Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବରେ ପୁଣି ଥରେ ଲକ୍‌ଡାଉନ୍‌ ! : ରାଜ୍ୟରେ ଜାରି ହେଲା ସପ୍ତାହନ୍ତ ସଟ୍‌ଡାଉନ୍‌

ପଞ୍ଜାବ : ଦେଶରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଥିବାବେଳେ ଅନ୍‌ଲକ୍‌ 1.0 ଆରମ୍ଭ ହୋଇଛି । ଅନଲକ୍‌ 1.0ରେ ଦେଶରେ କରୋନା ମାମଲା ବେଶ୍‌ ବଢିଥିବାର ଦେଖାଯାଉଛି । ଏନେଇ ରାଜ୍ୟ ସରକାରମାନେ କଟକଣାକୁ ଆହୁରି କଡାକଡି କରିବା ଆରମ୍ଭ କରିଦେଇଛନ୍ତି । ଅନ୍‌ଲକ୍‌ 1.0 ଜାରି ହେବାର ପ୍ରଥମ ଦିନରୁ ଓଡ଼ିଶା ସରକାର ରାଜ୍ୟର କରେନା ପ୍ରଭାବିତ 11ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ଏବେ ପଞ୍ଜାବ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ପରି ନୀତି ଆପଣାଉଥିବାର ଜଣାପଡିଛି ।

ପଞ୍ଜାବ ସରକାର ପୁଣି ଥରେ ଲକ୍‌ ଡାଉନ୍‌ ବଢାଇବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏବେ ପଞ୍ଜାବ ସରକାର ସପ୍ତାହନ୍ତ ଓ ବିଶେଷ ଛୁଟି ଦିବସ ଗୁଡିକରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ୍‌ରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ପଞ୍ଜାବରେ ମଧ୍ୟ ଶନିବାର ଓ ରବିବାର ଦୁଇ ଦିନ ଲକ୍‌ଡାଉନ୍‌ ଜାରି ରହିବ । ସେହିପରି ପଞ୍ଜାବର ରାଜଧାନୀ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡୀଗଡ ମଧ୍ୟରେ ଆନ୍ତଃରାଜ୍ୟ ବସ୍‌ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ସୀମା ସିଲ୍‌ କରିବା ନେଇ ମଧ୍ୟ ଯୋଜନା କରାଯାଇଛି । ଟ୍ରେନ୍‌, ବିମାନରେ ଆସୁଥିବା ଯାତ୍ରୀଙ୍କୁ 14 ଦିନ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନରେ ରାଜ୍ୟରେ କରୋନା ମାମଲା ବଢିଥିବାବେଳେ ଏହି ସମସ୍ତଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଥିବାର ଜଣାପଡିଛି ।

ଅପରପକ୍ଷରେ ଆସନ୍ତା 16 ଓ 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନ୍‌ଲକ୍‌  ଓ କରୋନା ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ରହିଛି । (ଏଜେନ୍ସି)