Categories
ଆଜିର ଖବର ରାଜ୍ୟ ଖବର

ଟିକ୍‌ଟକ୍‌ରେ ପ୍ରେମ କରି ଫେରାର ନାବାଳିକା ଭାପୁରୁରୁ ଉଦ୍ଧାର

ଭୁବନେଶ୍ୱର : ଟିକ୍‌ଟକ୍‌ ମାଧ୍ୟମରେ ପ୍ରେମକରି ଶେଷରେ ଘର ଛାଡ଼ି ନାବାଳିକା ଜଣକ ଉକ୍ତ ଯୁବକ ସହିତ ଫେରାର ହୋଇଯାଇଥିଲେ । ଏବେ ନାବାଳିକା ଜଣକ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବାବେଳେ  ଓ ଯୁବକ ଜଣକ ଗିରଫ ହୋଇଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭାପୁର ବ୍ଲକ ଫତେଗଡ଼ ଥାନା କରବର ଗ୍ରାମର କାଠିଆ ବେହେରାଙ୍କ 27 ବର୍ଷୀୟ ପୁଅ ଟିକ୍‌ଟକ୍‌ ମାଧ୍ୟମରେ ଭୁବନେଶ୍ୱର ଭିଏସଏସ ନଗରର ମହାବୀର ବସ୍ତିର ଜଣେ ଷଷ୍ଠ ଶ୍ରେଣୀର ନାବାଳିକାଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା। ଏହି ପ୍ରେମ ସମ୍ପର୍କକୁ ପାଥେୟ କରି ଚଳିତ ମାସ ତିନି ତାରିଖ ଦିନ ଉକ୍ତ ନାବାଳିକା ଯୁବକଙ୍କ ସହିତ କରବର ଗ୍ରାମକୁ ପଳାଇ ଆସିଥିଲେ । ନାବାଳିକାଙ୍କୁ ପରିବାର ଲୋକ ନ ପାଇ ଖୋଜା ଖୋଜି କରି ଶେଷରେ ହତାଶ ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସହିଦ ନଗର ଥାନା ପକ୍ଷରୁ କେସ ନଂ 379/20 ରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ।

ଫୋନ ଟ୍ରାକିଙ୍ଗ ମାଧ୍ୟମରେ ଫତେଗଡ଼ ଥାନା କରବର ଗ୍ରାମରେ ଥିବା ଜାଣିବାକୁ ପାଇଥିଲେ ପୋଲିସ୍‌ । ଏହି ମାମଲାରେ ଫତେଗଡ଼ ଥାନା ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ କରାଯାଇଥିଲା । ଫତେଗଡ଼ ଥାନା ଏସଆଇ କରବର ଗ୍ରାମର ଉକ୍ତ ଯୁବକଙ୍କ ଘରେ ଚଢ଼ଉ କରିଥିଲା । ପୁଲିସ ଯୁବକଙ୍କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ। ସୋମବାର ଉଭୟଙ୍କର ଡାକ୍ତରୀ ମାଇନା ପରେ ନାବାଳିକାଙ୍କୁ ତାର ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ରହିଛି ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଟିକଟକ୍ ବିରୋଧରେ ଟ୍ରମ୍ଫଙ୍କ କଡା ଆଭିମୁଖ୍ୟ, କୌଣସି ଆମେରିକୀୟ କଂପାନୀ ତାହା ନ କିଣିବାକୁ ଦେଲେ ନିର୍ଦ୍ଦେଶ

ୱାସିଂଟନ, ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିପରି ରାଗ ତାହା ପ୍ରତିପାଦିତ ହୋଇ ଆସୁଛି। ଗତକାଲି ଟ୍ରମ୍ପ ଚୀନ କଂପାନୀ ଟିକଟିକ୍ ଆପକୁ କେହି ନ କିଣିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଚୀନ ଦ୍ବାରା ନିର୍ମିତ ବିଭିନ୍ନ ଆପ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶେଷ କରି ଟିକଟିକ୍ ଆପ୍ ସବୁଠାରୁ ବିପଦ ଜନକ। ସେଥିପାଇଁ କୌଣସି ଆମେରିକୀୟ କଂପାନୀ ସେସବୁ କିଣିପାରିବେ ନାହିଁ। ଯଦି ସେପରି କିଛି ହୁଏ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

କୋରନା ଭାଇରସ ଚୀନରୁ ଆସିଥିବାରୁ ସେଥିପାଇଁ କେତେକ ଦେଶ ଚୀନ ନିର୍ମିତ ବିଭିନ୍ନ ଆପକୁ ନିଷିଧ କରିଛି। ବିଶେଷ କରି ଚାନ କଂପାନୀ ଡ୍ୟାନସବାଇଟ ନିର୍ମିତ ଟିକଟକ ଆପକୁ ଅନେକ ଦେଶ ନିଷିଧ କରିଛନ୍ତି। ଫଳରେ ଏହି କଂପାନୀ ଚୀନରୁ ହଟି ଆମେରିକାରେ ତାହା ବ୍ୟବସାୟ ଆରମ୍ଭ କରିବ ବୋଲି ଚିନ୍ତା କରିଥିଲା। ହେଲେ ବର୍ତ୍ତମାନ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶନାମା ଦ୍ବାରା କଂପାନୀର ସମସ୍ତ ଯୋଜନା ଭଣ୍ଡୁର ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବ୍ୟାନ୍‌ ପରେ ଗୁଗଲ୍‌ ଓ ଆପଲ୍‌ ଆପ୍‌ ଷ୍ଟୋର୍‌ରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ଆପ୍‌ ଷ୍ଟୋର୍‌ରୁ ହଟିଲା ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌। ଟିକ୍ ଟକ୍ ଆପ୍‌କୁ ଉଭୟ ଆପଲ୍ ଆପ୍ ଷ୍ଟୋର ଓ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।

ଗତକାଲି ଟିକ୍‌ଟକ୍ ସମେତ 59ଟି ଚୀନ୍ ଆପ୍‌କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା।  ଏହି ଆପ୍ ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାପଡ଼ିଥିଲା। ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ବ୍ୟବହୃତ ଏହି ଆପ୍‌ଗୁଡ଼ିକ ଦ୍ୱାରା ଦେଶ ବାହାରକୁ ତଥ୍ୟ ଯାଉଥିବା ମଧ୍ୟ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକ୍‌ଟକ୍ ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇଥିଲା।

ଗଲଓ୍ବାନ୍‌ ଭ୍ୟାଲିରେ ଭାରତ ଚୀନ ମଧ୍ୟରେ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଦେଶ ସାରା ଚୀନ ସାମଗ୍ରୀ ବର୍ଜନ ସହିତ ଚୀନ ଜିନିଷ ଭଙ୍ଗାରୁଜା କରାଯାଉଥିବାର ଦେଖାଯାଉଛି। ତେବେ ଏହି ଆପ୍‌ଗୁଡ଼ିକ ଭାରତର ତଥ୍ୟ ଚୋରାଉଥିବା ଖବର ଆସିବା ପରେ ଅନେକ ଭାରତୀୟ ଏହି ଆପ୍‌ଗୁଡ଼ିକୁ ନିଜ ମୋବାଇଲ୍‌ରୁ ଅନ୍‌ଇନ୍‌ଷ୍ଟଲ୍ କରିଦେଇଥିଲେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଛି। ଭାରତ-ଚାଇନା ସୀମା ବିବାଦ ପରେ ସମଗ୍ର ଦେଶରେ ଏବେ ଚାଇନା ବିରୋଧରେ ଆକ୍ରୋଶ ଦେଖାଦେଇଛି। ଚାଇନା ସାମଗ୍ରୀ  ବ୍ୟାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନ ବଢିଚାଲିଛି। ହେଲୋ ଆପ, କାମ ସ୍କାନର ଆପ ପରି ୫୯ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡାଟା ଚୋରୀ ହେବା ସନ୍ଦେହରେ ଏହି ସବୁ ଆପ ଗୁଡିକୁ ବ୍ୟାନ ଲଗାଇଛି କେନ୍ଦ୍ର ସରକାର।

Categories
ଆଜିର ଖବର ରାଜ୍ୟ ଖବର

ଟିକ୍‌ଟକ୍‌ କରୁଥିବା ବେଳେ ଯବାନଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ: ମୋବାଇଲ୍‌ରେ ଟିକ୍‌ଟକ୍‌ କରିବା ଜଣେ ଯବାନଙ୍କୁ ମହଙ୍ଗା ପଡିଛି। ଟିକ୍‌ଟକ୍‌ କରୁଥିବା ଯବାନ ଜଣଙ୍କୁ ଗାଁ ଲୋକେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଇଥିବା ବେଳେ ଟାଙ୍ଗୀ ପୋଲିସ୍‌ ଯବାନଙ୍କୁ ଉଦ୍ଧାର କରିଛି। ଏହି ଝଗଡାରେ ଯବାନଙ୍କ ଆକ୍ରମଣରେ ଗ୍ରାମର ଜଣେ ଯୁବକର ହାତ ଭାଙ୍ଗିଥିବା ବେଳେ ଉଭୟଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଟାଙ୍ଗୀ ମଶାଣୀ ସାହିର ବାସିନ୍ଦା ସୁରଜ କୁମାର ଜେନା ସିଆରପିଏଫ୍‌ରେ ଯବାନ ଭାବରେ କାର୍ଯ୍ୟ କରନ୍ତି। ଆଜି ଟାଙ୍ଗୀ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ନୂଆଗାଁ ନିକଟରେ ରାସ୍ତାକଡରେ ଟିକ୍‌ଟକ୍‌ କରୁଥିବା ବେଳେ ଏହି ଅଭାବନୀୟ କାଣ୍ଡ ଘଟିଛି। ଛୁଟି କଟାଇବାକୁ ଗାଁକୁ ଆସିଥିବା ସୁରଜ ନିଜର ଅନ୍ୟ ଜଣେ ସହକର୍ମୀଙ୍କ ସହିତ ବୁଲାବୁଲି ଏବଂ ଟିକ୍‌ଟକ୍‌ କରୁଥିବା ବେଳେ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ପୀତବାସ ଜେନାଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ଯିବା ପରେ ଗ୍ରାମବାସୀ ସୁରଜଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଯବାନଙ୍କ ପାଲଟା ଆକ୍ରମଣରେ ଉକ୍ତ ଯୁବକଙ୍କ ହାତ ଭାଙ୍ଗିଥିବା ବେଳେ ପୋଲିସ୍‌ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସୁରଜଙ୍କ ସାଥୀ ଯବାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍‌ ମାମଲାର ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଟିକ୍‌ଟକ୍‌ ନିଶା ପଡିଲା ମହଙ୍ଗା : ବାରଣାସୀରେ 5 ସାଙ୍ଗଙ୍କ ମୃତ୍ୟୁ

ବାରଣାସୀ : ଟିକ୍‌ଟକ୍‌ ନିଶା ପଡିଲା ମହଙ୍ଗା । ଉତ୍ତର ପ୍ରଦେଶର ବାରଣାସୀରେ ଟିକ୍‌ଟକ୍‌ କରୁଥିବା ସମୟରେ 5 ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି । ବାରଣାସୀର ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏହି ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ଗଙ୍ଗା କୂଳରେ 5ଜଣ ସାଙ୍ଗ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ମୃତ୍ୟୁ ହୋଇଥିବା ସମସ୍ତ ଝିଅ ରାମନଗରର ଗଡହୀ ଏବଂ ସିୱାନର ହୋଇଥିବା ବେଳେ ସମସ୍ତେ ସ୍କୁଲ ଛାତ୍ରୀ ।

ସମସ୍ତଙ୍କ ବୟସ 15 ରୁ 18 ବର୍ଷ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ସେମାନେ ଗାଧୋଇବା ସମୟରେ ଟିକଟକ୍ ଭିଡିଓ କରୁଥିବା ନେଇ ଏଭଳି ଦୁଘର୍ଟଣା ଘଟିଥିବା ସୂଚନା ମିଳିଛି । ପୋଲିସ 5ଟି ଯାକ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ଟିକ୍‌ଟକ୍‌-ୟୁଟ୍ୟୁବ୍‌ ଲଢେଇ : ଫୈଜଲ୍‌ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ବ୍ୟାନ୍‌

ମୁମ୍ବାଇ : ଟିକ୍‌ଟକ୍‌ ୟୁଟ୍ୟୁବ୍‌ ଲଢେଇ ଏକ ଅଲଗା ସ୍ତରରେ ପହଞ୍ଚିଛି । ପୂର୍ବରୁ ୟୁଟ୍ୟୁବର କ୍ୟାରୀ ମିନାଟିଙ୍କ ରୋଷ୍ଟିଂ ଭିଡିଓ ୟୁଟ୍ୟୁବ୍‌ରୁ ହଟାଯାଇଥିବା ବେଳେ ଆଜି ଫୈଜଲ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି । ଏସିଡ୍‌ ଆକ୍ରମଣକୁ ନେଇ କରାଯାଇଥିବା ଭିଡିଓ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫୈଜଲଙ୍କର ପ୍ରାୟ13 ମିଲିୟନ୍‌ ଫଲୋଅର ରହିଛନ୍ତି ।

ପୂର୍ବରୁ ଫୈଜଲଙ୍କ ଭାଇ ତଥା ଟିକ୍‌ଟକର୍‌ ଆମିର ସିଦ୍ଦିକିଙ୍କୁ ଏକ ଭିଡିଓରେ ରୋଷ୍ଟ କରିଥିଲେ କ୍ୟାରୀ । ଏହି ଭିଡିଓଟି ନନ୍‌ ମ୍ୟୁଜିକାଲ୍‌ ବର୍ଗରେ ସବୁଠାରୁ ଅଧିକ ଲୋକ ଦେଖିଥିବା ବେଳେ ଆପତ୍ତି ଜନକ ଶବ୍ଦ ବ୍ୟବହାର କାରଣରୁ ୟୁଟ୍ୟୁବ୍‌ ପକ୍ଷରୁ ଏହି ଭିଡିଓଟିକୁ ହଟାଯାଇଥିଲା । ଏହାପରେ କ୍ୟାରୀଙ୍କ ସମର୍ଥକଙ୍କ ରୋଷର ଶିକାର ହୋଇଥିଲା ଟିକ୍‌ଟକ୍‌ । ପ୍ଲେ ଷ୍ଟୋରରେ ଟିକ୍‌ଟକ୍‌ର ରେଟିଂ 4.5ରୁ 2କୁ ଖସି ଆସିଥିଲା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲକ୍‌ଡାଉନ୍‌ ସତ୍ତ୍ବେ 2 ବିଲିୟନ୍‌ ଛୁଇଁଲା ଟିକ୍‌ଟକ୍‌ ଡାଉନ୍‌ଲୋଡ୍‌ : ଭାରତରେ ସର୍ବାଧିକ ବ୍ୟବହାରକାରୀ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଚାଇନିଜ୍‌ ଦ୍ରବ୍ୟ ଏବଂ ଆପ୍‌ ବିରୋଧରେ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଚାଇନିଜ୍‌ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ଏହି ସମୟରେ 2 ବିଲିୟନ୍‌ ଡାଉନ୍‌ଲୋଡ୍‌ ଛୁଇଁଛି । ତେବେ 2020ର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ 315 ମିଲିୟନ୍‌ ଲୋକ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି । ଏହି ସମୟରେ ସର୍ବାଧିକ ଭାରତୀୟ ଏହି ଆପ୍‌ର ବ୍ୟବହାର କରୁଥିବାର ମଧ୍ୟ ସୂଚନା ମିଳିଛି । ସେନ୍ସର ଟାଓ୍ବାର ଷ୍ଟୋର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତରେ ବର୍ତ୍ତମାନ ସର୍ବାଧିକ ଟ୍ବିଟ୍ଟର ବ୍ୟବହାରକାରୀ ରହିଛନ୍ତି । ଟିକ୍‌ଟକ୍‌ର ସର୍ବାଧିକ ବ୍ୟବହାରକାରୀ ଭାରତରେ ରହିଛନ୍ତି । ସମୁଦାୟ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ 30.3 ପ୍ରତିଶତ ବା 611 ମିଲିୟନ୍‌ ଗ୍ରାହକ ଭାରତର ବୋଲି ଜଣାପଡିଛି । ଚୀନ୍‌ରେ ଦ୍ବିତୀୟ ସର୍ବାଧିକ 197 ମିଲିୟନ୍‌ ଏବଂ ଆମେରିକାରେ ତୃତୀୟ ସର୍ବାଧିକ 165 ମିଲିୟନ୍‌ ଟିକ୍‌ଟକ୍‌ ବ୍ୟବହାରକାରୀ ରହିଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଟିକ୍‌ଟକ୍‌ ଭିଡିଓ କରିବା ସମୟରେ ଗୁଳି ଫୁଟାଇଲେ ଯୁବକ

ନୋଇଡା : ଟିକ୍‌ଟକ୍‌ରେ ଲୋକପ୍ରିୟତା ପାଇଁ ଲୋକ ମାନେ କିଛିବି କରୁଛନ୍ତି । ନୋଇଡାରେ ଟିକ୍‌ଟକ୍‌ କରୁଥିବା ସମୟରେ ଜଣେ ଯୁବକ ଗୁଳି ଫୁଟାଇଛନ୍ତି । 32 ବର୍ଷୀୟ ଏହି ଯୁବକଙ୍କ ନାମ ହେଉଛି ପୁନୀତ ସିସୋଦିଆ । ପୁନିତ ନିଜ ସୋସାଇଟିରେ ଗୁଳି ଫୁଟାଇଥିବା ବେଳେ ଗୁଳିଟି ଜଣେ ପୋଲିସ୍‌ ଅଫିସରଙ୍କ ଘରକୁ ପ୍ରବେଶ କରିଥିଲା । ନୋଇଡାର ସେକ୍ଟର 134ରେ ରହିଥିବା ଜେପି କସ୍‌ମସ୍‌ରେ ଏଡି ଗୁଳିକାଣ୍ଡ ଘଟିଥିଲା । ସୋସାଇଟିର 15 ମହଲାରେ ରହୁଥିବା ପୁନିତ ଭିଡିଓ ବନାଇବା ସମୟରେ ଗୁଳି ଚଳାଇଥିଲେ । ଗୁଳିଟି 17 ତମ ମହଲାରେ ରହିଥିବା ଏସିପି ମୟଙ୍କ ବଂଶଲଙ୍କ ଘର ମଧ୍ୟକୁ ଗୁଳି ଯାଇଥିଲା । ମାମଲାକୁ ନେଇ ଅଭିଯୋଗ କରାଯିବା ପରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ତଦନ୍ତ କରାଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହଙ୍ଗା ପଡ଼ିଲା ଯୁବକଙ୍କ ଟିକଟକ୍‌ ନିଶା : କେନାଲରେ ପଡି ଜୀବନ ଗଲା

ମୁଜାଫରନଗର: ଟିକ୍‌ଟକ୍‌ରେ ଭିଡିଓ ବନାଇବା ନିଶାରେ ଆଜିର ଯୁବପିଢିମାନେ ନିଜ ସୀମା ପାର କରିଯାଉଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଯୁବକକୁ ଟିକ୍‌ଟିକ୍‌ କରିବା ବେଶ ମହାଙ୍ଗା ସାବ୍ୟସ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ 18 ବର୍ଷୀୟ ଜଣେ ଯୁବକ ଟିକ୍‌ ଟକ୍‌ ଭିଡିଓ କରିବାକୁ ଯାଇ ନିଜ ପ୍ରାଣ ଦେଇଛନ୍ତି। ଯୁବକ ଜଣକ ଗଙ୍ଗାର କେନାଲ୍‌ରେ ପଡି ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ କେନାଲ୍‌ରେ ପଡିବା ପରେ ତାଙ୍କ ମୁଣ୍ଡ ପଥରରେ ମାଡ ହୋଇଯାଇଥିଲା  ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିବାର ଦୁଇ ଘଣ୍ଟା ପରେ ତାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସାଇଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ।

ଯୁବକ ଜଣକ ତାଙ୍କ ବନ୍ଧୁଙ୍କ କେନାଲ୍‌ ପାଖରେ ଭିଡିଓ ପ୍ରସ୍ତୁତ କରୁଥିଲେ ।  ଏହି ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ କେନାଲକୁ ଡେଉଁଥିଲେ । ଅନ୍ୟ ଜଣେ ଯୁବକ ଏହି ଘଟଣାକୁ ଲାଇଭ ଭିଡିଓ କରୁଥିଲେ । କେନାଲ୍‌କୁ ଡେଇଁଥିବା ଯୁବକ ଜଣକଙ୍କର ମୁଣ୍ଡ ପଥରରେ ମାଡ ହେବା ପରେ ସେ ବେହୋସ ହୋଇ ଡୁବି ଯାଇ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ଲାଇଭ ଭିଡିଓ ରେକର୍ଡିଂ କରାଯାଇଛି । ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ଶବକୁ ଉଦ୍ଧାର କରିଥିବାବେଳେ ମୃତକ ଯୁବକଙ୍କ ସମ୍ପର୍କୀୟ  ତାଙ୍କ ବନ୍ଧୁ ଉପରେ ହତ୍ୟାର ଅଭିଯୋଗ ଲଗାଇଛନ୍ତି ।

ଟିକ୍‌ଟକ୍‌ ନିଶାରେ ଯୁବପିଢି ପାଗଳ ପ୍ରାୟ ହୋଇପଡୁଛନ୍ତି । ନିଜ ଜୀବନଠାରୁ ଆଉ କିଛି ବଡ ନୁହେଁ । ଭିଡିଓ କରିବା ସମୟରେ ସାବଧାନ ରହିବା ନିତାନ୍ତ ଆବଶ୍ୟକ । ଯୁବକଙ୍କ ଅସାବଧାନତା ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଲା । ଭିଡିଓ ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ଯୁବପିଢିମାନେ ସତର୍କ ରହିବା ଆଜିର ସମୟରେ ବଡ ଆବଶ୍ୟକତା ।

Categories
ଆଜିର ଖବର ଜୀବନ ଶୈଳୀ

ଟିକ୍‌ଟକ୍‌ ଭିଡିଓ ପାଇଁ ଅଲଗା ହେଲେ ପତି-ପତ୍ନୀ

ବେଙ୍ଗାଲୁରୁ : ବର୍ତ୍ତମାନ ଦେଶରେ ଟିକ୍‌ଟକ୍‌ ଯୁବପିଢିଙ୍କ ପାଇଁ ମନୋରଞ୍ଜନର ଜରିଆ ହୋଇଥିବା ବେଳେ ଏହାକୁ ନେଇ ବେଙ୍ଗାଲୁରୁର ଏକ ଦମ୍ପତ୍ତି ଅଲଗା ହୋଇଛନ୍ତି । 2008ରେ ବିବାହ କରିଥିବା ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଅସିମ୍‌ ଏବଂ ଆୟେଶା (ଉଭୟ ଛଦ୍ମନାମ)ଙ୍କ ବିବାହ ହୋଇଥିବା ବେଳେ ଆୟେଶା ଅସିମ୍‌ଙ୍କୁ ଛାଡପତ୍ର ଦେଇଛନ୍ତି । ଅସିମଙ୍କୁ ନିଜ ପତ୍ନୀଙ୍କ ଭିଡିଓ ପୋଷ୍ଟ ପସନ୍ଦ ନଥିଲା । ପ୍ରଥମରୁ ଅସିମ ଅସନ୍ତୁଷ୍ଟ ହୋଇଥିବା ବେଳେ ଆୟେଶା ଲୁଚାଇ ଟିକ୍‌ଟକ୍‌ରେ ଭିଡିଓ ବନାଉଥିଲେ । ଅସିମ ସାଉଦି ଆରବରେ ନିଜର ଚାକିରି ଛାଡି ବେଙ୍ଗାଲୁରୁ ମଧ୍ୟ ପଳାଇ ଆସିଥିଲେ । ମାତ୍ର ପରେ ନିଜ ଘରେ ତିଆରି କରିଥିବା ଭିଡିଓରୁ ଆୟେଶା ଧରା ପଡିଯାଇଥିଲେ । ଏହାପରେ ଟିକଟକ୍‌ ଛାଡିବା ପାଇଁ ଆୟେଶାଙ୍କ ଉପରେ ଅସିମ୍‌ ଚାପ ପକାଇଥିଲେ । ମାତ୍ର ନିଜ ଲକ୍ଷାଧିକ ଟିକ୍‌ଟକ୍‌ ଫଲୋଅରଙ୍କୁ ଛାଡିବା ବଦଳରେ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଆୟେଶା । ଉଲ୍ଲେଖଯୋଗ୍ୟ ଯେ, ତିନି ବର୍ଷ ପୂର୍ବରୁ ଟିକ୍‌ଟକ୍‌ ମୋହରେ ପଡିଥିଲେ ଆୟେଶା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଟିକ୍‌ଟକ୍‌କୁ ନିଷିଦ୍ଧ କଲା ଆମେରିକା ସେନା

ନୂଆଦିଲ୍ଲୀ, 1/1: ଲୋକପ୍ରିୟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି ନିଷ୍ପତ୍ତି ନେଇଛି। ଆମେରିକା ସେନାର ମୁଖପାତ୍ର ଟିକ୍‌ଟକ୍‌କୁ ସାଇବର ଥ୍ରେଟ୍‌ ବୋଲି କହିଛନ୍ତି। ଏହା ପୂର୍ବରୁ ଗତ ଡିସେମ୍ବରରେ ଆମେରିକା ନୌସେନା ମଧ୍ୟ ଟିକ୍‌ଟକ୍‌ ଉପରେ କଟକଣା ଲଗାଇଥିଲା। ଏଥିସହ ମୋବାଇଲରେ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭାରତରେ ଟିକ୍‌ଟକ୍‌ର କଣ୍ଟେଣ୍ଟକୁ ନେଇ ବ୍ୟାନ୍‌ କରାଯାଇଥିଲା। ମାଡ୍ରାସ୍‌ ହାଇକୋର୍ଟ ଏହି ଆପ୍‌କୁ ବ୍ୟାନ କରିବା ସହ ଏହା ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, 2016 ମସିହାରେ ଲଞ୍ଚ ହେବା ପରେ ଟିକଟକର ଲୋକପ୍ରିୟତା ଦ୍ରୁତି ଗତିରେ ବଢିବାରେ ଲାଗିଛି । ଗୁଗୁଲ ଏବଂ ଆପଲ ଷ୍ଟୋରରେ 1.5 ବିଲିୟନରୁ ଅଧିକ ଡାଉନଲୋଡ କରାଯାଇଛି । (ଏଜେନ୍ସି)

Categories
ବିଶେଷ ଖବର ମତାମତ

ମାଲକାନଗିରିର ମୁନ୍ନାଭାଇ ଏମବିବିଏସ; ଡାକ୍ତର ଆସ୍ଥାନା ପରି ଓଡିଶା ସାରା ଏତେ ଦୁଃଖୀ ଆତ୍ମା କେଉଁଠୁ ଆସିଲେ କେଜାଣି!!

କେଦାର ମିଶ୍ର 

୨୦୦୩ ମସିହାର ସୁପରହିଟ ସିନେମା ମୁନ୍ନାଭାଇ ଏମବିବିଏସର ନାୟକ କିଏ, ମୁନ୍ନାଭାଇ ନା ଡାକ୍ତର ଆସ୍ଥାନା? ଡାକ୍ତର ଆସ୍ଥାନା ଚାହୁଁଥିଲା- ଶ୍ରୂଙ୍ଖଳା ହେଲେ ମୁନ୍ନାଭାଇ ଭାଇ ଚାହୁଁଥିଲା ଉଦ୍ଦାମ ଜୀବନ। ଗୋଟେ ହା ହୁତାସର ପରିବେଶ ଭିତରେ ରୋଗୀସେବା କରିବା ଅପେକ୍ଷା ଗୋଟେ ଆନନ୍ଦମୟ ପରିବେଶରେ ଜୀବନ ଯୁଦ୍ଧ ଲଢିହେବ ନାହିଁ କାହିଁକି? ରାଜକୁମାର ହିରାନୀଙ୍କ ଏଇ ସିନେମା ଭାରତୀୟ ସମାଜ ଜୀବନରେ ଗୋଟେ ଭିନ୍ନ ବାର୍ତ୍ତା ନେଇ ଆସିଥିଲା। ଆଜି ଯେତେବେଳେ ସାରା ଓଡିଶାର ଗଣମାଧ୍ୟମ ଓ ନୀତିବାଦୀ ସୋସିଆଲ ମିଡିଆ ମାଲକାନଗିରି ଡାକ୍ତରଖାନାର ଚାରିଜଣ ନର୍ସଙ୍କ ଚାକିରି ପଛରେ ପଡିଛନ୍ତି, ସେତେବେଳେ ମୁନାଭାଇ ସିନେମା କଥା ବାରମ୍ବାର ମନେପଡୁଛି। ମୋତେ ଲାଗୁଛି ଓଡିଶା ସାରା ଏବେ ଶହ ଶହ ଡାକ୍ତର ଆସ୍ଥାନା  ଛାଟ ଧରି ଠିଆ ହୋଇଛନ୍ତି। ଗୋଟେ ଟିକଟକ ଭିଡିଓ ଯୋଗୁଁ ଆଜି ଚାରୋଟି ପରିବାରର ଜୀବନ ଜୀବିକା ଉଜୁଡି ଯିବାକୁ ବସିଛି। ଖବରର ଅଭାବୀ ଦୁନିଆଁରେ ଆମ ଟେଲିଭିଜନ ଲାଗି ଏଇଟା ହିଁ ବଡ ଖବର। ସତେକି ଓଡିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଇ ଭିଡିଓ ଯୋଗୁଁ ତଳି ତଳାନ୍ତ ହୋଇଗଲା!!

ଘଟଣାଟି ନିହାତି ସାଧାରଣ। ମାଲକାନଗିରି ଡାକ୍ତରଖାନାର ଚାରିଜଣ ନର୍ସ ଗୋଟେ ଟିକଟକ ଭିଡିଓ ଅପଲୋଡ କଲେ। ଡାକ୍ତରଖାନାରେ କାମ କରୁଥିବା ବେଳେ ସେମାନେ ଟିକେ ଗୀତ ଗାଇଲେ ଓ ଟିକେ ନାଚିଲେ। ବାସ, ଭାସିଗଲା ପୃଥିବୀ! ସାରା ଓଡିଶାର ନୀତିବାଦୀ ଗଣମାଧ୍ୟମ ଚେତି ଉଠିଲା। ଶ୍ରେଣୀ ଗୃହର ମନିଟର ପରି ଆମର ଆଙ୍କରମାନେ ଗର୍ଜି ଉଠିଲେ। ସରକାର ଉପରେ ଚାପ ପଡିଲା। ମନ୍ତ୍ରୀ କହିଲେ ସେ ଉଦ୍ଧତ ନର୍ସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। ମିଡିଆ ଚାପ ଆଗରେ ପ୍ରଶାସନ ମୁଣ୍ଡ ନୂଆଁଇ ସେଇ ଚାରିଜଣ ଭଦ୍ର ମହିଳାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠେଇ ଦେଇଛନ୍ତି। ତେବେ ଆମେ ପଚାରିବାକୁ ଚାହୁଁ ଏ ଭିଡିଓରେ ଅପରାଧ କଣ? ଅତି ବେଶୀରେ ଏହା ସୋସିଆଲ ମିଡିଆ ବ୍ୟବହାର ସଙ୍କ୍ରାନ୍ତୀୟ ଅଜ୍ଞତା ହୋଇପାରେ। ହୁଏତ ସରକାରୀ ଅନୁଷ୍ଠାନରେ ଭିଡିଓ ଉଠାଇବା ଉଚିତ ନୁହେଁ। ତେବେ ସରକାରୀ ଅନୁଷ୍ଠାନ ଗୁଡିକରେ ସୋସିଆଲ ମିଡିଆ ବ୍ୟବହାର ଲାଗି ଆମର କିଛି ନିର୍ଦ୍ଦେଶନାମା ରହିଛି କି?

ଭିଡିଓ ରେ ଯାହା ଦେଖା ଯାଉଛି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ଚାରିଜଣ ଯାକ ନର୍ସ ନିଜ କାମକୁ ଉପଭୋଗ କରୁଛନ୍ତି। ସେମାନେ ରୋଗରେ ପଡିଥିବା ପିଲାଟିକୁ ବଡ ଆଦର କରୁଛନ୍ତି। ନିଜ କାମକୁ ଉପଭୋଗ କରିବା ଭଳି ବହୁତ କମ ସରକାରୀ କର୍ମଚାରୀ ଆମର ଅଛନ୍ତି। କାମକୁ ଉପଭୋଗ କରନ୍ତି ନାହିଁ ବୋଲି ବହୁ ଡାକ୍ତର ଓ ନର୍ସ କାମରେ ଅବହେଳା କରନ୍ତି କିମ୍ବା ଚିଡଚିଡା ହୋଇଯାଆନ୍ତି। ମୋତେ ଲାଗିଲା, ଏଇ ଚାରିଜଣ ଯାକ ବେଶ ସୁନ୍ଦର ଭାବେ ନିଜ ଦାୟିତ୍ଵକୁ ଉପଭୋଗ କରୁଛନ୍ତି। ନର୍ସମାନଙ୍କ ସେବା ଓ ସଦଭାବନା ପ୍ରତି କେବେହେଲେ ସମ୍ମାନଜନକ ଭାବନା ପୋଷଣ କରୁନଥିବା ଆମର କୁହାଳିଆମାନେ ଏବେ ଏଇ କଥାକୁ ନୈତିକତାର ବଡ ବିପର୍ଯ୍ୟୟ ବୋଲି ଭାବି ନେଇଛନ୍ତି।

ଆଜ୍ଞାମାନେ! ଏ ରାଜ୍ୟରେ ବହୁତ ବଡ ବଡ ଖବର ରହିଛି। ଗୋଟେ ଟିକଟକ ଭିଡିଓରେ ବିଶେଷ କିଛି ସଙ୍କଟ ସୃଷ୍ଟି ହୋଇନାହିଁ। ଏଇ ଘଟଣାରେ ହୁଏତ ସମ୍ପୃକ୍ତ କର୍ମଚାରୀମାନଙ୍କର କିଛିଟା ପିଲାଳିଆମୀ ରହିଛି। ପିଲାଳିଆ ଉତ୍ସାହରେ ସେମାନେ କାହାର କିଛି କ୍ଷତି କରିନାହାନ୍ତି। ବରଂ ସେମାନେ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ସଚେତନ ଅଛନ୍ତି। ଆପ୍ରାଣ ଉଦ୍ୟମ ପରେ ଶିଶୁ ରୋଗୀଟି ଯେତେବେଳେ ସୁସ୍ଥ ହେଉଛି, ସେଥିରେ ସେମାନେ ଖୁସି ହେଉଛନ୍ତି। ତାକୁ ନେଇ ଆମେ ସବୁ ଦୁଃଖୀଆତ୍ମା ହୋଇ ମୁଣ୍ଡ ବାଡେଇ ହେଉଛୁ କାହିଁକି?

ଆପଣମାନଙ୍କର ମନେ ଥିବ ମୁନ୍ନାଭାଇ ଡାକ୍ତର ଆସ୍ଥାନାକୁ ଡାକୁଥିଲା- ଦୁଃଖୀଆତ୍ମା। ଏବେ ସବୁଠି  ଦୁଃଖୀଆତ୍ମାମାନଙ୍କର ରାଜୁତି। ସେମାନଙ୍କର ନୈତିକ ପ୍ରବଚନରେ ଗୋଟେ ମାରାତ୍ମକ ପ୍ରଭାବ ରହିଛି। ମୂଳ ଖବରରୁ ଲୋକଙ୍କ ନଜର ହଟାଇବାକୁ ଯାଇ ବେଳେ ବେଳେ ଆମର ଗଣମାଧ୍ୟମରେ ଏ ପ୍ରକାର ନାଟକ ରଚନା କରାଯାଏ। ଆଜିର ତାରିଖରେ ଖଣି ଦୁର୍ନୀତି ଓ ଘର ଆବଣ୍ଟନ ଦୁର୍ନୀତିର ଖୋଳତାଡ କରିବା ଗଣମାଧ୍ୟମର ପ୍ରାଥମିକ ଆବଶ୍ୟକତା । ତାହା ନକରି ଆମେ ଟିକଟକ ଭିଡିଓ ପଛରେ ଗୋଡାଇଛୁ। ଅସଲ ଖବରରୁ ଲୋକଙ୍କ ନଜର ହଟାଇବାକୁ ଏମିତି ନକଲ ଖବର ସବୁ ବେଳେବେଳେ ଆମ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାବରେ ପ୍ରଚାରିତ ହୁଏ। ଏ ଖବର ପଛରେ ସେମିତି କିଛି ଉଦ୍ଦେଶ୍ୟ ନିହିତ ନାହିଁ ତ!!

Categories
ଆଜିର ଖବର

ପ୍ଲେ ଷ୍ଟୋରରୁ ଟିକ୍‌ ଟକ୍‌ ହଟାଇବେ ଆପଲ୍‌ ଏବଂ ଗୁଗୁଲ୍‌

ଶେଷରେ ଟିକ୍‌ଟକ୍‌ ଉପରେ ଭାରତ ସରକାର କଟକଣା ଲଗାଇଛନ୍ତି। ଟିକ୍‌ଟକ୍‌ରେ ଅଶ୍ଲୀଳ ଭିଡିଓ ଆସୁଥିବାରୁ ଏହା ଉପରେ ବ୍ୟାନ୍‌ ଲଗାଇବା ପାଇଁ ମାଦ୍ରାସ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ  ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍‌ଟକ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଆପ୍‌ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ଟିକ୍‌ଟକ ଭିଡିଓ କ୍ଲିପକୁ ଶେୟାର ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେ​‌ବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଏକତରଫା ଏବଂ ଭେଦଭାବପୂର୍ଣ୍ଣ ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି।