Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶର ୧୨ଟି ସହରକୁ କରାଯିବ ଶିଳ୍ପ ସ୍ମାର୍ଟ ସିଟି, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ଶିଳ୍ପ ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ୨୮,୬୦୨ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ୧୨ଟି ନୂତନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି।

ଏହି ପଦକ୍ଷେପ ଦେଶର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପ ନୋଡ୍ ଓ ସହରଗୁଡ଼ିକର ଏକ ଦୃଢ଼ ନେଟୱର୍କ ସୃଷ୍ଟି କରିବ ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ।

୧୦ଟି ରାଜ୍ୟରେ ୬ଟି ପ୍ରମୁଖ କରିଡର ସହିତ ଏହି ପ୍ରକଳ୍ପଗୁଡ଼ିକ ଭାରତର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଉତ୍ତରାଖଣ୍ଡର ଖୁର୍ପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ, ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜାହିରାବାଦ, ଆନ୍ଧ୍ରପ୍ରଦେଶର ଓର୍ଭାକଲ ଓ କୋପ୍ପର୍ତ୍ତି ଏବଂ ରାଜସ୍ଥାନର ଯୋଧପୁର-ପାଲିରେ ଏହି ଶିଳ୍ପାଞ୍ଚଳ ଅବସ୍ଥିତ।

ମୁଖ୍ୟ ବିଶେଷତ୍ୱ

ରଣନୀତିକ ପୁଞ୍ଜିନିବେଶ: ଏନଆଇସିଡିପିକୁ ଉଭୟ ବୃହତ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ରେ ପୁଞ୍ଜିନିବେଶ ପାଇଁ ସୁବିଧା ପ୍ରଦାନ କରି ଏକ ଜୀବନ୍ତ ଶିଳ୍ପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ୨୦୩୦ ସୁଦ୍ଧା ୨ ଟ୍ରିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ଶିଳ୍ପ ନୋଡଗୁଡ଼ିକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ, ଯାହା ଆତ୍ମନିର୍ଭରଶୀଳ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଭାରତ ନିର୍ମାଣ ନିମନ୍ତେ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ।

ସ୍ମାର୍ଟ ସିଟି ଏବଂ ଆଧୁନିକ ଭିତ୍ତିଭୂମି: ନୂଆ ଶିଳ୍ପ ସହରଗୁଡିକୁ ବିଶ୍ୱସ୍ତରୀୟ ମାନର ଗ୍ରୀନଫିଲ୍ଡ ସ୍ମାର୍ଟ ସିଟି ଭାବରେ ବିକଶିତ କରାଯିବ, ଯାହା ‘ପ୍ଲଗ୍-ଏନ୍-ପ୍ଲେ’ ଏବଂ ‘ୱାକ୍-ଟୁ-ୱାର୍କ’ ଅବଧାରଣାକୁ ଆଧାର କରି ‘‘ଚାହିଦା ପୂର୍ବରୁ’’ ନିର୍ମିତ ହେବ। ଏହି ଆଭିମୁଖ୍ୟ ସୁନିଶ୍ଚିତ କରେ ଯେ ସହରଗୁଡ଼ିକ ଉନ୍ନତ ଭିତ୍ତିଭୂମିରେ ସଜ୍ଜିତ ଯାହା ସ୍ଥାୟୀ ଏବଂ ଦକ୍ଷ ଶିଳ୍ପ କାର୍ଯ୍ୟକୁ ସମର୍ଥନ କରେ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଉପରେ ଆଞ୍ଚଳିକ ଆଭିମୁଖ୍ୟ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ପ୍ରକଳ୍ପଗୁଡିକରେ ବହୁମୁଖୀ ସଂଯୋଗ ଭିତ୍ତିଭୂମି ରହିବ, ଯାହା ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ନିରବଚ୍ଛିନ୍ନ ପରିବହନକୁ ସୁନିଶ୍ଚିତ କରିବ। ସମଗ୍ର ଅଞ୍ଚଳର ପରିବର୍ତ୍ତନ ପାଇଁ ଶିଳ୍ପ ସହରଗୁଡିକୁ ଅଭିବୃଦ୍ଧି କେନ୍ଦ୍ର ଭାବରେ ପରିକଳ୍ପନା କରାଯାଇଛି ।

‘ବିକଶିତ ଭାରତ’ର ପରିକଳ୍ପନା:

ଏହି ପ୍ରକଳ୍ପଗୁଡ଼ିକର ଅନୁମୋଦନ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ। ବିଶ୍ୱ ମୂଲ୍ୟ ଶୃଙ୍ଖଳା (ଜିଭିସି)ରେ ଭାରତକୁ ଏକ ଶକ୍ତିଶାଳୀ ଖେଳାଳି ଭାବେ ସ୍ଥାନିତ କରି ଏନଆଇସିଡିପି ଆବଣ୍ଟନ ପାଇଁ ସହଜରେ ଉପଲବ୍ଧ ଉନ୍ନତ ଜମି ଯୋଗାଇଦେବ, ଯାହା ଘରୋଇ ଓ ଅନ୍ତର୍ଜାତୀୟ ନିବେଶକଙ୍କ ଲାଗି ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ସହଜ କରିବ। ଏହା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନର ବ୍ୟାପକ ଉଦ୍ଦେଶ୍ୟ ସହିତ ସମାନ, ଯାହା ଶିଳ୍ପ ଉତ୍ପାଦନ ଏବଂ ନିଯୁକ୍ତି ବୃଦ୍ଧି ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ।

ଆର୍ଥିକ ପ୍ରଭାବ ଏବଂ ନିଯୁକ୍ତି ସୃଷ୍ଟି:

ଯୋଜନାବଦ୍ଧ ଶିଳ୍ପାୟନ ମାଧ୍ୟମରେ ଆନୁମାନିକ ୧ ନିୟୁତ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୩ ନିୟୁତ ପରୋକ୍ଷ ନିଯୁକ୍ତି ସମେତ ଏନଆଇସିଡିପି ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା କେବଳ ଜୀବିକା ର ସୁଯୋଗ ମିଳିବ ନାହିଁ ବରଂ ଯେଉଁ ସବୁ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ।

ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରତିବଦ୍ଧତା:

ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ଆଇସିଟି-ସକ୍ଷମ ୟୁଟିଲିଟି ଏବଂ ସବୁଜ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରି ଏନଆଇସିଡିପି ଅଧୀନରେ ପ୍ରକଳ୍ପଗୁଡିକୁ ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ ଡିଜାଇନ୍ କରାଯାଇଛି। ଗୁଣାତ୍ମକ, ବିଶ୍ୱସନୀୟ ଏବଂ ସ୍ଥାୟୀ ଭିତ୍ତିଭୂମି ପ୍ରଦାନ କରି ସରକାର ଶିଳ୍ପ ସହର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା କେବଳ ଆର୍ଥିକ କାର୍ଯ୍ୟକଳାପର କେନ୍ଦ୍ର ନୁହେଁ ବରଂ ପରିବେଶ ପରିଚାଳନାର ମଡେଲ ମଧ୍ୟ ଅଟେ।

ଏନଆଇସିଡିପି ଅଧୀନରେ ୧୨ଟି ନୂତନ ଶିଳ୍ପ ନୋଡକୁ ଅନୁମୋଦନ ମିଳିବା ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ ଶକ୍ତି ହେବା ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସମନ୍ୱିତ ବିକାଶ, ସ୍ଥାୟୀ ଭିତ୍ତିଭୂମି ଏବଂ ନିରବଚ୍ଛିନ୍ନ ଯୋଗାଯୋଗ ଉପରେ ରଣନୀତିକ ଧ୍ୟାନ ଦେବା ସହିତ ଏହି ପ୍ରକଳ୍ପଗୁଡିକ ଭାରତର ଶିଳ୍ପ ପରିଦୃଶ୍ୟକୁ ପୁନଃପରିଭାଷିତ କରିବ ଏବଂ ଆଗାମୀ ବର୍ଷଗୁଡ଼ିକ ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

ଏହି ନୂଆ ମଞ୍ଜୁରି ବ୍ୟତୀତ ଏନଆଇସିଡିପିରେ ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଏବେ ଆଉ ୪ଟି କାର୍ଯ୍ୟକାରୀ ହେଉଛି। ଏହି କ୍ରମାଗତ ପ୍ରଗତି ଭାରତର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଓ ସମାବେଶୀ ଆର୍ଥିକ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ପ୍ରଦାନ କରାଯିବ ୬,୩୨୨ କୋଟି ଟଙ୍କା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଇସ୍ପାତ (ସ୍ପେସିଆଲିଟି ଷ୍ଟିଲ୍) ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଅବଧି ବର୍ଷ ୨୦୨୩-୨୪ ଠାରୁ ୨୦୨୭-୨୮ ପର‌୍ୟ୍ୟନ୍ତ ପାଞ୍ଚ ବର୍ଷ ଲାଗି ହେବ। ୬୩୨୨ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏହି ଯୋଜନା ଫଳରେ ପାଖାପାଖି ୪୦,୦୦୦କୋଟି ଟଙ୍କାର ନିବେଶ ହେବ ଏବଂ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ୨୫ ମିଲିୟନ ଟନ୍ କ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଯୋଜନା ଫଳରେ ପାଖାପାଖି ୫,୨୫,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଏଥିମଧ୍ୟରୁ ୬୮,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ହେବ।

ସ୍ୱତନ୍ତ୍ର ଇସ୍ପାତକୁ ଲକ୍ଷ୍ୟ ବର୍ଗ ଆକାରରେ ଚୟନ କରାଯାଇଛି କାରଣ ୨୦୨୦-୨୧ରେ ଉତ୍ପାଦନ ହୋଇଥିବା ୧୦୨ ମିଲିୟନ ଟନ୍ ଇସ୍ପାତ ମଧ୍ୟରୁ ଦେଶରେ ମୂଲ୍ୟ-ବର୍ଦ୍ଧିତ ଇସ୍ପାତ/ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ପରିମାଣ ମାତ୍ର ୧୮ ମିଲିୟନ ଟନ୍ ଥିଲା। ଏହା ବ୍ୟତୀତ, ସେହି ବର୍ଷ ୬.୭ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବା ବେଳେ ସେଥିମଧ୍ୟରୁ ୪ ମିଲିୟନ ଟନ୍ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ହୋଇଥିଲା, ଯାହାଫଳରେ ପାଖାପାଖି ୩୦,୦୦୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥିଲା।

ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ, ଭାରତ ଇସ୍ପାତର ମୂଲ୍ୟ ଶୃଙ୍ଖଳାରେ ଉନ୍ନତି କରିବ ଏବଂ କୋରିଆ ଓ ଜାପାନ ଭଳି ଉନ୍ନତ ଇସ୍ପାତ ନିର୍ମାଣକାରୀ ଦେଶର ସମକକ୍ଷ ହୋଇପାରିବ। ଆଶା କରାଯାଉଛି ଯେ ୨୦୨୬-୨୭ ଶେଷ ସୁଦ୍ଧା ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ୪୨ ମିଲିୟନ ଟନ୍‌ରେ ପହଞ୍ଚିବ। ଏହାଫଳରେ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଏବଂ ଉପଯୋଗ ଭାରତରେ ହୋଇପାରିବ। ଅନ୍ୟଥା ଏହାକୁ ବିଦେଶରୁ ଆମଦାନୀ କରାଯାଇଥାନ୍ତା।

ଅନୁରୂପ ଭାବେ, ସ୍ୱତନ୍ତ୍ର ଇସ୍ପାତ ରପ୍ତାନି ପରିମାଣ ବର୍ତ୍ତମାନର ୧.୭ ମିଲିୟନ ଟନ୍‌ରୁ ବୃଦ୍ଧି ପାଇ ପାଖାପାଖି ୫.୫ ମିଲିୟନ ଟନ୍ ହୋଇଯିବ, ଯାହାଫଳରେ ୩୦,୦୦୦ କୋଟି ଟଙ୍କାର ବିଦେଶୀ ମୂଦ୍ରା ପ୍ରାପ୍ତ ହୋଇପାରିବ। ଏହି ଯୋଜନାର ଲାଭ ବଡ଼ ଭାଗୀଦାର ଅର୍ଥାତ୍ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ଏବଂ କ୍ଷୁଦ୍ର ଭାଗିଦାର (ଦ୍ୱିତୀୟ ଇସ୍ପାତ ଭାଗୀଦାର), ଉଭୟଙ୍କୁ ମିଳିପାରିବ।

ସ୍ୱତନ୍ତ୍ର ଇସ୍ପାତ ଏକ ମୂଲ୍ୟବର୍ଦ୍ଧିତ ଇସ୍ପାତ ଅଟେ ଯେଉଁଥିରେ ସାଧାରଣ ଭାବେ ପ୍ରସ୍ତୁତ ହୋଇଥିବା ଇସ୍ପାତକୁ ଉଚ୍ଚ ମୂଲ୍ୟବର୍ଦ୍ଧିତ ଇସ୍ପାତରେ ପରିବର୍ତ୍ତିତ କରିବା ଲାଗି ସେଥିରେ କୋଟିଂ, ପ୍ଲେଟିଂ, ହିଟ୍ ଟ୍ରିଟମେଣ୍ଟ ଜରିଆରେ ପ୍ରଭାବ ପକାଯାଏ। ଏହାର ଉପଯୋଗ ଅଟୋ ମୋବାଇଲ କ୍ଷେତ୍ର, ସ୍ୱତନ୍ତ୍ର କ୍ୟାପିଟାଲ ଉତ୍ପାଦ ଆଦି ବ୍ୟତୀତ ବିଭିନ୍ନ ରଣନୈତିକ ପ୍ରୟୋଗ ଯେପରିକି ପ୍ରତିରକ୍ଷା, ମହାକାଶ, ଇନ୍ଧନ, ଆଦି କ୍ଷେତ୍ରରେ କରାଯାଏ।
ପିଏଲଆଇ ଯୋଜନାରେ ସ୍ୱତନ୍ତ୍ର ଇସ୍ପାତର ପାଞ୍ଚଟି ଶ୍ରେଣୀକୁ ଚୟନ କରାଯାଇଛି, ସେଗୁଡିକ ହେଲା
କ. କୋଟେଡ୍/ପ୍ଲେଟେଡ୍ ଇସ୍ପାତ ଉତ୍ପାଦ
ଖ. ହାଇ ଷ୍ଟ୍ରେନ୍ଥ/ୱିୟର ରେଜିଷ୍ଟାଣ୍ଟ ଷ୍ଟିଲ
ଗ. ସ୍ପେଶିଆଲିଟି ରେଲ୍
ଘ. ଆଲୟ ଷ୍ଟିଲ ଉତ୍ପାଦ ଏବଂ ଷ୍ଟିଲ ୱୟର
ଙ. ଇଲେକ୍ଟ୍ରିକଲ ଷ୍ଟିଲ୍

ଏହି ଉତ୍ପାଦ ଶ୍ରେଣୀରୁ ଆଶା କରାଯାଉଛି ଯେ ଏହି ଯୋଜନା ପୂରଣ ହେବା ପରେ ଭାରତ ଏପିଆଇ ଗ୍ରେଡ ପାଇପ, ହେଡ୍ ହାର୍ଡେନ୍‌ଡ୍ ରେଳ, ଇଲେକ୍ଟ୍ରିକାଲ ଷ୍ଟିଲ (ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ ଉପକରଣରେ ଆବଶ୍ୟକ) ଭଳି ଉତ୍ପାଦର ଉତ୍ପାଦନ କରିବା ଆରମ୍ଭ କରିଦେବ। ବର୍ତ୍ତମାନ ଏଗୁଡ଼ିକର ଅତ୍ୟନ୍ତ ସୀମିତ ପରିମାଣରେ କିମ୍ବା ଆଦୌ ଉତ୍ପାଦନ ହେଉନାହିଁ।

ପିଏଲଆଇ ପ୍ରୋତ୍ସାହନର ତିନୋଟି ସ୍ଲାବ୍ ରହିଛି, ନିମ୍ନ ସ୍ଲାବ ୪% ଏବଂ ସର୍ବୋଚ୍ଚ ସ୍ଲାବ ୧୨% ଅଟେ, ଏହାର ଇଲେକ୍ଟ୍ରିକାଲ ଷ୍ଟିଲ (ସିଆରଜିଓ) ଲାଗି ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଇସ୍ପାତ ପାଇଁ ପିଏଲଆଇ ଯୋଜନାରୁ ଅନେକ ଗୁଡ଼ିଏ ଲାଭ ମିଳିପାରିବ, ଯେପରିକି ଏଥିପାଇଁ ଆବଶ୍ୟକ ମୂଳ ଇସ୍ପାତକୁ ଦେଶ ଭିତରେ ତରଳା ଯିବ ଏବଂ ଢଳାଯିବ, ଯାହାର ଅର୍ଥ ହେଉଛି ସ୍ୱତନ୍ତ୍ର ଇସ୍ପାତ ନିର୍ମାଣ ଲାଗି ଉଦ୍ଦିଷ୍ଟ କଞ୍ଚା ମାଲ (ପ୍ରସ୍ତୁତ ଇସ୍ପାତ) ଭାରତରେ ହିଁ ପ୍ରସ୍ତୁତ କରାଯିବ। ଯାହାଫଳରେ ଦେଶ ଭିତରେ ହିଁ ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ଏହି ସ୍ୱତନ୍ତ୍ର ଇସ୍ପାତର ସମସ୍ତ ଉତ୍ପାଦନ ପ୍ରକ୍ରିୟା ସମ୍ପାଦନକୁ ପ୍ରୋତ୍ସାହନ ମିଳିବ।

Categories
EngExam ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ପାଇଁ କ୍ୟାବିନେଟ ମଂଜୁରୀ, ଦିଆଗଲା ନୂଆ ନାମ

ଭୁବନେଶ୍ବର, ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଭୁବନେଶ୍ବରର ଘାଟିକିଆରେ ଥିବା ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହିତ ଏହାର ନାମ ପରିବର୍ତ୍ତନ କରାଯାଇ ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ବା OUTR ରଖାଯାଇଛି।

ଏ ସଂପର୍କରେ ଆଜି ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ଏକ ପ୍ରସ୍ତାବ ଆଣିଥିଲା। ଏଥିରେ CET କଲେଜୁ ଏକ ଅଣ ଅନୁବନ୍ଧିତ ଏକକ ବିଶ୍ବବିଦ୍ୟାଳୟ କରିବା ପାଇଁ କ୍ୟାବିନେଟ ଆଗରେ ପ୍ରସ୍ତାବ ରଖିଥିଲେ। ଏଥିରେ ଏହି ବିଶ୍ବବିଦ୍ୟାଳୟ ନାମକୁ ପରିବର୍ତ୍ତନ କରି ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ବା OUTR ରଖିବା ପାଇଁ କହିଥିଲେ। ସେହି ଅନୁସାରେ କ୍ୟାବିନେଟ ତାହାକୁ ମଂଜୁର କରିଛନ୍ତି।

ଏପରି କରାଯିବା ପରେ ଏଥିରେ ସ୍ନାତକ ସ୍ନାତକୋତ୍ତର ଏବଂ ପିଏଚଡିରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଏଥିସହିତ ବୈଶୟିକ, ପ୍ରଯୁକ୍ତିବିଦ୍ୟା ଏବଂ ଇଂଜିନିୟରିଂ କ୍ଷେତ୍ରରେ ନୂଆ ଗବେଷଣା କରିବା ପାଇଁ ଛାତ୍ରଚାତ୍ରୀ ସୁଯୋଗ ପାଇପାରିବେ। ଏହି ସିଇଟି କଲେଜଟି ବର୍ତ୍ତମାନ ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷା ବିଶ୍ବବିଦ୍ୟାଳୟ ଅଧିନରେ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ୟାବିନେଟ ମଞ୍ଜୁରି: ତିନୋଟି ଗଣରାଜ୍ୟରେ ଖୋଲିବ ଭାରତୀୟ ମିଶନ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୨୧ରେ ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାର ଗଣରାଜ୍ୟରେ ତିନୋଟି ଭାରତୀୟ ମିଶନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି।

କାର୍ଯ୍ୟକାରୀ ରଣନୀତି:

ଏହି ରାଷ୍ଟ୍ରଗୁଡ଼ିକରେ ତିନୋଟି ଭାରତୀୟ ମିଶନ ଖୋଲାଯିବା ଫଳରେ ଭାରତର କୂଟନୈତିକ ପରିଧି ବୃଦ୍ଧି, ରାଜନୈତିକ ସମ୍ପର୍କ ଗଭୀର ହେବା, ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସମ୍ପର୍କ ବିକଶିତ କରିବା, ଜନସମ୍ପର୍କ ମଜବୁତ କରିବା, ବହୁପକ୍ଷୀୟ ମଞ୍ଚରେ ରାଜନୈତିକ ପ୍ରସାର ବୃଦ୍ଧି ପାଇବା ଏବଂ ଭାରତର ବିଦେଶ ନୀତି ନିମନ୍ତେ ସମର୍ଥନ ଯୋଗାଡ଼ କରିବାରେ ସହାୟତା ମିଳିପାରିବ।

ଏସବୁ ଦେଶରେ ଭାରତୀୟ ମିଶନ ସେଠାରେ ରହୁଥିବା ଭାରତୀୟ ସମୁଦାୟ ଏବଂ ସେମାନଙ୍କର ହିତର ସୁରକ୍ଷା ଲାଗି ଉନ୍ନତ ଢଙ୍ଗରେ ସହାୟତା କରିପାରିବ।

ଉଦ୍ଦେଶ୍ୟ:

ଆମର ବିଦେଶ ନୀତିର ଉଦ୍ଦେଶ୍ୟ ହେଉଛି ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ଭାଗିଦାରୀ ଜରିଆରେ ଭାରତର ଉନ୍ନତି ଓ ବିକାଶ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଭାରତୀୟ ମିଶନ ଏବଂ ପୋଷ୍ଟ ରହିଛି। ଏଗୁଡ଼ିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଆମ ସମ୍ପର୍କର ବାହକ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ତିନୋଟି ନୂତନ ଭାରତୀୟ ମିଶନ ଖୋଲିବାର ଏହି ନିଷ୍ପତ୍ତି ‘ସବକା ସାଥ ସବକା ବିକାଶ’ ବା ଉନ୍ନତି ଏବଂ ବିକାଶକୁ ନେଇ ଆମର ଜାତୀୟ ପ୍ରାଥମିକତାକୁ ପ୍ରାପ୍ତି ଦିଗରେ ଏକ ଭବିଷ୍ୟଗାମୀ ପଦକ୍ଷେପ। ଭାରତର ରାଜନୈତିକ ଉପସ୍ଥିତିରେ ବୃଦ୍ଧି ପାରସ୍ପରିକ ଭାବେ ଭାରତୀୟ କମ୍ପାନୀଗୁଡ଼ିକୁ ଉନ୍ନତ ବଜାର ସୁବିଧା ପ୍ରଦାନ କରିବ ଏବଂ ସାମଗ୍ରୀ ଓ ସେବାର ଭାରତୀୟ ରପ୍ତାନିକୁ ପ୍ରୋତ୍ସାହନ ଦେବ। ‘ଆତ୍ମନିର୍ଭର ଭାରତ’ ପାଇଁ ଆମର ଲକ୍ଷ୍ୟ ଅନୁରୂପ ଘରୋଇ ଉତ୍ପାଦନ ଏବଂ ରୋଜଗାରକୁ ବଢ଼ାଇବାରେ ଏହାର ସିଧା ପ୍ରଭାବ ପଡ଼ିବ।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ପାଞ୍ଚୋଟି ଚଳଚିତ୍ର ବିଭାଗକୁ ମିଶାଇ ଗୋଟିଏ କରିବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, କେନ୍ତ୍ର ସରକାରଙ୍କ ଚଳଚିତ୍ର କ୍ଷେତ୍ରରେ ଥିବା ପାଞ୍ଚୋଟି ବିଭାଗକୁ ମିଶାଇ ଗୋଟିଏ ବିଭାଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଫଳତଃ ଚଳଚିତ୍ର ଗଣମାଧ୍ୟମ ଏକାଂଶର ଚାରୋଟି ଯାକ ୟୁନିଟ ଯଥା ଚଳଚିତ୍ର ପ୍ରଭାଗ (ଫିଲ୍ମ ଡିଭିଜନ), ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ (ଡି ଏଫଏଫ), ଭାରତୀୟ ଜାତୀୟ ଚଳଚିତ୍ର ଅଭିଲେଖାଗାର (ଏନଏଫ ଏଆଇ) ଏବଂ ଭାରତୀୟ ଶିଶୁ ଚଳଚିତ୍ର ସମିତି (ସି ଏଫଏସଆଇ)ର ଜାତୀୟ ଚଳଚିତ୍ର ଉନ୍ନୟନ ନିଗମ ଲିମିଟେଡ (ଏନଏଫଡିସି) ସହ ମିଶ୍ରଣ ହୋଇଛି ।

କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଏନଏଫଡିସିର ମେମୋରାଣ୍ଡମ ଅଫ ଆର୍ଟିକଲ ଅଫ ଆସୋସିଏସନର ସଂପ୍ରସାରଣ ଯୋଗୁଁ ଏବେ ଏନଏଫଡିସି ଚାରୋଟି ଯାକ ୟୁନିଟର ସମସ୍ତ କାର୍ଯ୍ୟ ପରିଚାଳନା କରିବ । ଚଳଚିତ୍ର ଗଣମାଧ୍ୟମ ଏକାଂଶଗୁଡିକର ଗୋଟିଏ ନିଗମ ଅଧୀନରେ ମିଶ୍ରଣ ଯୋଗୁଁ ସମନ୍ଵୟ ବୃଦ୍ଧି ପାଇବା ସହ କାର୍ଯ୍ୟକାରିତାରେ ମଧ୍ୟ ଯଥେଷ୍ଟ ସୁଧାର ଆସିବ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିନସ୍ଥ କାର୍ଯ୍ୟାଳୟ ଭାବେ ପରିଗଣିତ ହେଉଥିବା ଫିଲ୍ମ ଡିଭିଜନ ୧୯୪୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସରକାରୀ କାର୍ଯ୍ୟକ୍ରମ ଓ ଭାରତୀୟ ଇତିହାସର ଅଭିଲେଖ ପ୍ରସ୍ତୁତ କରୁଥିବା ଏହି ଡିଭିଜନ ମୂଳତଃ ବୃତଚିତ୍ର ଓ ସମ୍ବାଦ ପରିକ୍ରମା ପ୍ରସ୍ତୁତ ପାଇଁ ସ୍ଥାପିତ ହୋଇଥିଲା ।

ଭାରତୀୟ ଶିଶୁ ଚଳଚିତ୍ର ସମିତି ଏକ ସ୍ଵୟଂଶାସିତ ସଂସ୍ଥା ଭାବେ ୧୯୫୫ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସୋସାଇଟି ଆଇନ ଅଧୀନରେ ପ୍ରତିଷ୍ଠିତ ଏହି ସଂସ୍ଥା ଚଳଚିତ୍ର ଜରିଆରେ ଶିଶୁ ଓ ଯୁବଗୋଷ୍ଠୀମାନଙ୍କ ନିମନ୍ତେ ମୂଲ୍ୟବୋଧ ଭିତ୍ତିକ ମନୋରଞ୍ଜନ କାର‌୍ୟ୍ୟକ୍ରମ ପରିବେଷଣ କରୁଥିଲା ।

୧୯୭୩ ମସିହାରେ ସୂଚନା ଓ ପ୍ରସାରଣ ସହ ସଂଶ୍ଳିଷ୍ଟ ହୋଇଥିବା ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଭାରତୀୟ ଚଳଚିତ୍ରର ପ୍ରଚାର ପ୍ରସାର ସହ ସାଂସ୍କୃତିକ ବିନିମୟ କାର‌୍ୟ୍ୟର ମଧ୍ୟ ପରିଚାଳନା କରୁଥିଲା । ଭାରତୀୟ ଚଳଚିତ୍ର ଶିଳ୍ପର ସମନ୍ଵିତ ବିକାଶ ଓ ଯୋଜନା ଆଭିମୁଖ୍ୟ ନେଇ ଏନଏଫଡିସି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଭାବେ ୧୯୭୫ ମସିହାରେ ଗଠନ କରାଯାଇଥିଲା ।

କେନ୍ଦ୍ର କ୍ୟାବିନେଟ ଏହି ମିଡିଆ ୟୁନିଟଗୁଡିକର ମିଶ୍ରଣ ସହ ଏହାର ସମ୍ପତ୍ତି ଓ କର୍ମଚାରୀମାନଙ୍କ ସ୍ଥାନାନ୍ତର କାର‌୍ୟ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଆଇନ ଓ ଆର୍ଥିକ ପରାମର୍ଶଦାତାଙ୍କ ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରିଛନ୍ତି । ମିଶ୍ରଣ ପ୍ରକ୍ରିୟା ଯୋଗୁଁ ସମସ୍ତ ମିଡିଆ ୟୁନିଟର କର୍ମଚାରୀମାନଙ୍କ ସ୍ଵାର୍ଥରକ୍ଷା ସହ କେହି ଯେପରି ଛଟେଇ ନହୁଅନ୍ତି ତାହା ଦେଖାଯିବ ।

ମୁଖ୍ୟ ସଂସ୍ଥା ଭାବେ ଏନଏଫଡିସି ଚଳଚିତ୍ର ମିଡିଆ ୟୁନିଟଗୁଡିକର ମିଶ୍ରଣ ସହ ଚଳଚିତ୍ରଗୁଡିକର ପ୍ରସାରଣ, ନିର୍ମାଣ ଓ ସଂରକ୍ଷଣ ଭଳି କାର‌୍ୟ୍ୟର ପରିଚାଳନା କରିବ । ଭାରତୀୟ ଚଳଚିତ୍ରଗୁଡ଼ିକର ବିକାଶ ସହ ଶିଶୁ ଚଳଚିତ୍ର ବିଷୟବସ୍ତୁ, ଆନିମେସନ, କ୍ଷୁଦ୍ର ଓ ବୃତ ଚିତ୍ର ଇତ୍ୟାଦି ସବୁଥିରେ ଭାରସାମ୍ୟ ରକ୍ଷା କରିବାକୁ ପଡିବ । ସମସ୍ତ ୟୁନିଟ ଗୋଟିଏ ସଂସ୍ଥା ଅଧୀନରେ ରଖିବା ଫଳରେ ଏହାର ଭିତ୍ତିଭୂମି ଓ ମାନବ ସମ୍ବଳର ଯଥାର୍ଥ ଉପଯୋଗ ହେବା ସହ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଖୁ ଚାଷୀଙ୍କ ପାଇଁ ଖୁସି ଖବର,ଏଫ୍‌ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ୨୦୨୦-୨୧ ବର୍ଷ ପାଇଁ ଅର୍ଥାତ୍ ଆଗାମୀ ଅକ୍ଟୋବରରୁ ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଖୁ ଅମଳ ଋତୁପାଇଁ ଲାଗୁ ହେବ। ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷି ବ୍ୟୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ସରକାରଙ୍କୁ ସୁପାରିସ କରିଥିଲେ। ଏହି ଲାଭଦାୟକ ମୂଲ୍ୟ ଆଖୁ ଚାଷୀଙ୍କୁ ନିମ୍ନମତେ ପ୍ରଦାନ କରାଯିବ

ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ବା ଏଫ୍‌ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରେ ବେସିକ୍ ରିକଭରି ରେଟ୍ ୧୦ ଶତାଂଶ ଧାର‌୍ୟ୍ୟ ହୋଇଛି । ବେସିକ୍ ରିକଭରି ରେଟର ଅର୍ଥ ଆଖୁରୁ କେତେ ପରିମାଣରେ ଚିନି ଉତ୍ପାଦିତ ହୋଇପାରିବ ସେହି ହିସାବ।

୧୦ ଶତାଂଶ ରିକଭରି ଉପରେ ପ୍ରତି ୦.୧ ଶତାଂଶ ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା ୨.୮୫ ଟଙ୍କା ପ୍ରିମିୟମ ଆକାରରେ ମିଳିବ। ରିକଭରି ୦.୧ ପ୍ରତିଶତ ହ୍ରାସ ପାଇଲେ ଏଫ୍‌ଆରପି କ୍ୱିଣ୍ଟାଲ ପିଛା ୨ ଟଙ୍କା ୮୫ ପଇସା କମିବ। ଯେଉଁ କଂପାନୀଗୁଡିକର ରିକଭରି ହାର ଅର୍ଥାତ୍ ଆଖୁରୁ ଚିନି ଉତ୍ପାଦନ କରିବାର କ୍ଷମତା ୧୦ ଶତାଂଶରୁ କମ୍ କିନ୍ତୁ ୯.୫ ଶତାଂଶରୁ ଅଧିକ ସେମାନଙ୍କ ପାଇଁ ଏହା ଲାଗୁହେବ। ତେବେ ଯେଉଁ କମ୍ପାନୀଗୁଡିକର ରିକଭରି ହାର ୯.୫ ଶତାଂଶରୁ କମ୍ ସେମାନଙ୍କୁ କ୍ୱିଣ୍ଟାଲ ପିଛା ଏଫଆରପି ବାବଦରେ ୨୭୦ ଟଙ୍କା ୭୫ ପଇସା ଦେବାକୁ ପଡିବ।

ଆଖୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଲାଭଦାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହାଫଳରେ ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ପାଇପାରିବେ। ୧୯୬୬ ଆଖୁ ନିୟନ୍ତ୍ରଣ ଆଇନ ବଳରେ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । ସମଗ୍ର ଦେଶପାଇଁ ଏହି ଏଫ୍‌ଆରପି ସମାନଭାବେ ଲାଗୁ ହେବ।