Categories
ଆଜିର ଖବର

ତ୍ରିଶୁରରେ ମୋଦି : ରାଜନୀତି କରି ସରକାର ନୁହେଁ, ଦେଶ ବନାଇବାକୁ ଆସିଛୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ କେରଳର ଗୁରୁବାୟରୁ ଶ୍ରୀକୃଷ୍ଣ ମନ୍ଦିରଠାରେ ପୂଜାଅର୍ଚ୍ଚନା କରିଛନ୍ତି। ଏହି ପୂଜା ଅବସରରେ ୧୧୨ କିଲୋ ପଦ୍ମ ଫୁଲ ଚଢାଇଛନ୍ତି। ଗୁରୁବାୟରୁର କୃଷ୍ଣ ମନ୍ଦିର ବହୁତ ପ୍ରାଚୀନ ମନ୍ଦିର ଅଟେ, ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କର ଶିଶୁ ରୂପର ମନ୍ଦିର ରହିଛି। ଲୋକସଭା ନିର୍ବାଚନ ଜିତିବା ପରେ ପିଏମ୍‌ ମୋଦି ପ୍ରଥମଥର କେରଳ ଗସ୍ତ କରିଛନ୍ତି। କେରଳର ତ୍ରିଶୁରଠାରେ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ମୋଦି କହିଛନ୍ତି ଯେ, ଆମେ ବିଜେପି କର୍ମକର୍ତ୍ତା କେବଳ ନିର୍ବାଚନୀ ରାଜନୀତିକ ପାଇଁ ନିର୍ବାଚନ ରଣାଙ୍ଗନାକୁ ଆସିନୁ, ଆମେ ୩୬୫ ଦିନ ଆପଣଙ୍କର ରାଜନୈତିକ ଚିନ୍ତନ ଆଧାରରେ ଜନସେବାରେ ସମ୍ପୃକ୍ତ ହେବା ପାଇଁ ରହିଛୁ। ଆମେ ରାଜନୀତି କରି କେବଳ ସରକାର ନୁହେଁ, ରାଜନୀତିରେ ଆମେ ଦେଶ ବନାଇବାକୁ ଆସିଛୁ। ଜନତା ଆମକୁ ପାଞ୍ଚ ବର୍ଷ ପାଇଁ ଜନ ପ୍ରତିନିଧି ରୂପେ ନିଯୁକ୍ତି କରିଥା’ନ୍ତି, କିନ୍ତୁ ଆମେ ଜନ ସେବକ, ଯିଏ ଆଜୀବନ ଜନତାଙ୍କ ପାଇଁ ସମର୍ପିତ। ଚଳିତଥର ପଶ୍ଚିମବଙ୍ଗରେ ବିଜେପି ଯେପରି ସ୍ଥିତି ସୁଦୃଢ କରିଛି, ସେହିପରି କେରଳରେ ମଧ୍ୟ ନିଜର ସ୍ଥିତି ସୁଧାର ପାଇଁ ଚେଷ୍ଟା ଜାରି ରଖିଛି ବିଜେପି। ସେହିପରି ଓ୍ବାୟନଡ଼ରୁ ଆସନ ଜିତିବା ପରେ ରାହୁଲ୍‌ ଗାନ୍ଧି ମଧ୍ୟ ଦୁଇଦିନିଆ କେରଳ ଗସ୍ତରେ ଅଛନ୍ତି।