Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଆର୍ଟ ଅଫ ଲିଭିଂ ଦ୍ୱାରା “ସ୍ୱାସ୍ଥ୍ୟ ଓ ଆନନ୍ଦ” କର୍ମଶାଳା ଆୟୋଜିତ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ପ୍ରଭାବ ସତ୍ତ୍ୱେ ନିଜକୁ, ନିଜ ପରିବାରକୁ ଓ ନିଜର କାର୍ଯ୍ୟଧାରାକୁ କୁଶଳତା ପୂର୍ବକ ଗଢିତୋଳିବାର ସଂକଳ୍ପ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବି.ଡି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ। ଆଜି ଅପରାହ୍ନରେ ଏହି ଉଦ୍ଦେଶ୍ୟରେ ବାଣପୁର ବ୍ଲକ କାର୍ଯ୍ଯାଳୟ ସଭାଗୃହରେ ଆର୍ଟ ଅଫ ଲିଭିଂ ଦ୍ୱାରା ଏକ “ସ୍ୱାସ୍ଥ୍ୟ ଓ ଆନନ୍ଦ” କର୍ମଶାଳା ବି.ଡ଼ି.ଓଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା।

ଏହି କର୍ମଶାଳାକୁ ଆର୍ଟ ଅଫ ଲିଭିଂ ବାଣପୁର ଶାଖାର ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ପରିଚାଳନା କରିଥିଲେ। କର୍ମଶାଳା ରେ ଶ୍ରୀ ମିଶ୍ର ଜୀବନ ଜିଇଁବାର କଳା, ଚାପ ମୁକ୍ତ ଜୀବନ ନିଜର ଓ ସମାଜର ଉନ୍ନତି କରିବା ଦିଗରେ ସମ୍ୟକ ସୂଚନା ସହ ରୋଗ ମୁକ୍ତ ଜୀବନ ପାଇଁ ଯୋଗ, ଆସନ, ଧ୍ୟାନ ଓ ପ୍ରାଣାୟମ କେତେ ଜରୁରୀ ତାହା ଉପରେ ଆଲୋକପାତ କରାଇଥିଲେ। କର୍ମଶାଳା ରେ ବି.ଡି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ, ଏ.ବି.ଡି.ଓ ସୀମାଦ୍ରୀ ପାତ୍ରଙ୍କ ସମେତ ୫୦ ଜଣ କର୍ମଚାରୀ ଭାଗନେଇଥିଲେ।

ପରିଶେଷରେ ବି.ଡି.ଓ ଉକ୍ତ ବ୍ଲକ କୁ ଏକ ଆଦର୍ଶ ବ୍ଲକରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଉକ୍ତ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ରୂପେ ବି.ଡ଼ି.ଓ ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଏହି କର୍ମଶାଳା ଏକ ସୁଖଦ ଅନୁଭବ ବୋଲି ବ୍ଲକର ସମସ୍ତ କର୍ମଚାରୀମାନେ ମତବ୍ୟକ୍ତ କରିବା ସହ ଏପରି କାର୍ଯ୍ୟକ୍ରମର ଆୟୋଜନ ପାଇଁ ବି.ଡ଼ି.ଓ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

 

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ବ୍ଲକ ଆୟତପୁର ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ମନମାନି: ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତରେ ରାସନ ସାମଗ୍ରୀ ଏବଂ ଭତ୍ତା ବଣ୍ଟନରେ ଦେଖାଯାଇଛି ସାଙ୍ଘାତିକ ଅନିୟମିତତା। ପଞ୍ଚାୟତବାସି ସେପ୍ଟେମ୍ବର ମାସର ରାସନ ସାମଗ୍ରୀ ଓ ଭତ୍ତା ଆଜି ସୁଦ୍ଧା(୨୨.୦୯.୨୦) ପାଇନାହାନ୍ତି। ଯାହାଦ୍ୱାରା ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ନିୟମ ମୁତାବକ ରାସନ ସାମଗ୍ରୀ ପଞ୍ଚାୟତ ରେ ପ୍ରତି ମାସର ପ୍ରଥମ ସପ୍ତାହ ସୁଦ୍ଧା ଏବଂ ଭତ୍ତା ପ୍ରତି ମାସର ୧୫ ତାରିଖ ସୁଦ୍ଧା ବଣ୍ଟାଯିବା କଥା କିନ୍ତୁ ଆୟତ୍ତପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଯାଇଛି।

ମୁଖ୍ୟମନ୍ତ୍ରୀ ଗରିବଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଥିବାବେଳେ ଏଠି କିଛି ସରକାରୀ କର୍ମଚାରୀଙ୍କ ମନମାନି ଲାଗି ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତବାସି। ହେଲେ ଏ ନେଇ ଆୟତ୍ତପୁର ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେଠିଙ୍କୁ ପଚାରିବାରୁ ରାସନ ସାମଗ୍ରୀ ଚଳିତ ମାସ ୧୫ ତାରିଖରେ ପଞ୍ଚାୟତକୁ ଆସିଥିବାର କହିଥିଲେ ଏବଂ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ରାସନ ସାମଗ୍ରୀ ବଣ୍ଟାଯାଇପାରୁନାହିଁ ବୋଲି ଶ୍ରୀ ସେଠି କହିଥିଲେ। ହେଲେ ଯୋଗାଣ ସହାୟକ ଆଦିତ୍ୟ ଦଳାଇ ଅଲଗା ଉତ୍ତର ଦେଇଛନ୍ତି। ସେ ରାସନ ସାମଗ୍ରୀ ଚଳିତ ମାସ ଦୁଇ ତାରିଖରେ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି ଏବଂ କଣ୍ଟନମେଣ୍ଟ ଜୋନ ଲାଗି ବଣ୍ଟାଯାଇପାରୁନାହିଁ ବୋଲି କହିଛନ୍ତି।

ତେବେ କଣ୍ଟେନମେଣ୍ଟ ଜୋନ କେବଳ ଆୟତପୁର ଗ୍ରାମ ଚଳିତ ମାସ ୧୬ ତାରିଖରୁ ଲାଗୁହୋଇଅଛି ଓ ୨ ତାରିଖରୁ ୧୬ ତାରିଖ ଯାଏଁ ଆୟତପୁର ଗ୍ରାମ ଏବଂ ୨ ତାରିଖରୁ ୨୨ ତାରିଖ ଯାଏଁ ପଞ୍ଚାୟତର ଅନ୍ୟ ଗ୍ରାମଗୁଡିକରେ କଣ ପାଇଁ ରାସନ ବଣ୍ଟାଯାଇନାହିଁ ବୋଲି ପ୍ରଶ୍ନ କରାଯିବାରୁ ଯୋଗାଣ ସହାୟକ ମହୋଦୟ ୧୪ ଦିନ ହେଲା ଗତ ମାସର କୋଭିଡ ନିଃଶୁଳ୍କ ଚାଉଳ ବାଂଟିଥିବାର କହିଛନ୍ତି।

ଅନୁରୂପ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୃତ ବେହେରାଙ୍କୁ ଏ ନେଇ ପଚରାଯିବାରୁ ଭତ୍ତା ପାଇଁ ଏଯାବତ ବି.ଡ଼ି.ଓ ଆଦେଶ କରିନାହାନ୍ତି ଏବଂ ରାସନ ସାମଗ୍ରୀ ଯଥାଶୀଘ୍ର ବଣ୍ଟାଯିବ ବୋଲି କହିଛନ୍ତି। ହେଲେ ୨୨ ଦିନ ଯାଏଁ କଣ ପାଇଁ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟାଯାଇନାହିଁ ବୋଲି ପ୍ରଶ୍ନର ସନ୍ତୁଷ୍ଟମୂଳକ ଉତ୍ତର ଦେଇପାରିନଥିଲେ। ଏ ବିଷୟ ନେଇ ବାଣପୁର ବି.ଡ଼ି.ଓ ଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବପରହୋଇପାରିନାହିଁ।

ତେବେ ଏହି ମହାମାରୀ ସମୟରେ ଗରିବଙ୍କ ପାଇଁ ସରକାର ଅଗ୍ରୀମ ରାସନ ସାମଗ୍ରୀ ଦେବାର ବ୍ୟବସ୍ଥା କରୁଥିବା ବେଳେ ଏଠି ସରକାରୀ କର୍ମଚାରୀଙ୍କ ମନାମାନୀ ଲାଗି ସମଗ୍ର ପଞ୍ଚାୟତ ବାସିଙ୍କୁ ରାସନ ସାମଗ୍ରୀ ମିଳିବାରେ ବିଳମ୍ବ ହେଉଛି ଏବଂ ଯଦି ଏହାର ବିରୋଧ କରୁଛନ୍ତି ତେବେ ଲୋକେ ଧମକ ଏବଂ ଗାଳିର ଶିକାର ହେଉଛନ୍ତି।

ଦୁଇ ତାରିଖରେ ରାସନ ସାମଗ୍ରୀ ଆସି ଯଦି ୨୨ ତାରିଖ ଯାଏଁ ବଣ୍ଟାଯାଉନାହିଁ ତାହାଲେ ଏହା ପଛର ରହସ୍ୟ କଣ ଏ ଯାଏଁ ଜଣାପଡ଼ୁନାହିଁ ହେଲେ କିଛି ପରୋକ୍ଷ ସୂତ୍ରରୁ ସୂଚନା ରହିଛି ଯେ ସରପଞ୍ଚ ଏବଂ ୱାର୍ଡ ମେମ୍ବରମାନଙ୍କ ଅନ୍ତର୍ଦ୍ୱନ୍ଦ ଲାଗି ଆଜି ଯାଏଁ ରାସନ ସାମଗ୍ରୀ ବଣ୍ଟାଯାଇପାରୁନାହିଁ। ହେଲେ ଦେଖିବାକୁ ବାକି ରହିଲା ବାଣପୁର ବି.ଡ଼ି.ଓ ଏ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବଂ ପଞ୍ଚାୟତ ବାସି ମାନେ କେବେ ରାସନ ଓ ଭତ୍ତା ପାଉଛନ୍ତି।

Categories
ଆଞ୍ଚଳିକ

ଆଜି ପୁଣି ବାଣପୁର ବ୍ଲକର ଏହି ସବୁ ଗ୍ରାମ ହେଲା କଣ୍ଟେନମେଣ୍ଟ ଜୋନ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ବିଶେଷ କରି ବାଣପୁର ଗ୍ରାମାଞ୍ଚଳରେ ସ୍ଥିତି ବର୍ତ୍ତମାନ ବେଶ ଗମ୍ଭୀର ଅଛି। ଗତକାଲି ବାଣପୁର ବ୍ଲକର ଏକାଧିକ ଗ୍ରାମ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାସ୍ଥଳେ ଆଜି ମଧ୍ୟ ବାଣପୁର ବ୍ଲକର ଏକାଧିକ ଗ୍ରାମଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେଗୁଡିକ ହେଲା-

ନନ୍ଦପୁର ଗ୍ରାମ ପଞ୍ଚାୟତର ସୁନାକେରା ଗ୍ରାମ, ଦେଓଗାଁ ଗ୍ରାମ ପଞ୍ଚାୟତର ଦେଓଗାଁ ଏବଂ ଓଡଗାଁ ଗ୍ରାମ, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଗ୍ରାମ ଏବଂ ତୁମୁରାପୁଟ ଗ୍ରାମ ପଞ୍ଚାୟତର ପ୍ରତାପ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୭.୦୯.୨୦ ଠାରୁ ୨୪.୦୯.୨୦ ଯାଏଁ କଟକଣା ଜାରି ରହିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୭୪ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏପରିକି ଗତକାଲି ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପିଯାଇଥିଲା।  ଅନୁରୂପ ଭାବେ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଗତକାଲି ବାଣପୁର ବି.ଡ଼ି.ଓ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୨୭୬ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସାତ ଦିନ ପାଇଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା।

ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି ର ସମସ୍ତ ଅଞ୍ଚଳକୁ ତା ୧୧.୦୮.୨୦(ମଙ୍ଗଳବାର) ସନ୍ଧ୍ୟା ୭ ଘଟିକାରୁ ତା ୧୪.୦୮.୨୦(ଶୁକ୍ରବାର) ସଂଧ୍ୟା ୭ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି ସଟ ଡ଼ାଉନ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ବ୍ଲକ ଏବଂ ଏନ.ଏ.ସି ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

ସଟ ଡ଼ାଉନ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅଜୟ କୁମାର ଗୁମାନସିଂ (କନିଷ୍ଠ ଯନ୍ତ୍ରୀ, ବାଣପୁର ବ୍ଲକ) ଏବଂ ଶ୍ରୀ ସନ୍ତୋଷ ନିଆଲ(କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଣପୁର ଫାୟାର ଷ୍ଟେସନ ଅଫିସରଙ୍କୁ ସଟ ଡ଼ାଉନ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ଡ଼ି. ମହାପାତ୍ର(ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ବିଦ୍ୟୁତପ୍ରଭା ରଥ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ସହ ବାଣପୁର ମେଡିକାଲ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ବାଣପୁର ବ୍ଲକ ବି.ଡ଼ି.ଓ ଡ଼ାଃ ଶୁଭଶ୍ରୀ ତ୍ରିପାଠୀ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା।

Categories
ଆଞ୍ଚଳିକ

ବାଣପୁର ବ୍ଲକର ଦୁଇଟି ପଞ୍ଚାୟତରେ ଏହି ସବୁ ଗ୍ରାମକୁ ସଟ ଡ଼ାଉନ ଘୋଷଣା କଲେ ସରପଞ୍ଚ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତର କେତୋଟି ଗ୍ରାମକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସରପଞ୍ଚ ମନୋଜ କୁମାର ପ୍ରଧାନ। କୁମାରାଙ୍ଗ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମରେ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି କୋଭିଡ ସଂକ୍ରମିତ ହେବାରୁ ଚମ୍ପାଦେଇପୁର ଗ୍ରାମ, ହରିଜନ ସାହି ଏବଂ ପୁଞ୍ଜିଆମା ଶାସନକୁ ଆଜି ମଧ୍ୟାହ୍ନ ୧୨ ଘଟିକାରୁ ୨୭ ତାରିଖ ମଧ୍ୟାହ୍ନ ୧୨ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି।

ଏହି ସମୟରେ ସବୁ ଗ୍ରାମକୁ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଙ୍ଗ ଏବଂ ସ୍ୱାବ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ସଟ ଡ଼ାଉନ କଟକଣା ସମୟରେ କୌଣସି ବ୍ୟକ୍ତି ଘରୁ ନବାହାରିବା ପାଇଁ ଜନସାଧାରଣକୁ ନିବେଦନ କରିଛନ୍ତି ସରପଞ୍ଚ।

ଅନୁରୂପ ଭାବେ ଗତକାଲି ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜଣେ ସ୍ଥାନୀୟ ତେଜରାତି ଦୋକାନୀ କରୋନା ସଂକ୍ରମିତ ହୋଇଥିବାରୁ ସରପଞ୍ଚ ଜୋତ୍ସ୍ନା ରାଣୀ ମହାରଥା ଗମ୍ଭାରୀମୁଣ୍ଡା ବଜାରକୁ ଆଜିଠାରୁ ୭୨ ଘଣ୍ଟା ସଟ ଡ଼ାଉନ ଘୋଷଣା କରିଥିବା ସ୍ଥଳେ ପଦ୍ମପୁର ଗ୍ରାମକୁ ୩୧ ତାରିଖ ଯାଏଁ ସଟ ଡ଼ାଉନ ଘୋଷଣା କରିଛନ୍ତି। ସୂଚନା ଥାଉ କି ଦିନକୁ ଦିନ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ନରେନ୍ଦ୍ରପୁରରେ ଅଭାବନୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ବାମୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୁଲା ପ୍ରଧାନ ବାଣପୁର ଥାନାରେ ଆତ୍ମସମର୍ପଣ କରିଛି। ମୃତ ସ୍ତ୍ରୀଜଣକ ହେଉଛନ୍ତି ରୋଜାଲିନ୍‌ ପ୍ରଧାନ।

ମିିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ପୁଅ ବୁଲା ପ୍ରଧାନଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ୍। ରୋଜାଲିନ୍‌ଙ୍କ  ବାପ ଘର ଭୀମପୁର ସ୍ଥିତ ବାଘୁଆପଦର। ପୂର୍ବରୁ ରୋଜାଲିନ୍ ତାଙ୍କ ସ୍ୱାମୀଙ୍କ ସହ ସୁଦୂର ହାଇଦ୍ରାବାଦରେ ଅବସ୍ଥାପନ କରୁଥିଲେ। ତେବେ କିଛି ଦିନ ପୂର୍ବେ ଉଭୟେ ନିଜ ଗ୍ରାମକୁ ଫେରି ସରକାରଙ୍କ ନିୟମ ଅନୁଯାୟୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିକଟରେ ନିଜ ଘରକୁ ଫେରିଥିଲେ।

ଘରକୁ ଫେରିବା ଦିନଠାରୁ ବୁଲା ପ୍ରଧାନ ତାଙ୍କ ପତ୍ନୀଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ରୋଜାଲିନଙ୍କ ସମ୍ପର୍କୀୟ ପିଉସୀ ଶାନ୍ତିଲତା ଦଳେଇ। ଏପରିକି ବୁଲା ପ୍ରଧାନ  ରୋଜାଲିନ୍‌ଙ୍କୁ ମାରି ତାଙ୍କ ଶାଳୀକୁ ବିବାହ କରି ତାଙ୍କ ଘରର ସମସ୍ତ ସମ୍ପତ୍ତି ହଡପ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶାନ୍ତିଲତା ଦଳେଇ। ଏହି ଘଟଣାକୁ ନେଇ ରୋଜାଲିନ ପୂର୍ବରୁ ବହୁଥର ନିଜ ପରିବାର ଲୋକଙ୍କୁ ଏବଂ ବାଣପୁର ଥାନାରେ ଅଭିଯୋଗ କରିଆସୁଥଲେ। ପୁନଶ୍ଚ ଗତକାଲି ଉଭୟେ ବାଣପୁର ଥାନାଧିକାରୀଙ୍କୁ ଲିଖିତ ଆକାରରେ ମିଳିମିଶି ଚଳିବା ପାଇଁ ସହମତି ପ୍ରକାଶ କରି ସନ୍ଧ୍ୟାରେ ଦୁଇଜଣ ନିଜ ଘରକୁ ଫେରିଥିଲେ।

ଗତକାଲି ରାତିରେ ସ୍ୱାମୀ ବୁଲା ପ୍ରଧାନ ତାଙ୍କ ସ୍ତ୍ରୀ ରୋଜାଲିନ ପ୍ରଧାନଙ୍କୁ ଗାମୁଛାରେ ତଣ୍ଟିକୁ ଚିପି ମାରିଦେବାପରେ ଆଜି ସକାଳେ ବାଣପୁର ଥାନାରେ ନିଜେ ହତ୍ୟାକୁ ସ୍ୱୀକାର କରି ପୋଲିସ ନିକଟରେ ଆତ୍ମସମର୍ପଣ କରଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ସଦଳବଳେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ବାଣପୁର ବ୍ଲକର ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ଦେବା ପାଇଁ ଦାବି

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସାରା ବିଶ୍ବକୁ କରୋନା ମହାମାରୀ କବଳିତ କରିଛି। ଭାରତରେ ମଧ୍ୟ ଏହାର ପ୍ରଭାବ କିଛି କମ୍ ନାହିଁ। ଭାରତରେ ଏହାର ଦ୍ରୁତ ପ୍ରସାର ଦେଖି ଭାରତ ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତେ ଏହି ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କାର୍ଯ୍ୟକାରୀ କରିଛନ୍ତି। ଏହି ଲକ୍‌ ଡାଉନ୍‌ ସମୟରେ ଯେପରି କେହି ଭୋକିଲା ନ ରୁହନ୍ତି ସେଥିପାଇଁ ରାଜ୍ୟ ସରକାର ବହୁପ୍ରକାରର ପଦକ୍ଷେପ ନେଇଛନ୍ତି।

ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡଧାରୀମାନଙ୍କୁ ତିନିମାସର ଆଗୁଆ ରାସନ ସାମଗ୍ରୀ ସହିତ ଏକ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ବଣ୍ଟନ କରୁଛନ୍ତି। ଏହି କ୍ରମରେ ବାଣପୁର ବ୍ଳକରେ ଅଧିବାସୀମାନେ ମଧ୍ୟ ରାସନ କାର୍ଡଧାରୀ ଏହି ସାମଗ୍ରୀ ପାଉଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ କ’ଣ କରିବେ? ଲକ ଡାଉନ ଯୋଗୁଁ କାମ ଧନ୍ଦା ବନ୍ଦ ଥିବାରୁ ଦିନ ମଜୁରିଆମାନେ କିପରି ତାଙ୍କର ପରିବାରଙ୍କ ମୁହଁରେ ଖାଇବା ଯୋଗାଇପାରିବେ? ଏପରି ବହୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ନାହିଁ। ସେମାନେ ଏହି ଯୋଜନାର ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନ କାର୍ଡ ନଥିବାରୁ ସରକାରଙ୍କ ଏହି ଯୋଜନା ପାଇପାରୁନାହାନ୍ତି। ଏହି ହିତାଧିକାରୀମାନେ ଦୀର୍ଘ ଦୁଇ ବର୍ଷ ଧରି ଅପେକ୍ଷା କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାସନକାର୍ଡ ପାଇପାରିନାହାନ୍ତି।

ବର୍ତ୍ତମାନ ଲକ ଡାଉନ ପରିସ୍ଥିତିରେ ପ୍ରାୟ ମାସେ ହେବ ସେହି ସମସ୍ତଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡିଛି। ଯାହା ଖାଇବା ପାଇଁ ଘରେ ଥିଲା ତାହା ଶେଷ ହୋଇଗଲାଣି। କାର୍ଡ ପାଇ ନ ଥିବା ଖାଉଟିମାନେ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ଯଦି ଏଭଳି ପରିସ୍ଥିତିରେ କୌଣସି ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ନ ଦିଆ ଯାଏ, ତେବେ କୌଣସି ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହେଲାଣି।

ତେଣୁ ପରିସ୍ଥିତିକୁ ଦେଖି ବ୍ଲକର ସମସ୍ତ ଅଧିବାସୀମାନଙ୍କୁ ରାସନ ସାମଗ୍ରୀ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଖୋର୍ଦ୍ଧା ଜିଲ୍ଲା ଜୋନ ନମ୍ବର ୧୩ର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଦାବି କରିଛନ୍ତି। ଅମରେନ୍ଦ୍ର ରଣସିଂହ ଏନେଇ ଜିଲ୍ଲାପାଳ ସୀତାଂଶୁ ରାଉତ, ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡଙ୍ଗୀ ଓ ଜିଲ୍ଲା ପ୍ରୋଜେକ୍ଟ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଓ ପିଏମ୍‌ଓ ଅଫିସଙ୍କୁ ଦାବିପତ୍ର ପଠାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକ୍‌ରେ ବିଧାୟକଙ୍କ ନୂତନ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଗୋପୀନାଥ

ସମୀକ୍ଷା ବ୍ୟୁରୋ

ବାଣପୁର, ୩/୧୨: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ମିଳିଲା ନୂତନ ଦାୟିତ୍ବ। ବାଣପୁର ବ୍ଲକ୍‌ର ବିଧାୟକଙ୍କ ପ୍ରତିନିଧି ଭାବେ ସେ କାର୍ଯ୍ୟ କରିବେ। ଏହି କ୍ରମରେ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକର ସୁପରିଚାଳନା ନିମେନ୍ତ ତାଙ୍କୁ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଦ୍ବାରା ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଗୋପୀନାଥଙ୍କ କର୍ତ୍ତବ୍ୟନିଷ୍ଠା ତଥା କର୍ମତତ୍ପରତା ପାଇଁ  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ଉପରେ ଏପରି ଏକ ଗୁରୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଚିଲିକା ବିଧାୟକ ଚିଠି ନଂ ୩୮୦/୨୦୧୯ ଜରିଆରେ ବାଣପୁର ବ୍ଲକର ବିଡିଓଙ୍କୁ ଏନେଇ ଅବଗତ କରାଇଛନ୍ତି ।

ଛାତ୍ର ଜୀବନରୁ ଗୋପୀନାଥ ରାଜନୀତି, ସାମଜସେବା ତଥା ପ୍ରତିଟି କ୍ଷେତ୍ରରେ ଜଣେ ଉତ୍ସାହୀ ରୂପେ ନିଜକୁ ପ୍ରତିପାଦିତ କରି ଆସିଛନ୍ତି। ୨୦୦୬ରୁ ଗୋଦାବୀରଣ ମହାବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ହୋଇଥିବାବେଳେ ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ବାଣପୁରର ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ।  କମ୍‌ ବୟସରୁ ନିଜର ଉତ୍ସାହ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଗୋପୀନାଥ ସଫଳତାର ପାହାଚ ଅତିକ୍ରମ କରିଚାଲିଛନ୍ତି। ଆଗାମୀ ଦିନରେ ବାଣପୁରର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ଗୋପୀନାଥ  କହିଛନ୍ତି।

ରିପୋର୍ଟର୍‌ : ସୀତାରାମ ଅଗ୍ରଓ୍ବାଲ