ବାଲୁଗାଁ: ଏସିଡ୍‌ମାଡ଼ ଘଟଣାରେ ଜଣେ ଗିରଫ

Published: Jul 9, 2023, 7:16 am IST

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରେ ଘଟିଥିବା ଏସିଡ୍‌ମାଡ ଘଟଣାରେ ପୋଲିସ ଶନିବାର ଦିନ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଣିଆସାହିର ବିଜୟ ପୃଷ୍ଟି।

ପ୍ରକାଶ ଯେ, ଇଟାମାଟି ଥାନା ଚମ୍ପତିପୁର ଗ୍ରାମର ମାନସ ସାଥୁଆଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ସଦରଥାନା ବାଲୁଗାଁର ବିଜୟ ପୃଷ୍ଟିଙ୍କୁ ବିବାହ କରିଥିଲେ। ବିଜୟ ଅନେକ ସମୟରେ ଲକ୍ଷ୍ମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏନେଇ ଲକ୍ଷ୍ମୀ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ସମାଧାନ ହୋଇଥିଲା।

ଦୁଇଦିନ ତଳେ ବିଜୟ ପୁଣିଥରେ ଲକ୍ଷ୍ମୀକୁ ମାଡ ମାରିବାରୁ ସେ ଥାନାରେ ଅଭିଯୋଗ କରିବା ସହ ଘରକୁ ପଳାଇ ଯାଇଥିଲେ। ଗତକାଲି ମାନସ ବାଲୁଗାଁକୁ ସାର ନେବାକୁ ଆସି ଗାଁକୁ ଫେରୁଥିବା ବେଳେ ବିଜୟ ଏବଂ ଅନ୍ୟ ଦୁଇଜଣ ପୂର୍ବରୁ ପ୍ରସ୍ତୁତ ହୋଇ ଶିବମନ୍ଦର ପଛପଟେ ଲୁଚିଥିଲେ। ସେ ଆସିବା ଦେଖି ହଠାତ୍ ତାଙ୍କ ପଛପଟକୁ ଏସିଡ୍ ଫୋପାଡିଥିଲେ।

ସ୍ଥାନୀୟ ଲୋକେ ମାନସଙ୍କୁ ଡାକ୍ତରଖାନା ପଠାଇଥିଲେ ହେଲେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

ସଦରଥାନା କେସ୍ ନଂ ୧୧୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଆଇଆଇସି ଅନିତା ସାହୁ ସୂଚନା ଦେଇଛନ୍ତି। ସଦରଥାନାରେ ମାମଲା ରୁଜୁ କରିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Related posts