Categories
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଉକ୍ତ କାର୍ଯ୍ୟକ୍ରମ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଣପୁର ଜେଏମଏଫସି ଇପ୍ସିତା ପ୍ରିୟା ଏକ୍କା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଭିନ୍ନ ପ୍ରକାରର ଔଷଧୀୟ ତଥା ଉପକାରୀ ଚାରା ଗୁଡିକ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।

ପରିଶେଷରେ ଚାରାଗୁଡିକୁ ପୂଜନ ମଧ୍ୟ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ,ଶିକ୍ଷକ, କୁନି ଛାତ୍ର ଛାତ୍ରୀ, ବନ ବିଭାଗ ଅଧିକାରୀ,କୋର୍ଟ କର୍ମଚାରୀ ଏବଂ ଓକିଲମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସମ୍ପ୍ରତି ପରିସ୍ଥିତିରେ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇପଡିଥିବା ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ଦିନକୁଦିନ ପରିବେଶ ଭାରସାମ୍ୟ ସନ୍ତୁଳନ ହରାଉଥିବା ବେଳେ ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ତେଣୁ ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷରୋପଣ ଏବଂ ଆମ ଭବିଷ୍ୟତ ପିଢ଼ି ମଧ୍ୟ ବୃକ୍ଷରୋପଣ ପ୍ରତି ଯତ୍ନବାନ ହେବା ଦରକାର ବୋଲି କହିଥିଲେ ବିଚାରପତି ଶ୍ରୀ ମହାପାତ୍ର।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁର ବଙ୍କାଡ଼ଗଡ଼ର ସ୍ଵପ୍ନେଶ୍ୱର ମନ୍ଦିରକୁ “ସୁରକ୍ଷିତ ସ୍ମାରକ” ଭାବରେ ଘୋଷଣା କଲେ ଭାରତ ସରକାର

ଖୋର୍ଦ୍ଧା/ବାଣପୁର: ଦୀର୍ଘଦିନ ଅପେକ୍ଷାରେ ଅନ୍ତ ଘଟିଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପକ୍ଷରୁ ବାଣପୁର ବଙ୍କାଡ଼ଗଡ଼ର ପ୍ରଭୁ ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିରକୁ “ସୁରକ୍ଷିତ ସ୍ମାରକ” ଭାବରେ ଘୋଷଣା କରାଯାଇଛି। ଏନେଇ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରୀ ହରିଚନ୍ଦନ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ଖୁସିରେ ଲହରୀ ଖେଳିଯାଇଛି।

ଆଇନ ମନ୍ତ୍ରୀ ଲେଖିଛନ୍ତି ଯେ, ”ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ ବୀର ଐତିହାସିକ ବାଣପୁର ମାଟିର ଗାରିମା କୀର୍ତ୍ତିରାଜି ଆଜିକାଲିର ନୁହେଁ, ଏହାର ଇତିହାସ କିମ୍ୱଦନ୍ତୀ ସର୍ବ ପୁରାତନ। ଏହାର ଅନେକ ଉଦାହରଣ ରହିଛି ଆମ ଇତିହାସରେ। ଇତିମଧ୍ୟରୁ ଖ୍ରୀଷ୍ଟାବ୍ଦ ୬ଷ୍ଟ ଏବଂ ୮ମ ଶତାବ୍ଦୀ ସମୟର ଶୈଳୋଦ୍ଭବ ରାଜବଂଶର ରାଜଧାନୀ ଥିବା ବଙ୍କାଡ ଗଡ ଯାହାକି ରହିଅଛି ଆଜିର ଆଧୁନିକ ବାଣପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଭେଦ୍ୟ ଅପନ୍ତରା ସବୁଜିମା ଭରା ଜଙ୍ଗଲ ମଧ୍ୟରେ ବନବାସୀ ଅଧ୍ୟୁଷିତ ଅଞ୍ଚଳ ନିଳାଦ୍ରୀପ୍ରସାଦ ଗ୍ରାମରେ। ତତ୍କାଳୀନ ଉତ୍କଳୀୟ କଳା ଭାସ୍କର୍ଯ୍ୟର ପରାକାଷ୍ଠାର ପରିପକ୍ୱତା ସିଦ୍ଧ କରିବା ନିମିତ୍ତ ତତ୍କାଳୀନ ରାଜା ମହାରାଜା ମାନେ ସମଗ୍ର ସାମ୍ରାଜ୍ୟରେ ଅନେକ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ମନ୍ଦିର ନିର୍ମାଣ କରାଇଥିଲେ। ଏଥିମଧ୍ୟରୁ ଅନ୍ୟତମ ହେଉଛି ଆଶ୍ଚର୍ଯ୍ୟ କିର୍ତ୍ତିରାଜି “ବଙ୍କାଡ଼ଗଡ଼ର ପ୍ରଭୁ ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର”।

ଶ୍ରୀ ହରିଚନ୍ଦନ ଆହୁରୀ ଲେହିଛନ୍ତି ଯେ, “ଏହି ଐତିହାସିକ ସ୍ବପ୍ନେଶ୍ବର ମନ୍ଦିରକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପକ୍ଷରୁ “ସୁରକ୍ଷିତ ସ୍ମାରକ” ଭାବରେ ଘୋଷଣା କରାଯାଇଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନନୀୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖ‌ୱାତ୍ ଓ ପୂର୍ବତନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି.କିଶାନ ରେଡ୍ଡୀ ଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ୍ ଅର୍ପଣ କରୁଛି।”

ଏହି ଘୋଷଣା ଓଡ଼ିଆ ଅସ୍ମିତା ଓ ପୁରାତନ ଐତିହ୍ୟ କୀର୍ତ୍ତିରାଜିର ରକ୍ଷା କରିବା ପାଇଁ ସୂଚ଼ିତ କରୁଅଛି। ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ଆମ ଐତିହ୍ୟର ଗାଥା ବହନ କରିଥାଏ।

୧୯୭୭-୭୮ ମସିହାରେ ସେତେବେଳ ସମୟରେ ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ବିଭାଗ ଦାୟିତ୍ୱରେ ଥିବା ସମୟରେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟିତ୍ଵ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହା ଅବହେଳିତ ଅବସ୍ଥାକୁ ଚାଲିଆସିଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା ପରେ ଏଏସଆଇ ଏହାର ଦାୟିତ୍ଵ ବହନ ଗ୍ରହଣ କରିବା ପ୍ରକ୍ରିୟା କରାଇଥିଲେ। ୨୦୨୪ରେ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠିତ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅହରହ ପ୍ରଚେଷ୍ଟାରେ ଏହି ପ୍ରକ୍ରିୟା ଦ୍ରୁତ ହୋଇ ବର୍ତ୍ତମାନ ଏହାକୁ ସରକାରୀ ଭାବେ ଏଏସଆଇ ଦ୍ୱାରା ‘ସୁରକ୍ଷିତ ସ୍ମାରକ’ ଘୋଷଣା କରାଯାଇଛି।

ଏହି ଘୋଷଣା ସମସ୍ତ ବାଣପୁର ବାସୀ ତଥା ରାଜ୍ୟ ପାଇଁ ଗର୍ବ ଓ ଆନନ୍ଦର ବିଷୟ।

Categories
ଆଞ୍ଚଳିକ

ବାଣପୁର: କୃଷକ ସାଥି ନୀଳାଦ୍ରୀ ଭୂଷଣ ମିଶ୍ରଙ୍କ ଅକାଳ ବିୟୋଗ, କୃଷି ବିଭାଗରେ ଶୋକର ଛାୟା

ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କୃଷକ ସାଥି ନୀଳାଦ୍ରୀ ଭୂଷଣ ମିଶ୍ରଙ୍କ ଅକାଳ ବିୟୋଗ ଘଟିଛି। ବାଣପୁର ଅଞ୍ଚଳର ନୀଳାଦ୍ରୀ ଭୂଷଣ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଜଣେ ଦକ୍ଷ ଚାଷୀ ଭାବେ ସୁନାମ ଅର୍ଜ୍ଜନ କରିଥିଲେ। ସୋମବାର ବିଳମ୍ବିତ ରାତ୍ରିରେ ତାଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପାରାଳାଖେମୁଣ୍ଡିରେ କୃଷି ବିଭାଗରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସାନ ଭାଇଙ୍କ ଘରକୁ ୩/୪ ଦିନ ପୂର୍ବେ ଯାଇଥିବା ବେଳେ ହଠାତ ସେ ସେଠାରେ ଅଚେତ ହୋଇ ତଳେ ପଡିଯାଇଥିଲେ। ନୀଳାଦ୍ରୀଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶ ଥାଉ ଯେ, ଜଣେ ଉଚ୍ଚ ଶିକ୍ଷିତ ଏବଂ ଦକ୍ଷ ଚାଷୀ ଭାବେ ସେ ବାଣପୁର ବ୍ଲକର କୃଷି ବିଭାଗ ସହ ଯୋଗସୂତ୍ର ରକ୍ଷା କରି ଅତ୍ୟାଧୁନିକ ଉପାୟରେ କିପରି ଉନ୍ନତମାନର ଚାଷ କାର୍ଯ୍ୟ କରାଯାଇପାରିବ, ସେନେଇ ସେ ସର୍ବଦା ଚେଷ୍ଟା କରୁଥିଲେ। ସେ ବାଣପୁର ବ୍ଲକରେ ଦୀର୍ଘ ୧୫ ରୁ ଉର୍ଦ୍ଧ୍ଵ ବର୍ଷ ଧରି କୃଷକ ସାଥି ଭାବେ କାର୍ଯ୍ୟ କରୁଥିଲେ। ଜଣେ ସରଳ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ଭାବେ ସେ ବାଣପୁର ବ୍ଲକର ସମସ୍ତ କୃଷି ଅଧିକାରୀ ଏବଂ ଶତାଧିକ ଚାଷୀଙ୍କ ନିକଟରେ ପରିଚିତ ଥିଲେ।

ତେବେ ନୀଳାଦ୍ରୀଙ୍କ ବିୟୋଗରେ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଏକ ଦୁଃଖଦ ଖବର ଶୁଣି ବାଣପୁରର କୃଷକ ସାଥି ପରିବାର ସଂପୂର୍ଣ୍ଣ ଭାଙ୍ଗିପଡିଛି। ନୀଳାଦ୍ରିଙ୍କ ପରଲୋକରେ ବାଣପୁର କୃଷି ବିଭାଗ ଶୋକ ବ୍ୟକ୍ତ କରିବା ସହିତ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛି ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛି।

Categories
ଆଞ୍ଚଳିକ

ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ (ପୋକସୋ ଆଇନ),କିଶୋର ନ୍ୟାୟ ଯତ୍ନ ଓ ସୁରକ୍ଷା ଅଧିନିୟମ,ପୀଡ଼ିତା କ୍ଷତିପୂରଣ ଆଇନ ଏବଂ ମୌଳିକ କର୍ତ୍ତବ୍ୟ ବିଷୟଗୁଡିକ ଉପରେ ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର।

ଅନ୍ୟମାନଙ୍କ ମଧ୍ୟରେ ବାଣପୁର ଓକିଲ ସଂଘ ସମ୍ପାଦକ ଜଗଦୀଶ ପଟ୍ଟନାୟକ, ଫ୍ରଣ୍ଟ ଅଫିସ ରିଟେନର ଦେବୀପ୍ରସାଦ ସାମନ୍ତରାୟ, ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ଏବଂ ଅନ୍ୟ ଓକିଲମାନେ ଯୋଗ ଦେଇଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଶିଶୁ ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧ ଏବଂ ଦଣ୍ଡବିଧାନ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଯୌନ ନିର୍ଯ୍ୟାତନା, ହିଂସା ଏବଂ ଯୌନ ଉଦ୍ଦୀପକ (ପର୍ଣ୍ଣଗ୍ରାଫି) ପ୍ରକାଶନ, ବିତରଣ ଏବଂ ତାହାକୁ ନିଜ ପାଖରେ ରଖିବା ଅପରାଧ ବୋଲି ବିବେଚିତ କରିଥିଲେ। ଶିଶୁଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଲୁଚାଇରଖିବା ଏବଂ ଶିଶୁଙ୍କର ପରିଚୟ ପ୍ରକାଶ କରିବା ମଧ୍ୟ ଉକ୍ତ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ତତସହିତ ପୀଡ଼ିତାଙ୍କ ନିମନ୍ତେ ଉକ୍ତ ଆଇନ ଅନ୍ତର୍ଗତ କ୍ଷତିପୂରଣ ଏବଂ ମୌଳିକ କର୍ତ୍ତବ୍ୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ବିଚାରପତି ଶ୍ରୀ ମହାପାତ୍ର।

Categories
ଆଞ୍ଚଳିକ

ବାଣପୁର: ରୋଟାରୀ କ୍ଳବ ପକ୍ଷରୁ ସିଲେଇ ମେସିନ ଓ ଗ୍ରାଇଣ୍ଡର ବଣ୍ଟନ

ବାଣପୁର: ବାଣପୁର ଅଂଚଳ ର କିଛି ମହିଳା ସ୍ବାବଲମ୍ବୀ ହୋଇ ନିଜେ କିଛି ରୋଜଗାର କରି ନିଜ ପରିବାରକୁ ପ୍ରତିପୋଷଣ କରିବା ଲକ୍ଷ୍ୟ ନେଇ ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ରୋଟାରୀ ବର୍ଷ ୨୦୨୪-୨୫ ର ଶେଷ କାର୍ଯ୍ୟ ଦିବସରେ କ୍ଳବର ଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସିଲେଇ ମେସିନ ଓ ଗ୍ରାଇଣ୍ଡର ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସଂପାଦକ ଅଶୋକ କୁମାର ନାୟକଙ୍କ ସମେତ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ନନ୍ଦକିଶୋର ମିଶ୍ର, ୨୦୨୫-୨୬ ବର୍ଷର ସଭାପତି ସୁନୀଲ କୁମାର ପାତ୍ର, ୨୦୨୬-୨୭ ବର୍ଷର ସଭାପତି ଡ.ଚିନ୍ତାମଣୀ ମିଶ୍ର, ସଭ୍ୟ ଚାଟାର୍ଡ ଆକାଉଣ୍ଟାଣ୍ଟ ମନୋରଂଜନ ବାରିକ ଓ ସତୀଶ କୁମାର ସୁବୁଦ୍ଧି ପ୍ରମୂଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Categories
ଆଞ୍ଚଳିକ

ବାଣପୁର: ସ୍କୁଟି ସହ ୬୦ ଲିଟର ଦେଶୀମଦ ଜବତ, ୨ ଗିରଫ

ବାଣପୁର: ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱବାଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ସ୍କୁଟି ସହ ୬୦ ଲିଟର ଦେଶୀମଦ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଣପୁର ଥାନା ଭେଷରୀ ଗ୍ରାମର ଦିବ୍ୟସିଂହ ଜେନା (୪୫) ଓ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବର (୪୬) ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।

ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ମୀନକେତନ ମହାଳିକ, ରାମଚନ୍ଦ୍ର ଜେନା, ସସ୍ମିତା ସେଠୀ, କନେଷ୍ଟବଳ ମନୋଜ କୁମାର ଜୟସିଂ, ରଞ୍ଜିତ ପଟେଲ, ସୁନିତା ମହାରଣା, ନିରଞ୍ଜନ ପରିଡା, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗରେ ଟିପିସିଓଡିଏଲ ଲାଇନ ମ୍ୟାନ ଅଟକ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଦ୍ୟୁତ ବିଭାଗ (ଟିପିସିଓଡିଏଲ) ରେ କାର୍ଯ୍ୟରତ ପୂର୍ଣ୍ଣଚନ୍ଦ୍ର ସେଠି ନାମକ ଜଣେ ଲାଇନମ୍ୟାନ ଚାର୍ଜ ହୋଇନଥିବା ଏକ ବିପିଏଲ ଟ୍ରାନ୍ସଫର୍ମର ଚୋରି କରୁଥିବା ଅଭିଯୋଗରେ ଗ୍ରାମବାସୀ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।

ପ୍ରକାଶ ଥାଉକି, ବାଣପୁର ଥାନା ଅନ୍ତର୍ଗତ ବରଡ଼ି ଗ୍ରାମରେ ଏକ ୧୬ କେଭି ବିଦ୍ୟୁତ ଟ୍ରାନ୍ସଫରମର ଟ୍ରାଏଲ ପାଇଁ ଥିବାବେଳେ ସେଥିରେ ବିଦ୍ୟୁତ ଚାର୍ଜ ହୋଇନଥିଲା। ଉକ୍ତ ଟ୍ରାନ୍ସଫର୍ମର ପୋଷ୍ଟଟି ଗ୍ରାମର ଅନତି ଦୂରରେ ଥିବା ପାହାଡ଼ ନିକଟରେ ଥିବାର ସୁଯୋଗ ନେଇ ପୂର୍ଣ୍ଣଚନ୍ଦ୍ର ଅନ୍ୟ ଦୁଇଜଣଙ୍କୁ ଧରି ଖୋଲୁଥିବା ବେଳେ ଗ୍ରାମର ଯୁବକମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ କାବୁ କରିଥିଲେ। କିନ୍ତୁ ଅନ୍ୟ ଦୁଇଜଣ ଖସି ଚାଲିଯାଇଥିଲେ।

ପୂର୍ଣ୍ଣଙ୍କୁ କାବୁକରି ଗ୍ରାମବାସୀ ବାଣପୁର ଥାନାରେ ହସ୍ତାନ୍ତର କରିଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ ଏ ନେଇ ଟିପିସିଓଡିଏଲ ବାଲୁଗାଁ ଏସଡିଓ ଦିଲ୍ଲୀପ ମାଝୀ ଙ୍କୁ ପଚାରିବାରୁ ଉକ୍ତ ଘଟଣାର ତଦନ୍ତ ରିପୋର୍ଟ ଖୁବଶୀଘ୍ର ଦେବା ପାଇଁ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିରରେ ଅସୁରକ୍ଷିତ ଭକ୍ତ, ସେବାୟତ ସେବାୟତଙ୍କ ମଧ୍ୟରେ ମାରପିଟ, ଜଣେ ଗୁରୁତର

ବାଣପୁର: ଓଡ଼ିଶା ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରରେ ଅଭାବନୀୟ ଘଟଣା ଘଟିଯାଇଛି। ମନ୍ଦିର ସେବାୟତ-ସେବାୟତ ମଧ୍ୟରେ ମାରପିଟ ଯୋଗୁଁ ଜଣେ ସେବାୟତ ଗୁରୁତର ହୋଇଛନ୍ତି। ଏ ନେଇ ବାଣପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଜଣେ ସେବାୟତ ଅଟକ ଥିବା ଜଣାପଡିଛି।

ପୋଲିସ ସୂଚନା ମୁତାବକ ଆଜି ଅପରାହ୍ନରେ ମା’ ଭଗବତୀ ମନ୍ଦିର ପରିସରରେ ସେବାୟତ କୈଳାଶ ଭୋପା ଅନ୍ୟ ଜଣେ ସେବାୟତଙ୍କୁ କୌଣସି କାରଣବଶତଃ ଗାଳି ଗୁଲଜ କରୁଥିଲେ। ଉକ୍ତ ସମୟରେ ସେବାୟତ ପବିତ୍ର କୁମାର ନାୟକ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ କୈଳାଶ ପବିତ୍ରଙ୍କ ମୁଣ୍ଡକୁ ଏକ କ୍ରିକେଟ ବ୍ୟାଟରେ ଶକ୍ତ ପ୍ରହାର ଦେବାରୁ ଘଟଣାସ୍ଥଳରେ ପବିତ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡ଼ିଥିଲେ।

ସଙ୍ଗେସଙ୍ଗେ ଗୁରୁତର ପବିତ୍ରଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଏ ନେଇ ଥାନାରେ ଉଭୟ ପକ୍ଷଙ୍କ ପକ୍ଷରୁ ଦୁଇ ଗୋଟି ଏତଲା ଦିଆଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ସେବାୟତ କୈଳାଶ ଭୋପାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନା ଥାଉକି ମା’ ଭଗବତୀ ମନ୍ଦିରରେ ସେବାୟତଙ୍କ ବିରୁଦ୍ଧରେ ନାନା ସମୟରେ ଏପରି ବିଭିନ୍ନ ଅଭିଯୋଗ ହୋଇଆସୁଛି। ମଦ୍ୟପାନ କରିବା, ଭକ୍ତଙ୍କୁ ଦୁର୍ବ୍ୟବହାର କରିବା, ମାରପିଟ କରିବା, ମନ୍ଦିର ପରିସରରେ ଅଶାନ୍ତି ବାତାବରଣ ସୃଷ୍ଟି କରିବା ଆଦି ଅନେକ ଦୃଷ୍ଟାନ୍ତ ରହିଛି।

ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ ଶ୍ରୀ ଦକ୍ଷେଶ୍ୱର-ଭଗବତୀ ଦେଵାତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସଭାପତି ତଥା ସ୍ଥାନୀୟ ତହସିଲଦାର କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ସେବାୟତଙ୍କ ମଧ୍ୟରେ ସଂସ୍କାର ଆଣିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଅନୁରୂପଭାବେ ଏହିପରି ଘଟଣା ଦ୍ୱାରା ସମଗ୍ର ରାଜ୍ୟରେ ମା’ ଭଗବତୀ ମନ୍ଦିରର ଛବି ଖରାପ ହେଉଥିବାବେଳେ ମନ୍ଦିର ପରିସରରେ ଅକ୍ଷମ ହୋଇ ପଡ଼ିଥିବା ପୋଲିସ ସହାୟତା କେନ୍ଦ୍ରକୁ ତୁରନ୍ତ ସକ୍ଷମ କରିବା ସହ ଏଠାରେ କନଷ୍ଟେବଳଙ୍କ ସହ ଅତିକମରେ ଜଣେ ଏଏସଆଇ ପାହ୍ୟା ଅଧିକାରୀଙ୍କୁ ନିଯୁକ୍ତି ଦେବାପାଇଁ ଖୋର୍ଦ୍ଧା ଏସପିଙ୍କ ନିକଟରେ ଜନସାଧାରଣ ମାନେ ଦାବି କରିଛନ୍ତି।

ମନ୍ଦିର ପରିସରରେ ରକ୍ତଛିଟା ପଡ଼ିଥିବା ବେଳେ ମା’ ଙ୍କ ରୀତିନୀତିରେ କଣ ପରିବର୍ତ୍ତନ ହେବ ବୋଲି ଦେବୋତ୍ତର ସଭାପତି ତଥା ସ୍ଥାନୀୟ ତହସିଲଦାରଙ୍କୁ ପଚାରାଯାଇଥିଲା। ତେବେ ଯାହା ନିୟମ ରହିଛି, ସେହି ନିୟମ ମୁତାବକ ନୀତିକାନ୍ତି କରାଯିବ ବୋଲି ତହସିଲଦାର ଟି. ପଦ୍ମନାଭ ଦୋରା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ରଙ୍କନାଥ ଓ ଚରଣ ଚକାଦେବଙ୍କ ରଥଯାତ୍ରା ଅନୁଷ୍ଠିତ

ବାଣପୁର: ଆଜି ଚଳିତ ବର୍ଷର ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପୁରୀ ସମେତ ସମଗ୍ର ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ବେଳେ ବାଣପୁରର ଆରାଧ୍ୟ ଦେବ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବ ଏବଂ ବଡହନ୍ତୁଆଡ଼ ଠାରେ ଥିବା ଶ୍ରୀଶ୍ରୀଶ୍ରୀ ଚରଣ ଚକାଦେବଙ୍କ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ରଙ୍କନାଥଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ଅପରାହ୍ନରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ପାରିକୁଦ ରାଜା ସନ୍ତୋଷ ସିଂ ଦେଓ ତିନି ରଥରେ ଛେଡା ପହରା କରିବା ପରେ ବିଭିନ୍ନ ବ୍ୟବସାୟୀ ମହାସଂଘ ତରଫରୁ ପ୍ରସ୍ତୁତ ଭୋଗ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା। ୫ଘଟିକା ସମୟରେ ରଥଟଣା ଆରମ୍ଭ କରାଯାଇ ସନ୍ଧ୍ୟା ପୂର୍ବରୁ ମାଉସୀମା ଘରେ ତିନି ରଥ ପହଞ୍ଚିଥିଲା।

ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ସଂସ୍ଥାର କର ସେବକ ମାନେ ଶ୍ରଦ୍ଧାଳୁ ମାନଙ୍କୁ ପାଣି, ଅଭଡ଼ା ତୋରାଣି ବଣ୍ଟନ କରିଥିଲେ। ଏକତା ପରିଷଦ ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଲଡ଼ୁ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚରଣ ଚକାଦେବଙ୍କ ରଥ ସୁରୁଖୁରୁରେ ମାଉସୀମା ଘରେ ମଧ୍ୟ ପହଁଚିଛି। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ ଏସ୍ଡ଼ିପିଓ ସଞ୍ଜୟ ପଟ୍ଟନାୟକ ଓ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ କରାଯାଇଥିବା ବେଳେ ସମସ୍ତ ପୋଲିସ ବନ୍ଧୁ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଡ଼ଃ ମୃତ୍ୟୁଞ୍ଜୟ ଶତପଥୀଙ୍କ ଦ୍ୱାଦଶାହରେ ସ୍ମୃତିଚାରଣ ସଭା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଟିର ଜଣେ କୃତି ସନ୍ତାନ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ସ୍ୱର୍ଗତ ଡ଼ଃ ମୃତ୍ୟୁଞ୍ଜୟ ଶତପଥୀଙ୍କ ଦ୍ୱାଦଶାହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଗୋଲଖ ବିହାରୀ ପରିଡ଼ାଙ୍କ ସଭାପତିତ୍ବରେ ଏବଂ ଚିଲିକା ସାହିତ୍ୟ ସମାଜ ସଭାପତି ବାଳମୁକୁନ୍ଦ ଦାସଙ୍କ ସଂଯୋଜନାରେ ଡ଼ଃ ଶତପଥୀଙ୍କ ସ୍ମୃତିଚାରଣ ସଭା ବିଭିନ୍ନ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ବନ୍ଧୁ ଓ ପରିବାର ବର୍ଗଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ କ୍ରିଷ୍ଟୋଫର ତିଲକ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, କଂଗ୍ରେସ ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ ଯତୀନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ ଏବଂ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳର ଅନେକ ନେତା ଉପସ୍ଥିତ ରହି ସ୍ମୃତି ଚାରଣ କରି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ।

ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀ ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ, ଚିଲିକା ଆଞ୍ଚଳିକ ବିକାଶ ପରିଷଦ ସଂପାଦକ ସୁଶୀଲ କୁମାର ନନ୍ଦ, କାର୍ଯକାରୀ ସଭାପତି ଫକୀର ମୋହନ ଷଡ଼ଙ୍ଗୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉକ୍ତ ସଭାରେ ଯୋଗଦେଇ ସ୍ୱର୍ଗତ ଶତପଥୀଙ୍କ ସ୍ମୃତି ଚାରଣ କରିଥିଲେ।

ଉକ୍ତ ସଭାରେ ଅତିଥି ଭାବେ ଯୋଗ ଦେଇ ବାଣପୁର ବରିଷ୍ଠ ନାଗରିକ ସଂଘ ସଭାପତି ଡ଼.ଚିନ୍ତାମଣି ମିଶ୍ର, ବର୍ଷୀୟାନ କବି ପୁରୁଷୋତ୍ତମ ମହାପାତ୍ର, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, କୋରାପୁଟ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ତଥା ଗବେଷକ ଡକ୍ଟର ସତ୍ୟ ଷଡ଼ଙ୍ଗୀ, ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ପନ୍ତା କୂଳିଆ କବି ଦିଗମ୍ବର ବିଶ୍ୱାଳ, କ୍ୟାପଟେନ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଭବାନୀ ପ୍ରସାଦ ହୋତା, ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସ୍ୱର୍ଗତ ଶତପଥୀଙ୍କ କନିଷ୍ଠ ଭ୍ରାତା ଚନ୍ଦ୍ର ଶେଖର ଶତପଥୀ ପ୍ରମୁଖ ଯୋଗଦାନ କରି ଦିବଂଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କର ସୁପୁତ୍ର ଲଲାଟେନ୍ଦୁ ଶତପଥି, ସମାଜ ସେବୀ ଅନନ୍ତ ଚରଣ ଖଟେଇ, ପ୍ରଭାତ କୁମାର ବେହେରା, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ରବିନ୍ଦ୍ରନାଥ ମାନସିଂହ, ସାମ୍ବାଦିକ ବ୍ରଜକିଶୋର ଜେନା, ସାମ୍ବାଦିକ ତଥା ଆଇନଜୀବୀ ଅଶୋକ କୁମାର୍ ପାଇକରାୟ, ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଜାଲି, ଶିକ୍ଷାବିତ୍ ଲକ୍ଷ୍ମୀ ଚରଣ ପ୍ରଧାନ, ବିଷ୍ଣୁପ୍ରିୟା ବାରିକ, ପ୍ରମୁଖଙ୍କ ସହିତ ତାଙ୍କର ଅନ୍ୟାନ ବଂଧୁ ଓ ପରିବାର ବର୍ଗ ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ।

ସ୍ୱର୍ଗତ ଶତପଥୀଙ୍କ କନ୍ୟା ପ୍ରାଧ୍ୟାପିକା ଅସୀମା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ଦୁଇ ପୂର୍ବତନ ସରପଞ୍ଚ ଓ ଶତାଧିକ କର୍ମୀ

ବାଣପୁର: ଆଜି ଚିଲିକା ବିଜେପି ର ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ ଲୋକସଭା ସାଂସଦ ଡ଼ା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉକ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ବାଣପୁର ଏନଏସି ସ୍ଥିତ କୃତ୍ତିବାସ ଭବନ ଠାରେ ଆୟୋଜିତ ଉକ୍ତ ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର‌ ପୂର୍ବତନ ସରପଞ୍ଚ ଆଶାମଣୀ ସାହୁ, କୁଲେଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଏବଂ ନୀଳାଦ୍ରିପ୍ରସାଦ ପଞ୍ଚାୟତର‌ ବହୁ ୱାର୍ଡ ସଭ୍ୟ/ସଭ୍ୟା, ବିଜେଡ଼ିର କାର୍ଯ୍ୟକର୍ତ୍ତା ଓ କୁଲେଇ ପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତା ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି।

ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭା.ଜ.ପା ପରିବାରକୁ ସ୍ବାଗତ କରିଥିଲେ ମନ୍ତ୍ରୀ ଓ ସାଂସଦ। ଏହି ମିଶ୍ରଣ ପର୍ବ ଚିଲିକା ନିର୍ବାଚନ ମଣ୍ଡଳୀ ସମେତ ଓଡ଼ିଶାରେ ‘ବିଜେପିର ବିଜୟ ସଂକଳ୍ପ’ ଯାତ୍ରାକୁ ସୁଦୃଢ଼ କରିବ ଏବଂ ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ଉଭୟ ନେତା ପ୍ରକାଶ କରିଥିଲେ।

ଏହି ମିଶ୍ରଣ ପର୍ବ ସମାରୋହରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସଂଗଠକ ଜିତେନ୍ଦ୍ର ଭୋଳ ଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ।

ସୂଚନା ଥାଉକି ଉକ୍ତ ମିଶ୍ରଣ ପର୍ବ ଫଳରେ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ବିଜେଡି ଭାଡ଼ି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିବା ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୫: ବାଣପୁରରେ ଯୋଗ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ଠାରେ ଥିବା ଇନଡୋର ଷ୍ଟାଡିୟମରେ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ଯୋଗରେ ଭାଗ ନେଇଥିଲେ।

ଅନୁରୂପ ଭାବେ ଉକ୍ତ ଶିବିରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ତହସିଲଦାର ଟି. ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ,ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ପ୍ରମୁଖ ଭାଗ ନେଇଥିଲେ।

ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳ ବାସିନ୍ଦାଙ୍କୁ ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା ଯୋଗ ଶିକ୍ଷା ଦେବା ସହ ଯୋଗର ବିଭିନ୍ନ କାର୍ଯ୍ୟକାରିତା ସମର୍କରେ ଅବଗତ କରାଇଥିଲେ। ଯୋଗ କରି ନିଜ ଶରୀର ନିରୋଗ ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କୁ ନିବେଦନ କରିବା ସହ କେବଳ ଯୋଗ ଦିବସରେ ଯୋଗ କଲେ ହେବନାହିଁ ବରଂ ପ୍ରତ୍ୟହ ଯୋଗ କରିବା ଆବଶ୍ୟକ ବୋଲି କହିଥିଲେ।

ପରିଶେଷରେ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର, ବନ୍ଧୁ ଏବଂ ସମାଜକୁ ଯୋଗକରିବାକୁ ଉତ୍ସାହିତ କରି ସୁସ୍ଥ ରହିବାକୁ ଶପଥ ପାଠ କରାଯାଇଥିଲା।

Categories
ଆଞ୍ଚଳିକ

ଖୋଲିଲା ମା’ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ କେତେ ମିଳିଲା ଦାନ ରାଶି?

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଯାଇ ହୁଣ୍ଡିରୁ ଆଦାୟ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ସହିତ ସୁନାରୂପାର କିଛି ଦ୍ରବ୍ୟ ସ୍ଥାନୀୟ ୟୁ.କୋ ବ୍ୟାଙ୍କରେ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି, ସ୍ଥାନୀୟ ତହସିଲଦାର ଟି ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର କର୍ମଚାରୀ, ସେବାୟତ ଓ ସ୍ଥାନୀୟ ପୋଲିସ୍ ଙ୍କ ଉପସ୍ଥିତିରେ ମା’ଭଗବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଭିତର ହୁଣ୍ଡି ଖୋଲିଥିଲା।

ଖୋଲାଯାଇଥିବା ହୁଣ୍ଡିରୁ ସଂଗୃହୀତ ଅର୍ଥ ଗଣତି ପରେ ୧,୧୮,୪୯୦ (ଏକ ଲକ୍ଷ ଅଠର ହଜାର ଚାରିଶହ ନବେ) ଟଙ୍କାର ନୋଟ ଏବଂ ୧୮,୯୩୮ (ଅଠର ହଜାର ନଅଶହ ଅଠତିରିଶି) ଟଙ୍କାର ମୁଦ୍ରା ସର୍ବମୋଟ ୧,୩୭,୪୨୮ (ଏକ ଲକ୍ଷ, ସତତିରିଶି ହଜାର, ଚାରିଶହ ଅଠେଇଶି) ଟଙ୍କା ସହିତ ୧ ଗ୍ରାମର ଏକ ରୂପାମୁଦ୍ରା, ୨୯୦ ମିଲିଗ୍ରାମର ଦୁଇଟି ରୂପା ଆଖି ସଂଗ୍ରହ କରାଯାଇ ମନ୍ଦିର ନାମରେ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ଜମା ଖାତାରେ ଜମା କରାଯାଇଛି।କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, ପାଳିଆ ମାଳି ସଂଜୟ ମହାପାତ୍ର ଓ ସ୍ଥାନୀୟ ପୋଲିସ୍ ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

ଶ୍ରଦ୍ଧାଳୁମାନଙ୍କ ଦାନ ଏହି ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ନୂତନ ଶ୍ରେଣୀ ଗୃହ ଉଦଘାଟନ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷ ନୂତନ ଭାବେ ଖୋଲିଥିବା ଯୁକ୍ତ ଦୁଇ ବିଜ୍ଞାନ ନୂତନ ଶ୍ରେଣୀ ଗୃହର ଉଦଘାଟନ ଉତ୍ସବ ଏବଂ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ସଭାପତି ରାଜ କିଶୋର ଭୋପାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଦ୍ୟାଳୟ ସମ୍ପାଦକ ତଥା ବରିଷ୍ଠ ଆଇନଜିବି ଶ୍ୟାମସୁନ୍ଦର ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ଯୁକ୍ତ ଦୁଇ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବାଣପୁର ଶିଶୁ ମନ୍ଦିରେ ଚଳିତ ବର୍ଷ ନୂତନ ଭାବେ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ବିଜ୍ଞାନ ପରୀକ୍ଷାଗାର ଗୃହକୁ ମନ୍ତ୍ରୀ ଉଦଘାଟନ କରିଥିଲେ।

ଚଳିତ ବର୍ଷ ବାଣପୁର ବ୍ଲକରେ ଶତକଡା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଦଶମ ଶ୍ରେଣୀର ଦୁଇଜଣ ଏବଂ ଶତକଡା ୮୫ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ଦ୍ୱାଦଶ ଶ୍ରେଣୀର ନଅ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଓ ଅତିଥିମାନେ ସମ୍ବର୍ଦ୍ଧନା ଦେବା ସହ ସେମାନଙ୍କର ଉତ୍ତୋରୋତ୍ତର କାମନା କରିଥିଲେ।

ବାଣପୁର ଶିଶୁ ମନ୍ଦିର ଆମ ପରିବାରର ଏକ ଅଂଶବିଶେଷ ବୋଲି କହିବା ସହ ଏହାର ସମସ୍ତ ଅସୁବିଧାକୁ ଦୂର କରିବା ମୋର କର୍ତ୍ତବ୍ୟ ବୋଲି ଆଇନ ମନ୍ତ୍ରୀ ବିଦ୍ୟାଳୟର କର୍ମକର୍ତ୍ତାମାନଙ୍କୁ କହିଥିଲେ।

ଅନୁରୂପ ଭାବେ ଉକ୍ତ ବିଦ୍ୟାଳରେ ଚଳିତ ଶିକ୍ଷାବର୍ଷରୁ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଯୁକ୍ତ ଦୁଇ ବିଜ୍ଞାନ ପ୍ରାରମ୍ଭ ହୋଇଥିବାରୁ ବିଦ୍ୟାଳୟର କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ପଞ୍ଚଭୂତରେ ବିଲୀନ ହେଲେ ନୌସେନା ଅଧିକାରୀ, ପୈତୃକ ଗ୍ରାମରେ ଶୋକାକୁଳ ପରିବେଶ

ବାଣପୁର: ପଶ୍ଚିମବଙ୍ଗ ସ୍ଥିତ ନୌସେନାରେ କାର୍ଯ୍ୟରତ ଦେବରାଜ ମହାରଣାଙ୍କ ପାର୍ଥିବ ଶରୀରକୁ ଆଜି ବାଣପୁର ଠାରେ ମହା ଆଡମ୍ବରରେ ବଜାର ପରିକ୍ରମା କରାଯାଇ ତାଙ୍କ ପୈତୃକ ଗ୍ରାମ ଗାଲୁଆ ଠାରେ ଅନ୍ତିମସତ୍କାର କରାଯାଇଛି। ପ୍ରକାଶ ଥାଉ କି ସ୍ବର୍ଗତ ଯୋଗେନ୍ଦ୍ର ମହାରଣାଙ୍କ ସର୍ବ କନିଷ୍ଠ ପୁତ୍ର ଥିଲେ ଦେବରାଜ। ୧୯୯୪ ମସିହାରେ ଦେଶମାତୃକାର ସେବା ପାଇଁ ସେ ନୌସେନାର ତଟରଖି ବାହିନୀରେ ଯୋଗଦେଇ ସେ ୧୯୯୪ରେ ବେଷ୍ଟ କ୍ୟାଡେଟ ଭାବେ ଚିଲିକା ସ୍ଥିତ ଆଇଏନଏସ ଚିଲିକାରେ ସମ୍ମାନିତ ହୋଇଥିଲେ। ପରେ ସେ ବିଭିନ୍ନ ଜଳ ଜାହାଜରେ ଭାରତ ମହାସାଗର ଓ ଆରବ ସାଗର ଭଳି ଜଳ ପଥରେ ଭାରତର ସୁରକ୍ଷା ପାଇଁ କାର୍ଯ୍ୟକରିଛନ୍ତି।

ସେ ଡାମନଡିଉ ମୁମ୍ବାଇ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ଚେନ୍ନାଇ ଓ କୋଲକାତା ଆଦି ସ୍ଥାନରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ପଶ୍ଚିମବଙ୍ଗର କୋଲକାତାରେ କାର୍ଯ୍ୟରତ ଥିଲେ। କିଛିଦିନ ହେବ ସେ ମଧୁମେହ ରୋଗରେ ପିଡିତ ଥିଲେ କିନ୍ତୁ ଡିଉଟିରୁ ଅବ୍ୟାହତ ନେଇ ନ ଥିଲେ। ଗତ ୬ ତାରିଖରେ ସେ କୋଲକାତାର କମାଣ୍ଡୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ। ସେଠାରେ ତାଙ୍କର ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା।

ଆଜି ତାଙ୍କର ପାର୍ଥିବ ଶରୀରକୁ ବାଣପୁରର ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଓକିଲ, ଜନ ପ୍ରତିନିଧି ଓ ଜନ ସାଧାରଣ ସାମିଲ ହୋଇ ବାଣପୁର ବିଷରପାଟଣା ଛକ ଠାରୁ ତାଙ୍କର ପୈତୃକ ଗ୍ରାମ ଗାଲୁଆ ଗ୍ରାମ ପର୍ଯନ୍ତ ନେଇଥିଲେ। ସେଠାରେ ତାଙ୍କୁ ନୌସେନାର ଅଧିକାରୀ, ବହୁ ପଞ୍ଚାୟତ ପ୍ରତିନିଧି, ବାଣପୁର ଥାନା ଅଧିକାରୀ, ଚିଲିକା ସାହିତ୍ୟ ସମାଜର ସଭାପତି ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ଓ ସଭ୍ୟମାନେ ପୁଷ୍ପମାଳ ଦେଇ ଶେଷ ସମ୍ମାନ ଜଣାଇଥିଲେ।

ଏକମାତ୍ର ପୁତ୍ର ସନ୍ଦୀପ ମହାରଣା ମୁଖାଗ୍ନୀ ଦେଇ ଥିଲେ। ପୁତୁରା ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବୀର ପୁତ୍ରକୁ ହରାଇ ବାଣପୁରରେ ଶୋକର ଛାୟା ଖେଳି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସହିଦ କୃତିବାସ ପାଟ୍ଟଶାଣୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ

ଖୋର୍ଦ୍ଧା/ବାଣପୁର: ଦୀର୍ଘ ତିନିଦିନ ଧରି ଚାଲିଥିବା ଗୌରବମୟ ବାଣପୁର ମୁକ୍ତି ଦିବସ ସମାରୋହ କବିତା ପାଠୋତ୍ସବ, ଆଲୋଚନା ଚକ୍ର ଉଦ୍‌ଯାପିତ ହୋଇଯାଇଛି। ଐତିହାସିକ ପଲଟଣ ପଡ଼ିଆର ଛାୟା ମଣ୍ଡପଠାରେ ଅପରାହ୍ନରେ ମୁକ୍ତି ଦିବସ ସ୍ମୃତିକମିଟିର ସଂପାଦକ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଆଡ଼ଭୋକେଟ୍ ମୁରଲୀଧର ସାମନ୍ତ ସିଂହାର, ଡଃ ନୃସିହଚରଣ ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ର, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ସଂଗଠକ ନନ୍ଦକିଶୋର ମିଶ୍ର, ସମାଜସେବୀ ସଂଧ୍ୟାଦେବୀ, ଅନନ୍ତଚରଣ ଖଟେଇ, କବୟିତ୍ରୀ ରୋଜାଲିନ୍ ମିଶ୍ର, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ୍ ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ବୈରାଗୀ ଚରଣ ବଳ, ମାଧବଚନ୍ଦ୍ର ବାରିକ୍, ଜୟକୃଷ୍ଣ ଦାସ, ସୁରେଶ ଚନ୍ଦ୍ର ପରୀଡ଼ା, ପ୍ରଭାତ କୁମାର ବେହେରା, ସୁଶାନ୍ତ କୁମାର ଦାସ, ବ୍ରଜକିଶୋର ଜେନା, ରମେଶ କୁମାର ମହାପାତ୍ର, ମନୋରଞ୍ଜନ ଦାଶ, ନବକିଶୋର ପ୍ରଧାନ, ଉମାକାନ୍ତ ସାହୁ, ଗାୟକ କଳାକାର ଚ଼ିରଞ୍ଚି ପରୀଡ଼ା ପ୍ରମୁଖ ଯୋଗ ଦେଇ ସହିଦ କୃତ୍ତିବାସ ପାଟ୍ଟଶାଣୀଙ୍କ ବାଣପୁରର ସ୍ଵାଧୀନତା ପାଇଁ ତ୍ୟାଗ ବଳିଦାନ ପ୍ରତି ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଐତିହାସିକ ପଲଟଣ ପଡ଼ିଆରେ ସହୀଦପାଟ୍ଟଶାଣୀଙ୍କ ଭବ୍ୟ ଅଶ୍ଵାରୋହୀ ଆପାଦ ମସ୍ତକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହିତ ପାଇକ ଶ୍ରେଷ୍ଟ ଦଳବେହେରା ଦୀନବଂଧୁ ସାମନ୍ତରାୟ ମହାରଥାଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ବାଣପୁରର ୧୮୧୭ ପ୍ରଥମ ପାଇକ ବିଦ୍ରୋହକୁ ଭାରତ ବର୍ଷର ପ୍ରଥମ ସ୍ଵାଧୀନତା ଆନ୍ଦୋଳନର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ତାହା ହିଁ ହେବ ସହୀଦଙ୍କ ପ୍ରତି ସମୁଚିତ ଶ୍ରଦ୍ଧାଞ୍ଜଳି ବୋଲି ମଞ୍ଚରେ ମତ ପ୍ରକାଶ ପାଇଥିଲା।

ସଭାର ପ୍ରାରମ୍ଭରେ ପ୍ରଥମେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ଚିଲିକା ସାହିତ୍ୟ ସମାଜର ସହ ସଂପାଦକ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ନୂତନ ବିଇଓ ଙ୍କ ଯୋଗଦାନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସନାତନ ଜାଲି (ଓଇଏସ) ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ଜାଲି ଏହା ପୁର୍ବରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେମୋରିଆଲ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ପୁର୍ବରୁ ବାଣପୁର ବିଇଓ ଭାବେ ମଧ୍ୟ କାର୍ଯ୍ୟରତ ଥିବାବେଳେ ଦକ୍ଷତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ।

ତେବେ ସାଧାରଣ ନିର୍ବାଚନ ପୁର୍ବରୁ ତାଙ୍କର ବ୍ରହ୍ମପୁରକୁ ବଦଳି ହୋଇଥିଲା। ଆଜି କାର୍ଯ୍ୟରେ ଯୋଗଦାନ କରିବା ପରେ ତାଙ୍କୁ ସମସ୍ତ କର୍ମଚାରୀ, ସିଆରସିସି, ବିଆରସିସି ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଭେଟି ସ୍ୱାଗତ କରିଥିଲେ।

ତେବେ ବାଣପୁର ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ହୋଇଥିବାବେଳେ ସରକାରଙ୍କ ନୂତନ ଶିକ୍ଷାନୀତିକୁ ଆଗାମୀ ଦିନରେ କିପରି ସଠିକ ଭାବେ ଏଠାରେ ଲାଗୁ କରାଯିବା ସହ ବ୍ଲକ ଓ ଏନଏସି ରେ ଅବସ୍ଥିତ ସମସ୍ତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରାଯିବ ସେଦିଗରେ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସ୍କୁଲ ଖୋଲିବାକୁ ଆଉ ଦିନ କେଇଟା ବାକିଥିବା ବେଳେ ନୂତନ ଶିକ୍ଷାବର୍ଷରେ ଛାତ୍ର ଛାତ୍ରୀ ମାନେ କିପରି ସୁରୁଖୁରୁରେ ପାଠପଢିବେ ସେ ଦିଗରେ ସେ ଯତ୍ନବାନ ହେବେ ବୋଲି ମଧ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମୁକ୍ତି ଦିବସ ପାଳିତ, ବିପ୍ଲବୀ କୃତିବାସ ପାଟଶାଣିଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାଣପୁର: ଏହି ତିନିଦିନ ବାଣପୁର ମୁକ୍ତି ଦିବସ। ପ୍ରତ୍ୟେକ ବାଣପୁର ବାସୀଙ୍କ ପାଇଁ ଏହି ତିନିଦିନ ଗର୍ବ ଆଉ ଗୌରବର ଦିନ। ୧୮୩୬ ମସିହା ଜୁନ୍ ପହିଲାରେ ଅରାଙ୍ଗଗଡ଼ର ଦଳବେହେରା କୃତ୍ତିବାସ ପାଟ୍ଟଶାଣି ଏହି ଦିନ ଶତାଧିକ କନ୍ଧ ପାଇକ ଓ ସାନସିରେଇ ପୁର, ଭାପୁର, ବାଁଳୋଇ, ସାହାସପୁର, ବୋରିଗାଁ, ବେତୁଲି, ଭେଟେଶ୍ଵର ଇତ୍ୟାଦି ଗ୍ରାମର ଶତଶତ ପାଇକସେନାଙ୍କୁ ସାଥିରେ ନେଇ ଐତିହାସିକ ପଲଟଣ ପଡ଼ିଆରେ ଥିବା ବ୍ରିଟିଶ ବାହିନୀ ଉପରେ ଆକ୍ରଣ କରି ଖଜଣାଖାନା ଲୁଟ୍, ବାଣପୁର ଥାନାପୋଡ଼ି କରି ବ୍ରିଟିଶ୍ ବାହିନୀକୁ ଏଠାରୁ ତଡ଼ି ବାଣପୁରକୁ ବ୍ରିଟିଶ୍ ଶାସନ ମୁକ୍ତ କରି ସ୍ଵାଧୀନତା ଘୋଷଣା କରିଥିଲେ। ବିପ୍ଲବୀ କୃତ୍ତିବାସଙ୍କ ଏହି ଦୁର୍ବାର ବିପ୍ଲବ ବ୍ରିଟିଶ୍ ଶାସକଙ୍କ ହୃଦକମ୍ପନ ସୃଷ୍ଟି କରି ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା ଯାହା ପରାଧୀନଭାରତ ବର୍ଷର ଏକ ଅନନ୍ୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଉକ୍ତ ତିନିଦିନ ବାଣପୁର ବାସୀଙ୍କ ପାଇଁ ମୁକ୍ତି ଦିବସ ଭାବରେ ବାଣପୁର ଇତିହାସ ପୃଷ୍ଟାରେ ଲିପି ବଦ୍ଧ ହୋଇ କାଳକାଳକୁ ସ୍ମରଣୀୟ ଦିବସ ଭାବରେ ରହିଛି ଓ ରହିଥିବ ମଧ୍ୟ। ସେହି ଦେଶପ୍ରେମୀ ବୀରପୁଙ୍ଗବ ଶେଷରେ ଦେଶ ଦ୍ରୋହୀ ଙ୍କ ପ୍ରରୋଚନାରେ ବ୍ରିଟିଶ୍ ହାତରେ ଧରାପଡ଼ି ପ୍ରଥମେ ଜେଲ୍ ତାପରେ କଳାପାଣି ଦଣ୍ଡ ଭୋଗି ସୁଦୂର ଆଣ୍ଡାମାନ ଦ୍ଵୀପରେ ଥିବା ସେଲୁଲାର୍ ଜେଲ୍ ରେ ପ୍ରାଣତ୍ୟାଗ କରି ମା’ମାଟିର ସ୍ଵାଧୀନତା ପାଇଁ ବଳିଦାନ ଦେଇ ସହିଦ ହୋଇଥିଲେ। ସେହି ବୀରବିପ୍ଲବୀଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ
କରାଯାଇଥିଲା।

ମୁକ୍ତି ଦିବସ ସ୍ମୃତି କମିଟିର ସଂପାଦକ ବାଳମୁକୁନ୍ଦଦାସଙ୍କ ସହିତ ସାହିତ୍ୟସିନ୍ଦୁରାର ଆବାହକ ଗୋଲକ ବିହାରୀ ପରୀଡା,ପାଇକ କବି କୃଷ୍ଣଚନ୍ଦ୍ରପାଠାଗାରର ସଭାପତି ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଐତିହାସିକ ପଞ୍ଚୁଦୋଳଯାତ୍ରା କମିଟିର ସଂପାଦକ ମାଧବଚନ୍ଦ୍ର ବାରିକି, ସହ ସଂପାଦକ ଜୟକୃଷ୍ଣ ଦାସ, ଚିଲିକା ସାହିତ୍ୟ ସମାଜର ଉପଦେଷ୍ଟା ରବୀନ୍ଦ୍ରନାଥ ମାନସିଂ, ଶିକ୍ଷାବିତ୍ ଶିଶିର କୁମାର ଦାସ, କବି ବି.ଦିଗାମ୍ବର ,ପତ୍ରକାର ଅଶୋକ କୁମାର ପାଇକରାୟ, ପୃଷ୍ଠଭୂମୀର ସଂପାଦକ ବ୍ରଜକିଶୋର ଜେନା, ଅଧ୍ୟାପକ ଗୋଲକ ବିହାରୀ ସାହୁ ପ୍ରମୁଖ ସହୀଦ କୃତ୍ତିବାସ ପାଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପଞ୍ଚାୟତ ସମିତି ସାଧାରଣ ବୈଠକରେ ଯୋଗଦେଲେ ଆଇନ ମନ୍ତ୍ରୀ

ବାଣପୁର: ଶୁକ୍ରବାର ଦିନ ବାଣପୁର ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକରେ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ,ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ,ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ମନରେଗା ଓ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଆଗମୀ ଦିନରେ ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ଆମ୍ଭ ବାଣପୁର ଅଞ୍ଚଳରେ ଚାଷୀଙ୍କୁ ଉତ୍ସାହିତ ଓ ତାଲିମ୍ ପ୍ରଦାନ କରି ଆଳୁ ଚାଷ ନିମନ୍ତେ ଉଦ୍ୟମ କରିବା ପାଇଁ ଆଗମୀ ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ମହୋଦୟ ନିର୍ଦ୍ଦେଶ ଦେଇଥିଲେ।

ଚାଷୀଙ୍କ ଉତ୍ପାଦିତ ଖାଦ୍ୟଶସ୍ୟର ରପ୍ତାନୀ ବୃଦ୍ଧି କରିବା, ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହିତ ଅଭାବୀ ବିକ୍ରିକୁ ରୋକିବାର ଲକ୍ଷ୍ୟ ନେଇ ବାଣପୁର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି।ବାଣପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଗେଣ୍ଡୁଫୁଲ, ମଲ୍ଲୀ ଫୁଲ ଚାଷ ପାଇଁ ଉପଯୁକ୍ତ ତାଲିମ୍ ପ୍ରଦାନ ସହ ଉନ୍ନତ ପ୍ରଣାଳୀରେ ଚାଷ ପାଇଁ ପ୍ରତ୍ୟେକ ଚାଷୀ ମାନଙ୍କୁ ପରାମର୍ଶ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକ ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ଜିଲ୍ଲାପରିଷଦ ସଭ୍ୟାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୩ ଗିରଫ

ବାଣପୁର/ବାଲୁଗାଁ: ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧିକ୍ଷକ କ୍ଷେତ୍ରମୋହନ ଜଗଦୀଶ ଚନ୍ଦ୍ର ପେରେରେଙ୍କ ତତ୍ୱବାଧାନରେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ, ଉପ ନିରୀକ୍ଷକ ଅମରେନ୍ଦ୍ର ଶତପଥି, ଜିଲ୍ଲା ଭ୍ରାମ୍ୟମାଣ ଉପ ନିରୀକ୍ଷକ ସୁଜିତ କୁମାର ନାଗ ଜିଲ୍ଲା ପୋଲିସ ଫୋର୍ସ, ବାଣପୁର ପୋଲିସ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ କୋଶରଡ଼ା ଓ ଶାଳିଆଡ୍ୟାମ ଅଞ୍ଚଳରେ ଚଢ଼ାଉ କରି ୭୦୦୦ ଲିଟର ମହୁଲ ପୋଚ, ୨୦୦୦ ଲିଟର ଦେଶୀମଦ ଓ ବ୍ୟବହୃତ ସାମଗ୍ରୀ ସବୁ ନଷ୍ଟ କରାଯାଇଛି। ଏହାପରେ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ୩୦୭ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବାସହ ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ କୃଷ୍ଣ ମୋହନ ସାହୁ, ଗୀତାଞ୍ଜଳି ସାହୁ ଓ କିଶୋର ସାହୁ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।

ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ସୁନିତା ମହାରଣା,ସଞ୍ଜୟ କୁମାର ସୁବୁଦ୍ଧି,ଏଏସଆଇ ସଞ୍ଜୟ କୁମାର ରାଉତ,ମୀନକେତନ ମହାଳିକ,କନେଷ୍ଟବଳ ଅଶେଷ ପ୍ରଧାନ,ରଞ୍ଜିତ ପଟେଲ,ମନୋଜ କୁମାର ଜୟସିଂ,ବିକାଶ କୁମାର ରାଉତ,ସସ୍ମିତା ସେଠୀ,କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସନ୍ଦେହଘେରରେ ବାଣପୁର ଏନଏସି ସ୍ବଚ୍ଛସାଥୀଙ୍କ ମୃତ୍ୟୁ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ଏନଏସି କାର୍ଯ୍ୟାଳୟରେ ସ୍ୱଚ୍ଛସାଥି ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ କୋଟବିଦ୍ୟାଧରପୁର ଗ୍ରାମର କୋଠଘରେ ମିତା ବାରିକ (୩୧) ନାମକ ମହିଳା ଭଡ଼ାସୂତ୍ରରେ ରହୁଥିଲେ। ସେ ଉକ୍ତ ଗ୍ରାମର ତ୍ରିଲୋଚନ ପରିଡ଼ାଙ୍କୁ ୧୨ ବର୍ଷ ତଳେ ବିବାହ କରିଥିବାବେଳେ ସ୍ୱାମୀ ତ୍ରିଲୋଚନ ବିଦେଶରେ କାମ କରୁଛନ୍ତି। ମିତା ବାଣପୁର ଏନଏସି କାର୍ଯ୍ୟାଳୟରେ ସ୍ୱଚ୍ଛସାଥି ଭାବେ କାର୍ଯ୍ୟରତ ଥିବାବେଳେ ଗତକାଲି ସଂନ୍ଧ୍ୟାରେ ଭଡାରେ ରହୁଥିବା କୋଠଘରେ ନିଜ ଚୁନିରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ।

ତେବେ ଏ ନେଇ ମିତାଙ୍କ ମାତା ଶାନ୍ତିଲତା ବାରିକ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେସ ନମ୍ବର ୧୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେବେ ମୃତ ମିତାଙ୍କ ମାତା ଶାନ୍ତିଲତା ଆର୍ଥିକ ଅନଟନ ଲାଗି ମିତା ଆତ୍ମହତ୍ୟା କରିଥିବା ଏତଲାରେ ଲେଖିଥିବା ବେଳେ ତାଙ୍କର ମୃତ୍ୟୁ ସନ୍ଦେହଘେରରେ ଅଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ସୂଚନା ଥାଉକି ମୃତ ମିତାଙ୍କ ଦୁଇ ଗୋଟି ସନ୍ତାନ ଅଛନ୍ତି।