Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟୀକାକେନ୍ଦ୍ରରେ ଅନିୟମିତତା, ସମ୍ବାଦ ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରୀ କରୋନାକୁ ପ୍ରତିହତ ପାଇଁ ଏକ ମାତ୍ର ବିଶଲ୍ୟ କରଣୀ ଟୀକାକରଣ ହୋଇଥିବାବେଳେ ସରକାର ଟିକାକରଣ ବ୍ୟବସ୍ଥାକୁ ବ୍ୟାପକ କରୁଛନ୍ତି। ଟୀକାକରଣ ଅଭିଯାନକୁ ସରଳିକରଣ କରିବାପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଏବଂ ପଂଚାୟତ ସ୍ତରରେ ବିଭିନ୍ନ କେନ୍ଦ୍ରରେ ଟୀକା ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ସୁପରିଚାଳନା ନିମିତ୍ତ କିଛି ଟୀକା କେନ୍ଦ୍ରରେ ଅନଲାଇନ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଟୀକା କେନ୍ଦ୍ରରେ ଅଫଲାଇନ ଜରିଆରେ ଟୀକାକରଣ କରାଯାଉଛି। ଯାହାର ଫାଇଦା ନେଇ ଟିକାକେନ୍ଦ୍ରଗୁଡିକ କିଛି ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଏପରିକି ଟୀକା ପାଇଁ ଦିଆଯାଉଥିବା ଟୋକନ ଗୁଡିକ ସେମାନେ ନିଜ ସମ୍ପର୍କୀୟଙ୍କୁ ତଥା କିଛି ସ୍ଥାନୀୟ କୁଜିନେତାଙ୍କୁ ଦେଉଥିବାବେଳ ସାଧାରଣ ଜନତା ଏଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଟୀକା କେନ୍ଦ୍ରରେ ସମାନ ଧରଣର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।

ପ୍ରକାଶ ଥାଉକି ବାଣପୁର ଏନଏସି ୯ ନଂ ୱାର୍ଡରେ ଟୀକାକରଣକୁ ନେଇ ଟିକାକେନ୍ଦ୍ରରେ ଅନିୟମିତତା ହେଉଥିବା ଖବର ପାଇ ଶେଖ ରୋଶନ ନାମକ ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ନିଜ ସହଯୋଗୀଙ୍କ ସହ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ କିଛି ସ୍ଥାନୀୟ ବ୍ୟକ୍ତି ଟୀକାକେନ୍ଦ୍ରକୁ ପରିଚାଳିତ କରୁଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ରୋଶନ ସଙ୍ଗେ ସଙ୍ଗେ ବାଣପୁର ମେଡିକାଲ ପ୍ରଶାସନ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ ଦ୍ୱାରା ଜଣାଇବା ପରେ କିଛି ସମୟ ପରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଟୀକାକରଣ ପୁନଶ୍ଚ ଆରମ୍ଭ ହୋଇଥିଲା।

ତେବେ ପୋଲିସ ଆସିବା ଭିତରେ କିଛି ସ୍ଥାନୀୟ ବ୍ୟକ୍ତି ଜନୈକ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା। ଏନେଇ ବାଣପୁର ଥାନାରେ ସାମ୍ବାଦିକଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି କେସ ନଂ ୩୨୭/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଅନୁରୂପଭାବେ ଅପରପକ୍ଷ ମଧ୍ୟ ଉକ୍ତ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏତଲା ଆଧାରରେ ପୋଲିସ ୩୨୮/୨୧ ରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଥିଲା।

ଘଟଣା ସମ୍ବନ୍ଧରେ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ତଦନ୍ତ କଲା ପରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ସେହିପରି ଭାବେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଆଗକୁ ପୋଲିସ ପ୍ରଶାସନର ସହଯୋଗରେ ଟୀକାକରଣ କରାଯିବ ଏବଂ ଘଟଣାର ତଦନ୍ତ କରାଯିବ।

ହେଲେ ଏଠରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଜଣେ ସାମ୍ବାଦିକ ଯେତେବେଳେ ଲୋକଙ୍କ ସମସ୍ୟାକୁ ନେଇ ସମ୍ବାଦ ପରିବେଷଣ କରିବାକୁ ତତ୍ପରତା ଦେଖାଉଛି କିମ୍ବା ସରକାରଙ୍କ କାର୍ଯ୍ୟକ୍ରମରେ ହେଉଥିବା ଅନିୟମିତତାକୁ ବିରୋଧ କରୁଛି, ସେଥିପାଇଁ ତାଙ୍କୁ ମିଥ୍ୟା ଆରୋପ ଲଗାଇ ହଇରାଣ କରିବା କଣ ସମାଜ ପାଇଁ ଶୁଭଂକର? ଯଦି ଏହି ଘଟଣାରେ ଏଭଳି କିଛି ଅପ୍ରତିକର ପରିସ୍ଥିତି ଉପୁଜୁଛି, ତେବେ ନିଶ୍ଚିତ ଏହା ଉପରେ ସ୍ଥାନୀୟ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ଉଚିତ। ଯାହା ଫଳରେ ସାଧାରଣ ନାଗରିକଙ୍କୁ ନ୍ୟାୟ ମିଳିପାରିବ।

ତେବେ ରାଜ୍ୟବ୍ୟାପୀ ବାରମ୍ବାର ସାମ୍ବାଦିକ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରି ଯଥାଶୀଘ୍ର ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡିଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ବାଣପୁରରେ ୧ ହଜାର ୨ ଶହ ଜଣଙ୍କୁ ମିଳିବ ଟୀକା: ଶିକ୍ଷକଙ୍କ ପାଇଁ ଏହି କେନ୍ଦ୍ରରେ ହେଲା ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୨ ତାରିଖ) ରେ ୧ ହଜାର ୨ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୬ ଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ:

– ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୫୦ ଟି ପ୍ରଥମ ଡୋଜ ଏବଂ ୫୦ ଟି ଦ୍ଵିତୀୟ ଡୋଜ

୨- କୃତିବାସ ଭବନ:

– ପ୍ରଥମ ଡୋଜ- ୭୦ (କେବଳ ୧୮-୪୪ ବର୍ଷୀୟ ନାଗରିକ), ଗର୍ଭବତୀ ମହିଳା – ୩୦ ଟି ପ୍ରଥମ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୫- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ

୬ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ

ଅଫଲାଇନ ଟୀକାକରଣ:

୭ – ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୮- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ – ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ସାନହନ୍ତୁଆଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ- ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସେମାନଙ୍କ ପରିବାର ନିମନ୍ତେ ସ୍ୱତନ୍ତ୍ର ଟୀକାକରଣ

– ୨୦୦ ଟି ପ୍ରଥମ ଡୋଜ ଏବଂ ୧୦୦ ଟି ଦ୍ଵିତୀୟ ଡୋଜ

ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ ଆରମ୍ଭ ହେବ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ଟୀକା କେନ୍ଦ୍ରରେ ଦଲାଲି ରୋକିବା ଲାଗି ସଜବାଜ ହେଉଛି ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବିଭିନ୍ନ ଟୀକାକେନ୍ଦ୍ର ଗୁଡିକରେ ସ୍ଥାନୀୟ ଦଲାଲମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାର ଖବର ଗତକଲି ଏବଂ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ପ୍ରଶାସନ।

ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ବ୍ୟକ୍ତିଗତ ଭାବେ କଳକଳେଶ୍ୱର, ବିରିବାଡି ଏବଂ ବଉଳାବନ୍ଧ ଟୀକା କେନ୍ଦ୍ର ଗୁଡିକ ପରିଦର୍ଶନକୁ ଯାଇ ଟୀକାକରଣ ପ୍ରକ୍ରିୟା ତଦାରଖ କରିଥିଲେ। ପ୍ରତି କେନ୍ଦ୍ରରେ ଟୀକାକରଣ କିପରି ସରଳିକରଣ ହେଇପାରିବ ଏବଂ ଟୀକା କେନ୍ଦ୍ରରେ ବାହ୍ୟ ହସ୍ତକ୍ଷେପ କିପରି ବନ୍ଦ ହେବ ସେ ନେଇ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ମାନଙ୍କ ସହ ଶ୍ରୀ ପଟ୍ଟନାୟକ ଆଲୋଚନା ମଧ୍ୟ କରିଥିଲେ।

ସେହିପରି ଭାବେ ଗସ୍ତ ସମୟରେ ବିଭିନ୍ନ ନାଗରିକମାନଙ୍କୁ ଦ୍ଵିତୀୟ ଡୋଜର ଗୁରୁତ୍ୱ ବିଷୟରେ ଅବଗତ କରାଇବା ସହ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ପ୍ରାଧାନ୍ୟ ଦେବାପାଇଁ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଥିଲେ।

ଅନୁରୂପ ଭାବେ ଆଜି ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ ଏବଂ ଅତିରିକ୍ତ ବିଡ଼ିଓ ଅପରାଜିତା ସ୍ୱାଇଁ ମଧ୍ୟ ବିରିବାଡି, କଳକଳେଶ୍ୱର ସ୍ଥିତ ଟୀକା କେନ୍ଦ୍ର ପରିଦର୍ଶନକୁ ଯାଇ ବିଭିନ୍ନ ବ୍ୟବସ୍ଥା ପରଖିଥିଲେ। ଟୀକା କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ଉପସ୍ଥିତି ରହିବା ସହ ପୋଲିସ ପ୍ରଶାସନ ଦ୍ୱାରା ଶୃଙ୍ଖଳିତ ଭାବେ ଟୀକାକରଣ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ ବିଡ଼ିଓ।

ତେବେ ଟୀକାକେନ୍ଦ୍ର ଗୁଡିକକୁ ଦଲାଲମୁକ୍ତ ନିମନ୍ତେ ପ୍ରଶାସନର ଉକ୍ତ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାର ପ୍ରଭାବ କିଭଳି ରହୁଛି, ତାହା ଦେଖିବା ବାକି ରହିଲା।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର-ବାଲୁଗାଁ ଟୀକାକେନ୍ଦ୍ରରେ ଭିଡକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା ଏହି ସବୁ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ସମସ୍ତଙ୍କୁ କୋଭିଡ଼ ସଂକ୍ରମଣର ଭୟ। ସେଥିପାଇଁ ଟୀକା ନେବାକୁ ସମସ୍ତେ ଚାହାଁନ୍ତି। ଏଥି ନିମନ୍ତେ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେବାପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ସ୍ଥଳେ କେତେକ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଥିଲା।

ତେବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ପ୍ରଶାସନ। କିଛି ଦିନ ହେବ ଟୀକାର ଅଭାବ ଲାଗି ଟୀକାକାରଣ ବନ୍ଦ ଥିବାବେଳେ ଆଜି ପୁନଶ୍ଚ ଉଭୟ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ନିମନ୍ତେ ଟୀକାକାରଣ ପ୍ରକ୍ରିୟା ସ୍ୱାଭାବିକ ହୋଇଛି। ତେବେ ବାଣପୁର ମେଡିକାଲରେ ଭିଡ଼ ଏଡାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମେଡିକାଲ ନିକଟରେ ଥିବା ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ପରିସରରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି। ବାଣପୁର ଆଇଆଇସି ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରୟାସରେ ଉକ୍ତ କେନ୍ଦ୍ରରେ ଟୀକାକାରଣ ପାଇଁ ସୁନ୍ଦର ବ୍ୟବସ୍ଥା ଅବଲମ୍ବନ କରାଯାଇଛି।

ଭିଡ଼ ଏଡାଇବା ଏବଂ ଶୃଙ୍ଖଳିତ ଭାବେ ଟୀକା ନେବାପାଇଁ ଉକ୍ତ କେନ୍ଦ୍ରରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ଟୀକା ପାଇଁ ଅଲଗା ଅଲଗା ଧାଡିର ବ୍ୟବସ୍ଥା କରାଯାଇଛି। ତତସହିତ ଟୀକା ନେବା ପାଇଁ ଅପେକ୍ଷାରତ ନାଗରିକ ଏବଂ ଟୀକା ଦେଇ ଆସିଲା ପରେ ନାଗରିକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି।

ତେବେ ଟୀକା ନେବାପାଇଁ ଅପେକ୍ଷାରତ ନାଗରିକମାନଙ୍କୁ ଆଜି ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘ ମାନେ ଥଣ୍ଡା ମୃଦୁ ପାନୀୟ ଜଳ ପରିବେଷଣ କରୁଥିବାର ଦେଖାଯାଇଥିଲା। ସକାଳ ୫ ଘଟିକା ଠାରୁ ୭ ଘଟିକା ପର୍ଯ୍ୟନ୍ତ ମେଡିକାଲ ପ୍ରଶାସନ ପକ୍ଷରୁ କୂପନ ବଣ୍ଟାଯାଇ ୭ ଘଟିକା ଠାରୁ ୪୫ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିମାନଙ୍କୁ ଉଭୟ ପ୍ରଥମ ଡୋଜ ଓ ଦ୍ଵିତୀୟ ଡୋଜର ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟୀକାକେନ୍ଦ୍ରରେ ଖୋଦ ବାଣପୁର ଆଇଆଇସି ପଇଁତରା ମାରୁଥିବାବେଳେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

ଅନୁରୂପ ଭାବେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟ ବାଲୁଗାଁ ପୋଲିସ ଏବଂ ଉମାମହେଶ୍ୱର ବଣିକ ସଂଘ ପକ୍ଷରୁ ଭିଡ଼କୁ ଏଡାଇବା ପାଇଁ ବ୍ୟାରିକେଡ଼ ଏବଂ ବସିବା ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳାକୁ ପରିଚାଳନା କରିବା ନିମନ୍ତେ ବାଲୁଗାଁ ଆଇଆଇସି ଟୀକାକେନ୍ଦ୍ରରେ ଉପସ୍ଥିତ ରହିବା ସହ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରିଛନ୍ତି।

ତେବେ ବାଲୁଗାଁ ଏସଡ଼ିପିଓ ଏବଂ ଦୁଇ ତହସିଲଦାର ଉଭୟ ଟୀକାକେନ୍ଦ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୀକାକାରଣ ଜାରି ରହିଥିଲା।

Categories
ଆଜିର ଖବର ଆଞ୍ଚଳିକ

ଭିଡକୁ ନେଇ ବାଣପୁର ମେଡିକାଲରେ ଉତ୍ତେଜନା: ଆଜିଠୁ ଚାରି ଗୋଟି କେନ୍ଦ୍ରରେ ମିଳିବ କୋଭିଡ ଟୀକା

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ୮ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ବରିଷ୍ଠ ନାଗରିକମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଜି ମେଡ଼ିକାଲ ପରିସରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକମାନେ ବହୁ ଦୂର ଦୁରାନ୍ତରରୁ ବଡ଼ି ଭୋରରୁ ଆସି ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା। ମେଡ଼ିକାଲ ପରିସରରେ ବସିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନଥିବାରୁ ଖରାରେ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘ ସମୟ ଧରି ଟୀକା ନେବା ପାଇଁ ଠିଆ ହୋଇ ରହିବାକୁ ପଡୁଛି। ତେବେ ଏ ବିଷୟ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସମଗ୍ର ବାଣପୁର ବ୍ଲକର ବରିଷ୍ଠ ନାଗରିକ ମାନଙ୍କ ଟୀକାକାରଣ କେବଳ ବାଣପୁର ମେଡିକାଲରେ ହେଉଥିବାରୁ ଏପରି ଭିଡ଼ ହେଉଛି ବୋଲି କହିଛନ୍ତି।

ଅନ୍ୟପକ୍ଷେ ଗୋଟେ ଦିନରେ ୧୦୦ ଜଣଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା ହୋଇଥିବାବେଳେ ସେହି ଅନୁପାତରେ ଜନସଂଖ୍ୟା ବହୁତ ଅଧିକ ରହୁଛି। ଟୀକାକାରଣ ପ୍ରକ୍ରିୟା ସକାଳ ୯ ଘଟିକାରୁ ଆରମ୍ଭ ହେଉଥିବାବେଳେ ଅକାରଣରେ ଲୋକାମାନେ ସକାଳ ୫ ଟା ରୁ ଆସି ଭିଡ଼ ଜମାଉଛନ୍ତି ଯାହାଦ୍ୱାରା ଭିଡ଼ ବଢୁଛି। ଯେଉଁମାନେ ଅନଲାଇନ ପଞ୍ଜିକରଣ କରୁଛନ୍ତି ସେମାନଙ୍କୁ ନିର୍ଦ୍ଧିଷ୍ଟ ସମୟର ସ୍ଲଟ ଅନୁଯାୟୀ ମେଡ଼ିକାଲକୁ ଆସିବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ ଘଟୁଛି।

ଆଜିର ଭିଡକୁ ଦୃଷ୍ଟିରେ ରଖି ବାଣପୁର ପୋଲିସ ଏବଂ ମେଡ଼ିକାଲ କର୍ତ୍ତୃପକ୍ଷ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ରହି ଟୀକାକାରଣ ପ୍ରକ୍ରିୟା ଚାଲୁ ରଖିଛନ୍ତି। ତେବେ ଟୀକାକରଣ ପ୍ରକ୍ରିୟାକୁ ଶୀଘ୍ର କରିବା ଏବଂ ଭିଡ଼ କମାଇବା ନିମନ୍ତେ ଆଜିଠାରୁ ବାଣପୁରରେ ଚାରି ଗୋଟି ସ୍ଥାନରେ ଏକକାଳୀନ ଭାବେ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଆଜିଠାରୁ ସୁନାଖଳା, ଗମ୍ଭାରୀମୁଣ୍ଡା, ନୀଳାଦ୍ରିପ୍ରସାଦ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଲୋକେ ଟୀକା ନେଇପାରିବେ। ବରିଷ୍ଠ ନାଗରିକମାନେ ନିଜର ନିକଟସ୍ଥ ଟୀକା କେନ୍ଦ୍ରକୁ ଯାଇ ଟୀକା ନେବାକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ଅନୁରୋଧ କରିଛନ୍ତି।

ସେହିପରି ଭାବେ ସମସ୍ତ ଚାରି ଗୋଟି କେନ୍ଦ୍ରରେ ଯେପରି ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ ସମୟରେ କୌଣସି ଅସୁବିଧା ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।