Categories
ଆଜିର ଖବର

ଜୈଶର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଭାରତୀୟ ବାୟୁସେନା  ଧ୍ୱଂସ କରିଛି: ବୈଦେଶିକ ମନ୍ତ୍ରାଳୟ

ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ବାୟୁସେନା ସର୍ଜିକାଲ୍‌ ଷ୍ଟ୍ରାଇକ କରି ଧ୍ୱଂସ କରିଛି। ସେନାର ଏହି ଅପରେସନ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ। ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବିଷୟରେ ଅବଗତ କରାଯାଇଛି। ପାକ୍‌ ଅଧିକୃତ କଶ୍ମୀରର ବାଲାକୋଟର ଥିବା  ଜୈଶ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିଛି ଭାରତ। ଏହି ଶିବିର ମୌଲାବୀ ୟୁସୁଫ ଅଝାର ନେତୃତ୍ୱରେ ପରିଚାଳିତ ହେଉଥିଲା। ସୁରକ୍ଷା ଦୃଷ୍ଟିରୁ ଭାରତରେ ବହୁବାର ଆତ୍ମଘାତୀ ଆକ୍ରମଣ ଘଟାଇଥିବା ଜୈଶର ଶିବିର ଧ୍ୱଂସ କରିବାର ଆବଶ୍ୟକତା ଥିଲାବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପୁଲୱାମା ଆକ୍ରମଣ ପରେ ଭାରତ ଉପରେ ଜୈଶ-ଏ ମହମ୍ମଦ (ଜେଇଏମ) ଆତଙ୍କବାଦୀ ସଂଗଠନ ପୁଣି ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ଗୁଇନ୍ଦା ସୂଚନା ମିଳିଥିଲା । ତାହାରି ଆଧାରରେ ଜୈଶ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଜୈଶ୍‌-ଏ-ମହମ୍ମଦର ବହୁ ସଂଖ୍ୟକ ଜେହାଦୀ, ପ୍ରଶିକ୍ଷକ,କମାଣ୍ଡର ଓ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଜୈଶ୍‌-ଏ-ମହମ୍ମଦର ଏଭଳି ପ୍ରଶିକ୍ଷଣ ଶିବିର ସଂପର୍କରେ ପାକିସ୍ତାନକୁ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ପୁଲଓ୍ଵାମା ଆକ୍ରମଣ ପରେ ମଧ୍ୟ ପାକିସ୍ତାନ ସେପରି କୌଣସି ପଦକ୍ଷେପ ନେଇନଥିଲା । ତେଣୁ  ଭାରତ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ବୈଦେଶିକ ସଚିବ ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ କହିଛନ୍ତି କି ଏଥିରେ ସାଧାରଣ ନାଗରିକଙ୍କ ଧନଜୀବନ ପ୍ରତି କୌଣସି କ୍ଷତି ହୋଇନାହିଁ । ଏହା ଉପରେ ବାୟୁସେନା ସଚେତନ ରହିଥିଲେ ।