Categories
ଆଞ୍ଚଳିକ

ବାଣପୁର: ପ୍ରାଧ୍ୟାପକ ରବୀନ୍ଦ୍ରନାଥ ନରେନ୍ଦ୍ର ସିଂ ବର୍ମାଙ୍କ ୨୮ତମ ଶ୍ରାଦ୍ଧୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷାତତ୍ଵ ବିଭାଗର ପ୍ରାକ୍ତନ ପ୍ରମୁଖ ବାଗ୍ମୀ ପ୍ରାଧ୍ୟାପକ ରବୀନ୍ଦ୍ରନାଥ ନରେନ୍ଦ୍ର ସିଂବର୍ମାଙ୍କ ୨୮ତମ ପୁଣ୍ୟ ତିଥି ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଂପାଦିକା ସରୋଜିନୀ ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ମୁଖ୍ୟଅତିଥି, କବି ଓମ୍ ପ୍ରକାଶ ଅଗ୍ରୱଲା ମୁଖ୍ୟ ବକ୍ତା, କ୍ରୀଡା ଭାରତୀର ମୁଖ୍ୟ ବୈରାଗୀ ଚରଣ ବଳ ସମ୍ମାନୀତ ଅତିଥି, ଅଧ୍ୟାପକ ରୁଦ୍ର ପ୍ରତାପ ନରେନ୍ଦ୍ରସିଂ ବର୍ମା ଆବାହକ ଭାବରେ ଯୋଗ ଦେଇ ସ୍ୱର୍ଗତ ବର୍ମାଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରି ମାତୃଭୂମୀ ମାତୃଭାଷା ପ୍ରତି ତାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଚିରକାଳ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ।

ଏହି ଅବସରରେ ସେବା ସଂଘର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ସଂବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭ୍ୟ ବିରେନ୍ଦ୍ର କୁମାର ତ୍ରିପାଠୀ ସ୍ଵାଗତ ବ୍ୟକ୍ତବ୍ୟ ରଖିଥିଲା ବେଳେ ଗୋବିନ୍ଦ ବେହେରା ସଂଯୋଜନା କରିଥିଲେ। ପ୍ରଶିକ୍ଷକ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ: ବାଣପୁର ବିଇଓ ଅଫିସରେ ଗଣଧାରଣା

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ, ବାଣପୁର ତରଫରୁ ବିଇଓ ଅଫିସରେ ଗଣଧାରଣା ଦିଆଯାଇଛି। ଉକ୍ତ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି।

ପ୍ରକାଶ ଥାଉକି ରାଜ୍ୟବ୍ୟାପୀ ଗତ ଆଠ ତାରିଖରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଏଠାରେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବା ପାଇଁ ପଚାଶ ପ୍ରତିଶତ ଶିକ୍ଷକ ପ୍ରତ୍ୟେକ ଦିନ ଆନ୍ଦୋଳନରେ ସାମିଲ ହେବେ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ପ୍ରକାଶ କରିଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଓପିଏସ, ଏନପିଏସ, ଗଣଶିକ୍ଷକ, କନିଷ୍ଠ ଶିକ୍ଷକ ଓ ପିଟିଆଇ ବର୍ଗର ଶିକ୍ଷକ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଠିକା ନିଯୁକ୍ତି ଉଚ୍ଛେଦ, ଏକ୍ସ କ୍ୟାଡର, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ଶିକ୍ଷକର ମାନ୍ୟତା, ସବୁ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଏବଂ ନୂତନ ପେନସନ ବ୍ୟବସ୍ଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବୀ ଗୁଡିକ ପୂରଣ ପାଇଁ ଶିକ୍ଷକ ସଙ୍ଘ ତରଫରୁ ଦାବୀ କରାଯାଇଛି।

ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବା ସହ ଉପରୋକ୍ତ ଦାବୀ ଗୁଡିକ ଯଦି ସରକାର ପୂରଣ ନ କରନ୍ତି ତେବେ ସାମୁହିକ ଛୁଟିରେ ରହି ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଙ୍ଘ ନିଷ୍ପତ୍ତି ନେଇଥିବା ସମ୍ପାଦକ ବିଭୁତି ଭୂଷଣ ଦାସ ମତବ୍ୟକ୍ତ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ବିଦ୍ୟୁତ ଆଘାତରେ ଯୁବକଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଅଂଚଳର ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତୋରସିଂ ଗ୍ରାମ ପଂଚାୟତର ଲହଂଗାଡିହ ଗ୍ରାମର ମଦନ ମୋହନ ସାହୁ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଖବର ମୁତାବକ ମଦନ ବିଭିନ୍ନ ଜାଗାରେ ବିଦ୍ୟୁତ କାମ କରୁଥିବା ବେଳେ ଉକ୍ତ ଗ୍ରାମର ନରେଶ ସାହୁଙ୍କର ଗମ୍ଭାରୀମୁଣ୍ଡା ସ୍ଥିତ ଏକ ମାର୍କେଟ କମ୍ପ୍ଲେସ ଠାରେ ଆଜି ବିଦ୍ୟୁତ ମରାମତି କାର୍ଯ୍ୟ କରୁଥିଲେ। ଅସାବଧାନତା ବଶତଃ କୌଣସି କାରଣରୁ ମଦନଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ନରେଶ ତାଙ୍କୁ ଗମ୍ଭାରୀମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରୁ ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିବା ବେଳେ ଏଠାରେ ଡାକ୍ତର ମଦନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ମଦନ ତାଙ୍କ ପିତାମାତାଙ୍କର ଏକମାତ୍ର ପୁଅ ଥିବାବେଳେ ଆତ୍ମୀୟ ସ୍ୱଜନଙ୍କର କ୍ରନ୍ଦନ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଡାକ୍ତରଖାନା ତରଫରୁ ବାଣପୁର ପୋଲିସକୁ ସୂଚନା ଦେବାପରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ସଂସ୍ଥାରୁ ସୁନା ଠକେଇ ମାମଲା: ଅଭିଯୁକ୍ତ ଶାଖା ପ୍ରବନ୍ଧକଙ୍କୁ ଜେଲ ଦଣ୍ଡାଦେଶ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଏକ ଘରୋଇ ସୁନା ବନ୍ଧକ ଶାଖାରେ ନକଲି ସୁନା ବନ୍ଧକ ରଖି ଜନସାଧାରଣଙ୍କ ଅସଲି ସୁନା ହଡ଼ପ ମାମଲାରେ ଅଭିଯୁକ୍ତ ଥିବା ଉକ୍ତ ଶାଖା ପ୍ରବନ୍ଧକଙ୍କୁ ଆଜି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବାଣପୁର ଜେଏମଏଫସି କୋର୍ଟ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ଶାଖା ପ୍ରବନ୍ଧକ ସଚିନ ପ୍ରଧାନ ଗତ ବର୍ଷ ଫେବୃୟାରୀ ୧୯ ତାରିଖରେ ଉକ୍ତ ଶାଖାରେ ବନ୍ଧକ ଥିବା ସୁନା ଜିନିଷ ହଡପ କରି ନକଲି ସୁନା ବନ୍ଧକ ରଖି ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କାଗଜପତ୍ରରେ ସୁନା ଋଣ କରି ଟଙ୍କା ଜାଲିଆତି ଘଟଣାରେ ଗିରଫ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଜେଏମଏଫସି କୋର୍ଟରେ ଜିଆର କେସ ନମ୍ବର ୭୩/୨୨, ଆଇପିସି ଦଫା ୪୦୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୩୪ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ଏହାର ବିଚାର ପ୍ରକ୍ରିୟା ଜାରି ରହିଥିଲା। ଅଭିଯୁକ୍ତ ସଚିନ ଗତ ବର୍ଷ ମାର୍ଚ୍ଚ ୨ ତାରିଖରୁ ଜେଲରେ ରହିଥିବା ବେଳେ ଇତି ମଧ୍ୟରେ ୧୪ ଜଣଙ୍କ ସାଖ୍ୟ ପ୍ରମାଣକୁ ଭିତ୍ତି କରି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଦଫା ୪୦୯ ଓ ୪୭୧ ରେ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଭରିବା ରାୟ ପ୍ରକାଶ କରିଛନ୍ତି। ଏବଂ ଜରିମାନା ଅନାଦେୟ ହେଲେ ଆଉ ଏକ ମାସ
କାରାଦଣ୍ଡ ଦଣ୍ଡାଦେଶ ରହିଛି।

ଉକ୍ତ ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଜଳଧର ପ୍ରଧାନ ଓ ପ୍ରାଚୀପ୍ରଭା ନନ୍ଦ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି ପରିଚାଳନା କରୁଥିଲେ।

Categories
ଆଞ୍ଚଳିକ

ବାଣପୁର: ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପାଳିତ ହେଲା ନନ୍ଦ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ନନ୍ଦରାଜାଙ୍କ ଘରେ ଉତ୍ସବ ଅନୁଷ୍ଠିତ ହୁଏ।  ଠାକୁରଙ୍କ ସେହି ପରମ୍ପରା ଅନୁଯାୟୀ ବାଣପୁରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପରମ୍ପରା ମୁତାବକ ନନ୍ଦ ଉତ୍ସବ ପାଳନ କରାଯାଇଛି। ଭୋର ସମୟରେ ମଙ୍ଗଳ ଆଳତି, ଅବକାଶ, ଗୋପାଲବଲ୍ଳଭ କରାଯାଇ ଠାକୁରଙ୍କର ମଧ୍ୟାହ୍ନ ଧୂପ ହୋଇଥିଲା। ପରେ ମଦନମୋହନ ଓ ରାମକୃଷ୍ଣ ବଲଭଦ୍ର ଓ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଖଟ ଦୋଳିକୁ ବିଜେ କରିଥିଲେ।

ମଦନମୋହନ ଓ ରାମକୃଷ୍ଣଙ୍କୁ ଦୋଳିରେ ବିଭିନ୍ନ ଫୁଲ ମାଧ୍ୟମରେ ଅପୂର୍ବ ବେଶରେ ସଜାଯାଇ ଥିଲା। ପରେ ଠାକୁରଙ୍କ ନିକଟରେ କ୍ଷୀର, ସର, ଲହୁଣୀ ଓ ଖିରୀ କାକରା ଦ୍ୱାରା ନୈବେଦ୍ୟ ସମାପନ କରାଯାଇଥିଲା। ଠାକୁରଙ୍କ ଦର୍ଶନ ନିମିତ୍ତ ଭକ୍ତ ମାନଙ୍କର ସମାଗମ ବଢିଥିଲା। ସନ୍ଧ୍ୟାରେ ଆଳତି ବନ୍ଦାପନା ହୋଇ ଓ ସନ୍ଧ୍ୟା ଧୂପ ବଢିବାପରେ ମଦନମୋହନ ପୁନଃ ରତ୍ନ ସିଂହାସନକୁ ବିଜେ କରିଥିଲେ।

ଠାକୁରଙ୍କ ପ୍ରସାଦ ଭାବରେ ଖିରି କାକରା ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବା ପରେ ଶ୍ରୀ ଜିଉଙ୍କର ତ୍ରିମୁଣ୍ଡି ଚନ୍ଦନ ଲାଗି,ବଡ଼ସିଂହାର ବେଶ ହୋଇ ରାତ୍ର ଧୂପ ଶେଷ ହେବାପରେ ଠାକୁରଙ୍କର ପହୁଡ଼ ହୋଇଥିଲା। ମନ୍ଦିର ପରିଚାଳନା କମିଟି ଓ ସର୍ବ ସାଧାରଣଙ୍କ ସହଯୋଗରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ, ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ଜନ୍ମୋତ୍ସବ ନୀତିକାନ୍ତି ଜନ୍ମାଷ୍ଟମୀ ତିଥିରେ ମହାଆଡମ୍ବରରେ ପାଳିତ ହୋଇଛି। ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ଯେପରି ନୀତିକାନ୍ତିରେ ପାଳିତ ହୋଇଥାଏ, କେବଳ ବାଣପୁରର ଶକ୍ତିପୀଠ ମା’ଙ୍କ ମନ୍ଦିରରେ ମଧ୍ୟ ମା’ ଭଗବତୀଙ୍କ ଜନ୍ମ ବିଧି କେବଳ ନିଆରା ଢଙ୍ଗରେ ପାଳିତ ହେଉଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି।

ମା’ ଶକ୍ତିମୟୀ ଯୋଗମାୟା ବିଜୁଳି କନ୍ୟା ଭାବରେ ନନ୍ଦ ଯଶୋଦାଙ୍କ ଘରେ ଧରାବତରଣ କରି ଆସୁରିକ ଶକ୍ତିମାନଙ୍କୁ ନିଧନ କରିବାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସହାୟତା ପ୍ରଦାନ କରିଥିବାରୁ କଳି ଯୁଗର ମର୍ତ୍ତ୍ୟ ମଣ୍ଡଳରେ ମା’ ଭାଗବତୀ ଭାବରେ ପୂଜା ପାଇବା କଥା ଦେବୀ ଭାଗବତରେ ବର୍ଣ୍ଣିତ ଅଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ସେବନ, ବେଶ। ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ହୋଇ ଶଙ୍କୁଡ଼ି, ଧୂପ, ପହଡ଼ ସଂଧ୍ୟାରେ ନିଶଙ୍କୁଡି ଧୂପ, ଆଳତି ପରେ ମଧ୍ୟରାତ୍ରରେ ମହାସ୍ନାନ, ବଡ଼ସିଂହାର ବେଶରେ ଜନ୍ମ ବିଧି ନୀତିକାନ୍ତି ସହିତ ରାଶିକୋରା, ନଡ଼ିଆ କୋରା, ଉଖର କୋରା ପଣା କାନ୍ତି ଧୂପ ହୋଇ ଆଳତି ପରେ ରାତ୍ର ପହୁଡ଼ ହୋଇଥିଲା।

ସେହିପରି ଦକ୍ଷେଶ୍ଵର ମନ୍ଦିରରେ ବିଜେ ଗୁରୁଣ୍ଡି ଗୋପାଳଙ୍କୁ ମଧ୍ୟ ମଧ୍ୟରାତ୍ରରେ ଜନ୍ମ ବିଧି ନୀତିକାନ୍ତି ସହ ପାଳିତ ହୋଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି। ମଧ୍ୟରାତ୍ରରେ ମା’ଙ୍କ ଜନ୍ମ ଉତ୍ସବ ଦର୍ଶନ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଜ୍ରାଘାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ, ଶୋକାକୁଳ ପରିବେଶ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ(22) ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଭିକାରି ଶବର ଙ୍କ ପୁତ୍ର ଅମର ଶବର(12)।

ଖବର ମୁତାବକ ଆଜି ଅପରାହ୍ନରେ ବାଣପୁର ଅଞ୍ଚଳରେ ବଜ୍ରାଘାତ ହୋଇଥିଲା। ଉକ୍ତ ସମୟରେ ଅରାଙ୍ଗ ଗ୍ରାମ ବିଲରେ ରଞ୍ଜତ ତାଙ୍କ ୩ ସାଙ୍ଗଙ୍କ ସହ ଥିବା ବେଳେ ସମସ୍ତେ ବଜ୍ରାଘାତ ର ଶିକାର ହୋଇଥିଲେ। ଫଳରେ ରଞ୍ଜତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ କଦମଝୋଲା ଗ୍ରାମର ଅମର ମଧ୍ୟ ସେହି ସମୟରେ ବର୍ଷା ନିମନ୍ତେ ସଡ଼କ କଡରେ ଛିଡା ହୋଇଥିବା ବେଳେ ସେ ମଧ୍ୟ ବଜ୍ରାଘାତ ର ଶିକାର ହୋଇଥିଲେ।

ପରିବାରବର୍ଗ ତାଙ୍କୁ ଗୁରୁତର ଭାବେ ବାଣପୁର ମେଡିକାଲ କୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଜ୍ରାଘାତ ଯୋଗୁଁ ଦୁଇ ଦୁଇ ଟି ଅମୁଲ୍ୟ ଜୀବନ ଚାଲିଯାଇଥିବା ବେଳେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବାଣପୁର ପୋଲିସ ମେଡିକାଲ ପରିସରରେ ଉପସ୍ଥିତ ଅଛନ୍ତି। ତେବେ ରଞ୍ଜତଙ୍କ ଦୁଇ ସାଙ୍ଗ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ସଞ୍ଜୟ ନାୟକ(32) ଏବଂ ପ୍ରଶାନ୍ତ ନାୟକ(29)।

Categories
ଆଞ୍ଚଳିକ

ବାଲୁଗାଁ-ବାଣପୁର ଏନ୍.ଏ.ସି ରେ “ନିଖିଳ ଭାରତ ସ୍ୱାୟତ ଶାସନ ଦିବସ” ପାଳିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ/ବାଣପୁର: ଆଜି ବାଲୁଗାଁ ଏନ୍.ଏ.ସି. ଠାରେ “ନିଖିଳ ଭାରତ ସ୍ୱାୟତ ଶାସନ ଦିବସ-୨୦୨୩” ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ଆଜି ସକାଳ ୭.୩୦ ରେ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ମୂଖ୍ୟ ଅତିଥି ରୁପରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଏବଂ ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ। ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ସମସ୍ତଙ୍କ ସହ ଯାଇ ଗାନ୍ଧୀ ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ସହିତ ବାଲୁଗାଁ ମେଡିକାଲ ଏବଂ ବୃଦ୍ଧାଶ୍ରମରେ ଫଳବଣ୍ଟନ କରିଥିଲେ।

ଏହାପରେ ଦିନ ୧୧.୦୦ ଟାରେ ବାଲୁଗାଁ ଏନ୍.ଏ.ସି. ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତ୍ ସଙ୍ଗେ ସଙ୍ଗେ ଦିବା ୨.୦୦ ଘଣ୍ଟିକା ସମୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ସଭା କାର୍ଯ୍ୟରେ ସ୍କୁଲ ପିଲାମାନଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଅଧ୍ୟକ୍ଷା ମହୋଦୟା ତାଙ୍କ ବକ୍ତବ୍ୟରେ ବାଲୁଗାଁ ଏନ୍.ଏ.ସି. କୁ ଏକ ଉନ୍ନତ ଏନ୍.ଏ.ସି. ରେ ପରିଣତ କରିବା ପାଇଁ ସମସ୍ତଙ୍କ ସହୋଯୋଗ କାମନା କରିଥିଲେ।

ଏହି ଉତ୍ସବରେ ଏନ୍.ଏ.ସି. ର ସମସ୍ତ କର୍ମଚାରୀ, ସମସ୍ତ ୱାର୍ଡ଼ର କାଉନସିଲର ଉପସ୍ଥିତ ରହି ସହୋଯୋଗ କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଏନଏସି ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସ୍ଥାନୀୟ ମେଡିକାଲ କୁ ଯାଇ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଭାରତୀୟ ପୁରୁଷ ହକିର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ୨୯ ତାରିଖ ଦିନଟି ଦେଶରେ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଆଜି ଏହି ଦିବସ ଗୋଦାବରୀଶ ମହାବିଦ୍ୟାଳୟର କ୍ରୀଡା ପରିଷଦ ଦ୍ଵାରା ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ସଭାପତିତ୍ଵ କରି ଏହି ଦିବସର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ, ପ୍ରଶାସନିକ ଅଧିକାରୀ ଡ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମ , ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ପୁଲିନ ବିହାରୀ ଜେନା, ଅଜୟ କୁମାର ଦାସ, କ୍ୟାପଟେନ ଗୁରୁକିଶୋର ନାୟକ, ଜେ ଏଲ୍ ଆର ଚୌହାନଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ କ୍ରୀଡାର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ଅଧ୍ୟାପିକା ଓ ଛାତ୍ରୀ ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଏବଂ ଅଧ୍ୟାପକ ଓ ଛାତ୍ର ମାନଙ୍କ ମଧ୍ୟରେ ଏକ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନାଚୁଣୀ ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଆଜି ରାତିରେ ପଙ୍କାଳ ଗ୍ରାମର ଅନାମ ପଲେଇଙ୍କ ପୁତ୍ର ରଞ୍ଜିତ ପଲେଇ (୩୦) ଙ୍କୁ ପରିବାର ବର୍ଗ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିଥିବା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଡାକ୍ତର ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ପୋଲିସ ମେଡିକାଲରେ ପହଞ୍ଚିଛି।

ତେବେ ଏହା ଦଉଡି ଲଗାଇ ଆତ୍ମହତ୍ୟା ଘଟଣା ସନ୍ଦେହ ହେଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଠିକାଦାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ବାହାରକୁ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ଶବକୁ ଗାଡ଼ିରେ ରଖି ବାଣପୁର ଥାନାରେ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ସତ୍ୟ ରଣସିଂହଙ୍କ ପୁଅ ସୁନୀଲ ରଣସିଂହ (୧୯) ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିଲେ। ବାପା ସତ୍ୟଙ୍କର ଶରୀର ଅସୁସ୍ଥ ଥିବାରୁ ପୁଅ ରୋଜଗାର କରିଲେ ବାପା ତମେ ଔଷଧ କଣିବ ବୋଲି କହି ବାଣପୁର ଦାଶରଥିପୁର ଗ୍ରାମର ଠିକାଦାର ପ୍ରଦୀପ ପରିଡାଙ୍କ ସାଥିରେ ସୁଦୂର ଚେନ୍ନାଇ ସହରକୁ ଯାଇଥିଲେ। ମାତ୍ର ଏକମାସ ତଳେ ସୁନୀଲ ଯାଇଥିବା ବେଳେ କାମ ଠିକସେ କରିପାରୁ ନଥିବାରୁ ଠିକାଦାର ତାକୁ ମାରଧର କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ତେବେ ଅତ୍ୟଧିକ ମାରଧର କରିବା ଏବଂ ଠିକରେ ଖାଇବାକୁ ନ ଦେବାରୁ ସୁନୀଲଙ୍କର ସେଠାରେ ଶରୀର ମଧ୍ୟ ଅସୁସ୍ଥ ହୋଇଯାଥିଲା। ଠିକାଦାର ଚେନ୍ନାଇରେ ସୁନୀଲଙ୍କୁ ଚିକିତ୍ସା ନ କରି ଟ୍ରେନ ଟିକେଟ କାଟି ଗ୍ରାମକୁ ଅନ୍ୟଜଣେ ଶ୍ରମିକଙ୍କ ସହ ଛାଡିଦେଇଥିଲେ। ସେଠାରୁ ମାତ୍ର ୧୦୦ କିଲୋମିଟର ଦୂର ନେଲୁର ଷ୍ଟେସନଠାରେ ସୁନୀଲଙ୍କର ବାନ୍ତି ହୋଇଥିଲା।  ଟ୍ରେନରେ ବସିଥିବା ଯାତ୍ରୀମାନେ ବାହାରକୁ ବାହାର କରିଦେଇଥିଲେ। ଫଳରେ ଷ୍ଟେସନର ଅତ୍ୟଧିକ ଖରାରେ ପଡି ସୁନୀଲଙ୍କର ମୃତ୍ୟୁ ଘଟିଥିଲା।

ମୃତ ଶରୀର ସେଠାରୁ ଆଣିବାକୁ ଠିକାଦାର କୌଣସି ପଦକ୍ଷେପ ନ ନେବାରୁ ପରିବାର ଲୋକ ଧାର କରଜ କରି ଗ୍ରାମବାସିଙ୍କ ସହାୟତାରେ ଦୀର୍ଘ ଚାରିଦିନ ପରେ ଆମ୍ବୁଲାନ୍ସ ମାଧ୍ୟମରେ ମୃତ ଶରୀର ଆଣିଛନ୍ତି। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇ ବାଣପୁର ଥାନାରେ କ୍ଷତିପୂରଣ ଦାବିରେ ହୋ ହଲ୍ଲା କରିଥିବା ବେଳେ ପୋଲିସ ବୁଝାସୁଝା କରିଛି।

ସ୍ଥାନୀୟ କିଛି ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ଠିକାଦାର କ୍ଷତିପୂରଣ ବାବଦକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାପାଇଁ ସହମତି ପ୍ରକାଶ କରିବାରୁ ଗ୍ରାମବାସୀ ଥାନାରୁ ଫେରିଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ବାଣପୁର ପୋଲିସ ଦ୍ବାରା ଜଣେ କୁଖ୍ୟାତ ଅନ୍ତଃଜିଲ୍ଲା ଡକାୟତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ପୋଲିସ ଜଣେ କୁଖ୍ୟାତ ଅନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ନାରଣଦେଇପୁର ଗ୍ରାମର କଚେରା ଦାସଙ୍କ ପୁଅ ଦିଲ୍ଲୀପ ଦାସ ଓରଫ ବିଦେଶୀ। ଅଭିଯୁକ୍ତଙ୍କ ନାମରେ ଖଲିକୋଟ, କବିସୂର୍ଯ୍ୟନଗର, ଓଡ଼ଗାଁ ଓ ଖୋର୍ଦ୍ଧା ଥାନାରେ ସମୁଦାୟ ୭ ଗୋଟି ମାମଲା ଥିବା ଆଇଆଇସି ରମେଶ ଦେବତା କହିଛନ୍ତି।

ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଡକାୟତିରେ ଅଭିଯୁକ୍ତ ଜଣକ ସାମିଲ ଥିବା ଜଣାପଡିଛି l ତେବେ ଅଭିଯୁକ୍ତ ବିଦେଶୀଙ୍କୁ ଆଜି ଘରୁ ଉଠାଇ ଆଣିଛି ବାଣପୁର ପୋଲିସ। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଟିୟୁସନ ସମୟରେ ଭୁଷୁଡିପଡିଲା କାନ୍ଥ, ୪ ଛାତ୍ରଛାତ୍ରୀ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଠପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମରେ କାନ୍ଥ ଭୁଶୁଡି ୪ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ସନ୍ଧ୍ୟାରେ ମଠପାଟଣା ଗ୍ରାମରେ ଏକ ଘରୋଇ ଟ୍ୟୁସନ ଚାଲିଥିବା ବେଳେ ଛାତ ଉପର କାନ୍ଥ ଭୁଶୁଡି ପିଲାମାନଙ୍କ ଉପରେ ମାଡିବସିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ରଶ୍ମି ରେଖା ଜେନା କହିଛନ୍ତି।

ଆହତଙ୍କ ମଧ୍ୟରେ ତିନି ଜଣ ଝିଅ ରହିଥିବା ବେଳେ ଜଣେ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୪ ରୁ ୧୦ ବର୍ଷ ମଧ୍ୟରେ ହେବ। ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଘର ମଠପାଟଣା ବୋଲି ଜଣାପଡିଛି। ଅଚାନକ ଏଭଳି ଅଘଟଣରେ ଅଞ୍ଚଳବାସୀ ମ୍ରିୟମାଣ ହୋଇପଡିଥିବା ବେଳେ ଆହତ ଶିଶୁ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହଳନ୍ଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ସୁଧାକର ବିଶ୍ୱାଳଙ୍କ ପୁତ୍ର ଶ୍ରୀନିବାସ ବିଶ୍ୱାଳ (୪୦)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବାଣପୁର ମେଡିକାଲରେ ମୃତ୍ୟୁ ହୋଇଛି।

ଡାକ୍ତରଙ୍କ ସୂଚନା ମୁତାବକ ଶ୍ରୀନିବାସଙ୍କୁ ଆଜି ମଧ୍ୟାହ୍ନରେ ପରିବାରବର୍ଗ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କର ଜ୍ୱର ହେବା ସହ ପରିସ୍ରା ହେଉନଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ବାଣପୁର ପୋଲିସ ମେଡିକାଲରେ ପହଁଚିଛି। ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Categories
ଆଞ୍ଚଳିକ

୯ ଦଫା ଦାବି ନେଇ ଚିଲିକା ଓ ବାଣପୁର ବ୍ଲକ ଘେରାଉ କଲା କଂଗ୍ରେସ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା କମ୍ପାନୀର ବିଦ୍ୟୁତ ବିତରଣରେ ଖାଉଟି ମାରଣା ନୀତି ବନ୍ଦ କରିବା ସହ ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହ୍ରାସ, ସରକାରୀ ଯୋଜନାରେ ଯୋଗ୍ୟ ବିବେଚିତ ଚୟନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବା ନେଇ ଶ୍ରୀ ସ୍ୱାଇଁ କହିଛନ୍ତି।

Categories
ଆଞ୍ଚଳିକ

ବିଭିନ୍ନ ସମସ୍ୟା ନେଇ ବାଣପୁର ତହସିଲ ଓ ବ୍ଲକ ଘେରାଉ କଲେ ଶତାଧିକ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଚାଷୀମୁଲିଆ ସଂଘ ଓଡିଶା ଓ ଅଲଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ଆନୁକୂଲ୍ୟରେ ଶହଶହ ଆଦିବାସୀ ଏକତ୍ରିତ ହୋଇ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଓ ବ୍ଲକ ଘେରାଉ କରିଥିଲେ।

ପ୍ରକାଶଥାଉକି ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ଓ ଦାମିଆବରବରା ଗ୍ରାମ ପଞ୍ଚାୟତ ଦୁଇଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଭାବେ ଜଣାଶୁଣା। ଉଭୟ ପଞ୍ଚାୟତବାସୀଙ୍କ ଦାବୀ ମୁତାବକ ଚଳିତ ଅଗଷ୍ଟ ୭ ତାରିଖରେ ଦାମିଆ ବରବରା କୋଷରଡ଼ା ଗ୍ରାମରେ ହୋଇଥିବା ଜନଶୁଣାଣୀରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାକୁ ହୋଇଥିବା ନିଷ୍ପତ୍ତି ମୁତାବକ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମିପଟ୍ଟା ଦେବାକୁ ଦାବୀ କରିଛନ୍ତି। ଉଭୟ ଦୁଇଟି ଗ୍ରାମପଞ୍ଚାୟତର ଆଦିବାସୀ ମାନଙ୍କ ଧନ ଓ ଜୀବନ ବିପଦରେ ପଡିବା ସହ ହାତୀ ମାନଙ୍କ ଦ୍ୱାରା ନଷ୍ଟ ହେଉଥିବା କୃଷି ଜାତୀୟ ଫସଲର କ୍ଷତିପୂରଣ ଦେବାକୁ ତାସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ସାହିନ ନାଜ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ।

ଅନୁରୂପ ଭାବେ ଗମନା ଗମନ ପାଇଁ ରାସ୍ତା, ଆବାସ ଯୋଜନାରେ ଘର, ପିଇବା ପାଣି, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ନେଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ କଦମ ଝୋଲା, ବୁରୁ ସାହି, ବାଙ୍କିଆ ପଲି, କାନ୍ଦୁଲ ସାହି, କୋଷରଡ଼ା ବଡ଼ ସାହି ଏବଂ ଖଟୁଆଳ ସାହି ଠାରୁ ଗ୍ରାମ ଭିତରକୁ ରାସ୍ତା ନିର୍ମାଣ ପାଇଁ ମୁଖ୍ୟତଃ ଦାବୀ କରାଯାଇଛି।

ଉକ୍ତ ଘଟଣା ସମ୍ପର୍କରେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ସରପଞ୍ଚ ଉମାକାନ୍ତ ସାହୁଙ୍କୁ ଯୋଗାଯୋଗ କରିବାରେ ଲୋକଙ୍କ ଦାବୀ ସହ ଆମେ ଉଭୟ ସରପଞ୍ଚ ଏକମତ ବୋଲି କହିଛନ୍ତି। ତେଣୁ ସରକାର ଏହାର ତୁରନ୍ତ ସମଧାନ କରିବା ଦିଗରେ ଦାଇତ୍ୱ ନେବାର ଆବଶ୍ୟକତା ଥିବା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ଭାରତବର୍ଷ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ଆଜି ଦେଶର ସତସ୍ତରୀ ତମ ସ୍ଵାଧୀନତା ଦିବସ ପାଳନକରୁଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସ୍ଵନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ରେ ଆନନ୍ଦ ଓ ଉତ୍ସାହର ସହ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ ବନ୍ଦନା ରାଉତରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଉପସ୍ଥିତ ଛାତ୍ରଛାତ୍ରୀ ତଥା କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ପ୍ୟାରେଡ଼ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରି ଦେଶର ରାଜ୍ୟର ସର୍ବୋପରି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମହାବିଦ୍ୟାଳୟର ଏନ୍ ସି ସି ,ଏନ୍ ଏସ୍ ଏସ୍ ,ଯୁବ ରେଡକ୍ରସ ଓ ରୋଭର ରେଞର ଛାତ୍ରଛାତ୍ରୀମାନେ ଏହି ପ୍ୟାରେଡ଼ରେ ଯୋଗଦେଇଥିବାବେଳେ କ୍ୟାପଟେନ ଗୁରୁକିଶୋର ନାୟକ, ଆଦିତ୍ୟ ସାରଥୀ ବେଦମତ୍ତା,ବାଦଲ ବେହେରା, ସତ୍ୟାନନ୍ଦ ମହାରଣା, ଅଧ୍ୟାପିକା ସ୍ଵାଗତିକା ସାହୁ,ରଶ୍ମିତା ମହାରଣା, ଉତ୍କଳିକା ପାଢୀ ନିଜ ନିଜର ଟ୍ରୁପ ସହ ଉପସ୍ଥିତ ଥିଲେ। ପ୍ୟାରେଡପରେ କ୍ୟାପଟେନ ନାୟକଙ୍କ ସହ ବିଭିନ୍ନ ଟ୍ରୁପକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଶାସନିକ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବକ୍ତୃତା ପ୍ରଦାନ କରାଯାଇଥିଲା ଓ ରଙ୍ଗାରଙ୍ଗ ସା°ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ଅଧ୍ୟାପିକା ଡ଼ ସୁଜାତା ମିଶ୍ର ଓ ପାର୍ଥସାରଥୀ ସାମନ୍ତରାୟ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜିଲ୍ଲା ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ), ବାଣପୁରର ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଂସ୍କୃତି ଓ ରାଷ୍ଟ୍ର ବିଷୟରେ ଉଦବୋଧନ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ବାଣପୁରସ୍ଥ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ପଲେଇ ଯୋଗଦେଇ ଦେଶ ସ୍ୱାଧୀନତା ଓ ଏଥିରେ ବାଣପୁରର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ବାଣପୁର ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପୁର୍ବରୁ ଅନୁଷ୍ଠିତ ସଂଗୀତ ଓ ତର୍କ ପ୍ରତିଯୋଗିତା ରେ ସଫଳତା ଲାଭ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉକ୍ତ ପ୍ରତିଯୋଗିତାରେ ବିଚାରକ ମଣ୍ଡଳି ଭାବେ ସଂଯୁକ୍ତା ପ୍ରଧାନ, ଦିଲ୍ଲୀପ କୁମାର ପାତ୍ର ଓ ସରୋଜକାନ୍ତ ଶାସମଲ ଯୋଗ ଦେଇଥିବା ବେଳେ ଆଜିର କାର୍ଯ୍ୟକ୍ରମକୁ ଆରଏସଏସ ବାଣପୁର ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ କୁମାର ସୁପକାର ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ହାତୀ ଦଳା ଚକଡାରେ ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଙ୍ଗଲୀ ହାତୀ ଦଳା ଚକଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ମହିଳା ଜଣକ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳ ପୁଞ୍ଜିଆମା ଗ୍ରାମର ପାଣ୍ଡଵ ପ୍ରଧାନ ଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ (୩୫)।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଏକ ଜଙ୍ଗଲୀ ହାତୀପଲ ମାଳ ପୁଞ୍ଜିଆମା ଗ୍ରାମରେ ଫସଲ ଖାଇବା ଉଦ୍ଦେଶ୍ୟରେ ପଶିଯାଇଥିଲେ। ତେବେ ରଞ୍ଜନା ସେହି ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବନ ବିଭାଗ ବାଣପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ କେନାଲ ସାହିରରଞ୍ଜନ ଷଡ଼ଙ୍ଗୀ (୨୮)ଙ୍କ ସହ ଗୋପାଳପୁର ଗ୍ରାମର ରଜତ ମିଶ୍ର (୩୦)ଙ୍କ ମଧ୍ୟରେ କୌଣସି କାରଣରୁ ଗତ ମଙ୍ଗଳବାର ରାତିରେ ଗଣ୍ଡଗୋଳ ଘଟିଥିଲା। ଏପରିକି ରଜତ ରଞ୍ଜନଙ୍କ ଘର ପାଖକୁ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବିଭିନ୍ନ ଧମକ ଚମକ ଦେଇଥିଲେ। ଏଥିରେ ରଞ୍ଜନ ଅଚେତ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଣପୁର ମେଡିକାଲ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୁଣି ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।

ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରଞ୍ଜନଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଗୁରୁବାର ଦିନ ତାଙ୍କର ମା ମଞ୍ଜୁଳା ମଞ୍ଜରୀ ଷଡ଼ଙ୍ଗୀଙ୍କ ଅଭିଯୋଗ କ୍ରମେ ପୋଲିସ ରଜତଙ୍କୁ ଘରୁ ଉଠାଇଆଣି ଗିରଫ କରିଥିଲା। ରଜତଙ୍କ ବିରୋଧରେ ବାଣପୁର ଥାନାରେ ୨୯୫/୨୩ ରେ ମୋକଦମା ରୁଜୁ କରିବା ସହ ଆଇପିସି ଦଫା ୩୦୨, ୧୦୯, ୨୯୪, ୫୦୬ ଓ ୩୪ ରେ ଗିରଫ କରି ତଦନ୍ତ ଜାରି ରହିଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଗମ୍ଭୀରୀମୁଣ୍ଡାରେ ପ୍ରବେଶ କଲା ଜଙ୍ଗଲୀ ହାତୀ: ଲୋକେ ଆତଙ୍କିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭୀରୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଆଜି ଏକ ଜଙ୍ଗଲୀ ହାତୀ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଉକ୍ତ ହାତୀଟି ପଦ୍ମପୁର ସରଂକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାଡଖାଇ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା।  ଫଳରେ ଗ୍ରାମବାସୀମାନେ ଆତଙ୍କିତ ହୋଇ ଉଠିଥିଲେ।

ଉକ୍ତ ଖବର ସ୍ଥାନୀୟ ସରପଞ୍ଚ ବନ ବିଭାଗକୁ ଜଣାଇବା ପରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକାଧିକ ଟିମ ଘଟଣାସ୍ଥଳକୁ ଯାଇ ବିଭିନ୍ନ ଉପାୟ ଅବଲମ୍ବନ କରି ପରିଶେଷରେ ହାତୀକୁ ଘଉଡ଼ାଇବାରେ ସଫଳ ହୋଇଥିଲେ।

ସୂଚନା ଥାଉକି ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାକୁ ବସିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀମାନେ ଜନବସତୀ ମୁହାଁ ହେଉଛନ୍ତି।