Categories
ଆଜିର ଖବର ଜାତୀୟ ଖବର

ରିଅଲ୍‌ରେ ଦେଖିବାକୁ ମିିଳିଲା ‘ଟୟଲେଟ୍‌ ଏକ ପ୍ରେମ୍‌ କଥା’ର କାହାଣୀ : ଶୌଚାଳୟ ନଥିବାରୁ ଶାଶୁଘର ଛାଡୁଛନ୍ତି ବୋହୂ

ଗୋରଖପୁର : ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳରେ ଦେଖିବାକୁ ମିଳିଛି  ‘ଟୟଲେଟ୍‌ ଏକ ପ୍ରେମ୍‌ କଥା’ର କାହାଣୀ । ସ୍ବଚ୍ଛଭାରତ ସୁସ୍ଥ ଭାରତର ବାର୍ତ୍ତା ବହନ କରୁଥିବା ତଥା ଅକ୍ଷୟ କୁମାର ଓ ଭୂମି ପେଣ୍ଡେନକର୍‌ଙ୍କ ଅଭିନୀତ ‘ଟୟଲେଟ୍‌ – ଏକ ପ୍ରେମ କଥା’ରେ ନାରୀର ସମ୍ମାନ ଓ ଶୌଚାଳୟକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏହି ଫିଲ୍ମରେ ଜଣେ ନାରୀ ଶୌଚାଳୟ ନଥିବାରୁ ଶାଶୁ ଘର ଛାଡିବା ସହିତ ସବୁ ନାରୀଙ୍କ ସମ୍ମାନ ପାଇଁ ଲଢିଥିଲେ । ଠିକ୍‌ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କୁଶୀନରଗ ପଡରୌନା ବ୍ଲକ୍‌ରେ ।

ଶାଶୁଘରେ ଶୌଚାଳୟ ନଥିବାରୁ ନବବିବାହିତ ବଧୂମାନେ ଶାଶୁଘର ଛାଡିଛନ୍ତି । କୁଶୀନଗରର ପଡରୌନା ବ୍ଲକର ଜଗଦୀଶପୁର ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁମିଳିଛି । ଏଠାକାର ମହିଳାମାନେ ଶୌଚାଳୟ ନଥିବାରୁ ଶାଶୁଘର ଛାଡି ନିଜ ବାପଘରକୁ ଚାଲିଆସିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶୌଚାଳୟ ପାଇଁ ଶାଶୁଘର ଛାଡି ବାପଘରକୁ ଆସିଥିବା ବଧୂମାନେ ଦୁଇ ବର୍ଷ ହେବ ବିବାହ କରି ଏହି ଗ୍ରାମକୁ ଆସିଥିଲେ । ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସାମ୍ନାରେ ଶୌଚାଳୟ ନିର୍ମାଣର ସର୍ତ୍ତ ରଖିଥିଲେ ଏହି ବଧୂମାନେ । ଭୀଷଣ ବର୍ଷାରେ ତାଙ୍କୁ ବାହାରକୁ ଶୌଚ ହେବା ପାଇଁ ପଡୁଥିଲା। ଏହାକୁ ଦେଖି ଏହି ବଧୂମାନେ ଶାଶୁଘର ଛାଡି ବାପଘରକୁ ଯିବାର ନିଷ୍ପତ୍ତି ନେଇଥିଲେ ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାର୍ବଜନିକ ଶୌଚାଳୟ ନିର୍ମାଣ ହେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଜିଲ୍ଲା ପଞ୍ଚାୟତ ରାଜ ଅଧିକାରୀ କହିଛନ୍ତି ଯେ, ସରକାରଙ୍କ ତରଫରୁ ସ୍ବଚ୍ଛ ଭାରତ ଯୋଜନା ଆଧାରରେ ଯୋଗାଇ ଦିଆଯାଉଥିବା ଅନେକ ଶୌଚାଳୟ ନିର୍ମାଣ କରାଯାଇଥିବାବେଳେ ଅନେକଙ୍କ ନାମ ସୂଚୀରେ ନଥିବାରୁ ସେମାନେ ଶୌଚାଳୟ ନିର୍ମାଣ କରିପାରିନାହାନ୍ତି । ତେବେ ସେମାନଙ୍କ ପାଇଁ ଶୌଚାଳୟର ବନ୍ଦୋବସ୍ତ କରାଯାଉଛି । ଗ୍ରାମରେ ଏକ ସାର୍ବଜନିକ ଶୌଚାଳୟ ନିର୍ମାଣ ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି । (ଏଜେନ୍ସି)