Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଯୁବ କଂଗ୍ରେସ ସମାବେଶକୁ ନେଇ କଣ କହିଲା ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର: ଆଜି ରାଜଧାନୀରେ ପ୍ରଦେଶ ଯୁବ କଂଗ୍ରେସ ତରଫରୁ କରାଯାଇଥିଲା ବିଶାଳ ସମାବେଶ। ଏହି ସମାବେଶକୁ ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ତୀବ୍ର ସମାଲୋଚନା କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏହି ସମାବେଶକୁ ନାମକୁ ମାତ୍ର ବୋଲି କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ପରି ତାଙ୍କ ଯୁବ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଦିଶାହୀନ । ସେମାନେ ଏବେବି ଯୁବକ ଓ ବରିଷ୍ଠ ମଧ୍ୟରେ ତାରତାମ୍ୟ ଜାଣିପାରୁନାହାନ୍ତି । ସେମାନଙ୍କ ପାଇଁ ରାହୁଲ ଗାନ୍ଧୀ ଏବେବି ଯୁବକ । ପ୍ରଦେଶ କଂଗ୍ରେସ କମିଟିର ଗୋଷ୍ଠୀକନ୍ଦଳ ଏବେ ସାରା ଓଡ଼ିଶା ଦେଖୁଛି । ନିଜ ଦଳ ଭିତରେ ଥିବା ଅସନ୍ତୋଷକୁ ସେମାନେ ଏପର୍ଯ୍ୟନ୍ତ ସମାଧାନ କରିପାରୁ ନ ଥିବାବେଳେ ସମାବେଶ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ।

ନିଜ ଦଳ ଭିତର ଅସନ୍ତୋଷକୁ ଜାହିର କରିବା, ପରିଚୟ ସଙ୍କଟରୁ ବର୍ତିବା ଓ ନିଜର ଅସ୍ଥିତ୍ୱ ଜାହିର କରିବା ପାଇଁ କଂଗ୍ରେସ ପକ୍ଷରୁ ଆଜି ସମାବେଶ କରାଯାଉଛି । ଏହି କାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର କରାଯାଉଛି ବୋଲି ସେମାନଙ୍କ ହାତଗଣତି ସଂଖ୍ୟାରୁ ଜଣାପଡ଼ୁଛି ।
କଂଗ୍ରେସ ଆଗେ ନିଜେ ଜାଣିବା ଦରକାର ଯେ, ଦଳ ଆଉ ଓଡ଼ିଶାରେ କାମ କରିବ କି ନାହିଁ? ଯଦି କାମ କରିବ ତେବେ ଦଳର କିଏ କାର୍ଯ୍ୟକାରିଣୀ ସଦସ୍ୟ ହେବ, କିଏ ସଭାପତି ହେବ ଆଉ କେଉଁମାନେ ଅନ୍ୟାନ୍ୟ ଦାୟିତ୍ୱରେ ରହିବେ ସେନେଇ ନିଷ୍ପତି ନେବା ଆବଶ୍ୟକ ବୋଲି ସେ କହିଥିଲେ।