Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ନେତାଙ୍କୁ ଟିୟୁସନ କରାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: କେତେ ମିନିଟ ନୁହେଁ ପ୍ରାୟ ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ବିଜେପି ନେତାଙ୍କୁ କରାଇଛନ୍ତି ଟିୟୁସନ। ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟ ଆସିଥିଲେ। ସେଠାରେ ସାଂସଦ ବିଧାୟକ ତଥା ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ପ୍ରବେଶ କରିବା ପରେ ସେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ।

ଜଣେ ବିଧାୟକଙ୍କ ସହିବା ଅନୁସାରେ ମୋଦି ନେତାମାନଙ୍କୁ ତୃଣମୂଳ ସ୍ତରରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବଡବଡ କାମ ଗ୍ରାମ୍ୟ ଲୋକଙ୍କର କାମରେ ଆସିପାରେ ନ ଆସିପାରେ। ସେମାନେ ଏହାକୁ ମନେ ରଖିପାରନ୍ତି ନହେଲେ ନାହିଁ। ହେଲେ ଆପଣମାନେ ତାଙ୍କର ଗୋଟିଏ ଛୋଟିଆ କାମ କରିଥିଲେ ସେମାନେ ସବୁବେଳ ପାଇଁ ମନେ ରଖିବେ। ସେଥିପାଇଁ ଆପଣମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ରୁହନ୍ତୁ।

ସେହିପରି ଜଣେ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଆପଣ ପ୍ରଧାନମନ୍ତ୍ରୀ ଭାବେ ନିଜକୁ କିପରି ଅନୁଭବ କରୁଛନ୍ତି। ଏହାର ଉତ୍ତରରେ ମୋଦି କହିଥିଲେ ଯେ, ମୁଁ ଯେତେବେଳେ କୌଣସି ଫାଇଲରେ ଦସ୍ତଖତ କରେ ସେତେବେଳେ ପ୍ରଧାନମନ୍ତ୍ରୀ ବୋଲି ଭାବେ। ଅନ୍ୟସମୟରେ ମୁଁ ବିଜେପିର ଜଣେ କର୍ମକର୍ତ୍ତା ବୋଲି ଅନୁଭବ କରେ। ଏହାକୁ ନେଇ ସେଠାରେ ତାଳି ମାଡ ହୋଇଥିବାର ଜଣାପଡିଛି।

ତେବେ ପ୍ରକୃତରେ ମୋଦି କଣ କଥା ହେଲେ ସେ ନେଇ କୌଣସି ଦଳୀୟ ସ୍ପଷ୍ଟିକରଣ ରଖାଯାଇ ନାହିଁ। ହେଲେ ସେହି ଆଲୋଚନାରେ ଉପସ୍ଥିତି ଥିବା ନେତାଙ୍କ ଅନୁସାରେ ମୋଦି କୁଆଡେ ଗତ ଛଅମାସର ହିସାବ ନିକାସ ପଚାରି ବୁଝିଥିଲେ। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନରେ କଣ ରଣନୀତି ରହିବ ସେ ନେଇ ମଧ୍ୟ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ।

ବୈଠକ ସରିବା ପରେ ସମସ୍ତ ନେତାଙ୍କ ସହିତ ମୋଦି ଫଟୋସେସନ କରିଥିଲେ। ଏହାପରେ ଏକାଠି ରାତ୍ରୀ ଭୋଜନ କରିଥିଲେ। ଏହି ସମୟରେ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଖୋଲମଖୋଲା ଆଲୋଚନା କରିଥିବାର ଜଣାପଡିଛି। ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ନେତାମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। ଆଗାମୀ ଦିନରେ ଦଳ ପାଇଁ କିପରି କାମ କରିବେ ସେ ନେଇ ସମସ୍ତେ ନିଷ୍ପତି କରିଛନ୍ତି।

କହିବାକୁ ଗଲେ ମୋଦିଙ୍କ ସହିତ ଆଲୋଚନା ପରେ ନେତାମାନେ ପୁରା ଫୁଲ୍ ଚାର୍ଯ୍ୟ ହୋଇପଡିଥିବାର ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ନାଇଜେରିଆ ଗସ୍ତରେ ଅଛନ୍ତି । ସେ ଆଜି ଆବୁଜାରେ ନାଇଜେରିଆ ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ତିନୁବୁଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଷ୍ଟେଟ ହାଉସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପ ସଲାମି ଦେଇ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ।

ଦୁଇ ନେତାଙ୍କ ମଧ୍ୟରେ ସୀମିତ ବୈଠକ ହୋଇଥିଲା, ଯାହା ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ତିନୁବୁଙ୍କ ସହ ତାଙ୍କର ଭବ୍ୟ ସାକ୍ଷାତକୁ ମନେ ପକାଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଯୋଗୁଁ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଦେଶରେ ସାମ୍ପ୍ରତିକ ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ତିନୁବୁଙ୍କୁ ସମବେଦନା ଜଣାଇଥିଲେ। ରିଲିଫ ସାମଗ୍ରୀ ଏବଂ ଔଷଧ କ୍ଷେତ୍ରରେ ଭାରତର ସମୟୋପଯୋଗୀ ସହାୟତା ପାଇଁ ରାଷ୍ଟ୍ରପତି ତିନୁବୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଭୟ ନେତା ଚାଲିଥିବା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହ ଭାରତ-ନାଇଜେରିଆ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଶକ୍ତି, ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗର ପ୍ରଚୁର ସମ୍ଭାବନା ରହିଛି ବୋଲି ସେମାନେ ସହମତି ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନାଇଜେରିଆକୁ କୃଷି, ପରିବହନ, ସୁଲଭ ଔଷଧ, ଅକ୍ଷୟ ଶକ୍ତି ଏବଂ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଭାରତର ଅଭିଜ୍ଞତା ପ୍ରଦାନ କରିଥିଲେ।

ରାଷ୍ଟ୍ରପତି ଟିନୁବୁ ଭାରତ ଦ୍ୱାରା ପ୍ରଦାନ କରାଯାଉଥିବା ବିକାଶ ସହଯୋଗ ଭାଗିଦାରୀ ଏବଂ ସ୍ଥାନୀୟ ସାଧନ, ଦକ୍ଷତା ଏବଂ ବୃତ୍ତିଗତ ଦକ୍ଷତା ସୃଷ୍ଟି କରିବାରେ ଏହାର ଅର୍ଥପୂର୍ଣ୍ଣ ପ୍ରଭାବକୁ ପ୍ରଶଂସା କରିଥିଲେ। ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ବୃଦ୍ଧି ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି। ଆତଙ୍କବାଦ, ଡକାୟତି ଓ ଉଗ୍ରବାଦ ବିରୋଧରେ ମିଳିତ ଭାବେ ଲଢ଼ିବା ପାଇଁ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି।

ଉଭୟ ନେତା ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ମାଧ୍ୟମରେ ବିକାଶଶୀଳ ଦେଶଗୁଡ଼ିକର ଚିନ୍ତା ବଢ଼ାଇବା ପାଇଁ ଭାରତର ପ୍ରୟାସକୁ ରାଷ୍ଟ୍ରପତି ଟିନୁବୁ ସ୍ୱୀକାର କରିଛନ୍ତି। ଗ୍ଲୋବାଲ ସାଉଥର ବିକାଶ ଆକାଂକ୍ଷା ପୂରଣ କରିବା ପାଇଁ ଦୁଇ ନେତା ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ।

ଇସିଓୱାସର ଅଧ୍ୟକ୍ଷ ଭାବରେ ନାଇଜେରିଆର ଭୂମିକା ଏବଂ ବହୁପକ୍ଷୀୟ ସଂସ୍ଥାଗୁଡିକରେ ଏହାର ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଆନ୍ତର୍ଜାତିକ ସୌର ମଞ୍ଚ ଏବଂ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସରେ ନାଇଜେରିଆର ସଦସ୍ୟତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ତିନୁବୁଙ୍କୁ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟାନ୍ୟ ବିଶ୍ବ ଅନୁକୂଳ ସବୁଜ ପଦକ୍ଷେପରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ।

ଆଲୋଚନା ପରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, ସୀମା ଶୁଳ୍କ ସହଯୋଗ ଏବଂ ସର୍ବେକ୍ଷଣ ସହଯୋଗ ଉପରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରୀୟ ଭୋଜିର ଆୟୋଜନ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

‘ରତନ ଟାଟା ଥିଲେ ଭାରତର ବିକାଶ ପୁରୁଷ’,ତାଙ୍କ ସହ ସ୍ମରଣୀୟ ମୁହୁର୍ତ୍ତକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲେଖକ:- ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

ଆଜି ଶ୍ରୀ ରତନ ଟାଟାଙ୍କର ଦେହାନ୍ତ ହେବାର ଏକ ମାସ ହୋଇଯାଇଛି। ଗତ ମାସର ଏହି ଦିନ, ଯେତେବେଳେ ମୁଁ ତାଙ୍କର ପରଲୋକ ଖବର ପାଇଥିଲି, ମୁଁ ଏସିଆନ ସମ୍ମିଳନୀକୁ ଯିବାକୁ ପ୍ରସ୍ତୁତ ହେଉଥିଲି। ଆମଠାରୁ ଦୂରେଇ ଯାଉଥିବା ରତନ ଟାଟା ଜୀଙ୍କର ପରଲୋକର ଯନ୍ତ୍ରଣା ଏବେ ବି ମୋର ମନରେ ରହିଛି। ଏହି ଯନ୍ତ୍ରଣା ଭୁଲିଯିବା ସହଜ ନୁହେଁ।

ରତନ ଟାଟା ଜୀ ରୂପରେ ଭାରତ ନିଜର ଜଣେ ମହାନ ପୁଅକୁ ହରାଇଛି। ଏକ ଅମୂଲ୍ୟ ରତ୍ନକୁ ହରାଇଛି। ଆଜି ମଧ୍ୟ ସହରଠାରୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଅନୁପସ୍ଥିତିକୁ ଗଭୀର ଭାବରେ ଅନୁଭବ କରୁଛନ୍ତି। ଆମେ ସମସ୍ତେ ଏହି ଦୁଃଖକୁ ମର୍ମେ ମର୍ମେ ଅନୁଭବ କରୁଛୁ।

ସେ ଜଣେ ଶିଳ୍ପପତି ହୁଅନ୍ତୁ, ଉଦ୍ୟୋଗୀ ହୁଅନ୍ତୁ କିମ୍ବା ବୃତ୍ତିଗତ ହୁଅନ୍ତୁ, ତାଙ୍କ ଦେହାନ୍ତରେ ସମସ୍ତେ ଦୁଃଖିତ। ପରିବେଶ ସୁରକ୍ଷା ସହିତ ଜଡିତ ଲୋକମାନେ, ସାମାଜିକ ସେବା ସହିତ ଜଡିତ ଲୋକମାନେ ତାଙ୍କ ମୃତ୍ୟୁରେ ସମାନ ଭାବରେ ଦୁଃଖିତ। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଆମେ ଏହି ଦୁଃଖ ଅନୁଭବ କରୁଛୁ।

ଯୁବକମାନଙ୍କ ପାଇଁ ଶ୍ରୀ ରତନ ଟାଟା ଏକ ପ୍ରେରଣା ଥିଲେ। ତାଙ୍କ ଜୀବନ, ​​ବ୍ୟକ୍ତିତ୍ୱ ଆମକୁ ମନେ ପକାଇଦିଏ ଯେ କୈଣସି ସ୍ୱପ୍ନ ନାହିଁ ଯାହା ପୂରଣ ହୋଇପାରିବ ନାହିଁ, କିମ୍ବା କୈଣସି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ରତନ ଟାଟା ଜୀ ସମସ୍ତଙ୍କୁ ଶିକ୍ଷା ଦେଇଛନ୍ତି ଯେ ନମ୍ର ପ୍ରକୃତି ସହିତ ଅନ୍ୟମାନଙ୍କୁ ସାହାଯ୍ୟ କରି ସଫଳତା ହାସଲ କରାଯାଇପାରିବ।

ରତନ ଟାଟା ଜୀ ଭାରତୀୟ ଉଦ୍ୟୋଗର ସର୍ବୋତ୍ତମ ପରମ୍ପରାର ପ୍ରତୀକ ଥିଲେ। ସେ ବିଶ୍ୱସନୀୟତା, ଉତ୍କର୍ଷତା ଏବଂ ଉତ୍କୃଷ୍ଟ ସେବା ମୂଲ୍ୟର ଏକ ଶକ୍ତ ପ୍ରତିନିଧୀ ଥିଲେ। ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ନୂତନ ଉଚ୍ଚତାରେ ପହଞ୍ଚି ସମଗ୍ର ବିଶ୍ୱରେ ସମ୍ମାନ, ଅଖଣ୍ଡତା ଏବଂ ନିର୍ଭରଯୋଗ୍ୟତାର ପ୍ରତୀକ ପାଲଟିଗଲା। ଏହା ସତ୍ତ୍ବେ ସେ ତାଙ୍କର ସଫଳତାକୁ ସମ୍ପୂର୍ଣ୍ଣ ନମ୍ରତାର ସହ ଗ୍ରହଣ କଲେ।

ଖୋଲାଖୋଲି ଭାବରେ ଅନ୍ୟମାନଙ୍କ ସ୍ୱପ୍ନକୁ ସମର୍ଥନ କରିବା, ଅନ୍ୟମାନଙ୍କ ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିବା ଶ୍ରୀ ରତନ ଟାଟାର ଅନ୍ୟତମ ଗୁଣ ଥିଲା। ନିକଟ ଅତୀତରେ, ସେ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମାର୍ଗଦର୍ଶନ କରିବା ଏବଂ ଭବିଷ୍ୟତର ଉଦ୍ୟୋଗରେ ବିନିଯୋଗ କରିବା ପାଇଁ ବେଶ ପରିଚିତ। ସେ ଯୁବ ଉଦ୍ୟୋଗୀଙ୍କ ଆଶା ଏବଂ ଆକାଂକ୍ଷା, ଏବଂ ଭାରତର ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ସାମର୍ଥ୍ୟ ବୁଝି ଥିଲେ।

ଭାରତର ଯୁବକମାନଙ୍କ ଉଦ୍ୟମକୁ ସମର୍ଥନ କରି ସେ ଏକ ନୂତନ ପିଢିର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ରିସ୍କ ନେବାକୁ ଏବଂ ସୀମା ଅତିକ୍ରମ କରିବାକୁ ଉତ୍ସାହିତ କରୁଥିଲେ। ତାଙ୍କର ଏହି ପଦକ୍ଷେପ ଭାରତରେ ନବସୃଜନ ଏବଂ ଉଦ୍ୟୋଗ ସଂସ୍କୃତିର ବିକାଶରେ ବହୁତ ସାହାଯ୍ୟ କରିଛି। ଆଗାମୀ ଦଶନ୍ଧିରେ ଆମେ ଭାରତ ଉପରେ ଏହାର ସକରାତ୍ମକ ପ୍ରଭାବ ନିଶ୍ଚିତ ଭାବରେ ଦେଖିବା।

ରତନ ଟାଟା ଜୀ ସର୍ବଦା ସର୍ବୋତ୍ତମ ଗୁଣବତ୍ତା ଉତ୍ପାଦ ଉପରେ ଗୁରୁତ୍ୱାରୋପ କରୁଥିଲେ। ସର୍ବୋତ୍ତମ ଗୁଣାତ୍ମକ ସେବା ଏବଂ ଭାରତୀୟ ଉଦ୍ୟୋଗଗୁଡିକ ପାଇଁ ବିଶ୍ୱ ମାନଦଣ୍ଡ ସ୍ଥିର କରିବାର ମାର୍ଗ ଦେଖାଇଲେ। ଆଜି ଯେତେବେଳେ ଭାରତ 2047 ସୁଦ୍ଧା ବିକାଶର ଲକ୍ଷ୍ୟ ଆଡ଼କୁ ଗତି କରୁଛି, ଆମେ କେବଳ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରି ବିଶ୍ୱରେ ଆମର ଦକ୍ଷତାକୁ ପ୍ରତିପାଦନ କରାଇପାରିବା।

ମୁଁ ଆଶା କରୁଛି ଯେ ତାଙ୍କ ଦୃଷ୍ଟିକୋଣ ଆମ ଦେଶର ଭବିଷ୍ୟତ ପିଢିକୁ ପ୍ରେରଣା ଦେବ ଏବଂ ଭାରତ ବିଶ୍ୱ ସ୍ତରର ଗୁଣବତ୍ତା ପାଇଁ ନିଜର ପରିଚୟକୁ ଦୃଢ କରିବ। ରତନ ଟାଟା ଜୀଙ୍କର ମହାନତା କେବଳ ବୋର୍ଡରୁମ୍ କିମ୍ବା ତାଙ୍କ ସହକର୍ମୀଙ୍କୁ ସାହାଯ୍ୟ କରିବାରେ ସୀମିତ ନଥିଲା।ତାଙ୍କର ସମସ୍ତ ଜୀବଜନ୍ତୁଙ୍କ ପ୍ରତି ବେଶ ଦୟା ଭାବ ମଧ୍ୟ ଥିଲା। ପଶୁମାନଙ୍କ ପ୍ରତି ତାଙ୍କର ଗଭୀର ପ୍ରେମ ସେ ବେଶ ପରିଚିତ। ସେ ପଶୁ କଲ୍ୟାଣ ଉପରେ ଉଦ୍ଦିଷ୍ଠ ଥିବା ସମସ୍ତ ପ୍ରୟାସକୁ ପ୍ରୋତ୍ସାହିତ କରିଥିଲେ।

ସେ ପ୍ରାୟତଃ ତାଙ୍କ କୁକୁରମାନଙ୍କର ଫଟୋ ସେୟାର କରୁଥିଲେ, ଯେଉଁମାନେ ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲେ। ମୋର ମନେ ଅଛି, ଯେତେବେଳେ ଲୋକମାନେ ରତନ ଟାଟା ଜୀଙ୍କୁ ବିଦାୟ ଦେବା ପାଇଁ ଏକତ୍ରିତ ହୋଇଥିଲେ, ତାଙ୍କର କୁକୁର ‘ଗୋଆ’ ମଧ୍ୟ ଆର୍ଦ୍ର ଆଖିରେ ସେଠାରେ ପହଞ୍ଚିଥିଲା।

ରତନ ଟାଟା ଜୀଙ୍କର ଜୀବନ ଏକ ସ୍ମରଣକ ଅଟେ। ତାହା ହେଲା ନେତୃତ୍ୱ କେବଳ ସଫଳତା ଦ୍ୱାରା ନୁହେଁ, ବରଂ ଅତି ଅସୁରକ୍ଷିତ ଲୋକମାନଙ୍କର ଯତ୍ନ ନେବା କ୍ଷମତା ଦ୍ୱାରା ମଧ୍ୟ ମାପାଯାଇଥାଏ। ରତନ ଟାଟା ଜୀ ସର୍ବଦା ଏ ଦେଶକୁ ପ୍ରାଧାନ୍ୟ ଦେଉଥିଲେ। 26/11 ଆତଙ୍କବାଦୀ ଆକ୍ରମଣ ପରେ ମୁମ୍ବାଇର ଆଇକନିକ୍ ତାଜ ହୋଟେଲକୁ ତୁରନ୍ତ ଖୋଲିବାର ପ୍ରୟାସ ଏହି ଜାତି ପାଇଁ ଏକ ପ୍ରେରଣା ପାଲଟିଥିଲା। ତାଙ୍କର ଏହି ପଦକ୍ଷେପ ଏକ ବଡ ବାର୍ତ୍ତା ଦେଇଛି ଯେ – ଭାରତ ବନ୍ଦ ହେବ ନାହିଁ … ଭାରତ କାହାକୁ ଭୟ କରେ ନାହିଁ ଏବଂ ଆତଙ୍କବାଦକୁ ପ୍ରତିହତ କରିବାରେ ସମର୍ଥ ରଖିଛି।

ବ୍ୟକ୍ତିଗତ ଭାବରେ, ଗତ କିଛି ଦଶନ୍ଧି ମଧ୍ୟରେ ମୁଁ ତାଙ୍କୁ ଅତି ନିକଟରୁ ଜାଣିବାର ସୌଭାଗ୍ୟ ପାଇଲି। ଆମେ ଗୁଜୁରାଟରେ ଏକାଠି କାମ କରିଥିଲୁ। ସେଠାରେ ତାଙ୍କ କମ୍ପାନୀଗୁଡିକ ଦ୍ୱାରା ବୃହତ ପରିମାଣର ପୁଞ୍ଜି ବିନିଯୋଗ କରାଯାଇଥିଲା। ଏଥିରେ ଅନେକ ପ୍ରୋଜେକ୍ଟ ଅନ୍ତର୍ଭୁକ୍ତ ଥିଲା ଯାହା ବିଷୟରେ ସେ ବହୁତ ଆଗ୍ରହୀ ଥିଲେ।

ଯେତେବେଳେ ମୁଁ କେନ୍ଦ୍ର ସରକାରରେ ଯୋଗ ଦେଲି, ଆମର ସେହିପରି କଥାବାର୍ତ୍ତା ଜାରି ରହିଲା ଏବଂ ସେ ଆମର ରାଷ୍ଟ୍ର ନିର୍ମାଣ ପ୍ରୟାସରେ ଏକ ପ୍ରତିବଦ୍ଧ ଅଂଶୀଦାର ଭାବେ କାର୍ଯ୍ୟ କରିଥିଲେ। ସ୍ବଚ୍ଛ ଭାରତ ମିଶନ ପ୍ରତି ଶ୍ରୀ ରତନ ଟାଟାଙ୍କ ଉତ୍ସାହ ମୋ ହୃଦୟକୁ ବିଶେଷ ସ୍ପର୍ଶ କରିଥିଲା। ସେ ଏହି ଜନ ଆନ୍ଦୋଳନର ଜଣେ ସମର୍ଥକ ଥିଲେ। ସେ ବୁଝି ଥିଲେ ଯେ ଭାରତର ଅଗ୍ରଗତି ପାଇଁ ସ୍ୱଚ୍ଛତା ଏବଂ ସୁସ୍ଥ ଜୀବନ କେତେ ଗୁରୁତ୍ୱପୂର୍ଣ୍ଣ।

ଅକ୍ଟୋବର ପ୍ରାରମ୍ଭରେ ସ୍ବଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଇଁ ତାଙ୍କର ଭିଡିଓ ବାର୍ତ୍ତା ମୋର ମନେ ଅଛି। ଏହି ଭିଡିଓ ବାର୍ତ୍ତା, ଏକ ପ୍ରକାର ତାଙ୍କର ଜୀବନର ଶେଷ ଅଭିଭାଷଣ ମଧ୍ୟରୁ ଅନ୍ୟତମ। କର୍କଟ ରୋଗର ମୁକାବିଲା ତାଙ୍କର ଅନ୍ୟ ଏକ ଲକ୍ଷ୍ୟ ଥିଲା।

ଦୁଇ ବର୍ଷ ପୂର୍ବେ ଆସାମରେ ଘଟିଥିବା ଘଟଣା ମୋର ମନେ ଅଛି, ଯେଉଁଠାରେ ଆମେ ମିଳିତ ଭାବେ ରାଜ୍ୟର ବିଭିନ୍ନ କର୍କଟ ଡାକ୍ତରଖାନାର ଉଦଘାଟନ କରିଥିଲୁ। ସେହି ଅବସରରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ତାଙ୍କ ଜୀବନର ଶେଷ ବର୍ଷଗୁଡ଼ିକୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନିଜକୁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି।

ସ୍ୱାସ୍ଥ୍ୟସେବା ଏବଂ କର୍କଟ ରୋଗର ଚିକିତ୍ସାକୁ ସୁଲଭ କରିବା ପାଇଁ ତାଙ୍କର ପ୍ରୟାସ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତି ତାଙ୍କର ଗଭୀର କରୁଣାର ପ୍ରମାଣ। ମୋର ମନେଅଛି ରତନ ଟାଟା ଜୀ ଜଣେ ବିଦ୍ବାନ ବ୍ୟକ୍ତି ଭାବେ- ସେ ମୋତେ ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖିଥା’ନ୍ତି। ଶାସନ ପରିଚାଳନା ହେଉ, କିଛି କାମକୁ ପ୍ରଶଂସା କରିବା ହେଉ କିମ୍ବା ନିର୍ବାଚନ ବିଜୟ ପରେ ଅଭିନନ୍ଦନ ବାର୍ତ୍ତା ସେ ପଠାଇଥାନ୍ତି।

କିଛି ସପ୍ତାହ ପୂର୍ବରୁ, ମୁଁ ସ୍ପେନ ରାଷ୍ଟ୍ରପତି ଶ୍ରୀ ପେଡ୍ରୋ ସାନଚେଜ୍ ଙ୍କ ସହିତ ବରୋଦାରେ  ଆମେ ମିଳିତ ଭାବେ ଏକ ବିମାନ କାରଖାନା ଉଦଘାଟନ କରିଥିଲୁ। ଏହି କାରଖାନାରେ ଭାରତରେ C-295 ବିମାନ ତିଆରି ହେବ। ଶ୍ରୀ ରତନ ଟାଟା ହିଁ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ମୁଁ ଶ୍ରୀ ରତନ ଟାଟାଙ୍କର ଅନୁପସ୍ଥିତିକୁ ବହୁତ ଅନୁଭବ କରୁଛି।

ଆଜି ଯେତେବେଳେ ଆମେ ତାଙ୍କୁ ମନେ ପକାଉ, ସେତେବେଳେ ସେ ସୃଷ୍ଟି କରିଥିବା ସମାଜକୁ ମଧ୍ୟ ମନେ ରଖିବାକୁ ପଡିବ। ଯେଉଁଠାରେ ଭଲ ବ୍ୟବସାୟ ପ୍ରତିଷ୍ଠା ପାଇଁ ସେ ଏକ ଶକ୍ତି ଭାବରେ ଠିଆ ହୋଇଥିଲେ। ଯେଉଁମାନଙ୍କୁ ସେ ସମର୍ଥନ କରିଥିଲେ ଏବଂ ଯେଉଁମାନଙ୍କର ସ୍ୱପ୍ନକୁ ସେ ସାକାର କରିଥିଲେ, ସେମାନଙ୍କ ଜୀବନରେ ରତନ ଟାଟା ଜୀ ଜୀବିତ ଅଛନ୍ତି। ଭାରତକୁ ଏକ ଉନ୍ନତ, ଦୟାଳୁ ଏବଂ ଆଶାବାଦୀ ଦେଶ କରିଥିବାରୁ ଆଗାମୀ ପିଢିମାନେ ତାଙ୍କୁ ସର୍ବଦା ମନେ ରଖିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

‘ଇଣ୍ଡିଆ ମୋବାଇଲ କଂଗ୍ରେସ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ମେଡ୍ ଇନ୍ ଇଣ୍ଡିଆ ଫୋନ୍ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ – ବିଶ୍ୱ ଦୂରସଞ୍ଚାର ମାନକ ସମାବେଶ (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର  ପେମସାନି, ଆଇଟିୟୁର ମହାସଚିବ  ସୁଶ୍ରୀ ଡୋରିନ ବୋଗଡାନ-ମାର୍ଟିନ, ବିଭିନ୍ନ ଦେଶର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି, ଶିଳ୍ପ ନେତା, ଦୂରସଞ୍ଚାର ବିଶେଷଜ୍ଞ, ଷ୍ଟାର୍ଟଅପ୍ ଜଗତ ସହ ଜଡ଼ିତ ଯୁବବର୍ଗ ଏବଂ ଡବ୍ଲୁଟିଏସଏ ଓ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି)ରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

ଆଇଟିୟୁର ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ପ୍ରଥମ ଡବ୍ଲୁଟିଏସଏ ବୈଠକ ପାଇଁ ଭାରତକୁ ଗନ୍ତବ୍ୟସ୍ଥଳ ଭାବରେ ଚୟନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରିଥିଲେ । ଦୂରସଞ୍ଚାର ଏବଂ ଏହା ସହ ଜଡ଼ିତ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ହେଉଛି ସବୁଠାରୁ ଅଗ୍ରଣୀ ଦେଶ ବୋଲି ଶ୍ରୀ ମୋଦୀ କହିଥିଲେ। ଭାରତର ଉପଲବ୍ଧି ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତରେ ୧୨୦ କୋଟି ବା ୧୨୦୦ ନିୟୁତ, ୯୫ କୋଟି କିମ୍ବା ୯୫୦ ନିୟୁତ ଇଣ୍ଟରନେଟ୍ ଉପଭୋକ୍ତା ଅଛନ୍ତି।

ଏଠାରେ ବାସ୍ତବ ସମୟରେ ସମଗ୍ର ବିଶ୍ୱର ୪୦% ରୁ ଅଧିକ ଡିଜିଟାଲ କାରବାର ହେଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଡିଜିଟାଲ ସଂଯୋଗ କିପରି ଶେଷ ସେବା ପହଞ୍ଚାଇବା ଲାଗି ଏକ ପ୍ରଭାବଶାଳୀ ଉପକରଣ ପାଲଟିଛି ତାହା ଭାରତ ପ୍ରଦର୍ଶନ କରିଛି। ବିଶ୍ୱ ଦୂରସଞ୍ଚାର ମାନକ ଉପରେ ଆଲୋଚନା କରିବା ଏବଂ ଦୂରସଞ୍ଚାର ଭବିଷ୍ୟତ ଉପରେ ଆଲୋଚନା ପାଇଁ ଭାରତକୁ ଗନ୍ତବ୍ୟସ୍ଥଳ ଭାବରେ ଚୟନ କରିଥିବାରୁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଡବ୍ଲୁଟିଏସଏ ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସର ମିଳିତ ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବ୍ଲୁଟିଏସଏର ଉଦ୍ଦେଶ୍ୟ ବିଶ୍ୱସ୍ତରୀୟ ମାନଦଣ୍ଡ ଉପରେ କାର୍ଯ୍ୟ କରିବା ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସର ଭୂମିକା ସେବା ସହ ଜଡିତ। ସେ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଗୋଟିଏ ମଞ୍ଚରେ ବିଶ୍ୱସ୍ତରୀୟ ମାନକ ଏବଂ ସେବାକୁ ଏକତ୍ରିତ କରିଛି। ଗୁଣାତ୍ମକ ସେବା ଏବଂ ମାନକ ଉପରେ ଭାରତର ଧ୍ୟାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବ୍ଲୁଟିଏସଏର ଅଭିଜ୍ଞତା ଭାରତକୁ ନୂତନ ଶକ୍ତି ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଜୋର୍‌ କରିଥିଲେ ଯେ ଡବ୍ଲୁଟିଏସଏ ସହମତି ମାଧ୍ୟମରେ ବିଶ୍ୱକୁ ସଶକ୍ତ କରିଥାଏ ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସ ଯୋଗାଯୋଗ ମାଧ୍ୟମରେ ବିଶ୍ୱକୁ ସୁଦୃଢ଼ କରିଥାଏ। ତେଣୁ ଏହି କାର୍ଯ୍ୟକ୍ରମରେ ସହମତି ଓ ଯୋଗାଯୋଗର ମିଶ୍ରଣ ହୋଇଛି ବୋଲି ସେ କହିଥିଲେ। ସଂଘର୍ଷରେ ବୁଡ଼ି ରହିଥିବା ଆଜିର ଦୁନିଆରେ ଏହି ମିଶ୍ରଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବସୁଧୈବ କୁଟୁମ୍ବକମର ଅମର ବାର୍ତ୍ତା ଦେଇ ତିଷ୍ଠି ରହିଛି । ସେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ବିଷୟରେ ଉଲ୍ଲେଖ କରିବା ସହ ‘ଗୋଟିଏ ପୃଥିବୀ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ’ର ବାର୍ତ୍ତା ଦେଇଥିଲେ। ଭାରତ ବିଶ୍ୱକୁ ସଂଘର୍ଷରୁ ବାହାର କରିବା ଏବଂ ଏହାକୁ ଯୋଡ଼ିବାରେ ଲାଗି ପଡିଛି ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ।

‘‘ପ୍ରାଚୀନ ରେଶମ ମାର୍ଗ ହେଉ କିମ୍ବା ଆଜିର ପ୍ରଯୁକ୍ତି ମାର୍ଗ, ଭାରତର ଏକମାତ୍ର ଲକ୍ଷ୍ୟ ହେଉଛି ବିଶ୍ୱକୁ ଯୋଡ଼ିବା ଏବଂ ପ୍ରଗତିର ନୂତନ ଦ୍ୱାର ଖୋଲିବା’’। ଏଭଳି ପରିସ୍ଥିତିରେ ଡବ୍ଲୁଟିଏସଏ ଏବଂ ଆଇଏମସିର ଏହି ଭାଗିଦାରୀ ଏକ ମହାନ ବାର୍ତ୍ତା ଦେଉଛି ଯେଉଁଠାରେ ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ସହଯୋଗ ଦ୍ୱାରା କେବଳ ଗୋଟିଏ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱକୁ ଏହାର ଲାଭ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

‘‘ଏକବିଂଶ ଶତାବ୍ଦୀରେ ଭାରତର ମୋବାଇଲ୍ ଏବଂ ଦୂରସଞ୍ଚାର ଯାତ୍ରା ସମଗ୍ର ବିଶ୍ୱ ପାଇଁ ଏକ ଅଧ୍ୟୟନର ବିଷୟ’’, ଶ୍ରୀ ମୋଦୀ କହିଥିଲେ । ସମଗ୍ର ବିଶ୍ୱରେ ମୋବାଇଲ୍ ଏବଂ ଦୂରସଞ୍ଚାରକୁ ଏକ ସୁବିଧା ଭାବରେ ଦେଖାଯାଉଥିବା ବେଳେ ଭାରତରେ ଦୂରସଞ୍ଚାର କେବଳ ସଂଯୋଗର ମାଧ୍ୟମ ନୁହେଁ, ବରଂ ସମାନତା ଏବଂ ସୁଯୋଗର ଏକ ମାଧ୍ୟମ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୂରସଞ୍ଚାର ଏକ ମାଧ୍ୟମ ଭାବରେ ଗ୍ରାମ ଏବଂ ସହର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସହାୟକ ହେଉଛି, ଯାହାକି ଆଜି ଧନୀ ଏବଂ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁଯୋଗ ଓ ସୁବିଧା ହେଉଛି।

ଏକ ଦଶନ୍ଧି ପୂର୍ବେ ଡିଜିଟାଲ ଇଣ୍ଡିଆର ପରିକଳ୍ପନା ଉପରେ ତାଙ୍କ ଉପସ୍ଥାପନାକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ଭାରତକୁ ଏକ ସାମଗ୍ରିକ ଆଭିମୁଖ୍ୟ ସହିତ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେତେବେ ସେ ଆହ୍ୱା ଦେଇଥିଲେ । ଡିଜିଟାଲ ଇଣ୍ଡିଆର ଚାରିଟି ସ୍ତମ୍ଭ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ – କମ୍ ମୂଲ୍ୟର ଉପକରଣ, ଦେଶର କୋଣ ଅନୁକୋଣରେ ଡିଜିଟାଲ ସଂଯୋଗର ବ୍ୟାପକ ପହଞ୍ଚ, ସହଜରେ ଉପଲବ୍ଧ ଡାଟା ଏବଂ ‘ଡିଜିଟାଲ ଫର୍ଷ୍ଟ’ର ଲକ୍ଷ୍ୟକୁ ଏକାସାଙ୍ଗରେ ଚିହ୍ନଟ କରାଯାଇ ହୋଇଥିବା କାର୍ଯ୍ୟ ଭଲ ପରିଣାମ ଆଣିଛି ।

ଯୋଗାଯୋଗ ଏବଂ ଦୂରସଞ୍ଚାର ସଂସ୍କାର କ୍ଷେତ୍ରରେ ଭାରତର ଯୁଗାନ୍ତକାରୀ ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଦେଶ କିପରି ଦୁର୍ଗମ ଆଦିବାସୀ, ପାହାଡ଼ିଆ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ହଜାର ହଜାର ମୋବାଇଲ୍ ଟାୱାରର ଏକ ସୁଦୃଢ଼ ନେଟୱାର୍କ ନିର୍ମାଣ କରିଛି ଏବଂ ପ୍ରତ୍ୟେକ ପରିବାର ପାଇଁ ଯୋଗାଯୋଗ ସୁନିଶ୍ଚିତ କରିଛି ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସେ କହିଥିଲେ ଯେ ସରକାର ସମଗ୍ର ଦେଶରେ ମୋବାଇଲ ଟାୱାରର ଏକ ଶକ୍ତିଶାଳୀ ନେଟୱାର୍କ ସୃଷ୍ଟି କରିଛନ୍ତି । ରେଳ ଷ୍ଟେସନ ଭଳି ସର୍ବସାଧାରଣ ସ୍ଥାନରେ ଦ୍ରୁତ ୱାଇ-ଫାଇ ସୁବିଧା ସ୍ଥାପନ ଏବଂ ଆଣ୍ଡାମାନ-ନିକୋବର ଓ ଲାକ୍ଷାଦ୍ୱୀପ ଭଳି ଦ୍ୱୀପାଞ୍ଚଳକୁ ସମୁଦ୍ର ତଳ କେବୁଲ ମାଧ୍ୟମରେ ସଂଯୋଗ କରିବା ସମେତ ଭିତ୍ତିଭୂମିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ଯେତିକି ଅପ୍ଟିକାଲ ଫାଇବର ବିଛାଇଛି, ତାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ପ୍ରାୟ ଆଠ ଗୁଣ ।

ଶ୍ରୀ ମୋଦୀ ଭାରତ 5-ଜି ଜ୍ଞାନକୌଶଳକୁ ଦ୍ରୁତ ଗତିରେ ଗ୍ରହଣ କରୁଥିବା କଥା ଉଲ୍ଲେଖ କରି କହିଥିଲେ ଯେ ଦୁଇ ବର୍ଷ ପୂର୍ବେ 5-ଜି ଟେକ୍ନୋଲୋଜିର ଶୁଭାରମ୍ଭ କରାଯାଇଥିଲା ଏବଂ ଆଜି ପ୍ରାୟ ପ୍ରତ୍ୟେକ ଜିଲ୍ଲା ଏଥିରେ ସଂଯୁକ୍ତ ହୋଇ ଭାରତକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ 5-ଜି ବଜାରରେ ପରିଣତ କରିଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତ 6-ଜି ଜ୍ଞାନକୌଶଳ ଦିଗରେ ଅଗ୍ରଗତି କରୁଛି ଏବଂ ଭବିଷ୍ୟତ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ସୁନିଶ୍ଚିତ କରୁଛି।

ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଡାଟା ଦର ହ୍ରାସ କରିବାରେ ଭାରତର ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଭାରତରେ ଇଣ୍ଟରନେଟ୍ ଡାଟାର ମୂଲ୍ୟ ଏବେ ଜିବି ପିଛା ୧୨ ସେଣ୍ଟ୍ ଠାରୁ ମଧ୍ୟ କମ୍ ରହିଛି, ଏହା ତୁଳନାରେ ଅନ୍ୟ ଦେଶଗୁଡ଼ିକରେ ଗୋଟିଏ ଜିବି ଡାଟା ୧୦ରୁ ୨୦ ଗୁଣ ଅଧିକ ମହଙ୍ଗା। ଆଜି ପ୍ରତ୍ୟେକ ଭାରତୀୟ ପ୍ରତି ମାସରେ ହାରାହାରି ୩୦ ଜିବି ଡାଟା ଖର୍ଚ୍ଚ କରୁଛନ୍ତି।

ଏଭଳି ସମସ୍ତ ପ୍ରୟାସକୁ ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ପ୍ରଥମେ ଡିଜିଟାଲ ଭାବନା ଦ୍ୱାରା ଏକ ନୂତନ ସ୍ତରକୁ ନିଆଯାଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଭାରତ ଡିଜିଟାଲ ଜ୍ଞାନକୌଶଳକୁ ସାର୍ବଜନୀନ କରିଛି ଏବଂ ଏପରି ଏକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରିଛି ଯେଉଁଠାରେ ଏହି ପ୍ଲାଟଫର୍ମଗୁଡିକରେ ନୂଆ ଉଦ୍ଭାବନ ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଜନଧନ, ଆଧାର ଏବଂ ମୋବାଇଲ୍ ଭଳି ଜାମ୍ ତ୍ରୟର ବୈପ୍ଳବିକ ଶକ୍ତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଅଗଣିତ ଉଦ୍ଭାବନର ମୂଳଦୁଆ ପକାଇଛି। ସେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବିଷୟରେ ଉଲ୍ଲେଖ କରିଥିଲେ ଯାହା ଅନେକ କମ୍ପାନୀ ପାଇଁ ନୂତନ ସୁଯୋଗ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଓଏନଡିସି ବିଷୟରେ ମଧ୍ୟ କହିଥିଲେ ଯାହା ଡିଜିଟାଲ ବାଣିଜ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ ।

କୋଭିଡ୍-୧୯ ମହାମାରୀ ସମୟରେ ଡିଜିଟାଲ୍ ପ୍ଲାଟଫର୍ମର ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯେଉଁଥିରେ ଅଭାବୀ ଲୋକଙ୍କୁ ଆର୍ଥିକ ସହାୟତା ହସ୍ତାନ୍ତର, ବାସ୍ତବ ସମୟରେ ମାର୍ଗଦର୍ଶିକା ପହଞ୍ଚାଇବା, ଟିକାକରଣ ଅଭିଯାନ ଏବଂ ଡିଜିଟାଲ୍ ଟିକା ପ୍ରମାଣପତ୍ର ପ୍ରଦାନ ଭଳି ନିରବଚ୍ଛିନ୍ନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରାଯାଇଥିଲା। ଭାରତର ସଫଳତା ଉପରେ ରେଖାପାତ କରି ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଏହାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଅଭିଜ୍ଞତା ବାଣ୍ଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଜି-୨୦ ଅଧ୍ୟକ୍ଷତା ସମୟରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଭାରତର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଡିଜିଟାଲ ଭଣ୍ଡାର ବିଶ୍ୱବ୍ୟାପୀ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ଅଧିକ ସୁଧାର ଆଣିପାରିବ । ଅନ୍ୟ ସମସ୍ତ ଦେଶ ସହ ନିଜର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଜ୍ଞାନ ବାଣ୍ଟିବା ଦେଶ ପାଇଁ ଖୁସିର ବିଷୟ ହେବ ବୋଲି ସେ ଜୋର୍‌ ଦେଇ କହିଥିଲେ ।

ଡବ୍ଲ୍ୟୁଟିଏସଏ ସମୟରେ ମହିଳା ନେଟୱର୍କ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଭାରତ ଅତ୍ୟନ୍ତ ଗମ୍ଭୀରତାର ସହ କାର୍ଯ୍ୟ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଜି-୨୦ରେ ଭାରତର ଅଧ୍ୟକ୍ଷତା ସମୟରେ ଏହି ପ୍ରତିଶ୍ରୁତିକୁ ଆଗକୁ ନିଆଯାଇଥିଲା । ବୈଷୟିକ ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଭାରତ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ସେ ଭାରତର ମହାକାଶ ଅଭିଯାନରେ ମହିଳା ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଭାରତର ଷ୍ଟାର୍ଟଅପ୍ ରେ ମହିଳା ସହ-ପ୍ରତିଷ୍ଠାତାଙ୍କ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତର ଏସଟିଇଏମ୍‌ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ) ଶିକ୍ଷାରେ ଛାତ୍ରୀଙ୍କ ଅଂଶଗ୍ରହଣ ୪୦ ପ୍ରତିଶତ ରହିଛି ଏବଂ ଭାରତ ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରୁଛି । କୃଷି କ୍ଷେତ୍ରରେ ଡ୍ରୋନ୍ ବିପ୍ଳବକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ନମୋ ଡ୍ରୋନ୍ ଦିଦି କାର୍ଯ୍ୟକ୍ରମ ଭାରତର ଗାଁର ମହିଳାଙ୍କ ନେତୃତ୍ୱରେ ଚାଲିଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଭାରତ ବ୍ୟାଙ୍କ ସଖୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି ଯାହା ଡିଜିଟାଲ ସଚେତନତା ସୃଷ୍ଟି କରିଛି । ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାତୃତ୍ୱ ଏବଂ ଶିଶୁ ଯତ୍ନ କ୍ଷେତ୍ରରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଏହି କର୍ମୀମାନେ ଟ୍ୟାବ୍ ଏବଂ ଆପ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ ଉପରେ ନଜର ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଅନଲାଇନ୍ ମାର୍କେଟିଂ ପ୍ଲାଟଫର୍ମ ମହିଳା ଇ-ହାଟ କାର୍ଯ୍ୟକ୍ରମ ମଧ୍ୟ ଚଳାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଅକଳ୍ପନୀୟ ଯେ ଆଜି ପ୍ରତ୍ୟେକ ଗ୍ରାମରେ ଭାରତର ମହିଳାମାନେ ଏଭଳି ଜ୍ଞାନକୌଶଳ ଉପରେ କାମ କରୁଛନ୍ତି । ଆଗାମୀ ଦିନରେ ଭାରତ ଏହାର ପରିସରକୁ ଆହୁରି ବିସ୍ତାର କରିବ, ଯେଉଁଠାରେ ଭାରତର ପ୍ରତ୍ୟେକ ଝିଅ ଜଣେ ଟେକ୍ ନେତ୍ରୀ ହେବେ ବୋଲି ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ।

ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚା ପ୍ରତିଷ୍ଠା ର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା ବୋଲି ସେ ଜୋର୍‌ ଦେଇ କହିଥିଲେ। ବିଶ୍ୱ ପ୍ରଶାସନ ପାଇଁ ଏହାର ମହତ୍ତ୍ୱକୁ ସ୍ୱୀକାର କରିବାକୁ ବୈଶ୍ୱିକ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ବିଶ୍ୱ ଶାସନର ଗୁରୁତ୍ୱକୁ ଗ୍ରହଣ କରିବାର ସମୟ ଆସିଛି ।

ବିଶ୍ୱସ୍ତରରେ ବୈଷୟିକ ଜ୍ଞାନକୌଶଳ ପାଇଁ ‘‘କ’ଣ କରିବା ଉଚିତ୍‌ ଏବଂ କ’ଣ କରିବା ଉଚିତ୍‌ ନୁହେଁ’’ ମାର୍ଗଦର୍ଶିକା ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଡିଜିଟାଲ ଉପକରଣ ଏବଂ ଆପ୍ଲିକେସନର ସୀମାହୀନ ପ୍ରକୃତି ଉପରେ ଧ୍ୟାନ ଦେବା ଉଚିତ୍‌। ସାଇବର ବିପଦର ମୁକାବିଲା ଏବଂ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡିକ ଦ୍ୱାରା ସାମୂହିକ ପଦକ୍ଷେପ ପାଇଁ ଅନ୍ତର୍ଜାତୀୟ ସହଯୋଗ ନିମନ୍ତେ ସେ ଆହ୍ୱାନ ଦେଇଥିଲେ । ପୂର୍ବରୁ ସୁପ୍ରତିଷ୍ଠିତ ଢାଞ୍ଚା ରହିଥିବା ବିମାନ ଚଳାଚଳ କ୍ଷେତ୍ର ସହିତ ଏହି କ୍ଷେତ୍ରର ସମାନତା ରହିଥିବା ସେ କହିଥିଲେ ।

ଏକ ସୁରକ୍ଷିତ ଡିଜିଟାଲ ଇକୋସିଷ୍ଟମ ଏବଂ ଦୂରସଞ୍ଚାର କ୍ଷେତ୍ର ପାଇଁ ସୁରକ୍ଷିତ ଚ୍ୟାନେଲ ସୃଷ୍ଟି କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଡବ୍ଲୁଟିଏସଏକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଏକ ପରସ୍ପର ସହ ଜଡ଼ିତ ଦୁନିଆରେ ନିରାପତ୍ତା ଏକ ପରବର୍ତ୍ତୀ ଚିନ୍ତାଧାରା ହୋଇପାରିବ ନାହିଁ। ଭାରତର ଡାଟା ସୁରକ୍ଷା ଆଇନ ଏବଂ ଜାତୀୟ ସାଇବର ସୁରକ୍ଷା ରଣନୀତି ଏକ ସୁରକ୍ଷିତ ଡିଜିଟାଲ ପରିବେଶ ନିର୍ମାଣ ପାଇଁ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ । ରାଷ୍ଟ୍ରଗୁଡ଼ିକର ବିବିଧତାକୁ ସମ୍ମାନ ଦେଉଥିବା ନୈତିକ ଏଆଇ ଏବଂ ଡାଟା ଗୋପନୀୟତା ମାନକ ସମେତ ଭବିଷ୍ୟତର ଆହ୍ୱାନଗୁଡିକ ପାଇଁ ସମାବେଶୀ, ସୁରକ୍ଷିତ ଏବଂ ଅନୁକୂଳ ମାନଦଣ୍ଡ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଏହି ସଭାର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଚାଲିଥିବା ବୈଷୟିକ ବିପ୍ଳବରେ ଏକ ମାନବ-କେନ୍ଦ୍ରୀତ ଦିଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦାୟିତ୍ୱବାନ ଓ ଦୀର୍ଘସ୍ଥାୟୀ ଉଦ୍ଭାବନ ପାଇଁ ଆହ୍ୱାନ ଦେଇଥିଲେ । ଆଜି ନିର୍ଦ୍ଧାରିତ ମାନଦଣ୍ଡ ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରିବ ଏବଂ ସୁରକ୍ଷା, ମର୍ଯ୍ୟାଦା ଏବଂ ସମାନତାର ନୀତି ଆମ ଆଲୋଚନାର କେନ୍ଦ୍ରବିନ୍ଦୁ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଡିଜିଟାଲ ପରିବର୍ତ୍ତନରେ କୌଣସି ଦେଶ, କୌଣସି ଅଞ୍ଚଳ ଏବଂ କୌଣସି ସମ୍ପ୍ରଦାୟ ଯେପରି ପଛରେ ପଡ଼ିବ ନାହିଁ ତାହା ଆମର ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଅନ୍ତର୍ଭୁକ୍ତୀକରଣ ସହିତ ସନ୍ତୁଳିତ ଉଦ୍ଭାବନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମର ଭବିଷ୍ୟତ ଉଭୟ ବୈଷୟିକ ସ୍ତରରେ ଓ ନୈତିକ ଦୃଷ୍ଟିରୁ ସୁଦୃଢ଼ ହେବା ଉଚିତ୍ ଏବଂ ଆମ ଭବିଷ୍ୟତରେ ଅଭିନବତା ଓ ଅନ୍ତର୍ଭୁକ୍ତୀକରଣ ରହିବା ଆବଶ୍ୟକ, ଏହା ଆମକୁ ସୁନିଶ୍ଚିତ କରିବାକୁ ହେବ ବୋଲି ସେ କହିଥିଲେ। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଡବ୍ଲୁଟିଏସଏର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଏଥିପାଇଁ ସମର୍ଥନ ମଧ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର  ପେମସାନିଙ୍କ ସମେତ ବହୁ ଶିଳ୍ପପତି ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆନ୍ତର୍ଜାତିକ ଦୂରସଂଚାର ସଂଘ – ବିଶ୍ୱ ଦୂରସଂଚାର ମାନକ ସଭା (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦଘାଟନ କରିବେ।

ଡବ୍ଲୁଟିଏସଏ ହେଉଛି ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ, ୟୁନାଇଟେଡ୍ ନେସନ୍ସ ଏଜେନ୍ସି ଫର ଡିଜିଟାଲ ଟେକ୍ନୋଲୋଜିର ମାନକୀକରଣ କାର୍ଯ୍ୟ ପାଇଁ ପରିଚାଳନା ସମ୍ମିଳନୀ, ଯାହା ପ୍ରତି ଚାରି ବର୍ଷରେ ଆୟୋଜନ କରାଯାଏ। ପ୍ରଥମ ଥର ପାଇଁ ଆଇଟିୟୁ-ଡବ୍ଲୁଟିଏସଏ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ଆୟୋଜନ କରାଯିବ। ଟେଲିକମ୍, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩,୦୦୦ରୁ ଅଧିକ ଶିଳ୍ପ ନେତା, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ।

ଡବ୍ଲୁଟିଏସଏ ୨୦୨୪ ଦେଶମାନଙ୍କୁ ୬ଜି, ଏଆଇ, ଆଇଓଟି, ବିଗ୍ ଡାଟା, ସାଇବର ସିକ୍ୟୁରିଟି ଇତ୍ୟାଦି ପରବର୍ତ୍ତୀ ପିଢ଼ିର ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ମାନଦଣ୍ଡ ଉପରେ ଆଲୋଚନା ଏବଂ ନିର୍ଣ୍ଣୟ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ ଦେଶକୁ ବିଶ୍ୱ ଟେଲିକମ୍ ଏଜେଣ୍ଡା ଗଠନ ଏବଂ ଭବିଷ୍ୟତର ଟେକ୍ନୋଲୋଜି ପାଇଁ ମାର୍ଗ ନିର୍ଦ୍ଧାରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ। ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ମାନକ ଅତ୍ୟାବଶ୍ୟକ ପେଟେଣ୍ଟ ବିକଶିତ କରିବାରେ ଭାରତୀୟ ଷ୍ଟାର୍ଟଅପ୍ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହାସଲ କରିବାକୁ ଯାଉଛନ୍ତି।

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଭାରତର ଇନୋଭେସନ୍ ଇକୋସିଷ୍ଟମ୍ ପ୍ରଦର୍ଶିତ ହେବ, ଯେଉଁଠାରେ ଅଗ୍ରଣୀ ଟେଲିକମ୍ କମ୍ପାନୀ ଏବଂ ଉଦ୍ଭାବକମାନେ କ୍ୱାଣ୍ଟମ୍ ଟେକ୍ନୋଲୋଜି ଏବଂ ସର୍କୁଲାର ଇକୋନୋମିର  ଅଗ୍ରଗତି ଉପରେ ଆଲୋକପାତ କରିବା ସହିତ ୬ଜି, ୫ଜି ବ୍ୟବହାର-ମାମଲା ପ୍ରଦର୍ଶନ, କ୍ଲାଉଡ୍ ଆଣ୍ଡ ଏଜ୍ କମ୍ପ୍ୟୁଟିଂ, ଆଇଓଟି, ସେମିକଣ୍ଡକ୍ଟର, ସାଇବର ସିକ୍ୟୁରିଟି, ଗ୍ରୀନ୍ ଟେକ୍, ସାଟକମ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ଆଲୋକପାତ କରିବେ।

ଟେକ୍ନୋଲୋଜି ଏବଂ ଟେଲିକମ୍ ଇକୋସିଷ୍ଟମରେ ଶିଳ୍ପ, ସରକାର, ଶିକ୍ଷାବିତ୍, ଷ୍ଟାର୍ଟଅପ୍ ଏବଂ ଅନ୍ୟ ପ୍ରମୁଖ ଅଂଶୀଦାରମାନଙ୍କ ପାଇଁ ଅଭିନବ ସମାଧାନ, ସେବା ଏବଂ ଅତ୍ୟାଧୁନିକ ବ୍ୟବହାର ମାମଲା ପ୍ରଦର୍ଶନ କରିବା ପାଇଁ ଏସିଆର ସର୍ବବୃହତ ଡିଜିଟାଲ ଟେକ୍ନୋଲୋଜି ଫୋରମ୍ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ସମଗ୍ର ବିଶ୍ୱରେ ଏକ ଜଣାଶୁଣା ପ୍ଲାଟଫର୍ମ ରେ ପରିଣତ ହୋଇଛି ।

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ୪୦୦ ରୁ ଅଧିକ ପ୍ରଦର୍ଶକ, ପ୍ରାୟ ୯୦୦ ଷ୍ଟାର୍ଟଅପ୍ ଏବଂ ୧୨୦ରୁ ଅଧିକ ଦେଶର ଅଂଶଗ୍ରହଣ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ୯୦୦ରୁ ଅଧିକ ଟେକ୍ନୋଲୋଜି ବ୍ୟବହାର ମାମଲା ଦୃଶ୍ୟ ପ୍ରଦର୍ଶିତ କରିବା, ୧୦୦ରୁ ଅଧିକ ଅଧିବେଶନ ଆୟୋଜନ କରିବା ଏବଂ ୬୦୦ରୁ ଅଧିକ ବୈଶ୍ୱିକ ଏବଂ ଭାରତୀୟ ବକ୍ତାମାନଙ୍କ ସହ ଆଲୋଚନା କରିବାକୁ ଲକ୍ଷ୍ୟ ରଖାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରତନ ଟାଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରତନ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ଶ୍ରୀ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପପତି ​​ଏବଂ ଜଣେ ଅସାଧାରଣ ମଣିଷ ଯିଏ ନିଜକୁ ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ସହିତ ଅନେକ ଲୋକଙ୍କୁ ଭଲ ପାଉଥିଲେ।

ଏକ ଥ୍ରେଡ୍ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଶ୍ରୀ ରତନ ଟାଟା ଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟ ନେତା, ଦୟାଳୁ ଆତ୍ମା ​​ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ସେ ଭାରତର ଅନ୍ୟତମ ପୁରାତନ ତଥା ପ୍ରତିଷ୍ଠିତ ବ୍ୟବସାୟ ସାମ୍ରାଜ୍ୟକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ। ଏଥି ସହିତ, ତାଙ୍କର ଅବଦାନ ବୋର୍ଡରୁମଠାରୁ ବହୁ ଦୂରରେ ଥିଲା। ତାଙ୍କର ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ହେତୁ ସେ ଅନେକ ଲୋକଙ୍କୁ ଭଲ ପାଉଥିଲେ। ”

“ଶ୍ରୀ ରତନ ଟାଟା ଜୀଙ୍କର ଏକ ଅନନ୍ୟ ଦିଗ ହେଉଛି ବଡ଼ ସ୍ୱପ୍ନ ଦେଖିବା ଏବଂ ଦାନ କରିବା ପ୍ରତି ତାଙ୍କର ଆଗ୍ରହ। ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପଶୁ କଲ୍ୟାଣ ଭଳି କିଛି କାରଣ ପାଇଁ ସେ ବିଖ୍ୟାତ ହୋଇ ପାରିଥିଲେ।

ମୋଦି ଆହୁରି କହିଛନ୍ତି ଯେ, ” ମୁଁ ରତନ ଟାଟାଙ୍କ ସହିତ ଅନେକ ଥର ସାକ୍ଷାତ କରିଛି। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ମୁଁ ଗୁଜୁରାଟରେ ତାଙ୍କୁ ବାରମ୍ବାର ଭେଟିଛି। ଆମେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛୁ। ଯେତେବେଳେ ମୁଁ ଦିଲ୍ଲୀ ଆସିଲି ଏହି ସଂପର୍କ ଜାରି ରହିଥିଲା। ତାଙ୍କର ପରଲୋକରେ ମୋତେ ଅତ୍ୟଧିକ ଯନ୍ତ୍ରଣା ଦେଇଛି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି।” ‘ଓମ୍ ଶାନ୍ତି’।

Categories
ଆଜିର ଖବର ଜାତୀୟ ଖବର ସିନେମା

କାହିଁକି ପ୍ରଖ୍ୟାତ ଗାୟିକା ଲତା ମଙ୍ଗେଶକରଙ୍କୁ ଆଜି ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଲତା ମଙ୍ଗେଶକରଙ୍କ ହୃଦୟସ୍ପର୍ଶୀ ​​ଗୀତ ଯୋଗୁଁ ସେ ସର୍ବଦା ଲୋକଙ୍କ ହୃଦୟରେ ଏବଂ ମନରେ ରହିବେ। ଆଜି ଲତାଜୀଙ୍କର ଜନ୍ମ ବାର୍ଷିକୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲତା ମଙ୍ଗେଶକରଙ୍କ ସହିତ ତାଙ୍କର ଏକ ବିଶେଷ ବନ୍ଦୁତ୍ବ ଥିଲା।

ଏକ ଟୁଇଟ୍‌ରେ ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ସ୍ନେହ ଏବଂ ଆଶୀର୍ବାଦ ପାଇବାରେ ସେ ଭାଗ୍ୟବାନ ହୋଇଛନ୍ତି। ଶ୍ରୀ ମୋଦୀ ଇଣ୍ଡିଆନ ଏକ୍ସପ୍ରେସରେ ବାହାରିଥିବା  ହୃଦୟନାଥ ମଙ୍ଗେଶକରଙ୍କ ଏକ ଲେଖାର ଲିଙ୍କକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ଭୁବନେଶ୍ୱର: ସବୁ ଅନ୍ତ ଘଟାଇ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ କିସ୍ତି ପଇସା ପାଇଛନ୍ତି କିଛି ଯୋଗ୍ୟ ମହିଳା। ଏହି ଅବସରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ। ଆଜିର ଏହି ଶୁଭ ଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଯୋଗ୍ୟ ମହିଳା ପାଞ୍ଚ ବର୍ଷରେ 50 ହଜାର ଟଙ୍କା ପାଇବେ।

କେବଳ ସୁଭଦ୍ରା ନୁହେଁ, ଓଡିଶାରେ ବହୁ ଯୋଜନାରେ ଶିଳାନ୍ୟାସ ବି ହୋଇଛି। ଓଡ଼ିଶାରେ ଡବଲ ଇଂଜିନ ସରକାର ହେବା ଯୋଗୁଁ ଏସବୁ ସମ୍ଭବ ହୋଇଛି। ରାଜ୍ୟର ମହିଳା, ଯୁବକ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଆଜି ସମ୍ଭବ ହୋଇଛି। ଶହେ ଦିନ ପୂର୍ତ୍ତି ହୋଇଥିବା କାରଣରୁ ଏମିତି ଆହୁରି ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହେବ।

ଶପଥ ଗ୍ରହଣ ପରେ ମୋର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଅବହିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିକଶିତ ଓଡିଶା ପାଇଁ ଓଡିଶା ସରକାର କାର୍ଯ୍ୟ କରୁଛି। ନିର୍ବାଚନ ପୂର୍ବରୁ ଯାହା କୁହାଯାଇଛି ସେସବୁ ପର୍ଯ୍ୟାୟ କ୍ରମେ କରାଯାଇଛି। ଜନଜାତିଙ୍କ ବିକାଶ, ଭିତ୍ତିଭୂମିର ଉନ୍ନତି, ମଧ୍ୟମ ବର୍ଗଙ୍କ ଆର୍ଥିକ ଉନ୍ନତି, ଏଗାର ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଉଛି। ସୁଭଦ୍ରା ଯୋଜନା ପାଇଁ ମହିଳା ସଶକ୍ତିକରଣ ସମ୍ଭବ ହୋଇଛି। ଏଥିପାଇଁ କେବଳ ଓଡିଶା ନୁହେଁ ସମଗ୍ର ଦେଶର ବିକାଶ ହେବ।

ମଙ୍ଗଳବାର ସ୍ଥାନୀୟ ଜନତା ମୈଦାନ ଉତ୍ସବ ମୁଖର ହୋଇଛି। ସୁଭଦ୍ରା ଯୋଜନା ଶୁଭାରମ୍ଭ ମହୋତ୍ସବରେ ସାରା ରାଜ୍ୟରୁ ଆସିଛନ୍ତି ଲକ୍ଷାଧିକ ମହିଳା। ଶୃଙ୍ଖଳିତ ଭାବେ ସବୁକିଛି ଆୟୋଜନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ଅହମ୍ମଦାବାଦ୍‌ରୁ ସିଧାସଳଖ ଭୁବନେଶ୍ୱର ଆସି ପୂର୍ବାହ୍ନ ୧୦ଟା ୫୦ରେ ପହଞ୍ଚିଛନ୍ତି। ସେଠାରୁ ପ୍ରଥମେ ସେ ଗାଡ଼କଣ ବସ୍ତିରେ ପହଞ୍ଚି ୧୧ଟା୧୫ରୁ ୧୧ଟା୪୫ ଯାଏ ପିଏମ୍ ଆବାସ ବଣ୍ଟନ ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମ ସାରି ମୋଦୀ ଠିକ୍ ବାରଟା ପନ୍ଦରରେ ଜନତା ମଇଦାନ ପହଞ୍ଚି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ଜନତା ମଇଦାନରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହି କିଛି ଯୋଜନାର ଶୁଭାରମ୍ଭ କରିଵା ସହ ମୋଦୀ କିଛି ଯୋଜନାର ଲୋକାର୍ପଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଆସିବେ ପ୍ରଧାନମନ୍ତ୍ରୀ, ଶପଥ ଗ୍ରହଣ ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡିଶା ଗସ୍ତ, କଣ କହିବେ ??

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶେଷ ଥର ପାଇଁ ସେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ। ଏହାପରେ ନୂଆ ସରକାର କାମ କରିବା ପରେ ମୋଦିଙ୍କର ଏହା ହେଉଛି ପ୍ରଥମ ଓଡିଶା ଗସ୍ତ। ସେଥିପାଇଁ ବିଜେପି ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। କାରଣ ସେମାନେ ପୂର୍ବରୁ ସରକାରରେ ନ ଥାଇ ମୋଦିଙ୍କ ଗସ୍ତ କଥା ବୁଝୁଥିଲେ। ଏବେ ସରକାରରେ ରହି ଏ କଥା ବୁଝିବାକୁ ପଡିଛି।

ମୋଦି ଆଜି ପୂର୍ବହ୍ନ ଏଗାରଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ସେ ସିଧା ଜନତା ମଇଦାନ ଯିବେ। ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ। ତେବେ ଏ ସବୁ ଭିତରେ ଯାହା ସବୁଠାରୁ ଚର୍ଚ୍ଚିତ କାର୍ଯ୍ୟଟି ହେଉଛି ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ପ୍ରଦାନ। ଯାହାକୁ ନେଇ ବିଜେପି ଆଜି ଶାସନ କ୍ଷମତାକୁ ଆସିଛି ତାହାର ଶୁଭାରମ୍ଭ କରିବେ।

ତେବେ ପୂର୍ବରୁ ମୋଦି ନିର୍ବାଚନ ପ୍ରଚାରରେ ଘନଘନ ଓଡିଶା ଗସ୍ତରେ ଆସିଛନ୍ତି। ରାଜନୈତିକ ଭାଷଣ ଦେଇ ଯାଇଛନ୍ତି। କେତେବେଳେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା ତ କେତେବେଳେ ପାଣ୍ଡିଆନଙ୍କୁ ନେଇ କଟାକ୍ଷ କରିବା ଭାଷଣ ସମସ୍ତେ ଶୁଣିଛନ୍ତି। ହେଲେ ତାହାଥିଲା ନିର୍ବାଚନ ପ୍ରଚାର ଆଉ ଦଳିୟ କାର୍ଯ୍ୟକ୍ରମ। ହେଲେ ବର୍ତ୍ତମାନ ମୋଦିଙ୍କ ଓଡିଶା ଗସ୍ତ ସଂପୂର୍ଣ୍ଣ ଭାବେ ସରକାରୀ କାର୍ଯ୍ୟକ୍ରମ। ତାଙ୍କର କୌଣସି ଦଳିୟ କାର୍ଯ୍ୟକ୍ରମ ନାହିଁ।

ତଥାପି ଭାଷଣ ଦେବାରେ ରେକର୍ଡ କରିଥିବା ନରେନ୍ଦ୍ର ମୋଦି ଏଥର ସେ କଣ କହିବେ ଅନେକଙ୍କ ଉତ୍କଣ୍ଠା ପ୍ରକାଶ ପାଇଛି। ଦଳିୟ କାର୍ଯ୍ୟକ୍ରମ ହୋଇ ନ ଥିବାରୁ ତାଙ୍କ ଭାଷଣରେ ନିଶ୍ଚିତ ଭାବେ କୌଣସି ସମାଲୋଚନା ଦେଖିବାକୁ ମିଳିବ ନାହିଁ। ହେଲେ ତାଙ୍କ ଭାଷଣରେ ମୋହନ ସରକାର କେତେ ପାରିବା ପଣିଆ ତାହାର ଏକ ରୂପରେଖ ତ ସେ ନିଶ୍ଚିତ ଦେବେ ଏଥିରେ ସନ୍ଦେହ ନାହିଁ। ତେବେ ପୂର୍ବ ସରକାରର ବିଫଳତାକୁ ସେ ପୁଣି ଥରେ ପରିପ୍ରକାଶ କରିବେ କି ନାହିଁ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡଙ୍କ ଘରକୁ କାହିଁକି ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ଭାରତର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୁଡଙ୍କ ବାସଭବନକୁ ଯାଇଥିଲେ। ବାସଭବନ ଦୁଆରରେ ମୁଖ୍ୟ ବିଚାରପତି ଏବଂ ତାଙ୍କ ପତ୍ନୀ କଳ୍ପନା ଦାସ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଘରକୁ କାହିଁକି ଗଲେ ସେ ନେଇ ପ୍ରଶ୍ନ ଉଠିଛି।

ତେବେ ଗଣେଷ ପୂଜା ଉପଲକ୍ଷେ ମୁଖ୍ୟ ବିଚାରପତିଙ୍କ ଘରକୁ ପୂଜା କରିବା ପାଇଁ ପ୍ରଧାନମନ୍ତ୍ରୀ ଯାଇଥିଲେ। ମୋଦି ସେଠାରେ ମୁଖ୍ୟ ବିଚାରପତିଙ୍କ ଘରେ ପ୍ରତିଷ୍ଠା କରାଯାଇଥିବା ପ୍ରତିମୂର୍ତ୍ତିରେ ସେ ଆଳତି କରିଥିଲେ। ପାଖରେ ଖୋଦ ମୁଖ୍ୟ ବିଚାରପତି ଏବଂ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରିୟାନ ଟୋପି ଏବଂ ପାରଂପାରିକ ପୋଷାକ ପରିଧାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଜାତୀୟ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ  ଆଲୋଚନା କରିଛନ୍ତି ।

ପୁରସ୍କୃତ ବ୍ୟକ୍ତିମାନେ ସେମାନଙ୍କର ଶିକ୍ଷାଦାନ ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ। ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ବ୍ୟବହୃତ ଆକର୍ଷଣୀୟ କୌଶଳ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ।

ନିୟମିତ ଶିକ୍ଷାଦାନ କାର୍ଯ୍ୟ ସହିତ ସେମାନଙ୍କ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟର ଉଦାହରଣ ମଧ୍ୟ ସେମାନେ ସେୟାର କରିଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଶିକ୍ଷାଦାନ କଳା ପ୍ରତି ସେମାନଙ୍କର ସମର୍ପଣ ଏବଂ ବର୍ଷ ବର୍ଷ ଧରି ସେମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଉତ୍ସାହକୁ ପ୍ରଶଂସା କରିଥିଲେ, ଯାହାକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ମିଳିଛି।

ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜ ମାତୃଭାଷାରେ ଶିକ୍ଷା ପ୍ରାପ୍ତିର ଗୁରୁତ୍ୱ ବିଷୟରେ କହିଥିଲେ। ଶିକ୍ଷକମାନେ ବିଭିନ୍ନ ଭାଷାରେ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକକଥା ଶିଖାଇପାରିବେ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଏକାଧିକ ଭାଷା ଶିଖିପାରିବେ ଏବଂ ଭାରତର ଜୀବନ୍ତ ସଂସ୍କୃତି ସହିତ ମଧ୍ୟ ପରିଚିତ ହୋଇପାରିବେ ବୋଲି ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିବିଧତା ଅନୁସନ୍ଧାନ କରିବା ପାଇଁ ଶିକ୍ଷାଗତ ଗସ୍ତରେ ନେଇପାରିବେ, ଯାହା ସେମାନଙ୍କ ଶିକ୍ଷଣରେ ସହାୟକ ହେବ ଏବଂ ସେମାନଙ୍କୁ ସେମାନଙ୍କ ଦେଶ ବିଷୟରେ ସାମଗ୍ରିକ ଭାବରେ ଜାଣିବାରେ ମଧ୍ୟ ସାହାଯ୍ୟ କରିବ । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ପୁରସ୍କାର ପ୍ରାପ୍ତ ଶିକ୍ଷକମାନେ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହିତ ଯୋଡ଼ି ହେବା ଉଚିତ ଏବଂ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଉଚିତ ଯାହା ଦ୍ୱାରା ସମସ୍ତେ ଏଭଳି ଅଭ୍ୟାସରୁ ଶିଖିପାରିବେ, ଏବଂ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା କରୁଛନ୍ତି ଏବଂ ଆଜିର ଯୁବପିଢ଼ିଙ୍କୁ ବିକଶିତ ଭାରତ ପାଇଁ ପ୍ରସ୍ତୁତ କରିବାର ଦାୟିତ୍ୱ ସେମାନଙ୍କ ହାତରେ ରହିଛି ।

ପୃଷ୍ଠଭୂମି

ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶର କିଛି ଶ୍ରେଷ୍ଠ ଶିକ୍ଷକଙ୍କ ଅନନ୍ୟ ଅବଦାନକୁ ସମ୍ମାନିତ କରିବା ଏବଂ ସମ୍ମାନିତ କରିବା ଯିଏ କି ନିଜର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମ ଦ୍ୱାରା କେବଳ ଶିକ୍ଷା କ୍ଷେତ୍ରର ଗୁଣବତ୍ତାରେ ଉନ୍ନତି ଆଣିନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ।

ଚଳିତ ବର୍ଷ ଏହି ପୁରସ୍କାର ପାଇଁ ସାରା ଦେଶରୁ ୮୨ ଜଣ ଶିକ୍ଷକଙ୍କୁ ଚୟନ କରାଯାଇଥିଲା, ଯେଉଁଥିରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଚୟନ କରାଯାଇଥିବା ୫୦ ଜଣ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୧୬ ଜଣ ଶିକ୍ଷକ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ୧୬ ଜଣ ଶିକ୍ଷକ ମନୋନୀତ ହୋଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଜନଧନ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଯୋଜନାକୁ ସଫଳ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛୁ- #10YearsOfJanDhan । ସମସ୍ତ ହିତାଧିକାରୀଙ୍କୁ ଏବଂ ଏହି ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିବା ସମସ୍ତଙ୍କୁ ଅଭିନନ୍ଦନ । ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ଦେବାରେ ଜନଧନ ଯୋଜନା ସର୍ବାଗ୍ରେ ରହିଛି।

‘‘ଆଜି ଦେଶ ପାଇଁ ଏକ ଐତିହାସିକ ଦିନ, #10YearsOfJanDhan। ଏହି ଅବସରରେ ମୁଁ ସମସ୍ତ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଯୋଜନାକୁ ସଫଳ କରିବା ପାଇଁ ଦିନରାତି ପରିଶ୍ରମ କରୁଥିବା ସମସ୍ତଙ୍କୁ ଅନେକ ଅଭିନନ୍ଦନ । କୋଟି କୋଟି ଦେଶବାସୀ, ବିଶେଷ କରି ଗରିବ ଭାଇ ଭଉଣୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ସେମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ସୁଯୋଗ ଦେବାରେ ଜନଧନ ଯୋଜନା ସଫଳ ହୋଇଛି। “

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁଟାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିକୁଳ ବିଜୟରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍‌ଗେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି।

ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍‌ଗେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିବା ସହିତ ତୃତୀୟ ଥର ପାଇଁ ତାଙ୍କର ଏହି ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ଏଭଳି ଭବ୍ୟ ଅଭିନନ୍ଦନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍‌ଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୁଟାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରେ ଏବଂ ଏହା ଦ୍ୱିପାକ୍ଷିକ ସହଭାଗୀତାର ଏକ ଅନୁକରଣୀୟ ଉଦାହରଣ। ଭୁଟାନ ଓ ଭାରତ ମଧ୍ୟରେ ରହିଥିବା ଏହି ଅଭିନବ ବନ୍ଧୁତା ଓ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ସକଳ କ୍ଷେତ୍ରରେ ସର୍ବାଧିକ ଆସ୍ଥା, ଶୁଭେଚ୍ଛା ଏବଂ ପାରସ୍ପରିକ ବୁଝାମଣା ଉପରେ ଭାରତ- ଭୁଟାନ ସହଭାଗୀତାର ଭିତ୍ତି ଆଧାରିତ ଏବଂ ଏହାକୁ ଜନ-ଜନ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଆହୁରି ସୁଦୃଢ଼ କରୁଛି ଏବଂ ଏଥି ସହିତ ଦୁଇ ଦେଶ ମଧ୍ୟରେ ନିବିଡ଼ ଆର୍ଥିକ ଓ ବିକାଶ ସହଭାଗିତା ରହିଛି।

Categories
ଜାତୀୟ ଖବର ବିଶେଷ ଖବର

କନ୍ୟାକୁମାରୀରେ ସାଧନାରୁ ଜନ୍ମ ନେଲା ନୂଆ ସଂକଳ୍ପ : ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଲେଖକ: ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

 ମୋର ପ୍ରିୟ ଦେଶବାସୀଗଣ,

ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ ମତଦାନ ଚାଲିଛି। ଅନେକ ଅଭିଜ୍ଞତା ଅଛି, ଅନେକ ଅନୁଭୂତି ବି ଅଛି… ମୁଁ ନିଜ ଭିତରେ ଅସୀମ ଶକ୍ତିର ପ୍ରବାହ ଅନୁଭବ କରୁଛି ।

ବାସ୍ତବରେ ଏହି ୨୪ ନିର୍ବାଚନରେ ଅନେକ ସୁଖଦ ସଂଯୋଗ ଦେଖିବାକୁ ମିଳିଛି। ଅମୃତକାଳର ଏହି ପ୍ରଥମ ଲୋକସଭା ନିର୍ବାଚନରେ ମୁଁ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାସ୍ଥଳୀ ମେରଠରୁ ପ୍ରଚାର ଆରମ୍ଭ କରିଥିଲି । ମା’ ଭାରତୀର ପରିକ୍ରମା କରି ଏହି ନିର୍ବାଚନର ମୋର ଶେଷ ସଭା ପଞ୍ଜାବର ହୋସିଆରପୁରଠାରେ ଅନୁଷ୍ଠିତ ହୋଇଥିଲା। ସନ୍ଥ ରବିଦାସଜୀଙ୍କ ତପୋଭୂମିରେ, ଆମ ଗୁରୁମାନଙ୍କ ଭୂମି ପଞ୍ଜାବରେ ଶେଷ ସଭା ହେବାର ସୌଭାଗ୍ୟ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର।

ଏହାପରେ କନ୍ୟାକୁମାରୀରେ ଭାରତ ମାତାଙ୍କ ଚରଣରେ ବସିବାର ସୁଯୋଗ ପାଇଥିଲି। ସେହି ପ୍ରାରମ୍ଭିକ ମୁହୂର୍ତ୍ତରେ ମୋ ମନରେ ନିର୍ବାଚନର କୋଳାହଳ ଗୁଞ୍ଜରିତ ହେଉଥିଲା। ସଭା, ସଡ଼କ ଶୋଭାଯାତ୍ରାରେ ମୁଁ ଦେଖିଥିବା ଅଗଣିତ ଚେହେରା ମୋ ଆଖି ସାମ୍ନାକୁ ଆସୁଥିଲା। ମା’, ଭଉଣୀ ଓ ଝିଅମାନଙ୍କର ଅସୀମ ସ୍ନେହର ସେହି ଜୁଆର, ସେମାନଙ୍କ ଆଶୀର୍ବାଦ… ସେହି ବିଶ୍ୱାସ, ଯାହା ସେମାନଙ୍କ ଆଖିରେ ମୋ ପାଇଁ ପ୍ରତିଫଳିତ ହୋଇଥିଲା … ମୁଁ ସବୁ କିଛି ଅନୁଭବ କରୁଥିଲି । ମୋ ଆଖି ଆର୍ଦ୍ର ହୋଇଯାଇଥିଲା… ମୁଁ ଶୂନ୍ୟତା ଭିତରକୁ ଯାଉଥିଲି, ସାଧନାରେ ପ୍ରବେଶ କରୁଥିଲି।

ଅଳ୍ପ କିଛି ମୁହୂର୍ତ୍ତରେ ରାଜନୈତିକ ବିବାଦ, ଆକ୍ଷେପ ଓ ପ୍ରତିଆକ୍ଷେପ… ଅଭିଯୋଗର ସ୍ୱର ଓ ଶବ୍ଦ ଶୂନ୍ୟତା ଭିତରେ ସମାହିତ ହୋଇଯାଇଥିଲା। ମନରେ ଥିବା ବୈରାଗ୍ୟ ଭାବନା ଆହୁରି ତୀବ୍ର ହୋଇଗଲା… ମୋ ମନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା।

ଏତେ ବଡ଼ ଦାୟିତ୍ୱ ମଧ୍ୟରେ ଏଭଳି ସାଧନା କଷ୍ଟକର, କିନ୍ତୁ କନ୍ୟାକୁମାରୀର ମାଟି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣା ଏହାକୁ ସହଜ କରିଦେଇଥିଲା। ମୁଁ ମଧ୍ୟ ମୋ କାଶୀ ଭୋଟରଙ୍କ ଚରଣରେ ସାଂସଦ ଭାବେ ମୋର ନିର୍ବାଚନକୁ ଛାଡି ଏଠାକୁ ଆସିଥିଲି।

ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ ଯେ ସେ ମୋତେ ଜନ୍ମରୁ ଏହି ସଂସ୍କାର ଦେଇଛନ୍ତି। ମୁଁ ଏହା ମଧ୍ୟ ଭାବୁଥିଲି ଯେ ସ୍ୱାମୀ ବିବେକାନନ୍ଦ ଜୀ ସେହି ସ୍ଥାନରେ ତାଙ୍କ ସାଧନା ସମୟରେ କ’ଣ ଅନୁଭବ କରିଥିବେ ! ମୋ ସାଧନାର କିଛି ଅଂଶ ଏହି ପ୍ରକାର ବିଚାରରେ ପ୍ରବାହିତ ହେଲା ।

ଏହି ବୈରାଗ୍ୟ ମଧ୍ୟରେ, ଶାନ୍ତି ଏବଂ ନିରବତା ମଧ୍ୟରେ, ମୁଁ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାରତର ଲକ୍ଷ୍ୟ ପାଇଁ ନିରନ୍ତର ବିଚାରରେ ବୁଡ଼ି ରହିଥିଲି। କନ୍ୟାକୁମାରୀର ଉଦୀୟମାନ ସୂର୍ଯ୍ୟ ମୋ ବିଚାରକୁ ନୂତନ ଉଚ୍ଚତା ଦେଇଥିଲା, ସମୁଦ୍ରର ବିଶାଳତା ମୋ ବିଚାରକୁ ବିସ୍ତାର କରିଥିଲା, ଆଉ ଦିଗନ୍ତର ବିସ୍ତାର ମୋତେ ବ୍ରହ୍ମାଣ୍ଡର ଗଭୀରତାରେ ଥିବା ଏକାତ୍ମ ଭାବନା ଏବଂ ମୁକ୍ତ ବିଚାର ବିଷୟରେ ନିରନ୍ତର ଅନୁଭବ କରାଇଥିଲା । ଲାଗୁଥିଲା, ଯେମିତି କିଛି ଦଶନ୍ଧି ପୂର୍ବେ ହିମାଳୟ କୋଳରେ କରିଥିବା ଚିନ୍ତନ ଓ ଅନୁଭୂତି ପୁନର୍ଜୀବିତ ହେଉଛି।

ସାଥୀମାନେ,

କନ୍ୟାକୁମାରୀର ଏହି ସ୍ଥାନ ସବୁବେଳେ ମୋ ମନର ଅତି ନିକଟତର ରହିଆସିଛି। କନ୍ୟାକୁମାରୀଠାରେ ବିବେକାନନ୍ଦ ଶିଳା ସ୍ମାରକୀକୁ ଶ୍ରୀ ଏକନାଥ ରାନାଡେ ଜୀ ନିର୍ମାଣ କରାଇଥିଲେ। ଏକନାଥଜୀଙ୍କ ସହ ମୋତେ ବହୁତ ଭ୍ରମଣ କରିବାର ସୁଯୋଗ ମିଳିଥିଲା। ଏହି ସ୍ମାରକୀ ନିର୍ମାଣ ସମୟରେ କିଛି ସମୟ କନ୍ୟାକୁମାରୀରେ ରହିବା ଓ ଦର୍ଶନ କରିବା ସ୍ୱାଭାବିକ ଥିଲା।

କାଶ୍ମୀରରୁ କନ୍ୟାକୁମାରୀ… ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଏହା ହେଉଛି ଆମର ସାଧାରଣ ପରିଚୟ। ଏହା ହେଉଛି ସେହି ଶକ୍ତିପୀଠ ଯେଉଁଠାରେ ମା’ ଶକ୍ତି କନ୍ୟାକୁମାରୀ ଭାବରେ ଅବତାର ନେଇଥିଲେ। ଏହି ଦକ୍ଷିଣ ପ୍ରାନ୍ତରେ ମା’ ଶକ୍ତି ତପସ୍ୟା କରି ଭାରତର ଉତ୍ତର ପ୍ରାନ୍ତରେ ହିମାଳୟରେ ବସିଥିବା ଭଗବାନ ଶିବଙ୍କୁ ଅପେକ୍ଷା କରି ରହିଥିଲେ।

କନ୍ୟାକୁମାରୀ ହେଉଛି ସଙ୍ଗମସ୍ଥଳୀର ଭୂମି। ଆମ ଦେଶର ପବିତ୍ର ନଦୀଗୁଡ଼ିକ ବିଭିନ୍ନ ସମୁଦ୍ରରେ ମିଶିଥାନ୍ତି ଏବଂ ଏଠାରେ ସେହି ସମୁଦ୍ରମାନେ ମିଶିଛନ୍ତି ।  ଏଠାରେ ଆଉ ଏକ ମହାନ ସମାଗମ ହୋଇଥାଏ – ଭାରତର ଆଦର୍ଶଗତ ସଙ୍ଗମ!

ବିବେକାନନ୍ଦ ଶିଳା ସ୍ମାରକୀ ସହିତ ସନ୍ଥ ତିରୁୱଲ୍ଲୁବରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି, ଗାନ୍ଧୀ ମଣ୍ଡପମ୍ ଏବଂ କାମରାଜର୍‌ ମଣି ମଣ୍ଡପମ୍ ରହିଛି। ମହାନ ବୀରମାନଙ୍କର ବିଚାର ଏଠାରେ ରାଷ୍ଟ୍ର ଚିନ୍ତନର ସଂଗମ ସୃଷ୍ଟି କରିଥାଏ। ଏହା ଦ୍ୱାରା ରାଷ୍ଟ୍ର ନିର୍ମାଣ ପାଇଁ ମହାନ ପ୍ରେରଣା ସୃଷ୍ଟି ହୋଇଥାଏ । ଯେଉଁମାନେ ଭାରତ ଓ ରାଷ୍ଟ୍ରର ଏକତା ଉପରେ ସନ୍ଦେହ କରନ୍ତି, ସେମାନଙ୍କୁ କନ୍ୟାକୁମାରୀର ଏହି ଭୂମି ଏକତାର ଏକ ଅବିସ୍ମରଣୀୟ ବାର୍ତ୍ତା ଦେଇଥାଏ।

କନ୍ୟାକୁମାରୀରେ ଥିବା ସନ୍ଥ ତିରୁୱଲ୍ଲୁବରଙ୍କ ବିଶାଳ ପ୍ରତିମୂର୍ତ୍ତି ସମୁଦ୍ରରୁ ମା’ ଭାରତୀଙ୍କ ବିସ୍ତାରକୁ ଦେଖୁଥିବା ପ୍ରତୀୟମାନ ହୋଇଥାଏ। ତାଙ୍କ ରଚନା ‘ତିରୁକୁରଲ’ ତାମିଲ ସାହିତ୍ୟର ରତ୍ନ ସହ ଜଡ଼ିତ ଏକ ମୁକୁଟ ପରି । ଏଥିରେ ଜୀବନର ପ୍ରତ୍ୟେକ ଦିଗକୁ ବର୍ଣ୍ଣନା କରାଯାଇଛି, ଯାହା ଆମକୁ ନିଜ ପାଇଁ ଏବଂ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥାଏ । ଏପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ମଧ୍ୟ ମୋର ବଡ଼ ସୌଭାଗ୍ୟ।

ସାଥୀମାନେ,

ସ୍ୱାମୀ ବିବେକାନନ୍ଦ କହିଥିଲେ- ପ୍ରତ୍ୟେକ ରାଷ୍ଟ୍ରର ଏକ ବାର୍ତ୍ତା ଥାଏ, ପୂରଣ କରିବା ଲାଗି ଏକ ଲକ୍ଷ୍ୟ ଥାଏ, ପହଞ୍ଚିବା ପାଇଁ ଏକ ଭାଗ୍ୟ ଥାଏ।

ହଜାର ହଜାର ବର୍ଷ ଧରି ଭାରତ ଏହି ଭାବନା ସହିତ ସାର୍ଥକ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି। ଭାରତ ହଜାର ହଜାର ବର୍ଷ ଧରି ବିଭିନ୍ନ ବିଚାରର ଗବେଷଣା କେନ୍ଦ୍ର ପାଲଟିଛି। ଆମେ ଆର୍ଥିକ କିମ୍ବା ଭୌତିକ ମାନଦଣ୍ଡରେ ଯାହା ଅର୍ଜିତ କରିଥିଲୁ ତାହାକୁ ଆମର ବ୍ୟକ୍ତିଗତ ପୁଞ୍ଜି କେବେ ବି ଭାବିନାହୁଁ। ସେଥିପାଇଁ ‘ଇଦଂ ନ ମମ’ ଏହା ଭାରତ ଚରିତ୍ରର ଏକ ପ୍ରାକୃତିକ ଓ ସ୍ୱାଭାବିକ ଅଙ୍ଗ ପାଲଟିଯାଇଛି।

ଭାରତର କଲ୍ୟାଣ ମାଧ୍ୟମରେ ବିଶ୍ୱକଲ୍ୟାଣ ଏବଂ ଭାରତର ପ୍ରଗତି ମାଧ୍ୟମରେ ବିଶ୍ୱର ପ୍ରଗତି,  ସ୍ୱାଧୀନତା ଆନ୍ଦୋଳନ ମଧ୍ୟ ଏହାର ଏକ ବଡ଼ ଉଦାହରଣ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା। ସେତେବେଳେ ପୃଥିବୀର ଅନେକ ଦେଶ ଦାସତ୍ୱରେ ଥିଲେ । ଭାରତର ସ୍ୱାଧୀନତା ମଧ୍ୟ ସେହି ଦେଶଗୁଡ଼ିକୁ ପ୍ରେରଣା ଦେଇଥିଲା ଓ ସୁଦୃଢ଼ କରିଥିଲା ଫଳରେ ସେମାନେ ସ୍ୱାଧୀନତା ପାଇଥିଲେ । ନିକଟରେ କରୋନା ଭଳି କଠିନ ସମୟର ଉଦାହରଣ ମଧ୍ୟ ଆମ ସାମ୍ନାରେ ରହିଛି । ଯେତେବେଳେ ଗରିବ ଏବଂ ବିକାଶଶୀଳ ଦେଶଗୁଡ଼ିକ ବିଷୟରେ ଆଶଙ୍କା ପ୍ରକାଶ କରାଯାଉଥିଲା, ଭାରତର ସଫଳ ପ୍ରୟାସ ସେସବୁ ଦେଶକୁ ଉତ୍ସାହିତ କରିଥିଲା ଏବଂ ସେମାନଙ୍କୁ ସହଯୋଗ ମଧ୍ୟ ମିଳିଲା ।

ଆଜି ଭାରତର ଶାସନ ମଡେଲ ବିଶ୍ୱର ଅନେକ ଦେଶ ପାଇଁ ଉଦାହରଣ ପାଲଟିଛି । ମାତ୍ର ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବା ଅଭୂତପୂର୍ବ। ଜନହିତକର ସୁଶାସନ, ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକ ଭଳି ଅଭିନବ ପରୀକ୍ଷଣ ଆଜି ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଗରିବଙ୍କୁ ସଶକ୍ତ କରିବାଠାରୁ ଆରମ୍ଭ କରି ଅନ୍ତିମ ସୋପାନରେ ସୁବିଧା ଓ ସେବା ପହଞ୍ଚାଇବା ପର୍ଯ୍ୟନ୍ତ ଅନ୍ତିମ ପଙ୍କ୍ତିରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବା ପାଇଁ ଆମର ପ୍ରୟାସ ବିଶ୍ୱକୁ ପ୍ରେରଣା ଦେଇଛି।

ଆମେ କିପରି ଗରିବମାନଙ୍କୁ ସଶକ୍ତ କରିବା, ସ୍ୱଚ୍ଛତା ଆଣିବା ଏବଂ ସେମାନଙ୍କୁ ଅଧିକାର ଦେବା ପାଇଁ ପ୍ରଯୁକ୍ତିର ବ୍ୟବହାର କରିପାରିଛୁ, ବିଶ୍ୱ ପାଇଁ ତାହାର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି ଭାରତର ଡିଜିଟାଲ ଇଣ୍ଡିଆ ଅଭିଯାନ। ଭାରତରେ ଶସ୍ତା ଡାଟା ଗରିବ ଲୋକଙ୍କୁ ସୂଚନା ଓ ସେବା ମିଳିବା ସୁନିଶ୍ଚିତ କରି ସାମାଜିକ ସମାନତାର ମାଧ୍ୟମ ପାଲଟିଛି। ସମଗ୍ର ବିଶ୍ୱ ପ୍ରଯୁକ୍ତିବିଦ୍ୟାର ଏହି ସାର୍ବଜନୀନକରଣକୁ ଗବେଷଣା ଦୃଷ୍ଟିକୋଣରୁ ଦେଖୁଛି ଏବଂ ବଡ଼ ବଡ଼ ବୈଶ୍ୱିକ ସଂଗଠନମାନେ ଆମ ମଡେଲରୁ ଶିଖିବା ପାଇଁ ଅନେକ ଦେଶକୁ ପରାମର୍ଶ ଦେଉଛନ୍ତି।

ଆଜି ଭାରତର ପ୍ରଗତି ଏବଂ ଭାରତର ଉନ୍ନତି କେବଳ ଭାରତ ପାଇଁ ଏକ ବଡ଼ ସୁଯୋଗ ନୁହେଁ। ସମଗ୍ର ବିଶ୍ୱରେ ଥିବା ଆମର ସମସ୍ତ ସାଥୀ ଦେଶ ମାନଙ୍କ ପାଇଁ ମଧ୍ୟ ଏହା ଏକ ଐତିହାସିକ ଅବସର । ଜି-୨୦ର ସଫଳତା ପରେ ଭାରତର ଏହି ଭୂମିକାକୁ ବିଶ୍ୱ ଅଧିକ ମୁଖର ହୋଇ ଗ୍ରହଣ କରୁଛି। ଆଜି ଭାରତ ଗ୍ଲୋବାଲ୍‌ ସାଉଥ୍‌ ବା ଦକ୍ଷିଣ ବିଶ୍ୱର ଏକ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱର ଭାବରେ ସ୍ୱୀକୃତି ହାସଲ କରିଛି। ଭାରତର ଉଦ୍ୟମରେ ଆଫ୍ରିକୀୟ ସଂଘ ଜି-୨୦ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହୋଇଥିଲା। ଏହା ସମସ୍ତ ଆଫ୍ରିକୀୟ ଦେଶର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହୋଇଛି।

ବନ୍ଧୁଗଣ,

ନୂଆ ଭାରତର ଏହି ରୂପ ଆମକୁ ଗର୍ବ ଓ ଗୌରବରେ ଭରି ଦେଇଥାଏ, କିନ୍ତୁ ଏହା ସହିତ ୧୪୦ କୋଟି ଦେଶବାସୀଙ୍କୁ ନିଜ କର୍ତ୍ତବ୍ୟର ମଧ୍ୟ ଅନୁଭବ କରାଇଥାଏ। ଏବେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନକରି ଆମକୁ ବଡ଼ ଦାୟିତ୍ୱ ଓ ବଡ଼ ଲକ୍ଷ୍ୟ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ। ଆମର ନୂଆ ସ୍ୱପ୍ନ ଅଛି । ନିଜ ସ୍ୱପ୍ନକୁ ନିଜ ଜୀବନ ଭାବେ ଗ୍ରହଣ କରନ୍ତୁ ଏବଂ ସେହି ସ୍ୱପ୍ନକୁ ସାକାର କରିବା ଆରମ୍ଭ କରନ୍ତୁ।

ଆମକୁ ଭାରତର ବିକାଶକୁ ଏକ ବିଶ୍ୱ ପରିପ୍ରେକ୍ଷୀରେ ଦେଖିବାକୁ ପଡିବ ଏବଂ ଏଥିପାଇଁ ଆମେ ଭାରତର ଅନ୍ତର୍ନିହିତ ସମ୍ଭାବନାକୁ ବୁଝିବା ଜରୁରୀ । ଆମକୁ ଭାରତର ଶକ୍ତିକୁ ସ୍ୱୀକାର ଏବଂ ସୁଦୃଢ଼ କରିବାକୁ ପଡିବ ଏବଂ ବିଶ୍ୱର ସ୍ୱାର୍ଥ ପାଇଁ ଏହାର ପୂର୍ଣ୍ଣ ଉପଯୋଗ କରିବାକୁ ହେବ। ଆଜିର ବୈଶ୍ୱିକ ପରିସ୍ଥିତିରେ, ଏକ ଯୁବ ରାଷ୍ଟ୍ର ଭାବରେ ଭାରତର ସାମର୍ଥ୍ୟ ଆମ ପାଇଁ ଏକ ଏପରି ସୁଖଦ ସଂଯୋଗ, ଯେଉଁଠାରୁ ଆମକୁ ଆଉ ପଛକୁ ଫେରି ଦେଖିବାକୁ ପଡିବ ନାହିଁ।

ଏକବିଂଶ ଶତାବ୍ଦୀର ବିଶ୍ୱ ଭାରତକୁ ବହୁତ ଆଶାର ସହ ଦେଖୁଛି । ଆହୁରି ବିଶ୍ୱ ପରିପ୍ରେକ୍ଷୀରେ ଆଗକୁ ବଢ଼ିବାକୁ ହେଲେ ଆମକୁ ଅନେକ ପରିବର୍ତ୍ତନ କରିବାକୁ ପଡ଼ିବ। ସଂସ୍କାରକୁ ନେଇ ଆମର ପାରମ୍ପରିକ ଚିନ୍ତାଧାରା ମଧ୍ୟ ଆମକୁ ବଦଳାଇବାକୁ ପଡିବ । ଭାରତ କେବଳ ସଂସ୍କାରକୁ ଆର୍ଥିକ ପରିବର୍ତ୍ତନରେ ସୀମିତ ରଖିପାରିବ ନାହିଁ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଦିଗରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆମ ସଂସ୍କାର ମଧ୍ୟ ୨୦୪୭ର ବିକଶିତ ଭାରତ ସଂକଳ୍ପ ସହିତ ସମାନ ହେବା ଉଚିତ୍ ।

ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ ସଂସ୍କାର କେବେ ବି କୌଣସି ଦେଶ ପାଇଁ ଏକ ଅଲଗା ପ୍ରକ୍ରିୟା ହୋଇପାରିବ ନାହିଁ । ସେଥିପାଇଁ ମୁଁ ଦେଶ ନିମନ୍ତେ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର’ର ଲକ୍ଷ୍ୟ ରଖିଥିଲି। ସଂସ୍କାରର ଦାୟିତ୍ୱ ନେତୃତ୍ୱ ଉପରେ ରହିଛି। ସେହି ଆଧାରରେ ଆମ ଅମଲାତନ୍ତ୍ର କାର୍ଯ୍ୟ କରିଥାଏ ଏବଂ ତା’ପରେ ଯେତେବେଳେ ଜନସାଧାରଣ ଏଥିରେ ସାମିଲ ହୁଅନ୍ତି, ସେତେବେଳେ ଆମେ ପରିବର୍ତ୍ତନ ଘଟୁଥିବା ଦେଖିଥାଉ ।

ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ହେଲେ ଆମକୁ ଶ୍ରେଷ୍ଠତାକୁ ମୌଳିକ ଭାବନା ରୂପେ ଗ୍ରହଣ କରିବାକୁ ପଡିବ । ଆମକୁ ସ୍ପିଡ୍, ସ୍କେଲ୍, ସ୍କୋପ୍ ଓ ଷ୍ଟାଣ୍ଡାର୍ଡ ଅର୍ଥାତ୍‌ ଗତି, ବ୍ୟାପକତା, ସୁଯୋଗ ଓ ମାନ, ଏସବୁ ଦିଗରେ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ। ଆମକୁ ଉତ୍ପାଦନ ସହିତ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପଡିବ, ଆମକୁ ତ୍ରୁଟି ଶୂନ୍ୟ-ପ୍ରଭାବ ଶୂନ୍ୟ ବା ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟ ମନ୍ତ୍ର ଗ୍ରହଣ କରିବାକୁ ପଡିବ।

ସାଥୀମାନେ,

ଆମେ ପ୍ରତି ମୁହୂର୍ତ୍ତରେ ଗର୍ବିତ ହେବା ଉଚିତ ଯେ ଭଗବାନ ଆମକୁ ଭାରତ ମାଟିରେ ଜନ୍ମ ଦେଇଛନ୍ତି । ଭାରତର ସେବା କରିବା ଏବଂ ଏହାର ଶିଖର ଯାତ୍ରାରେ ଆମର ଭୂମିକା ନିର୍ବାହ କରିବାକୁ ଭଗବାନ ଆମକୁ ଚୟନ କରିଛନ୍ତି।

ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ ସ୍ୱରୂପରେ ଗ୍ରହଣ କରି ଆମକୁ ଆମ ଐତିହ୍ୟକୁ ଆଧୁନିକ ଢଙ୍ଗରେ ପୁନଃ ପରିଭାଷିତ କରିବାକୁ ପଡ଼ିବ।

ଏକ ରାଷ୍ଟ୍ର ଭାବରେ ଆମକୁ ପୁରୁଣା ଚିନ୍ତାଧାରା ଏବଂ ମାନ୍ୟତାକୁ ମଧ୍ୟ ସଂଶୋଧନ କରିବାକୁ ପଡିବ । ଆମ ସମାଜକୁ ପେସାଦାର ନିରାଶାବାଦୀଙ୍କ ଚାପରୁ ଆମକୁ ବାହାର କରିବାକୁ ହେବ। ଆମକୁ ମନେ ରଖିବାକୁ ହେବ ଯେ, ନକାରାତ୍ମକତାରୁ ମୁକ୍ତି ହିଁ ସଫଳତାର ସିଦ୍ଧିରେ ପହଞ୍ଚିବା ପାଇଁ ପ୍ରଥମ ପୁଞ୍ଜି । ସକାରାତ୍ମକତାର କୋଳରେ ହିଁ ସଫଳତା ମିଳିଥାଏ।

ଭାରତର ଅସୀମ ଓ ଅମର ଶକ୍ତି ପ୍ରତି ମୋର ଆସ୍ଥା, ଶ୍ରଦ୍ଧା ଓ ବିଶ୍ୱାସ ଦିନକୁ ଦିନ ବଢିବାରେ ଲାଗିଛି । ମୁଁ ଗତ ୧୦ ବର୍ଷ ମଧ୍ୟରେ ଭାରତର ଏହି ସାମର୍ଥ୍ୟକୁ ଅଧିକ ବୃଦ୍ଧି ପାଉଥିବା ଦେଖିଛି ଏବଂ ଏହାକୁ ଅଧିକ ଅନୁଭବ କରିଛି ।

ଆମେ ଯେପରି ବିଂଶ ଶତାବ୍ଦୀର ଚତୁର୍ଥ-ପଞ୍ଚମ ଦଶନ୍ଧିକୁ ସ୍ୱାଧୀନତା ପାଇଁ ବ୍ୟବହାର କରିଥିଲୁ, ଠିକ୍ ସେହିଭଳି ଏକବିଂଶ ଶତାବ୍ଦୀର ଏହି ୨୫ ବର୍ଷରେ ଆମକୁ ଏକ ବିକଶିତ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ। ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ଆଗରେ ବଳିଦାନର ସମୟ ଆସିଥିଲା । ଆଜି ବଳିଦାନର ସମୟ ନୁହେଁ ବରଂ ନିରନ୍ତର ଯୋଗଦାନର ସମୟ।

ସ୍ୱାମୀ ବିବେକାନନ୍ଦ ୧୮୯୭ ରେ କହିଥିଲେ ଯେ ଆମକୁ ଆଗାମୀ ୫୦ ବର୍ଷ କେବଳ ଦେଶ ପାଇଁ ସମର୍ପିତ କରିବାକୁ ପଡିବ । ତାଙ୍କ ଆହ୍ୱାନର ଠିକ୍ ୫୦ ବର୍ଷ ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା।

ଆଜି ଆମ ପାଖରେ ଏଭଳି ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଆସନ୍ତୁ ଆଗାମୀ ୨୫ ବର୍ଷ କେବଳ ଦେଶକୁ ସମର୍ପିତ କରିବା । ଆମର ଏହି ପ୍ରୟାସ ଆଗାମୀ ପିଢ଼ି ଏବଂ ଆଗାମୀ ଶତାବ୍ଦୀ ପାଇଁ ନୂତନ ଭାରତର ଏକ ମଜଭୁତ ଭିତ୍ତିଭୂମି ଭାବରେ ଅମର ହୋଇ ରହିବ । ଦେଶର ଶକ୍ତିକୁ ଦେଖି ମୁଁ କହିପାରିବି ଯେ ଏହି ଲକ୍ଷ୍ୟ ଅଧିକ ଦୂରରେ ନାହିଁ। ଆସନ୍ତୁ ତୁରନ୍ତ ପଦକ୍ଷେପ ନେବା… ଆସନ୍ତୁ ମିଳିମିଶି ଆଗକୁ ବଢ଼ିବା, ଭାରତକୁ ବିକଶିତ କରିବା।

(କନ୍ୟାକୁମାରୀରୁ ଦିଲ୍ଲୀ ବିମାନରେ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ 1 ଅପରାହ୍ନ 4 ଟା 15 ରୁ ସନ୍ଧ୍ୟା 7 ଟା ମଧ୍ୟରେ ଏହି ଆଲେଖ୍ୟ ଲେଖିଥିଲେ)

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରୟୋଗ କରିବେ ଶେଷ ଅସ୍ତ୍ର

ଭୁବନେଶ୍ବର: ଆଜି ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ମଧ୍ୟାହ୍ନ ୧୨.୩୦ରେ ବାରିପଦାର ଛଉପଡିଆ, ଅପରାହ୍ନ ୨ ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡାର ବରୁଆ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀଙ୍କ ଓଡିଶା ପାଇଁ ଏହା ହେବ ଶେଷ ପ୍ରଚାର। କାରଣ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଚାରର ଶେଷ ଦିନ। ସେଥିପାଇଁ ମୋଦି ଓଡିଶାରେ ବିଜେପିର ସଫଳତା ପାଇଁ ଶେଷ ଅସ୍ତ୍ର ପ୍ରୟୋଗ କରିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଫୁଲବାଣୀରେ ପ୍ରଧାନମନ୍ତ୍ରୀ ମୋଦୀ, ନବୀନଙ୍କ ନାଁ ନେଇ କଲେ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ବର: ଆଜି ଫୁଲବାଣୀରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବ ଅପେକ୍ଷା ଏଥର ରାଜ୍ୟ ସରକାରଙ୍କ ବିରୋଧରେ ଶାଣିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥର ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ ଦେଇଛନ୍ତି।

ଫୁଲବାଣୀ ସଭାରେ ମୋଦୀ କହିଛନ୍ତି ଯେ, ମୁଁ ନବୀନବାବୁଙ୍କୁ ଆହ୍ବାନ କରୁଛି, ସେ ବିନା କାଗଜରେ ଓଡିଶାର ସମସ୍ତ ଜିଲ୍ଲାର ନାମ କହିପାରିବେ କି ? ଯିଏ ନିଜ ରାଜ୍ୟର ଜିଲ୍ଲା ଜାଣିପାରି ନାହିଁ ସେ ଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କର ଦରକାର କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଓଡିଶା ମାଟିର ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିବୁ।

ସେ ବିଶାଳ ଜନସମାବେଶକୁ ଅନୁରୋଧ କରି କହିଥିଲେ ଯେ, ଆପଣମାନେ କେବଳ ପାଞ୍ଚ ବର୍ଷ ଆମକୁ ଶାସନ କରିବା ପାଇଁ ଦିଅନ୍ତୁ। କେବଳ ପାଞ୍ଚବର୍ଷ ପାଇଁ ଶାସନ କ୍ଷମତା ଦିଅନ୍ତୁ ଦେଖିବେ ଓଡିଶା କିପରି ଦେଶରେ ନମ୍ବର ୱାନ ରାଜ୍ୟ ଭାବେ ପରିଗଣତି ହେବ। ଆମର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାନ୍ତୁ। ସେହିପରି ସବୁ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆମର ଯେଉଁ ଚାରିଶହ ପାର ନାରା ରହିଛି ତାହାକୁ ସାକାର କରାନ୍ତୁ।

ସେହିପରି ମୋଦୀ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ପ୍ରସଂଗ ମଧ୍ୟ ଲୋକଙ୍କ ସମ୍ମଖରେ ରଖିଥିଲେ। ସେ କହିଥିଲେ ଯେ, ଯେଉଁ ମୁଖ୍ୟମନ୍ତ୍ରୀ ରତ୍ନ ଭଣ୍ଡାର ଚାବି ସୁରକ୍ଷିତ ରଖିପାରୁ ନାହାଁନ୍ତି ସିଏ କିପରି ରାଜ୍ୟ ସମ୍ଭାଳିବ। ରତ୍ନ ଭଣ୍ଡାରର କୁଆଡେ ଡୁପ୍ଲିକେଟ ଚାବି ଅଛି, ହେଲେ ଏହି ଡୁପ୍ଲେକେଟ ଚାବି କିଏ କଲା। ଏହାଦ୍ବାରା ରତ୍ନ ଭଣ୍ଡାରରୁ ଜିନିଷ କୁଆଡେ ଉଭାନ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, ଓଡିଶା ଖଣିଜ ସଂପଦରେ ଭରପୁର। ହେଲେ ଏହି ରାଜ୍ୟର ଲୋକେ ଦୁଃଖି କାହିଁକି। ମୋଦୀ କହିଥିଲେ ଯେ, ମୁଁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲି। ସେହି ରାଜ୍ୟ ବର୍ତ୍ତମାନ ବେଶ ସମୃଦ୍ଧ ରାଜ୍ୟ ହୋଇପାରିଛି। କିପରି ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଗୁଜୁରାଟରେ ଲୁଣକୁ ଛାଡି ଦେଲେ ଆଉ କୌଣସି ଖଣିଜ ସଂପଦ ନାହିଁ। ହେଲେ ଆଜି ସେହି ରାଜ୍ୟର ଲୋକେ ବେଶ ଖୁସି ରହିଛନ୍ତି। ସେମିତି ଆପଣମାନେ ଆମକୁ ଶାସନ କରିବାକୁ ଦିଅନ୍ତୁ ଦେଖିବେ ଓଡିଶା ନମ୍ବର ୱାନ ରାଜ୍ୟ କରାଇଦେବୁ।

ଏହି ସଭାରେ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀଙ୍କ ସହିତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

ଭୁବନେଶ୍ବର: ଅମିତ ଶାହ ଓ ଜେପି ନଡ୍ଡା ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 6 ତାରିଖରେ ଓଡିଶା ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ। ଏହାପରେ ସେଠାରୁ ସେ ନବରଂଗପୁର ଯିବେ ବୋଲି ଜଣାପଡିଛି।

ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଦଳ ତରଫରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ପାଇଁ ସେ ପ୍ରଚାର କରିବେ।

ସେହିପରି ମୋଦି ଆସନ୍ତା 11 ତାରିଖରେ ପୁଣି ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ବିଜେପି ସଭାପତି ମନମୋହନ ସାମଲ କହିଲେ ଏପରି କଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦି ଆଜି ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୩.୩୦ମିନିଟ୍‌ରେ ପାଖ ପଡିଆରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିଶାଳ ସଭାରେ “ବିକଶିତ ଓଡ଼ିଶା-ବିକଶିତ ଭାରତ” ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇଛନ୍ତି। ମୋଦିଜୀ ୨୦୧୯ ମସିହାରେ ଓଡ଼ିଶାବାସୀଙ୍କୁ କହିଥିଲେ “ ମୁଁ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବି”। ବିଗତ ୧୦ବର୍ଷ ଭିତରେ ମୋଦି ସରକାର “ଓଡ଼ିଶାର ବିକାଶ ପାଇଁ ୧୮.୮୩ଲକ୍ଷ କୋଟି ଟଙ୍କା ଦେଲେ ଓ ଓଡିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ”।

ଓଡିଆଙ୍କ ପାଇଁ ମୋଦିଜୀଙ୍କ ମର୍ଯ୍ୟାଦାକୁ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସୀ ଲୋକସଭା ଓ ବିଧାନସଭା ଆସନରେ ଆଶୀର୍ବାଦ ଦେଇ ତୃତୀୟଥର ପ୍ରଧାନମନ୍ତ୍ରୀଭାବେ ବିଜୟ ମୁକଟ ପିନ୍ଧାଇ ସ୍ୱାଗତ କରିବେ। ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଂଟି ଅଟେ। ଏହାର ପ୍ରତିଫଳନ ଜି-୨୦ ସମ୍ମିଳନୀ ସମୟରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ କୋଣାର୍କ ଚକ୍ରକୁ ବିଶ୍ୱ ଦରବାରରେ ପୁନଃଉପସ୍ଥାପିତ କରିଥିଲେ ମୋଦି।

ସେହିପରି ମୋଦିଜୀ ଓଡ଼ିଆ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଛନ୍ତି । ମୋଦିଜୀଙ୍କ ଓଡ଼ିଆ ପ୍ରୀତି ଓ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତା ପୁଣି ତାଙ୍କୁ ଓଡ଼ିଶାମାଟିକୁ ଟାଣିଆଣିଛି । ଚଣ୍ଡିଖୋଲ ଜନସଭାରେ ମୋଦିଜୀଙ୍କ ଉଦ୍‌ବୋଧନ କାର୍ଯ୍ୟକର୍ତାଙ୍କୁ ନୂତନ ଉର୍ଜ୍ଜା ଯୋଗାଇବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ:ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ହେଲିକାପ୍ଟରରେ ଚଣ୍ଡିଖୋଲ ଯିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ସେଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ଅଟେ।

ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ। ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିବେ। ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିବେ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଙ୍ଗଡ଼ାରୁ ବିଞ୍ଜାବାହାଲ ସେକ୍ସନର ଚାରି ଲେନ୍, ୪୯ ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନର ୪ ଲେନ୍; ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନର ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନର ୪ ଲେନ୍ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଚଣ୍ଡିଖୋଲଠାରେ ଚଣ୍ଡିଖୋଲ- ପାରାଦୀପ ସେକ୍ସନର ଆଠ ଲେନ୍ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ କରିବେ।

ରେଳ ସଂଯୋଗର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହିତ ରେଳ ନେଟୱାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ପ୍ରଧାନମନ୍ତ୍ରୀ ୧୬୨ କିଲୋମିଟର ବାଂଶପାଣି – ଦୈତାରୀ – ଟମକା – ଜଖପୁରା ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା କେବଳ ବର୍ତ୍ତମାନର ଟ୍ରାଫିକ୍ ସୁବିଧାର କ୍ଷମତା ବୃଦ୍ଧି କରିବ ନାହିଁ ବରଂ କେନ୍ଦୁଝର ଜିଲ୍ଲାରୁ ନିକଟସ୍ଥ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ଦକ୍ଷ ପରିବହନକୁ ସହଜ କରିବ, ଯାହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋର ଉଦଘାଟନ କରାଯିବ । ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହୋଲିଂ ୱାର୍କସପ୍, କଣ୍ଟାବାଞ୍ଜିରେ ଓ୍ଵାଗନ୍ ପିରିଓଡିକାଲ୍‌ ଓଭରହୋଲିଂ ୱାର୍କସପ୍ ଏବଂ ବାଘୁଆପାଳରେ ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ଓ ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଗସ୍ତ ସମୟରେ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ହାତକୁ ନିଆଯିବ।

ପ୍ରଧାନମନ୍ତ୍ରୀ ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସ୍ୟାଣ୍ଡସ କମ୍ପ୍ଲେକ୍ସରେ ୫ ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଡିସାଲିନେସନ ପ୍ଲାଣ୍ଟକୁ ଉଦଘାଟନ କରିବେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ସ୍ୱଦେଶୀ ଡିସାଲିନେସନ୍ ଟେକ୍ନୋଲୋଜିର କ୍ଷେତ୍ର ପ୍ରୟୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବିଜେପି କୁ କାହିଁକି ୨୦୦୦ ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିଜେପି ସୁପ୍ରିମୋ ନରେନ୍ଦ୍ର ମୋଦି ଦଳକୁ ୨୦୦୦ ଟଙ୍କା ଦେଇଛନ୍ତି। ଏ ସଂପର୍କରେ ସେ ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ବହୁତ ଖୁସି ଯେ, ଆଜି ବିକଶିତ ଭାରତ ଗଠନ ପାଇଁ ବିଜେପିକୁ କିଛି ଦାନ କଲି। ଏଥିସହିତ ସମସ୍ତଙ୍କୁ ଅନୁରୋଧ ଯେ ‘ଡୋନେସନ ଫର ନେସନ’ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ।

ନିକଟରେ ବିଜେପି ଚାନ୍ଦା ଅଭିଯାନ ଆରମ୍ଭ କରିଛା। ଯାହାର ନାମ ରହିଛି ଡୋନେସନ ଫର ନେସନ ବିଲିଡିଂ। ଏଥିରେ ସମସ୍ତେ ଅନଲାଇନ ମାଧ୍ୟମରେ ବିଜେପିକୁ ଦାନ କରିପାରିବେ। ସେଥିପାଇଁ ଦଳ ତରଫରୁ ସ୍ବତନ୍ତ୍ର ଅନଲାଇନ ବ୍ୟବସ୍ଥା କରାଯାଇଛି। ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମଧ୍ୟ ଏକ ହଜାର ଟଙ୍କା ଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାରିଖ ଏବଂ ସ୍ଥାନ ହେଲା ନିର୍ଦ୍ଧାରିତ

ଭୁବନେଶ୍ବର: ଓଡିଶା ଗସ୍ତରେ ପୁଣି ଥରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଆଜି ବିଜେପି ସହ ପ୍ରଭାରୀ ପ୍ରଭାରୀ ଲତା ଉସେଣ୍ଡି। ଭୁବନେଶ୍ବରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆସିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇସାରିଛି। ସେହି ଅନୁସାରେ ସେ ଆସନ୍ତା ପାଞ୍ଚ ତାରିଖରେ ଓଡିଶା ଆସିବେ।

ଏହି ଦିନିକିଆ ଗସ୍ତରେ ସେ ଚଣ୍ଡିଖୋଲର ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ମୋଦି କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ସେ ଏକ ଦଳିୟ ସଭାରେ ମଧ୍ୟ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଗତ ଫେବୃୟାରୀ 10 ତାରିଖରେ ମୋଦି ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ଉଦବୋଧନ ଦେଇଥିଲେ।