Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୧ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଏପ୍ରିଲ ୧୭ ରୁ ପଞ୍ଜୀକରଣ

ନୂଆଦିଲ୍ଲୀ: ସରକାର ଅମରନାଥ ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏହି ଯାତ୍ରା ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୬୨ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହେବ।

ପ୍ରକାଶ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ଜମ୍ମୁ କାଶ୍ମୀର ସମ୍ବନ୍ଧୀୟ ସୁରକ୍ଷା ସମୀକ୍ଷା କରିଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା, ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକର ଗୋଟିଏ ଦିନ ପରେ ଏହି ଯାତ୍ରା ଘୋଷଣା କରାଯାଇଛି।

ଉପ-ରାଜ୍ୟପାଳ କ’ଣ କହିଲେ?:

ପବିତ୍ର ତୀର୍ଥଯାତ୍ରା ଏବଂ ପଞ୍ଜୀକରଣ ତାରିଖ ଘୋଷଣା କରି ଉପ-ରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ଦିନ କହିଛନ୍ତି ଯେ, ସୁଗମ ତଥା ସମସ୍ୟାମୁକ୍ତ ତୀର୍ଥଯାତ୍ରା ନିଶ୍ଚିତ କରିବାକୁ ପ୍ରଶାସନ ପ୍ରତିବଦ୍ଧ।

ସେ କହିଛନ୍ତି ଯେ, ସମସ୍ତ ଶ୍ରଦ୍ଧାଳୁ ଏବଂ ସେବା ପ୍ରଦାନକାରୀଙ୍କୁ ପ୍ରଶାସନ ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବ। ତୀର୍ଥଯାତ୍ରା ଆରମ୍ଭ ପୂର୍ବରୁ ଟେଲିକମ୍ ସେବା କାର୍ଯ୍ୟକ୍ଷମ ହେବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ତଥ୍ୟ ପ୍ରଡକ୍ସନ୍ ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର “ବିଦ୍ୟାରାଣ”, ଜୁଲାଇ ୧ ରଥ ଯାତ୍ରାରେ କରିବ ମୁକ୍ତିଲାଭ

ଭୁବନେଶ୍ବର: ତଥ୍ୟ ପ୍ରଡକ୍ସନ୍ ଦ୍ଵାରା ଚଳଚ୍ଚିତ୍ର ‘ବିଦ୍ୟାରାଣ’ ପ୍ରସ୍ତୁତ କରାଯାଇଛି। ରଜ ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ଏହାର ସଙ୍ଗୀତ ଲୋକାର୍ପିତ ହେଇଛି। ଏଥର ରଥଯାତ୍ରାରେ ଏହି ଓଡିଆ ଚଳଚ୍ଚିତ୍ର “ବିଦ୍ୟାରାଣ” ମୁକ୍ତିଲାଭ କରିବ। ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ନିରଞ୍ଜନ ନାୟକ ଏହାର ପ୍ରଯୋଜନା କରିଛନ୍ତି। କାହାଣୀ ପରିକଳ୍ପନା ସହ ଜ୍ୟୋତି ଦାସ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ପୂର୍ବରୁ ନିର୍ଦ୍ଦେଶକ ଜ୍ୟୋତି ଦାସଙ୍କ ସହିତ ଶିବାନୀ କାମ କରିଛନ୍ତି। ମାତ୍ର ବାବୁସାନ୍‌ ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ବାପୁ ଗୋସ୍ବାମୀ। ପୁଣି ବାପୁଙ୍କ ସହ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।

କଣ୍ଠଦାନ କରିଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୌରବ ଏବଂ ହ୍ୟୁମାନ ସାଗର। ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ଏବଂ ଆଉ ଅନେକ କଳାକାର।

ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗ ଥିବା ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଏହାର କ୍ରିଏଟିଭ୍ ହେଡ୍‌ ପ୍ରଣୟ ଜେଠୀ କହିଛନ୍ତି।

ଏହାର ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ଏହି ଫିଲ୍ମର ସବୁଯାକ ଗୀତଦୃଶ୍ୟ ଆମର ମ୍ୟୁଜିକ୍ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି।