୧୧ ବର୍ଷ ବୟସରେ ଦୁର୍ଘଟଣାର ଶିକାର ହୋଇଥିଲେ ଅବନୀ: ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ଆଣିଲେ ପ୍ରଥମ ସ୍ଵର୍ଣ୍ଣ

Published: Aug 30, 2021, 11:17 am IST

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତର ପାରା ସୁଟର ଅବନୀ ଲେଖରା ଇତିହାସ ସୃଷ୍ଟି କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଅବନୀ ଏକ ନୂତନ ପାରାଲିମ୍ପିକ୍ ରେକର୍ଡ ସ୍ଥାପନ କରିଛନ୍ତି। ଅବନୀ ମୋଟ ସ୍କୋର ୨୪୯.୬ କରିଥିଲେ ଯାହା ପାରାଲିମ୍ପିକ୍ ଗେମ୍ସ ପାଇଁ ଏକ ନୂଆ ରେକର୍ଡ। ଏହି ଇଭେଣ୍ଟରେ ଚାଇନାର ସି ୱାଙ୍ଗ (୨୪୮.୯ ପଏଣ୍ଟ) ରୌପ୍ୟ ପଦକ ଜିତିଥିବାବେଳେ ୟୁକ୍ରେନର ଇରିନା ସ୍କେଟନିକ (୨୨୭.୫ ପଏଣ୍ଟ) ବ୍ରୋଞ୍ଜ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ, ଯାହା ପୂର୍ବରୁ ଗତକାଲି ଭାରତୀୟ ଖେଳାଳି ଦୁଇଟି ରୌପ୍ୟ ପଦକ ଜିତିଥିଲେ।

ଅବନୀ ରାଜସ୍ଥାନର ଜୟପୁରରୁ ଆସିଛନ୍ତି। ସେ ମାତ୍ର ୧୧ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ହେତୁ ଅବନୀ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଅବନୀ ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ଅବନୀ ଏହି ଇଭେଣ୍ଟର ଯୋଗ୍ୟତା ରାଉଣ୍ଡରେ ସପ୍ତମ ସ୍ଥାନ ହାସଲ କରିଥିଲେ। ସେ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ନିଶାଦ କୁମାର ହାଇ ଜମ୍ପରେ ରୌପ୍ୟ ପଦକ ଏବଂ ଟେବୁଲ ଟେନିସରେ ଭବୀନା ପଟେଲ ଜିତିଥିଲେ।

Related posts