Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଜଙ୍ଗଲ ବିଭାଗ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ

ଭୁବନେଶ୍ୱର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବ। ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ଏସବୁ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ୭୦ କୋଟି ଟଙ୍କା ବିନିଯୋଗ କରାଯାଇଥିଲା।

ଚାରା ରୋପଣ, ଚାରା ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଚାରା ଉତ୍ପାଦନ, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ଚତୁଃପାଶ୍ୱର୍ରେ ଟ୍ରେଞ୍ଚ ଖନନ, ମୂଲ୍ୟବାନ କାଠ ଉଦ୍ଧାର, ଜଙ୍ଗଲ ରାସ୍ତା ନିର୍ମାଣ ଆଦି ବନ ପ୍ରକଳ୍ପଗୁଡ଼ିକୁ ନରେଗା କମିଟି ମଞ୍ଜୁରୀ ପ୍ରଦାନ କରିଥାଏ । ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଜଙ୍ଗଲ ରାସ୍ତା ମରାମତି କାର୍ଯ୍ୟ ହାତକୁ ନିଆଯାଉଛି ।

ଚଳିତ ବର୍ଷ ଏହି ଯୋଜନାରେ ରାଜ୍ୟର ୪୦ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ ଓ ୫ ହଜାର ଧାଡ଼ି କିଲୋମିଟର ବୃକ୍ଷ ରୋପଣ କାର୍ଯ୍ୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଛଡ଼ା ସମସ୍ତ ହିତାଧିକାରୀମାନଙ୍କୁ ୩ କୋଟି ୫୦ ଲକ୍ଷ ସଂଖ୍ୟକ ଚାରା ବଣ୍ଟନ କରାଯିବ।

ଅଗଷ୍ଟ ୧୫, ୨୦୨୦ ସୁଦ୍ଧା ରାଜ୍ୟରେ ୧୭ ହଜାର ୩୪୦ ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ, ୨ ହଜାର ୬୮୭ ଧାଡ଼ି କିଲୋମିଟର ବୃକ୍ଷ ରୋପଣ
ଏବଂ ୫୮ ଲକ୍ଷ ଚାରା ବଣ୍ଟନ କାଯ୍ୟ ସମାପ୍ତ ହୋଇ ସାରିଛି ।