର ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍ରୁ ଏହି ପଦବୀରୁ ହଟାଇବା ପାଇଁ ଦାବି କରିଛନ୍ତି । ତେବେ ଏହି ଦଲିଲ୍ରେ ପ୍ରିୟଙ୍କା ୟୁନିସେଫ୍ର ସଦ୍ଭାବନା ଦୂତ ହେବା ପରେ ମଧ୍ୟ ତାଙ୍କର ଦ୍ଵାରା ଏପରି ଟ୍ଵିଟ୍କୁ ବିରୋଧ କରାଯାଇଛି । ପ୍ରିୟଙ୍କା ଚୋପ୍ରା ଡିସେମ୍ବର ୨୦୧୬ରେ ୟୁନିସେଫ୍ର ସଦ୍ଭାବନା ରାଜଦୂତ ରୂପେ ଅବସ୍ଥାପିତ ହୋଇଥିଲେ ।
ଆଫଗାନିସ୍ଥାନରେ ଅଚାନକ ବନ୍ୟାରେ ୨୦ ମୃତ
ଆଫଗାନିସ୍ଥାନର ଦକ୍ଷିଣ ଭାଗରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଏଥିରେ ଅତି କମ୍ରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ପ୍ରାକୃତିକ ବିପତ୍ତିରେ ୧୦ଜଣ ଲୋକ ନିଖୋଜ ହୋଇଥିବାର ସୂଚନା ରହିଛି । ଶୁକ୍ରବାର ଦିନ ଦକ୍ଷିଣ ପ୍ରାନ୍ କନ୍ଧାରରେ ପ୍ରବଳ ବର୍ଷା ହେବା କାରଣରୁ ଗତ ୩୦ ଘଣ୍ଟା ଭିତରେ ଏହି କ୍ଷେତ୍ରରେ ପାଖାପାଖି ୯୭ ମିଲିଲିଟିର ବର୍ଷା ହୋଇଥିଲା । ମୃତକଙ୍କ ମଧ୍ୟରେ ଶିଶୁମାନେ ମଧ୍ୟ ରହିଛନ୍ତି । ଏହି ଆକସ୍ମିକ ବନ୍ୟାରେ ପୂରା ଦକ୍ଷିଣ କ୍ଷେତ୍ରର ୨୦୦୦ରୁ ଉର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ କନ୍ଧାର ସହରର ୬୦୦ଟି ଘର ନଷ୍ଟ ହୋଇଛି । ତଥାପି କିଛି କ୍ଷେତ୍ରରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ପ୍ରଶାସନ ତରଫରୁ ଜରୁରୀକାଳୀନ ସେବା ଜାରି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳା ଗିନିଜ ୱାର୍ଲ୍ଡ ରେକର୍ଡ କରିଛି । ତେବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ କୁମ୍ଭମେଳା ତୃତୀୟ ରେକର୍ଡ କରି ହ୍ୟାଟ୍ରିକ ହାସଲ କରିଛି । ଶନିବାର ଦିନ ପାଞ୍ଚଟି ଅଲଗା ଅଲଗା ସ୍ଥାନରେ ପ୍ରାୟ ୧୦ହଜାରରୁ ଅଧିକ ସଫେଇ କର୍ମଚାରୀମାନେ ସଫେଇ କରି ମେଳାର ତୃତୀୟ ବିଶ୍ୱ ରେକର୍ଡ କରିଛନ୍ତି । କୁମ୍ଭମେଳାର ସେକ୍ଟର୧ ଏବଂ ୨ ରାସ୍ତା, ଅରେଲରେ ସଙ୍କଟମୋଚନ ମାର୍ଗ, ସେକ୍ଟର ୭ରେ କୈଳାସପୁରୀ ଏବଂ ଝୁଂସୀର ସଙ୍ଗମ ଲୋୟର ମାର୍ଗରେ ଏକା ସମୟରେ ୧୦ହଜାରରୁ ଅଧିକ ସଫେଇ କର୍ମଚାରୀ ୩ମିନିଟ ପର୍ଯ୍ୟନ୍ତ ଝାଡୁମାରି ଏହି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଢାକାର ୭୦୨୧ଜଣ ଲୋକ ଏକାସହ ସଫେଇ କରି ରେକର୍ଡ କରିଥିଲେ । ଏହା ସହ ଅଲଗା ଅଲଗା ପାଞ୍ଚଟି ସ୍ଥାନରେ ସଫେଇ କରିବାର ନୂଆ ରେକର୍ଡ ହୋଇଛି । ଏହା ପୂର୍ବରୁ କୁମ୍ଭ ମେଳା ପ୍ରାଧିକରଣ ପକ୍ଷରୁ ଗୁରୁବାର ଏକାସାଙ୍ଗରେ ୫୦୩ଟି ବସର ପରେଡେ ଏବଂ ପେଣ୍ଟିଂ ପାଇଁ ୱାଲ ମାଧ୍ୟମରେ ୭ ହଜାରରୁ ଅଧିକ ଲୋକ ନିଜର ହାତର ଛାପ ଛାଡି ଦୁଇଟି ଗିନିଜ ୱାଲର୍ଡ ରେକର୍ଡ ସ୍ଥାପନ କରିଥିଲେ ।