ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମେ ୨୪,୨୦୨୨ ତାରିଖରେ ଜାପାନର ଟୋକିଓ ଠାରେ ଆୟୋଜିତ ଦ୍ୱିତୀୟ କ୍ୱାଡ୍ ନେତୃ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ବାଇଡେନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଯୋଗ ଦେଇଛନ୍ତି। ୨ଠ୨୧ ମସିହା ମାର୍ଚ୍ଚ ମାସରେ ପ୍ରଥମ ଭର୍ଚୁଆଲ ବୈଠକର ଆୟୋଜନ କରାଯିବା ଠାରୁ ଏହା ଏହି ଚାରି ନେତୃବର୍ଗଙ୍କର ଚତୁର୍ଥ ପାରସ୍ପରିକ ଆଲୋଚନା। ୨ଠ୨୧ ମସିହା ସେପ୍ଟେମ୍ବର ମାସରେ ୱାସିଂଟନ ଠାରେ ଏହାର ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା ଏବଂ ଏହାପରେ ୨ଠ୨୨ ମସିହା ମାର୍ଚ୍ଚ ମାସରେ ଭର୍ଚୁଆଲ ମୋଡରେ କ୍ୱାଡ୍ ନେତୃବର୍ଗ ପାରସ୍ପରିକ ଆଲୋଚନାରେ ସାମିଲ ହୋଇଥିଲେ।
କ୍ୱାଡ୍ ନେତୃବର୍ଗ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ସେମାନଙ୍କର ସହଭାଗୀ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପକୁ ଦୋହରାଇଛନ୍ତି ଏବଂ ଏହି କ୍ଷେତ୍ରରେ ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତାକୁ ନୀତିଗତ ଭାବେ ସୁରକ୍ଷିତ ରଖିବା ସହିତ ସମସ୍ତ ପ୍ରକାର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି କ୍ରମରେ ସେମାନେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିକାଶ ଯୋଜନା ଏବଂ ୟୁରୋପର ସମସ୍ତ ବିବାଦ ସଂପର୍କରେ ମଧ୍ୟ ନିଜ ନିଜ ମଧ୍ୟରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବିଶ୍ୱର ସମସ୍ତ ପ୍ରକାର ବୈରତା ନିରବଚ୍ଛିନ୍ନ ଭାବେ ତଥା ନୀତିଗତ ଭାବେ ସମାଧାନ କରାଯିବା ସକାଶେ ଭାରତ ସଦାବେଳେ ନିଜର ସ୍ପଷ୍ଟ ମତପୋଷଣ କରିଆସିଛି ଏବଂ ଏଥି ନିମନ୍ତେ କୂଟନୈତିକସ୍ତରରେ ଆଲୋଚନା ଜାରି ରଖାଯିବା ଉପରେ ମଧ୍ୟ ପ୍ରାଧାନ୍ୟ ଆରୋପ କରିଛନ୍ତି। କ୍ୱାଡ୍ ନେତୃବର୍ଗ ଏହି ଅବସରରେ ସମ୍ପ୍ରତି ଜାରି ରହିଥିବା କ୍ୱାଡ୍ ସହଯୋଗ ଏବଂ ଭବିଷ୍ୟତ ପାଇ ସେମାନଙ୍କର ପରିକଳ୍ପନା ସଂପର୍କରେ ଆଲୋଚନା କରିଛନ୍ତି।
କ୍ୱାଡ୍ ନେତୃବର୍ଗ ଆତଙ୍କବାଦର ମୁକାବିଲା ପ୍ରତି ସେମାନଙ୍କର ମତକୁ ଦୋହରାଇଛନ୍ତି ଏବଂ ପରୋକ୍ଷ ଭାବେ ଆତଙ୍କବାଦର ବ୍ୟବହାରକୁ ମଧ୍ୟ ନିନ୍ଦା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଆତଙ୍କବାଦୀ ଗୋଷ୍ଠୀଙ୍କୁ କୌଣସି ପ୍ରକାର ଲଜିଷ୍ଟିକାଲ, ଆର୍ଥିକ କିମ୍ବା ସାମରିକ ସହାୟତା ଯୋଗାଣକୁ ବନ୍ଦ କରାଯିବାର ଗୁରୁତ୍ୱ ଦିଆଯିବା ସକାଶେ ସେମାନେ ଦୃଢ଼ ମତପୋଷଣ କରିଛନ୍ତି। ଏଭଳି ସାହାଯ୍ୟ ସହଯୋଗକୁ ଆତଙ୍କବାଦୀମାନେ ସୀମା ପାର ଆକ୍ରମଣ ସମେତ ଆତଙ୍କବାଦୀ ଆକ୍ରମଣ ନିମନ୍ତେ ବ୍ୟବହାର କରିପାରନ୍ତି ବୋଲି ମତ ପ୍ରକାଶ ପାଇଛି।
କୋଭିଡ଼ ୧୯ ବୈଶ୍ୱିକ ମହାମାରୀକୁ ପ୍ରତିହତ କରିବା ସକାଶେ କ୍ୱାଡ୍ ପକ୍ଷରୁ ଜାରି ରହିଥିବା ପ୍ରୟାସର ସମୀକ୍ଷା କରି ସେମାନେ ଭାରତରେ ଥିବା ବାୟୋଲୋଚନକାଲ୍-ଇ ସୁବିଧାର ଉତ୍ପାଦନ କ୍ଷମତା ବୃଦ୍ଧିକୁ ସ୍ୱାଗତ କରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇୟୁଏଲ ସ୍ୱୀକୃତି ଯଥା ଶୀଘ୍ର ମଂଜୁର କରାଯିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି ଯାହା ଫଳରେଏଭଳି ପ୍ରତିଷେଧକ ଟିକାଯୋଗାଣ ଆରମ୍ଭ ହୋଇପାରିବ। ଭାରତ ପକ୍ଷରୁ ୨୦୨୨ ମସିହା ଏପ୍ରିଲ ମାସରେ କ୍ୱାଡ୍ ଟିକା ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆକୁ ମେଡ୍ ଇନ୍ ଇଣ୍ଡିଆର ୫୨୫,୦୦ ଡୋଜ୍ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଇଥିବା କାର୍ଯ୍ୟକୁ କ୍ୱାଡ୍ ନେତୃବର୍ଗ ସ୍ୱାଗତ କରିଛନ୍ତି। ବୈଶ୍ୱିକ ମହାମାରୀ ପରିଚାଳନା ନିମନ୍ତେ ସେମାନେ ସାମଗ୍ରିକ ଭାବେ ନିଜର କାର୍ଯ୍ୟକ୍ରମକୁ ଜାରି ରଖିବା ନିମନ୍ତେ ସହମତ ପ୍ରକାଶ କରିବା ସହ ଦୂର ଦୂରାନ୍ତ କ୍ଷେତ୍ର ପର୍ଯ୍ୟନ୍ତ ପ୍ରତିଷେଧକ ଟିକା ପହଞ୍ଚାଯିବା ତଥା ବିତରଣ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାବଳୀର ଦୂରୀକରଣ ଏବଂ କ୍ଷେତ୍ରୀୟ ସ୍ୱାସ୍ଥ୍ୟ ନିରାପତ୍ତା ବ୍ୟବସ୍ଥାର ସମ୍ପ୍ରସାରଣକୁ ଜୋନୋମିକ୍ ସର୍ଭେଲାନଓ ମାଧ୍ୟମରେ ଓ ସହଯୋଗ ଆଧାରରେ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି। ସେହିଭଳି କି୍ଲନିକାଲ ଟ୍ରାଏଲ ପାଇଁ ମଧ୍ୟ ସହମତ ପ୍ରକଟ କରିଛନ୍ତି ଯାହା କି ବିଶ୍ୱ ସ୍ୱାସ୍ଥ୍ୟ ନିରାପତ୍ତା ଢାଂଚାକୁ ଅଧିକ ସୁଦୃଢ଼ କରିପାରିବ।
ଏହି ଅବସରରେ ଏକ କ୍ୱାଡ୍ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ଓ ନିରାକରଣ ପ୍ୟାକେଜ୍ ର ଶୁଭାରମ୍ଭ କରାଯାଇଛି ଯାହାକି ସବୁଜ ଜାହାଜ ଚଳାଚଳ, ସ୍ୱଚ୍ଛ ଶକ୍ତି ସମେତ ଗ୍ରୀନ ହାଇଡ୍ରୋଜେନ ତଥା ଜଳବାୟୁ ଓ ବିପର୍ଯ୍ୟୟ ସହନଶୀଳ ସଂସାଧନର ବିକାଶ ଘଟାଇବା ଦିଗରେ ସହାୟକ ହେବ। ଏହି କ୍ଷେତ୍ରର ସମସ୍ତ ରାଷ୍ଟ୍ରଙ୍କୁ ସହାୟତା ଯୋଗାଣ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଫଳରେ ସେମାନଙ୍କର କୋପ ୨୬ ପ୍ରତିବଦ୍ଧତାକୁ ଜଳବାୟୁ ପୁଂଜି ଏବଂ ପ୍ରଯୁକ୍ତି ହସ୍ତାନ୍ତରଣ ମାଧ୍ୟମରେ ସାକାର କରାଯାଇ ପାରିବ।
ଜଟିଳଏବଂ ନୂତନ ପ୍ରଯୁକ୍ତି ସଂପର୍କିତ ଜାରି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ କ୍ୱାଡର ଜଟିଳ ପ୍ରଯୁକ୍ତି ଯୋଗାଣ ଚେନ୍ ସଂପର୍କିତ ସାଧାରଣ ବିବୃତିର ଶୁଭାରମ୍ଭ କରାଯାଇଥିଲା। ଚାରିଟିଯାକ ସଦସ୍ୟ ରାଷ୍ଟ୍ର ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜଟିଳ ସାଇବର ନିରାପତ୍ତା ସଂସାଧନକୁ ଅଧିକ ମଜଭୁତ କରିବା ନିମନ୍ତେ କ୍ଷମତା ବୃଦ୍ଧିକାର୍ଯ୍ୟକ୍ରମରେ ପରସ୍ପରଙ୍କୁ ସହଯୋଗ କରିବେ। ଏକ ନିର୍ଭରଯୋଗ୍ୟ ବୈଶ୍ୱିକ ଯୋଗାଣ ଚେନ ନିର୍ମାଣ ନିମନ୍ତେ ବ୍ୟାପକ କ୍ୱାଡ୍ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ଏବଂ ଏଥିପାଇଁ ଭାରତରେ ଏକ ରାଷ୍ଟ୍ରୀୟ ଢାଂଚା ଗଠନ କରାଯିବା ସଂପର୍କରେ ସୂଚନା ଦେବା ସହ ଏହା ଭାରତରେ ଏକ ସେମି କଣ୍ଡକ୍ଟର ବାତାବରଣ ସୃଷ୍ଟି କରିବ ବୋଲି କହିଥିଲେ।
କ୍ୱାଡ୍ ନେତୃବର୍ଗଏହି ଅବସରରେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିମନ୍ତେ ଏକ ମାନବୀୟ ସହାୟତା ଓ ବିପର୍ଯ୍ୟୟ ରିଲିଫ କ୍ୱାଡ୍ ସହଭାଗିତା (ଏଚଏଡିଆର) ଘୋଷଣା କରାଯାଇଥିଲା ଯାହା ଏହି କ୍ଷେତ୍ରରେ ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସ୍ଥଳେ ଅଧିକ ସକ୍ରିୟତାର ସହ ଏବଂ ସମୟୋଚିତ ଭାବେ ଏହାର ମୁକାବିଲା କରିପାରିବ।
କ୍ୱାଡ୍ ନେତୃବର୍ଗ ସହ ମତବ୍ୟକ୍ତ କରିଛନ୍ତି ଯେ ସେମାନେ ଏହି କ୍ଷେତ୍ରର ସମସ୍ତ ରାଷ୍ଟ୍ରଙ୍କୁ ଭୂପୃଷ୍ଠ ନିରୀକ୍ଷଣ ସଂପର୍କିତ ସକଳ ପ୍ରକାର ତଥ୍ୟ ଏକ କ୍ୱାଡ୍ ଉପଗ୍ରହ ଡାଟା ପୋର୍ଟାଲ ମାଧ୍ୟମରେ ଯୋଗାଇ ଦେବେ ଯାହାକି ସେହିସବୁ ରାଷ୍ଟ୍ରମାନଙ୍କୁ ଜଳବାୟୁ ସଂପର୍କିତ କାର୍ଯ୍ୟକ୍ରମ, ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଏବଂ ସାମୁଦ୍ରିକ ସମ୍ପଦର ପୋଷଣୀୟ ଉପଯୋଗ ବିଷୟରେ ଅବଗତ ହୋଇପାରିବେ। ଏହି ସବୁ ପ୍ରୟାସରେ ଭାରତ ସକାରାତ୍ମକ ଭୂମିକା ନିର୍ବାହ କରିବ ଯାହା ନିକଟରେ ଦୀର୍ଘ ଦିନର ମହାକାଶ ଗବେଷଣାଜନିତ ଡାଟା କ୍ଷମତା ଓ ପ୍ରଯୁକ୍ତି ରହିଛି ଏବଂ ତାହା ସମାବେଶୀ ବିକାଶ ନିମନ୍ତେ ସହାୟକ ହୋଇପାରିବ।
କ୍ୱାଡ୍ ନେତୃବର୍ଗ ଏକ ନୂତନ ଭାରତ- ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସଚେତନତା ଉପକ୍ରମକୁ ସ୍ୱାଗତ କରିଥିଲେ। ଏହି ବ୍ୟବସ୍ଥା ଏଚଏଡିଆର ଘଟଣାବଳୀକୁ ମୁକାବିଲା କରିବାର କ୍ଷମତାକୁ ସୁଦୃଢ଼ କରିବା ସହିତ ବେଆଇନ ଭାବେ ମାଛଧରାକୁ ମଧ୍ୟ ପ୍ରତିହତ କରିପାରିବ।
କ୍ୱାଦ୍ ନେତୃବର୍ଗ ଆସିଆନ୍ ଏକତା ଏବଂ କେନ୍ଦ୍ରୀୟତାକୁ ସେମାନଙ୍କର ନିରଙ୍କୁଶ ସମର୍ଥନ ପାଇଁ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଏବଂ ଏହି କ୍ଷେତ୍ରରେ ସହଯୋଗୀମାନଙ୍କ ସହିତ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଦୃଢ଼ ଆଶା ପୋଷଣ କରିଛନ୍ତି।
କ୍ୱାଡର ସକାରାତ୍ମକ ତଥା ଗଠନମୂଳକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହା ଦ୍ୱାରାଏହି କ୍ଷେତ୍ରରେ ଦୃଶ୍ୟମାନ ସୁଫଳ ପ୍ରତିଫଳିତ ହୋଇପାରିବ। ନେତୃବର୍ଗ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ଓ ପରାମର୍ଶ ଜାରି ରଖିବାକୁ ସହମତ ପ୍ରକଟ କରିଛନ୍ତି ଏବଂ ୨୦୨୩ ମସିହାରେ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ପରବର୍ତ୍ତୀ ଶିଖର ବୈଠକକୁ ପ୍ରତୀକ୍ଷା କରିଛନ୍ତି।