Categories
ଆଞ୍ଚଳିକ

ଚିଲିକାରେ ବିଜେପିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ଼ ସୋ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର‌‌ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବଙ୍କ ପୀଠରେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ ଏବଂ ତା’ପରେ ଚ଼ଣ୍ଡେଶ୍ବର ପଞ୍ଚାୟତ, କଳକଳେଶ୍ବର ପଞ୍ଚାୟତ, ଜରିପଡ଼ା ପଞ୍ଚାୟତ‌ରେ ଜନସମ୍ପର୍କ ପଦଯାତ୍ରା କରିଥିଲେ।

ଏହି ପଦଯାତ୍ରାରେ ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପାନୀୟ ଜଳ ସମସ୍ୟାର ସମାଧାନ, ଚ଼ିଲିକାର‌ ପୁନରୁଦ୍ଧାର, ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ କୃଷି, ମତ୍ସ୍ୟ ପ୍ରକିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର ବିକାଶ କରି ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି ଜମିକୁ ପାଣି, ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭାଜପା ଲୋକସଭା ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଚ଼ିଲିକାର ସାମୁଦ୍ରିକ ମୁହାଣ ଖନନ, ନଳଘାସ ଦମନ ଇତ୍ୟାଦି କାର୍ଯ୍ୟ କରି ଚ଼ିଲିକାରେ ମତ୍ସ୍ୟ ଉତ୍ପାଦନ ବହୁ ଗୁଣିତ କରିବା ସଙ୍ଗେ ସଙ୍ଗେ ଚ଼ିଲିକା ଚ଼ାରିକଡ଼େ ରିଙ୍ଗ ବନ୍ଧ‌‌ ଓ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତତସହିତ ଚ଼ିଲିକାକୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ‌ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।

ଏହି ପଦଯାତ୍ରାରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷ‌ ଜ୍ୟୋସ୍ନା ବେହେରା, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ଚ଼ଣ୍ଡେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ‌,କଳକଳେଶ୍ବର ପଞ୍ଚାୟତର ସରପଞ୍ଚ ଜ୍ୟୋସ୍ନାରାଣୀ ଜେନା, ସମିତିସଭ୍ୟ ସବିତା ବିଶ୍ବାଳ, ଜରିପଡ଼ା ପଞ୍ଚାୟତ‌ର ସରପଞ୍ଚ ଦିପୁନା କୁମାରୀ ସାହୁ, ସମିତିସଭ୍ୟ ମନୋରମା ବେହେରା, ମାନସିଂହପୁର ପଞ୍ଚାୟତର ସରପଞ୍ଚ କାମିନୀ ବେହେରା, ସୋରଣ ପଞ୍ଚାୟତର‌ ସରପଞ୍ଚ ଶେଷଦେବ ବେହେରାଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ୧ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଡିପି: ସେକ କୌସରଙ୍କୁ ମିଳିଲା ଟିକେଟ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବିଧାନସଭା କ୍ଷେତ୍ରରେ ପ୍ରମୁଖ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡ଼ି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଟିକେଟ ମିଳିଥିବା ବେଳେ ବିଜେପି ପକ୍ଷରୁ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପ୍ରାର୍ଥୀ କରାଯାଇଛି। ସେହିଭଳି ପ୍ରଦୀପ କୁମାର ସ୍ଵାଇଁଙ୍କୁ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ କରିଛି।

ଏହି ତିନି ଦଳ ପକ୍ଷରୁ ପୁରୁଖା ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ତେବେ ଜନତା ଦରବାର ପାର୍ଟି ପକ୍ଷରୁ ମଧ୍ୟ ଚିଲିକା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି। ସେକ କୌସରଙ୍କୁ ଜେଡିପି ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି। ଦଳୀୟ ଟିକେଟ ନେଇ ସେକ କୌସର ଖୁସି ବ୍ୟକ୍ତ କରିଥିବା ବେଳେ ଜନତା ଦରବାର ପାର୍ଟି ରାଜ୍ୟ ସଭାପତି ପର୍ଶୁରାମ ବିଶ୍ୱାଳଙ୍କୁ ସେ କୁତଜ୍ଞତା ଜଣାଇଛନ୍ତି।

ଚିଲିକା ନିର୍ବାଚନ ମଣ୍ଡଳୀରେ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ସେକ୍ କହିଛନ୍ତି। ଏହା ସହ ପ୍ରତିଟି ଜନସାଧାରଣଙ୍କ ନିକଟତର ହୋଇ ଭୋଟରଙ୍କ ନିକଟକୁ ଯାଇ ଦଳୀୟ ଚିହ୍ନ ‘ହକି ବଲ’ ରେ ଭୋଟ ଦେବାକୁ ଅନୁରୋଧ କରିବେ ବୋଲି ସେକ କୌଶର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ କିଏ ହେବ ବିଜେପିର ବିଧାୟକ ପ୍ରାର୍ଥୀ?, ବଢୁଛି ଆଶାୟୀଙ୍କ ସଂଖ୍ୟା

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ୨୩ ଗୋଟି ପଞ୍ଚାୟତ ଏବଂ କୋଦଳା ଏନ୍ ଏ ସି , କବିସୂର୍ଯ୍ୟନଗର ଏନ୍ ଏ ସି ଏବଂ କବିସୂର୍ଯ୍ୟନଗର ବ୍ଲକ୍ ର ୯ ଗୋଟି ଏବଂ ପୁରୁଷୋତ୍ତମପୁର ବ୍ଲକ୍ ର ୧୧ ଗୋଟି ପଞ୍ଚାୟତକୁ ନେଇ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଗଠିତ। ଆସନ୍ତା ୨୦୨୪ ବିଧାନସଭା କ୍ଷେତ୍ର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ମାନଙ୍କୁ ଯୋଗାଡ଼ କରି ସଂଗଠନରେ ଲାଗିପଡିଥିବାର ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ୪ ଜଣଙ୍କ ନା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ଗହଳିର ଚା ଖଟି ଠାରୁ ଆରମ୍ଭ କରି ବ୍ଲକ୍ ହେଡ୍ କ୍ୱାଟର ପର୍ଯ୍ୟନ୍ତ ଜନସାଧାରଣ ମାନେ ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛି! ଗୋଟିଏ ପଟେ ପ୍ରତାପ ନାୟକ ବେଶ୍ ସକ୍ରିୟ ରହି ନିର୍ବାଚନ ମଣ୍ଡଳୀ ଭିତରେ ନିଜର ଦବ୍ ଦବା ଜାହିର୍ କରି ଦଳୀୟ ସଂଗଠନକୁ ସୁଦୃଢ଼ କରୁଥିବା ବେଳେ ଅନ୍ୟପଟେ ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ରଞ୍ଜନ ପୋଲାଇ ମଧ୍ୟ ନିଜର ସମର୍ଥକ ଏବଂ କର୍ମୀ ମାନଙ୍କୁ ନେଇ ନିଜ ସପକ୍ଷରେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି।

ଏଥିସହିତ ବିଜେପିର ଉପର ମୁଣ୍ଡରେ ରଞ୍ଜନଙ୍କ ବେଶ୍ ସୁସମ୍ପର୍କ ଥିବା ମଧ୍ୟ ଶୁଣିବାକୁ ମିଳୁଛି। ନୂଆଁ ନୂଆଁ ରାଜନୀତିରେ ପାଦ ଦେଇ ବିଜେଡ଼ି ବିଧାୟିକା ଲତିକା ପ୍ରଧାନଙ୍କୁ ଚେକ୍ ଦେଇ କୋଦଳା ଏନ୍ ଏ ସି ଅଧ୍ୟକ୍ଷ ପଦବୀ ହାସଲ କରିଥିବା ସୂର୍ଯ୍ୟନାରାୟଣ ନାୟକ ମଧ୍ୟ ବିଧାୟକ ପ୍ରାର୍ଥୀ ପାଇଁ ଭୁବନେଶ୍ଵର ଦଳୀୟ କାର୍ଯ୍ୟାଳୟରେ ଲବି ଆରମ୍ଭ କରୁଥିବାର ତାଙ୍କର ସମର୍ଥକମାନେ କୁହାକୁହି ହେଉଛନ୍ତି।

ଅନ୍ୟପଟେ ଆଠଗଡ଼ ପାଟଣା ଅଞ୍ଚଳର ଝିଅ ଏବଂ ବେଗୁନିଆପଡ଼ା ଅଞ୍ଚଳର ବୋହୂ ସମାଜସେବୀ ତଥା ବିଜେପି ନେତ୍ରୀ ଭାବରେ ସୁପରିଚିତା ମୀରାବାଈ ଦେଓ ମଧ୍ୟ ପ୍ରାର୍ଥୀ ହେବା ପାଇଁ ସଜବାଜ ହେଉଥିବାର ତାଙ୍କ ନିକଟ ତମ ସୂତ୍ରରୁ ଜଣାପଡିଛି।

ଏହି ନିର୍ବାଚନମଣ୍ଡଳୀ ରେ ମହିଳା ସଂଗଠନର ବହୁ ଭୋଟ୍ ମୀରାଙ୍କ ସପକ୍ଷରେ ଥିବା ପ୍ରଚାର ଚାଲିଛି। ଦେଖାଯାଉ ଦଳ କାହା ଉପରେ ଭରସା କରି କାହାକୁ ଟିକଟ ଦେଉଛି ତାହା ଦେଖବାକୁ ବାକି ରହିଲା।

ଅପର ପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତା ତାଙ୍କୁ ଯଦି ବିଜେଡି ପକ୍ଷରୁ ଟିକଟ ନ ମିଳେ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ: ଆଶ୍ରିତ ପଟ୍ଟନାୟକ ହେଲେ ବିଜେପିର ବିଧାୟକ ପ୍ରାର୍ଥୀ

ଭୁବନେଶ୍ଵର: ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି ପକ୍ଷରୁ ନିର୍ବାଚନ ଲଢିଥିଲେ।

ତେବେ ବିଜେପି ପ୍ରଥମ ଦଳ ଭାବେ ପିପିଲି ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଚୟନ ହୋଇନାହିଁ। ବିଜେଡ଼ି ତରଫରୁ ମହାରଥୀ ପରିବାରରୁ ପ୍ରାର୍ଥୀ ହେବେ ନା ଅନ୍ୟ କାହାକୁ ଟିକେଟ ମିଳିବ। ତାହା ଏବେ ଦେଖିବା ବାକି ରହିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ କାଶୀନାଥ ବେହେରା

ପିଣ୍ଟୁ ବିଷୋୟୀ

ଖଲ୍ଲିକୋଟ: କଂଗ୍ରେସ ବିଧାୟକ ପ୍ରାର୍ଥୀ କାଶୀନାଥ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୦୯ରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ଶ୍ରୀ ବେହେରା।

୧୯୮୦ ମସିହାରେ ଶ୍ରୀ ବେହେରା କଂଗ୍ରେସରେ ଯୋଗଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦଳର କାର୍ଯ୍ୟକ୍ରମରେ ଓତଃପ୍ରାତ ଭାବେ ଜଡିତ ଥାଇ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ଶ୍ରୀ ବେହେରା।

ସେ ୨୦୦୭ ମସିହାରେ ବେଗୁନିଆପଡା ବ୍ଲକ ଜିଲ୍ଲା ପରିଷଦ ଜୋନ-୪୬ ରୁ କଂଗ୍ରେସ ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨ ହଜାର ଭୋଟ ପାଇଥିଲେ।

ତେବେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସ ଦଳରେ ଆଉ ରହିବାକୁ ଚାଁହୁନଥିବା ଏକ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି। ଏଥିସହ ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ଏକ ଚିଠି ମାଧ୍ୟମରେ ପିସିସି ସଭାପତିଙ୍କୁ ଜଣାଇଛନ୍ତି। ତେବେ ଆଗାମୀ ଦିନରେ ଶ୍ରୀ କାଶୀନାଥ ବେହେରା କେଉଁ ଦଳକୁ ଯିବେ ତାହା ଦେଖିବାକୁ ବାକି ରହିଲା।