ବିଜେପି ମହାସଚିବ ରାମ ମାଧବ ବିଜେପି କଂଗ୍ରେସର ରେକର୍ଡ ଭାଙ୍ଗି ୨୦୪୭ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବ ବୋଲି କହିଛନ୍ତି। ଭାରତରେ ଦୀର୍ଘକାଳ ଧରି ରାଜନୈତିକ କ୍ଷମତାରେ ରହିଥିବା ଦଳ ଭିତରେ ରହିଛି କଂଗ୍ରେସ। କଂଗ୍ରେସ ୧୯୫୦ରୁ ୧୯୭୭ ଯାଏଁ କ୍ରମାଗତ ଭାବରେ କେନ୍ଦ୍ରରେ ସରକାର ଗଢିଥିଲା। ଆଉ ଏହି ରେକର୍ଡକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ଭଙ୍ଗ କରିବ ବୋଲି କହିଛନ୍ତି ରାମ ମାଧବ। ତ୍ରିପୁରାର ରାଜଧାନୀ ଅଗରତଲା ଠାରେ ଶୁକ୍ରବାର ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ରାମ ମାଧବ କହିଛନ୍ତି, ଭାରତ ସ୍ୱଧୀନତାର ୧୦୦ତମ ବାର୍ଷିକ ଉତ୍ସବ ପାଳନ କରିବା ପର୍ଯ୍ୟନ୍ତ ବିଜେପି କ୍ଷମତାରେ ରହିବ ବୋଲି କହିବା ସହିତ ଆଗାମୀ ୩ ବର୍ଷରେ ନୂତନ ଭାବରେ ଭାରତ ନିର୍ମାଣ ହେବ। ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବର୍ତ୍ତମାନ ସରକାରଙ୍କ ନୀତି ବଳରେ ଦେଶ ବିକାଶ ପଥରେ ଆଗଉଛି ବୋଲି କହିଛନ୍ତି ରାମ ମାଧବ।
Tag: thesamikhsya
ବେଲଜିୟମ୍ ଓ୍ବିଙ୍ଗର ଏଡେନ୍ ହାଜାର୍ଡ ଚେଲ୍ସୀ ଛାଡି ରିଅଲ ମାଦ୍ରିଦ୍ରେ ଯୋଗ ଦେବେ। ଚେଲ୍ସୀ ଛାଡୁଥିବା ହାଜାର୍ଡଙ୍କୁ ରେକର୍ଡ ୧୦୦ ମିଲିୟନ୍ ୟୁରୋ ମୂଲ୍ୟରେ କ୍ରୟ କରୁଛି ରିଅଲ୍ ମାଦ୍ରିଦ୍। ସମାନ ମୂଲ୍ୟରେ ୨୦୧୩ରେ ଗେରାଥ ବେଲଙ୍କୁ କିଣିଥିଲା ରିଅଲ୍ ମାଦ୍ରିଦ୍। ୨୦୧୩ରେ ଟଟ୍ଟେନହାମ୍ ଛାଡିଥିବା ବେଲ୍ ମାଦ୍ରିଦ୍ ସହିତ ଯୋଗ ଦେଇଥିଲେ। ଏହା ସହିତ ହାଜାର୍ଡ ଆସନ୍ତା ୫ ବର୍ଷ ପାଇଁ ମାଦ୍ରିଦ୍ ସହିତ ଚୁକ୍ତି କରିଛନ୍ତି। ମାଦ୍ରିଦ୍ ଏବଂ ଚେଲ୍ସୀ ଏହି ବିନିମୟ ପାଇଁ ରାଜି ହୋଇଥିବା ବେଳେ ୩୦ଜୁନ୍ ୨୦୨୪ ପର୍ଯ୍ୟନ୍ତ ମାଦ୍ରିଦ୍ ସହିତ ହାଜାର୍ଡଙ୍କ ଚୁକ୍ତି ବଳବତ୍ତର ରହିବ। ଏକ ଟ୍ବିଟ୍ରେ ଚେଲ୍ସୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ହାଜାର୍ଡ। ଗତ ସାତ ବର୍ଷ ଧରି ହାଜାର୍ଡ ଚେଲ୍ସୀ ପାଇଁ ଖେଳୁଥିଲେ।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାସାର ଚନ୍ଦ୍ର ମିଶନକୁ ସମାଲୋଚନା କରିଛନ୍ତି। ମଙ୍ଗଳକୁ ମାନବ ପ୍ରେରଣ ପୂର୍ବରୁ ପୁନର୍ବାର ଚନ୍ଦ୍ରକୁ ଫେରିବାର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଟ୍ରମ୍ପ। ଏହି ମିଶନକୁ ସ୍ବୟଂ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଦେଢ ବର୍ଷ ପୂର୍ବରୁ ସ୍ବୀକୃତି ମିଳିଥିଲା। ଚନ୍ଦ୍ରକୁ ଆମେରିକା ୫୦ ବର୍ଷ ପୂର୍ବରୁ ଯାନ ଏବଂ ମାନବ ପଠାଇ ସାରିଛି। ତେଣୁ ପୁନର୍ବାର ଏହି ମିଶନର କୌଣସି ଯଥାର୍ଥତା ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ୟୁରୋପ ଗସ୍ତରୁ ଫେରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପ। ବିଜ୍ଞାନ ସର୍ବଦା ଆଗକୁ ବଢିବା ଉଚିତ୍ ମାତ୍ର ନାସା ୫୦ ବର୍ଷ ପଛକୁ ଫେରିବାକୁ ଚାହୁଁଛି ଯାହାକି ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ ଏୟାର ଫୋର୍ସ ଓ୍ବାନ୍ ପକ୍ଷରୁ ଟ୍ବିଟ୍ କରିଛନ୍ତି।
ଡିଫେଣ୍ଡିଂ ଚାମ୍ପିୟନ୍ ରାଫେଲ ନାଦାଲ ନିଜର ନିକଟକତମ ପ୍ରତିଦ୍ବନ୍ଦୀ ରୋଜର ଫେଡେରରଙ୍କୁ ପରାସ୍ତ କରି ରୋଲାଣ୍ଡ ଗ୍ୟାରସ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୧୧ ଥର ଫ୍ରେଞ୍ଚ ଓପନ ଟାଇଟଲ ଜିତିଥିବା ନାଦାଲ ୨୦ ଗ୍ରାଣ୍ଡସ୍ଲାମ ବିଜେତା ଫେଡେରରଙ୍କୁ ୬-୩, ୬-୪ ଏବଂ ୬-୨ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଫେଡେରରଙ୍କ ବିପକ୍ଷରେ ମ୍ୟାଚ୍ ଅତ୍ୟନ୍ତ କଷ୍ଟ ସାଧ୍ୟ ରହିଥିଲା ବୋଲି ୩୩ ବର୍ଷୀୟ ନାଦାଲ ପ୍ରକାଶ କରିଛନ୍ତି। ପ୍ରଥମ ଦୁଇ ସେଟ୍ରେ ଫେଡେରର ୨-୦ ଅଗ୍ରଣୀରୁ ଆରମ୍ଭ କରିଥିଲେ ମଧ୍ୟ କ୍ଲେ କୋର୍ଟର ବାଦଶାହା ନାଦାଲ ୩୭ ବର୍ଷୀୟ ଫେଡେରରଙ୍କୁ ଅନାୟାସରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ପରେ ନାଦାଲଙ୍କୁ ପ୍ରଶଂସା କରିଛନ୍ତି ଫେଡେରର। କ୍ଲେ କୋର୍ଟରେ ନାଦାଲଙ୍କ ଡିଫେଣ୍ଡିଂ ଅତ୍ୟନ୍ତ ଚମତ୍କାର ରହିଥିଲା ଫଳରେ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିନଥିଲା ବୋଲି ଫେଡେରର ପ୍ରକାଶ କରିଛନ୍ତି।
ପାକିସ୍ତାନରେ ଏକ ବୋମା ବିସ୍ଫୋରଣରେ ତିନି ସେନା ଅଫିସର ନିହତ ହୋଇଛନ୍ତି। ରାସ୍ତା ଦାଢରେ ଏକ ବୋମା ବିସ୍ଫୋରଣରେ ଏକ ମିଲିଟାରୀ ଗାଡି ଉଡିଯିବାରୁ ତିନି ଅଫିସରଙ୍କ ସମେତ ଜଣେ ସୈନ୍ୟ ନିହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରେ ରହିଥିବା ଉତ୍ତର ଓ୍ବଜିରିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା। ଶୁକ୍ରବାର ଏକ ମିଲିଟାରୀ ଗାଡିକୁ ଲକ୍ଷ୍ୟ କରି ଏହି ଆଇଡି ବିସ୍ଫୋରଣ କରାଯାଇଥିଲା। ଓ୍ବଜିରିସ୍ତାନର ଖରକମର ଅଞ୍ଚଳରେ ଏହି ଆଇଡି ବିସ୍ଫୋରଣ ଘଟି ତିନି ସେନାଧିକାରୀଙ୍କ ସମେତ ଜଣେ ସୈନ୍ୟ ନିହତ ହୋଇଥିଲେ। ଏହି ଘଟଣାରେୋ ଅନ୍ୟ ୪ ଜଣ ସୈନ୍ୟ ଆହତ ହୋଇଛନ୍ତି। ନିହତ ହୋଇଥିବା ସେନାଧିକାରୀଙ୍କ ମଧ୍ୟରେ ରହିଛନ୍ତି ଲ୍ୟୁଟନାଣ୍ଟ କଲୋନେଲ ରଶିଦ କରିମ୍ ବେଗ୍, ମେଜର ମୋଇଜ୍ ମକସୁଦ୍ ବେଗ୍, କ୍ୟାପ୍ଟେନ୍ ଆରିଫ୍ ଉଲ୍ଳା ଏବଂ ଲାନ୍ସ ହାବିଲଦାର ଜାହିର। ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି। ବିଗତ ଏକ ମାସ ମଧ୍ୟରେ ହୋଇଥିବା ବିଭିନ୍ନ ଆକ୍ରମଣରେ ୧୦ ସୁରକ୍ଷା କର୍ମୀଙ୍କ ସମେତ ୩୫ ଜଣ ଆହତ ହୋଇଛନ୍ତି।
ଡାକ୍ତରୀ ଛାତ୍ରୀ ପାୟଲ ତାଡ୍ବୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତିନି ଡାକ୍ତରଙ୍କୁ ସାମୟିକ କଷ୍ଟଡିରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ଣ୍ଣକାଳୀନ କଷ୍ଟଡିର ଆବେଦନ କରାଯାଇଥିଲା। ବମ୍ବେ ହାଇକୋର୍ଟ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିବା ସହିତ ତିନି ଡାକ୍ତର ଗୁରୁବାରରେ ୨ଟାରୁ ୬ଟା ପର୍ଯ୍ୟନ୍ତ ଏବଂ ଶୁକ୍ର, ଶନି ଓ ରବିବାରରେ ସକାଳ ୯ଟାରୁ ୬ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ଏସ୍ ଏସ୍ ସିନ୍ଦେଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ଛାତ୍ରୀ ହେମା ଆହୁଜା, ଭକ୍ତି ମେହାରେ ଏବଂ ଅଙ୍କିତା ଖଣ୍ଡେଲଓ୍ବାଲଙ୍କ ସାମୟିକ କଷ୍ଟଡି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଦଳର ସମସ୍ତ ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ୍ରେ ବିଲୟ ହେବାକୁ ଘୋଷଣା କରିଛନ୍ତି। ଏହି ସମ୍ବନ୍ଧୀୟ ଘୋଷଣା ପାଇଁ ଆଜି ତେଲେଙ୍ଗାନା ବିଧାନସଭାର ବାଚସ୍ପତିଙ୍କ ସହ ବିଧାୟକମାନେ ସାକ୍ଷାତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାନସଭା ଅଧ୍ୟକ୍ଷଙ୍କ ସହ ସାକ୍ଷାତ୍ କରି ତେଲେଙ୍ଗାନା ରାଷ୍ଟ୍ର ସମିତି ବିଧାୟକ ଦଳରେ ସାମିଲ୍ ହେବା ପାଇଁ ଅପିଲ୍ କରିଛନ୍ତି। କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାରେ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଲୋକସଭା ନିର୍ବାଚନରେ ଟିଆରଏସ୍ ୧୭ଟି ସିଟ୍ରୁ ୯ଟି ଆସନ ହାତେଇଥିବାବେଳେ, କଂଗ୍ରେସ ଗୋଟିଏ ଓ ବିଜେପି ଚାରିଟି ଓ ଏଆଇଏମଆଇଏମ୍ ଗୋଟିଏ ଆସନ ଜିତିଛି।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ଅକ୍ଟୋବର ୧୫ରୁ ରାୟତୁ ଭରୋଷା ଯୋଜନା ଲାଗୁ ହେବାକୁ ଯାଉଛି। ଏହି ଯୋଜନା ଆଧାରରେ କୃଷକଙ୍କୁ ପ୍ରତିବର୍ଷ ୧୨,୫୦୦ ଟଙ୍କା ଦିଆଯିବ। ତେବେ ଏହି ଯୋଜନା ଲାଗୁ କରିବା କରିବା ପୂର୍ବରୁ ଜଗନ ମୋହନ ରେଡୀ ୨୦୧୯ ରେ ନାଇଡୁ ସରକାରଙ୍କ ଦ୍ବାରା ପ୍ରଚଳିତ ଥିବା ‘ଅନ୍ନଦାତା ସୁଖୀଭବ ଯୋଜନା’ ରଦ୍ଦ କରିଦେଇଛନ୍ତି। ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଥିଲା। ଏହା ପୂର୍ବରୁ ବୃଦ୍ଧ, ଯୁବ ବର୍ଗ, ଏବଂ ଆଶା କର୍ମୀଙ୍କ ପାଇଁ ଘୋଷଣା ହୋଇ ସାରିଛି। ଏତଦ୍ ବ୍ୟତୀତ ଆନ୍ଧ୍ର ପ୍ରଦେଶରେ ଗ୍ରାମ୍ୟ ସଚିବାଳୟ ସ୍ଥାପନ କରିବା ପାଇଁ ଯୋଜନା କରାଯାଉଛି।
ଆୟୁଷ୍ମାନ ଯୋଜନାକୁ ନେଇ ନବୀନଙ୍କ ସମାଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ନେଇ ସଚିବାଳୟରେ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ଯୋଜନା ସମ୍ପର୍କରେ ବିଶେଷ ଆଲୋଚନା ହୋଇଛି। ତେବେ ଏହାକୁ ନେଇ କଟାକ୍ଷ କରିଛନ୍ତି ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ। ପୂର୍ବରୁ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ନବୀନ ସରକାର ଏବେ ମୋଦିଙ୍କ ପାଖ ଲୋକ ହେବା ପାଇଁ ଏହି ଯୋଜନାକୁ ଆପାଣାଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ନିଜ ଯୋଜନା ପାଇଁ ଫାଣ୍ଠିର ଅଭାବ ରହିଛି ବୋଲି ମଧ୍ୟ କହିଛନ୍ତି ନିରଞ୍ଜନ।
ଏଣିକି ବ୍ୟାଙ୍କ୍ ଆକାଉଣ୍ଟଧାରୀଙ୍କୁ ଏନ୍ଇଏଫ୍ଟି କିମ୍ବା ଆର୍ଟିଜିଏସ୍ ମାଧ୍ୟମରେ ଟଙ୍କା ପଠାଇବାକୁ ହେଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ନାସନାଲ ଇଲୋକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର୍ (ଏନ୍ଇଏଫ୍ଟି) ଓ ରିୟଲ୍ ଟାଇମ୍ ଗ୍ରସ୍ ସେଟେଲ୍ମେଣ୍ଟ (ଆର୍ଟିଜିଏସ୍)କୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏ ନେଇ ସମସ୍ତ ବ୍ୟାଙ୍କକୁ ଆର୍ବିଆଇ ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ଏଇଏଫ୍ଟି ନିମନ୍ତେ ୧ରୁ ୫ ଟଙ୍କାର ଦେୟ ଆଦାୟ କରାଯାଉଥିବା ବେଳେ ଏନ୍ଇଏଫ୍ଟି ନିମନ୍ତେ ୫ରୁ ୫୦ ଟଙ୍କା ମଧ୍ୟରେ ଦେୟ ପ୍ରଦାନ କରିବାକୁ ପଡିଥାଏ। ୨ ଲକ୍ଷ ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍ କରିବା ପାଇଁ ଆର୍ଟିଜିଏସ୍ ଏକ ଉତ୍ତମ ମାଧ୍ୟମ ଅଟେ। ଏନ୍ଇଏଫ୍ଟି ଦ୍ୱାରା ଅନ୍ୟ ବ୍ୟାଙ୍କ ଆକାଉଣ୍ଟ, ସଙ୍ଗଠନ କିମ୍ବା ବ୍ୟକ୍ତିଙ୍କୁ ଟଙ୍କା ପଠାଯାଇଥାଏ। ସୋମବାରରୁ ଶୁକ୍ରବାର ଯାଏ ସକାଳ ୮ଟାରୁ ସନ୍ଧ୍ୟା ୭ଟା ଏବଂ ଶନିବାର ସକାଳ ୮ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏନ୍ଇଏଫ୍ଟି କାମ କରିଥାଏ। ଏହା ସମସ୍ତ ବ୍ୟାଙ୍କରେ ଉପଲବ୍ଧ ଅଛି। କିନ୍ତୁ ଉପରୋକ୍ତ ଦୁଇଟି ବ୍ୟବସ୍ଥା ପାଇଁ ଆବଶ୍ୟକ ଶୁଳ୍ପ ଦେବାକୁ ପଡ଼ିଥାଏ। ମାତ୍ର ଆର୍ବିଆଇ ଏବେ ଏହାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲ। ଆୟୋଜକ ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୫ଟାରେ ସାଉଥ ଆଫ୍ରିକା ଓ ୟୁଏସ୍ଏ ମଧ୍ୟରେ ହେବ। ଦ୍ୱିତୀୟ ମ୍ୟାଚ୍ ପୋଲାଣ୍ଡ ଏବଂ ଉଜବେକିସ୍ତାନ ମଧ୍ୟରେ ଖେଳାଯିବ। ଶେଷ ମ୍ୟାଚ ସନ୍ଧ୍ୟା ୭ଟା ବେଳେ ହେବ। ଏହି ମ୍ୟାଚ୍ରେ ଆୟୋଜକ ଭାରତ ଓ ଋଷ୍ ମଧ୍ୟରେ ମୁକାବିଲା ହେବ। ଭାରତ ଓ ରୁଷିଆକୁ ଛାଡିଦେଲେ ସାଉଥ ଆଫ୍ରିକା, ମେକ୍ସିକୋ, ଜାପାନ, ଉଜବେକିସ୍ତାନ, ପୋଲାଣ୍ଡ ଏବଂ ୟୁଏସଏ ଏହି ସିରିଜିରେ ଭାଗ ନେଇଛନ୍ତି।
ଇଦ୍ ଅବସରରେ ମୁକ୍ତିଲାଭ କରିଛି ସଲମାନ୍- କ୍ୟାଟ୍ରିନା ଷ୍ଟାରର୍ ‘ଭାରତ’। ଭାଇଜାନ୍ଙ୍କ ଫିଲ୍ମକୁ ନେଇ ବଲିଉଡ୍ରେ ଗୋଟେ ଅଲଗା ପ୍ରକାରର କ୍ରେଜ୍ ରହିଥାଏ। ଏହି ଫିଲ୍ମରେ ସଲମାନ୍ଙ୍କୁ ଭିନ୍ନ ଭିନ୍ନ ଲୁକ୍ରେ ଦେଖିବାକୁ ମିଳିଥିବାବେଳେ କ୍ୟାଟ୍ରିନାଙ୍କ ଦେଶୀ ଅନ୍ଦାଜ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ସଲ୍ଲୁ-କ୍ୟାଟ୍ଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ସୁନୀଲ ଗ୍ରୋଭର୍, ତବୁ, ଜ୍ୟାକିଶ୍ରଫ୍ ପ୍ରମୁଖଙ୍କ ଅଭିନୟ ମଧ୍ୟ ବେଶ୍ ଭଲ ରହିଛି। ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟିରୁ ଉର୍ଦ୍ଧ୍ବ ଆୟ କରିଥିବାବେଳେ ଫିଲ୍ମକୁ ନେଇ ଫିଲ୍ମ ସମୀକ୍ଷକଙ୍କ ରିଭ୍ୟୁ ମଧ୍ୟ ବେଶ୍ ଭଲ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଲ୍ଲୀ ଆବାସ ଜାଫର୍। ଅଲ୍ଲୀ ଓ ସଲ୍ଲମାନ୍ଙ୍କ ଏହା ତୃତୀୟ ଫିଲ୍ମ ହୋଇଥିବାବେଳେ ଅନ୍ୟ ଦୁଇଗୋଟି ଫିଲ୍ମ ‘ସୁଲତାନ୍’ ଓ ‘ଟାଇଗର୍ ଜିନ୍ଦା ହୈ’କୁ ବକ୍ସ ଅଫିସର ଅପୂର୍ବ ସଫଳତା ମିଳିଥିବାବେଳେ ‘ଭାରତ’ର ଦୁଇଦିନର ପ୍ରଦର୍ଶନ ବେଶ୍ ଭଲ ରହିଛି। ତେବେ ପ୍ରଥମ ଦିନର ଓପନିଂକୁ ନେଇ ସଲମାନ୍ ତାଙ୍କ ନିଜ ଫ୍ୟାନ୍ମାନଙ୍କୁ ଧନ୍ୟବାଦ ଜଣାଇ ଏକ ଟୁଇଟ୍ କରିଛନ୍ତି। ତେବେ ଦେଖାଯାଉ ଆଗାମୀ ଦିନରେ ‘ଭାରତ’ ବକ୍ସ ଅଫିସ୍ରେ କେତେ ବ୍ୟବସାୟ କରୁଛି।
ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଅଫ୍ଲାଇନ୍ରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ। ଫର୍ମ ପୂରଣ କରିବା ପୂର୍ବରୁ କମନ ଆପ୍ଲିକେସନ୍ ଫର୍ମକୁ ଭଲଭାବେ ପଢ଼ି ପୂରଣ କରିବାକୁ ପରାମର୍ଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟରେ ଥିବା ୧୬ ଶହରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଆବେଦନ କରିପାରିବେ। ଉଭୟ ସରକାରୀ ଏବଂ ପ୍ରାଇଭେଟ କଲେଜରେ ନାମଲେଖା ପାଇଁ ପ୍ରକ୍ରିୟା ସମାନ ରହିଛି। ପୂର୍ବାହ୍ନ ୧୧ଟାରୁ www.samodisha.gov.inରେ ଫର୍ମ ଉପଲବ୍ଧ ହୋଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ନାମଲେଖା ପାଇଁ ଆବେଦନ କରାଯାଇପାରିବ। ଅନଲାଇନ ଆବେଦନର ଶେଷ ତାରିଖ ଜୁନ ୨୦ ଥିବା ବେଳେ ଅଫଲାଇନ ପାଇଁ ସମୟସୀମା ଜୁନ ୨୧ ରହିଛି।
ଚଳିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ସଫଳତା ପାଇଁ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ଏକ ସପ୍ତାହ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇବା ସହିତ ଜଗନ କହିଛନ୍ତି ଆପଣ ମାନଙ୍କ ସହାୟତା ଦଳକୁ ବିଜୟୀ କରାଇଥିବା ବେଳେ ଆପଣ ମାନଙ୍କ ନିୟମିତ ସହାୟତା ଆବଶ୍ୟକ। ଜଗନଙ୍କ ଏହି ଟ୍ବିଟ୍ ଏକ ଘଣ୍ଟା ମଧ୍ୟରେ ୭ହଜାର ଥର ରିଟ୍ବିଟ୍ ହୋଇଥିଲା।
ଉପବାଚସ୍ପତି ପଦବୀକୁ ନେଇ ଶିବସେନାର ବିରୋଧ
ଲୋକସଭା ନିର୍ବାଚନ ସରିବା ପରେ ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଦ୍ବନ୍ଦ୍ବ ଦେଖାଦେଉଛି। ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନରେ ଦେଶରେ ଏନଡ଼ିଏ ବିପୁଳ ସମର୍ଥନ ପାଇଥିଲା। ଏନ୍ଡିଏର ଅଂଶୀଦାର ଦଳମାନେ ଏବେ ବିଜେପି ଉପରେ ଟିକେ ନାଖୁସ୍ ହୋଇଥିବାର ଜଣାପଡୁଛି। ମନ୍ତ୍ରିମଣ୍ଡଳକୁ ନେଇ ଜେଡିୟୁ ପୂର୍ବରୁ ବିଜେପି ଉପରେ ଅସନ୍ତୋଷ ଜାହିର୍ କରିଥିବାବେଳେ ଏବେ ଶିବସେନା ମଧ୍ୟ ଏହି କ୍ରମରେ ସାମିଲ୍ ହୋଇଛି। ଶିବସେନା ମୁଖପାତ୍ର ସଂଜୟ ରାଉତ ଟାର୍ଗେଟ କରି କହିଛନ୍ତି ଯେ, ଏନଡ଼ିଏରେ ଶିବସେନା ଦ୍ବିତୀୟ ବୃହତ୍ତମ ଅଂଶୀଦାର ଦଳ। ଓଡ଼ିଶାରେ ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢିଥିଲା। ଶିବସେନା କିମ୍ବା ଏନଡ଼ିଏର କୌଣସି ଅଂଶୀଦାରକୁ ଉପବାଚସ୍ପତି ପଦ ମିଳିବା ଉଚିତ ବୋଲି କହିଛନ୍ତି ସଞ୍ଜୟ।
ଜୁଲାଇ ୯-୧୬ ମଧ୍ୟରେ ଚନ୍ଦ୍ରଯାନ-୨ ଅଭିଯାନ
ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ। ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏଥିପାଇଁ ଜିଏସଏଲଭି-ମାର୍କ-୩ କୁ ମନୋନୀତ କରାଯାଇଛି। ଏହା ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଅଭିଯାନରେ ମହାକାଶକୁ ଯାତ୍ରା କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି, ଚନ୍ଦ୍ରକୁ ଏହି ମିଶନରେ ତିନୋଟି ମଡ୍ୟୁଲ୍ ରହିଛି। ସେଗୁଡିକ ହେଉଛି – ଅର୍ବିଟର୍, ଲ୍ୟାଣ୍ଡର୍-ବିକ୍ରମ ଓ ରୋଭର୍-ପ୍ରଜ୍ଞାନ। ସେଗୁଡ଼ିକ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲ୍ ଗୁଡ଼ିକ ଇସ୍ରୋର ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇ ସାରିଛି। ଖୁବ୍ ଶୀଘ୍ର ସେଗୁଡ଼ିକୁ ବେଙ୍ଗାଲୁରୁରୁ ଶ୍ରୀହରିକୋଟାକୁ ସ୍ଥାନାନ୍ତରିତ କରାଯିବ। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ,ଚୀନ ଓ ରୁଷକୁ ଦୂଷିତ ଜଳବାୟୁ ପାଇଁ ଦାୟୀ କରିଛନ୍ତି। ଏହି ତିନୋଟି ଦେଶରେ ପ୍ରଦୂଷଣ ଓ ସ୍ୱଚ୍ଛତା ପ୍ରତି ନିଜର କର୍ତ୍ତବ୍ୟ ଠିକ୍ ରୂପେ ସମ୍ପାଦନ କରିପାରୁନାହାଁନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆସିଥିବା ତଥ୍ୟ ଅନୁଯାୟୀ ଆମେରିକା ଅପେକ୍ଷା ଭାରତ, ଚୀନ ଓ ରୁଷରେ ଦୂଷିତ ଜଳବାୟୁ ପ୍ରବାହିତ ହେଉଛି। ତେଣୁ ଆମେରିକା ରାଷ୍ଟ୍ରପତିଙ୍କ କହିବାରେ ଏହି ତିନୋଟି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଛି। ଦେଖିବାକୁ ଗଲେ ଭାରତ ,ଚୀନ ଓ ରୁଷ ଭଳି କିଛି ଦେଶରେ ସ୍ୱଚ୍ଛ ବାୟୁ ଓ ବିଶୁଦ୍ଧ ଜଳ ନାହିଁ। ଏଭଳି ପରିସ୍ଥିତିରେ ରହି ମଧ୍ୟ ଏପ୍ରତି ସଚେତନ ହୋଇ କିଛି ପଦକ୍ଷେପ ନେବାର ସମୟ ଆସିଛି। ଆଗାମୀ ସମୟ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ତେଣୁ ଏସବୁ କ୍ଷେତ୍ରରେ ଆମେରିକାର ପାଣିପବନ ଅର୍ଥାତ ଜଳବାୟୁ ଏହି ସବୁ ଦେଶ ତୁଳନାରେ ସ୍ୱଚ୍ଛ ରହିଥିବା ଟ୍ରମ୍ପ କହିଛନ୍ତି।
ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ତାଇଓ୍ବାନ ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର ତାଇଓ୍ବାନ ପ୍ରତିରକ୍ଷା ବିଭାଗ ଏହି ଖବରକୁ ସ୍ବୀକାର କରିବା ସହିତ ଆମେରିକା ନିକଟରୁ ଟ୍ୟାଙ୍କ, ଏୟାର ଡିଫେନ୍ସ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ୍ ବ୍ୟବସ୍ଥା କିଣୁଥିବା କହିଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଓ୍ବାଶିଂଟନ୍ ଏବଂ ବେଜିଂ ମଧ୍ୟରେ ବ୍ୟବସାୟିକ ତିକ୍ତତା ବୃଦ୍ଧି ପାଇବ। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ତାଇଓ୍ବାନ ୧୦୮ଟି କଟିଙ୍ଗ ଏଜ୍ ଏମ୍ ୧ଏ୨ ଆବ୍ରାମ୍ସ ଟ୍ୟାଙ୍କ, ୧୨୪୦ଟି ଟୋ ଆଣ୍ଟି ଆର୍ମର ମିଶାଇଲ, ୪୦୯ଟି ଜାଭେଲିନ୍ ଆଣ୍ଟି ଟ୍ୟାଙ୍କ ମିଶାଇଲ ଏବଂ ୨୫୦ଟି ଷ୍ଟିଙ୍ଗର କିଣିବ। ଏହା ସହିତ ୬୬ଟି ଏଫ୍-୧୬ ଲଢୁଆ ଯୁଦ୍ଧ ବିମାନ କିଣିବାର ଯୋଜନା ମଧ୍ୟ ରହିଛି।
ଉତ୍ତର ଗୁଜରାଟରେ ମୃଦୁ ଭୂମିକମ୍ପ
ଉତ୍ତର ଗୁଜରାଟର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଥିଲା। ଗାନ୍ଧୀନଗରରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୦.୩୧ ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବାନସକଣ୍ଠାର ପାଳନପୁର ରହିଛି। କେନ୍ଦ୍ରସ୍ଥଳରୁ ୩୧ କିମି ବ୍ୟାପୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବାନସକଣ୍ଠା, ମେହସାନା ସବରାକଣ୍ଠା ଅଞ୍ଚଳରେ ଏହି ଭୂକମ୍ପ ପ୍ରଭାବରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ। ସେହିପରି ଅହମ୍ମଦାବାଦର କିଛି ଅଞ୍ଚଳରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଘଟଣାରେ କେହିବି ଆହତ ହୋଇନଥିବା ପ୍ରକାଶ।
କ୍ରମାଗତ ତୃତୀୟ ଥର ପାଇଁ ରେପୋ ରେଟ୍ରେ ହ୍ରାସ ଘଟାଇଛି। ୬ଜଣିଆ ସଦସ୍ୟ ବିଶିଷ୍ଟ ଅର୍ଥନୈତିକ କମିଟି ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି। ରେପୋ ରେଟ୍ରେ ହ୍ରାସ ପରେ ସୁଧହାର ବର୍ତ୍ତମାନ ୫.୭୫ ପଏଣ୍ଟ ରହିଛି। ଅଭିବୃଦ୍ଧି ହାରରେ ବୃଦ୍ଧି ଘଟାଇବା ନିମନ୍ତେ କ୍ରମାଗତ ତୃତୀୟ ଥର ପାଇଁ ସୁଧହାରରେ ହ୍ରାସ ଘଟାଇଛି ଅର୍ଥନୈତିକ କମିଟି। ସୁଧହାର ହ୍ରାସ ନିଷ୍ପତ୍ତିକୁ କମିଟିର ସମସ୍ତ ୬ ଜଣ ସଦସ୍ୟ ସମର୍ଥନ କରିଥିଲେ। ଏହି ବୈଠକରେ ଘରୋଇ ଅଭିବୃଦ୍ଧି ହାର (ଜିଡିପି) ୭.୨ ପ୍ରତିଶତରୁ ୭ କୁ ହ୍ରାସର ଲକ୍ଷ୍ୟ ରଖାଯାଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩.୦ରୁ ୩.୧ ଏବଂ ୨୦୨୦-୨୧ ପାଇଁ ୩.୪-୩.୭ର ମାନ୍ଦାବସ୍ଥାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଆତଙ୍କବାଦୀ ସଂଗଠନ ସହିତ କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଲିଙ୍କ୍ ନେଇ ଏନ୍ଆଇଏକୁ ପ୍ରମାଣ ମିଳିଛି। ଏନଆଇଏ ସମ୍ପୃକ୍ତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ପରେ ଏହା ସାମ୍ନାକୁ ଆସିଛି। ଏହି ମହିଳା ବିଚ୍ଛିନ୍ନତାବାଦୀ ନେତା ଏବଂ ତାଙ୍କ ସହଯୋଗୀମାନେ ପାକ୍ ସେନାର ଜଣେ ଅଧିକାରୀଙ୍କ ଜରିଆରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ଏବଂ ଜମାତ-ଉଦ-ଦାୱା ମୁଖ୍ୟ ହଫିଜ ସୟିଦଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରି କି ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସେମାନଙ୍କୁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ ପାଣ୍ଠି ଯୋଗାଉଥିଲା ବୋଲି ଆସିୟା ପଚରାଉଚରା ବେଳେ କହିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ, ଆସିୟା ଏବଂ ଶବିର ଶାହଙ୍କୁ ଗତ ମଙ୍ଗଳବାର ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ୧୦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଏବେ ଦିଲ୍ଲୀର ତିହାର ଜେଲ୍ରେ ରହିଛନ୍ତି।