Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁରି ମିଳିଛି। ଏହି ମଞ୍ଜୁରି କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଉପରେ ଆଧାରିତ।

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟ (ଟିଡି-୩ ଯାହାକି ପୂର୍ବର ଟିଡି-୫ ଗ୍ରେଡ ସହ ସମାନ)ର ଏମଏସପିକୁ କ୍ୱିଣ୍ଟାଲ ପ୍ରତି ୫୦୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ  ଖର୍ଚ୍ଚ ଉପରେ ୬୩.୨୦ ପ୍ରତିଶତର ଅତିରିକ୍ତ ଆୟ ସୁନିଶ୍ଚିତ କରିବ। ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ ଗୁଣା ଅତିରିକ୍ତ ଆୟ ଚାଷୀମାନଙ୍କୁ ଯୋଗାଇ ଦେବାକୁ ସରକାର ୨୦୧୮-୧୯ ବଜେଟ୍‌ରେ ଘୋଷଣା କରିଥିଲେ। ସେହି ଅନୁରୂପ କଞ୍ଚା ଝୋଟର ଏମଏସପି ନିର୍ଦ୍ଧାରଣ କରାଯାଇଛି।

ଏହା ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବ। ଝୋଟ ଚାଷୀମାନଙ୍କୁ ଭଲ ପାରିଶ୍ରମିକ ଦେବା ସହିତ  ଉନ୍ନତମାନର ଝୋଟ ଫାଇବରକୁ ପ୍ରୋତ୍ସାହିତ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ଭାରତୀୟ ଝୋଟ ନିଗମ (ଜେସିଆଇ) ମୂଲ୍ୟ ସହାୟତା କାର୍ଯ୍ୟ ପରିଚାଳନା କରିବା ଲାଗି କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟ ପରିଚାଳନା ସମୟରେ କୌଣସି କ୍ଷତି ହେଲେ କେନ୍ଦ୍ର ସରକାର ଏଥିପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କଞ୍ଚା ଝୋଟ ଉପରେ ଥିବା ମୂଲ୍ୟ କଟକଣା ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଝୋଟଜାତ ସାମଗ୍ରୀ ଉତ୍ପାଦନକାରୀ ଉଦ୍ୟୋଗର ମୋଟ କାରବାରର ରପ୍ତାନୀ ଭାଗ ୩୦% କଞ୍ଚା ଝୋଟର ବଜାର ଚାହିଦା ଓ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ଏହା ଉପରେ ଥିବା ମୂଲ୍ୟ କଟକଣାକୁ ଚଳିତମାସ ୨୦ତାରିଖରୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅତଏବ ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ।

କଞ୍ଚା ଝୋଟ ବ୍ୟବହାରକାରୀ ବିଭିନ୍ନ ମିଲ୍ ଓ ସଂସ୍ଥାଙ୍କ ପାଇଁ ସରକାରର ୨୦୨୧ ସେପ୍ଟେମ୍ବର ୩୦ତାରିଖରୁ ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏଥିରେ ଟିଡିଏସ୍ ୫ଗ୍ରେଡର କଞ୍ଚା ଝୋଟର କୁଇଣ୍ଟାଲ ପିଛା ମୂଲ୍ୟ ୬୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା।
ଝୋଟ କମିଶନର ଦପ୍ତର ପକ୍ଷରୁ ଦେଶରେ ଝୋଟର ମୂଲ୍ୟ ସମ୍ପର୍କରେ ଉଭୟ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟରୁ ଜଣାପଡିଲା ଯେ ବର୍ତ୍ତମାନ ଯେଉଁ ମୂଲ୍ୟରେ ଝୋଟ ବିକ୍ରି ହେଉଛି ତାହା ସରକାରୀ ଧାର୍ଯ୍ୟ କରିଥିବା ମୂଲ୍ୟର ପ୍ରାୟ ପାଖାପାଖି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଝୋଟର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଉଠାଇ ନେଇଛନ୍ତି।

ଆଶା କରାଯାଉଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାଷୀ, ମିଲ୍ ଓ ଝୋଟ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଉପକୃତ ହେବେ। ଝୋଟ ଉଦ୍ୟୋଗରେ ସାତଲକ୍ଷରୁ ଅଧିକ ଲୋକ କାମ କରୁଥିବାବେଳେ ପ୍ରାୟ ୪୦ଲକ୍ଷ ଚାଷୀ ଝୋଟ ଚାଷ କରୁଛନ୍ତି। ଝୋଟର ମୂଲ୍ୟ ହ୍ରାସ ଫଳରେ ଝୋଟରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନୀ ବାଣିଜ୍ୟ ବଢିବ ବୋଲି ଆଶା କରାଯାଉଛି। ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଉଦ୍ୟୋଗର ମୋଟ କାରବାରର ପ୍ରାୟ ୩୦ ଶତାଂଶ ରପ୍ତାନୀ କରାଯାଇଥାଏ।