Categories
ଆଜିର ଖବର ରାଜ୍ୟ ଖବର

ଘରୋଇ ସ୍କୁଲ ଫି’ ହ୍ରାସ ବା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ କଲେ ଅପିଲ୍‌

ଭୁବନେଶ୍ବର: କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌। ଦୋକାନ, ବଜାର ବନ୍ଦ। କଳକାରଖାନା ବି ବନ୍ଦ। ସାରା ଦେଶର ଅର୍ଥନୀତି ଆଜି ଦୋହଲି ଯାଇଛି। ଦେଶ ତଥା ରାଜ୍ୟର ଏପରି ପରିସ୍ଥିତିକୁ ଦେଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟର ଫି କମାଇବା ବା ସ୍ଥଗିତ ରଖିବା ପାଇଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍‌ ଯୋଗେ ଏହା ସମ୍ପର୍କରେ କୁହାଯାଇଛି।

କରୋନା ଯୋଗୁ ବହୁ  ଅଭିଭାବକଙ୍କ ଆୟ ଉପରେ ପ୍ରଭାବ ପଡିଛି। ତେଣୁ ସ୍କୁଲ ଫିକୁ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡିବନି ବୋଲି ସିଏମ୍‌ଓଙ୍କ କାର୍ଯ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। ବିପତ୍ତିବେଳେ ସହାନଭୂତିଶୀଳ ହୋଇ ଫି କମାଇବା କିମ୍ବା ବିଳମ୍ବରେ ନେବାକୁ  ସିଏମଓ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, କରୋନା ପାଇଁ କେନ୍ଦ୍ର ସରକାର 21ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ଏପ୍ରିଲ୍‌ 14ରେ ଶେଷ ହେଉଥିବାବେଳେ ରାଜ୍ୟ ସରକାର ଏହି ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି।