Categories
ଜାତୀୟ ଖବର ବିଶେଷ ଖବର

ଜମ୍ମୁ ଓ କଶ୍ମୀର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ, ତିନି ହଜାର ବେକାରୀ ପାଇଲେ ନିଯୁକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀର ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିର ଦିନଟିକୁ ଜମ୍ମୁ ଓ କଶ୍ମୀରର ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସଭାବେ ଅବିହିତ କରିଛନ୍ତି ।

ଜମ୍ମୁ ଓ କଶ୍ମୀରର ୨୦ଟି ବିଭିନ୍ନ ସ୍ଥାନରେ ନିଯୁକ୍ତିପତ୍ର ପାଇଥିବା ତିନି ହଜାର ଯୁବକଯୁବତୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଏହି ପିଲାମାନେ ପିଡବ୍ଲଡି, ସ୍ୱାସ୍ଥ୍ୟବିଭାଗ, ଖାଦ୍ୟ ଓ ସାଧାରଣ ବଣ୍ଟନ, ପଶୁସମ୍ପଦ, ଜଳଶକ୍ତି, ଶିକ୍ଷା ଓ ସଂସ୍କୃତି ବିଭାଗର କାର‌୍ୟ୍ୟ କରିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ । ଆଗାମୀ ଦିନରେ ଆହୁରି ସାତଶହ ନିଯୁକ୍ତି ପ୍ରଦାନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ ।

ଜମ୍ମୁ ଓ କଶ୍ମୀର ଇତିହାସରେ ଏକବିଂଶ ଶତାବ୍ଦୀର ଏହି ଦଶନ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ ପୁରୁଣା ସମସ୍ୟାଗୁଡିକୁ ପଛରେ ପକାଇ ନୂତନ ସମ୍ଭାବନାର ସମ୍ପୂର୍ଣ୍ଣ ସୁବିଧା ନେବା ପାଇଁ ସମୟ ଆସିଛି । ମୁଁ ଖୁସି ଯେ ଜମ୍ମୁ ଓ କଶ୍ମୀର ଯୁବଗୋଷ୍ଠୀ ବିପୁଳ ସଂଖ୍ୟାରେ ସେମାନଙ୍କ ଅଞ୍ଚଳ ଓ ଲୋକମାନଙ୍କ ବିକାଶ ପାଇଁ ଆଗେଇ ଆସୁଛନ୍ତି ।” ଆମର ଯୁବଗୋଷ୍ଠୀ ଜମ୍ମୁ ଓ କଶ୍ମୀରର ନୂତନ କାହାଣୀ ରଚନା କରି କେନ୍ଦ୍ରଶାସିତ ଅଞ୍ଚଳରେ ରୋଜଗାର ମେଳା ଆୟୋଜନକୁ ସ୍ୱତନ୍ତ୍ର କରି ଗଢି ତୋଳିବେ ବୋଲି ଶ୍ରୀ ମୋଦୀ କହିଥିଲେ ।

ଏକ ନୂତନ, ସ୍ୱଚ୍ଛ ଓ ସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା ଦ୍ୱାରା ଜମ୍ମୁ ଓ କଶ୍ମୀରର ନିରବଚ୍ଛିନ୍ନ ବିକାଶ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଦ୍ରୁତ ବିକାଶ ଲାଗି ଆମକୁ ନୂତନ ପଦ୍ଧତି ଓ ଭାବନା ନେଇ କାର‌୍ୟ୍ୟ କରିବାକୁ ପଡିବ ।” ସେ କହିଥିଲେ ଯେ ୨୦୧୯ ଠାରୁ ତିରିଶ ହଜାର ସରକାରୀ ନିଯୁକ୍ତି ଦିଆଯାଇଥିବାବେଳେ ସେଥିରୁ କୋଡିଏ ହଜାର କେବଳ ଏଇ ଦେଢବର୍ଷ ମଧ୍ୟରେ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଓ ପ୍ରଶାସନ ଦ୍ୱାରା କରାଯାଇଥିବା କାର‌୍ୟ୍ୟର ପ୍ରଶଂସା କରିଥିଲେ । ଦକ୍ଷତା ବଳରେ କର୍ମନିଯୁକ୍ତି ମନ୍ତ୍ର ଜମ୍ମୁ ଓ କଶ୍ମୀରର ଯୁବଗୋଷ୍ଠୀ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

କେନ୍ଦ୍ର ସରକାର ଗତ ଆଠବର୍ଷ ମଧ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିଭିନ୍ନ ସ୍ଥାନରେ ଅକ୍ଟୋବର ୨୨ତାରିଖ ଠାରୁ ଚାଲି ଆସୁଥିବା’ ରୋଜଗାର ମେଳା’ର ଏହା ଅଂଶବିଶେଷ । ଏହି ଅଭିଯାନ ଅଧୀନରେ ପ୍ରଥମ ପର‌୍ୟ୍ୟାୟରେ ଆଗାମୀ କିଛି ମାସ ମଧ୍ୟରେ ଦଶ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।”

ଜମ୍ମୁ ଓ କାଶ୍ମୀରରେ ନିଯୁକ୍ତି ଅଧିକ କରିବା ପାଇଁ ସରକାର ବ୍ୟାବସାୟିକ ବାତାବରଣର ସମ୍ପ୍ରସାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ନୂତନ ଶିଳ୍ପ ନୀତି ଓ ବ୍ୟବସାୟ ସଂସ୍କାର କାର‌୍ୟ୍ୟାନ୍ୱୟନ ଯୋଜନା ବ୍ୟାବସାୟିକ ସୁଗମତାର ପଥ ପରିସ୍କାର କରିବା ସହ ଏଠାରେ ପୁଞ୍ଜିନିବେଶକୁ ବ୍ୟାପକ ପ୍ରୋତ୍ସାହନ ଦେଇଛି । “ଯେଉଁ ଗତିରେ ଏଠାରେ ବିକାଶ ସମ୍ପର୍କୀତ ପ୍ରକଳ୍ପମାନ ଆଗେଇ ଚାଲିଛି । ତାହା ଏଠାକାର ଅର୍ଥନୀତିରେ ସମ୍ପୂର୍ଣ୍ଣ ଅବସ୍ଥାନ୍ତର ଆଣିପାରିବ” ବୋଲି ସେ କହିଥିଲେ । ସେ ଟ୍ରେନରୁ ଆରମ୍ଭ କରି ଆର୍ନ୍ତଜାତିକ ବିମାନ ସେବା ପର‌୍ୟ୍ୟନ୍ତ କ୍ଷେତ୍ରରେ ହୋଇଥିବା ସଂଯୋଗୀକରଣ ପ୍ରକଳ୍ପର ଉଦାହରଣ ଦେଇଥିଲେ ।

ସେ କହିଥିଲେ ଯେ ଶ୍ରୀନଗରରୁ ଶାରଜାହା ପର‌୍ୟ୍ୟନ୍ତ ଆନ୍ତର୍ଜାତିକ ଉଡାଣ ଆରମ୍ଭ ହୋଇସାରିଛି । ସଂଯୋଗୀକରଣ ବୃଦ୍ଧି ଯୋଗୁଁ ଜମ୍ମୁ ଓ କଶ୍ମୀରର ସେଓ ଚାଷୀମାନେ ବିଶେଷ ଉପକୃତ ହେବେ । ସେମାନେ ତାଙ୍କ ଉତ୍ପାଦିତ ସାମଗ୍ରୀ ସହଜରେ କାଶ୍ମୀର ବାହାରକୁ ପଠାଇ ପାରିବେ । ସରକାର ଡ୍ରୋନ ପରିବହନ ନେଇ ମଧ୍ୟ କାମ କରୁଛନ୍ତି ବୋଲି ସେ କହିଥିଲେ ।

ଜମ୍ମୁ ଓ କଶ୍ମୀରର ପର‌୍ୟ୍ୟଟକଙ୍କ ରେକର୍ଡ ସଂଖ୍ୟକ ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି ଓ ସଂଯୋଗୀକରଣ ବୃଦ୍ଧି ଯୋଗୁଁ ଏହି କେନ୍ଦ୍ରଶାସିତ ଅଞ୍ଚଳର ପର‌୍ୟ୍ୟଟନ କ୍ଷେତ୍ର ଯଥେଷ୍ଟ ଆଗକୁ ବଢିଛି ।” ବିନା ବାଛ ବିଚାରରେ ସରକାରୀ ଯୋଜନାର ସୁଫଳ କିପରି ସମାଜର ପ୍ରତ୍ୟେକ ଶ୍ରେଣୀ ନିକଟରେ ପହଞ୍ଚିବ ସେଥିପାଇଁ ଆମର ଉଦ୍ୟମ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିକାଶର ସୁଫଳ ପ୍ରତ୍ୟେକ ଶ୍ରେଣୀ ଓ ନାଗରିକଙ୍କ ନିକଟରେ ସମାନ ଭାବେ ପହଞ୍ଚୁ ବୋଲି ସରକାର ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

ଦୁଇଟି ନୂତନ ଏମ୍ସ, ସାତଟି ମେଡିକାଲ କଲେଜ, ଦୁଇଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଓ ୧୫ଟି ନର୍ସିଂ ମହାବିଦ୍ୟାଳୟ ସହ ଜମ୍ମୁ ଓ କଶ୍ମୀରରେ ସ୍ୱାସ୍ଥ୍ୟ ଶିକ୍ଷା ଭିତ୍ତିଭୂମି ମଜବୁତ କରାଯାଇଛି ବୋଲି ସେ କହିଥିଲେ । କିପରି ଜମ୍ମୁ ଓ କଶ୍ମୀର ଜନସାଧାରଣ ସବୁବେଳେ ସ୍ୱଚ୍ଛତା ପସନ୍ଦ କରନ୍ତି ତା ଉପରେ ପ୍ରଧାନମନ୍ତ୍ରୀ ସରକାରୀ ଚାକିରିକୁ ଆସୁଥିବା ଯୁବଗୋଷ୍ଠୀ ଏହାକୁ ପ୍ରାଧାନ୍ୟ ଦେବେ ବୋଲି ଆଶାପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ଅତୀତର ସ୍ମୃତିଚାରଣ କରି କହିଥିଲେ ଯେ “ ମୁଁ ଆଗରୁ ଯେତେବେଳେ ଜମ୍ମୁ ଓ କଶ୍ମୀର ଜନସାଧାରଣଙ୍କୁ ଭେଟୁଥିଲି, ମୁଁ ସେତେବେଳେ ସେମାନଙ୍କ କଷ୍ଟ ଅନୁଭବ କରିଛି । ବ୍ୟବସ୍ଥାରେ ଦୁର୍ନୀତି ଥିଲା ସେମାନଙ୍କ ଯନ୍ତ୍ରଣାର କାରଣ । ଜମ୍ମୁ ଓ କଶ୍ମୀର ଜନସାଧାରଣ ଦୁର୍ନୀତିକୁ ଘୃଣା କରନ୍ତି ।” ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଓ ତାଙ୍କ ଦଳକୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଉଲ୍ଲେଖନୀୟ କାର‌୍ୟ୍ୟ ପୁଣି ପ୍ରଶଂସା କରିଥିଲେ ।

ସମ୍ବୋଧନ ସମାପନ କରି ପ୍ରଧାନମନ୍ତ୍ରୀ ଯେଉଁମାନେ ଆଜି ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ସମ୍ପୂର୍ଣ୍ଣ ନିଷ୍ଠା ଓ ଉତ୍ସର୍ଗର ସହ କାର‌୍ୟ୍ୟ କରିବେ ବୋଲି ଆଶାପ୍ରକାଶ କରିଥିଲେ । “ଜମ୍ମୁ ଓ କଶ୍ମୀର ପ୍ରତ୍ୟେକ ଭାରତୀୟଙ୍କର ଗର୍ବ। ଆମେ ସମସ୍ତେ ମିଳିମିଶି ଜମ୍ମୁ ଓ କଶ୍ମୀରକୁ ଉନ୍ନତ ଶିଖରରେ ପହଞ୍ଚାଇବା । ୨୦୪୭ ସୁଦ୍ଧା ଆମର ଭାରତକୁ ଉନ୍ନତ ରାଷ୍ଟ୍ର କରିବା ନେଇ ଏକ ବିରାଟ ଲକ୍ଷ୍ୟ ରହିଛି । ଦୃଢସଂକଳ୍ପ ସହ ଆମକୁ ଦେଶ ଗଠନରେ ଲାଗିବାକୁ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ସକାଳ 11 ଟାରେ ମନ କି ବାତ୍ କାର୍ଯ୍ୟକ୍ରମରେ ନିଜର ଭାବନା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପୂର୍ବାହ୍ନ 11 ଟା ସମୟରେ ଅଲ ଇଣ୍ଡିଆ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ।

ଏହା ମାସିକ ରେଡିଓ କାର୍ଯ୍ୟକ୍ରମର 94 ତମ ପର୍ଯ୍ୟାୟ ହେବ। ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ପ୍ରସାରିତ ହେବ। ଏଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ  ମୋବାଇଲ୍ ଆପ୍ ରେ ମଧ୍ୟ ପ୍ରସାରିତ ହେବ। ଏହା ମଧ୍ୟ ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ: ବର୍ଷକ ମଧ୍ୟରେ ଗୁଜରାଟରେ ୩୫ ହଜାର ପଦବୀ ପୂରଣ ପ୍ରତିଶୃତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟ ରୋଜଗାର ମେଳାରେ ଅଭିଭାଷଣ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ଶ୍ରେଣୀରେ ନିଯୁକ୍ତି ପତ୍ର ହାସଲ କରିଥିବା ହଜାର ହଜାର ଯୁବ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଧନତେରାସ ଭଳି ପବିତ୍ର ଦିବସରେ କିପରି ଜାତୀୟ ସ୍ତରରେ ୭୫ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ତାହାର ସ୍ମୃତିଚାରଣ କରିଥିଲେ।

ଧନତେରାସ ଦିନ ହିଁ ପ୍ରଧାନମନ୍ତ୍ରୀ ଏପରି ରୋଜଗାର ମେଳା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହେବ ବୋଲି କହିଥିଲେ। ଗୁଜରାଟ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଯୋଗୁଁ ଆଜି ୫୦୦୦ ପ୍ରାର୍ଥୀ ଗୁଜରାଟ ପଞ୍ଚାୟତ ସେବା ବୋର୍ଡରୁ ନିଯୁକ୍ତି ପତ୍ର ଗ୍ରହଣ କରୁଥିବାବେଳେ, ଗୁଜରାଟ ସବ୍ଇନ୍ସିପେକ୍ଟର ନିଯୁକ୍ତି ବୋର୍ଡ ଓ ଲୋକରକ୍ଷକ ନିଯୁକ୍ତି ବୋର୍ଡରୁ ଆଠହଜାର ପ୍ରାର୍ଥୀ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି।

ଏହିପରି ଦ୍ରୁତ ପଦକ୍ଷେପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଜଣାଇଥିଲେ ନିକଟରେ ଗୁଜରାଟରେ ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ଓ ବର୍ଷକ ମଧ୍ୟରେ ୩୫ହଜାର ପଦବୀ ପୂରଣ କରିବା ଲକ୍ଷ୍ୟ ଦିଗରେ କାର‌୍ୟ୍ୟ ଆରମ୍ଭ ହୋଇଯାଇଛି।

ଗୁଜରାଟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ଶ୍ରେୟ ପ୍ରଧାନମନ୍ତ୍ରୀ ରାଜ୍ୟର ନୂତନ ଶିଳ୍ପ ନୀତିକୁ ଦେଇଥିଲେ। ସେ ଡିଜିଟାଲ ପ୍ଲାଟଫର୍ମ ଓଜା ଓ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ପଦବୀ ନିମନ୍ତେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ନୀତିରେ ପ୍ରଶଂସା କରିଥିଲେ।
ସେ କହିଥିଲେ ଯେ ଅନୁସନ୍ଧାନ ମୋବାଇଲ ଆପ୍ ଓ ନିଯୁକ୍ତି ୱେବ ପୋର୍ଟାଲ ଯୋଗୁ କର୍ମନିଯୁକ୍ତି ଅନୁସନ୍ଧାନକାରୀଙ୍କ ପାଇଁ ଅନେକ ସୁବିଧା ହୋଇଛି । ଏହି ଆପ୍ ବଳରେ ନିଯୁକ୍ତି ପ୍ରଦାନ କାରୀ ଓ ନିଯୁକ୍ତି ଅପେକ୍ଷାରେ ପ୍ରାର୍ଥୀଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ହୋଇପାରୁଛି। ସେହିଭଳି ଗୁଜରାଟ ଲୋକସେବା ଆୟୋଗଙ୍କ ଦ୍ୱାରା ତ୍ୱରିତ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଜାତୀୟସ୍ତରରେ ପ୍ରଶଂସା ଭାଜନ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ପ୍ରକାର ରୋଜଗାର ମେଳା ଆଗାମୀ ଦିନରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଆୟୋଜିତ ହେବ। କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ନେଇ କାର‌୍ୟ୍ୟ କରୁଥିବାବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । “ଏହା ବ୍ୟାପକ ଭାବେ ଅଭିଯାନକୁ ତ୍ୱରାନ୍ୱିତ କରି ସରକାରୀ ଯୋଜନାର ପୂର୍ଣ୍ଣତା ଦିଗରେ ସହାୟକ ହେବ’ ବୋଲି ସେ କହିଥିଲେ ।

୨୦୪୭ ସୁଦ୍ଧା ଦେଶକୁ ଉନ୍ନତ ରାଷ୍ଟ୍ରର ମାନ୍ୟତା ଦେବାକୁ ଏହି ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶ ତଥା ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ସେ ସେମାନଙ୍କୁ ଅଧିକ ଶିଖିବା ଓ କୌଶଳ ବିକାଶ ପାଇଁ କାର‌୍ୟ୍ୟ କରିବାକୁ ପରାମର୍ଶ ଦେବା ସହ ଚାକିରି ପାଇବା ପରେ ସେମାନଙ୍କ ଅଭିବୃଦ୍ଧି ଶେଷ ହୋଇଗଲା ବୋଲି ଭାବିବା ଅନୁଚିତ ବୋଲି କହିଥିଲେ । “ଏହା ଆପଣ ମାନଙ୍କ ପାଇଁ ଅନେକ ଦ୍ୱାରା ଖୋଲିବ । ଉତ୍ସର୍ଗୀକୃତ ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କଲେ ଏହା ଆପଣମାନଙ୍କୁ ପ୍ରବଳ ଆତ୍ମସନ୍ତୋଷ ପ୍ରଦାନ କରିବା ସହ ପ୍ରଗତିର ଦ୍ୱାର ମଧ୍ୟ ଉନ୍ମୁକ୍ତ କରିବ କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ବୃଦ୍ଧି ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପ୍ରିଲ- ସେପ୍ଟେମ୍ବର ୨୦୧୩ ତୁଳନାରେ ଏପ୍ରିଲ-ସେପ୍ଟେମ୍ବର ୨୦୨୨ରେ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ୩.୫ ଗୁଣରୁ ଅଧିକ ବୃଦ୍ଧି ହୋଇଛି ।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଉତ୍ସାହଜନକ । ବିଶ୍ୱ ସ୍ତରରେ ଭାରତୀୟ ସଂଗୀତର ଲୋକପ୍ରିୟତା ବଢୁଥିବାରୁ ଏ କ୍ଷେତ୍ରରେ ଅଗ୍ରସର ହେବାର ସୁଯୋଗ ରହିଛି ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ସେ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନନରୁ ଏକ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି।

ଏ ନେଇ ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ହେଲା। ଉଭୟ ପରସ୍ପରକୁ ଦୀପାବଳି ଶୁଭେଚ୍ଛା ଆଦାନ ପ୍ରଦାନ କଲୁ। ଉଭୟ ଏହି ମାନବ ସମାଜରେ ଶାନ୍ତି ମୈତ୍ରୀ ସୃଷ୍ଟି ହେଉ ବୋଲି ଆଶା କଲୁ। ଏହି ପର୍ବରେ ଅନ୍ଧକାର ଦୂର ହୋଇ ସମସ୍ତଙ୍କ ଜୀବନ ଆଲୋକିତ ହେଉ ଆଶା ବ୍ୟକ୍ତ କଲୁ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଉଜୈନରେ ମହାକାଳ ମନ୍ଦିର ଦର୍ଶନ ସହିତ ଗର୍ଭଗୃହରେ ଜପ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଉଜୈନର ଶ୍ରୀ ମହାକାଳ ଲୋକ ଠାରେ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଦେଶକୁ ଉତ୍ସର୍ଗ କରିଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ନନ୍ଦୀ ଫାଟକରୁ ଶ୍ରୀ ମହାକାଳ ଲୋକ ପର୍ଯ୍ୟନ୍ତ ପହଞ୍ଚିଲେ, ସେତେବେଳେ ସେ ପାରମ୍ପାରିକ ଧୋତି ପିନ୍ଧିଥିଲେ।

ଆଭ୍ୟନ୍ତରୀଣ ଗର୍ଭଗୃହରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରାର୍ଥନା ଓ ଦର୍ଶନ କରିଥିଲେ ଏବଂ ମନ୍ଦିର ପୁରୋହିତଙ୍କ ଉପସ୍ଥିତିରେ ଭଗବାନ ଶ୍ରୀ ମହାକଲଙ୍କ ଆଗରେ ହାତ ଯୋଡି ପ୍ରାର୍ଥନା କରିଥିଲେ। ଏଥିସହିତ ସେ ଆରତୀ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଦକ୍ଷିଣ କୋଣରେ ବସି ମନ୍ତ୍ର ଜପ କରିବା ସହ ଧ୍ୟାନ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ବସି ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକ ପାଇଁ ଉତ୍ସର୍ଗୀକୃତ ଏକ ପ୍ଲେକ୍ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ମନ୍ଦିରର ସାଧୁମାନଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ ସଂକ୍ଷିପ୍ତ ଆଲୋଚନା ମଧ୍ୟ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମହାକଲ ଲୋକ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ ଏବଂ ସାପଟାରୀ ମଣ୍ଡଳ, ମଣ୍ଡପମ, ତ୍ରିପୁରାସୁର ବଧ ଏବଂ ନବଗଡକୁ ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଅନେକ କାହାଣୀ ଖୋଦିତ ପ୍ରସ୍ତର ମୂର୍ତ୍ତି ମଧ୍ୟ ଦେଖିଥିଲେ। ଏଥିରେ ଶିବ ପୁରାଣରେ ବର୍ଣ୍ଣିତ ସୃଷ୍ଟି କାର୍ଯ୍ୟ, ଗଣେଶଙ୍କ ଜନ୍ମ, ସତୀ ଏବଂ ଦକ୍ଷଙ୍କ କାହାଣୀ ରହିଛି। ପରେ ଶ୍ରୀ ମୋଦୀ ଏହି ଅବସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମାନସରୋଭରରେ ମାଲଖମ୍ବ ପ୍ରଦର୍ଶନର ମଧ୍ୟ ଦେଖିଥିଲେ। ଏହା ପରେ ସେ ଭାରତ ମାତା ମନ୍ଦିର ପରିଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୈହାନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ  ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

୮୦ ବର୍ଷ ବୟସରେ ପଦାର୍ପଣ କଲେ ଅମିତାଭ ବଚ୍ଚନ, ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମିତାଭ ବଚ୍ଚନଙ୍କୁ ୮୦ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଅମିତାଭ ବଚ୍ଚନ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏ କି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରିଆସୁଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଅମିତାଭ ବଚ୍ଚନ ଜୀଙ୍କୁ ୮୦ ତମ ଜନ୍ମଦିନର ଶୁଭେଚ୍ଛା। ସେ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏକି ପିଢି ପରେ ପିଢି ଦର୍ଶକଙ୍କୁ ଆକର୍ଷିତ କରି ମନୋରଞ୍ଜନ କରିଆସୁଛନ୍ତି। ସେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ।”

Categories
ଆଜିର ଖବର ଜାତୀୟ ଖବର

ମହର୍ଷି ବାଲ୍ମିକୀ ଜୟନ୍ତୀରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଏହି ଭିଡିଓର ସେ କଣ କହିଲେ

ନୁଆଦିଲ୍ଲୀ: ଆଜି ହେଉଛି ମହର୍ଷି ବାଲ୍ମିକୀ ଜୟନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ସେ ଏକ ଭିଡିଓ ମଧ୍ୟ ଜାରୀ କରିଛନ୍ତି। ଏଥିରେ ସେ ବାଲ୍ମିକୀ କିପରି କାର୍ଯ୍ୟ କରି ସଫଳତା ପାଇଥିଲେ ତାହାର ବର୍ଣ୍ଣନା କରିଛନ୍ତି।

ଏ ନେଇ ସେ ଟୁଇଟ କରି କହିଛନ୍ତି ଯେ, “देशवासियों को वाल्मीकि जयंती की शुभकामनाएं।”

Categories
ଜାତୀୟ ଖବର ବିଶେଷ ଖବର

ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ , ୧୪,୫୦୦ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଆସନ୍ତା ୧୧ ଅକ୍ଟୋବର ପର‌୍ୟ୍ୟନ୍ତ ଗୁଜରାଟର ଗସ୍ତରେ ରହିବେ। ପ୍ରଧାନମନ୍ତ୍ରୀ ଆଜି ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସେ ସନ୍ଧ୍ୟା ପ୍ରାୟ ୬.୪୫ ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ, ଏହାପରେ ସେ ସନ୍ଧ୍ୟା ପ୍ରାୟ ୭.୩୦ ରେ ସୂର୍ଯ୍ୟ ମନ୍ଦିର ଯିବେ।

ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ ୧୦ ଅକ୍ଟୋବରର ପ୍ରାୟ ୧୧ ଘ.ରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଦେଶକୁ ସମର୍ପିତ ଏବଂ ଉଦ୍‌ଘାଟନ କରିବେ ଓ ଦ୍ବିପହର ପ୍ରାୟ ୩.୧୫ ଘ.ରେ ଅହମ୍ମଦାବାଦରେ ମୋଦୀ ଶୈକ୍ଷଣିକ ସ୍କୁଲର ଉଦ୍‌ଘାଟନ କରିବେ। ଏହାପରେ ଶ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରର ଅପରାହ୍ନ ୨.୧୫ ଘ.ରେ ସିଭିଲ୍ ହସ୍‌ପିଟାଲ୍ ଅସରୱା, ଅହମ୍ମଦାବାଦରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ଯାହାପରେ ସେ ଉଜ୍ଜୟିନୀରେ ଶ୍ରୀ ମହାକାଳେଶ୍ବର ମନ୍ଦିର ଯିବେ ଯେଉଁଠାରେ ସେ ସନ୍ଧ୍ୟା ପ୍ରାୟ ୫ ଘ.ରେ ଦର୍ଶନ ଏବଂ ପୂଜା କରିବେ। ଏହାପରେ ସେ ସନ୍ଧ୍ୟା ପ୍ରାୟ ୬.୩୦ ମିରେ ଶ୍ରୀ ମହାକାଳ ଲୋକକୁ ଦେଶକୁ ସମର୍ପିତ କରିବେ ଏବଂ ସନ୍ଧ୍ୟା ୭.୧୫ ମିନିଟରେ ଉଜ୍ଜୟିନୀରେ ସାର୍ବଜନିନ କାର‌୍ୟ୍ୟକ୍ରମରେ ସାମିଲ୍ ହେବେ।

ପ୍ରଧାନମନ୍ତ୍ରୀ ମେହଶାନାରେ

ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଅଧ୍ୟକ୍ଷତା କରିବେ ଏବଂ ମୋଧରା, ମେହସାନାରେ ୩୯୦୦ କୋଟି ଟଙ୍କାର ଅଧିକ ନିବେଶର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ମୋଧେରା ଗ୍ରାମରେ ଭାରତର ପ୍ରଥମ ଚବିଶ ଘଣ୍ଟା ସୌର ଶକ୍ତିରେ ସଞ୍ଚାଳିତ ଗ୍ରାମ ଘୋଷିତ କରିବେ। ଏହା ଏହି ପ୍ରକାରର ପ୍ରଥମ ପ୍ରକଳ୍ପ ଅଟେ ଯାହା ମୋଧେରା ସହରର ସୂର‌୍ୟ୍ୟ ମନ୍ଦିରର ସୌର ଶକ୍ତିରେ ସଞ୍ଚାଳନ କରିବାର ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ସାକାର କରିଥାଏ। ଏଥିରେ ଗ୍ରାଉଣ୍ଡ ମାଉଣ୍ଟେଡ୍ ସୌର ଶକ୍ତି ପ୍ରଣାଳୀ ତଥା ଆବାସୀୟ ଏବଂ ସରକାରୀ ଭବନରେ ୧୩୦୦ ରୁ ଅଧିକ ରୁଫଟପ୍ ସୋଲାର ସିଷ୍ଟମ ବିକଶିତ କରିବା ସାମିଲ୍ ରହିଛି। ଏସବୁ ଗୁଡ଼ିକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ (ବିଇଏସଏସ) ସହିତ ସମନ୍ବିତ କରାଯାଇଛି। ଏହି ପ୍ରକଳ୍ପ ଏହି ବିଷୟକୁ ପ୍ରଦର୍ଶିତ କରିଥାଏ ଯେ ଭାରତର ନବୀକରଣୀୟ ଶକ୍ତି କୌଶଳ କେଉଁ ଭଳି ଭାବରେ ଲୋକମାନଙ୍କୁ ତୃଣମୂଳ ସ୍ତରରୁ ସଶକ୍ତ କରୁଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶକୁ ସମର୍ପିତ କରାଯାଇଥିବା ଏହି ପ୍ରକଳ୍ପରେ ଅହମ୍ମଦାବାଦ-ମେହସାନା ଗେଜ୍ ପରିବର୍ତ୍ତନ ପ୍ରକଳ୍ପ ସାବରମତୀ-ଜଗୁଦାନ ଖଣ୍ଡର ଗଜ ପରିବର୍ତ୍ତନ; ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ନନ୍ଦସନ ଜିଓଲୋଜିକାଲ୍ ଅଏଲ୍ ପ୍ରଡକ୍‌ସନ ପ୍ରୋଜେକ୍ଟ; ଖେରାବାରୁ ସିଙ୍ଗୋଡ଼ା ଝିଲ୍ ମଧ୍ୟରେ ସୁଜଳମ୍ ସୁଫଳମ୍ କେନାଲ୍ ପ୍ରକଳ୍ପ; ଧାରୋଇ ଡ୍ୟାମ ଆଧାରିତ ବଡ଼ନଗର ଖେରାଲୁ ଏବଂ ଧରୋଇ ସମୂହ ସୁଧାର ଯୋଜନା; ବେଚାରାଜି ମୋଧେରା-ଚନାସ୍ମା ରାଜ୍ୟ ରାଜମାର୍ଗର ଏକ ସେକ୍ସନକୁ ଚାରି ଲେନ୍ କରିବାର ପ୍ରକଳ୍ପ; ଉଞ୍ଜା-ଦଶଜ ଉପେରା ଲାଡୋଲ୍ (ଭଙ୍ଖପୁର ଆପ୍ରୋଚ୍ ରୋଡ୍‌) ର ଏକ ସେକ୍ସନର ସଂପ୍ରସାରଣ କରିବାର ପ୍ରକଳ୍ପ; ସରଦାର ପଟେଲ୍ ଲୋକ ପ୍ରଶାସନ ସଂସ୍ଥାନ (ଏସପିଆଇପିଏ) ମେହସାନାର କ୍ଷେତ୍ରୀୟ ପ୍ରଶିକ୍ଷଣ କେନ୍ଦ୍ରର ନୂଆ ଭବନ ଏବଂ ମୋଧେରାରେ ସୂର୍ଯ୍ୟ ମନ୍ଦିରର ପ୍ରୋଜେକ୍‌ସନ ମ୍ୟାପିଂ ଏବଂ ଅନ୍ୟ ଯୋଜନା ସାମିଲ୍ ରହିଛି।

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଯେଉଁଥିରେ ପାଟନ ଠାରୁ ଗୋଜରିଆ ପର‌୍ୟ୍ୟନ୍ତ ଜାତୀୟ ରାଜପଥ – ୬୮ ପର‌୍ୟ୍ୟନ୍ତ ଚାରି ଲେନ୍ ପ୍ରସ୍ତୁତି; ମେହସାନା ଜିଲ୍ଲାର ଜୋତାନା ତାଲୁକାର ଚଲସନ ଗ୍ରାମରେ ଜଳ ଶୋଧନ ପ୍ରଣାଳୀର ନିର୍ମାଣ, ଦୁଧସାଗର ଡାଏରୀରେ ନୂଆ ସ୍ବୟଂଚଳିତ ମିଲ୍‌କ ପାଉଡର ପ୍ଲାଣ୍ଟ ଏବଂ ୟୁଏଚଟି ମିଲ୍କ କାର୍ଟନ ପ୍ଲାଣ୍ଟର ସ୍ଥାପନା, ଜେନେରାଲ୍ ହସ୍‌ପିଟାଲ୍ ମେହସାନାର ପୁନର୍ବିକାଶ ଏବଂ ପୁନଃନିର୍ମାଣ; ତଥା ମେହସାନା ଏବଂ ଉତ୍ତର ଗୁଜରାଟର ଅନ୍ୟ ଜିଲ୍ଲା ପାଇଁ ରିଭାମ୍ପଡ୍ ଡିଷ୍ଟ୍ରିବ୍ୟୁସନ ସେକ୍ଟର ସ୍କିମ୍ (ଆରଡିଏସଏସ) ସହିତ ଅନ୍ୟାନ୍ୟ ଯୋଜନା ଗୁଡ଼ିକ ସାମିଲ୍ ରହିଛି।

ସାର୍ବଜନିକ କାର‌୍ୟ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜା ଅର୍ଚ୍ଚନା ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ସୂର‌୍ୟ୍ୟ ମନ୍ଦିର ମଧ୍ୟ ଯିବେ ଯେଉଁଠାରେ ସେ ସୁନ୍ଦର ପ୍ରୋଜେକ୍ସନ ମ୍ୟାପିଂ ଶୋ ଦେଖିବେ।

ଭାରୁଚରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାରୁଚରେ ଆମୋଦରେ ୮୦୦୦ କୋଟି ଟଙ୍କାରୁ ଅଧିକ ନିବେଶରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ।

ଭାରତର ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରକୁ ଆତ୍ମନିର୍ଭର କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଜମ୍ବୁସର ଠାରେ ବଲ୍‌କ ଡ୍ରଗ ପାର୍କର ମଧ୍ୟ ଶିଳାନ୍ୟାସ କରିବେ। ବର୍ଷ ୨୦୨୧-୨୨ ରେ ଏହି ଡ୍ରଗ୍‌ସର ଔଷଧର ସମୁଦାୟ ଆମଦାନୀ ୬୦ ପ୍ରତିଶତରୁ ଅଧିକର ଯୋଗଦାନ ଥିଲା। ଏହି ପ୍ରକଳ୍ପ ଆମଦାନୀ ପ୍ରତିସ୍ଥାପନ ସୁନିଶ୍ଚିତ କରିବା ଏବଂ ବଲ୍‌କ ଡ୍ରଗ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟତା ପ୍ରଦାନ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପ୍ରଧାନମନ୍ତ୍ରୀ ଦହେଜରେ ‘ଡିପ୍ ସି ପାଇପଲାଇନ୍ ପ୍ରକଳ୍ପ’ ର ଶିଳାନ୍ୟାସ ମଧ୍ୟ କରିବେ, ଏଥିରେ ଉଦ୍ୟୋଗ ସମ୍ପଦଗୁଡ଼ିକ ଠାରୁ ଶୋଧିତ ବର୍ଜ୍ୟଜଳକୁ ନିଷ୍କାସନ କରିବାରେ ସହାୟତା କରିବ। ପ୍ରଧାନମନ୍ତ୍ରୀ ଅନ୍ୟ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିବେ ସେହି ରହିଛି ଅଙ୍କଲେଶ୍ବର ଏୟାରପୋର୍ଟର ପ୍ରଥମ ପର‌୍ୟ୍ୟାୟ ଏବଂ ଅଙ୍କଲେଶ୍ବର ଏବଂ ପାନୋଲିରେ ବହୁସ୍ତରୀୟ ଔଦ୍ୟୋଗିକ ସେଡର ବିକାଶ ମଧ୍ୟ ସାମିଲ୍ ରହିଛି, ଯେଉଁଥିରେ ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଔଦ୍ୟୋଗିକ ପାର୍କର ବିକାଶ ତଥା ଶିଳାନ୍ୟାସ କରିବେ। ଏଥିରେ ଚାରି ଜନଜାତୀୟ ଔଦ୍ୟୋଗିକ ପାର୍କ ସାମିଲ୍ ରହିଛି ଯାହା ବାଲିଆ (ଭରୁପ), ଅମୀରଗଡ଼ (ବନାସକାଣ୍ଠା), ଚକଲିଆ (ଦାହୋଦ) ଏବଂ ବାନର (ଛୋଟ ଉଦୟପୁର) ରେ ସ୍ଥାପିତ ହେବ; ମୁଡେଥା (ବନାସାକାଣ୍ଠା) ରେ ଏଗ୍ରୋ ଫୁଡ୍ ପାର୍କ; କାକବାଡ଼ି ଦାନ୍ତି (ଭଲସାଡ୍‌) ରେ ସି ଫୁଡ୍ ପାର୍କ; ଏବଂ ଖଣ୍ଡିଭାଭ୍ (ମାହିସାଗର) ରେ ଏମଏସଏମଇ ପାର୍କର ନିର୍ମାଣ ସାମିଲ ରହିଛି।

ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଗୁଡ଼ିକୁ ଦେଶକୁ ସମର୍ପିତ କରିବେ ଯେଉଁଥିରେ ରସାୟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ସେ ଦହେଜରେ ୧୩୦ ମେଗାୱାଟର ସହ ଉତ୍ପାଦନ ବିଦ୍ୟୁତ ପ୍ଲାଣ୍ଟ ସହିତ ଏକିକୃତ ୮୦୦ ଟିପିଡି କଷ୍ଟିକ୍ ସୋଡା ପ୍ରଣାଳୀର ଲୋକାର୍ପଣ କରିବେ। ଏହା ସହିତ ସେ ଦହେଜରେ ଥିବା କଷ୍ଟିକ୍ ସୋଡ଼ା ପ୍ଲାଣ୍ଟ ର ବିସ୍ତାରର ମଧ୍ୟ ଲୋକାର୍ପଣ କରିବେ, ଯାହାର କ୍ଷମତା ୭୮୫ ଏମଟି/ ଦିନ ରୁ ବଢ଼ାଇ ୧୩୧୦ ଏମଟି/ ଦିନ କରାଯାଇଛି। ପ୍ରଧାନମନ୍ତ୍ରୀ ଦହେଜରେ ଏକ ଲକ୍ଷ ଏମଟି ପ୍ରତି ବର୍ଷରୁ ଅଧିକ କ୍ଲୋରୋମିଥେନର ନିର୍ମାଣ ପାଇଁ ପ୍ରକଳ୍ପର ଲୋକାର୍ପଣ କରିବ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶକୁ ସମର୍ପିତ କରାଯିବାକୁ ଥିବା ଅନ୍ୟ ପ୍ରକଳ୍ପ ଗୁଡ଼ିକରେ ଦହେଜ ସ୍ଥିତ ହାଇଡ୍ରୋଜେନ୍ ହାଇଡ୍ରେଟ୍ ପ୍ଲାଣ୍ଟ ସାମିଲ୍ ରହିଛି ଯାହା ଉତ୍ପାଦର ଆମଦାନୀକୁ ପ୍ରତିସ୍ଥାପନ କରିବାରେ ସହାୟତା କରିବ। ଏହା ବ୍ୟତୀତ ଆଇଓସିଏଲ୍ ଦହେଜ୍ –କୋୟାଲି ପାଇପଲାଇନ୍ ପ୍ରୋଜେକ୍ଟ, ଭାରୁଚ ଭୂମିଗତ ଜଳ ନିଷ୍କାସନ ଏବଂ ଏସଟିପି କାର‌୍ୟ୍ୟ ତଥା ଉମଲା ଆସା ପନେଥା ସଡ଼କର ପ୍ରଶସ୍ତିକରଣ ଏବଂ ମଜବୁତିକରଣ କରିବା ସାମିଲ୍ ରହିଛି।

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ 

ପ୍ରଧାନମନ୍ତ୍ରୀ ୧୦ ଅକ୍ଟୋବରରେ ମୋଦି ଶୈକ୍ଷଣିକ ସଙ୍କୁଳର ପ୍ରଥମ ସୋପାନର ଉଦ୍‌ଘାଟନ କରିବେ ଯାହା ଗରିବ ଛାତ୍ରମାନଙ୍କ ପାଇଁ ଶିକ୍ଷା ପରିସର ଅଟେ। ଏହି ପ୍ରକଳ୍ପ ଛାତ୍ରମାନଙ୍କର ସମଗ୍ର ବିକାଶ ପାଇଁ ସୁବିଧା ପ୍ରଦାନ କରିବାରେ ସହାୟତା ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରରେ ସିଭିଲ୍ ହସ୍‌ପିଟାଲ୍ ଅସରୱା, ଅହମ୍ମଦାବାଦରେ ପ୍ରାୟ ୧୩୦୦ କୋଟି ଟଙ୍କା ନିବେଶରେ ବିଭିନ୍ନ ସ୍ବାସ୍ଥ୍ୟ ଯତ୍ନ ସହିତ ସମ୍ପର୍କିତ ସୁବିଧା ଗୁଡ଼ିକର ଲୋକାର୍ପଣ କରିବେ ଏବଂ ଏହାର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ନିର୍ମାଣ ଏବଂ ୟୁଏନ୍ ମେହତା ଇନ୍‌ଷ୍ଟିଚ୍ୟୁଟ୍ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ହୃଦୟର ଯତ୍ନ ପାଇଁ ନୂଆ ଏବଂ ଉନ୍ନତ ସୁବିଧା ତଥା ଏକ ନୂଆ ଛାତ୍ରାବାସ ଭବନର ଲୋକାର୍ପଣ, କିଡ୍ନୀ ରୋଗ ଏବଂ ଗବେଷଣା କେନ୍ଦ୍ର ସଂସ୍ଥାର ନୂଆ ହସ୍‌ପିଟାଲ ଭବନ; ଗୁଜରାତ କ୍ୟାନସର ଏବଂ ଗବେଷଣା ସଂସ୍ଥାନର ନୂଆ ଭବନର ଲୋକାର୍ପଣ ସାମିଲ୍ ରହିଛି। ପ୍ରଧାନମନ୍ତ୍ରୀ ଗରିବ ଲୋକମାନଙ୍କ ପରିବାରକୁ ଆବାସ ସୁବିଧା ପ୍ରଦାନ କରୁଥିବା ଆଶ୍ରୟ ଗୃହର ଶିଳାନ୍ୟାସ ମଧ୍ୟ କରିବେ।

ଜାମନଗରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାମନଗରରେ ୧୪୬୦ କୋଟି ଟଙ୍କାରୁ ଅଧିକ ନିବେଶରେ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ଜଳସେଚନ, ବିଦ୍ୟୁତ, ଜଳ ଯୋଗାଣ ଏବଂ ସହରୀ ଭିତ୍ତିଭୂମି ଢାଞ୍ଚା ସହିତ ସମ୍ବନ୍ଧିତ ଅଟେ।

ପ୍ରଧାନମନ୍ତ୍ରୀ ସୌରାଷ୍ଟର ଅବତରଣ ଜଳସେଚନ (ଏସଏୟୁଏନଆଇ) ଯୋଜନା ଲିଙ୍କ ୩ (ଉଣ୍ଡ ଡ୍ୟାମରୁ ସୋନମତି ଡ୍ୟାମ ପର‌୍ୟ୍ୟନ୍ତ) ର ପ୍ୟାକେଜ୍ ୭, ଏସଏୟୁଏନଆଇ ଯୋଜନା ଲିଙ୍କ ୧ (ଉଣ୍ଡ -୧ଡ୍ୟାମରୁ ଏସଏଏନଆଇ ଡ୍ୟାମ ପର‌୍ୟ୍ୟନ୍ତ) ପ୍ୟାକେଜ୍ ୫ ଏବଂ ହରିପାର ୪୦ ମେଗାୱାଟ ସୌର ପିବି ପରିଯୋଜନାର ଲୋକାର୍ପଣ କରିବେ।

ଯେଉଁ ପ୍ରକଳ୍ପଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯିବ ସେଥିରେ ରହିଛି କାଲାବଡ଼ /ଜାମନଗର ତାଲୁକା ମୋରବି-ମଲିୟା-ଜୋଡ଼ିଆ ଗ୍ରୁପ ଗ୍ରୁପର କଲାବଦ ଗ୍ରୁପ୍ ଅଗମେଣ୍ଟେସନ ଜଳ ଯୋଗାଣ ଯୋଜନା, ଲାଲପୁର ବାଇପାସ୍ ଜଙ୍କସନ ଫ୍ଲାଇଓଭର ବ୍ରିଜ, ହାପା ମାର୍କେଟ୍ ୟାର୍ଡ଼ ରେଲୱେ କ୍ରସିଂ ଏବଂ ସିୱର ସଂଗ୍ରହ ପାଇପଲାଇନ୍ ତଥା ପମ୍ପିଂ ଷ୍ଟେସନର ନବୀକରଣ ସାମିଲ୍ ରହିଛି।

ଉଜ୍ଜୟିନୀରେ ପ୍ରଧାନମନ୍ତ୍ରୀ 

ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକ ଦେଶକୁ ସମର୍ପିତ କରିବେ। ଶ୍ରୀ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ଚରଣ ତୀର୍ଥଯାତ୍ରୀମାନଙ୍କୁ ବିଶ୍ବ ସ୍ତରୀୟ ଆଧୁନିକ ସେବା ପ୍ରଦାନ କରି ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କର ଅନୁଭବକୁ ସ୍ମରଣୀୟ କରିବାରେ ସହାୟତା ପ୍ରଦାନ କରିବ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସମଗ୍ର କ୍ଷେତ୍ରରେ ଭିଡ଼କୁ କମ୍ କରିବା ଏବଂ ଐତିହ୍ୟର ସଂରକ୍ଷଣ ଓ ରିଷ୍ଟୋରେସନ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଅନ୍ତର୍ଗତ ମନ୍ଦିର ପରିସରକୁ ପ୍ରାୟତଃ ସାତ ଗୁଣା ବିସ୍ତାର କରାଯିବ। ସମ୍ପୂର୍ଣ୍ଣ ପ୍ରକଳ୍ପର ସମ୍ପୂର୍ଣ୍ଣ ନିବେଶ ପ୍ରାୟ ୮୫୦ କୋଟି ଟଙ୍କା ଅଟେ। ମନ୍ଦିରର ପ୍ରଚଳିତ ତୀର୍ଥ ଯାତ୍ରୀମାନଙ୍କର ସଂଖ୍ୟା, ଯାହା ପ୍ରତି ବର୍ଷ ୧.୫ କୋଟି ଅଟେ, ତାହା ଦୁଇଗୁଣା ହେବାର ଆଶା କରାଯାଉଛି। ଏହି ପ୍ରକଳ୍ପର ବିକାଶ ପାଇଁ ଯୋଜନାକୁ ଦୁଇଟି ପର‌୍ୟ୍ୟାୟରେ ପ୍ରସ୍ତୁତ କରାଯାଇଛି।

ମହାକାଳ ପଥରେ ୧୦୮ ସ୍ତମ୍ଭ (ଖମ୍ପ) ଯାହା ଭଗବାନ ଶିବଙ୍କ ଆନନ୍ଦ ତାଣ୍ଡବ ସ୍ବରୂପ (ନୃତ୍ୟ ରୂପ) କୁ ଦର୍ଶାଇଥାଏ। ମହାକାଳ ପଥ ପାର୍ଶ୍ବରେ ଭଗବାନ ଶିବଙ୍କ ଜୀବନକୁ ଦର୍ଶାଉଥିବା ଅନେକ ଧାର୍ମିକ ମୂର୍ତ୍ତିକୁ ସ୍ଥାପନା କରାଯାଇଛି। ପଥ ସହିତ ଭିତର କାନ୍ଥର ଚିତ୍ର ଶିବ ପୁରାଣର କାହାଣୀ ଉପରେ ଆଧାରିତ ଅଟେ ଯେଉଁଥିରେ ସୃଜନ କାର‌୍ୟ୍ୟ, ଗଣେଶଙ୍କ ଜନ୍ମ, ସତୀ ଏବଂ ଦକ୍ଷ କାହାଣୀ ଆଦି ସାମିଲ୍ ରହିଛି। ୨.୫ ହେକ୍ଟରରେ ରହିଥିବା ପ୍ଲାଜା କ୍ଷେତ୍ର ପଦ୍ମ ପୋଖରୀରେ ଆବଦ୍ଧିତ ରହିଛି ଏବଂ ଏଥିରେ ଝରଣା ସହିତ ଶିବ ମୁର୍ତ୍ତିଙ୍କୁ ମଧ୍ୟ ସ୍ଥାପିତ କରାଯାଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ଏବଂ ସର୍ଭେଲାନ୍‌ସ କ୍ୟାମେରା ସହାୟତାରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଦ୍ବାରା ଏହି ସମ୍ପୂର୍ଣ୍ଣ ପରିସରର ଚବିଶ ଘଣ୍ଟା ଅନୁଧ୍ୟାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

କିଏ ସେହି ବର୍ଷିୟାନ ମହିଳା, ଯାହାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବର୍ଷିୟାନ ମହିଳାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ପୁରା ଅଣ୍ଟାକୁ ନବେ ଡିଗ୍ରୀ ଭାଙ୍ଗି ଏହି ନମସ୍କାର କରିଛନ୍ତି। ଏହାର ଫଟୋ ମଧ୍ୟ ନିଜେ ମୋଦୀ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତେବେ ଏହି ମହିଳା ଜଣଙ୍କ କିଏ ତାହାକୁ ନେଇ ବିଭିନ୍ନ ମହଲରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ ପାଇବାରେ ଲାଗିଛି। ସେ ହେଉଛନ୍ତି ନବେ ବର୍ଷ ବୟସର ଉମା ସୁଚେଦେବା। ସେ ସ୍ବର୍ଗତ କର୍ଣ୍ଣେଲ ଏଚ କେ ସୁଚେଦେବାଙ୍କ ଧର୍ମପତ୍ନୀ। କର୍ଣ୍ଣେଲ ସୁଚେଦେବା ହେଉଛନ୍ତି ଜଣେ ପ୍ରତିଷ୍ଠିତ ସାମରିକ ଅଫିସର ଯେ କି ଭାରତ ପାକିସ୍ଥାନ ବିଭାଜନ ବିଭିଷିକା ବେଳେ କାର୍ଯ୍ୟ କରୁଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଧର୍ମପତ୍ନୀଙ୍କୁ ସାକ୍ଷାତ କରିବା ପରେ ସେ ଟୁଇଟ ଯୋଗେ ନିଜର ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଉମା ସୁଚେଦେବଙ୍କୁ ସାକ୍ଷାତ କରିବା ସହିତ ଏକ ସ୍ମରଣୀୟ କଥାବାର୍ତ୍ତା ହୋଇଥିଲା। ତାଙ୍କୁ 90 ବର୍ଷ ବୟସ ହୋଇଛି ତଥାପି ସେ ବହୁତ ଶକ୍ତିଶାଳୀ ଏବଂ ଆଶାବାଦୀ ମନୋଭାବରେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି।

ତାଙ୍କ ସ୍ୱାମୀ କର୍ଣ୍ଣେଲ (ଅବସରପ୍ରାପ୍ତ) ଏଚ୍.କେ ସୁଚଦେବ ଜଣେ ବହୁ ସମ୍ମାନିତ ଭେଟେରାନ୍ ଥିଲେ। ଉମା ଜୀ ଜେନେରାଲ ବେଦ ମଲ୍ଲିକଜୀଙ୍କର ମାଉସୀ। “ଉମା ଜୀ ମୋତେ ତାଙ୍କ ସ୍ୱାମୀ ଲେଖିଥିବା ତିନୋଟି ପୁସ୍ତକ ଉପହାର ଦେଇଛନ୍ତି। ସେଥିମଧ୍ୟରୁ ଦୁଇଟି ଗୀତା ସହିତ ଜଡିତ ଥିବା ବେଳେ ତୃତୀୟଟି ହେଉଛି ‘ରକ୍ତ ଏବଂ ଲୁହ’ ଶୀର୍ଷକ ଏକ ପୁସ୍ତକ। ଏହା ଭାରତ ପାକିସ୍ଥାନ ବିଭାଜନର ଆଘାତଜନିତ ଅବସ୍ଥାରେ କର୍ଣ୍ଣେଲ ଏଚ୍.କେ ସୁଚେଦେବଙ୍କ ଅନୁଭୂତି ଏବଂ ତାଙ୍କ ଜୀବନ ଉପରେ ଆଧାରିତ।

ମୋଦୀ ଆହୁରି କହିଛନ୍ତି ଯେ, ଆମେ ଅଗଷ୍ଟ 14 ତାରିଖକୁ ବିଭାଜନରେ ବଳିଦାନ ଦେଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଆଲୋଚନା କରିଥିଲୁ। ଏଥିସହିତ ଦେଶର ପ୍ରଗତି ଉପରେ ମଧ୍ୟ ଆଲୋଚନା କଲୁ।

Categories
ଆଜିର ଖବର ଜାତୀୟ ଖବର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଏମଏସ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଚାଳିଷ ଦିନ ଧରି ଆଇସିୟୁରେ ଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ଫଳରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହିତ ରାଜୁ ଶ୍ରୀବାସ୍ତବଙ୍କ ଏକ ଫଟୋକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି। ସେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ‘ରାଜୁ ଶ୍ରୀବାସ୍ତବ ହାସ୍ୟ ଏବଂ ସକାରାତ୍ମକତା ସହିତ ଆମ ଜୀବନକୁ ଉଜ୍ଜ୍ୱଳିତ କରିଥିଲେ। ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଯାଇଛନ୍ତି। ହେଲେ ବର୍ଷ ବର୍ଷ ଧରି କରିଥିବା ତାଙ୍କର ଉଚ୍ଚକୋଟିର ଅଭିନୟ ଯୋଗୁଁ ସେ ଅଗଣିତ ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର ଦେହାନ୍ତ ବଡ ଦୁଃଖଦାୟକ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି। ‘

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ନେଇ ଓଡିଆରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ଘଟିଛି। ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ବିଧାନସଭା ବାଚସ୍ପତି, ମୁଖ୍ୟମନ୍ତ୍ରୀ ସମେତ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ଓଡ଼ିଶାର ପ୍ରଗତି ପାଇଁ ଶ୍ରୀ ବିଷ୍ଣୁଚରଣ ସେଠୀଙ୍କ ଅବଦାନ ଅତୁଳନୀୟ। ଜଣେ କଠିନ ପରିଶ୍ରମୀ ବିଧାୟକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମାଜିକ ସଶକ୍ତିକରଣ ପାଇଁ ତାଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକମାନଙ୍କୁ ସମବେଦନା। ଓଁ ଶାନ୍ତି’

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ପ୍ରଖ୍ୟାତ ପ୍ରତ୍ନତତ୍ବବିତ୍ ପଦ୍ମଭୂଷଣ ବି ବି ଲାଲଙ୍କ ୧୦୧ ବର୍ଷ ବୟସରେ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବି ବି ଲାଲଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଲାଲ ଭାରତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଥିଲେ। ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ହେଉଥିବା ଅଯୋଧ୍ୟା ସ୍ଥାନରେ ଖନନ ସମୟରେ ମନ୍ଦିର ସ୍ତମ୍ଭ ସେ ପାଇଥିଲେ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଲାଲ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣୀୟ ହୋଇ ରହିବେ। “ଶ୍ରୀ ବି ବି ଲାଲ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ। ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣ କରାଯିବ ଯିଏ ଆମର ସମୃଦ୍ଧ ଅତୀତ ସହିତ ଆମର ସମ୍ପର୍କକୁ ଆହୁରି ଗଭୀର କରିଥିଲେ।  ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।

ସେହିପରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ ଦେଶ ଏକ ଉଜ୍ଜ୍ୱଳ ତାରକା ହରାଇଛି। ସେ କହିଛନ୍ତି ଲାଲ ଭାରତର ପ୍ରତ୍ନତାତ୍ତ୍ୱିକ ଖନନ ଏବଂ ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଚାରି ଦଶନ୍ଧି ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ ତାଲିମ ଦେଇଛନ୍ତି।

ଭାରତ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏକ ଟୁଇଟ୍‌ରେ କହିଛି, “ପ୍ରତ୍ନତତ୍ତ୍ୱରେ ପଦ୍ମଭୂଷଣ ପ୍ରଫେସର ବି ବି ଲାଲଙ୍କ ଅବଦାନ ଅତୂଳନୀୟ। ତାଙ୍କର 101 ବର୍ଷର ଜୀବନକୁ ଏହି ପ୍ରତ୍ନତତ୍ବ ବିଷୟ ପାଇଁ ଉତ୍ସର୍ଗ କରିଥିଲେ।

Categories
ବିଶେଷ ଖବର

କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକକୁ ଅହମ୍ମଦାବାଦଠାରେ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ବୈଠକ ସବକା ପ୍ରୟାସର ଏକ ସ୍ପଷ୍ଟ ଉଦାହରଣ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀ ଭାରତର ବିକାଶରେ ସହାୟକ ହେଉଛି ଓ ଏହି ଶକ୍ତି ପ୍ରତ୍ୟେକ ଅଞ୍ଚଳ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛି। ଆଜି ଭାରତ ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବ ଅଭିମୁଖେ ଅଗ୍ରସର ହେଉଛି, ଏହି କ୍ଷେତ୍ରରେ ଏହାର ଜନସାଧାରଣ ଓ ବିଜ୍ଞାନର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ନୀତି ପ୍ରସ୍ତୁତି ଦିଗରେ ନିୟୋଜିତ ଜନସାଧାରଣଙ୍କ ଦାୟୀତ୍ୱ ବହୁଳ ଭାବେ ବୃଦ୍ଧି ପାଇଥାଏ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ବିଜ୍ଞାନ ହେଉଛି ସମାଧାନ, ଉତ୍ପତ୍ତି ଓ ନବୋନ୍ମେଷର ଭିତ୍ତିଭୂମୀ। ଏହି ଉତ୍ସାହକୁ ଉପଜୀବ୍ୟ କରି ଆଜି ଭାରତ ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପଥରେ ଆଗେଇ ଚାଲିଛି।

ଆମେ ଇତିହାସରୁ ଶିକ୍ଷା ଲାଭ କରିଥିବା ବିଷୟ ଗୁଡିକ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟକୁ ସାହାଯ୍ୟ କରିବ। ଆମେ ଯଦି ଗତ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧି କଥା ସ୍ମରଣ କରୁ ତେବେ ବିଶ୍ୱ କିପରି ଧ୍ୱଂସ ଓ ଭୟ ମଧ୍ୟରେ ଗତି କରୁଥିଲା ତାହା ଜାଣିପାରିବା। ତେବେ ସେତେବେଳେ ମଧ୍ୟ ସେ ପ୍ରାଚ୍ୟ ହେଉ ବା ପାଶ୍ଚାତ୍ୟ ସବୁଆଡେ ବୈଜ୍ଞାନିକମାନେ ଆବିଷ୍କାରରେ ଲାଗି ପଡିଥିଲେ। ପାଶ୍ଚାତ୍ୟରେ ଆଇନଷ୍ଟାଇନ, ଫେରମୀ, ମ୍ୟାକ୍ସ ପ୍ଲାଙ୍କ, ନିଏଲସ ବୋର ଓ ଟେସଲା ସେମାନଙ୍କ ପରୀକ୍ଷାନିରୀକ୍ଷା ଦ୍ୱାରା ବିଶ୍ୱକୁ ଜାଜ୍ୱଲ୍ୟମାନ କରିଥିଲେ। ସେତିକିବେଳେ ସିଭି ରମଣ, ଜଗଦୀଶ ଚନ୍ଦ୍ର ବୋଷ, ସତ୍ୟେନ୍ଦ୍ର ନାଥ ବୋଷ, ମେଘନାଦ ଶାହା ଓ ଏସ ଚନ୍ଦ୍ରଶେଖର ଭଳି ବୈଜ୍ଞାନିକମାନେ ସେମାନଙ୍କ ନୂତନ ଆବିଷ୍କାରମାନ ଲୋକଲୋଚନକୁ ଆଣିଲେ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ତୁଳନା କରି ଆମେ ଆମ ବୈଜ୍ଞାନିକମାନଙ୍କ କୃତୀକୁ ପ୍ରକୃତ ସ୍ୱୀକୃତି ଦେଉନାହୁଁ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଯେତେବେଳେ ଆମ ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳନ କରୁ ବିଜ୍ଞାନ ଆମ ସମାଜ ଓ ସଂସ୍କୃତିର ଏକ ଅଂଶ ହୋଇଯାଏ। ପ୍ରଧାନମନ୍ତ୍ରୀ ଆମ ଦେଶର ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବୈଜ୍ଞାନିକମାନେ ସେମାନଙ୍କ ଉତ୍ସବ ପାଳନ ପାଇଁ ଅନେକ କିଛି ଦେଇଛନ୍ତି। ଭାରତୀୟ ବୈଜ୍ଞାନିକମାନଙ୍କ କରୋନା ଟିକାର ବିକାଶ ଓ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ପାଇଁ ସେ ଭାରତୀୟ ବିଜ୍ଞାନୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ସରକାର ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଉପରେ ଆଧାରିତ ବିକାଶ ଦିଗରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। “୨୦୧୪ ମସିହାଠାରୁ ବିଜ୍ଞାନ ଓ ପ୍ରଯୁକ୍ତିଜ୍ଞାନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚୀରେ ୪୬ତମ ସ୍ଥାନରେ ରହିଛି। ମାତ୍ର ୨୦୧୫ରେ ଭାରତ ୮୧ତମ ସ୍ଥାନରେ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ରେକର୍ଡ ସଂଖ୍ୟକ ପେଟେଣ୍ଟ ପଞ୍ଜୀକୃତ ହୋଇଥିବା ସେ ସ୍ୱୀକାର କରିଥିଲେ। ସେ ମଧ୍ୟ ଏକ ନବୋନ୍ମେଷ ବାତାବରଣ ଓ ମଜଭୁତ ଷ୍ଟାର୍ଟଅପ ପ୍ରଣାଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବୋନ୍ମେଷ ପ୍ରତି ପ୍ରବୃତ୍ତି ଆମେ ଯୁବପିଢ଼ିର ଡିଏନଏରେ ରହିଛି। ଆମକୁ ସମସ୍ତ ଶକ୍ତି ଘଟାଇ ଏହି ଯୁବପିଢ଼ିକୁ ସମର୍ଥନ ଦେବାକୁ ପଡିବ।” ଆମ ଯୁବପିଢ଼ିର ନବୋନ୍ମେଷ ଉତ୍ସାହ ଦୃଷ୍ଟିରୁ ସେମାନଙ୍କୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ନୂତନ କ୍ଷେତ୍ର ଭାବେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ସେ ମହାକାଶ ଅଭିଯାନ, ଜାତୀୟ ସୁପର କମ୍ପ୍ୟୁଟିଂ ଅଭିଯାନ, ସେମି କଣ୍ଟକ୍ଟର ଅଭିଯାନ, ମିଶନ ଉଦଯାନ ଓ ଡ୍ରୋନ ପ୍ରଯୁକ୍ତି ଇତ୍ୟାଦିର ଉଦାହରଣ ଦେଇଥିଲେ। ସେହିପରି ନୂତନ ଶିକ୍ଷା ନୀତି ବିଜ୍ଞାନ ଓ ବୈଷୟିକ ଜ୍ଞାନ ଶିକ୍ଷା ମାତୃଭାଷାରେ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତକାଳରେ ଭାରତକୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ହେଲେ ଆମକୁ ଅନେକ ଦିଗରେ କାର୍ଯ୍ୟ କରିବାକୁ ହେବ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଆଧାରିତ ଗବେଷଣାକୁ ଆମକୁ ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ନେବାକୁ ପଡିବ। ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବୋନ୍ମେଷ ଉପରେ ଧ୍ୟାନ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଅଧିକରୁ ଅଧିକ ବିଜ୍ଞାନ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପ୍ରକ୍ରିୟାର ସରଳୀକରଣ ଦ୍ୱାରା ନବୋନ୍ମେଷକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧିକରୁ ଅଧିକ ନବୋନ୍ମେଷ ପରୀକ୍ଷାଗାର ଖୋଲାଯିବା ଆବଶ୍ୟକ। ବିଜ୍ଞାନ, ନବୋନ୍ମେଷ ଓ ପ୍ରଯୁକ୍ତି କ୍ଷେତ୍ରରେ ଆଧୁନିକ ନୀତି ପ୍ରଣୟନ ନିମନ୍ତେ ସେ ପ୍ରତ୍ୟେକ ରାଜ୍ୟକୁ କହିଥିଲେ। “ସରକାର ହିସାବରେ ଆମକୁ ଆମର ବିଜ୍ଞାନୀମାନଙ୍କ ସହ ଅଧିକରୁ ଅଧିକ ସମନ୍ୱୟ ରଖିବାକୁ ପଡିବ ଓ ଏହା ଦ୍ୱାରା ଏକ ଆଧୁନିକ ବୈଜ୍ଞାନିକତା ସୃଷ୍ଟି ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ରାଜ୍ୟଗୁଡିକ ଅନେକ ଜାତୀୟସ୍ତରୀୟ ବିଜ୍ଞାନ ଅନୁଷ୍ଠାନ ଏବଂ ଜାତୀୟ ପରୀକ୍ଷାଗାର ଗୁଡିକର ସାହାଯ୍ୟ, ସହଯୋଗ ଓ ବିଶେଷଜ୍ଞତାର ଉପଯୋଗ କରିପାରିବେ। ଆମକୁ ବାହାର ରାଜ୍ୟର ବିଜ୍ଞାନ ସମ୍ପର୍କିତ ଅନୁଷ୍ଠାନ ଗୁଡିକରୁ ବିଶେଷଜ୍ଞତା ଓ ଏହାର ସମ୍ପୂର୍ଣ୍ଣ ଉପଯୋଗ ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ତୃଣମୂଳ ସ୍ତରରେ ବିଜ୍ଞାନର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ମଧ୍ୟ ରାଜ୍ୟର ବିଜ୍ଞାନମନ୍ତ୍ରୀମାନଙ୍କୁ ବିଜ୍ଞାନ ପାଠ୍ୟକ୍ରମର ବିଭିନ୍ନ ବିଷୟରେ ଧ୍ୟାନ ଦେବାଲାଗି ପରାମର୍ଶ ଦେଇଥିଲେ।

ଉଦଯାପନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ରାଜ୍ୟ କେନ୍ଦ୍ର ବିଜ୍ଞାନ ବୈଠକରେ ଦେଶରେ ବିଜ୍ଞାନ ପ୍ରଗତି ଦିଗରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ମଧ୍ୟ ବିଜ୍ଞାନ ଓ ବୈଷୟିକ ଜ୍ଞାନରୁ ଯେପରି କୌଣସି ସୁଯୋଗ ବାଦ ନପଡେ ତାହା ଦେଖିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ୨୫ ବର୍ଷ ଭାରତ ପାଇଁ ଖୁବ ଉପଯୋଗୀ ବର୍ଷ ଓ ଏହା ଭାରତକୁ ଏକ ନୂତନ ଶକ୍ତି ଓ ପରିଚୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶ ଗ୍ରହଣକାରୀମାନଙ୍କୁ ବୈଠକରୁ ଶିକ୍ଷାଲାଭ କରି ତାର ନିର୍ଯ୍ୟାସ ନିଜ ରାଜ୍ୟକୁ ଦେଇ ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅବସରରେ ଉପସ୍ଥିତ ଥିଲେ। ଦେଶରେ ନବୋନ୍ମେଷ ଓ ବୈଦ୍ୟୋଶିକତାର ବିକାଶର ନିମନ୍ତେ ପ୍ରଧାନମନ୍ତ୍ରୀ ଅକ୍ଳାନ୍ତ ଉଦ୍ୟମ ଜାରୀ ରଖିଥିବାବେଳେ, ପ୍ରଥମ ଥର ପାଇଁ ଆୟୋଜିତ ଏଭଳି ବୈଠକ ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ବୃଦ୍ଧି କରିବ। ସଂଘୀୟ ସଦଭାବନା ଉତ୍ସାହର ସହ ଏହା ଦେଶରେ ଏକ ମଜଭୂତ ବିଜ୍ଞାନ, ପ୍ରଯୁକ୍ତି ଓ ନବୋନ୍ମେଷର ବାତାବରଣ ସୃଷ୍ଟିରେ ସହାୟକ ହେବ।

ଏହି ଦୁଇ ଦିନିଆ ବୈଠକ ସେପ୍ଟେମ୍ବର ୧୦-୧୧ ଦୁଇ ଦିନ ଧରି ଅହମ୍ମଦାବାଦର ସାଇନ୍ସ ସିଟିରେ ଆୟୋଜିତ ହେଉଛି। ଏହା ବିଭିନ୍ନ ବିଷୟରେ ଯଥା ଏସଟିଆଇ ଭିଜନ ୨୦୪୭, ଭବିଷ୍ୟତ ଅଭିବୃଦ୍ଧି ରାସ୍ତା ଓ ରାଜ୍ୟରେ ଏସଟିଆଇ ଦୂରଦୃଷ୍ଟି, ସ୍ୱାସ୍ଥ୍ୟ-ଡିଜିଟାଲ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ, ୨୦୩୦ ସୁଦ୍ଧା ଗବେଷଣା ଓ ପରିପାଟୀ କ୍ଷେତ୍ରରେ ବିନିଯୋଗ ଦୁଇଗୁଣ କରିବା, କୃଷି-ଚାଷୀମାନଙ୍କ ଆୟରେ ଉନ୍ନତି ନିମନ୍ତେ କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ, ଜଳ- ପରିବହନକ୍ଷମ ପାନୀୟ ଜଳ ଦିଗରେ ନବୋନ୍ମେଷ-ଶକ୍ତି-ସ୍ୱଚ୍ଛ ଇନ୍ଧନ ଓ ଏସଏଣ୍ଡଟି ଭୂମିକା ହାଇଡ୍ରୋଜେନ ମିଶନ, ଗଭୀର ସମୁଦ୍ର ଅଭିଯାନ ଓ ଦେଶର ଭବିଷ୍ୟତ ଅର୍ଥନୀତିରେ ଏହାର ପ୍ରଭାବ ନେଇ ଆଲୋଚନା ହେବ।

ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିଳ୍ପଦ୍ୟୋଗୀ, ଉଦ୍ୟୋଗପତି, ସ୍ୱେଚ୍ଛାସେବୀ ସଂଗଠନ, ଯୁବ ବିଜ୍ଞାନୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକ କରି କହିଲେ ଏକ ନୂଆ କଥା

ଭୁବନେଶ୍ବର: ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ,  ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଆମ ସମୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ସ୍ମରଣୀୟ ରହିବେ।

ସେ ନିଜ ଦେଶ ତଥା ସାଧାରଣ ଲୋକଙ୍କୁ ପ୍ରେରଣାଦାୟକ ନେତୃତ୍ୱ ପ୍ରଦାନ କରିଥିଲେ। ସେ ସର୍ବସାଧାରଣ ଜୀବନରେ ସମ୍ମାନ ଏବଂ ସଚ୍ଚୋଟତାକୁ ପ୍ରାଥମିକତା ଦେଉଥିଲେ। ଏପରି ଦୁଃଖଦ ସମୟରେ ମୋର ସମବେଦନା ତାଙ୍କ ପରିବାର ଏବଂ ବ୍ରିଟେନର ଲୋକଙ୍କ ସହିତ ଅଛି।

୨୦୧୫ ଏବଂ ୨୦୧୮ ରେ ମୋର ବ୍ରିଟେନ ଗସ୍ତ ସମୟରେ ମୁଁ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସହିତ ସ୍ମରଣୀୟ ବୈଠକ କରିଥିଲି। ମୁଁ ତାଙ୍କର ଉଦାରତା ଏବଂ ଦୟାକୁ କେବେବି ଭୁଲି ପାରିବି ନାହିଁ। ଗୋଟିଏ ବୈଠକରେ ମୋତେ ଏକ ରୁମାଲ ଦେଖାଇ କହିଥିଲେ ଯେ, ଏହା ମହାତ୍ମା ଗାନ୍ଧୀ ତାଙ୍କୁ ତାଙ୍କ ବିବାହରେ ଉପହାର ଦେଇଥିଲେ। ମୁଁ ସେହି ଭାଗାବେଗକୁ ସର୍ବଦା ସମ୍ମାନ କରିବି। ( ଫାଇଲ ଫଟୋ)

Categories
ଜାତୀୟ ଖବର ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଚାଲିଛି ଚର୍ଚ୍ଚା: ପ୍ରଧାନମନ୍ତ୍ରୀଙ୍କ ଏହି ପୁରୁଣା ବୟାନକୁ ମନପକାଇଲେ ଭୁପେଶ ବଘେଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସ ଏକ ବଡ଼ ପ୍ରଦର୍ଶନ କରିଛି। ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀଙ୍କ ଭିଡ ସେମାନଙ୍କ ନେତାଙ୍କ କଥା ଶୁଣିବା ପାଇଁ ରାମଲିଲା ମଇଦାନରେ ପହଞ୍ଚିଥିଲେ। କିନ୍ତୁ ସଭାରେ ରାହୁଲ ଗାନ୍ଧୀଙ୍କ ଲିଟରରେ ଅଟା ମୂଲ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିପାଇଁ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରୁଛନ୍ତି। ଏହାର ଜବାବରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ନେତାଙ୍କ ଭୁଲ ଗଣନା କରିଛନ୍ତି।

ବାସ୍ତବରେ ରବିବାର ଦିନ ଦିଲ୍ଲୀରୁ ଫେରିଥିବା ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ରାୟପୁର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ। ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡିଆ ଟ୍ରୋଲରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, ସେ ଯାହା କହିଛନ୍ତି ତାହା ଗ୍ରହଣ କରନ୍ତୁ, ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି, ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ତତଃପକ୍ଷେ ଏହାକୁ ହ୍ରାସ କରାଯାଉ, ପେଟ୍ରୋଲ ଡିଜେଲ ଏବଂ ଏଲପିଜି ଶସ୍ତାରେ ମିଳୁ। ଏଲପିଜି ବିଷୟରେ ସେ କହିଛନ୍ତି ଯେ, ଆଜି କେହି ଏଲପିଜି ଇନ୍ଧନ ବ୍ୟବହାର କରୁଛନ୍ତି?

ଏହା ପରେ ଭୁପେଶ ବଘେଲ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ବିଦେଶ ଯାଆନ୍ତି ସେତେବେଳେ ସେ କହନ୍ତି ଯେ ୬୦୦ କୋଟି ଭୋଟର ଭୋଟ୍ ଦେଇଛନ୍ତି। କିନ୍ତୁ ଭାରତର ଜନସଂଖ୍ୟା ୧୩୫ କୋଟି। ୬୦୦ କୋଟି ଭୋଟରଙ୍କୁ କେଉଁଠାରୁ ଅଣାଯାଇଛି? ବିଜେପି ଲୋକମାନେ ଏ ବିଷୟରେ କିଛି କହିବେ? ୟୁପି ନିର୍ବାଚନରେ ​​ଦେଶର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, କେବଳ ଇଣ୍ଟର ପରେ ଦଶମରେ ଆଡମିଶନ ନେବେ। ବେଳେବେଳେ ଜିଭ ଖସିଯାଏ, କିନ୍ତୁ ସେମାନେ ସେହି ଭୁଲକୁ ସଂଶୋଧନ କରିନଥିଲେ, କିନ୍ତୁ ରାହୁଲ ଗାନ୍ଧୀ ସେକେଣ୍ଡ ନେଇ ନଥିଲେ, ସେ ତୁରନ୍ତ ଏହାକୁ ସଂଶୋଧନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନୂଆଖାଇର ଶୁଭ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ନୂଆଖାଇ ଜୁହାର୍ ! ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର । ଆମ ସମାଜ ପ୍ରଗତିର ନୂତନ ଶିଖରରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରେ ଶ୍ରୀଗଣେଶଙ୍କୁ ଆରତୀ କଲେ ପ୍ରଧାନମନ୍ତ୍ରୀ, ପତିଆରା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ଥିଲା ଗଣେଶ ଚତୁର୍ଥୀ। ଏହି ଉପଲକ୍ଷେ ଚାରିଆଡେ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା। କିଏ ପେଣ୍ଡାଲରେ କିଏ ଘରେ ପ୍ରଭୃ ଗଣେଶଙ୍କୁ ଆବହନ କରିଥିଲେ। ହେଲେ ଏହି ଗଣେଶ ପୂଜାଟି ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ପାଇଁ ଥିଲା ସଂପୂର୍ଣ୍ଣ ସ୍ବତନ୍ତ୍ର। କାରଣ ତାଙ୍କ ଘର ଗଣେଶ ପୂଜାର ବିଶେଷ ଅତିଥୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗତକାଲି ଗଣେଷ ପୂଜା ଦିନ ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରକୁ ପ୍ରଧାନମନ୍ତ୍ରୀ ଯାଇ ଶ୍ରୀଗଣେଷଙ୍କୁ ଆରତୀ ପ୍ରଦାନ କରିଥିଲେ। ସେ ହିନ୍ଦୁ ଧର୍ମର ପାରଂପାରିକ ପୋଷାକ ପରିଧାନ କରିଥିଲେ। ଏକ ଧଳା ଧୋତି ସହ ହାଲକା କମଳା ରଂଗର ପଂଜାବୀ ପିନ୍ଧିଥିଲେ। ଏଥସହିତ ସେ କାନ୍ଧରେ ଏକ ଗାଢ କମଳା ରଂଗର ଉତ୍ତରୀୟ ପକାଇଥିଲେ।

ମୋଦୀ, ଗୋଏଲଙ୍କ ଘରକୁ ପ୍ରବେଶ ପୂର୍ବରୁ ତାଙ୍କ ଘର ଆଗରେ ଛିଡା ହୋଇଥିବା ଲୋକମାନଙ୍କୁ ସେ ଗଣେଶ ପୂଜା ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମସର ରିପୋର୍ଟ ଅନୁସାରେ ସେଦିନ ପୀୟୁଶ ଗୋଏଲଙ୍କ ଘରେ ଅନ୍ୟତମ ଅତିଥୀ ଭାବେ ଯୋଗଦେଇଥିଲେ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି, ଶିଳ୍ପପତି ସୁନୀଲ ଭାରତୀ ମିତ୍ତଲ।

ତେବେ ଏହାକୁ ନେଇ ଜାତୀୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। କାରଣ ବର୍ତ୍ତମାନ ମୋଦୀ ସରକାରରେ ଅମିତ ସାହା ହେଉଛନ୍ତି ସବୁଠୁ ପାୱାରଫୁଲ। ସେହି ସ୍ତରରେ ରାଜନାଥ ସିଂ ଏବଂ ନୀତିନ ଗଡକରୀ ଯିବେ। ଏହା ପରେ ଯୁବମନ୍ତ୍ରୀଙ୍କ ଭିତରେ କିଏ ସେ ଅଧିକ ପାୱାର ଫୁଲ ସେ ନେଇ ଚାଲିଛି କସରତ।

ଏପରି ପରିସ୍ଥିତିରେ ପୀୟୁଶ ଗୋଏଲଙ୍କ ଘରେ ତାଙ୍କର ପାରିବାରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ  ଯୋଗ ଦେବା ତାଙ୍କର ପତିଆରାକୁ ପ୍ରତିପାଦନ କରିଛି। ଫଳରେ ବର୍ତ୍ତମାନ ଯୁବମନ୍ତ୍ରୀଙ୍କ ମଧ୍ୟରେ ପୀୟୁଶ ଗୋଏଲଙ୍କ ପତିଆରା ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ନେଇ ଗତକାଲି ଦିନତମାମ ଦିଲ୍ଲୀ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସନ୍ତାକାଲିଠାରୁ ଦୁଇ ଦିନିଆ କେରଳ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧ରୁ ଦୁଇଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ସେ ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର‌୍ୟ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଅପରାହ୍ନ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ୩୮୦୦ କୋଟି ଟଙ୍କା ବ୍ୟୟରେ ମାଙ୍ଗାଲୁରୁଠାରେ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

କୋଚିରେ ପ୍ରଧାନମନ୍ତ୍ରୀ

ବିଶେଷ କରି ରଣନୀତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାର ଜଣେ ବିଶିଷ୍ଟ ପ୍ରସ୍ତାବକ ରହି ଆସିଛନ୍ତି। ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ।

ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବାବେଳେ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ ଲିମିଟେଡ ଦ୍ୱାରା ଏହାର ନିର୍ମାଣ କରାଯାଇଛି । ଭାରତର ସାମୁଦ୍ରିକ ଇତିହାସରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥାଯୁକ୍ତ ସବୁଠାରୁ ବୃହତ ଯୁଦ୍ଧ ପୋତ ଆଇଏନଏସ ବିକ୍ରାନ୍ତ ନିର୍ମିତ ହୋଇଛି।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି। ବିକ୍ରାନ୍ତ ସେନାରେ କମିଶନଭୁକ୍ତ ହେବା ଦ୍ୱାରା ଭାରତର ଦୁଇଟି ଏୟାର କ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ନିଶାଣର ମଧ୍ୟ ଉନ୍ମୋଚନ କରିବେ।

ମାଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମାଙ୍ଗାଲୁରୁଠାରେ ୩୮୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପାୟନ ଓ ଯାନ୍ତ୍ରିକକରଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ନମ୍ବର ବର୍ଥର ଯାନ୍ତ୍ରିକକରଣ ବ୍ୟବସ୍ଥାର ଉଦଘାଟନ କରିବେ। ଏହାର ପଣ୍ୟ ପରିବହନ କ୍ଷମତା ନୂତନ ମାଙ୍ଗାଲୁରୁ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଯାନ୍ତ୍ରିକକରଣ ଟର୍ମିନାଲ ଦ୍ୱାରା ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର କରାଯାଇ ପାରିବା ସହ ସାମର୍ଥ୍ୟ ଶତକଡା ୩୫ ଭାଗ ବୃଦ୍ଧି ପାଇବ। ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ପଣ୍ୟ କାରବାର କ୍ଷମତା ୪.୨ ଏମଟିପିଏ ବୃଦ୍ଧିପାଇଛି ଓ ୨୦୨୫ ବେଳକୁ ଏହାର ୬ ଏମଟିପିଏ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଦର ଦ୍ୱାରା ଅଧିଗୃହୀତ ପ୍ରାୟ ଏକ ହଜାର କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ସମନ୍ୱିତ ଏଲପିଜି ଓ ବ୍ଲକ ଲିକ୍ୟୁଡି ପିଓଏଲ ସୁବିଧା ଯୋଗୁ ବଡ ବଡ ଗ୍ୟାସ ପରିବହନକାରୀ (୪୫ ହଜାର ଟନ ପର‌୍ୟ୍ୟନ୍ତ) ଖୁବ ଦକ୍ଷତାର ସହ କରିପାରିବ। ଏହା ସେ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଗତି ଦେବା ସହ ଦେଶର ସର୍ବୋଚ୍ଚ ଏଲପିଜି ରପ୍ତାନୀକାରୀ ବନ୍ଦର ମାନ୍ୟତା ମଧ୍ୟ ପାଇବ।

ପ୍ରଧାନମନ୍ତ୍ରୀ ଭଣ୍ଡାରଣ ଟ୍ୟାଙ୍କ ଓ ଖାଇବା ତେଲ ବିଶୋଧନାଗାର ନିର୍ମାଣର ଶିଳାନ୍ୟାସ କରିବେ। ଏହାଛଡା ବିଟୁମେନ ଭଣ୍ଡାରଣ ବ୍ୟବସ୍ଥାର ମଧ୍ୟ ଶିଳାନ୍ୟାସ କରିବେ। ଏହା ବିଟୁମେନ ଓ ଖାଇବା ତେଲ ପୋତର ରହଣି ଓ ସାମଗ୍ରିକ ମାଲ ପରିବହନ ଖର୍ଚ୍ଚ ଓ ସମୟ ହ୍ରାସ କରିବ। ପ୍ରଧାନମନ୍ତ୍ରୀ କୁଲାଇଠାରେ ମଧ୍ୟ ମାଛଧରା ବନ୍ଦର ଶିଳାନ୍ୟାସ କରିବେ। ସାଗରମାଳା ପ୍ରକଳ୍ପ ଅଧୀନରେ କରାଯାଉଥିବା ଏହି କାର‌୍ୟ୍ୟ ଯୋଗୁଁ ମତ୍ସ୍ୟଜୀବୀମାନଙ୍କ ସାମାଜିକ ଓ ଆର୍ଥିକ ସୁବିଧା ମିଳିପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ମାଙ୍ଗାଲୁରୁ ତୈଳ ବିଶୋଧନାଗାର ଓ ପେଟ୍ରୋ ରସାୟନ ଲିମିଟେଡର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାହା ହେଲା ବିଏସ-VI ଉନ୍ନୀତକରଣ ପ୍ରକଳ୍ପ ଓ ସମୁଦ୍ରଜଳ ଲବଣମୁକ୍ତ ପ୍ରକଳ୍ପ। ବିଏସ-VI ଉନ୍ନୀତକରଣ କାରଖାନା ୧୮୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏହା ପରିବେଶ ଅନୁକୂଳ ଇନ୍ଧନ ଯୋଗାଇବ। ୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମୁଦ୍ର ଜଳ ଲବଣମୁକ୍ତ କାରଖାନା ମଧୁର ଜଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବର୍ଷ ସାରା ହାଇଡ୍ରୋକାର୍ବନ ଓ ପେଟ୍ରୋ ରସାୟନ ଯୋଗାଣ ଅବ୍ୟାହତ ରଖିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଦେଲେ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସାଂସଦ ଏ ବର୍ଷର ତାଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି।  ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା ଏବଂ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ଭୁବନେଶ୍ୱରରେ ନାଇଜରଠାରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ଉପଦେଶ ଦେବା ସହ ସାଂସଦଙ୍କୁ ମାର୍ଗଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧିନଗର ଗିଫ୍ଟସିଟିରେ ଆଇଏଫ୍‌ଏସ୍‌ସିଏ ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧିନଗର ସ୍ଥିତ ଗିଫ୍ଟସିଟିରେ ଇଣ୍ଟର ନେଶନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (ଆଇଏଫ୍‌ଏସ୍‌ସିଏ) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ ମଧ୍ୟ ଗିଫ୍ଟ-ଆଇଏଫ୍‌ଏସ୍‌ସିରେ ଭାରତ ପ୍ରଥମ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ (ଆଇଆଇବିଏକ୍ସ)ର ଶୁଭାରମ୍ଭ କରିଛନ୍ତି। ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ନେଶନାଲ ଷ୍ଟକ ଏକ୍ସଚେଞ୍ଚର ଆଇଏଫ୍‌ଏସ୍‌ସି ଏସ୍‌ଜିଏକ୍ସ କନେକ୍ଟର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଓ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟମନ୍ତ୍ରୀ, କୂଟନୀତିଜ୍ଞ, ବିଶିଷ୍ଟ ବ୍ୟବସାୟୀ ଓ ଉଦ୍ୟୋଗଜଗତର ନେତାଗଣ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ  ଆଜିର ଦିନଟି ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଟେକ୍‌ନୋଲୋଜି ଶକ୍ତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଭାରତ ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧିକୁ ଏହା ପ୍ରମାଣିତ କରୁଛି। ଆଜି ଗିଫ୍ଟ ସିଟିରେ ଆଇଏଫ୍‌ଏସ୍‌ସିଏର ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଏହି ଭବନ ଦେଖିବାକୁ ଯେପିର ଅତି ପ୍ରକାଣ୍ଡ ଓ କମନୀୟ ହେବ, ଭାରତକୁ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଶକ୍ତିରେ ପରିଣତ କରିବାରେ ସେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୋର ଆଶା। ଏହି ସଂଗଠନ ଇନୋଭେସନକୁ ପ୍ରୋତ୍ସାହିତ କରି ଅଭିବୃଦ୍ଧିର ବାହକ ହେବ। ଆଜି ଯେଉଁ ପ୍ରତିଷ୍ଠାନ ଓ ଫ୍ଲାଟଫର୍ମ ସବୁ ଉଦ୍‌ଘାଟିତ ହୋଇଛି ତାହା ୧୩୦କୋଟି ଭାରତୀୟଙ୍କୁ ଆଧୁନିକ ବିଶ୍ୱ ଅର୍ଥନୀତି ସହ ସଂଯୁକ୍ତ କରିବ। ଏବେ ବିଶ୍ୱ ଅର୍ଥନୀତିକୁ ଦିଗ୍‌ଦର୍ଶନ କରୁଥିବା ଆମେରିକା, ବ୍ରିଟେନ ଓ ସିଙ୍ଗାପରୁ ଭଳି ରାଷ୍ଟ୍ରଙ୍କ ଗହଣରେ ସାମିଲ ହେବାକୁ ଭାରତ ଆରମ୍ଭ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗିଫ୍ଟସିଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ବେପାର ବଣିକ ପାଇଁ ଉଦ୍ଦିଷ୍ଟ ନୁହେଁ। ମୂଳରୁ ଏହା ସହିତ ଦେଶର ସାଧାରଣ ଜନତାଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଲକ୍ଷ୍ୟ ନିହିତ। ଭାରତର ଭବିଷ୍ୟତର ଲକ୍ଷ୍ୟ ଗିଫ୍ଟି ସିଟି ସହିତ ସମ୍ପୃକ୍ତ ଏବଂ ଭାରତର ସ୍ୱର୍ଣ୍ଣିମ ଅତୀତର ସ୍ୱପ୍ନ ମଧ୍ୟ ଏହା ସହ ଜଡିତ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୮ରେ ସମଗ୍ର ବିଶ୍ୱ ଯେତେବେଳେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲା ସେତେବେଳେ ଭାରତରେ ନୀତିଗତ ପକ୍ଷାଘାତର ସ୍ଥିତି ଦେଖାଦେଇଥିଲା। ମାତ୍ର ସେହି ସମୟରେ ଗୁଜରାଟ ନୂଆ ପଦକ୍ଷେପ ମାନ ଗ୍ରହଣ କରିଥିଲା। ଫିନ୍‌ଟେକ କ୍ଷେତ୍ରରେ ନୂଆ ପ୍ରୟାସ  ବଡ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲା। ସେହି ବିଚାର ଓ ପ୍ରୟାସ ସଫଳ ହୋଇ ଆଜି ଏହି ସ୍ଥିତିରେ ପହଞ୍ଚିଥିବାରୁ ମୁଁ ଆନନ୍ଦିତ।

ସେ ଆହୁରି କହିଥିଲେ ଯେ ଗିଫ୍ଟସିଟି ଏବେ ବାଣିଜ୍ୟ ଓ ଟେକ୍‌ନୋଲୋଜିର ଏକ ସଫଳ ହକ୍ ଭାବେ ନିଜର ସ୍ଥିତି ଜାହିର କରିଛି। ଏଥିରେ ଉଭୟ ଧନ ଓ ଜ୍ଞାନର ଉପାସନା କରାଯାଉଛି। ଏହା ବୈଶ୍ୱିକ ସେବା ଯୋଗାଣ କ୍ଷେତ୍ରରେ ଭାରତକୁ ଅଗ୍ରଗାମୀ କରାଇବା ନିଶ୍ଚିତ ଆନନ୍ଦର ବିଷୟ। ଏଠାରେ ବିଶ୍ୱର ଶ୍ରେଷ୍ଠ ପ୍ରତିଭା ଓ ମସ୍ତିଷ୍କ ମାନ ନିୟୋଜିତ ଏବଂ ସେମାନେ ନିଜର ଜ୍ଞାନର ଉପଯୋଗ କରି ଧନ ଅର୍ଜନ କରୁଛନ୍ତି। ଅର୍ଥ ଓ ବ୍ୟବସାୟ କ୍ଷେତ୍ରର ଭାରତର ଶ୍ରେଷ୍ଠତାର ପୂର୍ବ ଗୌରବ ଫେରାଇ ଆଣିବାରେ ଗିଫ୍ଟସିଟି ଏକ ମାଧ୍ୟମ ପାଲଟିଛି। ସମୃଦ୍ଧ ଫିନ୍‌ଟେକ୍ କ୍ଷେତ୍ର କେବଳ ବେପାର ବଣିକକୁ ସୁଗମ କରିବାକୁ ଉଦ୍ଦିଷ୍ଟ ନୁହେଁ, ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କୁ ଉତ୍ତମ ଜୀବନ ଓ ନୂଆ ସୁଯୋଗ ଯୋଗାଇ ଦେବାକୁ ଅଭିପ୍ରେତ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ବଦଳିବା ସହିତ ଭାରତ ବଦଳୁଛି ଏବଂ ନୂଆ ଭାରତ ବେପାର ବଣିଜ, ଅର୍ଥ, ଟେକ୍‌ନୋଲୋଜି କ୍ଷେତ୍ରରେ ସମଗ୍ର ବିଶ୍ୱ ସହିତ ଦ୍ରୁତଗତିରେ ଯୋଡି ହେଉଛି। ବିଶ୍ୱ ବଜାର ସହିତ ସମନ୍ୱିତ ହେବା ଉପରେ ଏବେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ଏବଂ ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ। ଆମେ ମଧ୍ୟ ଏବେ ବିଶ୍ୱବଜାର ଓ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳା ସହିତ ଦ୍ରୁତଗତିରେ ଯୋଡି ହେବାରେ ଲାଗିଛୁ। ଭାରତୀୟ ଆନ୍ତର୍ଜାତିକ ସୁବିଧା ସୁଯୋଗ ସହିତ ସଂଯୋଜିତ ହେବାରେ ଗିଫ୍ଟସିଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ଦ୍ୱାରା ପାଲଟିଛି। ସମଗ୍ର ବିଶ୍ୱ ସହିତ ଆମେ ସଂଯୋଜିତ ହୋଇପାରୁଛୁ।

ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଏକ ଅନ୍ୟତମ ବୃହତ୍ ଅର୍ଥନୀତି। ଆଗକୁ ଆମ ଅର୍ଥନୀତିର ଆକାର ଆହୁରି ବଡ ହେବ। ସେଥି ପାଇଁ ଆମକୁ ଏବେଠାରୁ ପ୍ରସ୍ତୁତ ହେବାକୁ  ପଡିବ। ଏଥିପାଇଁ ନୂଆ ଅନୁଷ୍ଠାନ, ପ୍ରତିଷ୍ଠାନ ମାନ ଆମର ଲୋଡା; ଯାହା ଆମର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱ ଅର୍ଥନୈତିକ ଚାହିଦାକୁ ପୂରଣ କରିବାରେ ସମର୍ଥ ହୋଇପାରିବ। ଇଣ୍ଡିଆ ଇଣ୍ଟର ନ୍ୟାସନାଲ ବୁଲିୟନ ଏକ୍ସଚେଞ୍ଚ-ଆଇଆଇବିଏକ୍ସ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ଅବସରରେ ସେ ଭାରତୀୟ ମହିଳା ଆର୍ଥିକ ସଶକ୍ତିକରଣରେ ସୁନାର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ପରିଚୟ କେବଳ ଏକ ବଡ ବଜାରରେ ସୀମିତ ହୋଇ ରହିବା ଅନୁଚିତ। ଏହା ବଜାର ନିର୍ମାଣ ବା ମାର୍କେଟ ନିର୍ମାତା ହେବା ଆବଶ୍ୟକ। ଗୋଟିଏ ପଟରେ ଆମେ ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ପୁଞ୍ଜି ଆଣୁଥିବାବେଳେ ଅନ୍ୟପକ୍ଷରେ ଆମେ ବିଶ୍ୱ କଲ୍ୟାଣ ପାଇଁ ସ୍ଥାନୀୟ ଉତ୍ପାଦକତାକୁ ବିନିଯୋଗ କରୁଛୁ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଥିଲେ, ବିଶ୍ୱର ଅର୍ଥନୀତିକ ସଙ୍କଟ ଓ ଯୋଗାଣ ଶୃଙ୍ଖଳା ବିଘ୍ନିତ ହେବା ସମୟରେ ଭାରତ ସାରା ପୃଥିବୀକୁ ଉଚ୍ଚ ମାନର ସାମଗ୍ରୀ ଓ ସେବା ଯୋଗାଇ ଦେବାରେ ସଫଳ ହୋଇଥିଲା। ଏକବିଂଶ ଶତାବ୍ଦୀ ଅର୍ଥ ଓ ଟେକ୍‌ନୋଲୋଜିର ଯୁଗ। ଏହି ଦୁଇ କ୍ଷେତ୍ର ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି। ଟେକ୍‌ନୋଲୋଜି, ବିଜ୍ଞାନ ଓ ସଫ୍ଟଓୟାର  କ୍ଷେତ୍ରରେ ଭାରତର ଉଭୟ ଅଗ୍ରଣୀ ଓ ଅଭିଜ୍ଞ। ତେଣୁ ଏହି ଶକ୍ତି ଓ ସାମର୍ଥ୍ୟର ଶ୍ରେଷ୍ଠ ଉପଯୋଗ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଆଶାବ୍ୟକ୍ତ କରିଛନ୍ତି ଯେ ଗିଫ୍ଟ – ଆଇଏଫ୍‌ଏସ୍‌ସି ଫିନ୍‌ଟେକ କ୍ଷେତ୍ରରେ ବୈଶ୍ୱିକ ପ୍ରୟୋଗଶାଳାରେ ପରିଣତ ହେବ ଏବଂ ଇନେଭେସନ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିବ। ବିଶ୍ୱର ଅର୍ଥ ଓ ବାଣିଜ୍ୟ ବ୍ୟବସ୍ଥାରେ ନୂଆ ମାନ ଓ ନିୟାମକ ସ୍ଥାପନ କରି ଆଇଏଫ୍‌ଏମ୍‌ସିଏ ବିଶ୍ୱର ମନ ପସନ୍ଦରେ ଆବ୍ରି୍ରଟେସନ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ଦୁବାଇ ଓ ସିଙ୍ଗାପୁର ଭଳି ଦେଶଠୁ ଏ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିବାକୁ ହେବ।

ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଭୂମିକାକୁ ସେ ପ୍ରଶଂସା କରିବା ସହିତ ଏ କ୍ଷେତ୍ରରେ ଅଧିକ ସହଯୋଗ କାମନା କରିଛନ୍ତି।