Categories
ଆଜିର ଖବର ରାଜ୍ୟ ଖବର

ଭୋଟର ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସବୁ ବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣାଙ୍କ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମର୍ମରେ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲରେ ଭୋଟର ସଚେତନତା ଉପରେ ଏକ ଆଲୋଚନା ଚକ୍ର ତଥା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡ଼. ବାଦଲ କୁମାର ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ବେସରକାରୀ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୈଠକରେ ଯୋଗଦାନ କରିଥିଲେ ।

ମତଦାନ ଏକ ସଚେତନ ନାଗରିକର ଅଧିକାର । ଦେଶର ସମସ୍ତ ଯୋଗ୍ୟ ନାଗରିକ ସ୍ଵ-ଇଛା ରେ ସଠିକ ବ୍ୟକ୍ତିଙ୍କୁ ଚୟନ କରି ମତଦାନ କରିବା ନିତାନ୍ତ ଆବଶ୍ୟକ।ଏଥି ନିମନ୍ତେ ବିଦ୍ୟାଳୟ ସ୍ତରରେ କୁନି କୁନି ପିଲାଙ୍କ କୋମଳ ମନରେ ଉତ୍ସାହ ସୃଷ୍ଟି କରି ସେମାନଙ୍କୁ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବା ଏକ ଅଭିନବ ପ୍ରୟାସ । ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ଭୋଟର ସଚେତନ ମୂଳକ ଚିତ୍ରାଙ୍କନ, ରଚନା, ବକ୍ତୃତା ତଥା ସ୍ଲୋଗାନ, ପ୍ଲା କାର୍ଡ଼,ଏକକ ଅଭିନୟ, ଡ୍ରାମା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ତଥା ସେମାନଙ୍କ ପିତାମାତା ଗୁରୁଜନ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଆସନ୍ତା ୨୫ ତାରିଖରୁ ସରକାରୀ ସ୍ତରରେ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଥିବାରୁ ପିଲାମାନଙ୍କୁ ଛୁଟି ସମୟରେ ମଧ୍ୟ ଭୋଟର ସଚେତନତାମୂଳକ ଛୋଟ ଛୋଟ କାର୍ଯ୍ୟକ୍ରମ ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ପ୍ରେରଣ କରିବା ଓ ପିଲାମାନଙ୍କ ଦ୍ୱାରା ନିଜର ଶିକ୍ଷକ, ଅଭିଭାବକ ବା ସାଙ୍ଗ ନିକଟକୁ ପତ୍ର ଲିଖନ କରି ପ୍ରେରଣ କରି ମତଦାନ ନିମନ୍ତେ ପରାମର୍ଶ ଦେବା ପାଇଁ କୁହାଯାଇଥିଲା । ଏଥି ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯେଭଳି ନିଜ ଘରେ ଥିବା ଯୋଗ୍ୟ ଭୋଟର, ଅଭିଭାବକ, ସମ୍ପର୍କୀୟ ଏବଂ ପଡୋଶୀ ମାନଙ୍କୁ ମଇ ୨୫ ତାରିଖରେ ନିଶ୍ଚୟ ମତଦାନ କରିବା ପାଇଁ ଅନୁରୋଧ କରିବେ । ଏଥି ସହିତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଭୋଟର ସଚେତନତା ସହ ସମସ୍ତ ଅନୁଷ୍ଠାନିକ କାମକୁ ସଫଳତାର ରୂପରେଖ ଦେବା ପାଇଁ ସହଯୋଗ କରିବା ବୋଲି ସ୍ଥିର କରାଯାଇଥିଲା।

ଏତଦବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବୃଦ୍ଧି ଲକ୍ଷ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମତଦାନ ନିମନ୍ତେ ଅଭିଭାବକ ମାନଙ୍କ ନିକଟକୁ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟରୁ ପତ୍ରଆଳାପ କରିଛନ୍ତି । ଏପରିକି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି ।

ଆଜିର କାର୍ଯ୍ୟକ୍ରମ ଶେଷରେ ଭୋଟର ସଚେତନତା ଶପଥ ପାଠ କରାଯାଇ ଅତିଥିମାନଙ୍କୁ ଓ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକଟିକୁ ସାଙ୍ଗ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ସଫେଇ ଅଭିଯାନରେ ସାମିଲ ହେଲେ ଓଡ଼ିଶା ରାଜ୍ୟପାଳ ଏବଂ ଭୁବନେଶ୍ୱର ସାଂସଦ

ଭୁବନେଶ୍ଵର: ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ଜୟନ୍ତୀ ୨ ଅକ୍ଟୋବର ୨୦୨୩ରେ ପରିପ୍ରେକ୍ଷୀରେ ସ୍ଵଚ୍ଛତା ହିଁ ସେବା ଉପଲକ୍ଷରେ ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଏକ ବୃହତ ସଫେଇ ଅଭିଯାନ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ତଥା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଭୁବନେଶ୍ୱର ମଣ୍ଡଳ ତରଫରୁ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଳାଙ୍ଗେ, ଆଇଏଏସ ଯୋଗଦାନ କରିଥିଲେ।

ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ, ଭୁବନେଶ୍ୱର ମହାନଗର ନିଗମ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀ ଏବଂ କର୍ମଚାରୀ ଏହି ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏତଦ ବ୍ୟତୀତ ଖଣ୍ଡଗିରି ବିହାର ଉନ୍ନୟନ ସମିତି, ଖଣ୍ଡଗିରି ବୟସ୍କ ନାଗରିକ ମଞ୍ଚ, ଯୂଥ ଫର ସେବା, ଜୟଦେବ ପଥଚାରୀ କ୍ଲବ ଆଦି ଅନେକ ସାମାଜିକ ସଂଗଠନ ଏହି ସଫେଇ ଅଭିଯାନରେ ସାମିଲ ହେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଏନସିସି  ଏବଂ ଭାରତ ସ୍କାଉଟ ଏବଂ ଗାଇଡ ସଦସ୍ୟ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆନ୍ତରିକତା ସହ ଭାଗ ନେଇ ସାମିଲ ହେଇଥିଲେ ଆଉ ଏକ ଘଣ୍ଟା ଶ୍ରମଦାନ କରିଥିଲେ।

ଏକ ତାରିଖ – ଏକ ଘଣ୍ଟା – ଏକା ସଙ୍ଗେ ବିଷୟ ବସ୍ତୁ ଉପରେ ଆଧାରିତ ଏହି ବୃହତ ସଫେଇ କାର୍ଯ୍ୟକ୍ରମରେ ୬୦୦ ରୁ ଅଧିକ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏହି ବୃହତ ସଫେଇ ଅଭିଯାନକୁ ସ୍ଥାନୀୟ ବାସିନ୍ଦା ଏବଂ ଉପସ୍ଥିତ ପର୍ଯ୍ୟଟକମାନେ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଦେବା ପାଇଁ ବୁଥକୁ ଚାଲିଚାଲି ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପୌର ନିର୍ବାଚନରେ ନିଜର ମତାଧିକାର ସାବସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ନବୀନ ନିଜ ବାସଭବନ ନିକଟରେ ଥିବା ସ୍କୁଲରେ ଭୋଟ ଦାନ କରିଥିଲେ। ସେ ନବୀନ ନିବାସରୁ ଚାଲିଚାଲି ସ୍କୁଲ ନିକଟକୁ ଯାଇ ମତାଧିକାର ସାବସ୍ତ କରିଥିଲେ।

ନବୀନ ହେଉଛନ୍ତି ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ଼ର ଭୋଟର। ସେ  ୫୪୪ ନମ୍ବର ବୁଥରେ ଭୋଟ ପ୍ରଦାନ କରିଛନ୍ତି। ଭୋଟ ଦେବା ପରେ ନବୀନ ସେହିପରି ଚାଲିଚାଲି ନବୀନ ନିବାସକୁ ଆସିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭ ହେଲା ବ୍ୟବସାୟୀମାନଙ୍କର କୋଭିଡ ପରୀକ୍ଷା

ଭୁବନେଶ୍ବର,  ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନ୍‌ରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷଣକୁ ଆଜି ଆରମ୍ଭ କରାଇଛନ୍ତି ବି ଏମ୍ ସି ନର୍ଥ ଜୋନ୍ । ସ୍ଥାନୀୟ ନିଳାଦ୍ରୀବିହାର ତାରିଣୀ ମାର୍କେଟ୍‌ରେ ଥିବା ପରିବା ଏବଂ ମାଛ, ମାଂସ ବ୍ୟବସାୟୀ ମାନଙ୍କର ପରୀକ୍ଷଣ କରାଯାଇଛି ।

ଏହି ପରୀକ୍ଷଣ ଆରମ୍ଭରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ବ୍ୟବସାୟୀ ମାନଙ୍କୁ କୋଭିଡ଼୍ ପରୀକ୍ଷଣର ଉପାଦେୟତା ବାବଦରେ ବୁଝାଇଥିଲେ । ପରୀକ୍ଷଣରୁ କୋଭିଡ଼୍ ପଜିଟିଭ୍ ବାହାରିଲେ ସେମାନଙ୍କର ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ସରକାରଙ୍କ ବ୍ୟବସ୍ଥାରେ କରାଯିବ, ତେଣୁ ସ୍ୱେଚ୍ଛାକୃତ ଭାବେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା ।

ଜଣେ ବ୍ୟବସାୟୀ ଦୈନିକ ହାଟ ବଜାରକୁ ଆସୁଛନ୍ତି, ତେଣୁ ତାଙ୍କର କୋଭିଡ଼୍ ସ୍ଥିତି ଜାଣିହେଲେ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ଯିବନାହିଁ ଏବଂ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଜଗିପାରିବେ । ଜଣେ ବ୍ୟବସାୟୀ ଅତି କମ୍‌ରେ ୩୦ ରୁ ଅଧିକ ଜଣଙ୍କ ସଂସ୍ପର୍ଶରେ ଆସିଥାନ୍ତି ।

ତେଣୁ ସେମାନେ ନିଜେ ସୁସ୍ଥ ରହିଲେ ନିଜର ଗୁଜୁରାଣ ମେଂଟାଇବା ସହଜ ହେବ । ଏଥିପାଇଁ କମିଶନରଙ୍କ ଅନୁମତି କ୍ରମେ ନର୍ଥ ଜୋନ୍‌ରେ ସମସ୍ତ ପ୍ରକାର ବ୍ୟବସାୟୀଙ୍କ କୋଭିଡ଼୍ ପରୀକ୍ଷା କରିବାର ଅଭିଯାନ ଆଜି ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ।