Categories
ଆଜିର ଖବର ଜାତୀୟ ଖବର

ଏମିତି ବି ଆସେ ମୃତ୍ୟୁ: ଚାଲୁଥିବା ସମୟରେ ଟ୍ରେନ୍‌ ଧକ୍କାରେ ଗଲା ଦୁଇ ଯୁବକଙ୍କ ଜୀବନ

ମଧ୍ୟପ୍ରଦେଶ :  ଇଅରଫୋନ୍‌ ହେଲା କାଳ । ମଧ୍ୟପ୍ରଦେଶର ବୁରହାନ୍‌ପୁର ଜିଲ୍ଲା ଏକ ରେଲ୍‌ଓ୍ବେ ଟ୍ରାକ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି । ରେଲ୍‌ଓ୍ବେ ଟ୍ରାକ୍‌ରେ ଦୁଇଜଣ ଯୁବକ ଟ୍ରେନ୍‌ରେ ଧକ୍କା ହୋଇ ମୃତ୍ରୁ ବରଣ କରିଛନ୍ତି । ଟ୍ରାକରେ ଦୁଇଜଣ ଯୁବକ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବା ଫଳରେ ପ୍ରାଣ ହରାଇଛନ୍ତି । ଏପରିକି ସେମାନଙ୍କ ଶରୀର ପ୍ରାୟ 50ରୁ 60 ଖଣ୍ଡ ହୋଇଯାଇଛି । ପ୍ରାୟ 100 ମିଟର ଦୂରକୁ ସେମାନଙ୍କ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଛିଟକି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବୁରହାନପୁରରର ବିରୋଦାରେ ରହୁଥିବା 19 ବର୍ଷୀୟ ଇର୍ଫାନ୍‌ ଓ 16 ବର୍ଷୀୟ କଲୀମ୍‌ ଶୁକ୍ରବାର ସନ୍ଧ୍ୟା 6 ଘଟିକା ସମୟରେ ଟ୍ରାକ୍‌ରେ ବୁରହାନ୍‌ପୁର ଆଡକୁ ଯାଉଥିଲେ । ଟ୍ରେନ୍‌ ଟ୍ରାକ୍‌ରେ ଯିବା ସମୟରେ ଦୁହେଁ କାନରେ ଇଅର୍‌ଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ଯାଉଥିଲେ । ଗୀତ ଯୋଗୁଁ ଟ୍ରେନ୍‌ର ଶବ୍ଦ ଶୁଣିପାରିନଥିଲେ ଦୁହେଁ । ଟ୍ରାକ୍‌ରେ ଯାଉଥିବା ସମୟରେ କର୍ଣ୍‌ଣାଟକ ଏକ୍ସପ୍ରେସ୍‌ ଉଭୟଙ୍କ ଧକ୍କା ଦେଇଥିଲା । ରେଲ୍‌ଓ୍ବେ ଟ୍ରାକ୍‌ର ପୋଲ୍‌ ନମ୍ବର 496/2 ରୁ 496/4 ମଧ୍ୟରେ ଦୁହେଁ ଟ୍ରେନ୍‌ରେ ବାଡେଇ ହୋଇ କଟି ଯାଇଥିଲେ । ଟ୍ରେନ୍‌ ଟି ଏତେ ଭୟଙ୍କର ଭାବରେ ଧକ୍କା ଦେଇଥିଲା ଯେ, ଦୁହିଁଙ୍କର ଶରୀର ଖିନ୍‌ଭିନ୍‌ ହୋଇ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସବୁ ୟାଡେ ସ୍ୟାଡେ ପଡିଥିଲା ।  ଟ୍ରେନ୍‌ରେ କଟି ଦୁଇ ଯୁବକଙ୍କ ଶରୀର ବହୁ ଟୁକୁଡାରେ ପରିଣତ ହୋଇଥିଲା । ତାଙ୍କ ଚେହେରା ଚିହ୍ନିବା ବହୁତ ମୁସ୍କିଲ୍‌ ହୋଇପଡିଥିଲା । ପୋଲିସ୍ ‌ସହିତ ପ୍ରାୟ 40 ଜଣ ଲୋକ ଦୁଇ ଘଣ୍‌ଟା ଧରି ଟ୍ରାକ୍‌ ଓ ଟ୍ରାକ୍‌ ନିକଟରେ ଖୋଜାଖୋଜି କରିବା ପରେ  ଚିହ୍ନଟ କରିଥିଲେ ।

ଲାଲବାଗ ଷ୍ଟେସନରେ ଟ୍ରେନ୍ ଚାଳକ ଦୁର୍ଘଟଣା ବାବଦରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏହି ଦୁଇ ଯୁବକ ଟ୍ରାକରେ ଚାଲୁଥିଲେ । ହର୍ଣ୍ଣ ବଜାଇଥିଲେ ମଧ୍ୟ ଶୁଣିନଥିଲେ । ତେଣୁ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିଲା । ତେବେ ଟ୍ରେନ୍‌ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରେଳରୋକ କରିଥିଲେ । ତେବେ ପୋଲିସ୍‌ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା । (ଏଜେନ୍ସି)