Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ବନ୍ଧୁମିଳନ: ଗୁରୁଙ୍କ ଯୋଗଦାନରେ ଭାବବିହ୍ଵଳ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ଐତିହାସିକ ବନ୍ଧୁମିଳନ ରବିବାର ମହାବିଦ୍ୟାଳୟ ନିକଟରେ ଥିବା ମାଆ ଉତ୍ତରାୟଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରେ ଚାକିରୀ କରୁଥିବା ଅନେକ ବନ୍ଧୁ ମଧ୍ୟ ଆସି ଯୋଗଦାନ କରିଥିଲେ।

ପ୍ରାରମ୍ଭରେ ପୁରାତନ ଛାତ୍ର ତଥା କାର୍ଯ୍ୟକ୍ରମର ସଭାପତି ରଞ୍ଜନ କୁମାର ନାୟକ, କୋର୍ କମିଟି ସଦସ୍ୟ ସିଦ୍ଧାର୍ଥ ଶଙ୍କର ଶ୍ୟାମପଦ ଦାସ, ରଞ୍ଜୟ କୁମାର ସାହୁ, ଅଶୋକ ଘଡାଇ ଓ ସୁମିତ ପ୍ରଜ୍ଞ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ମାଆ ସରସ୍ୱତୀ, ବିଦ୍ୟାଦାତା ଶ୍ରୀଗଣେଶ ଓ ମାଆ ଉତ୍ତରାୟଣୀଙ୍କଠାରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।

ଏହି ସମୟରେ କଲେଜର ଅଧ୍ୟକ୍ଷ ତଥା ଗୁରୁଙ୍କୁ ଦେଖି ପୁରାତନ ଛାତ୍ରଛାତ୍ରୀମାନେ ଭାବ ବିହ୍ଵଳ ହୋଇପଡିଥିଲେ। ସେହିଭଳି ତାଙ୍କର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ପାଖରେ ପାଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ ସ୍ମରଣୀୟ କଥାଗୁଡିକ ଛାତ୍ରଛାତ୍ରୀମାନଙ୍କୁ ମନେ ପକାଇଦେଇଥିଲେ। ଗୁରୁଙ୍କଠାରୁ ସେହି ଅଭୂଲା ସ୍ମୃତିଗୁଡ଼ିକ ଶୁଣି କିଛି ଛାତ୍ରଛାତ୍ରୀଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ଶେଷରେ କଲେଜ ଆଉ ଅଞ୍ଚଳର ଉନ୍ନତି ପାଇଁ ଆମେ ସମସ୍ତେ ଏକାଠି ମିଶି କାମ କରିବା ବୋଲି ଛାତ୍ରାଛାତ୍ରୀମାନଙ୍କୁ ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ।

ଏହା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ୍ ସାଂସ୍କୃତିକ କାର୍ଯ୍ୟକ୍ରମ। ପୁରାତନ ଛାତ୍ର ଶକ୍ତି ପ୍ରସାଦ ଦାଶ ତାଙ୍କର ସୁମଧୁର କଣ୍ଠରୁ ଆଧୁନିକ ଓ ଶାସ୍ତ୍ରୀୟ ଗୀତ ଗାନ କରି ସମସ୍ତଙ୍କ ମନ ଜିଣିପାରିଥିଲେ। ତାଙ୍କର ଦମଦାର୍ ଡାଇଲଗ୍ ସାଙ୍ଗକୁ ବିଚକ୍ଷଣ ସଂଯୋଜନା ସମସ୍ତଙ୍କୁ ଆମୋଦିତ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମରେ ପୁରାତନ ଛାତ୍ର ରାଜୀବ କୁମାର ଜେନାଙ୍କ କନ୍ୟା ଦିବ୍ୟଶ୍ରୀ ପ୍ରିୟଦର୍ଶିନୀ ଓ ଶକ୍ତି ପ୍ରସାଦ ଦାଶଙ୍କ କନ୍ୟା ସାତ୍ୟକୀ ଦାଶଙ୍କ ଆଧୁନିକ ନୃତ୍ୟ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ଏହା ସାଙ୍ଗକୁ ପୁରାତନ ବନ୍ଧୁଙ୍କ ମଧ୍ୟରେ ଗ୍ରୁପ୍‌ଡ୍ୟାନ୍ସ, କମେଡ଼ି ଓ ପୁରାତନ ବନ୍ଧୁଙ୍କ ପୁତ୍ରକନ୍ୟାଙ୍କ ଲାଗି ବିଭିନ୍ନ ପ୍ରକାରର ଖେଳକୌତୁକର ବ୍ୟବସ୍ଥା ହୋଇଥିଲା।

ସଭାସ୍ଥଳରେ ପ୍ରସ୍ତୁତ ହୋଇଥିବା ସେଲ୍‌ଫି ପଏଣ୍ଟ୍‌ରେ ପୁରାତନ ଛାତ୍ରଛାତ୍ରୀଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବନ୍ଧୁ ନିଜ ପରିବାର ଓ ଅନ୍ୟ ବନ୍ଧୁମାନଙ୍କ ସହ ଭିନ୍ନ ଭିନ୍ନ ମୁଦ୍ରାରେ ସେଲ୍‌ଫି ନେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସାଧାରଣ ସଭା।

କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦିଲ୍ଲୀପ କୁମାର ସ୍ୱାଇଁ ଓ କୋର୍ କମିଟି ସଦସ୍ୟା ପୂଜାଫୁଲ ମହାରଥୀଙ୍କ ସଂଯୋଜନାରେ ସମସ୍ତ ବନ୍ଧୁ ବିଗତ ଦିନର ସ୍ମୃତି ବଖାଣିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ କୋର୍ କମିଟି ସଦସ୍ୟ ସୁଧୀର କୁମାର ମିଶ୍ର, ରାଜୀବ କୁମାର ଜେନା, ହିମାଂଶୁ ଶେଖର ପ୍ରଧାନ, ଟି. ମୋହନ, ଅରୁଣ କୁମାର ବାରିକ, ବିମଲ ନାୟକ ଓ ଜିତେନ୍ଦ୍ରିୟ ନାୟକ  ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୌଭାଗିନୀ ପଣ୍ଡା, ଶୀଖାଲତା ଜେନା, ସସ୍ମିତାରାଣୀ ବିଶୋୟୀ, ପ୍ରଣତି ମିଶ୍ର, ଶୁଭଶ୍ରୀ ତ୍ରିପାଠୀ, ଅନୀତା ଦାଶ, ଶୁଭଶ୍ରୀ ଭୋଳ, ଧନେଶ୍ୱର ଭୋଳ, ଜିତେନ୍ଦ୍ର କୁମାର ସାହୁ, ବାମନ ଚରଣ ବେହେରା, ହିମାଂଶୁ ଶେଖର ବେହେରା, ନିରଞ୍ଜନ ସାହୁ, ସଞ୍ଜୟ କୁମାର ବେହେରା, ତପସ୍ୱିନୀ ରଣା, ସଞ୍ଜୟ କୁମାର ଗୁରୁ, ଶକ୍ତିମାନ୍ ପାତ୍ର, ଅନୀଲ କୁମାର ପାତ୍ର, ବିଶୁଦ୍ଧ ପ୍ରସାଦ ବଡ଼ଜେନା, ସୁରେଶ କୁମାର ଜେନା, ସୀମାଞ୍ଚଳ ନାୟକ, ଅମୀର କୁମାର ପଣ୍ଡା, ରଙ୍ଗନାଥ ବେହେରା, ବି. ଏନ୍‌. ପାତ୍ର, ଅରୁଣକାନ୍ତ ନାୟକ, ପ୍ରଭାତ କୁମାର ବାରିକ, ସର୍ବେଶ୍ୱର ନାୟକ, ସ୍ୱାଗତ କୁମାର ପ୍ରଧାନ, କୁନା ମୁଦୁଲି, ଜିତେନ୍ଦ୍ର ନାୟକ, ରଣଜିତ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଚୈତନ୍ୟ ଦାସ, ଅରବିନ୍ଦ ନନ୍ଦ, ରୀନା ରାଉତ, ରୂପେଶ କୁମାର ଦାସ, ଗୀତାଞ୍ଜଳି ସୁବୁଦ୍ଧି ଓ ଗୁରୁଦତ୍ତ ବଳିୟାରସିଂହଙ୍କ ସମେତ ୨ ଶହରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଅନ୍ତ ହେବ ୨୧ ବର୍ଷର ଅପେକ୍ଷା: ୨୨ ରେ ବନ୍ଧୁମିଳନ ପାଇଁ ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ନିଷ୍ପତ୍ତି

ଭୁବନେଶ୍ୱର: ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ପଢା ଶେଷ କରିବା ପରେ ବହୁ ବର୍ଷ ଧରି ବନ୍ଧୁମାନେ ଏକାଠି ହେବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ବ୍ୟସ୍ତ ବହୁଳ ଜୀବନଶୈଳୀ ବାଧା ସୃଷ୍ଟି କରିଥିଲା। ଛାତ୍ରଜୀବନ ଆଉ ବର୍ତ୍ତମାନ ଜୀବନ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଥିବା ଯୋଗୁଁ ପରସ୍ପରକୁ ଏକାଠି ପାଇ ଜଣେ ଅନ୍ୟ ଜଣଙ୍କର ବିଷୟରେ ଜାଣିବାର ଜିଜ୍ଞାସା ଏବେ ବୃଦ୍ଧି ପାଇଛି। ଶେଷରେ ସେମାନେ ସେହି କଳ୍ପନାକୁ ବାସ୍ତବରେ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ବନ୍ଧୁ ମିଳନ ଉତ୍ସବକୁ ମହାଧୂମଧାମରେ ପାଳନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ବନ୍ଧୁମାନେ ନିଶ୍ଚିତ କରିଛନ୍ତି। ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦ ରୁ ଉର୍ଦ୍ଧ୍ଵ ବନ୍ଧୁମାନେ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଛନ୍ତି। ଯଦିବା ଉକ୍ତ ଉତ୍ସବ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ପାଳନ କରାଯାଉଛି, କିନ୍ତୁ ପ୍ରଥମ ଥର ଅନେକ ବନ୍ଧୁଙ୍କ ଅନୁପସ୍ଥିତି ଯୋଗୁଁ ଉକ୍ତ ଉତ୍ସବରେ ଯୋଗ ଦେଇଥିବା ବନ୍ଧୁମାନଙ୍କୁ ନିରାଶ କରିଛି। ହେଲେ ଏଥର ବହୁ ସଂଖ୍ୟାରେ ବନ୍ଧୁମାନେ ଯୋଡ଼ି ହେବା ସହ ଉକ୍ତ ଉତ୍ସବକୁ ଭବ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରାଯାଇଛି।

ଚଳିତ ମାସ ୨୨ ତାରିଖ ରବିବାର ଦିନ ଏହି ବନ୍ଧୁମିଳନ ପର୍ବ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ବୃକ୍ଷରୋପଣ, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବାର ଯୋଜନା ରହିଛି।

ପୂର୍ବାହ୍ନ ୧୧ଟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଉକ୍ତ ବନ୍ଧୁ ମିଳନ ପର୍ବ ପାଇଁ ଦିଲ୍ଲୀପ ସ୍ୱାଇଁଙ୍କୁ ମୁଖ୍ୟ ସଂଯୋଜକ ଭାବେ ଚୟନ କରାଯାଇଥିଲା। ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଭାସୀ ବୈଠକରେ ସିଦ୍ଧାର୍ଥ ଶଙ୍କର ଶ୍ୟାମପଦ ଦାସ, ରଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ବଳିୟାରସିଂହ, ଅଶୋକ କୁମାର ଘଡ଼େଇ, ସୁମିତ ପ୍ରଜ୍ଞ ଷଡ଼ଙ୍ଗୀ, ସୁଧୀର କୁମାର ମିଶ୍ର, ଶକ୍ତିମାନ ପାତ୍ର, ଶକ୍ତି ପ୍ରସାଦ ଦାଶ, ଅନୀଲ ପାତ୍ର, ଅଶୋକ କୁମାର ତରାଇ, ସଞ୍ଜୟ ବେହେରା, ରାଜୀବ କୁମାର ଜେନା, ଅରୁଣ କୁମାର ନାୟକ, ଅରୁଣ କୁମାର ବାରିକ, ବିକାଶ କୁମାର ବରାଳ, ଶୁଭଶ୍ରୀ ଭୋଳ, ଧନେଶ୍ୱର ଭୋଳ, ସଞ୍ଜୟ ଗୁରୁ, ବିରଞ୍ଜି ନାରାୟଣ ପାତ୍ର, ସୀମାଞ୍ଚଳ ନାୟକ, ରୀନା ରାଉତ, ସୌଭାଗିନୀ ପଣ୍ଡା, ସର୍ବେଶ୍ୱର ନାୟକ, ସ୍ୱାଗତ ପ୍ରଧାନ, ପୂଜାଫୁଲ ମହାରଥୀ ଓ ହିମାଂଶୁ ଶେଖର ପ୍ରଧାନଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଦୂର ଦୂରାନ୍ତରେ ଥିବା ୨୦୦୪ ମସିହାରେ ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଓ କଳା ଡିଗ୍ରୀ ବିଭାଗରୁ ପଢ଼ା ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ବନ୍ଧୁ ମିଳନ ପର୍ବରେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟ ସଂଯୋଜକ ଦିଲ୍ଲୀପ କୁମାର ସ୍ୱାଇଁ ନିବେଦନ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଶାଳିଆ ପ୍ରେସ କ୍ଲବର ବାର୍ଷିକ ଆଲୋଚନା ଚକ୍ର ଓ ବନ୍ଧୁମିଳନ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର ଇଂରାଜୀ ନବବର୍ଷ ଅବସରରେ ଆଜି ବାଣପୁର ସ୍ଥିତ ମା’ ଉତ୍ତରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ, ବାଣପୁର, ଚିଲିକା ଅନ୍ତର୍ଗତ ସାମ୍ବାଦିକଙ୍କୁ ନେଇ ଗଠିତ ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସହ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ।ସଂଘର ଉପଦେଷ୍ଟା ଅରୁଣ କୁମାର ପଣ୍ଡା, ତ୍ରିଲୋଚନ ସାହୁ, ରବିନାରାୟଣ ପଣ୍ଡା ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର କର୍ମକର୍ତ୍ତା ଶିବଶକ୍ତି ସାସମଲ, ଚନ୍ଦନ ସୁନ୍ଦରାୟ, ସୁଧୀର ପାତ୍ର, ଚରଣ ମୁଆଁଖିଆ ପ୍ରମୁଖ ସହଯୋଗ କରିଥିଲେ। ଏହି ସମୟରେ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କର ୨୨ ତମ ବନ୍ଧୁମିଳନ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ବଡ଼ଦିନ ଅବସରରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ନିର୍ଦ୍ଧାରିତ ଏହି ଦିନରେ ବନ୍ଧୁମିଳନର ଆୟୋଜନ କରାଯାଇଥାଏ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଏହି ପରିଷଦର ଶିକ୍ଷକ ସଭାପତି ବିପିନ କୁମାର ସାହୁ ଯୋଗଦାନ କରି ନିଜର ଅଭିଭାଷଣରେ ‘ପୁରାତନ ବିଦ୍ୟାର୍ଥୀମାନେ ବିଦ୍ୟାଳୟର ଗୌରବ, ସେମାନେ ସମାଜରେ ପ୍ରତିଷ୍ଠା ଲାଭ କଲେ ମାତା-ପିତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଆନନ୍ଦିତ ହେବେ’ ବୋଲି କହିଥିଲେ।

ଏହି ଅବସରରେ ପୁରାତନ ଛାତ୍ର ପରିଷଦର ଶିକ୍ଷକ ଉପସଭାପତି ଶିତିକଣ୍ଠ ପତି ବିଦ୍ୟାଳୟର ଗୌରବ ବୃଦ୍ଧିନିମନ୍ତେ ପୁରାତନ ଛାତ୍ରମାନେ ପ୍ରୟାସ କରିବା ଉଚିତ ବୋଲି କହିଥିଲେ। ପ୍ରାକ୍ତନ ସମାଜବିଜ୍ଞାନ ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ପୁରାତନ ବିଦ୍ୟାର୍ଥୀମାନଙ୍କୁ ନିଜର ଦୀର୍ଘଦିନର ଶିକ୍ଷା ଅଭିଜ୍ଞତାରୁ କିଛି ଉପଦେଶାତ୍ମକ କଥା କହିବା ସହ ଦୁନିଆରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ପରିଷଦର ସଂଯୋଜିକା ଶିକ୍ଷୟିତ୍ରୀ ଜ୍ୟୋସ୍ନା ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଶିକ୍ଷକ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାମଲ, ଶୁଭ୍ରାଂଶୁ ମୋହନ ଦାଶ, ଅଖିଳ ରଞ୍ଜନ ଦାଶ ଆଦି ଅନେକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଚିଲିକା ବ୍ଲକ୍ ଅନ୍ତର୍ଗତ ଇଞ୍ଜନପୁରସ୍ଥିତ ଚିଲିକା ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୯୮୪ ମସିହା ବାଲୁଗାଁ ଉଚ୍ଚବିଦ୍ୟାଳୟର ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୭ ବର୍ଷ ବ୍ୟବଧାନ ପରେ ଭାରତୀୟ ନୌସେନା କମାଣ୍ଡର ତପନ କୁମାର ସାହୁଙ୍କ ପୌରହିତ୍ୟରେ ଅତୀତ ସାଥିସାଙ୍ଗମାନଙ୍କୁ ବିଭିନ୍ନ ପ୍ରାନ୍ତରରୁ ଯୋଗାଯୋଗ କରି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ତଥା କର୍ମମୟ ଜୀବନ ଭିତରେ ନିଜ ନିଜର ଭାବବିହୋଳତାକୁ ଉପସ୍ଥାପନା କରି ଆଜି ପୂର୍ବାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥି ଭାବେ ତତ୍‌କାଳୀନ ପ୍ରଧାନଶିକ୍ଷକ ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ବିଗତ ଛାତ୍ରଜୀବନ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ନିଜର କର୍ତ୍ତବ୍ୟନିଷ୍ଠା ତଥା ସମାଜସେବୀର ପରିଚୟ ସୃଷ୍ଟି କରିପାରି ସମ୍ପୃକ୍ତି ଅଞ୍ଚଳରେ ବିକାଶଧାରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏଥିସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତମାନର ଶିକ୍ଷା ପ୍ରସାରଣ କରିବା ପାଇଁ ଶ୍ରୀ ସାହୁ ପ୍ରତ୍ୟେକ ବର୍ଷ ଅଷ୍ଟମଶେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଏବଂ ସର୍ବୋଚ୍ଚ ମାର୍କ ଧାରଣ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେବେ ବୋଲି ଘୋଷଣା କରିଥିଲେ। ଏଭଳି ଏକ ମହତ୍ କାର୍ଯ୍ୟକୁ ଉତ୍କଣ୍ଠାର ସହ ତାଙ୍କର ସହଧର୍ମୀଣୀ ମାମାଲି ସାହୁ, ଦୁଇକନ୍ୟା ତେଜସ୍ୱୀ ସାହୁ, ଇତିଶ୍ରୀ ସାହୁଙ୍କ ସମେତ ଅତୀତର ବନ୍ଧୁ ଏବଂ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ କୋଭିଡ୍ କଟକଣାର ନିୟମ ଅନୁଯାୟୀ ପାଳନ କରାଯାଇଥିବା ବେଳେ ସ୍କୁଲ୍ ପରିବେଶରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ମାଇନର ସ୍କୁଲର ୧୯୯୫-୯୬ ବ୍ୟାଚର ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଖ୍ୟାତିସମ୍ପର୍ଣ୍ଣ ସର୍ବପୁରାତନ ସ୍କୁଲ ବାଣପୁର ମାଇନର ସ୍କୁଲର ୧୯୯୫-୯୬ ମସିହାର ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଓଡ଼ିଶାର ପ୍ରଖ୍ୟାତ କବି ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଉଚ୍ଚତ୍ତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ତଦନାନ୍ତନ ପ୍ରଧାନଶିକ୍ଷକ ବ୍ରଜସୁନ୍ଦର ମହାପାତ୍ର, ସହକାରୀ ଶିକ୍ଷକ ତ୍ରିନାଥ ପ୍ରଧାନ, ଶିବପ୍ରସାଦ ମିଶ୍ର, ବାଳମୁକନ୍ଦ ଦାସ ଓ ଶିକ୍ଷୟିତ୍ରୀ ସୁଜାତା ପାତ୍ରଙ୍କୁ ଯଥୋଚିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ପୁରାତନ ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର ସ୍ବାଗତ ଭାଷଣଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରି ଏପରି ବନ୍ଧୁମିଳନରେ ଗୁରୂପୁଜନ ପରମ୍ପରା ସଦାସର୍ବଦା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଦିବଂଗତ ଶିକ୍ଷକ କାହ୍ନୁଚରଣ ରାୟ ଓ ଜ୍ୟୋତିର୍ମୟୀ ମହାନ୍ତିଙ୍କ ଆତ୍ମାର ସଦ୍ଗତି ପ୍ରାର୍ଥନା ପରେ ପୁରାତନ ଛାତ୍ର ଜାନକୀ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର, ହରିହର ସୁବୁଦ୍ଧି, ଶେଖ୍ ହୁସେନ, ସୁଶାନ୍ତ ସାହୁ ଓ ରେଣୁବାଳା ଦାସଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସାଧାରଣତଃ କଲେଜ ଓ ମ୍ୟାଟ୍ରିକସ୍ତରରେ ବନ୍ଧୁମିଳନ ଦେଖିବାକୁ ମିଳୁଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ବାଣପୁରରେ ପ୍ରଥମତଃ ଅନୁଷ୍ଠିତ ହୋଇଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଥିଲେ।