ବାଣପୁର ବ୍ଲକର ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

Published: Apr 24, 2021, 9:24 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନାର ଦ୍ଵିତୀୟ ଲହର କ୍ଷିପ୍ର ଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ଚିଲିକା ବ୍ଲକରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ବାଣପୁର ବ୍ଲକରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବ୍ଲକରେ ବର୍ତ୍ତମାନ କରୋନା ସ୍ଥିତି ସମାନ ରହିଛି।

ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ବର୍ତ୍ତମାନ କୌଣସି ଅଞ୍ଚଳରେ ପଜିଟିଭ ଚି଼ହ୍ନଟ ହେଲେ, ସେହି ଅଞ୍ଚଳକୁ ସଙ୍ଗେ ସଙ୍ଗେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛି। ଯାହାଫଳରେ କରୋନାକୁ ପ୍ରତିହିତ କରିହେବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ବାଣପୁର ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଓଡଗାଁର କିଛି ଅଂଶ, ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳର କିଛି ଅଂଶ ଏବଂ ନାଚୁଣୀ ପଞ୍ଚାୟତ ଅନ୍ତର୍ଗତ ନାଚୁଣୀ ବଜାରର କିଛି ଅଂଶକୁ ଆଜିଠାରୁ ୩୦ ଏପ୍ରିଲ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକ ବିଶୋଧନ ହେବା ସହ କଣ୍ଟାକ୍ତ ଟ୍ରେସିଂ ଜାରି ରହିବ।

Related posts