ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭ ହେଲା ବ୍ୟବସାୟୀମାନଙ୍କର କୋଭିଡ ପରୀକ୍ଷା

Published: Jun 5, 2021, 6:42 pm IST

ଭୁବନେଶ୍ବର,  ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନ୍‌ରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷଣକୁ ଆଜି ଆରମ୍ଭ କରାଇଛନ୍ତି ବି ଏମ୍ ସି ନର୍ଥ ଜୋନ୍ । ସ୍ଥାନୀୟ ନିଳାଦ୍ରୀବିହାର ତାରିଣୀ ମାର୍କେଟ୍‌ରେ ଥିବା ପରିବା ଏବଂ ମାଛ, ମାଂସ ବ୍ୟବସାୟୀ ମାନଙ୍କର ପରୀକ୍ଷଣ କରାଯାଇଛି ।

ଏହି ପରୀକ୍ଷଣ ଆରମ୍ଭରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ବ୍ୟବସାୟୀ ମାନଙ୍କୁ କୋଭିଡ଼୍ ପରୀକ୍ଷଣର ଉପାଦେୟତା ବାବଦରେ ବୁଝାଇଥିଲେ । ପରୀକ୍ଷଣରୁ କୋଭିଡ଼୍ ପଜିଟିଭ୍ ବାହାରିଲେ ସେମାନଙ୍କର ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ସରକାରଙ୍କ ବ୍ୟବସ୍ଥାରେ କରାଯିବ, ତେଣୁ ସ୍ୱେଚ୍ଛାକୃତ ଭାବେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା ।

ଜଣେ ବ୍ୟବସାୟୀ ଦୈନିକ ହାଟ ବଜାରକୁ ଆସୁଛନ୍ତି, ତେଣୁ ତାଙ୍କର କୋଭିଡ଼୍ ସ୍ଥିତି ଜାଣିହେଲେ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ଯିବନାହିଁ ଏବଂ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଜଗିପାରିବେ । ଜଣେ ବ୍ୟବସାୟୀ ଅତି କମ୍‌ରେ ୩୦ ରୁ ଅଧିକ ଜଣଙ୍କ ସଂସ୍ପର୍ଶରେ ଆସିଥାନ୍ତି ।

ତେଣୁ ସେମାନେ ନିଜେ ସୁସ୍ଥ ରହିଲେ ନିଜର ଗୁଜୁରାଣ ମେଂଟାଇବା ସହଜ ହେବ । ଏଥିପାଇଁ କମିଶନରଙ୍କ ଅନୁମତି କ୍ରମେ ନର୍ଥ ଜୋନ୍‌ରେ ସମସ୍ତ ପ୍ରକାର ବ୍ୟବସାୟୀଙ୍କ କୋଭିଡ଼୍ ପରୀକ୍ଷା କରିବାର ଅଭିଯାନ ଆଜି ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ।

Related posts