Categories
ଆଜିର ଖବର ଆଞ୍ଚଳିକ

ନୟାଗଡ଼ କାଳିଆମ୍ବ ଗାଁରେ ଦୁଃଖୀ ଜାନିର ଅନାହାର ମୃତ୍ୟୁ ! ପ୍ରାଶାସନିକ ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲା ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ

ଭୁବନେଶ୍ବର, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଓ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଯେତେବେଳେ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି, ସେସମୟରେ ନୟାଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କ ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କିତ ଖବରକୁ ନେଇ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଂଚାୟତର କାଳିଆମ୍ବ ଗାଁରେ ଏକାକୀ ରହୁଥିଲେ 46 ବର୍ଷୀୟ ଆଦିଆସୀ ମହିଳା ଦୁଃଖୀ ଜାନି। ହେଲେ ତିନି ଦିନ ପେଟକୁ ଦାନା ମୁଠିଏ ନ ପାଇ ଅନାହାରରେ ରହିବା ପରେ ଗତ ଜୁନ୍ 24 ତାରିଖ ଦିନ ଆଖି ବୁଜି ଦେଇଥିଲେ ଦୁଃଖୀ ଜାନି।

ଏହି ଖବର କିଛି ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ ହେବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ତରଫରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏ ନେଇ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଜୁଲାଇ 3ରେ ସମ୍ପୃକ୍ତ ଅଞ୍ଚଳକୁ ଯାଇଥିଲେ। ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର ସମୀତ ପଣ୍ଡା, ଓଡ଼ିଶା ଶ୍ରମଜୀବୀ ମଞ୍ଚର ସାମାଜିକ କର୍ମୀ ଲକ୍ଷ୍ମୀଧର ସିଂହ ଏବଂ ଇଣ୍ଡିଜେନସ ପିପୁଲସ ଫୋରମର ଅର୍ଥନୀତିଜ୍ଞ ଡଃ ମନୋଜ ଦାଶ ଏବଂ ସାମ୍ବାଦିକ ରାଜେଶ ମହାପାତ୍ରଙ୍କୁ ନେଇ ଏକ ଚାରି ଜଣିଆ ଦଳ ପ୍ରକାଶିତ ଖବରର ସତ୍ୟତା ନେଇ ଯାଞ୍ଚ କରିଥିଲେ।

ଏହି ଦଳ ଦୁଃଖୀ ଜାନି ରହୁଥିବା କାଳିଆମ୍ବ ଗାଁକୁ ଯାଇ ମୃତକଙ୍କ କିଛି ଦୂର ସମ୍ପର୍କୀୟ, ସାହି ପଡୋଶୀ, ଆଶା ଓ ଅଙ୍ଗନବାଡି କର୍ମୀ, ଜାକେଡା ପଞ୍ଚାୟତର ସରପଞ୍ଚ, ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନୂଆଗାଁ ବିଡିଓଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବା ସହ ଏହାକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ମୁତାବକ ନିୟମିତ କ୍ଷୁଧା ଓ ଅନାହାରରେ ରହୁଥିବାରୁ ଦୁଃଖୀ ଜାନିର ମୃତ୍ୟୁ ଘଟିଛି। ମରିବାର ତିନିଦିନ ସେ କିଛି ବି ଆହାର ପାଇନଥିଲା। ସରକାରୀ ନିୟମ ପ୍ରଣୟନର ତୃଟି ହେଉ ବା ସ୍ଥାନୀୟ ପ୍ରଶାସନର ଅବହେଳା ହେଉ ଗରିବ କଲ୍ୟାଣ ଓ ଖାଦ୍ୟ ସୁରକ୍ଷା ଦିଗରେ ଏକାଧିକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ଏଥିରୁ ଦୁଃଖି ଜାନି ପାଖରେ କିଞ୍ଚିତ ବି ପହଞ୍ଚି ପାରିନଥିଲା।

ସେ ଅସହାୟ ଅବସ୍ଥାରେ ଏକୁଟିଆ ରହୁଥିଲେ ସୁଦ୍ଧା ତା ପାଖରେ କୌଣସି ସରକାରୀ ଯୋଜନାର କାର୍ଡ ନଥିଲା। କାହିଁକି ଯେ ତାର ଅନ୍ନପୂର୍ଣ୍ଣା କାର୍ଡ ରଦ୍ଦ ହୋଇଥିଲା ତାହା ବି ଜଣାପଡୁନାହିଁ। ଫଳରେ ସାଧାରଣ ବଣ୍ଟନ ଯୋଜନାରୁ ବି ବଞ୍ଚିତ ଥିଲା। ସ୍ଥାନୀୟ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟ ସେ ସାମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ପେନସନରୁ ବି ବଞ୍ଚିତ ହୋଇଥିଲା। ଦୁଃଖୀ ରେସନ ନମ୍ବର ପାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ଓ ଡାଲି କାହିଁକି ଯେ ପାଉନଥିଲା ତାହା ବି ସନ୍ଦେହ ଘେରରେ ରହିଛି। ଏପ୍ରିଲରୁ ଜୁନ ମାସ ପାଇଁ ସେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 10 କେଜି ଚାଉଳ ପାଇଥିଲା।

ଏହି ଘଟଣାରେ ବିନା ପୋଷ୍ଟ ମର୍ଟମରେ ମହିଳାଙ୍କ ଶେଷକୃତ୍ୟ କରାଯାଇ ଓଡ଼ିଶା ରିଲିଫ କୋଡର ନିର୍ଦିଷ୍ଟ ନିୟମାବଳିର ଉଲ୍ଲଂଘନ କରାଯାଇଥିବା ତଥ୍ୟ ଅନୁସନ୍ଧାନକାରୀ ଦଳ ମଧ୍ୟ ଜାଣିବାକୁ ପାଇଛି। ସରକାର ମଧ୍ୟ ଏ ଘଟଣାକୁ ଅତି ହାଲୁକା ଭାବେ ନେବା ଏବଂ କାହିଁକି ଓ କାହାପାଇଁ ମହିଳା ଜଣଙ୍କ ହିତାଧିକାରୀ ଭାବେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଲେ ତାହାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବାକୁ ଏହି ଦଳ ସୁପାରିସ କରିଛି। ଏବେ କରୋନା ମହାମାରୀ ସଂକଟ ସମୟରେ ଦୁଃଖୀ ଭଳି ଥିବା ଅନେକ ଅସହାୟଙ୍କୁ ଚିହ୍ନଟ କରିବାକୁ ପ୍ରଶାସନ ଏକ ସ୍ବତନ୍ତ୍ର ଅଭିଯାନ କରିବା ଉଚିତ। ଫଳରେ ରାଜ୍ୟରେ ଦୁଃଖୀ ଜାନି ଘଟଣାରେ ଯେପରି ପୁନରାବୃତ୍ତି ନଘଟେ ସେ ଦିଗରେ ପ୍ରସ୍ତୁତ ରହିବାକୁ ପ୍ରତିନିଧି ଦଳ ରିପୋର୍ଟରେ ପ୍ରସ୍ତାବ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଏହି ଅଞ୍ଚଳରେ ଦୋକାନ ଖୋଲିବା ସମୟ ବଦଳିଲା : ସକାଳ ଛଅରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ଦୋକାନ

ନୟାଗଡ : ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ମାନ ନିଆଯାଉଛି । ଗଞ୍ଜାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କୁ ଆଗାମୀ 10 ଦିନଯାଏଁ ବାରଣ କରାଯାଇଥିବାବେଳେ ନୟାଗଡ ଜିଲ୍ଲାପାଳ ମଧ୍ୟ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି ।

ନୟାଗଡରେ ଲକ୍‌ଡାଉନ୍‌ ବେଳେ ଦୋକାନ ଖୋଲିବା ସମୟ ବଦଳିଛି। ଜିଲ୍ଲାରେ ଏଣିକି ସକାଳ 6ଟାରୁ ଦିନ 1ଟା ଯାଏଁ ଖୋଲା ରହିବ ଦୋକାନ। ଦିନ 1ଟା ପରେ କେବଳ ପେଟ୍ରୋଲ ପମ୍ପ, ମେଡିସିନ୍‌ ଦୋକାନ ଖୋଲା ରହିବ । ନୂଆ ନିୟମ ନେଇ ସୂଚନା ଦେଇଛନ୍ତି ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ । ସୂଚନାଯୋଗ୍ୟ, ନୟାଗଡରେ ଏବେ ମୋଟ୍‌ ପଜିଟିଭ୍‌ ସଂଖ୍ୟା 132ରେ ପହଞ୍ଚିଥିବାବେଳେ ଏବେ111ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 21 ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡରେ ନର୍ସଙ୍କୁ କରୋନା

ନୟାଗଡ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ୍‌ ନର୍ସଙ୍କୁ କରୋନା ସଂକ୍ରମିତ ହୋଇଥିବର ଖବର ମିଳିଛି ।  ଷ୍ଟାଫ୍‌ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର କରୋନା ପଜିଟିଭ୍‌ ବାହାରିଛି । ସଂପୃକ୍ତ ଷ୍ଟାଫ୍‌ ନର୍ସଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ରହିଛି। ସେହିପରି ମେଡ଼ିକାଲର ସବୁ ଓ୍ବାର୍ଡକୁ ଭଲ ଭାବେ ସାନିଟାଇଜ୍‌ କରାଯାଇଛି ।

ପୂର୍ବରୁ କେନ୍ଦ୍ରାପଡାର ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ ଓ ସଫେଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଖବର ରହିଥିଲା । ସେହିପରି ବାଲେଶ୍ବରରେ ମଧ୍ୟ ଜଣେ ସରପଞ୍ଚ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 30 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବାବେଳେ 30 ଜଣ ସୁସ୍ଥ ହୋଇ ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଆଜି ରାଜ୍ୟରେ  30 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସୁସ୍ଥ ହୋଇଥିବା 30 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20 ଜଣ  ରହିଥିବାବେଳେ କେନ୍ଦ୍ରାପଡାରୁ ପାଞ୍ଚଜଣ, ନୟାଗଡରୁ ଜଣେ  ଏବଂ ବାଲେଶ୍ବର ଓ ଭଦ୍ରକରୁ ଦୁଇ ଜଣ ଲେଖାଏଁ ରହିଛନ୍ତି ।  ସୂଚନାଯୋଗ୍ୟ ଗଞ୍ଜାମରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 300 ଟପିଥିବାବେଳେ ଗତ 24 ଘଣ୍ଟାରେ କେହି ପଜିଟିଭ୍‌ ଚିହ୍ନଟ ହୋଇନଥିବାସ୍ଥଳେ ଆଜି 20 ଜଣ ସୁସ୍ଥ ହୋଇ ଜିଲ୍ଲା ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଏବେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 303କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978 ଜଣ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି ।