Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ୧୯୯୯ ମହାବାତ୍ୟା ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ମୂଲ୍ୟବାନ ଜୀବନକୁ ଆମେ ମନେ ପକାଉଛୁ। ସେବେଠାରୁ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସୁରକ୍ଷିତ ରଖିବା ଦିଗରେ ଆମେ ଉଲ୍ଲେଖନୀୟ କାର୍ଯ୍ୟକରିଛୁ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମ ରାଜ୍ୟ ଏବେ ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ମଡେଲ୍ ହୋଇଛି ବୋଲି ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସଡିଏମଏ) ଙ୍କ ଦ୍ଵାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଭିଡିଓ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମର ପ୍ରଭାବଶାଳୀ ବିପର‌୍ୟ୍ୟୟ ପରିଚାଳନା ପ୍ରୟାସକୁ ସବୁ ସ୍ତରରେ ବ୍ୟାପକ ପ୍ରଶଂସା ମିଳିଛି। ଓଡ଼ିଶାକୁ ଭାରତ ସରକାର ୨୦୨୩ ମସିହା ପାଇଁ ସମ୍ମାନଜନକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଛନ୍ତି।

ଚଳିତ ବର୍ଷ ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗାଠାରେ ଘଟିତ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ତ୍ଵରିତ ସମସ୍ତ ଜରୁରୀକାଳୀନ ସେବା ପ୍ରଦାନ ପୂର୍ବକ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ଅନେକ ମୁଲ୍ୟବାନ ଜୀବନ ବଞ୍ଚାଯାଇ ପାରିଥିଲା।

ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ପଞ୍ଚାୟତିରାଜ ସଦସ୍ୟ , ଓଡ୍ରାଫ, ଅଗ୍ନିଶମ ସେବା, ଏନଡିଆରଏଫ ଏବଂ ଡାକ୍ତରମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁ ଆମେ ଅନେକ ଲୋକଙ୍କ ଜୀବନ ବଞ୍ଚାଇପାରିଛୁ। ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ୪ଟି ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଚଳିତ ବର୍ଷ ‘ଓଡ଼ିଶା ବିପର‌୍ୟ୍ୟୟ ପ୍ରସ୍ତୁତି ଦିବସ’ର ବିଷୟବସ୍ତୁ ହେଉଛି ‘ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା ‘। ଯେ କୌଣସି ବିପର୍ଯ୍ୟୟ ପରିସ୍ଥିତିରେ ଆମର ଗୋଷ୍ଠୀ ହିଁ ପ୍ରଥମ ଉଦ୍ଧାରକାରୀ। ପଞ୍ଚାୟତିରାଜ ଅନୁଷ୍ଠାନ ସ୍ତରରେ ବିପର‌୍ୟ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି।

ଗୋଷ୍ଠୀ ସମୂହକୁ ଶକ୍ତିଶାଳୀ କରିବା ପାଇଁ ୧୦ ହଜାରରୁ ଅଧିକ ସମ୍ବେଦନଶୀଳ ଗ୍ରାମରେ ବିପର‌୍ୟ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବ। ସୁଦୃଢ଼ ଭିତ୍ତିଭୂମିକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ବିପର୍ଯ୍ୟୟ ପରିଚାଳନା ଉଦ୍ଦେଶ୍ୟରେ ଭିତ୍ତିଭୂମି ସୃଷ୍ଟି ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ସହ ବିଭିନ୍ନ ବିପର୍ଯ୍ୟୟ ପାଇଁ ରାଜ୍ୟବ୍ୟାପୀ ରିସ୍କ ମ୍ୟାପିଂ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆମର ବିପର୍ଯ୍ୟୟ ପରିଚାଳନା ପଦକ୍ଷେପକୁ ସୁଦୃଢ଼ ଏବଂ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ, ଓ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅଧ୍ୟକ୍ଷତା କରି କହିଥିଲେ ଯେ, ୨୯ ଅକ୍ଟୋବର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ୧୯୯୯ ମସିହା ଏହି ଦିନରେ ଘଟିଥିବା ପ୍ରଳୟଙ୍କରୀ ମହାବାତ୍ୟାରୁ ଆମେ କିପରି ଆଗାମୀ ଦିନରେ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବୁ , ସେଥିପାଇଁ ସଙ୍କଳ୍ପବଦ୍ଧ ହୋଇଥିଲୁ।

ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ନିର୍ମାଣ, ନଦୀ ଓ ଲୁଣାବନ୍ଧଗୁଡିକର ସୁଦୃଢୀକରଣ, ରାଜ୍ୟରେ ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥାରେ ଉନ୍ନତି , ଓଡ୍ରାଫ ଓ ଅଗ୍ନିଶମ ବାହିନୀମାନଙ୍କର ଦକ୍ଷତା ବୃଦ୍ଧି , ରାଜ୍ୟରୁ ଆରମ୍ଭକରି ଗ୍ରାମ୍ୟସ୍ତର ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି, ଗୋଷ୍ଠୀସ୍ତରୀୟ ସ୍ଵେଚ୍ଛାସେବୀମାନଙ୍କର ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି , ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିପର‌୍ୟ୍ୟୟ ପରିଚାଳନା ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରିବା , ସବୁସ୍ତରରେ ବିପର୍ଯ୍ୟୟ ସଚେତନତା ଓ ଦକ୍ଷତା ବୃଦ୍ଧି, ବିଭିନ୍ନ ବିପର‌୍ୟ୍ୟୟ ପାଇଁ ନିୟମିତ ମକ ଡ୍ରିଲ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୨୪ ଘଣ୍ଟିଆ ଜରୁରୀକାଳୀନ ପରିଚାଳନା କକ୍ଷଗୁଡିକର କାର୍ଯ୍ୟକ୍ଷମ ରହିବା, ବିପର୍ଯ୍ୟୟ କ୍ଷତିଗ୍ରସ୍ତଙ୍କୁ ସମୟମୁତାବକ ତ୍ୱରିତ ସହାୟତା ପ୍ରଦାନ ଇତ୍ୟାଦି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଥିଲେ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଯେ କୌଣସି ପ୍ରକାର ବିପର୍ଯ୍ୟୟରେ ଧନ ଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ନିଜର ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର‌୍ୟ୍ୟ କରିବା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ କାର‌୍ୟ୍ୟରତ କର୍ମଚାରୀ, ବ୍ୟକ୍ତିବିଶେଷ,ଅନୁଷ୍ଠାନ ଓ ସହଯୋଗୀ ଦଳମାନଙ୍କୁ ସାହାଯ୍ୟ କରିବା, ଲୋକମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଓ ବିପର‌୍ୟ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ବୃଦ୍ଧି କରିବାକୁ ପ୍ରଚେଷ୍ଟା କରିବାକୁ ଶପଥପାଠ କରାଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ୧୯୯୯ ମହାବାତ୍ୟା ଓ ପରବର୍ତ୍ତୀ ବିଭିନ୍ନ ସମୟରେ ସଂଘଟିତ ବାତ୍ୟାଅନୁଭୁତିରୁ ଶିକ୍ଷାଲାଭ କରି ଆଜି ଓଡ଼ିଶା କିପରି ଏହାର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ ଓ ସଂସ୍ଥାଗତ କ୍ଷମତା ବୃଦ୍ଧି କରିପାରିଛି , ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଉକ୍ତି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଆଧାରରେ ରାଜ୍ୟ ସରକାର ଶୂନ ମୃତୁସଂଖ୍ୟା ( ଜିରୋ କାଜୁଆଲିଟି)କୁ ଗୁରୁତ୍ୱ ଦେଇ ବିପର୍ଯ୍ୟୟ ମୁକାବିଲାରେ ଆଶାଜନକ ସଫଳତା ହାସଲ କରିଥିବା ସେ କହିଥିଲେ। ଗୋଷ୍ଠୀଗତ ସହଭାଗିତା ଉପରେ ଗୁରୁତ୍ୱାରୋପ କରି ଆଗାମୀ ଦିନରେ ଓଡ଼ିଶାବାସୀ ଯେକୌଣସି ବିପତ୍ତିର ମୁକାବିଲା କରିବାରେ ସଫଳ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଅଧୂନା ବିପର‌୍ୟ୍ୟୟ ପରିଚାଳନା ରୂପରେଖରେ ବ୍ୟାପକ ପରିବର୍ତ୍ତନ ହୋଇଛି। ସରକାର ବର୍ତ୍ତମାନ ବନ୍ୟା , ବାତ୍ୟା ମୁକାବିଲା ସହିତ ବଜ୍ରପାତ, ସାପକାମୁଡ଼ା , ପାଣିରେ ବୁଡ଼ି ମରିବାସଂଖ୍ୟା ହ୍ରାସ କରିବା ପାଇଁ ଉଦ୍ୟମ କରୁଛନ୍ତି। ସୁନାମୀ ପ୍ରଭାବ ହ୍ରାସ ପାଇଁ ହେନ୍ତାଳ ବନର ସୁରକ୍ଷା ଓ ବ୍ୟାପକତା, ବଜ୍ରପାତ ପ୍ରଭାବ ହ୍ରାସ ପାଇଁ ତାଳ ବୃକ୍ଷ ଚାରା ରୋପଣ ଆଦି ଉପରେ ଗୁରୁତ୍ୱ ଦିଆଯାଉଥିବା ସମର୍କରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ଵବ୍ୟାଙ୍କ, ଭାରତ ଶାଖାର ନିର୍ଦ୍ଦେଶକ ଅଗସ୍ତେ ଟାନୋ କୌଆମେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ଓଡିଶାରେ ବିପର୍ଯ୍ୟୟ ମୁକାବିଲା ପାଇଁ ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଶ୍ୱବ୍ୟାଙ୍କ ସବୁବେଳେ ଓଡିଶାକୁ ସହଯୋଗ ଦେଇ ଆସୁଥିବା ସେ ପ୍ରକାଶ କରିଥିଲେ।

ଓଏସଡିଏମଏର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ରାଜ୍ୟରେ ବିପର‌୍ୟ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ୧୯୯୯ ମହାବାତ୍ୟା, ପରବର୍ତ୍ତୀ ପ୍ରାକୃତିକ ବିପର‌୍ୟ୍ୟୟ ଓ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଓଡିଶାର ବିପର୍ଯ୍ୟୟ ପରିଚାଳନାରେ ଆଜି ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଉପରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବା ସହ ଓଏସଡିଏମଏର ବାର୍ଷିକ ସମ୍ବାଦ ପତ୍ରିକା ଦି ରେସପନ୍ସ, ଓଡିଶାର କୋଭିଡ-୧୯ ବିଶ୍ୱ ମହାମାରୀ ପରିଚାଳନା ଉପରେ କରାଯାଇଥିବା ସମୀକ୍ଷା ରିପୋର୍ଟ,୨୦୨୩ ମସିହାରେ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବର ବିଭିନ୍ନ ଦିଗ ଉପରେ ପ୍ରକାଶିତ ବିବରଣୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଓଏସଡିଏମଏ ଦ୍ୱାରା ବିକଶିତ ଦୁଇଟି ଓ୍ୱେବ୍ ପୋର୍ଟାଲ (ଓଏନଡିଆରଏନ୍ ଏବଂ ସାମର୍ଥ) ଶୁଭ ଉନ୍ନୋଚନ କରାଯାଇଥିଲା। ଏହି ଉପଲକ୍ଷେ ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡିଶା ସଂପର୍କିତ ସଚେତନତା ଦସ୍ତଖତ ଅଭିଯାନ ଆୟୋଜିତ ହୋଇଥିଲା।

ରାଜ୍ୟସ୍ତରୀୟ ପ୍ରାଥମିକ ସହାୟତା ଏବଂ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ ବିଜେତା ଟାସ୍କଫୋର୍ସ ମାନଙ୍କୁ, ୨୦୨୩ ମସିହା ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ଶ୍ରେଷ୍ଠ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳର ପ୍ରତିନିଧି, ରେଡକ୍ରସ ଓଡିଶା ଶାଖା ଦ୍ୱାରା ପରିଚାଳିତ ଶ୍ରେଷ୍ଠ ଆଶ୍ରୟସ୍ଥଳର ପ୍ରତିନିଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ଜିଲ୍ଲା, ପଂଚାୟତ ସମିତି,ଗ୍ରାମ ପଂଚାୟତ, ପୌରାଂଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା।

ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଓଡ୍ରାଫ୍, ଏନଡିଆରଏଫ୍, ଓଡିଶା ଅଗ୍ନିଶମ ବାହିନୀ, ସିଭିଲ୍ ଡିଫେନ୍ସ, ଭାରତୀୟ ରେଡକ୍ରସ୍ ଓଡିଶା ଶାଖାର ଅଧିକାରୀ ଓ ସ୍ୱେଚ୍ଛାସେବୀ, ବହୁମୁଖୀ ବନ୍ୟା ଓ ବାତ୍ୟାସ୍ଥଳସ୍ତରୀୟ ଟ୍ୟାକ୍ସ ଫୋର୍ସ ଓ ଆପଦମିତ୍ର ସ୍ୱେଚ୍ଛାସେବୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।

ଏହି ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପ ଠାରେ ଓସଡମା ତରଫରୁ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ଓସଡମା ସମେତ ବିଦ୍ୟାଳୟ ଓ ଗଣଶିକ୍ଷା, ବିଶ୍ୱ ବ୍ୟାଙ୍କ, ଏନଡିଆରଏଫ୍, ଓଡ୍ରାଫ୍, ଓଡିଶା ଅଗ୍ନିଶମ ଓ ଆପାତକାଳୀନ ସେବା , ଓସ୍ତିଆ, ବାଙ୍କୀର ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ମଡେଲ, ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତୀୟ ରେଡ୍ କ୍ରସ୍ , ଓଡିଶା ରାଜ୍ୟ ଶାଖା, ଇଣ୍ଡିଆନ୍ ଅଏଲ ଲିଃ.ଆଦି ତରଫରୁ ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରଦର୍ଶନୀ ଉଦଘାଟନ କରିବା ପରେ ସମସ୍ତ ଅତିଥି ଓ ଦର୍ଶକମାନେ ଷ୍ଟଲ ପରିଦର୍ଶନ କରି ଓଡିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଓ ଏଥିପାଇଁ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣର ବ୍ୟବହାର ସଂପର୍କରେ ଅବଗତ ହୋଇଥିଲେ।

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପ୍ରତିବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ପାଳନ ହୋଇ ଆସୁଛି। ଏହି ଦିବସଟି ଆମ୍ଭକୁ ୧୯୯୯ ମସିହାରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଓ ଧ୍ୱଂସଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଦୃଢ ସଂକଳ୍ପବଦ୍ଧ କରାଇଥାଏ। ଏହି ଦିନରେ ଆମ୍ଭେ ମହାବାତ୍ୟା ଏବଂ ନିକଟ ଅତୀତରେ ଘଟିଥିବା ବିଭିନ୍ନ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ସ୍ମୃତିଚାରଣ କରିଥାଉ।

Categories
ଆଜିର ଖବର ରାଜ୍ୟ ଖବର

ଭଞ୍ଜବିହାରରେ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜବିହାର ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି। ଭଞ୍ଜବିହାର କୁଳପତି ଡଃ ଗୀତାଞ୍ଜଳି ଦାସ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟକୁ ପୁସ୍ତକ ଜରିଆରେ ଲିଖିତ ପ୍ରକାଶ କରିବାକୁ ମଞ୍ଚାସୀନ ଅତିଥି ମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୁଦୁର ଫ୍ରାନ୍ସର ଲୋକାସ ମାର୍ଗନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ସହ ଲୋକେ ଖାପଖୁଆଇ ଚଳିବା ପାଇଁ ପରାମର୍ଶ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ଟାଟା ଷ୍ଟିଲର ଓଡ଼ିଶା ମୁଖ୍ୟ ଡଃ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ଦ୍ଵାରା ମହିଳା ଓ ଶିଶୁ ମାନେ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ଏତଦବ୍ୟତୀତ ସମ୍ମାନୀତ ଅତିଥି ଭାବେ ସ୍କଟଲାଣ୍ଡର ଲୋରେନ୍ ମାର୍କଲଏଣ୍ଡ୍ ଯୋଗ ଦେଇଥିଲେ ଓ ଅର୍ଥନୀତି ବିଭାଗର ମୁଖ୍ୟ ଡଃ ସୁଧାକର ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ର ଯୁଗ୍ମ ନିର୍ଦ୍ଦେଶକ ଡଃ ଅଞନ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଡ ନିଷ୍ପତି: ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ଗ୍ରୁପ ଡି କର୍ମଚାରୀ ନେବେ ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ

ଭୁବନେଶ୍ବର: ଗତ ୨୯ ମଇ, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍‌ ଦିଆଯିବ।

ଏହି ନିଷ୍ପତ୍ତି ଅନୁପାଳନପୂର୍ବକ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ନିମନ୍ତେ ଉକ୍ତ ବିଷୟ ସମ୍ବନ୍ଧୀୟ ପାଠ୍ୟକ୍ରମ ବିକଶିତ କରାଯାଉଛି। ଗ୍ରୁପ୍‌-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବ, ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ୍‌-ଏ ସ୍ତରର କର୍ମଚାରୀମାନେ ମଧ୍ୟ ସମସ୍ତ ପାଠ୍ୟକ୍ରମକୁ ସଂପୂର୍ଣ୍ଣ କରିବେ।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDAM), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍‌ଆର୍‌ସି ଶ୍ରୀ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଓସ୍‌ଡମା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ଶ୍ରୀ ବୀରେନ୍ଦ୍ର କୋରକରା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସମ୍ବଲପୁରଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ମାନସ ରଞ୍ଜନ ପୂଜାରୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।
ତାଲିମ୍‌, ଦକ୍ଷତା ବୃଦ୍ଧି ଏବଂ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୈଷୟିକ ସହାୟତା ପ୍ରଦାନ କରିବ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗ ସ୍ତରୀୟ ସରକାରୀ (ଗ୍ରୁପ-ଏ, ଗ୍ରୁପ୍‌-ବି, ଗ୍ରୁପ-ସି ଏବଂ ଗ୍ରୁପ୍‌-ଡି) କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ। ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପାଠ୍ୟକ୍ରମକୁ ମୁକ୍ତ ଏବଂ ଦୂର ଶିକ୍ଷା ନିମନ୍ତେ ଶିକ୍ଷଣ ପରିଚାଳନା ବ୍ୟବସ୍ଥା ପ୍ଲାଟଫର୍ମରେ ଅନ୍‌-ଲାଇନ୍‌ରେ ମାଧ୍ୟମରେ ଏହି ଚାରିଗୋଟିର ଡିଜାଇନ୍‌ ଏବଂ ବିକାଶ କରାଯାଇଛି।

ଏଥି ସହ ଶିକ୍ଷାର୍ଥୀମାନଙ୍କର ଡାଟାବେସ୍‌ ବିକାଶ, ସେମାନଙ୍କର ଅଗ୍ରଗତିକୁ ନିରୀକ୍ଷଣ କରିବା ଏବଂ ଅନଲାଇନ୍‌ ପାଠ୍ୟକ୍ରମର ସମାପ୍ତି ପରେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏକ େୱବ୍‌ ଆଧାରିତ ଆପ୍ଲିକେଶନ ବିକଶିତ କରାଯାଇଛି। ଅନଲାଇନ୍‌ ପାଠ୍ୟକ୍ରମକୁ ଅଧିକ ପ୍ରଭାବୀ ଏବଂ ଆଗ୍ରହପୂର୍ଣ୍ଣ କରିବା ନିମନ୍ତେ ଦୃଶ୍ୟ-ଶ୍ରାବ୍ୟ ପରି ଶିକ୍ଷଣ ସାମଗ୍ରୀ ଏବଂ ମଲ୍‌ଟିମିଡିଆ ଶିକ୍ଷଣ ପ୍ୟାକେଜ୍‌ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମର ଆବଶ୍ୟକତାଭିତ୍ତିକ ମୂଲ୍ୟାୟନ ପାଇଁ ଅଧିକାରୀମାନଙ୍କର ମୂଲ୍ୟାଙ୍କନ, ପ୍ରମାଣପତ୍ର ଏବଂ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ତାଲିମ୍‌ଗୁଡିକ ପାଇଁ ମନୋନୀତ ଶିକ୍ଷାନୁଷ୍ଠାନରୁ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ତଥା ଅଭିଜ୍ଞତା ଥିବା ଶିକ୍ଷକ ଏବଂ ଅଭିଜ୍ଞତାସଂପନ୍ନ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଚୟନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା। ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା। ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା।

ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ। ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ନ୍ୟୁଜ ଷ୍ଟୁଡିଓରେ ‘ବିପର୍ଯ୍ୟୟ’, ସାମ୍ବାଦିକତାର ଅଧପତନର ଅନ୍ୟ ନାମ ଅର୍ଣ୍ଣବ ଗୋସ୍ବାମୀ

ଶରତ ପାଇକରାୟ

ବର୍ତ୍ତମାନ ସାମ୍ବାଦିକତାର ମୂଲ୍ୟବୋଧ କେଉଁ ସ୍ତରକୁ ଗଲାଣି ତାହା କଳ୍ପନା କରିବା ସମ୍ଭବ ହେଉ ନାହିଁ। ଯେଉଁମାନଙ୍କୁ ନୂଆ ପିଢୀର ସାମ୍ବାଦିକ ଆଦର୍ଶ ବୋଲି ଭାବୁଛନ୍ତି ସେମାନେ ସାମ୍ବାଦିକତାର ସବୁ ନିୟମ ଭାଙ୍ଗୁଛନ୍ତି। ସେମାନେ ନ୍ୟୁଜ ଷ୍ଟୁଡିଓକୁ ଯାତ୍ରା ପେଣ୍ଡାଲ ଭାବେ ପରିଣତ କରିସାରିଲେଣି। ଫଳରେ ସାଧାରଣ ଲୋକେ ସେମାନଙ୍କ ସାମ୍ବାଦିକତାଠାରୁ  ନିଜକୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି।

ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ବେଶ ସମାଲୋଚନା କରାଯାଉଛି। ତାହା ସହିତ ଅଜସ୍ର ଗାଳି। ଭିଡିଓଟି ହେଉଛି ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ବିପର୍ଯ୍ୟୟ ବାତ୍ୟା ଆଙ୍କରିଂ। ସେଥିରେ ଆଙ୍କର ଶ୍ବେତା ତ୍ରିପାଠୀ କ୍ରୋମା ଷ୍ଟୁଡିଓରେ ହାତରେ ଛତା ଧରି ଷ୍ଟୁଡିଓ ଭିତରେ ଦୋହଲି ଦୋହଲି ଖବର ପରିବେଷଣ କରୁଛନ୍ତି।

ସେଠାରେ ସେ ଏପରି ଅଭିନୟ କରୁଛନ୍ତି ଯେ , ଲୋକେ ଭାବିବେ ଯେ, ପବନ ତାଙ୍କୁ ଉଡେଇ ନେଉଛି ନିଜକୁ ସମ୍ବାଳି ସେ ଆଙ୍କରିଂ କରୁଛନ୍ତି। ଆଜିକାଲି ଯୁଗରେ ଏପରି କାର୍ଯ୍ୟକୁ ସାଧାରଣ ଲୋକେ ଜାଣି ସାରିଲେଣି। ଏପରିକି କ୍ରୋମା ସେଟ୍ କଣ ତାହା ମଧ୍ୟ ଲୋକେ ଅବଗତ ହୋଇସାରିଲେଣି। ଏପରି କ୍ଷେତ୍ରରେ ଶ୍ବେତା ଷ୍ଟୁଡିଓ ଭିତରେ ଏମିିତି ଅଭିନୟ କରି ଖବର ପରିବେଷଣ କରିବାର ଉଦ୍ଦେଶ୍ୟ କଣ ତାହା ବୁଝି ହେଉ ନାହିଁ।

ଏଠାରେ ଅବଶ୍ୟ ଶ୍ବେତାଙ୍କୁ ଭୁଲ ଦେଇ ହେବ ନାହିଁ। କାରଣ ନ୍ୟୁଜ ଷ୍ଟୁଡିଓରେ କିପରି ଖବର ପରିବେଷଣ କରାଯିବ ତାହା ସେହି ବୁଲେଟିନର ପ୍ରଯୋଜକ ନିଷ୍ପତି କରିଥାଏ। ହେଲେ ଏଠାରେ ଯେପରି ନ୍ୟୁଜ ପରିବେଷଣ ହେଲା ତାହା ପ୍ରଯୋଜକଙ୍କର ଇଚ୍ଛାରେ କେବେ ହୋଇ ନ ଥିବ। ନିଶ୍ଚିତ ଭାବେ ମୁଖ୍ୟ ସଂପାଦକ ବା ଏଡିଟର ଇନ ଚିଫ୍ ଙ୍କ ନିର୍ଦ୍ଦେଶ ରହିଥିବ। ଆଉ ସେ ହେଉଛନ୍ତି ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ।

କେବଳ ଏହି ଗୋଟିଏ ଘଟଣା ନୁହେଁ ଏପରି ଅନେକ ଉଦାହରଣ ରହିଛି ଯାହା ରିପବ୍ଲିକ ଟିଭି ନିୟମ ଉର୍ଦ୍ଧରେ ରହି କାମ କରୁଛି। ପୂର୍ବରୁ ୟୁକ୍ରେନ ଋଷ ଯୁଦ୍ଧ ଘଟଣା ଖବର ନାଟକୀୟ ଢଙ୍ଗରେ ପରିବେଷଣ କରି ଚର୍ଚ୍ଚାକୁ ଆସିଥିଲେ। ଯାତ୍ରା ଅଭିନୟ ପରି ନାଚିନାଚି ୟୁକ୍ରେନରେ ଆଙ୍କର ଖବର ପରିବେଷଣ କରୁଥିଲେ। ସେତେବେଳେ ତାହା ମଧ୍ୟ ଏହି ଚ୍ୟାନେଲ ପ୍ରବଳ ସମାଲୋଚନାର ଶିକାର ହୋଇଥିଲା।

ଆମ ଓଡିଆରେ ଏକ ଢଗ ଅଛି, ଦେଉଳ ତୋଳିଲେ ନା କରିବ, ବାଟରେ ହଗିଲେ ମଧ୍ୟ ନା କରିବ। ଏଥିରୁ ସ୍ପଷ୍ଟ ଯେ, ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ କେବଳ ବାଟରେ ହଗି ନାଁ କମାଇବା ପାଇଁ ବ୍ୟଗ୍ର। ଆଗକୁ ନିର୍ବାଚନ ଆସୁଛି, ନିଜ ଚ୍ୟାନେଲର ଟିଆରପି ଖସିବାରେ ଲାଗିଛି, ଏପରି କ୍ଷେତ୍ରରେ ସେ ବାଟ ହଗା କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅପଚେଷ୍ଠା କରିବାରେ ଲାଗିଛନ୍ତି। (ଫଟୋ ସୌଜନ୍ୟ-ରିପବ୍ଲିକ ଭାରତ)

Categories
ବିଶେଷ ଖବର

ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ର୍ରିକ ବାତ୍ୟା ଭୀଷଣ ଆକାର ଧାରଣ କରି ଗୁଜରାଟ ଉପକୂଳ ଆଡେ ମୁହାଁଇଛି। ‘ବିପର୍ଯ୍ୟୟ’ ନାମକ ଏହି ସାମୁଦ୍ରିକ ବାତ୍ୟାର ମୁକାବିଲା କରି କ୍ଷୟକ୍ଷତିକୁ କିପରି ଯଥା ସାଧ୍ୟ କମ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତା  ଯୋଗ ଦେଇଥିଲେ।

ବାତ୍ୟା ଆସୁଥିବାରୁ ଗୁଜରାଟର ତଟବର୍ତ୍ତୀ ତଳିଆ ଅଞ୍ଚଳ ଓ ବିପଜ୍ଜନକ ଇଲାକାରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ପାନୀୟ ଜଳ ଯୋଗାଣ, ଟେଲିଫୋନ, ବିଜୁଳି ସମେତ ସବୁ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସେ ଗୁଜରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଅଭାବ ନ ରହେ ତାହା ମଧ୍ୟ ନିଶ୍ଚିତ କରିବାକୁ ସେ କହିଛନ୍ତି।

ବାତ୍ୟାର ପ୍ରଭାବରେ କ୍ଷୟକ୍ଷତି ଯେତେ କମ୍ ହେବ ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି  କରିବା ସହିତ ତୋଫାନ ପରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଯଥା ସମ୍ଭବ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ  ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି ବିଜୁଳି, ଟେଲିଫୋନ, ଜଳଯୋଗାଣ ଓ ସଡକ ଯୋଗାଯୋଗ ବ୍ୟବସ୍ଥା ଆଦିକୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଯୋଗୁଁ ଗୃହପାଳିତ ପଶୁ ପକ୍ଷୀ, ବିଶେଷକରି ପଶୁ ସମ୍ପଦର ଯେପରି ବିଶେଷକ କିଛି କ୍ଷତି ନ ଘଟେ ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ବାତ୍ୟା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ସରକାର ୨୪ଘଣ୍ଟା ଚାଲୁ ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକ ଅବସରରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ କହିଥିଲେ ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ବିପର୍ଯ୍ୟୟ” ଜୁନ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ମାଣ୍ଡବୀରୁ ପାକିସ୍ତାନର କରାଚି ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟା ଗୁଜରାଟର ଏକ କ୍ଷୁଦ୍ର ବନ୍ଦର ଜଖାଉ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହା ଏକ ଶକ୍ତିଶାଳୀ ବାତ୍ୟା ଏବଂ ଏହାର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫କିମି. ରହିବ। ମଝିରେ ମଝିରେ ଏହି ବେଗ ୧୪୫ କି.ମି. ଯାଏ ପହଂଚିପାରେ। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ସମେତ କଚ୍ଛ, ଦେବ ଭୂମି ଦ୍ୱାରିକା ଓ ଜାମନଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ପୋରବନ୍ଦର, ରାଜକୋଟ, ମୋରବି ଓ ଜୁନାଗଡ ଜିଲ୍ଳାରେ ମଧ୍ୟ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଜୁନ ୬ରୁ ଏହି ବାତ୍ୟାର ଉତ୍ପତ୍ତି କଥା ଜଣା ପଡିବା ପରେ ପାଣିପାଗ ବିଭାଗ ନିୟମିତ ବୁଲେଟିନ ଜରିଆରେ ଏହାର ଗତିପଥ ସମ୍ପର୍କରେ ସତର୍କ ସୂଚନା ଲୋକଙ୍କୁ ଦେଇ ଆସୁଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଗୁଜରାଟ ବାତ୍ୟା ସ୍ଥିତି ସମ୍ପର୍କରେ  ନିୟମିତ ସମୀକ୍ଷା କରିବା ସହିତ ରାଜ୍ୟ ସରକାରଙ୍କ ସହିତ ବରାବର ଯୋଗାଯୋଗରେ ରହିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଏନ୍‌ଡିଆରଏଫ ୧୨ଟି ଦଳ ଆଗୁଆ ପଠାଇ ସାରିଛି। ସେମାନେ ସାଙ୍ଗରେ, ବୋଟ୍‌, ଗଛକଟା ମେସିନ, ଟେଲିକମ୍ ଯନ୍ତ୍ରପାତି ଆଦି ନେଇଛନ୍ତି। ଏହାଛଡା ଆଉ ୧୫ଟି ଦଳକୁ ପ୍ରସ୍ତୁତ କରି ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାହିନୀ ମଧ୍ୟ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକୋପ୍ଟର ଓ ଜାହାଜକୁ ମୁତୟନ କରିଛନ୍ତି। ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନା ଓ ସ୍ଥଳସେନାର ଯବାନମାନେ ପ୍ରସ୍ତୁତ ଅଛନ୍ତି। ବିପର୍ଯ୍ୟୟ ରିଲିଫ ଟିମ୍‌(ଡିଆର୍‌ଟି), ସେନାର ମେଡିକାଲ ଟିମ୍ ଆଦିକୁ ପ୍ରସ୍ତୁତ କରି ରଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ଗୁଜରାଟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଯାଇଥିଲା। ସେଠାକାର ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳ ଓ ସାହାଯ୍ୟ ଉଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ନିରନ୍ତର ଯୋଗାଯୋଗ ରକ୍ଷା କରି ସବୁ କଥା ବୁଝୁଛନ୍ତି। ସମଗ୍ର  ରାଜ୍ୟ ପ୍ରଶାସନକୁ ବାତ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ଗୁଜରାଟର ମୁଖ୍ୟ ସଚିବଙ୍କ ସହିତ କେନ୍ଦ୍ର  କ୍ୟାବିନେଟ ଓ ସ୍ୱରାଷ୍ଟ୍ର ସଚିବ ନିୟମିତ ସମ୍ପର୍କରେ ରହି ପ୍ରସ୍ତୁତି କାର୍ଯ୍ୟ ବୁଝୁଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାକୁ  ମଧ୍ୟ ଏହି ବାତ୍ୟା ପାଇଁ ସତର୍କ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୌସୁମୀ ପାଇଁ ପାଗ ଅନୁକୂଳ!: ୧୯ ପରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ଵର: ଦେଶରେ ପ୍ରଚଣ୍ଡ ଗରମ ମଧ୍ୟରେ ଏକ ବଡ ଖବର ହସ୍ତଗତ ହୋଇଛି। ମୌସୁମୀ ପାଇଁ ପାଗ ଅନୁକୂଳ ହୋଇଛି। କେରଳ ଉପକୂଳରେ ମେଘ ସମୂହର ଘଂନତ୍ୱ ବୃଦ୍ଧି, ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ଏହା ସୂଚାଉଛି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଅନୁମାନ କାରାଯାଉଛି। ଚଳିତ ବର୍ଷ ବିଳମ୍ବରେ ମୌସୁମୀ ବାୟୁ ଆସୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏହା ଭିତରେ ମୌସୁମୀ ବାୟୁର ଖବର ଶୁଣି ଲୋକେ ଆଶ୍ଵସ୍ତି ପାଉଛନ୍ତି।

ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ଏଥର ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଏବେ ଏହା ଭୀଷଣ ବାତ୍ୟାର ରୂପ ଉତ୍ତର ଦିଗରେ ନିଜର ଗତିପଥ ବଜାୟ ରଖିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଯାହାଫଳରେ ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି। ଫଳରେ ମୌସୁମୀ କେରଳ ଆସିବାକୁ ଆହୁରି ୩ ଦିନ ବିଳମ୍ବ ହୋଇପାରେ।

ତେବେ ୯ ତାରିଖ ପୂର୍ବରୁ ମୌସୁମୀ କେରଳ ଛୁଇଁନପାରେ। ସେହିଭଳି ଓଡ଼ିଶାକୁ ୧୯ ତାରିଖ ପରେ ମୌସୁମୀ ଆସିବା ସମ୍ଭାବନା ରହିଛି। ବିଳମ୍ବରେ ମୌସୁମୀ ଆସୁଥିବାରୁ ନିଅଣ୍ଟିଆ ବର୍ଷା ହୋଇପାରେ। ରାଜ୍ୟରେ ଏବେ ତାତି ଜାରି ରହିଥିବା ବେଳେ ଆଗକୁ ତାତି ଆହୁରି ବଢିବା ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ, ନେତା ଏବଂ ଅଫିସରମାନେ ନେବେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଇଁ ତାଲିମ

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଶେଷ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା।

ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ସେହିଦିନ ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍ନା କରିଆସୁଛୁ। ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଆମେ ଆମର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ।

ସାରା ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ବୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି। ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଓଡିଶାରେ ଆମେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ।

୨୦୨୦ ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି। ସାରା ବିଶ୍ବର ବିଭିନ୍ନ ଦେଶ ଏହି ମହାମାରୀର ବିଭିନ୍ନ ଲହର ଦ୍ବାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି। ତଥାପି, ସ୍ବାଭାବିକ ଅବସ୍ଥାକୁ ଫେରିବା ଆଜି ଏକ ଆହ୍ବାନ। କରୋନା ଭାଇରସ୍‌ ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ, ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍‌ର କେତେ ଅଧିକ ଭ୍ୟାରିଏଣ୍ଟର ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ। ଏହା ହିଁ ହେଉଛି ବାସ୍ତବତା ଏବଂ ଆମ ସମସ୍ତଙ୍କୁ ଏହା ଗ୍ରହଣ କରିବାକୁ ହେବ ଓ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ।

ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ବାରା ପ୍ରଭାବିତ ହୋଇସାରିଲାଣି। ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍‌ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ବାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି। ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍‌ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଆମ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଅକ୍‌ସିଜେନ ଯୋଗାଇବରେ ସଫଳ ହୋଇପାରିଛି। ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି।

ସେ ଯାହା ହେଉ ନା କାହିଁକି, କୋଭିଡ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି। ଆମେ ବର୍ତ୍ତମାନ ଟିକାକରଣ ଉପରେ ଫୋକସ କରିଛୁ। ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ।

ସଂକଟ ସମୟରେ ଆମ ଲୋକଙ୍କର ସହଯୋଗ ତଥା ବିଭିନ୍ନ ସ୍ତରରେ ଗୋଷ୍ଠୀର ସଂପୃକ୍ତି ଆମର ସବୁଠାରୁ ବଡ ଶକ୍ତି ହୋଇ ରହିଆସିଅଛି। ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା ପାଇଁ ଓଡିଶାବାସୀଙ୍କର ନିରନ୍ତର ସହଯୋଗ ଏବଂ ସରକାରଙ୍କ ଉଦ୍ୟମରେ ନିଃସର୍ତ୍ତ ସମର୍ଥନ ପାଇଁ ରାଜ୍ୟ ସରକାର ଓଡିଶାବାସୀଙ୍କ ନିକଟକରେ କୃତଜ୍ଞ। ମହାମାରୀ ଓ ବାତ୍ୟା ପରି ଦୁର୍ବିପାକ ସମୟରେ ପ୍ରଶାସନର ଭଲ କାମରେ ଲୋକମାନଙ୍କର ପ୍ରଶଂସା ସରକାର ପାଇଁ ବହୁତ ବଡ ପ୍ରେରଣା ହୋଇ ରହିଆସିଛି।

ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ। ଏହା ହେଉଛି ଆମ ସମାଜର ସୁରକ୍ଷାର ବିଷୟ। ତେଣୁ ଏ ଦିଗରେ ଆମ ରାଜ୍ୟକୁ ଦକ୍ଷ ଓ ଦୃଢ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ। ଆଜି ଆମର ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରିଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ। ଏହା ହେଉଛି ଏକ ଐତିହାସିକ ପଦକ୍ଷେପ ଏବଂ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଏହା ଜୈବିକ ହେଉ ବା ଜଳବାୟୁ ଜନିତ, ତାର ସମ୍ମୁଖୀନ ହେବାକୁ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ବାରା ଓଡିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହା ହେଉଛି ଆମର ଉପଲ୍‌ବଧି।

ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା କରିଚାଲିଛନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିଯାଇ ନାହୁଁ। ୫-ଟି, ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇ ରହିଆସିଛି। ସ୍ବଚ୍ଛତା, ବୈଷୟିକ କୌଶଳ, ସାମୁହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି।

ଲୋକଙ୍କ ସହିତ ସିଧାସଳଖ ସଂପର୍କ ରହିବା ପାଇଁ ଆମେ ମୋ ସରକାର ଫିଡବ୍ୟାକ ବ୍ୟବସ୍ଥା ଆରମ୍ଭ କରିଥିଲୁ। ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀ ମାନଙ୍କର ମନୋଭାବ ଏବଂ ବ୍ୟବହାରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି। ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ଓ ବୈଷୟିକ ଭିତ୍ତିକ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବାପାଇଁ ଆନ୍ତରିକ ପଦକ୍ଷେପ ନିଆଯାଇଛି।

ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି। ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ। ୩୫୦୦ କୋଟି ଟଙ୍କା ବ୍ୟୟରେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ। ଗତ ବର୍ଷକ ମଧ୍ୟରେ ଆମେ ୭୮୬ ଜଣ ଡାକ୍ତର ଓ ୫୧୩୭ ଜଣ ପାରାମେଡିକ୍‌ସଙ୍କୁ ନିଯୁକ୍ତ କରିଛୁ।

ଆମର ପିଲାମାନଙ୍କର ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ହାଇସ୍କୁଲ ମାନଙ୍କର ରୂପାନ୍ତର ଆମର ମୁଖ୍ୟ କାର୍ଯ୍ୟକ୍ରମ। ଏଥିପାଇଁ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମେ ୧୦୦୦ରୁ ଅଧିକ ସ୍କୁଲର ରୂପାନ୍ତର ପାଇଁ ପଦକ୍ଷେପ ନେଉଛୁ। ଆମର ଯୁବ ସମାଜକୁ ବିଶ୍ବର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର ସ୍କିଲ୍ଡ ଇନ ଓଡିଶା କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଶ୍ବ ଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି। ଆମର ଯୁବସମାଜ ଯେପରି ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ବନ୍ଦିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ। ଓଡିଶା ଆଜି ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି। କୋଭିଡ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ ବଡ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇପାରିଛୁ।

କ୍ରୀଡାର ବିକାଶ ଦିଗରେ ଆମର ନିରନ୍ତର ପ୍ରୟାସ ଜାରି ରହିଛି। ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।

କୃଷି ଓ କୃଷକର ଉନ୍ନତି ହେଉଛି ଆମ ରାଜ୍ୟର ବିକାଶର ଆଧାରଶୀଳା। ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ଆମ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ। ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍‌ ସମୟରେ ଶେଷ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି।

ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜବୁତ କରାଯାଇଛି। ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିଶନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି। ମିଶନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ।

ଆମର ମହାନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରଶଂକର – ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଅଛି ।

ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି।

ଓଡିଶାର ଜନସାଧାରଣ ପଞ୍ଚମ ଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ। ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ବାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି। ଏସବୁ ଆହ୍ବାନ ସତ୍ତ୍ବେ ଆମର ଦୃଢ ବିଶ୍ବାସ ଯେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ।