Categories
ଆଜିର ଖବର ରାଜ୍ୟ ଖବର

ଜଳୁଛି ଓଡିଶା: ୪୦ ଡିଗ୍ରୀ ଉପରେ ୨୫ ସହର

ଭୁବନେଶ୍ଵର: ଆଜି ପୁଣି ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କେବଳ ମଣିଷ କାହିଁକି ଏଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡିଛି। ଆଜି ତାପମାତ୍ରାରେ ସବୁ ରେକର୍ଡ ଭାଙ୍ଗିଯାଇଛି। ୮ ଟି ସହରରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ତାପମାତ୍ରା ରହିଥିବା ବେଳେ ୨୫ ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦା ରେକର୍ଡ କରିଛି। ବାରିପଦାରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରହିଛି। ଅନୁଗୁଳ, ସୋନପୁର ଓ ବୌଦ୍ଧରେ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରହିଛି।

Image

ସେହିଭଳି ଟିଟିଲାଗଡରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେର, ଭବାନୀପାଟଣା ଓ ବଲାଙ୍ଗୀରରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ତେବେ କଟକରେ ୪୧.୪ ଡିଗ୍ରୀ ସେଲସିୟସ ଏବନ ଭୁବନେଶ୍ବରରେ ୪୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓଫାଇବର ପକ୍ଷରୁ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରକୁ ସେବା ସମ୍ପ୍ରସାରଣ

ଭୁବନେଶ୍ୱର: ସାରା ଓଡ଼ିଶାରେ ନିଜ ଉପସ୍ଥିତିକୁ ଆହୁରି ସମ୍ପ୍ରସାରିତ କରି ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍ ଏବେ ରାଜ୍ୟର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହୋଇଛି। ନିକଟରେ ବାରିପଦା, ଉମରକୋଟ୍‌, ପାରଳାଖେମୁଣ୍ଡି ଓ ସୋନପୁର ସହରର ପ୍ରମୁଖ ଅଂଚଳରେ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ସେବା ଶୁଭାରମ୍ଭ ହୋଇଥିବା ବେଳେ କଂପାନି ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି। ଜିଓଫାଇବର ସେବା ଉପଲବ୍ଧ ହୋଇଥିବା ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର।

ପୂର୍ବରୁ ଜିଓଫାଇବର ଉପଲବ୍ଧ ରହିଥିବା ସହରଗୁଡ଼ିକର ନୂଆ ଅଂଚଳ ତଥା ସହର ଉପକଣ୍ଠକୁ ସେବାର ବ୍ୟାପକ ଭାବେ ସମ୍ପ୍ରସାରଣ କରାଯାଉଥିବା ବେଳେ ବ୍ୟକ୍ତିଗତ ପରିବାରଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଛୋଟ ବ୍ୟବସାୟ ଓ ବିଭିନ୍ନ କ୍ଷେତ୍ରର ପେସାଦାରମାନଙ୍କ ଭଳି ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରି ସେମାନଙ୍କ ପାଖରେ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଲାଟଫର୍ମ ପହଂଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ଜିଓଫାଇବର୍। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୩ ଜାନୁଆରି ୩୧ ସୁଦ୍ଧା ଓଡ଼ିଶାରେ ୧.୯୭ ଲକ୍ଷରୁ ଅଧିକ ଜିଓଫାଇବର୍ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଜିଓ ପକ୍ଷରୁ ମାସିକ ମାତ୍ର ୧୯୮ ଟଙ୍କାରେ ୧୦ ଏମ୍‌ବିପିଏସ୍‌ର ଅସୀମିତ ହୋମ୍ ବ୍ରଡ୍‌ବ୍ୟାଣ୍ଡ୍ ସହ ନୂଆ ବ୍ରଡ୍‌ବ୍ୟାଣ୍ଡ୍ “ବ୍ୟାକ୍‌-ଅପ୍ ପ୍ଲାନ୍‌’ ଘୋଷଣା କରାଯାଇଛି। ମାଗଣା ଲ୍ୟାଣ୍ଡ୍‌ଲାଇନ୍ ସଂଯୋଗ ଓ ଅସୀମିତ କଲିଂ ସୁବିଧା ସହିତ ଏହି ପ୍ଲାନ୍‌ରେ ଗ୍ରାହକମାନଙ୍କୁ ୧ କିମ୍ବା ୨ କିମ୍ବା ୭ ଦିନିଆ ବିକଳ୍ପରେ ସେମାନେ ଯେତବେଳେ ଚାହିଁବେ ସେମାନଙ୍କ ସ୍ପିଡ୍‌କୁ ୧୦ ଏମ୍‌ବିପିଏସ୍‌ରୁ ୩୦ କିମ୍ବା ୧୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ବୃଦ୍ଧି କରିପାରିବାର ସୁବିଧା ପ୍ରଦାନ କରାଯାଉଛି। ୨୪ ଘଂଟିଆ ଭରସାଯୋଗ୍ୟ, ସର୍ବଦା ପ୍ରସ୍ତୁତ ବ୍ୟାକ୍‌-ଅପ୍ ସଂଯୋଗ ପ୍ରଦାନ କରି ଏହି ପ୍ଲାନ୍ ଅଣ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିବା ଘରଗୁଡ଼ିକ ପାଇଁ ସହାୟକ ହୋଇଥିବା ବେଳେ ସଂଯୋଗ ହୋଇନଥିବା ଘରଗୁଡ଼ିକ ପାଇଁ ପରିବର୍ତନର ବାର୍ତାବହ ହୋଇଛି ଯାହା ଶିକ୍ଷା, କାର୍ଯ୍ୟ, ମନୋରଂଜନ ଏବଂ ଆହୁରି ଅନେକ କିଛି ପାଇଁ ନିରବଚ୍ଛିନ୍ନ ଅନୁଭୂତିକୁ ସକ୍ଷମ କରିଛି। ମାସିକ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ଦେଇ ଗ୍ରାହକମାନେ ଜିଓ ସିନେମା ସହିତ ଲାଇଭ୍ ଓ ମାଗଣାରେ ଆଇପିଏଲ୍‌କୁ ମଲ୍‌ଟି କ୍ୟାମେରା ଆଙ୍ଗେଲ୍‌ରୁ ଦେଖିବା, ୫୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌, ୟୁଟ୍ୟୁବ୍‌, ଗେମିଂ ଓ ଶତାଧିକ ଆପ୍‌କୁ ଉପଭୋଗ କରିବା ନେଇ ଅପ୍‌ଗ୍ରେଡ୍ ହୋଇପାରିବେ। ଗ୍ରାହକମାନେ ମାତ୍ର ୯୯ ଟଙ୍କା ଦେଇ ଯେକୌଣସି ଜିଓ ରିଟେଲର କିମ୍ବା ପାର୍ଟନରଙ୍କ ନିକଟରୁ କିମ୍ବା ୬୦୦୦୮ ୬୦୦୦୮କୁ କଲ୍ କରି କିମ୍ବା ହସକ୍ଟ.ମକ୍ଟଜ୍ଞ/ଲସଭରକ୍ସକୁ ପରିଦର୍ଶନ କରି ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍‌ଅପ୍ ପ୍ଲାନ୍‌ର ବୁକିଂ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ନିୟମିତ ଦାବିରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଙ୍ଘର ମହାସମାବେଶ

ଭୁବନେଶ୍ୱର: ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ଦାବିରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆଜି ଏକ ମହାସମାବେଶ ସଙ୍ଘଠିତ କରିଥିଲା। ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଆଜି ନିୟମିତ ହେବା ଦାବିରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିବାଦ ଜଣାଇଥିଲେ। ଯାହା ସୂଚନା ଅଛି ଏହି ଶିକ୍ଷକ ଶିକ୍ଷୟିତ୍ରୀ
ଗତ ଏପ୍ରେଲ ୧ ତାରିଖ ଦିନ ଉତ୍କଳ ଦିବସରୁ ସାରା ଓଡିଶାର ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ଵ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଆପଇଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିୟମିତ ହେବା ଦାବିରେ ଧାରଣାରେ ବସିଛନ୍ତି।

ଧାରଣାର ତୃତୀୟ ଦିବସରେ ଉଭୟ ସଚିବ ଏବଂ ବିଭାଗୀୟ ମନ୍ତ୍ରୀ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମନ୍ତ୍ରୀ ମହୋଦୟ ପ୍ରତିଶୃତି ଦେଇଥିଲେ ଯେ, ଉକ୍ତ ଦିନ ନିୟମିତ ନିର୍ଦେଶାନାମାଟି ପ୍ରକାଶ ପାଇବ। କିନ୍ତୁ ମନ୍ତ୍ରୀଙ୍କର ଘୋଷଣା ପରେ ବି ନିର୍ଦ୍ଦେଶ ନାମାଟି ପ୍ରକାଶ ପାଇଲା ନାହିଁ, ମନ୍ତ୍ରୀଙ୍କର ପ୍ରତିଶୃତି ପାଣିର ଗାର ସଦୃଶ ହୋଇଅଛି ବୋଲି ସଂଘ କହିଛି।

ଏପଟେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣାକୁ ୬ ମାସ ସମୟ ବିତିଗଲେ ବି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିୟମିତ ହେବାରୁ ବଞ୍ଚିତ ହୋଇ ବାରମ୍ବାର ରାଜ ରାସ୍ତାକୁ ଆସୁଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ହୋଇନଥିବାରୁ ଦରମା ପାଉନାହାନ୍ତି। ଇତି ମଧ୍ୟରେ ୬ ଜଣ ଶିକ୍ଷକ ନିୟମିତ ନହୋଇପାରି ମୃତ୍ୟୁବରଣ ମଧ୍ୟ କରିଛନ୍ତି। ତଥାପି ବିଭାଗ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଧେଶନାମା ଜାରି କରାଯାଇନି ବୋଲି ସଙ୍ଘର ସଭାପତି ପଞ୍ଚାନନ ଜେନା ଅଭିଯୋଗ କରିଛନ୍ତି।

ତେଣୁ ଏହାକୁ ବିରୋଧ କରି ସମସ୍ତ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଆପଇଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବା ଭଳି ଏକ ଦଫା ଦାବି ନେଇ ଆଜିର ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ତଥା ନିୟମିତ ନିର୍ଦ୍ଧେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ବିଧାନସଭା ଆଗରେ ସମସ୍ତ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଚାଲିବ ବୋଲି ରାଜ୍ୟ ସଙ୍ଘର ସମ୍ପାଦକ ସତ୍ୟଭୂଷଣ ତରାଇ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାଗରିକ ସମ୍ମାନ ସମାରୋହ: ଜାଣନ୍ତୁ ଓଡ଼ିଶାର କାହାକୁ ମିଳିଲା ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ପୁରସ୍କାର ବିଜେତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ଏକ ବିସ୍ତୃତ ବିବରଣୀ ନିମ୍ନରେ ଦିଆଗଲା–

ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି

ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ। ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇ ଆସୁଛନ୍ତି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ଲାଗି କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ ଓ ପୁସ୍ତକ ଲେଖିଛନ୍ତି। ଓଡ଼ିଆ ଭାଷା ଉପରେ ତାଙ୍କର ଅଧିକାଂଶ ବିଚାର, ଗବେଷଣା କାର୍ଯ୍ୟ ଏବଂ ରଚନା ଅନ୍ୟ ବୌଦ୍ଧିକ ଗବେଷଣା ବିଦ୍ୱାନ ଏବଂ ଓଡ଼ିଆପ୍ରେମୀଙ୍କ ଆଖି ଖୋଲି ଦେଇଥିଲା। ସରକାରଙ୍କ ଦ୍ୱାରା ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ରୂପରେ ଘୋଷଣା କରାଯିବା ପୂର୍ବରୁ, ୨୦୧୩ରେ ତାଙ୍କର ଏକ ଗବେଷଣା ପୁସ୍ତକ ‘‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’’ ପ୍ରକାଶ ପାଇଥିଲା। ଏଥିରେ ସେ ଏକ ଶାସ୍ତ୍ରୀୟ ଭାଷା ଭାବେ ଓଡ଼ିଆ ଭାଷାର ବିକାଶ ଓ ଅଭିବୃଦ୍ଧି ସମେତ ଐତିହାସିକ ଅଧ୍ୟୟନଗୁଡ଼ିକର ଅବତାରଣା କରିଥିଲେ।

ଡକ୍ଟର ମିଶ୍ର ୧୯୫୦ ମସିହା ଜୁଲାଇ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକ ଭାଷା ଭିତ୍ତିକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଭଳି ମହତ ଉଦ୍ଦେଶ୍ୟ ନେଇ ସଂଖ୍ୟାଧିକ ସ୍ତମ୍ଭ ଲେଖିଥିଲେ, ଏଥିରେ ପ୍ରଭାବିତ ହୋଇ ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ।

ଡକ୍ଟର ମିଶ୍ରଙ୍କୁ ଲଗାତାର ରାଜ୍ୟ ସରକାରଙ୍କ ଦ୍ୱାରା ‘‘ଓଡ଼ିଶା ସାହିତ୍ୟ ଏକାଡେମୀ’’ର ସଦସ୍ୟ ଭାବେ ମନୋନିତ କରାଯାଇଛି ଏବଂ ନିକଟରେ ସେ ‘‘କେନ୍ଦ୍ର ସାହିତ୍ୟ ଏକାଡେମୀ’’ର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ସେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘‘ଓଡ଼ିଆ ଭାଷାର ଇତିବୃତ୍ତ’’ର ସହ ଲେଖକ ଏବଂ ଓଡ଼ିଶାର ୩୦ ଜିଲ୍ଲା ଉପରେ ପ୍ରକାଶିତ ଅଧ୍ୟାୟ ‘‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ’’ର ସହ ସମ୍ପାଦକ ଅଛନ୍ତି ଏବଂ ଏହି ଅଧ୍ୟାୟରେ ବିଭିନ୍ନ ଗବେଷଣା ସ୍ତମ୍ଭ ଲେଖିଛନ୍ତି।

ସ୍ୱାଧୀନତା ସଂଗ୍ରାମୀ ସତ୍ୟବାଦୀ ମିଶ୍ରଙ୍କ ପୁତ୍ର ଡକ୍ଟର ମିଶ୍ରଙ୍କ ପିଲାଟି ଦିନରୁ ସାହିତ୍ୟ ପ୍ରତି ରୁଚି ରହିଥିଲା। ଛାତ୍ରାବସ୍ଥାରୁ ସେ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇଥିଲେ। ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜଣେ ମହାନ ଗବେଷକ, ବକ୍ତା, ସ୍ତମ୍ଭକାର, ଆଧ୍ୟାତ୍ମିକ ପ୍ରବକ୍ତା ଏବଂ ପେସାଦାର ସମୀକ୍ଷକ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଓଡ଼ିଆ ଭାଷାର ପ୍ରାଚୀନତା ଏବଂ ଶାସ୍ତ୍ରୀୟ ଗୁଣାବଳୀର ବିଭିନ୍ନ ଦିଗକୁ ପ୍ରତିଷ୍ଠିତ କରିବା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ପ୍ରଶଂସନୀୟ। ତାଙ୍କର ଦିବ୍ୟ ପ୍ରବଚନ ମୌଳିକ ଆଧ୍ୟାତ୍ମିକ ଏବଂ ଦାର୍ଶନିକ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏବଂ ତାହା ଦିବ୍ୟ ଅନୁଭୂତି ପ୍ରଦାନ କରିଥାଏ। ନିଜର ରଚନା, ସମାଲୋଚନା, ଗବେଷଣାତ୍ମକ ନିବନ୍ଧ ଏବଂ ପ୍ରବଚନ ମାଧ୍ୟମରେ ସେ ଆନ୍ତରିକ ସତ୍ୟ, ଲୁଚି ରହିଥିବା ସାରାଂଶ ଓ ଅନ୍ତର୍ନିହିତ ରହସ୍ୟକୁ ଉଜାଗର କରିଛନ୍ତି। ସେ ଶ୍ରୀ ଜଗନ୍ନାଥ ସଂସ୍କୃତି, ରାମାୟଣ, ଶ୍ରୀମଦ ଭଗବତ ଗୀତା, ଶ୍ରୀମଦ ଭାଗବତ ଏବଂ ବେଦ ବେଦାନ୍ତର ଜଣେ ଲୋକପ୍ରିୟ ପ୍ରଚାରକ।

‘‘ଶାସ୍ତ୍ରୀୟ ଓଡ଼ିଆ’’ ଭାଷା ଉପରେ ତାଙ୍କର ସ୍ତମ୍ଭ, ଗବେଷଣା ଓ ପୁସ୍ତକ ରଚନା ପାଇଁ ଡକ୍ଟର ମିଶ୍ରଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡି.ଲିଟ୍‌ ଉପାଧିରେ ଭୂଷିତ କରାଯାଇଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ପ୍ରତି ଯୋଗଦାନ ପାଇଁ ତାଙ୍କୁ ୨୦୧୯ ବର୍ଷ ପାଇଁ ‘‘ରାଷ୍ଟ୍ରପତିଙ୍କ ମାନପତ୍ର’’ରେ ସମ୍ମାନିତ କରାଯାଇଥିଲା।

କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଡକ୍ଟର କ୍ରିଷ୍ଣା ପଟେଲ

ଡକ୍ଟର କ୍ରିଷ୍ଣା ପଟେଲ ଜଣେ ଲୋକପ୍ରିୟ ଏବଂ ବହୁମୁଖୀ ଲୋକଗାୟିକା। ସେ ୧୯୭୮ ମସିହାରେ ନିଜର ସର୍ବାଦୃତ ସମ୍ବଲପୁରୀ ଗୀତ ‘‘ରଙ୍ଗବତୀ ରଙ୍ଗବତୀ’’ ମାଧ୍ୟମରେ ସମ୍ବଲପୁରୀ ଲୋକ ସଙ୍ଗୀତକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇପାରିଥିଲେ।

ଡକ୍ଟର ପଟେଲ ୨୯ ନଭେମ୍ବର ୧୯୫୮ରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ଥିଲେ ଜଣେ ଗାୟିକା। ସେ ପିଲାଟି ଦିନରୁ ମା’ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଠାରୁ ‘ଚୌପଦୀ’ ଓ ‘ଜଣାଣ’ ଗାଇବା ଶିଖିଥିଲେ। ପରବର୍ତ୍ତୀ ସମୟରେ ସେ ଔପଚାରିକ ଭାବେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ବିଶିଷ୍ଟ ଲୋକ ଗାୟକ ସ୍ୱର୍ଗତ ଗୁରୁ ଫକୀର ମୋହନ ପଟ୍ଟନାୟକ, ଗୁରୁ ଅରୁଣ ପ୍ରସନ୍ନ ସେଠ, ଗୁରୁ ପ୍ରଦୀପ ପାତ୍ର, ଗୁରୁ ପ୍ରଭୁଦତ୍ତ ପ୍ରଧାନ ଏବଂ ଗୁରୁ ପ୍ରଫୁଲ ମିତ୍ରଙ୍କ ଠାରୁ ସେ ସଙ୍ଗୀତ ଶିଖିଥିଲେ। ୧୯୭୦ ମସିହାରେ ତାଙ୍କୁ ସମ୍ବଲପୁର ସ୍ଥିତ ଆକାଶବାଣୀରେ ଜଣେ ‘ବି’ ଗ୍ରେଡ କଳାକାର ଭାବେ ମାନ୍ୟତା ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ‘ଏ’ ଗ୍ରେଡ୍‌ କଳାକାର ଭାବେ ପଦୋନ୍ନତି ପାଇଥିଲେ । ତାଙ୍କର ପ୍ରଥମ ସଙ୍ଗୀତ ‘ଯା ଯା କଳା ଭମର….’’ ସମ୍ବଲପୁରୀ ଭାଷାରେ ରେକର୍ଡ ହୋଇ ପ୍ରସାରିତ ହୋଇଥଲା। ବିନୋଦ ପଶାୟତ ଏହି ଗୀତ ରଚନା କରିଥିଲେ। ଏହାପରେ ରାମପ୍ରସାଦ ପୁରୋହିତଙ୍କ ରଚିତ ‘‘ମନ ବଗିଚା ଥି ଫୁଟିଛେ ମଲି…’’, ଜିତେନ୍ଦ୍ର ହରିପାଲଙ୍କ ସହିତ ମିଶି ଗାଇଥିବା ଲୋକପ୍ରିୟ ଯୁଗଳ ସଙ୍ଗୀତ ‘ଆୟେ ମାଲତୀ ସୁନା ଗୁରୀ ରେ…’’, ‘‘ଆହା ରେ ଲରି ମଟର…’’ ଭଳି ଅନେକ ଗୀତ ତାଙ୍କୁ ପଶ୍ଚିମ ଓଡ଼ିଶାର କୋକିଳକଣ୍ଠୀ ଭାବେ ପରିଚିତ କରିଥିଲା।

ଘରେ ଘରେ ପରିଚିତ ସମ୍ବଲପୁରୀ ଯୁଗଳ ସଙ୍ଗୀତ ‘‘ରଙ୍ଗ ବତୀ ରଙ୍ଗ ବତୀ….’’ ଡକ୍ଟର ପଟେଲଙ୍କୁ ବିଶେଷ ପ୍ରସିଦ୍ଧି ଆଣି ଦେଇଥିଲା। ୧୯୭୬-୭୭ ମସିହାରେ ଏହି ଗୀତ ପ୍ରଥମେ ସମ୍ବଲପୁର ଆକାଶବାଣୀ ଦ୍ୱାରା ରେକର୍ଡ କରାଯାଇଥିଲା। ଏଥିରେ କଣ୍ଠଦାନ କରିଥିବା କ୍ରୀଷ୍ଣା ପଟେଲ ଏବଂ ତାଙ୍କର ସହଗାୟକ ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ର ହରିପାଲ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ୧୯୭୯-୮୦ ମସିହାରେ ରଙ୍ଗବତୀ ଗୀତକୁ କୋଲକାତାର ଇଣ୍ଡିଆନ ରେକର୍ଡ କମ୍ପାନୀ (ଆଇଏନଇଆରସିଓ) ପାଇଁ ହିନ୍ଦୁସ୍ତାନ ରେକର୍ଡସ୍‌ ପକ୍ଷରୁ ପୁନର୍ବାର ରେକର୍ଡ କରାଯାଇଥିଲା। ରଙ୍ଗବତୀ ଗୀତ ବିବିସି ଲଣ୍ଡନ ଏବଂ ରୁଷ ସମେତ ବିଶ୍ୱର ବିଭିନ୍ନ ରେଡିଓ ଷ୍ଟେସନରେ ରେକର୍ଡ ହୋଇଥିବା କୁହାଯାଏ। ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଏହି ଗୀତ ବାଜିବା ଫଳରେ ଓଡ଼ିଶାକୁ ସମ୍ମାନ ଓ ପ୍ରତିଷ୍ଠା ମିଳିଥିଲା। ଏହି ଗୀତକୁ ସମ୍ମାନ ଜଣାଇବା ଲାଗି ଓଡ଼ିଶା ସରକାର ‘ରଙ୍ଗବତୀ ଉତ୍ସବ’ ନାମକ ଏକ ମହୋତ୍ସବ ପ୍ରତି ବର୍ଷ ଆୟୋଜନ କରି ଆସୁଛନ୍ତି ଏବଂ ଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କ ପୈତୃକ ଗ୍ରାମକୁ ‘‘ରଙ୍ଗବତୀ ବିଲୁଙ୍ଗ’’ ନାମ ଦିଆଯାଇଛି।

୧୯୮୭ ମସିହାରେ ଅନୁଷ୍ଠିତ ମସ୍କୋ ଫେଷ୍ଟିଭାଲ, ୧୯୮୮ ଓ ୧୯୯୯ରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହରେ ଅନୁଷ୍ଠିତ ଦ୍ୱୀପ ମହୋତ୍ସବ, ୨୦୦୦ ମସିହାରେ ଅନୁଷ୍ଠିତ ଫେଟ-ଡି-ପଣ୍ଡିଚେରୀ କାର୍ଯ୍ୟକ୍ରମରେ ଡକ୍ଟର ପଟେଲ ଭାରତର ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ବାଲି ଯାତ୍ରା ମହୋତ୍ସବରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

ଓଡ଼ିଶାରେ ଲୋକକଳାକୁ ବଜାୟ ରଖିବା ପାଇଁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଲାଗି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତାଙ୍କୁ ୨୦୦୨ ମସିହାରେ ସମ୍ମାନିତ କରିଥିଲା। ସୃଜନଶୀଳ ଲୋକକଳା ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୦ ଏପ୍ରିଲ ୨୦୧୫ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନ ଜନକ ଡି. ଲିଟ୍‌ ଉପାଧିରେ ଭୂଷିତ କରାଯାଇଥିଲା।

କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଲେ ବୈଦ୍ୟ ପଟାୟତ କୁମାର ସାହୁ

ପଟାୟତ କୁମାର ସାହୁ ପେସାରେ ଜଣେ ବୈଦ୍ୟ। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବା ଏବଂ ଔଷଧୀୟ ବୃକ୍ଷରୋପଣ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ବିଶେଷ ଲୋକପ୍ରିୟ।

ଶ୍ରୀ ସାହୁ ୧୯୫୫ ମସିହା ଅଗଷ୍ଟ ୧୮ ତାରିଖରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ନାନ୍ଦୋଳ ଗ୍ରାମରେ ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସମସ୍ୟା ଯୋଗୁ ସେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ।

ଜେଜେ ବାପା ଶ୍ରୀ ଗୋବର୍ଦ୍ଧନ ସାହୁ ଜଣେ ବୈଦ୍ୟ ଥିଲେ, ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଶ୍ରୀ ପଟ୍ଟାୟତ ସାହୁଙ୍କ ମନରେ ପିଲାଟି ଦିନରୁ ଔଷଧୀୟ ବୃକ୍ଷ ପ୍ରତି ଆଗ୍ରହ ଜନ୍ମିଥିଲା। ଏହି ଆଗ୍ରହ ବଳରେ ସେ ନିଜର ଦେଢ଼ ଏକର ଜମିରେ ଏକ ଔଷଧୀୟ ଉଦ୍ଭିଦ ବଗିଚା ତିଆରି କରିଛନ୍ତି ଯେଉଁଥିରେ ୩୨ଶହରୁ ଅଧିକ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି। ବିଭିନ୍ନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀ ନିଜର ପ୍ରାକ୍ଟିକାଲ ଅଧ୍ୟୟନ ଏବଂ ଶିକ୍ଷାଗତ ପରିଦର୍ଶନ ନିମନ୍ତେ ଶ୍ରୀ ସାହୁଙ୍କ ବଗିଚାକୁ ଆସନ୍ତି। ୯୨୧ଟି ମୂଲ୍ୟବାନ ପୁସ୍ତକକୁ ନେଇ ଶ୍ରୀ ସାହୁ ଏକ ଆୟୁର୍ବେଦ ପାଠାଗାର ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କ ପାଇଁ ତାଙ୍କ ପାଠାଗାର ଖୋଲା ରହିଥାଏ ଏବଂ ଏଠାରେ ଦୈନିକ ଆୟୁର୍ବେଦକୁ ନେଇ ସାରଗର୍ଭକ ଆଲୋଚନା ହୋଇଥାଏ। ଶ୍ରୀ ସାହୁ ମଧ୍ୟ ଔଷଧୀୟ ବୃକ୍ଷ ଓ ଆୟୁର୍ବେଦ ଔଷଧ ଉପରେ ସ୍ତମ୍ଭ ଲେଖିଥାନ୍ତି ଏବଂ ତାଙ୍କର ଲେଖା ବିଭିନ୍ନ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶ ପାଇଥାଏ।

ଶ୍ରୀ ସାହୁଙ୍କ ମାର୍ଗଦର୍ଶନରେ କେତେକ ଅନୁଷ୍ଠାନ ଗଢ଼ି ଉଠିଛି ଏବଂ ସେମାନେ ଆୟୁର୍ବେଦ ଔଷଧକୁ ଲୋକପ୍ରିୟ କରାଇବା ଏବଂ ଔଷଧୀୟ ବୃକ୍ଷ ରୋପଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ତାଙ୍କ ମାର୍ଗଦର୍ଶନରେ ୧୯୯୯ ମସିହାରେ ଛାତିକୁଡ଼ା ଗ୍ରାମରେ ଶୁଶ୍ରୁତ ବୈଦ୍ୟ ସଂଘ ଗଠନ କରାଯାଇଥିଲା ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ଭାଗରୁ ୧୩୨ ଜଣ ପାରମ୍ପରିକ ବୈଦ୍ୟମାନେ ସଦସ୍ୟ ଅଛନ୍ତି। ପଟାୟତ ସାହୁଙ୍କ ମାର୍ଗଦର୍ଶନରେ ୨୦୦୦ ମସିହାରେ ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପ୍ରତିଷ୍ଠା କରାଯାଇଥିଲା। ସେ ମଧ୍ୟ ଫୁପଝୁଡ଼ି ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ଏବଂ ବିଦ୍ୟାଳୟରେ ଏକ ସବୁଜ ସ୍ୱାସ୍ଥ୍ୟ ଦଳ ଗଢ଼ିଛନ୍ତି। ଏହି ଦଳ ସ୍କୁଲ ପରିସରରେ ୨୦୦ କିସମର ଔଷଧୀୟ ବୃକ୍ଷ ରୋପଣ କରିଛି । ଔଷଧୀୟ ଉଦ୍ଭିଦର ଉପକାରିତାକୁ ନେଇ ସେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥାନ୍ତି।

ଘାନା ଜଙ୍ଗଲରେ ଥିବା ୩୫୦ ବିରଳ ଔଷଧୀୟ ଉଦ୍ଭିଦ ଆବିଷ୍କାର କରିଥିବା ଏକ ଦଳରେ ଶ୍ରୀ ସାହୁ ଜଣେ ସକ୍ରିୟ ସଦସ୍ୟ ଥିଲେ। ପରବର୍ତ୍ତୀ ପିଢ଼ି ଯେପରି ଔଷଧୀୟ ବୃକ୍ଷଗୁଡ଼ିକୁ ସହଜରେ ଚିହ୍ନି ପାରିବେ ସେଥିପାଇଁ ସେ ଅନେକ ଔଷଧୀୟ ଉଦ୍ଭିଦର ଫଟୋ ଓ ବିବରଣୀ ତିନୋଟି ବଡ଼ ରେଜିଷ୍ଟରରେ ଲେଖି ରଖିଛନ୍ତି। ଶ୍ରୀ ପଟ୍ଟାୟତ ସାହୁଙ୍କ ଏହି କାର୍ଯ୍ୟ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସେ ୨୬ ସେପ୍ଟେମ୍ବର, ୨୦୨୧ରେ ଲୋକପ୍ରିୟ ମନ କୀ ବାତ୍‌ କାର୍ଯ୍ୟକ୍ରମରେ ପଟ୍ଟାୟତ ସାହୁଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

ଶ୍ରୀ ସାହୁଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତାଙ୍କୁ ୨୦୦୯-୨୦୧୦ରେ ‘‘ପ୍ରକୃତି ବନ୍ଧୁ’’ ପୁରସ୍କାର ମିଳିଥିଲା। ଡଙ୍ଗରମୂରଲୀ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ୨୦୦୭ରେ ତାଙ୍କୁ ‘ବନୌଷଧୀ ପ୍ରବୀଣ’ ସମ୍ମାନ ମିଳିଥିଲା। ୨୦୧୧ରେ ସେ ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପକ୍ଷରୁ ‘‘ଆୟୁର୍ବେଦ ଶିରୋମଣି’’ ପୁରସ୍କାର ପାଇଥିଲେ। ଆରୋଗ୍ୟ ଭାରତୀ ଭୋପାଳ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ୨୦୨୧ରେ ତାଙ୍କୁ ‘ଧନ୍ୱନ୍ତରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ: ନୂତନ ଷ୍ଟାଡ଼ିୟମ ପାଇଁ କଲେ ଭୂମିପୂଜନ

କୋରାପୁଟ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କରିଛନ୍ତି। ଏହାସହ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚେୟାର ପ୍ରତିଷ୍ଠା କରାଯାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବି.ଇଡି ବିଭାଗ ଏବଂ ଓଡ଼ିଆ ବିଭାଗ ମିଳିତ ଭାବେ କୋରାପୁଟରେ କଥିତ ସମସ୍ତ ଜନଜାତି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ହଜାର ବର୍ଷ ପୂର୍ବରୁ ସମାଜର ପୂରଣ କରିବାର ଦାୟିତ୍ୱ ନେଇଥିଲେ। ଭାଷା ପାଇଁ ମଧ୍ୟ ଦାୟିତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ବର୍ତ୍ତମାନ ସମୟରେ ପେଟ୍ରୋକେମିକାଲ ସେକ୍ଟର ସବୁଠୁ ସ୍ପିଡରେ ଗ୍ରୋଥ କରୁଛି । କେବଳ ଫିଜିକ୍ସ ପଢାଇବା ନା ପେଟ୍ରୋକେମିକାଲ ରିଲେଟେଡ୍ ଆପ୍ଲାଏଡ ପେଟ୍ରୋକେମିକାଲ କେମେଷ୍ଟ୍ରି ପଢାଇବା। ତେଣୁ ଆଧୁନିକ ସମୟ ସହ ତାଳ ଦେଇ ପାଠପଢା ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ।

ମହିମା ଗୋସାଇଁଙ୍କ ବିଚାରକୁ ପ୍ରଚାର ପ୍ରସାର କରିବା ଓ ଭୀମ ଭୋଇଙ୍କ ବୌଦ୍ଧିକ ପକ୍ଷକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ପରେ ଆଜି ଉତ୍କଳ ଦିବସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ଚେୟାର ଖୋଲାଯିବା ଖୁସିର ବିଷୟ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଦାୟଦର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା, ଦକ୍ଷତା, ଜଙ୍ଗଲ ସୁରକ୍ଷା, ଜୈବ ବିବିଧତାକୁ ସମୃଦ୍ଧ କରିବା ଦିଗରେ ଅଦମ୍ୟ ସାହସ ଓ ଉତ୍ସାହ ଅଛି। କୋରାପୁଟ ମାନବ ସଭ୍ୟତାର ପ୍ରାଚୀନ ପ୍ରୟୋଗଶାଳା। ଏହି ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକବିଂଶ ଶତାବ୍ଦୀରେ ପୁନର୍ଜୀବିତ କରିବା। ଏହାସହ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବାର ସମୟ ଅବଧିରେ ଯୁବପିଢିଙ୍କୁ ବଡ ଭାବିବା ବଡ ସ୍ୱପ୍ନ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ।

ଉଲ୍ଲେଖନୀୟ ଯେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକଙ୍କ ସହ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ। କୋରାପୁଟର ସ୍ଥାନୀୟ କୁଇ ଭାଷାରେ ଗବେଷଣା କରିବା, ଅଞ୍ଚଳର ଜୈବିକ ଚାଷକୁ ପ୍ରୋତ୍ସାହନ, ଭାରତମାଳା ପ୍ରକଳ୍ପ ଦ୍ୱାରା ଅର୍ଥନୀତିର ଅଭିବୃଦ୍ଧି ଏବଂ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଦିଗରେ ଆଲୋଚନା କରିଥିଲେ। ଏହାସହ ପ୍ରାଧ୍ୟାପକ ନିଯୁକ୍ତି ସହ କ୍ୟାମ୍ପସର ଓଭରାଲ କ୍ୟାପିଟାଲ ସ୍ପେଣ୍ଡିଂ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଧାରିତ ପାଠ୍ୟକ୍ରମ ନେଇ ଆଲୋଚନା ହୋଇଥିଲା। ସେଣ୍ଟରାଲ ୟୁନିଭରସିଟିର ଶ୍ରୀବୃଦ୍ଧି କରିବା ପାଇଁ ସବୁ ପଦକ୍ଷେପ ନିଆଯିବା ନେଇ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି।

ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧି ମାନେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ଜନ ଭାଗିଦାରୀ’ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଓଡ଼ିଶାର ୩୦ ଟି ଜିଲ୍ଲାରେ କୁଇଜ, ପ୍ରବନ୍ଧ, ବକ୍ତୃତା, ଆଲୋଚନା ଚକ୍ର ଓ ୱେବିନାର, ବିଭିନ୍ନ କ୍ରିଡା କାର୍ଯ୍ୟକ୍ରମ, ମକ୍ ଜି-୨୦, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଖାଦ୍ୟ ଉତ୍ସବ ଓ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଇତ୍ୟାଦିର ଆୟୋଜନ କରାଯିବ। ସୋଆକୁ ଏଥି ନିମନ୍ତେ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଛି। ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ସୋଆକୁ ଦାୟିତ୍ୱ ଦିଆଯାଇଛି।

ବିଭିନ୍ନ ସ୍କୁଲ୍‌, ଆଇଟିଆଇ, ପଲିଟେକ୍ନିକ୍‌, ଇଞ୍ଜିନିୟରିଂ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ଜନ ଶିକ୍ଷଣ ସଂସ୍ଥାନର ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗ ଦେବେ।

ଏହି ଅବସରରେ ଆୟୋଜିତ ଏକ ବୈଠକରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମ ନେଇ ଆନନ୍ଦ ପ୍ରକାଶ କରିବା ସହ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଉତ୍କଳ ଦିବସ ଅବସରରେ ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ସମସ୍ତ ଫ୍ୟାକଲ୍ଟି ମେମ୍ବର, କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତମ ଶିକ୍ଷା ଓ ଅଭିନବ ଗବେଷଣାକୁ ନେଇ ପ୍ରତିଷ୍ଠିତ ସୋଆ ଜାତୀୟ ସ୍ତରରେ ଆହୁରି ସୁନାମ ଅର୍ଜନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତାକୁ ବଜାୟ ରଖିବା ସହ ଇନ୍‌ଟର ଡିସିପ୍ଲିନାରୀ ଓ କ୍ରସ୍ ଡିସିପ୍ଲିନାରୀ ଗବେଷଣାକୁ ଅଧିକ ପ୍ରାଧାନ୍ୟ ଦେବାକୁ ନୂତନ ଭାବେ ସୋଆର କୁଳପତି ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ନନ୍ଦ କହିଛନ୍ତି।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଜନ ଭାଗିଦାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଟିଆ ପ୍ରସଙ୍ଗରେ ଓଡ଼ିଶା ବିଜେପି ନେତାଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ଵର: କେନ୍ଦ୍ରରେ ୯ ବର୍ଷ ହେଲା ବିଜେପି ସରକାର ଶାସନ କରୁଛି। ଓଡ଼ିଶାରୁ ବିଜେପିର ୮ ଜଣ ସାଂସଦ ଲୋକସଭାକୁ ଯାଇଛନ୍ତି। ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ମାତ୍ର ଓଡ଼ିଶା ବିଜେପିର ଏହି ନେତାମାନେ କେବେ ସଂସଦରେ କୋଟିଆ ପ୍ରସଙ୍ଗ ଉଠାଇଛନ୍ତି କି? ଦିନକ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି କି? ନିଜ ଦାୟିତ୍ବ ନିର୍ବାହ ନକରି ସେମାନେ ଏବେ କୋଟିଆକୁ ନେଇ ହୀନ ରାଜନୀତି ଚଳାଇଛନ୍ତି। ସେମାନେ ଚାହୁଁଛନ୍ତି କୋଟିଆ ଓଡ଼ିଶାରୁ ଯାଉ ଏବଂ ଓଡ଼ିଶା ଅପଦସ୍ତ ହେଉ। ଆଜି ବିଧାନସଭାରେ ବିଜେପି ବିଧାୟକମାନେ କୋଟିଆ ପ୍ରସଙ୍ଗ ଉଠାଇବା ପରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ସେମାନଙ୍କୁ ଏଭଳି ଢଙ୍ଗରେ କଡ଼ା ଜବାବ ଦେଇଛନ୍ତି।

ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ ବିଧାନସଭାରେ ସମସ୍ତଙ୍କର କହିବାର ଅଧିକାର ଅଛି। ବିରୋଧୀ ଦଳ ମଧ୍ୟ ବିଧାନସଭାରେ ଓଡ଼ିଶାବାସୀଙ୍କ ବିଭିନ୍ନ ସମସ୍ୟା ଉଠାଇବା କଥା। ମାତ୍ର ଓଡ଼ିଶାବାସୀଙ୍କ ସ୍ବାର୍ଥ ବା ହିତ ଲାଗି ସେମାନଙ୍କର କୌଣସି ଆନ୍ତରିକତା ନାହିଁ। ବିରୋଧୀ ଦଳ ପାଖରେ ବିଶେଷ କିଛି ପ୍ରସଙ୍ଗ ନ ଥିବାରୁ ଗତ ପ୍ରାୟ ମାସେ ହେଲା ସେମାନେ ୨/୩ଟି ପ୍ରସଙ୍ଗ ବାରମ୍ବାର ଉଠାଇ ଚାଲିଛନ୍ତି। ଏଭଳି କରି ସେମାନେ ବିଧାନସଭାକୁ ମକେରିରେ ପରିଣତ କରି ସାରିଲେଣି।

କୋଟିଆ ପ୍ରସଙ୍ଗରେ ବିଜେପିକୁ ତୀବ୍ର ସମାଲୋଚନା କରି ଶ୍ରୀ ସାହୁ କହିଛନ୍ତି, କୋଟିଆ ଏକ ଅନ୍ତଃରାଜ୍ୟ ସୀମା ବିବାଦର ପ୍ରସଙ୍ଗ ହୋଇଥିଲେ ମଧ୍ୟ ବିଜେପି ଏହାକୁ ନେଇ କେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ନାହିଁ। ଓଡ଼ିଶାର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଦୀର୍ଘ ବର୍ଷ ଧରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପଦରେ ରହିଲେ। ମାତ୍ର ଓଡ଼ିଶା ବିଜେପିର ନେତାମାନେ କୋଟିଆ ସମସ୍ୟା ସମାଧାନ ପାଇଁ ତାଙ୍କ ପାଖରେ ମଧ୍ୟ କେବେ ଫେରାଦ ହୋଇନାହାନ୍ତି। ଏଥିରୁ ଜଣାପଡ଼ୁଛି, ଓଡ଼ିଶାର ସୀମା ସମସ୍ୟାର ସମାଧାନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପିର କୌଣସି ଆନ୍ତରିକତା କେବେ ନ ଥିଲା କି ଆଜି ମଧ୍ୟ ନାହିଁ। ବିଭିନ୍ନ ପ୍ରସଙ୍ଗରେ ସେମାନେ କେବଳ ମିଥ୍ୟା ପ୍ରଚାର କରି ନିମ୍ନ ମାନର ରାଜନୀତି କରିବା ଶିଖିଛନ୍ତି। କୋଟିଆ ପ୍ରସଙ୍ଗରେ ମଧ୍ୟ ସେମାନେ ତାହାହିଁ କରୁଛନ୍ତି।

ଏହା ବ୍ୟତୀତ କୋଟିଆରେ ବହୁ ସଂଖ୍ୟାରେ ରହୁଥିବା ଦୋରା ଜାତିର ଲୋକେ ମୂଳତଃ ଆଦିବାସୀ ହୋଇଥିଲେ ମଧ୍ୟ ସେମାନଙ୍କୁ ଏଯାଏ ଅନୁସୂଚିତ ଜନଜାତିର ମାନ୍ୟତା ମିଳି ନାହିଁ। ଅପରପକ୍ଷରେ ସୀମା ସେପଟେ ଆନ୍ଧ୍ରପ୍ରଦେଶରେ ରହୁଥିବା ଦୋରାମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦୋରା ଜାତିକୁ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏତେବର୍ଷ ହେଲା କେନ୍ଦ୍ର ସରକାର ଏହା କାହିଁକି କରୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଯାହା କରିବା କଥା ତାହା କରୁଥିବା ଦର୍ଶାଇ ଶ୍ରୀ ସାହୁ କହିଛନ୍ତି ଯେ କୋଟିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ କୋଟିଆବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ୧୦୦ କୋଟିର ପ୍ୟାକେଜ୍ ପ୍ରଦାନ କରିଛନ୍ତି। ତେଣୁ ଏଠି ମୁହଁ ଭୁରୁଡ଼ି ନ ମାରି ଓଡ଼ିଶା ବିଜେପି ନେତାମାନେ ଯଦି ପାରୁଛନ୍ତି ଦିଲ୍ଲୀ ଯାଆନ୍ତୁ ଏବଂ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରରେ ଥିବା ନିଜ ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ଵର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ପଦ୍ମପୁରର ବିଜେଡି ବିଧାୟିକା ବର୍ଷା ସିଂ ବରିହା। ଓଡ଼ିଶା ସଂପର୍କରେ ମିଥ୍ୟା ଅଭିଯୋଗ ତଥା ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଛନ୍ତି।

ଆଜି ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଏବଂ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବର୍ଷା କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଏବଂ ଜଣେ ମହିଳା ବୋଲି ଅପମାନିତ କରୁଥିଲେ ଆପଣ ସେତେବେଳେ ଚୁପ୍ ରହିଥିଲେ। ପଦ୍ମପୁରବାସୀ ଏହାକୁ ନାପସନ୍ଦ କଲେ ଏବଂ ଉପନିର୍ବାଚନରେ ଆପଣଙ୍କ ଦଳକୁ ଏହାର ଉଚିତ ଜବାବ ଦେଲେ। ମାତ୍ର ଏଥିରୁ ଆପଣ ବୋଧହୁଏ କିଛି ଶିକ୍ଷା ଲାଭ କଲେ ନାହିଁ। ଏବେ ଆପଣ ନିଜେ ଓଡ଼ିଶାବାସୀ ଅରାଜକତା କରୁଥିବା କହି କୋଟି କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି। ବୋଧହୁଏ ଅରାଜକତା ଏବଂ ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା କ’ଣ ତାହା ଆପଣ ଜାଣି ନାହାନ୍ତି। ତାହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ଆଇନଶୃଙ୍ଖଳା ସ୍ଥିତି କ’ଣ ତାହା ଦେଖନ୍ତୁ କହି ବର୍ଷା ତାଙ୍କ ଟୁଇଟ୍ରେ ଏଭଳି ଅରାଜକତାର କିଛି ଭିଡିଓ ମଧ୍ୟ ସେୟାର କରିଥିଲେ।

ଏହି ଅବସରରେ ବର୍ଷା କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରି ଆହୁରି କହିଥିଲେ ଯେ ପ୍ରଥମେ ଆପଣମାନେ ମୋ ଭଳି ଓଡ଼ିଶାର ମହିଳାମାନଙ୍କୁ ଅପମାନିତ କଲେ, ଆଉ ଏବେ ତୁଛା ମିଛ ପ୍ରଚାର କରି ଓଡ଼ିଶାବାସୀଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆପଣଙ୍କୁ ଲଜ୍ଜା ଲାଗିବା ଦରକାର। ସ୍ବାଭିମାନୀ ଏବଂ ଶାନ୍ତିପ୍ରିୟ ଓଡ଼ିଶାବାସୀ ସେମାନଙ୍କ ବିରୋଧରେ ଆପଣଙ୍କର ଏଭଳି ଟିପ୍ପଣିକୁ କେବେହେଲେ ବରଦାସ୍ତ କରିବେ ନାହିଁ।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଆଇନଶୃଙ୍ଖଳା ଓ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝାଇଲେ ଡ.ସସ୍ମିତ ପାତ୍ର

ଭୁବନେଶ୍ୱର: ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠାରେ କାଁଭାଁ ଅପରାଧ ହୁଏ ସତ, ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ନାହିଁ। ଦେଶର ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ଅଛି। ତେଣୁ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏଭଳି ଅପପ୍ରଚାର ଜରିଆରେ ଶାନ୍ତିପ୍ରିୟ ଓଡ଼ିଶା ବାସୀ ଏବଂ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଟୁଇଟ୍ର ଜବାବ ଦେବାକୁ ଯାଇ ଏଭଳି ଟୁଇଟ୍ କରିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର।

ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ କରିଥିବା ଏକାଧିକ ଟୁଇଟ୍ରେ ଡ.ପାତ୍ର ଉଲ୍ଲେଖ କରିଛନ୍ତି ଯେ ଭାଇ, ଆପଣ ଏତେ ଲମ୍ବା ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିଲା ସତ୍ତ୍ବେ ଆପଣ କିପରି ଆଇନଶୃଙ୍ଖଳା ବା ଅରାଜକତା ଏବଂ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝି ପାରିଲେ ନାହିଁ, ତାହା ମୋତେ ବିସ୍ମିତ କରୁଛି। ଆଇନଶୃଙ୍ଖଳା ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ପଦ୍ମପୁରରେ ଏକ ଜିଏସ୍ଟି ଚଢ଼ଉ ଚାଲିଥିବାବେଳେ ଶତାଧିକ ବିଜେପି କର୍ମୀ ସେଠାରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ ଏବଂ ଜିଏସ୍ଟି ଅଧିକାରୀଙ୍କ ହାତରୁ କାଗଜପତ୍ର ଛଡ଼ାଇ ନେଇଥିଲେ। କାରଣ ଜିଏସ୍ଟି ଫାଙ୍କିଥିବା ଜଣେ ଅସାଧୁ ବ୍ୟବସାୟୀଙ୍କୁ ସେମାନେ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ।

ସେହିପରି ଯେତେବେଳେ କେନ୍ଦ୍ରୀୟ ଅବହେଳା ଯୋଗୁଁ ସମ୍ବଲପୁର-କଟକକୁ ଯୋଡ଼ୁଥିବା ଏନ୍ଏଚ୍-୫୫ର ପ୍ରଶସ୍ତିକରଣ କାର‌୍ୟ୍ୟ ବର୍ଷ ବର୍ଷ ବିଳମ୍ବିତ ହେଉଥିଲା ଏବଂ ଏହାର ପ୍ରତିବାଦରେ ୫୦୦ରୁ ଅଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ, ସେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖାଲି ସେତିକି ନୁହେଁ, ଯେତେବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶାରୁ ଲୋକଙ୍କ ବଳକା ଧାନ କିଣା ହୋଇ ପାରୁନଥିଲା ଏବଂ ହଜାର ହଜାର ଚାଷୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେତେବେଳେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଏକ ଅପରାଧ ଘଟାଇଲେ, ପୁଲିସ ଏହାର ତଦନ୍ତ କରି ଅପରାଧୀକୁ କାଠଗଡ଼ା ନେଇଥାଏ। ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆହ୍ବାନ ଦେଇଛନ୍ତି। ୨୦୨୧ ମସିହା ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ହରିଆନା ଭଳି ବିଜେପି ଶାସିତ ରାଜ୍ୟରେ ମହିଳାଙ୍କୁ ବଳାତ୍କାର ମାମଲା, ଓଡ଼ିଶା ତୁଳନାରେ କେତେ ଅଧିକ ଅଛି ତାହା ଆପଣ ଜାଣନ୍ତି ତ? ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ହତ୍ୟା ମାମଲା ମଧ୍ୟ ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମରୁଡି ସମ୍ପର୍କିତ ଆନ୍ତର୍ଜାତିକ କର୍ମଶାଳାରେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ ନେଇ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ, ତଥ୍ୟର ଅନୁଶୀଳନ ଏବଂ ମରୁଡି ସଂପର୍କରେ ଆଗୁଆ ସଂକେତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କର୍ମଶାଳାରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି।

ଏହି କର୍ମଶାଳାରେ ଆମେରିକାର ଟେକ୍ସାସ୍ ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିନାୟକ ମହାନ୍ତି ଯୋଗ ଦେଇ ମରୁଡି ପରିସ୍ଥିତିରେ ଭଲ ଫସଲ ଓ ଜଳ ପରିଚାଳନା କ୍ଷେତ୍ରରେ ସଏଲ ମଏଶ୍ଚର ଡାଏନାମିକ୍ସ ଓ ଟେମ୍ପୋରାଲ୍ ଭାରିଏବିଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ।

ସୋଆ ପରିଚାଳିତ ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ‘ଡ୍ରଟ ସିନାରିଓ ଇନ୍ ଓଡ଼ିଶା: ଆଡାପ୍‌ଟେସନ୍ ଆଣ୍ଡ ମିଟିଗେସନ୍ ଷ୍ଟ୍ରାଟେଜିସ୍‌’ ଶୀର୍ଷକ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

ସଏଲ୍ ମଏଶ୍ଚର, ସଏଲ୍ ହାଇଡ୍ରୋଲିକ୍ସ ଓ ଇଭାପୋଟ୍ରାନ୍ସପିରେସନ୍ ଉପରେ ସାଟେଲାଇଟ୍ ରିମୋଟ୍ ସେନ୍ସିଂ ଟୁଲ୍ ବ୍ୟବହାର କରି ଗବେଷଣା କରିବାରେ ପ୍ରଫେସର ମହାନ୍ତିଙ୍କ ବିଶ୍ୱସ୍ତରରେ ସୁଖ୍ୟାତି ରହିଛି। ସେ ନାସା ସଏଲ୍ ମଏଶ୍ଚର ଆକ୍ଟିଭ୍ ପାସିଭ୍ ମିସନ୍‌ର ସାଇନସ୍ ଟିମ୍‌ରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହାଛଡା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଛନ୍ତି।

ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ମରୁଡି ପରିସ୍ଥିତିରେ କୃଷି, ଉଦ୍ୟାନ ବିଦ୍ୟା, ଆଗ୍ରୋ ଫରେଷ୍ଟ୍ରି ତଥା ପଶୁପାଳନ ଉପରେ ପଡୁଥିବା ପ୍ରଭାବ ଏବଂ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ବ୍ଲକଗୁଡ଼ିକୁ ସମ୍ମିଳିତ ଚାଷ ମାଧ୍ୟମରେ ଏହି ସମସ୍ୟାର ନିରାକରଣ ଦିଗରେ କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା।

ଏହି କର୍ମଶାଳାରେ ଅନ୍ୟ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଇସିଏଆର୍‌-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱର ର ନିର୍ଦ୍ଦେଶକ ଡକ୍ଟର ଅର୍ଜାମଦତ ଷଡ଼ଙ୍ଗୀ, ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସଏଲ୍ ଆଣ୍ଡ ୱାଟର କନ୍‌ଜରଭେସନ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର, ସୋଆ ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ ପଣ୍ଡା, ଆଇଆଇଟି ଭୁବନେଶ୍ୱରର ଡକ୍ଟର ମିନୁ ରାମଦାସ, ଓଡ଼ିଶା ମିଲେଟ୍ ମିସନ୍‌ର ଆଂଚଳିକ ସଂଯୋଜକ ଶ୍ରୀ ସଞ୍ଜିବ କୁମାର ନାୟକ, ସୋଆ ଆଇଏଏସ୍‌ର ଆଗ୍ରୋନୋମୀ ବିଭାଗର ପ୍ରଫେସର ବାସୁଦେବ ବେହେରା, ସିସିଏସଏ ର ଡକ୍ଟର ନିହାର ରଂଜନ ଦାସ, ଆଇଏଏସ୍‌ର ଡକ୍ଟର ପ୍ରଭାତ ଷଡଙ୍ଗୀ ଏବଂ ଆଇଆଇଟି ଭୁବନେଶ୍ୱରର ପୂର୍ବତନ ରିସର୍ଚ୍ଚ ସ୍କଲାର ଡକ୍ଟର ବସୁନ୍ଧରା ବୋର୍ଡେ ପ୍ରମୁଖ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଦୁଇଟି ଟେକ୍ନିକାଲ୍ ସେସନ୍ ହୋଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ବିଶିଷ୍ଟ ବାତାବରଣ ବିଜ୍ଞାନ ବିଶେଷଜ୍ଞ ପ୍ରଫେସର ୟୁ.ସି ମହାନ୍ତି।

ସୋଆ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସିସିଏସ୍‌ଏର ଲକ୍ଷ୍ୟ ରହିଛି ପରିବର୍ତିତ ଜଳବାୟୁ ପରିସ୍ଥିତି ସହ ଖାପ ଖୁଆଇ ଅଭିନବ ଓ ଉନ୍ନତ ମାନର କୃଷି କାର୍ଯ୍ୟକୁ ଆଗେଇ ନେବା ଏବଂ ଏହା ଦ୍ୱାରା କୃଷକମାନଙ୍କର କିଭଳି ଆର୍ଥିକ ସ୍ତରରେ ଉନ୍ନତି ହୋଇପାରିବ ସେ ଦିଗରେ ଧ୍ୟାନ ଦେବା ବୋଲି ଏହାର ନିର୍ଦ୍ଦେଶକ ପ୍ରଫେସର ପଣ୍ଡା କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଜିଓର ଏକ ବଳିଷ୍ଠ ପଦକ୍ଷେପ: ଜେସିଏ

ଭୁବନେଶ୍ୱର: ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଜିଓ ଏକ ଅଭିନବ ପଦକ୍ଷେପ ହାତକୁ ନେଇଛି। ମହିଳାମାନଙ୍କୁ ସଶକ୍ତ କରିବା ସହିତ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ ଅତ୍ୟନ୍ତ ଉତ୍ସାହର ସହ କମ୍ପାନି ଏହି ନୂଆ କାର୍ଯ୍ୟକ୍ରମ ଚଳାଇଛି। ଘରେ ରହି କାର୍ଯ୍ୟ କରିବାର ସୁବିଧା ଏବଂ ଅର୍ଥ ଉପାର୍ଜନର ଯେଉଁ ବଳିଷ୍ଠ ସୁଯୋଗ ମହିଳାମାନଙ୍କୁ ମିଳିଛି ତାହା ହେଲା ଜିଓ କଷ୍ଟମର ଆସୋସିଏଟ୍ ପ୍ରୋଗ୍ରାମ (ଜେସିଏ)।

ଏହି ଅତ୍ୟନ୍ତ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୫୦୦ରୁ ଅଧିକ ସୁଖୀ ମହିଳା ଜେସିଏଭାବେ କାର୍ଯ୍ୟ କରୁଛନ୍ତି। ଛାତ୍ରୀ, ଆତ୍ମନିଯୁକ୍ତ ଯୁବତୀ, ଗୃହିଣୀ, କ୍ଷୁଦ୍ର ବ୍ୟବସାୟ ଆଦି ଭିନ୍ନ ଭିନ୍ନ ପୃଷ୍ଠଭୂମିର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଜିଓ ଗ୍ରାହକମାନଙ୍କୁ ସହାୟତା କରୁଛନ୍ତି।

ନିରନ୍ତର ତାଲିମ, ଦକ୍ଷତା ବିକାଶ ଏବଂ ଡିଜିଟାଲ ଉପକରଣ ଜରିଆରେ ଏହି ଜେସିଏମାନେ ଗ୍ରାହକମାନଙ୍କୁ ସବୁପ୍ରକାର ସହାୟତା ପ୍ରଦାନ କରିବାରେ ସମର୍ଥ ହେଉଛନ୍ତି। ଫୋନ୍ ରିଚାର୍ଜ କରିବା, ଅନଲାଇନ୍ ଦେୟ ପ୍ରଦାନ ସହିତ ଗ୍ରାହକଙ୍କୁ ଅଭ୍ୟସ୍ତ କରାଇବା, ସମ୍ଭାବ୍ୟ ଗ୍ରାହକଙ୍କୁ କ୍ରୟ ନିଷ୍ପତ୍ତି ନେବା ଆଦି ର ସହଯୋଗ କରିବା କ୍ଷେତ୍ରରେ ଜେସିଏମାନେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଗ୍ରାହକଙ୍କୁ ସେବା ପ୍ରଦାନ ସମୟରେ ସେମାନଙ୍କୁ କିଭଳି ବ୍ୟବହାର ପ୍ରଦାନ କରାଯିବ ତାହା ଡିଜିଟାଲ ଜରିଆରେ କାର୍ଯ୍ୟ କରିବା ସମୟରେ ଶିଖିବା ଫଳରେ ଏହି ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ। ଏହା କେବଳ ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହେଉନାହିଁ ବରଂ ସବୁ ଭାରତୀୟଙ୍କ ପାଇଁ ଜିଓ ଡିଜିଟାଲ ଲାଇଫ ମିସନକୁ ଫଳପ୍ରଦ କରିପାରୁଛି।

ଏଥିସହିତ ଅସଂଖ୍ୟ ଜିଓ ଗ୍ରାହକ, ବିଶେଷକରି ଆଭ୍ୟନ୍ତରୀଣ ଅଂଚଳରେ ବସବାସ କରୁଥିବା ଗ୍ରାହକଙ୍କ ପାଇଁ ଜିଓ କଷ୍ଟମର ଆସୋସିଏଟ ପ୍ରୋଗ୍ରାମ ବରଦାନ ସାବ୍ୟସ୍ତ ହୋଇଛି । କାରଣ ସେହି ଗ୍ରାହକଙ୍କ ପାଇଁ ଭାଷା ଆଉ ପ୍ରତିବନ୍ଧକ ହୋଇ ରହିନାହିଁ। ଗ୍ରାହକମାନେ ସେମାନଙ୍କ ନିଜ ଆଞ୍ଚଳିକ ବା କଥିତ ଭାଷାରେ କଥାବାର୍ତ୍ତା ହୋଇ ପାରୁଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ବିଭିନ୍ନ ଉତ୍ପାଦ ଓ ସେବା ସମ୍ପର୍କରେ ଭଲଭାବେ ଅବଗତ ହୋଇପାରୁଛନ୍ତି।

ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ର ଜଣେ ଗୃହିଣୀ ତରଙ୍ଗିଣୀ ରାଉତରାୟ କୁହନ୍ତି, ଜେସିଏ କାର୍ଯ୍ୟକ୍ରମ ତାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇପାରିଛି ଏବଂ ଆର୍ଥିକ ଦୃଷ୍ଟିରୁ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଘରେ ରହି ସେ ରୋଜଗାର କରିପାରୁଛନ୍ତି। ଏହାଦ୍ୱାରା ସେ ତାଙ୍କ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସହଯୋଗ କରିବା ସହିତ ତାଙ୍କ ୭ ବର୍ଷର ପୁଅ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା କରିପାରିଛନ୍ତି। ଘରୁ ଆରାମରେ ଏବଂ ନିରାପଦରେ ତାଙ୍କ ସୁବିଧା ଅନୁଯାୟୀ କାମ କରିପାରୁଥିବାରୁ ସେ ଅତ୍ୟନ୍ତ ଖୁସି। ଜେସିଏ ଭାବେ କାର୍ଯ୍ୟ କରି ସେ ତାଙ୍କ କାମ ଏବଂ ପାରିବାରିକ ଦାୟିତ୍ୱ ସଂପାଦନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିପାରୁଛନ୍ତି ବୋଲି ମତ ରଖିଛନ୍ତି।

ରାୟଗଡ଼ାର ଗୃହିଣୀ ବନ୍ଦନା ମହାରଣା ପ୍ରଥମେ ଯେତେବେଳେ ଜେସିଏ କାର୍ଯ୍ୟକ୍ରମ ସଂପର୍କରେ ଜାଣିବାକୁ ପାଇଲେ ସେତେବେଳେ ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଘରୁ ତାଙ୍କ ସମୟ ସୁବିଧା ଅନୁସାରେ କାମ କରି ରୋଜଗାର କରିପାରିବେ। ସେ ସଦାସର୍ବଦା ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାକୁ ଉଦ୍ୟମ କରୁଥିଲେ। ତେବେ ବିବାହ ପରେ ପରିବାରର ଦାୟିତ୍ୱ ସମ୍ଭାଳିବା ପାଇଁ ପୂର୍ବରୁ ଏକ କ୍ଷୁଦ୍ର ସଂସ୍ଥାରେ ସେ କରୁଥିବା ଆକାଉଟାଂଟ ଚାକିରି ତାଙ୍କୁ ଛାଡ଼ିବାକୁ ପଡ଼ିଲା। ତେବେ ସେ ବର୍ତ୍ତମାନ ଅତ୍ୟନ୍ତ ଖୁସି। କାରଣ ପୂର୍ବରୁ ପୂର୍ଣ୍ଣକାଳୀନ କାର୍ଯ୍ୟ କରି ସେ ଯେତିକି ରୋଜଗାର କରୁଥିଲେ ବର୍ତ୍ତମାନ ଘର ଦାୟିତ୍ୱ ସମ୍ଭାଳିବା ସହିତ ଘରୁ ସାମୟିକ ଭାବେ କାର୍ଯ୍ୟ କରି ତା’ଠାରୁ ଅଧିକ ରୋଜଗାର କରିପାରୁଛନ୍ତି । ସେ ଗର୍ବର ସହିତ କୁହନ୍ତି, ଜେସିଏ ଭାବେ କାର୍ଯ୍ୟ କରିବା ପରେ ନିଜ ପାଇଁ ସ୍କୁଟର କିଣିବା ଲାଗି ରଖିଥିବା ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିପାରିଛନ୍ତି।

କଳାହାଣ୍ଡି ଗୋଲାମୁଣ୍ଡାର କୁମୁଦିନୀ ଓ ଋକ୍ମିଣୀ ଗତବର୍ଷ ସେମାନଙ୍କ ସ୍ନାତକ ପାଠପଢ଼ା ଶେଷ କରିବା ପରେ ଜେସିଏ ଭାବେ ପ୍ରାୟ ବର୍ଷେ ହେଲା କାର୍ଯ୍ୟ କରୁଛନ୍ତି। ଜେସିଏ ଭାବେ କାମ କରିବାର ଅଭିଜ୍ଞତା ସଂପର୍କରେ କୁମୁଦିନୀ କୁହନ୍ତି, ଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ନେବା ସମୟରେ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି। ତାଲିମ ତାଙ୍କ ଆତ୍ମବିଶ୍ୱାସ ଏବଂ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାର ଦକ୍ଷତାକୁ ବଢ଼ାଇଛି। ସେହିଭଳି ଋକ୍ମିଣୀ କୁହନ୍ତି, ଗ୍ରାହକଙ୍କୁ ସେ ତାଙ୍କ ନିଜ ଭାଷାରେ ବିସ୍ତୃତ ଭାବେ ବୁଝାଇବା ଏବଂ କଥା ହେବା ସମୟରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥାନ୍ତି। ଏଥିସହିତ ଜେସିଏ ଭାବେ କାମ କରି ସେ ଯେଉଁ ରୋଜଗାର କରୁଛନ୍ତି ସେଥିରେ ସେ ତାଙ୍କ ସାନ ଭଉଣୀର ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିପାରୁଥିବାରୁ ବେଶ୍ ଖୁସୀ ବୋଲି ସେ କୁହନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପିଲାମାନେ ସ୍କୁଲ ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଡିଆଇଏସଇ ପ୍ଲସର ବିଶ୍ୱସନୀୟତା ଏବଂ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାମାନଙ୍କର ସ୍କୁଲ ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରୁ ଶିକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ଯେ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ରାଜ୍ୟ ବିଧାନସଭାରେ ଓଡ଼ିଶାର ପିଲାମାନଙ୍କର ସ୍କୁଲ ଡ୍ରପ୍‌ଆଉଟ୍‌ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ। ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍‌ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ ବିଶ୍ୱସନୀୟ ନୁହେଁ ବୋଲି ଦର୍ଶାଇଥିଲେ।

ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶିକ୍ଷା ପାଇଁ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ବା ୟୁନିଫାଏଡ୍‌ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ (ୟୁଡିଆଇଏସଇ ପ୍ଲସ) ତଥ୍ୟ କେବଳ ଭରସାଯୋଗ୍ୟ ନୁହେଁ ବରଂ ଦେଶରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକମାତ୍ର ସର୍ବଭାରତୀୟ ଓ ସବୁଠୁ ବିଶ୍ୱସନୀୟ ଡେଟାବେସ। ୟୁଡିଆଇଏସଇ ପ୍ଲସ ହେଉଛି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟତମ ସର୍ବବୃହତ ସୂଚନା ପରିଚାଳନା ବ୍ୟବସ୍ଥା। ଏହି ଡେଟାବେସରେ ୧୪.୮୯ ଲକ୍ଷରୁ ଅଧିକ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ଏବଂ ୨୬ କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ସବୁ ରାଜ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ତଥ୍ୟ ସଂକଳନ ପ୍ରସ୍ତୁତ କରିଥାନ୍ତି ଏବଂ ଏହା ବ୍ଲକ/କ୍ଲଷ୍ଟରସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ, ଏହିପରି ତ୍ରିସ୍ତରୀୟ ପ୍ରାମାଣିକରଣ/ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିଥାଏ। ଶେଷରେ ରାଜ୍ୟ ସ୍ତରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଏସପିଡି)ଙ୍କ ଦ୍ୱାରା ଏହି ତଥ୍ୟକୁ ଚୁଡ଼ାନ୍ତ ପ୍ରମାଣିତ କରାଯାଇଥାଏ। ସମ୍ପୃକ୍ତ ରାଜ୍ୟର ଏସପିଡିଙ୍କ ଦ୍ୱାରା ଥରେ ପ୍ରମାଣିତ ହେବା ପରେ ଏହି ତଥ୍ୟକୁ ରାଜ୍ୟ ଦ୍ୱାରା ଅନୁମୋଦିତ ହେଲା ବୋଲି ଧରାଯାଏ। ତେଣୁ, ସମ୍ପୃକ୍ତ ରାଜ୍ୟ ଦ୍ୱାରା ହିଁ ନିଜ ଆଡ଼ୁ ୟୁଡିଆଇଏସଇ+ ପୋର୍ଟାଲରେ ତଥ୍ୟ ପ୍ରଦାନ କରାଯାଇଛି।

ଦେଶରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ‘ଏକ ରାଷ୍ଟ୍ର ଏକ ଡେଟା ବେସ’ ଭାବେ ୟୁଡିଆଇଏସଇ+ କାର୍ଯ୍ୟ କରିଥାଏ। ଦେଶରେ ଥିବା ସବୁ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ବିଦ୍ୟାଳୟ, ଶିକ୍ଷକଶିକ୍ଷୟିତ୍ରୀ, ନାମଲେଖା, ଭିତ୍ତିଭୂମି ସଂକ୍ରାନ୍ତରେ ତଥ୍ୟ ରେକର୍ଡ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁଡିଆଇଏସଇ ପ୍ଲସ ଅନଲାଇନ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ୟୁଡିଆଇଏସଇ ପ୍ଲସରେ ତଥ୍ୟ ସଂଗ୍ରହ ଢାଞ୍ଚା ବା ଡେଟା କେପ୍ଚର ଫର୍ମାଟ (ଡିସିଏଫ) ଜରିଆରେ ବିଦ୍ୟାଳୟ ୱାରୀ ତଥ୍ୟ ସଂଗ୍ରହ କରାଯାଇଥାଏ। ସବୁ ବିଦ୍ୟାଳୟକୁ ଲଗ ଇନ୍‌ ଆଇଡି ଓ ପାସୱର୍ଡ ଦିଆଯାଇଛି ଯାହାଫଳରେ ସମ୍ପୃକ୍ତ ବିଦ୍ୟାଳୟ ନିଜେ ସଂକଳିତ କରିଥିବା ତଥ୍ୟକୁ ଅନଲାଇନ ମାଧ୍ୟମରେ ଅପଲୋଡ୍‌ କରିପାରିବେ।

ୟୁଡିଆଇଏସଇ ପ୍ଲସ ୨୦୨୦-୨୧ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମୋଟ୍‌ ୨୧.୪୨ ଲକ୍ଷ ଛାତ୍ରଛାତ୍ରୀ ଥିବା ବେଳେ ମାଧ୍ୟମିକ ସ୍ତରରେ ୧୩.୨୫ ଲକ୍ଷ ଛାତ୍ରଛାତ୍ରୀ ଥିଲେ। ଅନୁରୂପ ଭାବେ ୨୦୨୧-୨୨ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମୋଟ୍‌ ୨୦.୭୨ ଲକ୍ଷ ଛାତ୍ରଛାତ୍ରୀ ଏବଂ ମାଧ୍ୟମିକ ସ୍ତରରେ ୧୨.୪୬ ଲକ୍ଷ ଛାତ୍ରଛାତ୍ରୀ ଥିଲେ। ତେଣୁ ଓଡ଼ିଶାରେ ଉଭୟ ସ୍ତରରେ ଛାତ୍ରଛାତ୍ରୀଙ୍କ ନାମଲେଖା ହ୍ରାସ ପାଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

ୟୁଡିଆଇଏସଇ ପ୍ଲସ ପୋର୍ଟାଲରେ ଓଡ଼ିଶା ସରକାରଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ ଏବଂ ୨୦୨୧-୨୨ରେ ଶ୍ରେଣୀୱାରୀ ନାମଲେଖା ବିବରଣୀ ନିମ୍ନରେ ଦିଆଗଲା:

୧- ୨୦୨୦-୨୧, ଅଷ୍ଟମ ଶ୍ରେଣୀରେ ୭.୫୮ ଲକ୍ଷ ଛାତ୍ରଛାତ୍ରୀ ଥିଲେ, ଏମାନଙ୍କ ମଧ୍ୟରୁ ମାତ୍ର ୬.୨୭ ଲକ୍ଷ ଛାତ୍ରଛାତ୍ରୀ ୨୦୨୧-୨୨ରେ ନବମ ଶ୍ରେଣୀକୁ ଯାଇଥିଲେ। ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧.୩୨ ଲକ୍ଷ ବା ୧୭.୩% ହ୍ରାସ ପାଇଥିଲା।

୨- ୨୦୨୦-୨୧ରେ ନବମ ଶ୍ରେଣୀରେ ୬.୪୦ ଲକ୍ଷ ଛାତ୍ରଛାତ୍ରୀ ଥିଲେ, ଏମାନଙ୍କ ମଧ୍ୟରୁ ୨୦୨୧-୨୨ରେ କେବଳ ୬.୧୯ ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀକୁ ଯାଇଥିଲେ ଏବଂ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୦.୨ ଲକ୍ଷ ବା ୩.୧% ହ୍ରାସ ପାଇଥିଲା।

୩- ୨୦୨୦-୨୧ରେ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬.୮୬ ଲକ୍ଷ ଥିଲା, ଏମାନଙ୍କ ମଧ୍ୟରୁ ୨୦୨୧-୨୨ରେ କେବଳ ୩.୪୩ ଲକ୍ଷ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀକୁ ଯାଇଥିଲେ ଏବଂ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩.୪୨ ଲକ୍ଷ ବା ୪୯.୯% ହ୍ରାସ ପାଇଥିଲା।

୪- ୨୦୨୦-୨୧ରେ ଏକାଦଶ ଶ୍ରେଣୀରେ ମୋଟ୍‌ ୩.୬୬ ଲକ୍ଷ ଛାତ୍ରଛାତ୍ରୀ ଥିଲେ, ଏମାନଙ୍କ ମଧ୍ୟରୁ ୨୦୨୧-୨୨ରେ ମାତ୍ର ୩.୪୬ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀକୁ ଯାଇଥିଲେ ଏବଂ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୦.୧୯ ଲକ୍ଷ ବା ୫.୨% ହ୍ରାସ ପାଇଥିଲା।

ତେଣୁ ୟୁଡିଆଇଏସଇ ପ୍ଲସ ତଥ୍ୟରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଛାତ୍ରଛାତ୍ରୀଙ୍କ ନାମଲେଖା ଏବଂ ଅଷ୍ଟମରୁ ନବମ ଶ୍ରେଣୀ, ନବମରୁ ଦଶମ ଶ୍ରେଣୀ, ଦଶମରୁ ଏକାଦଶ ଶ୍ରେଣୀ ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ନିରନ୍ତର ଭାବେ ହ୍ରାସ ପାଉଛି             । ଉଚ୍ଚ ପ୍ରାଥମିକ ଠାରୁ ଆରମ୍ଭ କରି ମାଧ୍ୟମିକ ଏବଂ ପରେ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ୁଥିବା ବା ଡ୍ରପଆଉଟ୍‌ ହେଉଥିବାର ଏଥିରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି।

ଭାରତ, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରେ ଲିଙ୍ଗ ଆଧାରିତ ଡ୍ରପଆଉଟ୍‌ ପ୍ରତିଶତ ନିମ୍ନ ସାରଣୀରେ ଦର୍ଶାଯାଇଛି।

ଭାରତ/ ରାଜ୍ୟ ଉଚ୍ଚ ପ୍ରାଥମିକ ମାଧ୍ୟମିକ
ପୁଅ ଝିଅ ମୋଟ ପୁଅ ଝିଅ ମୋଟ
ଭାରତ ୨.୭ ୩.୩ ୩.୦ ୧୩.୦ ୧୨.୩ ୧୨.୭
ଓଡ଼ିଶା ୮.୦ ୬.୫ ୭.୩ ୨୯.୨ ୨୫.୨ ୨୭.୩
ଉତ୍ତର ପ୍ରଦେଶ ୧.୩ ୪.୭ ୨.୯ ୯.୫ ୧୦.୦ ୯.୭

୨୦୨୧-୨୨ର ୟୁଡିଆଇଏସଇ ପ୍ଲସ୍‌ ତଥ୍ୟରେ ମଧ୍ୟ ଦର୍ଶାଯାଇଛି ଯେ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ୍‌ ବା ପାଠପଢ଼ା ଛାଡ଼ିବା ହାର ୭.୩% ଏବଂ ମାଧ୍ୟମିକ ସ୍ତରରେ ୨୭.୩ ପ୍ରତିଶତ ରହିଛି । ଅନ୍ୟପଟେ ଜାତୀୟ ସ୍ତରରେ ଏହା ଯଥାକ୍ରମେ ୩% ଏବଂ ୧୨.୬% ରହିଛି । ଆହୁରି ଉଚ୍ଚ ପ୍ରାଥମିକ ସ୍ତରରେ ଝିଅମାନଙ୍କ ଡ୍ରପଆଉଟ୍‌ ହାର ୬.୫% ଏବଂ ମାଧ୍ୟମିକ ସ୍ତରରେ ୨୫ ପ୍ରତିଶତ ରହିଛି। ଅନ୍ୟପଟେ ଜାତୀୟ ସ୍ତରରେ ଏହି ଦୁଇଟି ହାର ଯଥାକ୍ରମେ ୩.୩% ଏବଂ ୧୨.୩% ରହିଛି।

ଏଠାରେ ସୂଚନାଯୋଗ୍ୟ, ୨୦୨୧-୨୨ର ୟୁଡିଆଇଏସଇ ପ୍ଲସ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର ପ୍ରଦେଶରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ୍‌ ହାର ଉଚ୍ଚ ପ୍ରାଥମିକ ସ୍ତରରେ ୨.୯% ଏବଂ ମାଧ୍ୟମିକ ସ୍ତରରେ ୯.୭% ପ୍ରତିଶତ ରହିଛି।

Categories
ଆଜିର ଖବର ଜାତୀୟ ଖବର

ବଦଳିଲେ ବିଜେପିର ରାଜ୍ୟ ସଭାପତି: ବିହାର ଏବଂ ରାଜସ୍ଥାନରେ ଏହି ନେତାଙ୍କୁ ମିଳିଲା ଦାୟିତ୍ଵ

ନୂଆଦିଲ୍ଲୀ: ଅନେକ ରାଜ୍ୟରେ ବିଜେପି ନିଜର ରାଜ୍ୟ ସଭାପତିଙ୍କୁ ବଦଳାଇ ଦେଇଛି। ଦିଲ୍ଲୀର ରାଜ୍ୟ ସଭାପତି ଭାବରେ ବିରେନ୍ଦ୍ର ସଚ୍ଚଦେବଙ୍କୁ ନିଯୁକ୍ତ କରାଯାଇଛି। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ​​ବିଜେପିର ପରାଜୟ ପରେ ତତ୍କାଳୀନ ରାଜ୍ୟ ସଭାପତି ଆଦେଶ ଗୁପ୍ତା ଇସ୍ତଫା ଦେଇଥିଲେ। ଏହା ପରେ ବିରେନ୍ଦ୍ର ସଚ୍ଚଦେବଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ଏହି ବ୍ୟବସ୍ଥା କରିଛି ଏବଂ ଆଗାମୀ ଦିନରେ ନିୟମିତ ନିଯୁକ୍ତି ଦିଆଯିବ। ବର୍ତ୍ତମାନ କାର୍ଯ୍ୟରତ ସଭାପତିଙ୍କୁ ନିୟମିତ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ରାଟ ଚୌଧୁରୀଙ୍କୁ ବିହାରର ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି। ମନମୋହନ ସାମଲଙ୍କୁ ଓଡିଶାର ରାଜ୍ୟ ସଭାପତି କରାଯାଇଛି। ସିପି ଯୋଶୀଙ୍କୁ ରାଜସ୍ଥାନର ରାଜ୍ୟ ସଭାପତି କରାଯାଇଛି। ସିପି ଯୋଶୀ ହେଉଛନ୍ତି ରାଜସ୍ଥାନରେ ବିଜେପିର ବ୍ରାହ୍ମଣ ଚେହେରା। ସେ ଚିତ୍ତୌଡ଼ଗଡର ଜଣେ ସାଂସଦ। ଏହାପୂର୍ବରୁ ସତୀଶ ପୁନିଆ ଏକ ଜାଟ ଚେହେରା ଥିଲେ। ଯୋଶୀଙ୍କୁ ଏକ ବିବାଦୀୟ ଚେହେରା ଭାବେ ବିବେଚନା କରାଯାଏ। ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣକୁ ସନ୍ତୁଳିତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ନିଯୁକ୍ତ କରାଯାଇଛି। ରାଜସ୍ଥାନର ଦୁଇ ପ୍ରମୁଖ ଜାତି ରାଜପୁତ ଏବଂ ଜାଟସ୍ ପ୍ରାୟତଃ ରାଜନୈତିକ କ୍ଷେତ୍ରର ବିପରୀତ ପ୍ରାନ୍ତରେ ବାସ କରନ୍ତି। ବ୍ରାହ୍ମଣ ଚେହେରା ଘୋଷଣା କରି ବିଜେପି ମଧ୍ୟମ ରାସ୍ତା ଖୋଜିବାକୁ ଚେଷ୍ଟା କରିଛି।

ସମ୍ରାଟ ଚୌଧୁରୀଙ୍କୁ ବିହାରର ରାଜ୍ୟ ସଭାପତି କରିବା ପରେ ମଧ୍ୟ ବିଜେପି ଅନେକ ସମୀକରଣକୁ ସରଳ କରିଛି। ବିଜେପି ପ୍ରଥମେ ବିହାର ବିଧାନ ପରିଷଦରେ ସମ୍ରାଟ ଚୌଧୁରୀଙ୍କୁ ବିରୋଧୀ ଦଳର ନେତା କରିଥିଲା ​​ଏବଂ ବର୍ତ୍ତମାନ ରାଜ୍ୟ ସଭାପତିଙ୍କ ଦାୟିତ୍ଵ ମଧ୍ୟ ଦେଇଛି। ସମ୍ରାଟ ଚୌଧୁରୀ କୁଶୱା ସମ୍ପ୍ରଦାୟରୁ ଆସନ୍ତି।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳବାଇ

ଭୁବନେଶ୍ଵର: ୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍‌ ଗେଜ୍‌ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ୨,୮୨୨ ରୁଟ୍‌ କିଲୋମିଟର ବ୍ରଡ୍‌ ଗେଜ୍‌ ନେଟୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଲାଇନ୍‌ ହଲ୍‌ ଖର୍ଚ୍ଚ ପ୍ରାୟ ଅଢ଼େଇ ଗୁଣ ହ୍ରାସ ପାଇବ, ହଲେଜ୍‌ କ୍ଷମତା ଅଧିକ ହେବ, ସେକ୍ସନ କ୍ଷମତା ବୃଦ୍ଧି ପାଇବ, ଇଲେକ୍ଟ୍ରିକ ଲୋକୋର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ, ଇନ୍ଧନ ଦକ୍ଷ ଓ ପରିବେଶ ଅନୁକୂଳ ପରିବହନ ମାଧ୍ୟମ ମିଳିବା ସହିତ ଅଶୋଧିତ ତୈଳ ଉପରେ ଆମଦାନୀ ହ୍ରାସ ପାଇବ ଯାହାକି ବିଦେଶୀ ମୁଦ୍ରା ସଞ୍ଚୟରେ ସହାୟକ ହେବ। ଆହୁରି, ରେଳବାଇର ୧୦୦% ବିଦ୍ୟୁତିକରଣ ନେଟୱର୍କ ନୀତି ଅନୁରୂପ ନୂଆ ବ୍ରଡ୍‌ ଗେଜ୍‌ ନେଟୱର୍କକୁ ବିଦ୍ୟୁତିକରଣ ସହିତ ମଞ୍ଜୁରି ଦିଆଯିବ।

ଓଡ଼ିଶା ରାଜ୍ୟର ରେଳ ନେଟୱର୍କ ପୂର୍ବତଟ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ପରିଚାଳନା ଅଧୀନରେ ଆସିଥାଏ। ଓଡ଼ିଶାରେ ଥିବା କେତେକ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ହେଲା : ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଭଦ୍ରକ, ରାଉରକେଲା ଓ ଝାରସୁଗୁଡ଼ା। ଓଡ଼ିଶାରୁ ଦେଶର ଅନ୍ୟ ପ୍ରାନ୍ତକୁ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରିବା କ୍ଷେତ୍ରରେ ରେଳ ନେଟୱର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

ଓଡ଼ିଶାର ପ୍ରଥମ ରେଳଲାଇନ କଟକ-ଖୋର୍ଦ୍ଧା ରୋଡ-ପୁରୀ ମଧ୍ୟରେ ୧୮୯୭ ମସିହାରେ ନିର୍ମାଣ କରାଯାଇଥିଲା।

ଓଡ଼ିଶାର କେତେକ ପ୍ରସିଦ୍ଧ ଟ୍ରେନଗୁଡ଼ିକ ହେଲା : ହାଓଡ଼ା-ପୁରୀ ଏକ୍ସପ୍ରେସ, କୋଣାର୍କ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ, ହୀରାକୁଦ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଭାରତର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଏସବୁ ଟ୍ରେନ ସୁବିଧାଜନକ ଯାତ୍ରୀ ସୁବିଧା ଯୋଗାଇ ଦେଇଥାନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାର ଦୁଇଟି ସହର ରାୟଗଡ଼ା ଓ ବ୍ୟାସନଗର ସହର ରହିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର. ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଏହା ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଅତ୍ୟାଧୁନିକ ଟ୍ରୁ-୫ଜି ସେବାକୁ ପହଂଚାଇଛି।

ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଯଦିଓ ଜିଓ ପକ୍ଷରୁ ଦ୍ରୁତ ଗତିରେ ଅତ୍ୟାଧୁନିକ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି, ତେବେ ଶ୍ରେଷ୍ଠ ଗ୍ରାହକ ଅନୁଭୂତିକୁ ନିଶ୍ଚିତ କରିବା ଲାଗି ଏକ ସହରରେ ଟ୍ରୁ-୫ଜି ନେଟ୍‌ୱର୍କକୁ ବ୍ୟାପକ ଭାବେ ପ୍ରସ୍ତୁତ କରାଯିବା ପରେ ସେହି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଶତାଧିକ ସହରରେ ନିୟୁତାଧିକ ଗ୍ରାହକ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲକରିସାରିଲେଣି ଏବଂ ସେମାନଙ୍କ ଉତ୍ସାହ ଏକ ବିଶ୍ୱସ୍ତରୀୟ ମାଇଲଖୁଂଟରେ ପରିଣତ ହୋଇସାରିଛି। ଗ୍ରାହକମାନଙ୍କ ଅନ୍ତର୍ଦୃଷ୍ଟି ଓ ମତାମତ ଜିଓ ପାଇଁ ଆଜିର ଦିନର ତଥା ଭବିଷ୍ୟତର ବିଶ୍ୱସ୍ତରର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ପ୍ରସ୍ତୁତ କରିବାରେ ସହାୟକ ହୋଇଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ସାରା ଦେଶରେ ନିୟୁତାଧିକ ଗ୍ରାହକଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଗ୍ରହଣୀୟ ହେଉଥିବା ଜାଣି ଆମେ ଅତ୍ୟନ୍ତ ରୋମାଂଚିତ ଏବଂ ଆମର ବିଶ୍ୱାସ ରହିଛି ଯେ ଆମର ନେଟୱର୍କର ରୂପାନ୍ତରଣ ସୃଷ୍ଟିକାରୀ ଶକ୍ତି ବିବିଧ ଡିଜିଟାଲ୍ ଟଚ୍‌ପଏଂଟ୍ ଜରିଆରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ। ଜିଓ ପକ୍ଷରୁ ଟୁ-୫ଜିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି ଏବଂ ଯୋଜନା ଅନୁସାରେ ଦେଶର ଏକ ବଡ଼ ଭାଗରେ ଟ୍ରୁ-୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇସାରିଲାଣି। ଦେଶର ଅଧିକାଂଶ ସ୍ଥାନରେ ପହଂଚିବା ଆମ ପାଇଁ ଗର୍ବର ବିଷୟ।

ଆମେ ଚାହୁଁଛୁ ୨୦୨୩ରେ ପ୍ରତିଟି ଭାରତୀୟ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ରୂପାନ୍ତରୀତ ଲାଭକୁ ଉପଭୋଗ କରନ୍ତୁ। ନିଜ ଅଂଚଳକୁ ଡିଜିଟାଇଜ୍ କରିବାରେ ସମର୍ଥନ ପ୍ରଦାନ କରିଥିବାରୁ ସମସ୍ତ ରାଜ୍ୟ ସରକାର ଏବଂ ପ୍ରଶାସନ ନିକଟରେ ଆମେ କୃତଜ୍ଞ ହୋଇରହିବୁ।’’
ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୨୧ଠାରୁ ଏହି ୪୧ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ଅଧିକ ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ ଯେଉଁଥିରେ ସାମିଲ ରହିଛି ଆନ୍ଧ୍ରପ୍ରଦେଶର ଆଡୋନି, ବଡଭେଲ, ଚିଲାକାଲୁରିପେଟ୍‌, ଗୁଡିବଡ଼ା, କାଦିରି, ନର୍ସାପୁର, ରାୟାଚୋଟି, ଶ୍ରୀକଲାହସ୍ତି, ତାଡେପାଲିଗେଡେମ୍‌, ଗୋଆର ମାର୍ଗାଓ, ହରିୟାଣାର ଫତେହାବାଦ, ଗୋହାନା, ହାନ୍‌ସି, ନାର୍ନାଉଲ୍‌, ପାଲୱାଲ. ହିମାଚଳପ୍ରଦେଶର ପାଓନ୍ତା ସାହିବ, ଜାମ୍ମୁ ଓ କାଶ୍ମୀରର ରଜୌରୀ, ଝାଡ଼ଖଣ୍ଡର ଡୁମ୍‌କା, କର୍ଣ୍ଣାଟକର ରବର୍ଟସାନପେଟ୍‌, କେରଳର କାନନଗଡ଼, ନେଡୁମାଙ୍ଗଡ, ତାଲିପରମ୍ବା, ଥାଲାସେରି, ଥିରୁଭାଲ୍ଲା, ଓଡ଼ିଶାର ବ୍ୟାସନଗର ଓ ରାୟଗଡ଼ା, ପଞ୍ଜାବର ହୋସିଆରପୁର, ରାଜସ୍ଥାନର ଟୋଙ୍କ୍‌, ତାମିଲନାଡୁର କରାଇକୁଡ଼ି, କ୍ରିଷ୍ଣଗିରି, ରାଣୀପେଟ୍‌, ଥେଲି ଆଲିନାଗରମ, ଉଢାଗମଡଳମ୍ ଓ ତ୍ରିପୁରାର କୁମାରହାଟ୍।

Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର ବଜାରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡିଶା ହସ୍ତତନ୍ତ କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି। ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉପିାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷର୍ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଏହି ଯୋଜନାରେ ବୟନିକା ଦ୍ୱାରା ଏକାମ୍ର ହାଟ, ଭୁବନେଶ୍ୱରଠାରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଅଛି। ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାନ୍ତ ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଆଜି ସନ୍ଧ୍ୟାରେ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡ. ପାଢ଼ୀ କହିଲେ ଯେ ହସ୍ତତନ୍ତ ଆମ ସଂସ୍କୃତିର ପରିଚୟ। ହସ୍ତତନ୍ତ ପ୍ରତି ଲୋକମାନଙ୍କ ଆଦୃତି ବୃଦ୍ଧି ନିମନ୍ତେ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି। ହସ୍ତତନ୍ତର ପ୍ରୋତ୍ସାହନ ସହ ବୁଣାକାରମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆମେ ହସ୍ତତନ୍ତ ବସ୍ତ୍ର ପରିଧାନ କଲେ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ହସ୍ତତନ୍ତର ମାନ ବୃଦ୍ଧି ପାଇଁ ଓଡ଼ିଶାର ୯ଟି ହସ୍ତତନ୍ତ ବସ୍ତ୍ରକୁ ଜିଆଇଟ୍ୟାଗ୍‌ ମିଳିସାରିଛି। ରାଜ୍ୟ ସରକାର ବୁଣାକାରମାନଙ୍କ କଲ୍ୟାଣ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବୟନିକା ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବୁଣାକାରମାନେ ସେମାନଙ୍କର ହସ୍ତତନ୍ତ ସାମଗ୍ରୀର ବିକି୍ରବଟା କରିବା ସହିତ ହସ୍ତତନ୍ତର ପ୍ରଚାରପ୍ରସାର ହୋଇପାରିବ ବୋଲି ଡ. ପାଢ଼ୀ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କୃଷ୍ଣ ସାହୁ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ, ବୟନିକା ଶ୍ରୀକାନ୍ତ ପୃଷ୍ଟି, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ମେଳାରେ ସମୁଦାୟ ୬୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି। ଏଥି ମଧ୍ୟରୁ ୪୦ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟ ୨୦ ଗୋଟି ସଂସ୍ଥା/ସମିତି ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଛନ୍ତି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ସହ ବିକ୍ରୟ କରୁଛନ୍ତି। ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ମୋðର ଚିକେନକାରୀ, ଜାମ୍ମୁକାଶ୍ମୀରର ପଶ୍ମିନା-ସାଲ, ଦିଲ୍ମୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲ୍‌କ ଶାଢି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି। ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ସହ ହସ୍ତତନ୍ତ ବସ୍ତ୍ର କ୍ରୟ କରି ବୁଣାକାରମାନଙ୍କୁ ଉସିାହିତ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୬ ରୁ ୧୯ ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଦିଗକୁ ଅପରଏୟାର ଟ୍ରଫ୍ ଲାଇନ୍‌ର ପ୍ରଚଳନ ଏବଂ ଉପକୂଳ ଅଂଚଳକୁ ବଙ୍ଗୋପ ସାଗରରୁ ଜଳୀୟ ବାଷ୍ପ ପ୍ରବାହ ଯୋଗୁଁ ଏଭଳି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୧୬ ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଉତ୍ତର ଓ ଉପକୂଳ ଓଡ଼ିଶାରେ ମାର୍ଚ୍ଚ ୧୬ ରୁ ୧୮ ତାରିଖ ମଧ୍ୟରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି।

ଏହାର ପ୍ରଭାବରେ ମାର୍ଚ୍ଚ ୧୫ ତାରିଖରୁ ଦିନର ତାପମାତ୍ରା କମିବ। ଏପରିକି ମାର୍ଚ୍ଚ ୧୬ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ ଡିଗ୍ରୀ ସେଲ୍‌ସିୟସ୍ ରହିବାର ସମ୍ଭାବନା ଥିବାବେଳେ ଏଭଳି ସ୍ଥିତି ମାର୍ଚ୍ଚ ୨୧ ତାରିଖ ଯାଏର୍ ଜାରୀ ରହିବ ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିକ୍କିମରୁ ଜ୍ଞାନ ଏବଂ ଅନୁଭୁତି ହାସଲ କରି ଫେରିଲେ ଓଡ଼ିଶାର ଯୁବାସଙ୍ଗମ ଟିମ୍‍

ଭୁବନେଶ୍ଵର: ଓଡିଶାର ୩୧ ଜଣ ଛାତ୍ର ଏବଂ ଏନଆଇଟି ରାଉରକେଲାର ପାଞ୍ଚଞ୍ଜଣିଆ ସଂଯୋଜକ ଦଳ କେନ୍ଦ୍ର ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟର ଯୁବାସଙ୍ଗମ କାର୍ଯ୍ୟକ୍ରମରେ ସିକ୍କିମ୍ ଭ୍ରମଣ ସହିତ ସେମାନଙ୍କର ଯାତ୍ରା ଶେଷ କରି ୮ ମାର୍ଚ୍ଚ ୨୦୨୩ ରେ ରାଉରକେଲାରେ ପହଞ୍ଚିଥିଲେ। ସିକ୍କିମରେ ମାର୍ଚ୍ଚ ୨ ତାରିଖରେ ପହଞ୍ଚଥିବା ଦଳ ସିକ୍କିମ ରାଜ୍ୟର ବିଭିନ୍ନ ସାମାଜିକ-ସାଂସ୍କୃତିକ ଦିଗ ସହିତ ପରିଚିତ ହୋଇଥିଲେ ଏବଂ ବହୁ ପର୍ଯ୍ୟଟନ ସ୍ଥଳୀ ତଥା ଧାର୍ମିକ ତଥା ଅର୍ଥନୈତିକ ଆଗ୍ରହ ଥିବା ସ୍ଥାନ ପରିଦର୍ଶନ କରିଥିଲେ।

ଦକ୍ଷିଣ ସିକ୍କିମର ରାଭଙ୍ଗଲା ଠାରେ ଏନ୍‍ଆଇଟି ସିକ୍କିମ୍ ପକ୍ଷରୁ ଛାତ୍ର ଏବଂ ସଂଯୋଜକମାନଙ୍କର ଗସ୍ତର ଆୟୋଜନ କରିଥିଲେ। ମାର୍ଚ୍ଚ ୩ ରେ ଏନଆଇଟି ସିକ୍କିମ୍ କ୍ୟାମ୍ପସରେ ଏକ ଉଚ୍ଛସ୍ୱିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସିକ୍କିମ୍ ଛାତ୍ରମାନେ ନୃତ୍ୟ, ନାଟକ ଏବଂ ବାଦ୍ୟ ପରିବେଷଣ ମାଧ୍ୟମରେ ଭ୍ରମଣକାରୀ ପ୍ରତିନିଧୀଙ୍କୁ ସିକ୍କିମର ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରିଥିଲେ। ଓଡିଶାରୁ ଯାଇଥିବା ଛାତ୍ରମାନେ ମଧ୍ୟ ରାଜ୍ୟ ସଂସ୍କୃତିର ପ୍ରତିନିଧିତ୍ୱ କରୁଥିବା ଲୋକ ନୃତ୍ୟ ପରିବେଷଣ କରିଥିଲେ। ଟିମ୍ ଓଡିଶା ବୁଦ୍ଧ ପାର୍କ (ରାଭଙ୍ଗଲା, ସିକ୍କିମ୍‌) ପରିଦର୍ଶନ କରିଥିଲେ, ଯାହା ତଥାଗତ ସ୍ଥଳ ଭାବରେ ମଧ୍ୟ ଜଣାଶୁଣା। ଏହି ଆଇକନିକ ପାର୍କର ଆଖପାଖ ଦୃଶ୍ୟ ବ୍ୟତୀତ, ମୁଖ୍ୟ ଆକର୍ଷଣ ଥିଲା ଗୌତମ ବୁଦ୍ଧଙ୍କ ୨୫୫୦ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ବୁଦ୍ଧଙ୍କ ୧୩୦ ଫୁଟ ଉଚ୍ଚର ଭଗବାନଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। ଅଧିକନ୍ତୁ, ଏହି ଟିମ୍ ସିଦ୍ଧେଶ୍ୱର ଧାମ (ନାମଚିରେ) ପରିଦର୍ଶନ କରିଥିଲେ, ଯାହା ଚାର୍ ଧାମ ମନ୍ଦିର ଭାବରେ ମଧ୍ୟ ଜଣାଶୁଣା, ୧୦୮ ଫୁଟ ଚିତ୍ରିତ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି, କିରେଟେଶ୍ୱର ମହାଦେବଙ୍କ ପ୍ରତିମୂର୍ତ୍ତି ଏବଂ ୧୨ ଟି ଜ୍ୟୋର୍ତିଲିଙ୍ଗ ସହିତ ୪ ଟି ଦେବସ୍ଥଳୀର ପ୍ରତିକୃତି।

ସିକ୍କିମ୍ ହେଉଛି ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ। ସିକ୍କିମରେ ଅର୍ଥନୈତିକ କାର୍ଯ୍ୟକଳାପର ସ୍ଥାୟୀ ଏବଂ ପରିବେଶ ଅନୁକୂଳ ପ୍ରକୃତି ଯାହା ସ୍ଥାନୀୟ ଐତିହ୍ୟ, ଉଦ୍ଭିଦ ଏବଂ ଜୀବଜନ୍ତୁ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣର ଦୃଷ୍ଟିକୋଣ ସହିତ ଆର୍ଥିକ ବିକାଶ ସଂକ୍ରାନ୍ତରେ ପରିଦର୍ଶକ ଛାତ୍ରମାନଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। ଏହି ଟିମ୍ ସିକ୍କିମର ଏକମାତ୍ର ଚା ବଗିଚା ‘ଦି ଟେମି ଚା ବଗିଚା’ ପରିଦର୍ଶନ କରିଥିଲେ। ଏହା ଏକ ଜୈବିକ ଚା ବଗିଚା।  ଟେମି ଚା ବଗିଚାର ଅଧିକାରୀମାନେ ଛାତ୍ରମାନଙ୍କୁ ପ୍ରକ୍ରିୟାକରଣ କାରଖାନାର କାର୍ଯ୍ୟକାରିତା, ଚା’ର ଜୈବିକ ଚାଷର ବିଭିନ୍ନ ଦିଗ ଏବଂ ଏହାର ପ୍ରକ୍ରିୟାକରଣ ଇତ୍ୟାଦି ବିଷୟରେ ଏକ ଜ୍ଞାନ ପ୍ରଦାନ କରିବାକୁ ନେତୃତ୍ୱ ନେଇଥିଲେ। ୧୯୬୯ ରେ, ଏହି ସୁନ୍ଦର ଉଦ୍ୟାନ ପ୍ରାୟ ୪୦୦+ ଏକର ବୃକ୍ଷରୋପଣ ସହିତ ଆଚ୍ଛାଦିତ। ଏହି ଅଭିଜ୍ଞତା ଅର୍ଜନ ଯାତ୍ରା ସିକ୍କିମର ନାମଚି ସ୍ଥିତ ଝାଉବାରୀ ଗ୍ରାମରେ ଜୈବିକ ଚାଷ କରୁଥିବା କୃଷକମାନଙ୍କ ସହିତ ଅଧିକ ଯୋଗାଯୋଗ କରିଥିଲା। ଜୈବିକ ଚାଷ ଏବଂ ଏହାର ଲାଭ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା କିପରି ଲାଭଦାୟକ ତାହା ଉପରେ ଓଡିଶାର ଛାତ୍ରମାନେ ମଧ୍ୟ ଏକ ନୂତନ ଦୃଷ୍ଟିକୋଣ ରଖିଥିଲେ। ପରବର୍ତ୍ତୀ ସମୟରେ ‘ହୋମଷ୍ଟେ’ର ବ୍ୟାପକ ବିସ୍ତାରିତ ଧାରାରେ କିଛି ସମୟ ରହିଥିଲା ଯାହାକି ସିକ୍କିମି ଲୋକଙ୍କ ଦୈନନ୍ଦିନ ଜୀବନର ପ୍ରଥମ ଅନୁଭୂତି ପ୍ରଦାନ କରିଥିଲା। ଦଳ ନାମଚି ଜିଲ୍ଲାର ଏକ ହୋମଷ୍ଟେରେ ଘର ଭଳି ଆରାମ ଅନୁଭବ କରି ଅଧା ଦିନ ବିତାଇଥିଲେ। ଏହି ଟିମ୍ ସିକ୍କିମରେ ବଢୁଥିବା ଏବଂ ଦୁନିଆର ସବୁଠାରୁ ରାଗ କିସମ ମଧ୍ୟରୁ ବିବେଚନା କରାଯାଉଥିବା ପ୍ରସିଦ୍ଧ ଡାଲ୍ ଖୁରସାନି ବା ଲାଲ୍ ଚେରି ଲଙ୍କା ଗୁଣ୍ଡକୁ ମଧ୍ୟ ପରୀକ୍ଷା କରିଥିଲା। ଏହି ଗୋଷ୍ଠୀ ସିକ୍କିମର ଗ୍ୟାଙ୍ଗଟକର ଏକ ଷ୍ଟୁପ୍ ଡୋ-ଡ୍ରୁଲ୍ ଚର୍ଟେନଙ୍କ ପବିତ୍ରତାରେ କିଛି ସମୟ ବିତାଇଥିଲେ।

ଓଡ଼ିଶାର ଛାତ୍ରମାନେ ମଧ୍ୟ ଗାଙ୍ଗଟକରେ ରାଜ ଭବନ ପରିଦର୍ଶନ କରିବାର ସୁଯୋଗ ପାଇଲେ। ସିକ୍କିମର ମାନ୍ୟବର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଓଡିଶାର ଛାତ୍ରମାନଙ୍କ ସହ ଆଲୋଚନା କରି କହିଛନ୍ତି ଯେ ବିଭିନ୍ନ ଭାଷା, ଧର୍ମ, ସଂସ୍କୃତି ଏବଂ ରୀତିନୀତି ବିଷୟରେ ଜ୍ଞାନ ପାରସ୍ପରିକ ବୁଝାମଣା ଏବଂ ସମ୍ପର୍କକୁ ମଜବୁତ କରି ଆମ ଦେଶର ଏକତା ଏବଂ ଅଖଣ୍ଡତାକୁ ଦୃଢ କରିଥାଏ। ଶ୍ରୀଜଗନ୍ନାଥଙ୍କ ଭୂମିରୁ ଆସିଥିବା ଲୋକମାନେ ସିକ୍କିମର ଲୋକଙ୍କ ସହ ଯୋଡି ହେବାବେଳେ ଆଜୀବନ ସ୍ମୃତି ପାଆନ୍ତି। ସେ ଓଡ଼ିଶାର ପ୍ରତିନିଧୀଙ୍କୁ କିଛି ସାହାଯ୍ୟକାରୀ ଜୀବନଶୈଳୀ ଅଭ୍ୟାସ ଏବଂ ଏହି ଛୋଟ ରାଜ୍ୟ ସିକ୍କିମରେ ଅନୁସରଣ କରାଯାଉଥିବା ଜୀବନଶୈଳୀକୁ ଏକ ଘରୋଇ ବାର୍ତ୍ତା ଭାବରେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ଏହି ବିବିଧତା ଦେଶରେ ଯୁବକମାନେ ଏହାକୁ ଶ୍ରେଷ୍ଠ ଭାରତ କରିବା ପାଇଁ ଅଧିକ ମହତ୍ୱପୂର୍ଣ୍ଣ।

ଭ୍ରମଣର ଅନ୍ତିମ ଦିବସରେ ମାର୍ଚ୍ଚ ୬ ତାରିଖରେ ସିକ୍କିମର ଗାଙ୍ଗଟକ ଜିଲ୍ଲାର ପୂର୍ବ ହିମାଳୟ ପର୍ବତ ସୀମାରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୩,୪୦୦ ଫୁଟ ଉଚ୍ଚରେ ଅବସ୍ଥିତ ପୁରୁଣା ରେଶମ ମାର୍ଗରେ ଥିବା ସୀମାନ୍ତ ଗ୍ରାମ (ଇଣ୍ଡୋ-ଚୀନ୍‌) ଗନାଥାଙ୍ଗ ଗ୍ରାମ (ନାଥାଙ୍ଗ ମଧ୍ୟ କୁହାଯାଏ) ପରିଦର୍ଶନରେ ଯାଇଥିଲେ।  ଗ୍ୟାଙ୍ଗଟକ ଠାରୁ ୭୦ କିଲୋମିଟର ଦୂରରେ ଏକ ସେନା କ୍ୟାଣ୍ଟନମେଣ୍ଟ ଦ୍ୱାରା ଘେରି ରହିଥିବା ଏହି ଛୋଟ ଗାଁକୁ ଭାରତ ସରକାରଙ୍କ ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ଚୟନ କରାଯାଇଛି। ଓଡ଼ିଶା ଟିମ୍ ମଧ୍ୟ ତୋମଗୋ ହ୍ରଦ କିମ୍ବା (ଚାନଗୁ ହ୍ରଦ) ରେ ତୁଷାରପାତ ଦେଖିଥିଲେ।

ଏହି ପରଦର୍ଶନ କାର୍ଯ୍ୟକ୍ରମରେ ପ୍ରଫେସର ଏମ.ସି ଗୋଭିଲ (ନିର୍ଦ୍ଦେଶକ ଏନଆଇଟି ସିକ୍କିମ) ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ନୋଡାଲ ଅଧିକାରୀ ଶ୍ରୀ ରାମ ନେପାଳଙ୍କ ଉପସ୍ଥିତି ଥିଲେ । ପ୍ରଫେସର ଗୋଭିଲ୍ ଛାତ୍ରମାନଙ୍କୁ ଚମତ୍କାର ଅତିଥି ହୋଇଥିବାରୁ ଏବଂ ସିକ୍କିମରେ ରହିବା ସମୟରେ ବିଭିନ୍ନ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଅନ୍ୟ ଛାତ୍ର, ବନ୍ଧୁ ଏବଂ ପରିବାରକୁ ସିକ୍କିମର ମହାନ ରାଜ୍ୟ ପରିଦର୍ଶନ କରିବାକୁ ଏବଂ ଏହାର ଉଷ୍ମ ଆତିଥ୍ୟକୁ ଉପଭୋଗ କରିବାକୁ ଉତ୍ସାହିତ କରିଥିଲେ।

ଓଡ଼ିଶା ଦଳ ୮ ମାର୍ଚ୍ଚରେ ଫେରିଥିବାବେଳେ ସେମାନଙ୍କୁ ଏନଆଇଟି ରାଉରକେଲାରେ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଯୁବାସଙ୍ଗମ କାର୍ଯ୍ୟକ୍ରମରେ ପ୍ରଫେସର ରୋହନ ଧିମାନ (ରେଜିଷ୍ଟ୍ରାର), ପ୍ରଫେସର ଏସ ଜେନା (ଡିନ୍‌, ଛାତ୍ର କଲ୍ୟାଣ), ପ୍ରଫେସର ୱିନି ରାଉତରାୟ (କାର୍ଯ୍ୟକ୍ରମର ନୋଡାଲ୍ ଅଫିସର), ପ୍ରଫେସର ଅନିଲ ସିଂହ (ମୁଖ୍ୟ, ସୁରକ୍ଷା ଏବଂ ନିରାପତ୍ତା ୟୁନିଟ୍‌) ଏବଂ ଅନ୍ୟ ସଂଯୋଜକ ମାନେ ଏହି ଦଳରକୁ ସ୍ୱାଗତ କରିଥିଲେ।  ଅଂଶଗ୍ରହଣକାରୀ ମଧ୍ୟ ଅଂଶଗ୍ରହଣର ପ୍ରମାଣପତ୍ର ଗ୍ରହଣ କରିଥିଲେ।

ପ୍ରଫେସର କେ ଉମାମାହେଶ୍ୱର ରାଓ (ନିର୍ଦ୍ଦେଶକ, ଏନଆଇଟି ରାଉରକେଲା) ସମସ୍ତ ଛାତ୍ରମାନଙ୍କୁ ସେମାନଙ୍କର ଭବିଷ୍ୟତର ପ୍ରୟାସ ପାଇଁ ଅଭିନନଦନ ଜଣାଇôବା ସହିତ ସେମାନେ ନିଜର ବନ୍ଧୁମାନଙ୍କୁ ଏକ ଭାରତ ଶ୍ରେଷ୍ଠ ଭାରତ ମନୋଭାବକୁ ଆଗକୁ ବଢାଇବାକୁ ଆଗ୍ରହ ଦେଖାଇବାକୁ କହିଥିଲେ। ଏହି ଏକ୍ସପୋଜର ଯାତ୍ରା ସମୟରେ ମିଳିଥିବା ସମସ୍ତ ଶିକ୍ଷା ମାଧ୍ୟମରେ ଯୁବାସଙ୍ଗମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଯୁବାସଙ୍ଗମର ଅଂଶଗ୍ରହଣକାରୀମାନେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରୁ ଅନ୍ୟ ରାଜ୍ୟ ତଥା ଛାତ୍ର ଏବଂ କ୍ୟାମ୍ପସ୍ ବାହାରେ ଥିବା ଯୁବକମାନଙ୍କୁ ନେଇ ଗଠିତ ଯୁବକମାନଙ୍କର ଏକ୍ସପୋଜର୍ ଟୁର୍ ପରିଚାଳନା ଉପରେ ଧ୍ୟାନ ଦେଇଥିଲେ। ଏହା ପର୍ଯ୍ୟଟନ, ପରମ୍ପରା, ପ୍ରଗତି (ବିକାଶ) ଏବଂ ପରସ୍ପର ସମ୍ପର୍କ (ଲୋକ-ରୁ-ଲୋକ ସଂଯୋଗ) ର ଚାରୋଟି ବିସ୍ତୃତ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଦିଗଗୁଡିକର ଏକ ବ୍ୟାପକ, ବହୁମୁଖୀ ଅଭିଜ୍ଞତା ପ୍ରଦାନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଏହାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଓ ସାରା ରାଜ୍ୟରେ ରହିଥିବା ବିଭିନ୍ନ କାର୍ଯ୍ୟ କ୍ଷେତ୍ରଗୁଡ଼ିକରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ମାର୍ଚ୍ଚ ୪ ତାରିଖରେ ଜାତୀୟ ସୁରକ୍ଷା ଦିବସ ପାଳନ ସହ ଏହି ଜାତୀୟ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ ହୋଇଛି ଏବଂ ଏହା ୧୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଚାଲିବ।

ଜିଓ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟିମ୍ ସଦସ୍ୟ ଓ ସେବା ପ୍ରଦାନକାରୀ ସହଯୋଗୀମାନଙ୍କ ସମେତ ଜିଓର ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରି ସୁରକ୍ଷା ସଂସ୍କୃତିରେ ଉନ୍ନତି ଆଣିବା ଓ ତାହାର ପ୍ରସାର କରିବା। ଶୂନ ଆଘାତ (ଜିରୋ ହାର୍ମ) ଲକ୍ଷ୍ୟକୁ ହାସଲ କରିବା ଲାଗି ଜିଓ ପାଇଁ ଏହା ସହାୟକ ହେବ।

ଜାତୀୟ ସୁରକ୍ଷା ଦିବସ ପତାକା ଉତ୍ତୋଳନ ସହ ଜାତୀୟ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ ହୋଇଥିବା ବେଳେ ଜିଓ କର୍ମଚାରୀ ଓ ଏହାର ସେବା ପ୍ରଦାନକାରୀ ସହଯୋଗୀମାନେ ସୁରକ୍ଷା ଶପଥ ପାଠ କରିଥିଲେ ଏବଂ ସମେସ୍ତ ସୁରକ୍ଷା ବ୍ୟାଜ୍ ପରିଧାନ କରିଥିଲେ। ସାରା ଓଡ଼ିଶାରେ ଆୟୋଜନ କରାଯାଇଥିବା ସୁରକ୍ଷା ସଚେତନତା ଓ ତାଲିମ ଅଧିବେଶନରେ ପ୍ରମୁଖ ସୁରକ୍ଷା ପଦକ୍ଷେପର ଗୁରୁତ୍ୱ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ରହିଛି ସଡ଼କ ସୁରକ୍ଷା ସୋ’ ଆୟୋଜନ, ଚିତ୍ରାଙ୍କନ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ସୁରକ୍ଷା ତାଲିମ ଅଧିବେଶନ ଏବଂ ସୁରକ୍ଷା ବିଷୟ ଉପରେ ନାଟକ ପରିବେଷଣ।

ଜିରୋ ହାର୍ମ (ଶୂନ ଆଘାତ) ପାଇଁ ସୁରକ୍ଷା ସଂସ୍କୃତିର ପ୍ରସାର ଓ ସେଥିରେ ଉନ୍ନତି ଆଣିବା ଲାଗି ଜିଓରେ ସୁରକ୍ଷା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି। ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି।

୫୦୦ ନିୟୁତ ଟନ୍‌ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ ନିଲାମ ନେଇଛି। ଏହାବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ* ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି।

ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଥିବା ବେଳେ ବୈତରଟୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍‌। ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି। ସେହିପରି ଏହାଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ ଠାରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା। ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶାରେ ହୋଲି ପାଳିବେ ବିଗ ବସ୍ ୧୫ ବିଜେତା ତେଜସ୍ୱୀ

ଭୁବନେଶ୍ଵର: ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ତେଜସ୍ୱୀ ପ୍ରକାସ। ଦମଦାର ହେବ ପ୍ରି-ହୋଲି ସେଲିବ୍ରେସନ, ସେଥିପାଇଁ ପହଁଚିଛନ୍ତି ବିଗ ବସ୍ ୧୫ ବିଜେତା। ବସନ୍ତରେ ପ୍ରାରମ୍ଭରେ ଉଡିବ ଅବୀର। ସମ୍ପର୍କରେ ଲାଗିବ ପ୍ରେମର ରଙ୍ଗ। ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ରଙ୍ଗର ଖେଳରେ ମସଗୁଲ ହୁଅନ୍ତି। ଆଉ ଏଥର ହୋଲିରେ ରଙ୍ଗ ଖେଳିବେ ବିଗବସ୍ ବିଜେତା ତଥା ଲୋକପ୍ରିୟ ହିନ୍ଦୀ ସିରିୟଲ ଅଭିନେତ୍ରୀ ତେଜସ୍ୱୀ ପ୍ରକାସ।

ସୋମବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ ବିଗ୍ ବସ୍ ୧୫ ବିଜେତା ତଥା ନାଗିନ 6ର ମୁଖ୍ୟ ନାୟିକା ତେଜସ୍ୱୀ ପ୍ରକାସ। ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବାଇକ୍ ସ୍ପଲାସ ଓ୍ବାଟର ପାର୍କରେ ଆୟୋଜିତ ହେବାକୁ ଥିବା ହୋଲି ସେଲିବ୍ରେସନ କଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟ ଆକର୍ଷଣ ରହିବେ ତେଜସ୍ୱୀ।

ଏହି କାର୍ଯ୍ୟକ୍ରମ ୨ଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ନଂ ୧ ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଚାଲିବ। ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ରହିବେ, ଯେଉଁମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍ ଙ୍କ ଛଡା ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ। ଗତ ବର୍ଷ ବିଗ ବସ୍ ୧୫ ଟାଇଟଲ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ତେଜସ୍ବୀ। ଏବେ ସେ ନାଗିନ 6ରେ ମୁଖ୍ୟ ଅଭିନୟ କରୁଥିବା ବେଳେ ଧାରାବାହିକଟି ଲୋକପ୍ରିୟତା ପାଇଛି। ତେବେ ତେଜସ୍ୱୀ ଓଡିଶା ଆସିଥିବାବେଳେ ଦର୍ଶକ ଉତ୍ସାହିତ ଅଛନ୍ତି।

କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ ୭୭’ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା ଓ ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ। ସମ୍ପର୍କର ହୋଲିରେ, ପ୍ରାକୃତିକ ରଙ୍ଗର ପସରା। ତା ସହିତ ନାଚଗୀତ ବେଶ ଜମିବ ବୋଲି ଆୟୋଜକ ହେଲପ୍‌ ହ୍ୟାଣ୍ଡସ୍  ଆଶାବାଦୀ ଅଛି।