Categories
ବିଶେଷ ଖବର

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ୪% ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର) ବୃଦ୍ଧିକୁ ମଞ୍ଜୁର କରାଯାଇଛି। ବର୍ଦ୍ଧିତ ଡିଏ ଏବଂ ଡିଆର  ଜାନୁଆରୀ ପହିଲା ୨୦୨୩ ଠାରୁ ପିଛିଲା ଭାବେ ଲାଗୁ ହେବ। ବର୍ତ୍ତମାନ ମୂଳ ଦରମା/ପେନସନରେ ଡିଏ/ଡିଆର ଦର ୩୮% ରହିଛି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥିରେ ଅତିରିକ୍ତ ୪% ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବୃଦ୍ଧି ଯୋଗୁ ସରକାରଙ୍କ ରାଜକୋଷ ଉପରେ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

ଏହାଦ୍ୱାରା ପ୍ରାୟ ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସକୁ ଆଧାର କରି ଗ୍ରହଣ କରାଯାଇଥିବା ସୂତ୍ର ଅନୁଯାୟୀ ଡିଏ ଓ ଡିଆର ବୃଦ୍ଧି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଉପହାର!, ଆଜି ମହଙ୍ଗା ଭତ୍ତା ବୁଦ୍ଧି କରିପାରନ୍ତି ସରକାର

ନୂଆଦିଲ୍ଲୀ: ମୋଦୀ ସରକାର ଚାଷୀଙ୍କୁ ହୋଲି ଉପହାର ଦେଇଛନ୍ତି, ଏବେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପର୍ଯ୍ୟାୟ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରାଯାଇପାରେ।

ବର୍ତ୍ତମାନ କେନ୍ଦ୍ର ସରକାର ୩୮ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି। ଯାହାକୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ। ଅର୍ଥାତ୍ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରିବେ। କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ସମୀକ୍ଷା କରି ବୃଦ୍ଧି କରନ୍ତି। ଶେଷ ଥର ପାଇଁ ସେପ୍ଟେମ୍ବର ୨୮ ତାରିଖ ୨୦୨୨ ରେ ଜୁଲାଇ ୧ ତାରିଖ ୨୦୨୨ ରୁ ଫେବୃଆରୀ ୨୮ ତାରିଖ ୨୦୨୩ ପର୍ଯ୍ୟନ୍ତ ୮ ମାସ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କଟକ ଶାଖା ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ଭୁବନେଶ୍ବର ପ୍ରଶାସନିକ କାର୍ଯ୍ୟାଳୟ ମାର୍ଗଦର୍ଶନରେ କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ।

ଜୀବନ ପ୍ରମାଣନ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ମାଧ୍ୟମରେ ପେନସନଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଜିଏମ ସନ୍ତୋଷ କୁମାର ବେହେରା ନୋଡାଲ ଅଧିକାରୀ ଭାବେ ଶିବିର ସୁପରିଚାଳନା କରିଥିଲେ।

Categories
ଆଜିର ଖବର

ଷ୍ଟେଟ୍‌ ବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି। ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍‌ ଦ୍ବାରା ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ବ୍ୟବହାର କରାଯାଇ ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇଥିଲା। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଏବଂ ଏସବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁସଚିବ ବିଶାଲ କୁମାର, ୟୁଆଇଡିଏଆଇର ଅଧିକାରୀଗଣ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ଏବଂ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଙ୍ଗ ବିଭାଗ ଡିଜିଏମ ଶ୍ରୀ ଅମରେନ୍ଦ୍ର କୁମାର ଉପସ୍ଥିତ ଥିଲେ।

ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ସୁବିଧା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ପେନସନଭୋଗୀମାନେ ଜୀବନ ପ୍ରମାଣ ପୋର୍ଟାଲ ଜରିଆରେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ବ୍ୟବହାର କରି ମଧ୍ୟ ପେନସନଭୋଗୀମାନେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହାଛଡ଼ା ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ ଥିବା ସ୍ମାର୍ଟ ଫୋନରେ ଜୀବନ ପ୍ରମାଣ ମୋବାଇଲ ଏପ୍ଲିକେସନ ମାଧ୍ୟମରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇପାରିବ।

ଉପରୋକ୍ତ ଯୋଜନା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରୋତ୍ସାହନ ଅଭିଯାନ ଆରମ୍ଭ କରାଯାଇଛି।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଠାରେ ଏହି ସଚେତନତା ଶିବିର ଆୟୋଜିତ ହେଉଛି। ସହଜ ଜୀବନ ଧାରଣକୁ ସୁନିଶ୍ଚିତ କରିବା ଲାଗି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ବର  ଠାରେ ଆୟୋଜିତ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କର ଅଧିକାରୀ ଓ ପେନସନଭୋଗୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର: ପିଛିଲା ଭାବେ ଏହି ତାରିଖରୁ ମିଳିବ ଡିଏ ଓ ଡିଆର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ କିସ୍ତି ମଧ୍ୟ ପ୍ରଦାନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଉଭୟ ଡିଏ ଏବଂ ଡିଆର ଆଉ ୩ ପ୍ରତିଶତ ବୃଦ୍ଧି କରାଯିବ। ଏହା ଗତ ଜାନୁଆରୀ ପହିଲା ୨୦୨୨ ଠାରୁ ପିଛିଲା ଭାବେ ଲାଗୁ ହେବ। ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ବେତନ/ପେନସନ ଉପରେ ୩୧ ପ୍ରତିଶତ ହାରରେ ଡିଏ/ଡିଆର ପାଉଛନ୍ତି। ଦରଦାମ ବୃଦ୍ଧିର କ୍ଷତିପୂରଣ ସ୍ବରୂପ ଅଧିକ ଅତିରିକ୍ତ ୩ ପ୍ରତିଶତ ଡିଏ/ଡିଆର ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ମଞ୍ଜୁରିପ୍ରାପ୍ତ ନିୟମ ଅନୁଯାୟୀ ଏହି ବୃଦ୍ଧି କରାଯାଇଛି।

ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ପ୍ରଦାନ କରିବା କାରଣରୁ ମିଳିତ ଭାବେ ରାଜକୋଷ ଉପରେ ବାର୍ଷିକ ୯,୫୪୪.୫୦ କୋଟି ଟଙ୍କାର ବୋଝ ପଡ଼ିବ। ଏହାଦ୍ବାରା ୪୭.୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ।