Categories
ଆଜିର ଖବର

କଂଗ୍ରେସ ଟିକେଟ ଦରକାର କି? ତେବେ ଅନଲାଇନରେ କରନ୍ତୁ ଆବେଦନ, ପୋର୍ଟାଲ ଜାରୀ କଲା ଦଳ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକଟ ବଂଟନରେ ସ୍ୱଚ୍ଛତା ରକ୍ଷା ଏବଂ ବାସ୍ତବରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି ।

ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି । ଅର୍ଥାତ୍ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବ୍ୟକ୍ତି www pragaman.in ଲିଙ୍କ ରେ ଲଗ୍‌ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ସୂଚନା ଦେଇଛନ୍ତି ।

ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଅଜୟ କୁମାର କହିଲେ ଯେ ଆସନ୍ତା ସାଧାରଣ ନିର୍ବାଚନରେ ଟିକଟ ବଂଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ନିମନ୍ତେ କଂଗ୍ରେସ ଏକ ନିଆରା ଓ ନୂତନ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର ପ୍ରକୃତ ବିକାଶ ଚାହୁଁଥିବା ଏବଂ ସାଧାରଣ ଲୋକଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ସ୍ୱାଭିମାନୀ ଓଡ଼ିଆଙ୍କ ହାତରେ ନେତୃତ୍ୱ ଦେବାକୁ ଦଳ ନିଷ୍ପତି ନେଇଛି।

ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ଟିକଟ ବଂଟନ ସଲାସୁତରାରେ ଚାଲିଛିି। ଭାରତୀୟ ଜନତା ପାର୍ଟିରେ କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଟିକଟ ପ୍ରଦାନର କ୍ଷମତା ରହିଛି। ସେହିପରି ବିଜୁ ଜନତା ଦଳରେ ଜଣେ ତାମିଲ ବାବୁ ଟିକଟ ବଂଟନ କରିବାର କ୍ଷମତା ରଖିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ବିଜୁ ଜନତା ଦଳର ଟିକଟ ବଂଟନ ସହିତ ଭାରତୀୟ ଜନତା ପାର୍ଟିର ଟିକଟ ବଂଟନରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି। ମାତ୍ର କଂଗ୍ରେସ ଦଳରେ ସେମିତି ବ୍ୟବସ୍ଥା ନାହିଁ।

କଂଗ୍ରେସ ଦଳ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ବଜାୟ ରହିଛି। କୌଣସି ସ୍ୱାଭିମାନୀ ଓଡ଼ିଆ ଓଡ଼ିଶାର ସେବା କରିବା ନିମନ୍ତେ ନେତୃତ୍ୱ ନେବାକୁ ତାମିଲ ବାବୁଙ୍କ ପାଖରେ ହାତ ପତେଇବାକୁ ପଡ଼ିବ ନାହିଁ। କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ସହିତ ରହିଆସିଛି। କଂଗ୍ରେସ ଟିକଟ ପାଇଁ କୌଣସି ପ୍ରକାର ସୁପାରିଶ କି ଅର୍ଥ କାରବାର ହୋଇପାରିବ ନାହିଁ। ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏଥିପାଇଁ ବାରମ୍ବାର ଦିଲ୍ଲୀ ମଧ୍ୟ ଦୌଡ଼ିବାକୁ ପଡ଼ିବ ନାହିଁ।

ଓଡ଼ିଶାର ଯେ କୌଣସି ଓଡ଼ିଆ ବ୍ୟକ୍ତି, ଯୁବ ନେତୃତ୍ୱ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗର ଯୁବକ ଏବଂ ମହିଳା ମଧ୍ୟ କଂଗ୍ରେସରୁ ଟିକଟ ପାଇ ନିର୍ବାଚନ ଲଢ଼ିପାରିବେ। ଏଥିପାଇଁ କେବଳ ସେମାନଙ୍କର ଭଲ ଲୋକ ସମ୍ପର୍କ ରହିଥିବା ଆବଶ୍ୟକ। ତାଙ୍କ ପ୍ରତି ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ରହିଥିବା ଆବଶ୍ୟକ ବୋଲି ଡ. ଅଜୟ କୁମାର ପ୍ରକାଶ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ସାଧାରଣ ଲୋକ, ଲୋକ ସେବକ, ବଳିଷ୍ଠ ସଂଗଠକ, ଯାହାଙ୍କର ନିଜ ନିର୍ବାଚନମଣ୍ଡଳୀରେ ଜନାଧାର ରହିଛି, ଭଲ ଲୋକ ସମ୍ପର୍କ ରହିଛି ସେମାନଙ୍କ ପାଇଁ କଂଗ୍ରେସ ଏକ ଅପୂର୍ବ ଅବକାଶ ଆଣି ଦେଇଛି। ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ନିର୍ବିଶେଷରେ ଯେଉଁମାନଙ୍କର ଦେଶ ଓ ରାଜ୍ୟ ପାଇଁ ସେବା କରିବାର ମନୋବୃତି ରହିଥିବ ସେମାନେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିପାରିବେ।

ଏଥିପାଇଁ ସାରା ଭାରତରେ ପ୍ରଥମ କରି ଓଡ଼ିଶାରେ ପ୍ରୋଜେକ୍ଟ ପ୍ରଗମନ ନାମରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାକୁ ପ୍ରୟୋଗଶାଳା କରି ଜାତୀୟ କଂଗ୍ରେସ ନିର୍ବାଚନରେ ସଂସ୍କାର ଆଣିବାକୁ ଏଭଳି ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି। ରାଜତନ୍ତ୍ର କାଳରେ ଯେଭଳି ଜଣେ ସାଧାରଣ ଯୁବକ କପିଳେନ୍ଦ୍ର ରାଉତରାୟଙ୍କୁ ଲୋକେ ବାଛି ରାଜା କପିଳେନ୍ଦ୍ର ଦେବ କରିଥିଲେ, ସେହିଭଳି ସାଧାରଣ ଲୋକଙ୍କ ଭିତରୁ ବଳିଷ୍ଠ ନେତୃତ୍ୱ ସୃଷ୍ଟି କରିବାର ସୁଯୋଗ ଦେବାକୁ କଂଗ୍ରେସ ପ୍ରୟାସ କରୁଛି।

ପ୍ରୋଜେକ୍ଟ ପ୍ରଗମନର ଚେୟାରମ୍ୟାନ ପ୍ରବୀଣ ପାଠକ କହିଲେ ଯେ www pragaman.in ରେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଫର୍ମ ଉପଲବ୍ଧ ରହିଛି। ଆଶାୟୀ ପ୍ରାର୍ଥୀମାନେ ଏଥିରେ ଆବେଦନ କରିବା ପରେ ପ୍ରକୃତ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ଟିକଟ ପ୍ରଦାନ କରାଯିବ ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଖ୍ରୀଷ୍ଟଫର ତିଲକ, ଓଡ଼ିଶା ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା, ସୋସିଆଲ ମିଡିଆ ବିଭାଗର ଅମିୟ ପାଣ୍ଡବ ଓ ଡ. ସୁମିତ୍ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଗର୍ଜିଲେ ମଲ୍ଲିକାର୍ଜୁନ ଖଡ଼ଗେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ

ଭୁବନେଶ୍ବର: ଆଜି ରାଜ୍ୟ କଂଗ୍ରେସ ତରଫରୁ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ପିଏମଜି ଛକରେ ଆୟୋଜିତ ଏକ ବିଶାଳ ରାଲିକୁ ସେ କରିଛନ୍ତି ସମ୍ବୋଧିତ। ଦୀର୍ଘ ସମୟ ଧରି ଦେଇଥିବା ଭାଷଣରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସେ ରାଜ୍ୟର ବିଜେଡି ସରକାର ଏବଂ କେନ୍ଦ୍ରର ବିଜେପି ସରକାର ମଧ୍ୟରେ ଥିବା ସଂପର୍କକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରଙ୍କୁ ସମର୍ଥନ କରି କଣ ଲାଭ ପାଇଛନ୍ତି। ଓଡିଶାର ମୋଦୀ ସରକାର କଣ ଆଖିଦୃଶିଆ କାମ କରିଛନ୍ତି। ଯଦି ନାହିଁ ତେବେ ସେ କାହିଁକି ଏପରି କେନ୍ଦ୍ରକୁ ସମର୍ଥନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, କଂଗ୍ରେସ ସରକାର ଥିବା ବେଳେ ଓଡିଶାକୁ ରାଉରକେଲା ଇସ୍ପାତ ପ୍ରକଳ୍ପ ଭେଟି ଦେଇଛନ୍ତି, ପାରାଦ୍ବୀପ ବନ୍ଦର ଦେଇଛନ୍ତି, ଆଇଏଏନସି ଚିଲିକା ଦେଇଛନ୍ତି, ହାଲ କାରଖାନା ଦେଇଛନ୍ତି, ମଞ୍ଚେଶ୍ବରରେ ରେଳକାରଖାନା ଦେଇଛନ୍ତି। ହେଲେ ମୋଦୀ ସରକାରଙ୍କ ସମୟରେ ଓଡିଶାର ଯେପରି ଉନ୍ନତି ହେବା କଥା ତାହା ହୋଇଛି କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ମୋଦୀଙ୍କୁ ସମାଲୋଚନା କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସବୁବେଳେ ଡବଲ ଇଂଜିନୀ ସରକାର ବୋଲି କହୁଛନ୍ତି। ସେ ଜାଣନ୍ତି ନାହିଁ ଯେ, ସେ ଡବଲ ଇଂଜିନି ମଧ୍ୟ ଫେଲ ମାରିଯାଉଛି। ସେହିପରି ମୋଦୀ ଗ୍ୟାରେଣ୍ଟି କଣ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ମୋଦୀ ଗ୍ୟାରିଣ୍ଟି ହେଲା ବେକାରୀଙ୍କୁ ଚାକିରୀ ନ ଦେବା। କଳାଧନ ଆଣି ଲୋକଙ୍କ ଆକାଉଣ୍ଟରେ ନ ରଖିବା।

ଖଡଗେ କହିଥିଲେ ଯେ, ଆପଣଙ୍କ ମାନଙ୍କ ପାଇଁ ଏହା ହେଉଛି ଶେଷ ନିର୍ବାଚନ। କାରଣ ଏହାପରେ ଦେଶର ସାଧାରଣ ନିର୍ବାଚନକୁ ମୋଦୀ ହରଣଚାଳ କରିନେବେ। ଋଷିଆରେ ପୁତିନ କରିବା ପରି କେବଳ ନାମକୁ ମାତ୍ର ନିର୍ବାଚନ ହେବ ଆଉ ଜିତିବେ ମୋଦି। ସେଥିପାଇଁ ଏହି ନିର୍ବାଚନରେ ଆପଣମାନେ ଏହି ସରକାରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଶାସନକୁ ଆଣିବାକୁ ପଡିବ ବୋଲି ଖଡଗେ କହିଥିଲେ।

ସେହିପରି ବିଜେଡି ବିଜେପି ସଂପର୍କକୁ ନେଇ ଖଡଗେ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇସାରିଛି। ପୂର୍ବରୁ ନବୀନଙ୍କ ବାପା ବିଜୁ ପଟ୍ଟନାୟକ ନେହୁରଙ୍କ ସହିତ ସଂପର୍କ ରଖି ଓଡିଶା ପାଇଁ ବେଶ ଭଲ କାମ କରିଛନ୍ତି। ହେଲେ ନବୀନବାବୁ ମୋଦିଙ୍କ ସହିତ ସଂପର୍କ ରଖି କଣ ଲାଭ ପାଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ସମସ୍ତ ବିଧାୟକ, ବରିଷ୍ଠ ନେତା ଯୋଗଦେଇଥିଲେ। ସମାବେଶ ପରେ କଂଗ୍ରେସ ନେତାମାନଙ୍କ ସହିତ ଖଡଗେ ଆଲୋଚନା କରି ଆଜି ସେ ନୂଆଦିଲ୍ଲୀ ଫେରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ

ଭୁବନେଶ୍ବର: ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରର ପିଏମଜି ଛକରେ ତାଙ୍କର ବିରାଟ ସାଧାରଣ ସଭାର ଆୟୋଜନ ହେବ। ସେଠାରେ ଓଡିଶା ବଞ୍ଚାଅ ଆନ୍ଦୋଳନରେ ଖଡଗେ ସାମିଲ ହେବେ।

ଆଜି ସେ ଦିନ 11ଟା 45 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ତାଙ୍କୁ ସ୍ବାଗତ କରାଯାଇ ସଭାସ୍ଥଳକୁ ଅଣାଯିବ। ସେଠାରେ ଖଡଗେ କଂଗ୍ରେସ କର୍ମିଙ୍କୁ ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ କଂଗ୍ରେସ ଭବନରେ କର୍ମିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ନିର୍ବାଚନ ପାଇଁ କଂଗ୍ରେସ କର୍ମୀଙ୍କ ସଂକଳ୍ପ

ରଣପୁର: ଆଜି ଚାନ୍ଦପୁର ଜୋନ-୨୪ କଂଗ୍ରେସ କମିଟି ତରଫରୁ ବରକନ୍ୟା ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତା ସାରଙ୍ଗ ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ ବୈଠକରେ ପୁରୁଖା କର୍ମୀ ସୁକାନ୍ତ ସେନାପତି, ରଙ୍କନିଧି ମହାପାତ୍ର, ଭିକାରୀ ପାତାଳସିଂ, ରମେଶ ନାୟକ, ଧ୍ରୁବ ଚରଣ ପରିଡ଼ା, ମାନସ ମହାପାତ୍ର, ପିସିସି ଛାତ୍ର କଂଗ୍ରେସ ସମ୍ପାଦକ ଅନିଲ ଚୁଆଲାସିଂ, ଭରତ ପାଇକରାୟଙ୍କ ସମେତ ପାଞ୍ଚ ଶହରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସଂଗଠନକୁ ମଜବୁତ୍ କରିବାକୁ କର୍ମୀମାନେ ଦୃଢ଼ ସଂକଳ୍ପ ନେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍‌ଗେ, ଓଡିଶା କଂଗ୍ରେସ ଉଠୁଛି ପଡୁଛି

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆସନ୍ତା ୨୯ ତାରିଖରେ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବେ। ସେ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଶ୍ରୀଯୁକ୍ତ ଖଡ୍‌ଗେ ତଳସ୍ତରରୁ ଜଣେ ସାଧାରଣ କଂଗ୍ରେସ କର୍ମୀଭାବେ ଜୀବନ ଆରମ୍ଭ କରି ନିଜର ଚେଷ୍ଟା, ନିଷ୍ଠା ଓ ସମର୍ପଣ ପାଇଁ ଏବେ ସେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରିଛନ୍ତି।

ସେ ଜଣେ ଅନୁଭବୀ ନେତା ଭାବେ ଦେଶକୁ ଅତି ନିକଟରୁ ଦେଖିଥିବାବେଳେ ଓଡ଼ିଶାର ଅବସ୍ଥାକୁ ମଧ୍ୟ ଭଲଭାବେ ବୁଝିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ୫୨% ଲୋକ ଆଜିବି ଗରିବ। ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ ପଞ୍ଜୀକୃତ ବେକାର ଶିକ୍ଷିତ ଯୁବକଯୁବତୀ ବେସାହାରା ହୋଇପଡ଼ିଛନ୍ତି।

ଆଜି ବି ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। ଅପରପକ୍ଷରେ ଓଡ଼ିଆ ଜାତିକୁ ଧ୍ୱଂସ କରିବାକୁ ରୀତିମତ ଷଡଯନ୍ତ୍ର ରଚାଯାଉଛି। ଏପରିକି ଅଣଓଡ଼ିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେବାପାଇଁ ମସୁଧା ଚାଲିଛି, ଯାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ। ଓଡ଼ିଶାରେ ଓଡ଼ିଆଙ୍କ ହକ୍ ରହିଛି। ଏହି ହକ୍ ଉପରେ ଆକ୍ରମଣ ହେଲେ ଓଡ଼ିଶା କଂଗ୍ରେସ କେବେ ଚୁପ୍ ହୋଇ ବସିବ ନାହିଁ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ନିଯୁକ୍ତ ଅଧ୍ୟକ୍ଷ ତଥା ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ଯେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ସୀମା ଟପିଛି। ବିଜେଡି-ବିଜେପି ଅଘୋଷିତ ମେଂଟ ଏବେ ସାର୍ବଜନୀନ ହୋଇଛି। ଏମାନଙ୍କର ଦୌରାତ୍ମ୍ୟରୁ ରାଜ୍ୟକୁ ମୁକ୍ତ କରିବା ପାଇଁ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବାକୁ ଖଡ୍‌ଗେଜୀ ଓଡ଼ିଶା ଆସୁଛନ୍ତି।

ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ପିସିସିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ୨୦୨୪ ମସିହାରେ ହେବାକୁ ଥିବା ଅଷ୍ଟାଦଶ ଲୋକସଭା ଓ ସପ୍ତଦଶ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି ସଭାପତିଙ୍କ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମ ଦୁଇଟି ଦିଗରୁ ମହତ୍ୱପୂର୍ଣ୍ଣ। ସେ ଆହୁରି କହିଥିଲେ ଯେ ଉଭୟ ବିଜେଡି ଓ ବିଜେପିଙ୍କ ଚୋରା ପୀରତି ଧରାପଡ଼ିଯାଇଛି।

୧୦ ବର୍ଷ ମିଶି ସରକାର କରିବା ପରେ ଲିଭ୍‌ଇନ୍ ରିଲେସନ୍‌ସିପ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଜେଡି ୨୪ ବର୍ଷ ପରେ ନୂଆ-ଓଡ଼ିଶା ଗଢିବା କଥା କହୁଛି ତେବେ ୨୩ବର୍ଷ ପୂର୍ବରୁ ଗଢିପାରିଲେନି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଉଭୟଙ୍କ ଚିତ୍ର ଓ ଚରିତ୍ରକୁ ରାଜ୍ୟବାସୀ ବୁଝି ଗଲେଣି ଏବେ ବିଜେଡି ଓ ବିଜେପିକୁ ହଟାଇବାର ସମୟ ଆସିଛି।

ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି କହିଥିଲେ ଯେ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପାଇଁ ହେଉଥିବା ଲଢେଇକୁ ଶକ୍ତିଶାଳୀ କରିବ ‘ଓଡ଼ିଶା ବଂଚାଅ’ ସମାବେଶ। ଏହି ସମ୍ମିଳନୀରେ ଏଆଇସିସିର ସମ୍ପାଦକ ତଥା ଓଡ଼ିଶାର ସହପ୍ରଭାରୀ ଶ୍ରୀ ସାହାନାୱାଜ ଚୌଧୁରୀ ଏବଂ ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସ ତରଫରୁ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସେ କହିଥିଲେ ଯେ ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ,ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଆମ ପୂର୍ବସୂରୀ ଯେଉଁମାନେ କି ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଉଛି। ଭାରତର ସମ୍ବିଧାନ ହିଁ ଦେଶର ଆତ୍ମା। ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କୁ ଏ ଜାତି ଭୁଲିପାରିବ ନାହିଁ। କିନ୍ତୁ ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ।ବିଜେଡ଼ି ଓ ବିଜେପି ଧର୍ମ ନାମରେ ରାଜନୀତି କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଜ୍ୟୋତିଶ କୁମାର ସାହୁ ପରିଚାଳନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଡ.ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ବିଶ୍ୱରଞ୍ଜନ ମହାନ୍ତି, ଯୁଧିଷ୍ଠିର ଜେନା, ଦାଶରଥୀ ଗମାଙ୍ଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ଚିନ୍ମୟସୁନ୍ଦର ଦାସ, ଚିନ୍ମୟ ପ୍ରସାଦ ବେହୁରା, ପଂଚାନନ ଦାସ, ଶ୍ରୀନିବାସ ରାଉତରାୟ, କୁମାର ଚୀରଞ୍ଜବି, ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ପ୍ରଣତୀ ମିଶ୍ର, ତରୁଣ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ତାରା ପଟ୍ଟନାୟକ, ସୁବ୍ରତ ମହାପାତ୍ର, ଆଲୋକ ଲେଙ୍କା, ଜ୍ଞାନ ପଟ୍ଟନାୟକ, ରଜନୀ ମହାନ୍ତି, ସୁଶାନ୍ତ ତ୍ରୀପାଠୀ, ସଂଜୟ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ସ୍ନେହଲତା ରାୟ, ଅମିତା ବିଶ୍ୱାଳ, ରସିକ ପଟ୍ଟନାୟକ, ଜୟକୃଷ୍ଣ ସୁବୁଧି, ଆଲୋକ ମହାନ୍ତି, ରାଜକିଶୋର ବାରିକ, ନିରଦବରଣ ଖୁଂଟିଆ, ନରୋତମ ନାୟକ, ମିତ୍ରଭାନୁ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, କୈଳାସ ସାହୁ, ମନୋଜ ସାହୁ, ଏମ୍‌ଡ଼ି ସାହାଦୁଲ୍ଲା, ଶିଳ୍ପୀଶ୍ରୀ ହରିଚନ୍ଦନ, ଜାନକୀ ମଲ୍ଲିକ, ଶ୍ରୀୟାସ୍ମିତା ପଣ୍ଡା, ମନୋରଞ୍ଜନ ରାଉତରାୟ, ସିଲି ସେଠୀ, ପ୍ରଶାନ୍ତ ଚମ୍ପତି, ଭାଷ୍କର ସେଠୀ, ବିନୋଦ ପାଣି, ସଂଜୟ ମିଶ୍ର, ନଳୀନ ବେହେରା, ମୁନୁ ସରାଫ, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ପ୍ରସନ୍ନ ପାଇକରାୟ, ବସନ୍ତ ପଣ୍ଡା, ସୁବାଷ ପ୍ରଧାନ, ଅକ୍ଷୟ ମୁଦୁଲି, ନିରୋଜ ଲୋଚନ ଦାସ ଓ ନାରାୟଣ ଜେନା, ସାଗର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଦଳରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଖୁସିରେ ଚୁମା ଦେଲେ ତାରା

ଭୁବନେଶ୍ବର: ଆଜି ଭବାନୀପାଟଣାଠାରେ କଂଗ୍ରେସ ଦଳର ଏକ ବିଶାଳ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସର ପ୍ରଭାରୀ ଡ଼. ଅଜୟ କୁମାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ସହିତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ।

ସେହିପରି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଏହି ସମାବେଶରେ ଉପସ୍ଥିତ ଥିଲେ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ବିଜେଡି ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ସମାବେଶରେ ଯୋଗ ଦେଇଥିଲେ।

ତାଙ୍କୁ ଅଜୟ କୁମାର କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି ପର୍ବରେ ବିଧାୟକ ତାରାବାହିନୀ ପତି ବଳଭଦ୍ରଙ୍କୁ ଖୁସିରେ ଚୁମା ଦେଇଥିଲେ।

Categories
ବିଶେଷ ଖବର

ଓଡ଼ିଶା ଅସ୍ମିତା ପାଇଁ ଲଢେଇ ହେବ ଜୋର୍‌ଦାର: କଂଗ୍ରେସ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ମହମ୍ମଦ ମୁକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିବାବେଳେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତିି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ଏ ସଂପର୍କରେ ଘୋଷଣା କଲେ। ଡ. ଅଜୟ କୁମାର କହିଥିଲେ ଯେ ରାଜ୍ୟରେ ଯେପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି, ସେଥିରୁ ସ୍ପଷ୍ଟ ଯେ ଓଡ଼ିଶାର ଅସ୍ମିତା ଏକ ସଂକଟକାଳ ଦେଇ ଗତି କରୁଛି। ଦିନକୁ ଦିନ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି, ଯେପରି ବିଜେଡି ପୋଷ୍ଟରରୁ ବିଜୁଙ୍କ ଫଟୋକୁ ଆଉଟ୍ କରି ପାଣ୍ଡିଆନ୍‌ଙ୍କ ଫଟୋକୁ ଇନ୍ କରାଯାଉଛି ତାହା ଦର୍ଶାଉଛି ଯେ ଆଗାମୀ ଦିନରେ ନବୀନଙ୍କ ଫଟୋ ମଧ୍ୟ ଗାଏବ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ରାଜ୍ୟରେ ଅଣଓଡ଼ିଆ ଶାସନର ମଙ୍ଗ ଧରିବା, ଖଣିଖାଦାନକୁ ଲୁଟ୍ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ହାତରେ ଓଡ଼ିଶାକୁ ଟେକିଦେବା ଆଦି ଘଟଣା ସ୍ୱାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି। ସ୍ମରଣ କରାଯାଇପାରେ ଯେ ଓଡ଼ିଶା ଓଡ଼ିଆଙ୍କର, ଓଡ଼ିଆଙ୍କ ଦ୍ୱାରା ଏବଂ ଓଡ଼ିଆଙ୍କ ପାଇଁ ସର୍ବୋପରି ଓଡ଼ିଶାର ଅସ୍ମିତା ପ୍ରତ୍ୟେକ ଓଡ଼ିଆଙ୍କ ଧେୟ ହେବା ଉଚିତ୍।

ଆଗାମୀ ୨୯ ତାରିଖ ଦିନ ଓଡ଼ିଆଙ୍କ ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ। ଏହି କାର୍ଯ୍ୟକ୍ରମରେ ପ୍ରତିଟି ସ୍ୱାଭିମାନୀ ଓଡ଼ିଆଙ୍କୁ ସାମିଲ୍ ହେବା ପାଇଁ ନିବେଦନ କରାଯାଉଛି। କଂଗ୍ରେସ ହିଁ ରାଜ୍ୟର ପ୍ରମୁଖ ବିରୋଧି ଦଳ। କଂଗ୍ରେସକୁ ଏକ ସଶକ୍ତ ବିକଳ୍ପ ରାଜନୈତିକ ଦଳ ଭାବେ ଆଗକୁ ଆଣିବା ପାଇଁ ଦଳରେ ଯୋଗଦେବାକୁ ଇଛୁକ ସମସ୍ତ ନେତା ଓ କର୍ମୀଙ୍କୁ ସ୍ୱାଗତ କରାଯିବା।

ଦେଶ ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର କହିଛନ୍ତି ଯେ ସଂପ୍ରତି ଦେଶର ହିନ୍ଦୁମାନେ ବିଜେପି ହିନ୍ଦୁ ଓ ସନାତନୀ ହିନ୍ଦୁ ଭାବେ ଦୁଇ ଭାଗରେ ବାଂଟି ହୋଇଛନ୍ତି। ବିଜେପି ହିନ୍ଦୁମାନେ ସନାତନୀ ହିନ୍ଦୁମାନଙ୍କୁ ଅନେକ ସ୍ଥାନରେ ମନ୍ଦିର ପ୍ରବେଶ କରିବାକୁ ନ ଦେବା, ବିଦ୍ୱେଷଭାବ ସୃଷ୍ଟିକରିବା ଏପରିକି ରାସ୍ତାରେ ଯିବାକୁ ଅନୁମତି ଦେଉ ନଥିବା ଭଳି ଘଟଣା ଘୃଣା ରାଜନୀତିକୁ ପ୍ରୋତ୍ସାହିତ କରୁଛି। ବିଜେପି ଦଳ ଏବଂ ଏହାର ନେତୃତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ବିରୋଧି କହିବା ଦୁର୍ଭାଗ୍ୟଜନକ। ଏହି ମର୍ମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ କହିଛନ୍ତି ଯେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତି ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ତୃତୀୟ ସ୍ୱାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି। ବିଜେପିର ଏକଛତ୍ରବାଦ ଶାସନ ବିରୁଦ୍ଧରେ ତମାମ ଦେଶରେ ଜାଗରଣର ଆବଶ୍ୟକତା ରହିଥିବାବେଳେ ସଭିଙ୍କୁ ନ୍ୟାୟ ଦେବା ଲାଗି କଂଗ୍ରେସ ପ୍ରତିଶ୍ରୁତିବଦ୍ଧ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅଧକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀର ବିବରଣୀ ପ୍ରଦାନ କରିଥିବାବେଳେ ମିଡିଆ କମିଟିର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି ଓଡ଼ିଶା ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସହ-ପ୍ରଭାରୀ ଖ୍ରୀଷ୍ଟୋଫର ତିଲକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘର ସଜାଡିବାରେ ଲାଗିଛି ରାଜ୍ୟ କଂଗ୍ରେସ, ଦଳକୁ ଫେରିବେ ମୋକିମ, ଚିରଞ୍ଜିବୀ ଏବଂ ସଗରିଆ

ଭୁବନେଶ୍ବର: ଧିରେଧିରେ କଂଗ୍ରେସ ନିଜକୁ ଶକ୍ତିଶାଳି କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁରା ପରିବାର ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ କଂଗ୍ରେସକୁ ଫେରିବେ।

ଏ ନେଇ ନୂଆ ଦିଲ୍ଲୀରେ ନୂଆ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଏହି ତିନିଜଣ ଦୀର୍ଘ ଆଲୋଚନା କରିଛନ୍ତି। ସେମାନଙ୍କୁ କଣ ପାଇଁ ଦଳରୁ ନିଳମ୍ବନ କରାଗଲା ସେ ସେ ଅଜୟ କୁମାର ବିସ୍ତୁତ ତଥ୍ୟ ଜାଣିବାକୁ ଚାହିଁଥିଲେ। ଏହାପରେ ସେ ଏହି ତିନି ନେତାଙ୍କୁ ପୁଣି ଥରେ ଦଳକୁ ଫେରିବା ବା ନିଲମ୍ବନ ହଟାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେହି ଅନୁସାରେ ଏହି ତିନିଜଣଙ୍କ ଉପରୁ ଖୁବ ଶିଘ୍ର ନିଲମ୍ବନ ହଟାଯିବ ବୋଲି ଜଣାପଡିଛି।

ଗତବର୍ଷ ଜୁଲାଇ ମାସରେ କଂଗ୍ରେସ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବି ବିଶ୍ବାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଥିଲା। ଯାହାକୁ ନେଇ ସେତେବେଳେ ଏହା ରାଜ୍ୟ ରାଜନୀତିରେ ବେଶ କଂପନ ସୃଷ୍ଟି କରିଥିଲା। ଅଭିଯୋଗ ହୋଇଥିଲା ଯେ, ଏକ ସଭାରେ ଉଭୟ ମୋକିମ ଏବଂ ବିଶ୍ବାଳ କଂଗ୍ରେସ ଦଳ ବିରୋଧରେ ବିଷ ଉଦଗାର କରିଥିଲେ। ଏହି ଦଳରେ କିଛି ହେବ ନାହିଁ ବୋଲି ଖୋଲାଖୋଲି କହିଥିଲେ। ଫଳରେ କଂଗ୍ରେସ ଉଭୟଙ୍କ ଉପରେ ପଦକ୍ଷେପ ଗ୍ରହଣ କରିଥିଲା।

ତେବେ ଉଭୟଙ୍କୁ କଂଗ୍ରେସରୁ ନିଲମ୍ବନ କରିବା ପରେ ସେମାନେ କେଉଁ ଆଡେ ଯିବେ ସେ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଉଭୟ କୌଣସି ଦଳକୁ ଗଲେ ନାହିଁ କି କାହା ସହିତ ଆଲୋଚନା ମଧ୍ୟ କଲେ ନାହିଁ। ଫଳରେ କଂଗ୍ରେସ ପୁଣି ଥରେ ତାଙ୍କୁ କୋଳେଇ ନେବାକୁ ନିଷ୍ପତି କରିଛି। କାରଣ ଉଭୟ ନେତାଙ୍କର ନିଜନିଜ ଅଞ୍ଚଳରେ ବେଶ ଦବଦବା ମଧ୍ୟ ରହିଛି।

କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡ ଅଜୟ କୁମାର ଯୋଗଦେବା ପରେ ସେ ଦଳକୁ ବେଶ ସକ୍ରିୟ କରିବାରେ ଲାଗିଛନ୍ତି। ଯେଉଁମାନେ ପୁରୁଣା କଂଗ୍ରେସ ନେତା, ସେମାନଙ୍କୁ ଫେରାଇ ଆଣି ଦଳକୁ ସୁଦୃଢ କରିବା ଚେଷ୍ଠାରେ ଅଛନ୍ତି। ଏଥିସହିତ ଦଳର ବିଭିନ୍ନ ଛାମୁଆ ସଂଗଠନରେ ନୂଆ ନୂଆ ନିଯୁକ୍ତି ଦେଇ ସେମାନଙ୍କୁ ଶସକ୍ତ କରିବାରେ ଲାଗିଛନ୍ତି।

ଅନ୍ୟପଟେ ଆସନ୍ତା 29 ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ। ତାଙ୍କ ଗସ୍ତ ପୂର୍ବରୁ ଅଜୟ କୁମାର ଦଳକୁ ସୁସଂଗଠିତ କରିବା ଚେଷ୍ଠାରେ ଅଛନ୍ତି। ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଯେପରି ପ୍ରଭାବ ବିସ୍ତାର କରିବ ସେ ନେଇ ସେ ଶତଚେଷ୍ଠା କରିବାରେ ଲାଗିଛନ୍ତି। ସେ ଉପଲକ୍ଷେ ସେ ପୁରୁଣା କଂଗ୍ରେସ ନେତାଙ୍କ ଘର ବାହୁଡା କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ନେତୃବର୍ଗଙ୍କୁ ଆକ୍ରମଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଯାତ୍ରୀମାନଙ୍କୁ ଆକ୍ରମଣ, ରାହୁଲ ଗାନ୍ଧୀଙ୍କ ଗାଡ଼ି ଅଟକାଇବା ଓ ଦୁର୍ବ୍ୟବହାର କରିବା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୋଷ୍ଟର ଚିରିବା ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ଏକ ରାଲି ଅପରାହ୍ନରେ ବାହାରି ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା।

ସେଠାରେ ଆସାମର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ଦାହ କରାଯିବା ସହ ମାଷ୍ଟରକ୍ୟାଂଟିନ ଛକକୁ ଏକ ଘଂଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। କଂଗ୍ରେସ ପକ୍ଷରୁ ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିନ୍ଦା କରାଯିବା ସହ ମୋଦୀ ସରକାର ଓ ହିମନ୍ତ ବିଶ୍ୱଶର୍ମା ସରକାର ନିଜର ଦୋଷ ଓ ଦୁର୍ବଳତା, ଜନବିରୋଧି ନୀତି ଏବଂ ଦୁର୍ନୀତିକୁ ଲୁଚାଇବା ପାଇଁ ଜନନାୟକ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରୀଙ୍କ ଉପରେ ଆକ୍ରମଣ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଡ. ରାମଚନ୍ଦ୍ର ଖୁଂଟିଆ, ସୁରେଶ ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଶ୍ୱଜିତ୍ ଦାଶ, କିଶୋର ଜେନା, ୟାସିର ନୱାଜ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଣଜିତ ସେନାପତି, ମହମ୍ମଦ ଗୁଲଫାମ୍‌, କାର୍ତିକ କାଣ୍ଡି, ସୁଦିପ୍ ସାମଲ, ହଳଧର ସେଠୀ, ଗୀତାଞ୍ଜଳୀ ମହାନ୍ତି, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ଅକ୍ଷୟ କୁମାର ଦାସ, ବଳରାମ ନନ୍ଦ, ଶ୍ରେୟାସ୍ମିତା ପଣ୍ଡା, ମନୋରଞ୍ଜନ ଜେନା, ପ୍ରଶନ୍ନ ନାୟକ, ମୋହନ ଜେନା, ବ୍ରହ୍ମାନନ୍ଦ ସାହୁ, ମଂଟୁ ମଲ୍ଲିକ, ସୌମେନ୍ଦ୍ର ମହାନ୍‌ତି, ପ୍ରଭାତ ପ୍ରତାପ ସିଂ, ଜୟଶ୍ରୀ ପାତ୍ର, ସ୍ନେହପ୍ରଭା ଜେନା, ସେକ୍ ମହମ୍ମଦ ଜମିଲ, ସେକ୍ ତାକୱିମ୍‌, ମାନଓ ସେଠୀ, ଶିଶିର କୁମାର ରାଉତରାୟ, ଦେବାଶିଷ ଦାସ, ନିବାସ ଭୋଇ, ଶଙ୍କର ନାୟକ, ଦେବୀ ପ୍ରସାଦ ବାହାଲିଆ ଓ ପୂର୍ଣ୍ଣ ସାହୁ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖର୍ଗେ, ସଭା ପରିଚାଳନା ପାଇଁ ପିସିସି ଗଠନ କଲା ଏକ ବଡ କମିଟି

ଭୁବନେଶ୍ୱର: ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଆସନ୍ତା ଜାନୁୟାରୀ ୨୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସାଧାରଣ ସଭା ସୁପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଅନୁମୋଦନ କରିଛନ୍ତି।

ଅନୁମୋଦନ ପାଇଥିବା ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ରହିଛନ୍ତି। ସେହିଭଳି ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ତଥା ପିସିସି କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଅଛନ୍ତି।

ସେହିପରି ପୂବର୍ତନ ଅର୍ଥମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ, ପୂବର୍ତନ ମନ୍ତ୍ରୀ ତଥା ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମ ସାହୁ, ପୂର୍ବତନ ବାଚସ୍ପତି ଶ୍ରୀ କିଶୋର ଚନ୍ଦ୍ର ପଟେଲ, ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ତଥା ବିଧାୟକ ତାରାପ୍ରସାଦ ବାହିନିପତି ଅଛନ୍ତି।

ଏଥିସହିତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନା, ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ପୂର୍ବତନ ଏଆଇସିସି ସମ୍ପାଦକ ତଥା ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟା ତଥା ପୂର୍ବତନ ସାଂସଦ ଶ୍ରୀ ସୁଶିଳା ତିରିଆ, ପୂବର୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ଏଆଇସିସି ସମ୍ପାଦକ ତଥା ପୂର୍ବତନ ସାଂସଦ ଡ.ରାମଚନ୍ଦ୍ର ଖୁଂଟିଆ ସଦସ୍ୟ ଅଛନ୍ତି।

ଏଆଇସିସି ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହି, ବିଧାୟକ ଶ୍ରୀ ସି.ଏସ୍‌.ରାଜନ୍ ଏକ୍କା, ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଦାସରଥି ଗମାଙ୍ଗ, କଟକ ନଗର କଂଗ୍ରେସ ସଭାପତି ଶ୍ରୀ ସୁରେଶ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜୟନାରାୟଣ ପଟ୍ଟନାୟକ ପ୍ରମୁଖ ଉକ୍ତ କମିଟିରେ ରହିଛନ୍ତି ।

ଅନୁରୁୂପ ଭାବେ ଉକ୍ତ କମିଟିରେ ରାଜ୍ୟ କଂଗ୍ରେସର ସମସ୍ତ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠର ସଭାପତି ଏବଂ ମୁଖ୍ୟମାନେ ସଦସ୍ୟମାନେ ସ୍ଥାନ ପାଇଛନ୍ତି ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ମାର୍ଚ୍ଚ ୨୦ ରେ ମୁମ୍ବାଇରେ ହେବ ଶେଷ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡରୁ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମରେ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିଆଯାଇଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ଯିବ।

ଏହି ଯାତ୍ରା ଶିବସାଗର ଜିଲ୍ଲାର ହଲୁୱାଟିଂ ଦେଇ ନାଗାଲାଣ୍ଡରୁ ଆସାମରେ ପହଞ୍ଚିଥିଲା। ରାହୁଲ ଗାନ୍ଧୀ ସକାଳେ ନାଗାଲାଣ୍ଡର ତୁଲିରୁ ବସ୍ ଯାତ୍ରା ଆରମ୍ଭ କରି ସକାଳ ପ୍ରାୟ ୯:୪୫ ରେ ଆସାମରେ ପହଞ୍ଚିଥିଲେ।

ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳର କର୍ମକର୍ତ୍ତା ସ୍ୱାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ ଜାତୀୟ ପତାକାକୁ ଆସାମ ୟୁନିଟର ନେତାମାନଙ୍କୁ ହସ୍ତାନ୍ତର କରାଯାଇଥିଲା।

କଂଗ୍ରେସ ସାଂସଦଙ୍କ ନେତୃତ୍ୱରେ ୬,୭୧୩ କିଲୋମିଟର ଦୀର୍ଘ ଯାତ୍ରା ଜାନୁଆରୀ ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ଆସାମରେ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର

ରାମ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗ ଦେବେନି ରାହୁଲ ଗାନ୍ଧି: ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ, ୨୨ ଜାନୁଆରୀ ୨୦୨୪ରେ ଉତ୍ତରପ୍ରଦେଶ (ୟୁପି)ର ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପୂର୍ଣ୍ଣଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି।

ନାଗାଲାଣ୍ଡର କୋହିମାଠାରେ ଆଜି କେରଳର ୱାୟନାଡର କଂଗ୍ରେସ ସାଂସଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହିନ୍ଦୁ ଧର୍ମର ଗୁରୁତ୍ୱପୂର୍ଣ୍ଣ ଲୋକମାନେ ରାମ ମନ୍ଦିର ଉଦ୍‍ଘାଟନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ୨୨ ତାରିଖର କାର୍ଯ୍ୟକ୍ରମ ନିର୍ବାଚନୀ କାର୍ଯ୍ୟକ୍ରମ ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ସବୁ ଧର୍ମକୁ ସମ୍ମାନ ଦେଇଥାଉ। ତେବେ ଆମ ଦଳ ଓ ମେଣ୍ଟର ଯେ କୌଣସି ବ୍ୟକ୍ତି ସେଠାକୁ ଯିବାକୁ ଚାହୁଁଛନ୍ତି।

କଂଗ୍ରେସର ନ୍ୟାୟ ଯାତ୍ରା ରାସ୍ତାରେ ଅଯୋଧ୍ୟା ନାହିଁ

ତେବେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରୁଟରେ ଅଯୋଧ୍ୟା ପଡ଼ିବ ନାହିଁ ବୋଲି ରାହୁଲ ଗାନ୍ଧି ଇଶାରାରେ ସ୍ପଷ୍ଟ କରିଛନ୍ତି। ସେ ଏ ବିଷୟରେ କହିଲେ – ମୁଁ ଯାତ୍ରା ରାସ୍ତାରେ ରହିବି। ବର୍ତ୍ତମାନ ଅଯୋଧ୍ୟା ନ୍ୟାୟ ଯାତ୍ରା ରାସ୍ତାରେ ନାହିଁ।

ବିଜେପି ସହ ଲଢ଼ିବାକୁ ‘ଇଣ୍ଡି ମେଣ୍ଟ’ ପ୍ରସ୍ତୁତ

ବିଜେପି ସହ ଲଢ଼ିବା ପାଇଁ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାହୁଲ ଗାନ୍ଧି ଦାବି କରିଛନ୍ତି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ହେଉଛି ଆଦର୍ଶର ଯାତ୍ରା। ଇଣ୍ଡି ମେଣ୍ଟ ଭଲ ଲଢ଼େଇ କରି ଜିତିବ। ନ୍ୟାୟଯାତ୍ରା ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ପାଇଁ ଏବଂ ଏଥିରେ ଜାତିଗତ ଜନଗଣନା ଭଳି ଅନେକ ପ୍ରସଙ୍ଗ ରହିଛି। ପଶ୍ଚିମବଙ୍ଗରେ ଇଣ୍ଡି ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ଆମେ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରୁଛୁ। ବର୍ତ୍ତମାନ ଆସନ ବୁଝାମଣା ଆଲୋଚନା ଚାଲିଛି ଏବଂ ଏଥିରେ କୌଣସି ଜଟିଳତା ନାହିଁ ବୋଲି ସେ ସ୍ୱୀକାର କରି କହିଛନ୍ତି ଯେ କେତେକ ରାଜ୍ୟରେ ସମସ୍ୟା ରହିଛି।

ବିଜେପି ମଡ଼େଲ ଏକ ଘୃଣ୍ୟ ମଡ଼େଲ। ଭାରତ ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ଦଳିତ ଓ ଆଦିବାସୀଙ୍କ ଦ୍ୱାରା ପରିଚାଳିତ ହେଉନାହିଁ। ଅନ୍ୟାୟ ଯୋଗୁଁ ଘୃଣା ବଢ଼ିବାରେ ଲାଗିଛି। ଗଣମାଧ୍ୟମ ଏସବୁ କଥାକୁ ଗୁରୁତ୍ୱ ଦେଉଛି। ଛୋଟ ଛୋଟ ସମସ୍ୟାର ସମାଧାନ ହେବ ଏବଂ ଆମେ ବିଜେପି ବିରୋଧରେ ଲଢ଼ିବୁ ବୋଲି ଆମର ବିଶ୍ୱାସ ରହିଛି ବୋଲି ରାହୁଲ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି କଂଗ୍ରେସକୁ ଡବଲ ଝଟକା, ମିଲିନ୍ଦ ଦେଓଡାଙ୍କ ପରେ ବର୍ତ୍ତମାନ ଆସାମର ଏହି ବଡ ନେତା ଦେଲେ ଇସ୍ତଫା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଜି କଂଗ୍ରେସକୁ ଡବଲ ଝଟକା ଲାଗିଛି। ପ୍ରଥମେ ମହାରାଷ୍ଟ୍ର କଂଗ୍ରେସ ନେତା ମିଲିନ୍ଦ ଦେଓଡା ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଅପୂର୍ବ ଭଟ୍ଟାଚାର୍ଯ୍ୟ ଆସାମରେ କଂଗ୍ରେସ ସଚିବ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସରେ ରହିଥିଲେ। ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ ଏହି ଦୁଇ ନେତାଙ୍କ ଇସ୍ତଫା ଦଳ ପାଇଁ ଏକ ବଡ କ୍ଷତି ବୋଲି ବିବେଚନା କରାଯାଉଛି। ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ମଧ୍ୟ ମହାରାଷ୍ଟ୍ର ଏବଂ ଆସାମରେ ହେବ।

ପ୍ରକାଶ ଯେ, ଆସାମରେ କଂଗ୍ରେସ ଦଳ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛି। ଏହାର ବହୁ ବଡ ନେତା ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି। ଗତ ବର୍ଷ ନଭେମ୍ବରରେ ଆସାମ କଂଗ୍ରେସର ଦୁଇ ପ୍ରମୁଖ ନେତା ଦଳ ଛାଡି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିଲେ। ଇସ୍ତଫା ଦେଇଥିବା ଦୁଇ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନଗାଓଁ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁରେଶ ବୋରା, ଯିଏ ୨୦୨୧ ମସିହାରେ ବରହମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ସହିତ ଆସାମପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୋରିଟୁଶ ରୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାହୁଲଙ୍କ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଝଟକା: ମିଲିନ୍ଦ ଦେୱଡା ଦେଲେ ଇସ୍ତଫା, ଏବେ ଏହି ଦଳରେ ହେବେ ସାମିଲ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସ ପାର୍ଟି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ନେତା ମିଲିନ୍ଦ ଦେଓଡା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସମାପ୍ତ ହୋଇଛି ବୋଲି ସେ ଏକ ପୋଷ୍ଟ କରିଛନ୍ତି।

ପୂର୍ବତନ କଂଗ୍ରେସ ନେତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି “୫୫ ବର୍ଷ ପୁରୁଣା ସମ୍ପର୍କ ସମାପ୍ତ ହୋଇଛି। ମୋତେ ସମସ୍ତ ନେତା, ସହକର୍ମୀ ଏବଂ କର୍ମୀ ବର୍ଷ ବର୍ଷ ଧରି ନିରନ୍ତର ସମର୍ଥନ ଦେଇଥିବାରୁ ମୁଁ କୃତଜ୍ଞ।”

ସିନ୍ଦେ ଦଳରେ ଯୋଗଦେବେ!:

ଆଜି ମିଲିନ୍ଦ ଦେଓଡା ଏକନାଥ ସିନ୍ଦେ ଦଳର ଶିବସେନାରେ ଯୋଗଦେବେ। ତାଙ୍କର ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେବ। ଯଦିଓ ଏପରି କଳ୍ପନାଜଳ୍ପନା କରାଯାଉଥିଲା ଯେ, ସେ କଂଗ୍ରେସ ଛାଡି ସିନ୍ଦେ ସେନାରେ ଯୋଗ ଦେଇପାରନ୍ତି, କିନ୍ତୁ ଗୋଟିଏ ଦିନ ପୂର୍ବରୁ ସେ ଏହି କଳ୍ପନାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପୂର୍ବରୁ ଇସ୍ତଫା ଦେଇଛନ୍ତି:

ମିଲିନ୍ଦ ଦେଓଡା କଂଗ୍ରେସ ଉପରେ ଅସନ୍ତୁଷ୍ଟ ବୋଲି କୁହାଯାଉଛି ଏବଂ ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି, କିନ୍ତୁ ସେ ଯେଉଁ ଦିନ ବାଛିଛନ୍ତି ତାହା ମଧ୍ୟ ବିଶେଷ ଅଟେ। ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ସେ ଆଜି ଇସ୍ତଫା ଦେଇଛନ୍ତି। ବାସ୍ତବରେ, ଦକ୍ଷିଣ ମୁମ୍ବାଇ ଲୋକସଭା ଆସନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ର ଦାବିକୁ ଦେଓଡା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅବିଭକ୍ତ ଶିବସେନାର ଅରବିନ୍ଦ ସାୱନ୍ତ ତାଙ୍କୁ ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ​​ପରାସ୍ତ କରିଥିଲେ।

ମିଲିନ୍ଦ ଦେଓଡା କିଏ?:

ମିଲିନ୍ଦ ଦେଓdaa ହେଉଛନ୍ତି କଂଗ୍ରେସ ଦଳର ନେତା ମୁରଲୀ ଦେଓଡାଙ୍କ ପୁଅ। ସେ ବୋଷ୍ଟନ୍ ୟୁନିଭରସିଟିର କ୍ୱେଷ୍ଟ୍ରୋମ୍ ସ୍କୁଲ୍ ଅଫ୍ ବିଜିନେସ୍ ରୁ ବ୍ୟବସାୟ ପ୍ରଶାସନରେ ସ୍ନାତକ ହାସଲ କରିଛନ୍ତି। ୨୦୦୪ ସାଧାରଣ ନିର୍ବାଚନରେ ​​ସେ ମୁମ୍ବାଇ ସାଉଥରୁ ବିଜେପିର ଜୟନ୍ତୀବେନ ମେହେଟ୍ଟାଙ୍କୁ ୧୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ଜିତିଥିଲେ।

୨୦୧୧ ମସିହାରେ ମିଲିନ୍ଦ ଦେଓଡା କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ଅକ୍ଟୋବର ୨୦୧୨ ରେ ସେ ପରିବହନ ବିଭାଗର ମନ୍ତ୍ରୀ ଦାୟିତ୍ଵ ମଧ୍ୟ ତୁଲାଇଥିଲେ। ମିଲିନ୍ଦ ଦେଓଡା ପୂଜା ଶେଟ୍ଟୀଙ୍କୁ ବିବାହ କରିଛନ୍ତି। ପୂଜା ଶେଟ୍ଟୀ ଫିଲ୍ମ ପ୍ରଡକ୍ସନ୍ କମ୍ପାନୀ ୱାଲ୍ ୱାଟର ମିଡିଆର ମୁଖ୍ୟ। ଚଳଚ୍ଚିତ୍ର ନିର୍ମାତା ମନମୋହନ ଶେଟ୍ଟୀଙ୍କ ଝିଅ।

ନିକଟରେ ଯେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଥିଲା ସେତେବେଳେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ମିଳିତ କୋଷାଧ୍ୟକ୍ଷ ଦାୟିତ୍ୱ ମିଲିନ୍ଦ ଦେଓଡାଙ୍କୁ ଦେଇଥିଲେ, କିନ୍ତୁ କିଛି ଦିନ ପରେ ସେ ଇସ୍ତଫା ଦେଇ କଂଗ୍ରେସ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ମିଲିନ୍ଦ ଦେଓଡା କଂଗ୍ରେସ ଛାଡିବାର କାରଣ ଇଣ୍ଡିଆ ମେଣ୍ଟ ବୋଲି କୁହାଯାଉଛି। ମିଲିନ୍ଦ ଦେଓଡା ଏକଦା କଂଗ୍ରେସର ମୁମ୍ବାଇ ୟୁନିଟର ମୁଖ୍ୟ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଇଣ୍ଡି ମେଣ୍ଟ: ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ, ନୀତୀଶ ଆବାହାକ!

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଜି ବିରୋଧୀ ଦଳର ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଆବାହକ ପଦ ପାଇଁ ମନୋନୀତ କରାଯାଇଛି। ଆସନ ବଣ୍ଟନ ଏଜେଣ୍ଡା, ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ଏବଂ ମେଣ୍ଟ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗର ସମୀକ୍ଷା ପାଇଁ ଆଜି ଭାରତୀୟ ଗୋଷ୍ଠୀର ନେତାମାନେ ଏକ ଭର୍ଚୁଆଲ ବୈଠକ କରିଥିଲେ। ତେବେ ନୀତୀଶ କୁମାରଙ୍କ ଦଳ କହିଛି ଯେ ସେ କୌଣସି ପଦପଦବୀ ପାଇଁ ଲାଳାୟିତ ନୁହଁନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଆଲୋଚନା ପରେ ଆବାହକ ପଦ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Categories
ବିଶେଷ ଖବର

ଲୋକସଭା ନିର୍ବାଚନ: ସପା ସହିତ ଦିଲ୍ଲୀ ବୈଠକ ସ୍ଥଗିତ ରଖିଲା କଂଗ୍ରେସ, ଆସନ ବୁଝାମଣାକୁ ନେଇ ବିବାଦ ଜାରି

ନୂଆଦିଲ୍ଲୀ: ୟୁପିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଆସନ ବଣ୍ଟନକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀରେ ଆସନ ବଣ୍ଟନକୁ ନେଇ ଦୁଇ ଦଳର ନେତାଙ୍କ ମଧ୍ୟରେ ବୈଠକ ହେବାର ଥିଲା। କଂଗ୍ରେସର ବ୍ୟସ୍ତତା ଦର୍ଶାଇ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ କରିଦେଇଛି। ସପାର ଜଣେ ନେତା କହିଛନ୍ତି ଯେ ହୋମୱାର୍କ ନାହିଁ ବୋଲି କହି କଂଗ୍ରେସ ବୈଠକ ତାରିଖକୁ ଆଗକୁ ବଢ଼ିବାକୁ କହିଛି। ତେବେ ହଠାତ୍ ବୈଠକ ସ୍ଥଗିତ ରହୁଥିବାରୁ ଏସପି ଭିତରେ ମଧ୍ୟ ଅସନ୍ତୋଷର ସ୍ୱର ଉଠିବାରେ ଲାଗିଛି।

ସପା ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ନେଇ ସପାର ମୁଖ୍ୟ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ଏବଂ କଂଗ୍ରେସର ମେଣ୍ଟ କମିଟି ଅଧ୍ୟକ୍ଷ ମୁକୁଲ ୱାସନିକଙ୍କ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଅଖିଳେଶ ଆଲୋଚନା ପାଇଁ ଏକ ୫ ଜଣିଆ ଟିମ୍ ଗଠନ କରିଥିଲେ, ଯେଉଁଥିରେ ରାମଗୋପାଳ ଯାଦବ, ରାଜ୍ୟସଭା ସାଂସଦ ଜାଭେଦ ଅଲ୍ଲୀ, ବିଧାୟକ ଲାଲଜୀ ବର୍ମା ଓ ସଂଗ୍ରାମ ସିଂହ ଯାଦବ ଏବଂ ପୂର୍ବତନ ବିଧାୟକ ଉଦୟବୀରଙ୍କୁ ମଧ୍ୟ ସାମିଲ କରାଯାଇଛି। ଶୁକ୍ରବାର ଦିଲ୍ଲୀରେ ଏସପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଏକ ବୈଠକ ହେବାର ଥିଲା।

ସପା ସହିତ କଂଗ୍ରେସର ପୁଣି ଧୋକା

ମିଳିଥିବା ସୂଚନା ଅନୁଯାୟୀ, କିଛି ସପା ନେତା ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ, କିନ୍ତୁ କଂଗ୍ରେସ ଏହି ବୈଠକକୁ ସ୍ଥଗିତ ରଖିଥିଲା। ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ରାମ ଗୋପାଳ ଯାଦବଙ୍କୁ ଫୋନ୍ କରି କହିଥିଲେ ଯେ ମେଣ୍ଟ କମିଟି ସଭାପତି ମୁକୁଲ ଓ୍ୱାସନିକ ଏବଂ ୟୁପି ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ବୈଠକ ସମ୍ଭବ ନୁହେଁ। ରାଜ୍ୟ ସଂଗଠନ ରାହୁଳଙ୍କ ଯାତ୍ରାରେ ବ୍ୟସ୍ତ ଥିବାରୁ ହୋମୱାର୍କ କରାଯାଇନାହିଁ।

ସିଟ୍ ଏବଂ ସହଯୋଗୀଙ୍କୁ ନେଇ ଚାପ

ଦୁଇ ଦଳ ମଧ୍ୟରେ ବୈଠକ ସ୍ଥଗିତ ରଖାଯିବା କାରଣ ନେଇ କଳ୍ପନାଜଳ୍ପନା ଜାରି ରହିଛି। କୁହାଯାଉଛି ଯେ କଂଗ୍ରେସ ବିଏସପିର ସମ୍ଭାବନା ଖୋଜୁଛି। ଜାନୁଆରୀ ୧୫ ହେଉଛି ବିଏସପି ସୁପ୍ରିମୋ ମାୟାବତୀଙ୍କ ଜନ୍ମଦିନ। ସେହିଦିନ ମାୟାବତୀଙ୍କ ଆଭିମୁଖ୍ୟ ଉପରେ କଂଗ୍ରେସର ନଜର ରହିଛି, ତେଣୁ ସେପର୍ଯ୍ୟନ୍ତ ଏହାକୁ ଅପେକ୍ଷା କରାଯାଉଛି । ସେହିପରି ୨୦୧୯ ଲୋକସଭା ଓ ୨୦୨୨ ବିଧାନସଭା ନିର୍ବାଚନ ଆଧାରରେ ଆସନ ବଣ୍ଟନ ପାଇଁ ସପା ଦାବି କରୁଥିବା ଚର୍ଚ୍ଚା ହେଉଛି। ଏହି ଆଧାରରେ କଂଗ୍ରେସ ପାଇଁ ୧୦ଟି ଆସନ ଦାବି କରିବା କଷ୍ଟକର ହୋଇପଡ଼ିଛି, ତେଣୁ ଏହି ପ୍ରସଙ୍ଗ ଉଠାଯାଉନାହିଁ।

ଏସପିର କ୍ଷୋଭ ପ୍ରକାଶ

ସମାଜବାଦୀ ମିଡିଆ ସେଲର ହ୍ୟାଣ୍ଡେଲ ମଧ୍ୟ ବୈଠକ ସ୍ଥଗିତ ରଖିଥିବାରୁ କଂଗ୍ରେସକୁ ସମାଲୋଚନା କରିଛି। ଏହି ହ୍ୟାଣ୍ଡେଲକୁ ଏସପି ମିଡିଆ ସେଲର ଅଫିସିଆଲ ହ୍ୟାଣ୍ଡେଲ ବୋଲି ଦାବି କରାଯାଇଛି। ଏହି କାର୍ଯ୍ୟକଳାପ ଯୋଗୁଁ କଂଗ୍ରେସ ୩ଟି ରାଜ୍ୟକୁ ବିଜେପି ହାତରେ ଟେକି ଦେଇଛି। ଏବେ ଲୋକସଭାରେ ମଧ୍ୟ ମେଣ୍ଟ ଓ ସହଯୋଗୀ ଦଳକୁ ନେଇ ଗମ୍ଭୀର ନୁହଁନ୍ତି। ଯେତେବେଳେ ସପା ପ୍ରତିନିଧି ଦଳ ଦିଲ୍ଲୀରେ ପହଞ୍ଚିଥିଲେ, ସେତେବେଳେ ଆସନ ବଣ୍ଟନ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ

ତେବେ ପରେ ଏହି ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଥିଲା। ଜଣେ ଏସପି ନେତା କହିଛନ୍ତି ଯେ ଯଦି ବୈଠକ ଯଦି ସ୍ଥଗିତ ରଖାଗଲା, ତେବେ ସେମାନେ ପୂର୍ବରୁ ସୂଚନା ଦେଇଥାନ୍ତେ। ବୈଠକ ଡାକି ସ୍ଥଗିତ ରଖିବା ଭୁଲ। ତେବେ ୩/୪ ଦିନ ପରେ ଆଉ ଏକ ବୈଠକ ବସିବ।

Categories
ବିଶେଷ ଖବର

ସୋମନାଥ ମନ୍ଦିରର ପ୍ରାଣପ୍ରତିଷ୍ଠାରେ ନେହେରୁଙ୍କ ଅନୁପସ୍ଥିତିର କାହାଣୀ କ’ଣ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦଳକୁ ନିମନ୍ତ୍ରଣ ମିଳିଥିଲା। କଂଗ୍ରେସ ଏହାକୁ ବିଜେପି ଓ ଆରଏସଏସର ଏକ କାର୍ଯ୍ୟକ୍ରମ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ ହେବା ପରେ ରାଜନୀତି ସରଗରମ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ ୭୩ ବର୍ଷ ତଳେ ସୋମନାଥ ମନ୍ଦିର ଉଦ୍‍ଘାଟନ ସହ ଯୋଡ଼ିଛି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସ ରାମ ବିରୋଧୀ ବୋଲି ବିଜେପି ଅଭିଯୋଗ କରିଛି। ସାତ ଦଶନ୍ଧି ପୂର୍ବର କଥା ମନେପକାଇ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଏହି ସମଗ୍ର ପ୍ରସଙ୍ଗରେ ସମାଲୋଚନା କରାଯାଇଛି। ଏହାପରେ ନେହେରୁ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ସୋମନାଥ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗଦେବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଖୋଲାଖୋଲି ମତଭେଦ ହୋଇଥିଲା। କ’ଣ ଥିଲା ସେହି କାହାଣୀ? ଆସନ୍ତୁ ଜାଣିବା ଏଠାରେ….

ଏହା ସାତ ଦଶନ୍ଧି ପୂର୍ବର କଥା। ବର୍ତ୍ତମାନ ଭଳି ବାତାବରଣ ଭଳି ପ୍ରାୟ ସମାନ ସ୍ଥିତି ଥିଲା। ତାରିଖ ଥିଲା ୧୧ ମଇ ୧୯୫୧। ଗୁଜରାଟରେ ଉଦ୍‍ଘାଟିତ ହେଲା ସୋମନାଥ ମନ୍ଦିର। ଏହା ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ଆକ୍ରମଣକାରୀମାନେ ଏହି ମନ୍ଦିରକୁ ଅନେକ ଥର ଧ୍ୱଂସ କରିଥିଲେ। ଔରଙ୍ଗଜେବଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଭାଙ୍ଗି ଦିଆଯାଇଥିଲା। ସ୍ୱାଧୀନତା ପରେ ଏହାର ପୁନଃନିର୍ମାଣ କରାଯାଇଥିଲା। ଏହାର ଶ୍ରେୟ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଯାଉଛି।

୧୯୫୧ ମସିହା ମଇ ୧୧ ତାରିଖରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମନ୍ଦିରରେ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣକୁ ନେହେରୁ ବିରୋଧ କରିଥିଲେ। ନେହେରୁ ଏଥିରେ ଯୋଗଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ନେହେରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ମଧ୍ୟ ରାଜେନ୍ଦ୍ର ପ୍ରସାଦଙ୍କ କୁହାଯାଇଥିଲା।

ପ୍ରସାଦଙ୍କୁ ଚିଠି ଲେଖିଲେ ନେହେରୁ

ସୋମନାଥ ମନ୍ଦିର ଉଦ୍‍ଘାଟନ କାର୍ଯ୍ୟକ୍ରମର ପ୍ରାୟ ତିନିମାସ ପୂର୍ବରୁ ନେହେରୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ୧୯୫୧ ମସିହା ମାର୍ଚ୍ଚ ୧୩ ତାରିଖରେ ଲେଖାଯାଇଥିଲା। ସେ ଲେଖିଛନ୍ତି- ଯଦି ଆପଣ ଭାବୁଛନ୍ତି ଯେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଆପଣଙ୍କ ପାଇଁ ଠିକ୍ ହେବ ନାହିଁ, ତେବେ ମୁଁ ଆପଣଙ୍କ ଉପରେ ଚାପ ପକାଇବି ନାହିଁ। ନେହେରୁ ଲେଖିଥିଲେ ଯେ ରାଜେନ୍ଦ୍ର ପ୍ରସାଦଙ୍କ ସୋମନାଥ ମନ୍ଦିର ଗସ୍ତ ରାଜନୈତିକ ଗୁରୁତ୍ୱ ବହନ କରୁଛି। ଏହା କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ। ତେଣୁ ସେମାନେ ଏଥିରେ ଯିବା ଉଚିତ ନୁହେଁ।

ବାସ୍ତବରେ ନେହେରୁ ଚାହୁଁନଥିଲେ ଯେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିବା ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ। ନେହେରୁ ଅନୁଭବ କରିଥିଲେ ଯେ ଏହା ଜନସାଧାରଣଙ୍କୁ ଏକ ଭୁଲ ବାର୍ତ୍ତା ଦେଇପାରେ। ଏହି କାରଣରୁ ନେହେରୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ଭିନ୍ନକଥା ଯେ ପ୍ରସାଦ ନେହେରୁଙ୍କ କଥା ନ ଶୁଣି ସୋମନାଥ ମନ୍ଦିର ଉଦ୍‍ଘାଟନରେ ଯୋଗ ଦେଇଥିଲେ।

ରାଜେନ୍ଦ୍ର ପ୍ରସାଦ ଚିଠିର ଉତ୍ତର ଦେଇଛନ୍ତି

ନେହେରୁଙ୍କ ଚିଠିର ଜବାବରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ମଧ୍ୟ ଏକ ଚିଠି ଲେଖିଥିଲେ। ପ୍ରସାଦ ଲେଖିଛନ୍ତି- ମୁଁ ମୋ ଧର୍ମରେ ବହୁତ ବିଶ୍ୱାସ କରେ ଏବଂ ଏଥିରୁ ନିଜକୁ ଅଲଗା କରିପାରିବି ନାହିଁ। ତା’ପରେ ସେ କେବଳ ଉଦ୍‍ଘାଟନ ଉତ୍ସବରେ ଯୋଗ ଦେଇନଥିଲେ, ତେବେ କାର୍ଯ୍ୟକ୍ରମ ଅନୁଯାୟୀ ଶିବଲିଙ୍ଗ ମଧ୍ୟ ପ୍ରତିଷ୍ଠା କରିଥିଲେ। ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏ ନେଇ ସେ ମହାତ୍ମା ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଗାନ୍ଧୀ ଏହି ପ୍ରସ୍ତାବକୁ ପ୍ରଶଂସା କରିଥିଲେ। କିନ୍ତୁ ସର୍ତ୍ତ ଥିଲା ଯେ ଏଥିରେ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯିବ ନାହିଁ। ପଟେଲ ଏହି ସର୍ତ୍ତକୁ ଅକ୍ଷରରେ ପାଳନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ କୁ ଅନୁମତି ଦେବେ ଆସାମ ସରକାର: ହିମନ୍ତ ବିଶ୍ୱ ସରମା

ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଗୁରୁବାର କହିଛନ୍ତି ଯେ, ଯଦି କଂଗ୍ରେସ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ପାଇଁ ଅନୁମତି ମାଗେ, ତେବେ ‘ସମସ୍ତ ପର୍ଯ୍ୟଟକ’କୁ ସ୍ୱାଗତ କରିବା ଭଳି ‘ଭାରତ ଯୋଡ ନ୍ୟାୟ ଯାତ୍ରା’ କୁ ରାଜ୍ୟ ସରକାର ଅନୁମତି ଦେବେ। ଶ୍ରୀ ସରମା କହିଛନ୍ତି ଯେ, ଆସାମରେ ଏହି ଯାତ୍ରା ଆୟୋଜନ ପାଇଁ କଂଗ୍ରେସ ଦେଇଥିବା ଅନୁମତି ସମ୍ପର୍କରେ ସେ ଏପର୍ଯ୍ୟନ୍ତ କୌଣସି ସୂଚନା ପାଇନାହାଁନ୍ତି।

ଦଳର ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ନେତୃତ୍ୱରେ ଏହି ଯାତ୍ରା ଜାନୁଆରୀ ୧୪ ତାରିଖରେ ମଣିପୁରର ରାଜଧାନୀ ଇମ୍ଫାଲରୁ ବାହାରି ଜାନୁଆରୀ ୧୮ ତାରିଖରେ ଆସାମରେ ପହଞ୍ଚିବ। ସୂଚନାନୁସାରେ ଆସାମରେ ଏହି ଯାତ୍ରା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହା ରାଜ୍ୟର ୧୭ ଟି ଜିଲ୍ଲା ଦେଇ ଯିବ। ବିଭିନ୍ନ ରାଜ୍ୟ ଦେଇ ଏହି ଯାତ୍ରା ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ।

ଶ୍ରୀ ସରମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ମୁଁ ଏବିଷୟ ନେଇ ମୁଖ୍ୟ ଶାସନ ସଚିବଙ୍କୁ ପଚାରିଛି, କିନ୍ତୁ ଏ ବିଷୟରେ ମଧ୍ୟ ତାଙ୍କର କୌଣସି ସୂଚନା ନାହିଁ।’ ସେ କହିଛନ୍ତି ଯେ, ‘ସେମାନେ (କଂଗ୍ରେସ) ଅନାବଶ୍ୟକ ଆଲୋଚନା କରୁଛନ୍ତି। କିନ୍ତୁ ଆମେ ଜାଣିନାହୁଁ, ସେମାନେ କେବେ ଓ କେଉଁଠାକୁ ଆସୁଛନ୍ତି।

Categories
ବିଶେଷ ଖବର

ବଙ୍ଗଳାରେ ଇଣ୍ଡି ମେଣ୍ଟ ଉପରେ ସଙ୍କଟ!: କଂଗ୍ରେସ କମିଟିକୁ ଭେଟିବ ନି ଟିଏମସି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆସନ ବଣ୍ଟନକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟରେ ସାମିଲ ଥିବା ଦଳମାନଙ୍କ ସହ ବାରମ୍ବାର ବୈଠକ କରୁଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଆସନ ବଣ୍ଟନ ନେଇ କଂଗ୍ରେସ ସହ ବୈଠକ କରିବ ନାହିଁ।

ଟିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଇଣ୍ଡି ମେଣ୍ଟ କମିଟି ବୈଠକକୁ ଦଳ କୌଣସି ନେତାଙ୍କୁ ପଠାଇବ ନାହିଁ। କାରଣ ଟିଏମସି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ମାତ୍ର ୨ଟି ଆସନ କଂଗ୍ରେସକୁ ଦେବାକୁ ରାଜି ହୋଇଛି।

ଏଗୁଡ଼ିକ ଖୁବ୍ କମ୍ ଆସନ ହୋଇଥିବାରୁ ସେମାନେ ପ୍ରସ୍ତୁତ ନୁହଁନ୍ତି ବୋଲି କଂଗ୍ରେସ କହିଛି। ଏଭଳି ସ୍ଥିତିରେ ଏହାକୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପଶ୍ଚିମବଙ୍ଗରେ ୬ରୁ ୧୦ଟି ଆସନରେ ଲଢ଼ିବାକୁ ଦାବି କରୁଛି।

କ’ଣ କହିଲା ଟିଏମସି?

ଟିଏମସିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଗତ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସକୁ ଦୁଇଟି ଆସନ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ସେ କହିଛନ୍ତି ଯେ ୪୨ଟି ଆସନରୁ କଂଗ୍ରେସ ୩୯ଟି ଆସନରେ ୫ ପ୍ରତିଶତରୁ କମ୍ ଭୋଟ ପାଇଛି।

୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୨.୯୩ ପ୍ରତିଶତ ଭୋଟ ମିଳିଥିଲା। ୨୦୧୬ରେ ଦଳକୁ ୧୨.୨୫ ପ୍ରତିଶତ ଭୋଟ ମିଳିଥିଲା। ଏଭଳି ସ୍ଥିତିରେ କଂଗ୍ରେସ ନେତୃତ୍ୱଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏହା ବଙ୍ଗଳାରେ ଏକ ଦୁର୍ବଳ ଦଳ।

ଟିଏମସି ଅନ୍ୟ ରାଜ୍ୟରୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ଚାହୁଁଛି

ଟିଏମସି ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ କେବଳ ଦଳର ମୁଖ୍ୟ ମମତା ବାନାର୍ଜୀ ହିଁ ବଙ୍ଗଳାର ଆସନ ବଣ୍ଟନ ଫର୍ମୁଲା ପରିବର୍ତ୍ତନ କରିପାରିବେ। ଏହାବ୍ୟତୀତ ମେଘାଳୟ ଓ ଆସାମରେ ଗୋଟିଏ ଲେଖାଏଁ ଆସନରେ ଲଢ଼ିବାକୁ ଦଳ ଚାହୁଁଛି।

ନିକଟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ମମତା ବାନାର୍ଜୀ କହୁଛନ୍ତି ଯେ ସେ ଆମକୁ ବଙ୍ଗଳାରେ ୨ଟି ଆସନ ଦେବେ। ଏହି ଆସନରେ କଂଗ୍ରେସ ସାଂସଦ ରହିଛନ୍ତି। ଏଭଳି ସ୍ଥିତିରେ ଟିଏମସି କ’ଣ ଦେଉଛି ନୂଆ?

କଂଗ୍ରେସର ଇଣ୍ଡି ମେଣ୍ଟ କମିଟି ବର୍ତ୍ତମାନ ସୁଦ୍ଧା ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାୱାରଙ୍କ ଏନସିପି, ଆରଜେଡି, ସମାଜବାଦୀ ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି ସହିତ ବୈଠକ କରିସାରିଛି। ୨୦୧୪ ଲୋକସଭା ନିର୍ବାଚନରେ ଟିଏମସି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନମଧ୍ୟରୁ ୨୨ଟିରେ ବିଜୟୀ ହୋଇଥିଲା। ବିଜେପି ୧୮ଟି ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା।

Categories
ବିଶେଷ ଖବର

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରୁ କଂଗ୍ରେସର ଦୂରତା ଜରୁରୀ ନା ରାଜନୈତିକ ବାଧ୍ୟତାମୂଳକ?

ନୂଆଦିଲ୍ଲୀ: ବର୍ତ୍ତମାନ କଂଗ୍ରେସ ନିଜକୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରୁ ଅଲଗା କରିବା ଆବଶ୍ୟକ କିମ୍ବା ରାଜନୈତିକ ବାଧ୍ୟତାମୂଳକ ମନେ କରୁଛି। କିନ୍ତୁ ଶିଳା ପୂଜାକୁ ଅନୁମତି ଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ପୂର୍ଣ୍ଣ ଶ୍ରେୟ ଦେଇଥିବା କଂଗ୍ରେସ ରାମ ମନ୍ଦିରର ତାଲା ଖୋଲିବାର ଶ୍ରେୟ ନେବାରେ କୌଣସି ସୁଯୋଗ ଛାଡିନାହିଁ କଂଗ୍ରେସ। ରାମ ଜନ୍ମଭୂମିରୁ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ କଂଗ୍ରେସ ନେତା ରାଜୀବ ଗାନ୍ଧି। କିନ୍ତୁ ଆଜି ସେହି କଂଗ୍ରେସ ସହିତ ଏମିତି କ’ଣ ଘଟିଛି ଯେ ସେ ସଂଖ୍ୟାଗରିଷ୍ଠତାର ଭାବନାକୁ ଅଣଦେଖା କରି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି ଏବଂ ଯାହା ପାଇଁ ଏବେ ଦଳ ଭିତରୁ ବିରୋଧର ସ୍ୱର ଉଠିବା ଆରମ୍ଭ ହୋଇଛି।

ରାମ ମନ୍ଦିର ପାଇଁ ଶ୍ରେୟ ନେଇଥିଲା କଂଗ୍ରେସ

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ଅବସରରେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ପୋଷ୍ଟର ଉନ୍ମୋଚନ କରାଯାଇଛି। ଏହି ପୋଷ୍ଟରରେ କଂଗ୍ରେସ ଦୂରଦର୍ଶନରେ ରାମାୟଣ ପ୍ରସାରଣ ପାଇଁ ରାଜୀବ ଗାନ୍ଧୀଙ୍କୁ ଶ୍ରେୟ ଦେଇଛି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହଙ୍କୁ ରାମ ଜନ୍ମଭୂମିର ତାଲା ଖୋଲିବାକୁ ଏବଂ ଗୃହମନ୍ତ୍ରୀ ବୁଟା ସିଂଙ୍କୁ ୧୯୮୯ରେ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ପଠାଇଛି।

ଖାଲି ସେତିକି ନୁହେଁ, କଂଗ୍ରେସ ଏହି ପୋଷ୍ଟରରେ ଦାବି କରିଥିଲା ଯେ ଚେନ୍ନାଇରେ ତାଙ୍କର ଶେଷ ସାମ୍ବାଦିକ ସମ୍ମିଳନୀରେ ରାଜୀବ ଗାନ୍ଧୀ କହିଥିଲେ ଯେ ଅଯୋଧ୍ୟାରେ ହିଁ ରାମ ମନ୍ଦିର ନିର୍ମାଣ ହେବ।

ପ୍ରାଣପ୍ରତିଷ୍ଠା ଉତ୍ସବକୁ ଯିବାକୁ ମନା କଲା କଂଗ୍ରେସ

ଏବେ ଯଦି ଆପଣ କଂଗ୍ରେସ ନେତାଙ୍କୁ ବିଶ୍ୱାସ କରନ୍ତି, ତେବେ ରାଜୀବ ଗାନ୍ଧୀଙ୍କ ମତରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି ଏବଂ ଜାନୁଆରୀ ୨୨ରେ ଏହାର ପ୍ରାଣପ୍ରତିଷ୍ଠା ହେଉଛି, କିନ୍ତୁ ବର୍ତ୍ତମାନର କଂଗ୍ରେସ ରାଜୀବ ଗାନ୍ଧୀଙ୍କ କଂଗ୍ରେସ ନୁହେଁ। ରାଜୀବ ଗାନ୍ଧିଙ୍କ ଦେହାନ୍ତ ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡ ରାମ ମନ୍ଦିର ନିର୍ମାଣରେ ଭାଗ ନେବାକୁ ମନା କରିଦେଇଛନ୍ତି।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଚିଠି ଜାରି କରି ଘୋଷଣା କରିଛନ୍ତି ଯେ କଂଗ୍ରେସ ଏବଂ ଏହାର ନେତାମାନେ ରାମ ମନ୍ଦିର ଉଦ୍‍ଘାଟନରେ ଅଂଶଗ୍ରହଣ କରିବେ ନାହିଁ। ଏଭଳି ସ୍ଥିତିରେ କଂଗ୍ରେସ କାହିଁକି ଏପରି କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ରାମ ମନ୍ଦିର ନିର୍ମାଣର ଶ୍ରେୟ ବିଜେପି ନେଉଛି ବୋଲି ନା’ କ’ଣ? କାରଣ ଚିଠିରେ ଜୟରାମ ରମେଶ ଯାହା ଲେଖିଛନ୍ତି ତାହାର ସାର ହେଉଛି ଏହା।

ଜୟରାମ ରମେଶ ଲେଖିଛନ୍ତି, ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କୁ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ, କିନ୍ତୁ ଆରଏସଏସ ଏବଂ ବିଜେପି ଅଯୋଧ୍ୟାର ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଛନ୍ତି। ବିଜେପି ଓ ଆରଏସଏସ ନେତାଙ୍କ ଦ୍ୱାରା ଅସମ୍ପୂର୍ଣ୍ଣ ମନ୍ଦିରର ଉଦ୍‍ଘାଟନ ନିର୍ବାଚନୀ ଫାଇଦା ପାଇଁ କରାଯାଉଛି।

କଂଗ୍ରେସରୁ ବିଚ୍ଛିନ୍ନ ହେଲା ହିନ୍ଦୁ ଭୋଟ ବ୍ୟାଙ୍କ

୧୯୮୯ର ପାଲପୁର ଅଧିବେଶନ ପରଠାରୁ ବିଜେପି ରାମ ମନ୍ଦିରକୁ ନିର୍ବାଚନୀ ପ୍ରସଙ୍ଗ କରିଛି ବୋଲି ଏବେ କଂଗ୍ରେସର ବକ୍ତବ୍ୟରେ ସତ୍ୟତା ରହିଛି, କିନ୍ତୁ କଂଗ୍ରେସ ମଧ୍ୟ ରାମ ମନ୍ଦିରର ଶ୍ରେୟ ନେବାପାଇଁ କୌଣସି ସୁଯୋଗ ଛାଡ଼ିନାହିଁ। ହଁ, ଏହା ଭିନ୍ନକଥା ଯେ ଏହାକୁ କୌଣସି ଫାଇଦା ମିଳିଲା ନାହିଁ, ଅପରପକ୍ଷରେ ହିନ୍ଦୁ ଭୋଟ ବ୍ୟାଙ୍କ ଏଥିରୁ ଭାଙ୍ଗି ଯାଇଥିଲା, ଯାହାର ପରିଣାମ ହେଲା ୧୯୮୪ରେ ୪୦୪ ଆସନ ଜିତିଥିବା କଂଗ୍ରେସ ୧୯୮୯ ଲୋକସଭା ନିର୍ବାଚନରେ କ୍ଷମତାରୁ ଦୂରେଇ ଯାଇଥିଲା।

ଏହାପରେ ୧୯୯୧ ଲୋକସଭା ନିର୍ବାଚନରେ କଂଗ୍ରେସ ନିଜ ଇସ୍ତାହାରରେ ରାମ ମନ୍ଦିର ବିଷୟରେ ଉଲ୍ଲେଖ କରିଥିଲା, କିନ୍ତୁ ବାବ୍ରି ମସଜିଦ ନ ଭାଙ୍ଗି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି କହିଥିଲା। ୧୯୯୧ରେ କଂଗ୍ରେସ ବିଜୟୀ ହୋଇଥିଲା, ନରସିଂହ ରାଓ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ କଂଗ୍ରେସ ଏହି ବିଜୟରେ ରାମ ମନ୍ଦିରର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିନଥିଲା।

କୋମଳ ହିନ୍ଦୁତ୍ୱ ମଧ୍ୟ କଂଗ୍ରେସ ପାଇଁ କାମ କରିନଥିଲା

ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କଂଗ୍ରେସ ଏବେ ସେହି ଦିନଗୁଡ଼ିକୁ ମନେ ପକାଉଛି କି, ଯେଉଁ କାରଣରୁ ସେ ରାମ ମନ୍ଦିରରୁ ନିଜକୁ ଅଲଗା କରିଛି? କାରଣ ଏହାପରେ ମଧ୍ୟ ଯେତେବେଳେ ବି କଂଗ୍ରେସ ନରମ ହିନ୍ଦୁତ୍ୱର ସାହାରା ନେଇଥିଲା, ତାହା ଗୁଜରାଟ ନିର୍ବାଚନ ହେଉ କି ଉତ୍ତରପ୍ରଦେଶ ନିର୍ବାଚନ ହେଉ କିମ୍ବା ନିକଟରେ ମଧ୍ୟପ୍ରଦେଶର ନିର୍ବାଚନ ହେଉ, କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିଛି।

ରାହୁଲ ଗାନ୍ଧି ଜାନୁକୁ ଗୁଡ଼ାଇ ମନ୍ଦିର-ମନ୍ଦିର ପରିକ୍ରମା କଲେ କିମ୍ବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନବରାତ୍ରୀର ବ୍ରତ ରଖିଲେ କିମ୍ବା କମଲନାଥ ରାମ କଥା ଆୟୋଜନ କଲେ କିମ୍ବା ଭୂପେଶ ବାଘେଲ କୌଶଲ୍ୟ ମାତା ମନ୍ଦିର ନିର୍ମାଣ କଲେ, ତାହା ନିର୍ବାଚନରେ ଲାଭଦାୟକ ହୋଇନଥିଲା।

ଏବେ କଂଗ୍ରେସଠାରୁ ଅତି କମରେ ମୁସଲମାନ ଭୋଟ ବ୍ୟାଙ୍କ ନ ହରାଇବା ପାଇଁ କଂଗ୍ରେସ ରାମ ମନ୍ଦିରରୁ ନିଜକୁ ଦୂରେଇ ରଖିଛି । କାରଣ କଂଗ୍ରେସ ମଧ୍ୟ ଜାଣେ ଯେ ସମଗ୍ର ଦେଶରେ ମୁସଲମାନ ଭୋଟ ପ୍ରାୟ ୧୫ ପ୍ରତିଶତ ଏବଂ ଏହାର ସବୁଠାରୁ ବଡ଼ ଅଂଶ ସବୁବେଳେ କଂଗ୍ରେସକୁ ଯାଇଥାଏ। ଆଗକୁ ମଧ୍ୟ ୨୦୨୪ ନିର୍ବାଚନ ଥିବାବେଳେ କଂଗ୍ରେସ ଏହି ଭୋଟ ବ୍ୟାଙ୍କକୁ ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଁଛି।

କଂଗ୍ରେସ କାହିଁକି ରାମ ମନ୍ଦିରରୁ ନିଜକୁ ଦୂରେଇ ନେଉଛି?

କଂଗ୍ରେସ ରାମ ମନ୍ଦିରଠାରୁ ନିଜକୁ ଦୂରେଇ ରଖିବାର ସବୁଠାରୁ ବଡ଼ ଏବଂ ପ୍ରକୃତ କାରଣ ହେଉଛି ଦକ୍ଷିଣ ଭାରତରେ ବିଜେପିର ରାଜନୈତିକ ଭିତ୍ତିଭୂମି, ଯେଉଁଥିରେ କଂଗ୍ରେସ ଲଗାତର ଶକ୍ତିଶାଳୀ ହେବାରେ ଲାଗିଛି। କଂଗ୍ରେସ ଭଲ ଭାବରେ ଜାଣେ ଯେ ଯେତେ ଚେଷ୍ଟାକଲେ ମଧ୍ୟ ଉତ୍ତର ଭାରତରେ କିଛି ବିଶେଷ ହାସଲ କରିବାକୁ ଯାଉନାହିଁ। ବିହାରଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଯାହା କିଛି ହାସଲ ହେବ, ତା’ର ସହଯୋଗୀ ଦଳମାନେ ତାହା ପାଇବେ।

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବହୁ ଶକ୍ତି ପ୍ରୟୋଗ କରିବା ପରେ ମଧ୍ୟ କଂଗ୍ରେସକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଗୁଜରାଟରେ କଂଗ୍ରେସର କିଛି ଲାଭ ନାହିଁ। ପଞ୍ଜାବରେ ଯାହା ମିଳିବ ତାହା କଂଗ୍ରେସ ଓ ଆପ୍ ମଧ୍ୟରେ ବିଭାଜିତ ହେବ। ଏଭଳି ସ୍ଥିତିରେ ଦକ୍ଷିଣ ଭାରତର ଦୁଇଟି ରାଜ୍ୟ କର୍ଣ୍ଣାଟକ ଏବଂ ପରେ ତେଲେଙ୍ଗାନାରେ କଂଗ୍ରେସର ବିଜୟ ଦକ୍ଷିଣ ଭାରତ ଉପରେ ନିଜର ପୂରା ଫୋକସ୍ ରଖିଛି, ଯେଉଁଠାରୁ ଅଧିକ ସଫଳତା ହାସଲ କରିବାକୁ ଆଶା ରଖିଛି।

କଂଗ୍ରେସ ଭିତରେ ବିରୋଧୀ ସ୍ୱର

ଦକ୍ଷିଣ ଭାରତର ରାଜନୀତି ଉତ୍ତର ଭାରତର ରାଜନୀତିଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯେଉଁଥିରେ ଧର୍ମ ବ୍ୟକ୍ତିଗତ ବିଶ୍ୱାସର ବିଷୟ ହୋଇଛି। କେରଳରେ ଧର୍ମ ରାଜନୀତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତାମିଲନାଡୁର ସମଗ୍ର ରାଜନୀତି ପେରିଆରଙ୍କ ଚିନ୍ତାଧାରାକୁ ନେଇ ଘୂରି ବୁଲୁଛି, ଯେଉଁଥିରେ ହିନ୍ଦୁଧର୍ମ ବିରୋଧୀ ସ୍ୱର ଉଠିଛି। ଏଭଳି ସ୍ଥିତିରେ କଂଗ୍ରେସ ନିଜକୁ ଶକ୍ତିଶାଳୀ ହେବାକୁ ହେଲେ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା ସଂଖ୍ୟାଗରିଷ୍ଠଙ୍କ ଧାର୍ମିକ ଭାବନାର ସ୍ପଷ୍ଟ ବିପରୀତ।

ଏହି କାରଣରୁ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ୍, ଗୁଜୁରାଟର ପୋରବନ୍ଦର ଆସନର କଂଗ୍ରେସ ବିଧାୟକ ଅର୍ଜୁନ ମୋଧୱାଡିଆ ହୁଅନ୍ତୁ କିମ୍ବା ହିମାଚଳ ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ସମସ୍ତେ ନିଜ ଦଳର ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି। ବିକ୍ରମାଦିତ୍ୟ ସିଂହ ମଧ୍ୟ ଦଳୀୟ ଧାରଣାରୁ ଦୂରେଇ ଯାଇ ଜାନୁଆରୀ ୨୨ରେ ଅଯୋଧ୍ୟା ଯିବାକୁ ଘୋଷଣା କରିଛନ୍ତି।

ମନ୍ଦିର ଭିତରେ କେବଳ ୫ ଜଣ ଉପସ୍ଥିତ ରହିବେ

ବାକି କଥା ହେଉଛି, ରାଜନୈତିକ ହେଉ କି ଧାର୍ମିକ, ସେମାନେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମୟରେ ଅଯୋଧ୍ୟାରେ ଉପସ୍ଥିତ ରହିପାରିବେ, କିନ୍ତୁ ପୂଜାର୍ଚ୍ଚନା ସମୟରେ ମନ୍ଦିର ଭିତରେ କେବଳ ୫ ଜଣ ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ରାମଲଲାଙ୍କ ପୂଜକ।

ସେହିଦିନ ଅଯୋଧ୍ୟାରେ ଥିବା ବାକି ଲୋକମାନେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ହିଁ ମନ୍ଦିରରେ ପ୍ରବେଶ କରିପାରିବେ। ବୋଧହୁଏ ଏହା ମଧ୍ୟ ଏକ ବଡ଼ କାରଣ ଯେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ସମସ୍ତ ସାଧୁସନ୍ଥମାନେ ମଧ୍ୟ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଉପସ୍ଥିତ ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, କାରଣ ସେମାନେ ପୂଜା ସମୟରେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ।