Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥଯାତ୍ରାରେ ଯୋଗଦେବା ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ବର: ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ରାଜଭବନରେ ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଜ୍ୟପାଳଙ୍କୁ ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି।ରାଜ୍ୟପାଳ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ରଥଯାତ୍ରାରେ ଯୋଗଦେବେ ବୋଲି ଜଣାପଡିଛି।

ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆସନ୍ତା 27 ତାରିଖରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତଥା ସରକାର ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ବୈଠକ କରି ସୁରକ୍ଷା ଏବଂ ରିତିନୀତି ଉପରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବେଶ ଆଗେଇ ଚାଲିଛି। 27 ତାରିଖରେ ରଥଯାତ୍ରା ହେଉଥିବା ବେଳେ 5 ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଭିଏତନାମ ଗସ୍ତରେ ରାଜ୍ୟପାଳ, ଐତିହାସିକ ମାଇ ସନ୍ ମନ୍ଦିର କଲେ ପରିଦର୍ଶନ 

ଭୁବନେଶ୍ୱର: ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମରେ ଥିବା ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ରବିବାର ଦିନ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି ।

ମାଇ ସନ୍ ଭିଏତନାମର ସବୁଠାରୁ ମହତ୍ୱପୂର୍ଣ୍ଣ ସାଂସ୍କୃତିକ ସ୍ଥଳ ମଧ୍ୟରୁ ଅନ୍ୟତମ ଏବଂ ଏହାର କେତେକ ହିନ୍ଦୁ ମନ୍ଦିର ଚତୁର୍ଥ ଶତାଦ୍ଦୀର । ଏହି ପୁରୁଣା ମନ୍ଦିରଗୁଡ଼ିକ ଚମ୍ପା ରାଜ୍ୟ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଦକ୍ଷିଣ ପୂର୍ବ ଏସିଆର ସହଭାଗୀ ସାଂସ୍କୃତିକ ଅତୀତର ପ୍ରମୁଖ ପ୍ରତୀକ ଭାବେ ଦେଖାଯାଏ ।

ରାଜ୍ୟପାଳ ଏହି ପରିଦର୍ଶନ ସମୟରେ ଭାରତର ସହାୟତାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ ଏବଂ ସଂପୃକ୍ତ ଅଧିକାରୀମାନେ ଏହି ସ୍ଥାନର ପ୍ରାଚୀନ ଢାଂଚାକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ସ୍ୱତନ୍ତ୍ର କୌଶଳ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ସେଠାରେ ମନ୍ଦିର ପରିସର ଏକ ମନୋରମ ଉପତ୍ୟକାରେ ଅବସ୍ଥିତ, ଯାହା ସୁନ୍ଦର ପର୍ବତମାଳା ଓ ପ୍ରବାହମାନ ଝରଣା ଦ୍ୱାରା ଘେରିହୋଇ ରହିଛି । ଏହା ସପ୍ତମରୁ ତ୍ରୟୋଦଶ ଶତାଦ୍ଦୀ ମଧ୍ୟରେ ଚମ୍ପା ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରଭାବରେ ବିଦିତ ଥିଲା ।

ବର୍ତ୍ତମାନ ପ୍ରାୟ ୭୦ଟି ମନ୍ଦିରର ସ୍ଥିତି ମାଇ ସନ୍ ଠାରେ ରହିଛି । ମନ୍ଦିରଗୁଡ଼ିକର ଅନନ୍ୟ ନିର୍ମାଣ ଶୈଳୀ ଖୋଲ ରେଖାକୁ ଲୁଚାଇ ରଖିଛି ଏବଂ ମନ୍ଦିରଗୁଡ଼ିକ ଶତାଦ୍ଦୀ ଶତାଦ୍ଦୀ ଧରି ଦୃଢ ରହି ଐତିହାସିକ ଏବଂ ସ୍ଥପତିମାନଙ୍କର ଆକର୍ଷଣ ସାଜିଛି । ଏହି ସ୍ଥାନଟି ଚମ୍ପା ରାଜ୍ୟ ଏବଂ ଭାରତ ଓ ଚୀନ ଭଳି ମହାନ ସଭ୍ୟତା ମଧ୍ୟରେ ସାଂସ୍କୃତିକ ସଂପର୍କକୁ ଦର୍ଶାଉଛି । ଓଡିଶାର ରାଜ୍ୟପାଳଙ୍କ ଏହି ଗସ୍ତ ଭାରତ ଏବଂ ଭିଏତନାମ ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ଏବଂ ସହଭାଗୀ ଐତିହ୍ୟକୁ ସୁରକ୍ଷା ଦେବାରେ ଭାରତର ଭୂମିକାକୁ ସୂଚାଉଛି ।

Categories
ଜାତୀୟ ଖବର ରାଜ୍ୟ ଖବର

ଉଦଯାପିତ ହେଲା ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ – ସଭ୍ୟତା ସଂଯୋଗ” ଶୀର୍ଷକ ସମ୍ପର୍କିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

“କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ- ସଭ୍ୟତା ସଂଯୋଗ” ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ପରମ୍ପରା ଦକ୍ଷିଣ-ପୂର୍ବ ଏସିଆର ପରିବେଶଗତ ଏବଂ ବିକାଶମୂଳକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ । ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଥାଇଲାଣ୍ଡ, କାମ୍ବୋଡ଼ିଆ ଏବଂ ଭିଏତନାମ ଭଳି ଦେଶମାନଙ୍କ ସହ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ, ଅନୁସନ୍ଧାନ ଏବଂ ସାଂସ୍କୃତିକ ବିନିମୟର ଇତିହାସ କେବଳ ଗର୍ବର ବିଷୟ ନୁହେଁ, ବରଂ, ଆଧୁନିକ ଆଂଚଳିକ ସହଯୋଗ ପାଇଁ ଏକ ମାର୍ଗଦର୍ଶକ ବୋଲି ରାଜ୍ୟପାଳ କହିଥିଲେ ।

ଓଡ଼ିଶାର ଗୌରବମୟ ଅତୀତ ସହିତ ପୁନଃସଂଯୋଗ କରିବା ଉଦ୍ଦେଶ୍ୟରେ ଏ ପ୍ରକାର ସମ୍ମିଳନୀ ଆୟୋଜନ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ବୋଲି ରାଜ୍ୟପାଳ କହିବା ସହିତ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ପୁଣି ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ, କଳିଙ୍ଗ ଦକ୍ଷିଣ-ପୂର୍ବ ଏସିଆ ସହିତ ଦୁଇ ହଜାର ବର୍ଷରୁ ଅଧିକ ସମୟ ଧରି ଦୃଢ ସାମୁଦ୍ରିକ ଏବଂ ସାଂସ୍କୃତିକ ସମ୍ପର୍କ ରକ୍ଷା କରିଛି । ଏହି କଳିଙ୍ଗର ଲୋକମାନେ ବିଶ୍ଵବ୍ୟାପୀ ଭ୍ରମଣ କରି ସେହି ସଂଯୋଗ ସ୍ଥାପନ କରିଥିଲେ । ଯାହାର ପ୍ରଭାବ ଆଜି ମଧ୍ୟ ସ୍ଥାପତ୍ୟ କଳା, ଶିଳାଲିପି, ପରମ୍ପରା ଏବଂ ସ୍ଥାନମାନଙ୍କର ନାମରେ ଦେଖିବାକୁ ମିଳେ ।

କଳିଙ୍ଗର ସାମୁଦ୍ରିକ ନେଟୱାର୍କ ଭାରତୀୟ ସଂସ୍କୃତି ଏବଂ ଧର୍ମର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କାମ୍ବୋଡ଼ିଆର ଆଙ୍କୋର ୱଟ୍ ଏବଂ ଇଣ୍ଡୋନେସିଆର ବୋରୋବୁଦୁର ଭଳି ମନ୍ଦିରଗୁଡିକରେ କଳିଙ୍ଗର ମନ୍ଦିର ସ୍ଥାପତ୍ୟର ପ୍ରଭାବ ଦେଖିବାକୁ ମିଳେ । ରାମାୟଣ, ମହାଭାରତ ଏବଂ ସଂସ୍କୃତିର ପ୍ରସାର ଏବଂ ଇଣ୍ଡୋନେସିଆର ନେ୳ପି ଏବଂ କାମ୍ବୋଡ଼ିଆର ପୁଚମ୍ ବେନ୍ ଭଳି ପର୍ବପର୍ବାଣୀ ଗଭୀର ସାଂସ୍କୃତିକ ବନ୍ଧନକୁ ପ୍ରତିଫଳିତ କରିଥାଏ । ଏହି ସାଂସ୍କୃତିକ ବିନିମୟ ପାରସ୍ପରିକ ସମ୍ମାନ ଉପରେ ପ୍ରତିଷ୍ଠିତ ଥିଲା ଏବଂ ସ୍ଥାନୀୟ ପରମ୍ପରାକୁ ସମୃଦ୍ଧ କରିଥିଲା ବୋଲି ରାଜ୍ୟପାଳ କହିଥିଲେ ।

ଆଧୁନିକ ରାଷ୍ଟ୍ରଗୁଡିକ ଏହି ଐତିହ୍ୟରୁ ଶିକ୍ଷା ଲାଭ କରିବା ଦରକାର । ମନ୍ଦିର ଭିତ୍ତିଭୂମି ବିକାଶ, କଷ୍ଟମ୍ସ୍ ପ୍ରକ୍ରିୟାକୁ ସୁଗମ କରିବା ଏବଂ ସବୁଜ ପରିବହନରେ ପ୍ରଯୁକ୍ତିବିଦ୍ୟାର ନିବେଶ କରିବା ଏବଂ ଡିଜିଟାଲ ସଂଯୋଗୀକରଣ, ସାଂସ୍କୃତିକ ବିନିମୟ ବୃଦ୍ଧି କରି ଆଂଚଳିକ ସମ୍ପର୍କକୁ ମଜବୁତ କରାଯାଇପାରିବ ବୋଲି ରାଜ୍ୟପାଳ କହିବା ସହିତ ଭବିଷ୍ୟତ ପୀଢ଼ି ମଧ୍ୟରେ ଗର୍ବ ଜାଗ୍ରତ ପାଇଁ ମିଳିତ ଗବେଷଣା ଓ ଐତିହ୍ୟ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ସମାରୋହରେ କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ, ଭାରତ ସରକାରଙ୍କ ପୂର୍ବତନ ବୈଦେଶିକ ସଚିବ ଲଳିତ ମାନସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ପ୍ରଫେସର ତଥା – ୱାନ୍ ଏସିଆ ଫାଉଣ୍ଡେସନର ଚେୟାରମ୍ୟାନ ପତିତପାବନ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମିଳନୀର ଚେୟାରମ୍ୟାନ – ପ୍ରଫେସର ଉପେନ୍ଦ୍ର ପାଢ଼ୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ସମ୍ମିଳନୀର ଆବାହକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ, ବୈଷୟିକ ଅଧିବେଶନକୁ ଉଦବୋଧନ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ସମାବେଶୀ ଅଭିବୃଦ୍ଧି, ପରିବେଶଗତ ସ୍ଥିରତା ଏବଂ ସାମାଜିକ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୧୧ ତାରିଖ ଦିନ ଭୁବନେଶ୍ୱରଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ (ଭାରତ)ର ୬୪ତମ ବୈଷୟିକ ଅଧିବେଶନକୁ ମୁଖ୍ୟ ଅତିଥିଭାବେ ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆମ ଜାତୀୟ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଦିନଟି ଭାରତର ଉଲ୍ଲେଖନୀୟ ଯାତ୍ରାର ଗର୍ବର ସ୍ମରଣକାରୀ ଭାବେ ପରିଚିତ ହୋଇଛି। ଯାହା ସାହସ, ନବସୃଜନ ଏବଂ ଉତ୍କର୍ଷତାର ଏକ ନିରନ୍ତନର ପ୍ରୟାସ। ୧୯୯୮ ମସିହାର ଏହି ଦିନ, ୧୧ ମଇରେ ଭାରତ ରାଜସ୍ଥାନର ପୋଖରାଣରେ ଅପରେସନ ଶକ୍ତି ନାମରେ ସଫଳ ପରମାଣୁ ପରୀକ୍ଷଣ କରିଥିଲା। ଏହା ଭାରତକୁ ପରମାଣୁ-ସଶସ୍ତ୍ର ରାଷ୍ଟ୍ରଗୁଡ଼ିକର ଆଭିଜାତ୍ୟ ଗୋଷ୍ଠୀ ମଧ୍ୟରେ ସ୍ଥାନିତ କରିଥିଲା। ଏହି ସଫଳତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏହି ଐତିହାସିକ ଘଟଣା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବରେ ପାଳନ କରାଯାଏ।

ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ କେବଳ ଆମର ବୈଜ୍ଞାନିକ ସଫଳତା ପ୍ରତି ସମ୍ମାନ ନୁହେଁ – ଏହା ସ୍ୱପ୍ନ ଦେଖିବା, ନବସୃଜନ, ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ଏବଂ ନେତୃତ୍ୱ ନେବା ପାଇଁ ଆମର ସାମୂହିକ ଭାବନାର ପୁନନିର୍ମାଣ। ଆଜି ଯେତେବେଳେ ଆମେ ଏକ ପରିବର୍ତନଶୀଳ ଯୁଗର ଦ୍ୱାରଦେଶରେ ଛିଡା ହୋଇଛୁ, ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଆହୁରି ବଢ଼ି ଯାଇଛି । ଏହା ଏକ ନୂତନ ଭାରତର ଆକାଂକ୍ଷା ପଛରେ ପ୍ରେରଣାଦାୟକ ଶକ୍ତି ହୋଇ ରହିଛି। ଭାରତ ଏକ ନୂତନ ପୁନର୍ଜାଗରଣର ପାଶ୍ୱର୍ରେ ଠିଆ ହୋଇଛି।ଏପରି ଏକ ଯୁଗରେ ଯେଉଁଠାରେ ଦ୍ରୁତ ପ୍ରଯୁକ୍ତିବିଦ୍ୟା ଜୀବନର ପ୍ରତ୍ୟେକ ଦିଗକୁ ପୁନଃ ଆକୃତି ଦେଉଛି, ନବସୃଜନ ଏବଂ ଗବେଷଣା ଆମ ବିକାଶ ଯାତ୍ରାର ମୂଳରେ ରହିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।

ପୁଣି ରାଜ୍ୟପାଳ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟା ହେଉଛି ଆଶା, ପ୍ରଗତି ଏବଂ ସମ୍ଭାବନାର ଭାଷା । ଆମର ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟାବିତ୍ ଏବଂ ଉଦ୍ଭାବକମାନେ ଏହି ନୂତନ ଯୁଗର ସ୍ଥପତି । ଆଜି ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ – ଇଞ୍ଜିନିୟର, ପ୍ରଯୁକ୍ତିବିଦ୍ୟାବିତ୍‌ମାନେ ସୀମା ବାହାରକୁ ଯାଇ ସ୍ୱପ୍ନ ଦେଖିବା, ଉଦ୍ଦେଶ୍ୟ ସହିତ ନବସୃଜନ କରିବାକୁ ଏବଂ ସଚ୍ଚୋଟତାର ସହିତ ନେତୃତ୍ୱ ନେବାକୁ ଆହ୍ୱାନ କରୁଛି । ଆସନ୍ତୁ ଆମେ ଏପରି ଏକ ଭବିଷ୍ୟତର କଳ୍ପନା କରିବା ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ ନାଗରିକଙ୍କୁ ଉତ୍‌ଥାନ କରିବ, ଆମ ବିଶ୍ୱକୁ ସୁରକ୍ଷା ଦେବ ଏବଂ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଆମର ସଂକଳ୍ପକୁ ଦୃଢ କରିବ ।

ଏହି ମହାନ ପ୍ରୟାସରେ, ଦି ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ) ଦୀର୍ଘ ସମୟ ଧରି ଏକ ମଶାଲବାହକର ଭୂମିକା ନିଭାଉଛି । ଏହି ଅନୁଷ୍ଠାନ ସାରା ଦେଶରେ ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଏବଂ ବୃତିଗତ ଉତ୍କର୍ଷତାକୁ ଆଗକୁ ବଢାଇବାରେ ଅଗ୍ରଣୀ ରହିଛି ବୋଲି ରାଜ୍ୟପାଳ କହିଥିଲେ। ବୈଷୟିକ ଅଧିବେଶନ, ସେମିନାର, ଦକ୍ଷତା ବିକାଶ କାର୍ଯ୍ୟକଳାପ ଆୟୋଜନରେ କେନ୍ଦ୍ରର ପଦକ୍ଷେପଗୁଡ଼ିକ ନୂତନ ପିଢ଼ୀର ଇଂଜିନିୟମାନଙ୍କୁ ସଶକ୍ତ କରୁଛି ବୋଲି ରାଜ୍ୟପାଳ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଶାର ବିଜ୍ଞାନ ଓ କାରିଗରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଦେଶ ଗଠନରେ ଇଂଜିନିୟରମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିବା ସହ ରାଜ୍ୟରେ ବୈଜ୍ଞାନିକ ଭିତିଭୂମିର ବିକାଶ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବତାରଣା କରିଥିଲେ।

ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଂଜିନିୟରସ୍‌ର ପ୍ରେସିଡେଂଟ୍ ଭି ବି ସିଂହ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଚେୟାରମ୍ୟାନ୍ ପ୍ରଫେସର ଡ. ସୁଧାଂଶୁ ଶେଖର ଦାସ ସ୍ୱାଗତଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଅନରାରୀ ସେକ୍ରେଟାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜଭବନରେ ଓଡ଼ିଆ ନବ ବର୍ଷ ଏବଂ ହିମାଳଚ ପ୍ରଦେଶର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜଭବନରେ ଓଡିଆ ନବ ବର୍ଷ ଏବଂ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ତଥା ବିଭିନ୍ନ ପ୍ରଦେଶର ନବବର୍ଷ ଏକ ମନୋଜ୍ଞ ପରିବେଶରେ ପାଳିତ ହୋଇଯାଇଛି । ଏହିି ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୪ ତାରିଖ ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ ଯେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ “ଏକ ଭାରତ – ଶ୍ରେଷ୍ଠ ଭାରତ”ର ପ୍ରକୃତ ଭାବନାକୁ ପ୍ରତିଫଳିତ କରୁଛି ।

ଏତଦ୍‌ବ୍ୟତୀତ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଆ ନବବର୍ଷରେ ସମସ୍ତେ ପ୍ରତିବଦ୍ଧତା ଦୋହରାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଓଡିଆ ନବ ବର୍ଷ ଅବସରରେ ଓଡିଶାବାସୀଙ୍କୁ ତଥା ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଉପଲକ୍ଷେ ଉକ୍ତ ରାଜ୍ୟର ଅଧିବାସୀମାନଙ୍କୁ ଏବଂ ନବବର୍ଷ ପାଳନ କରୁଥିବା ଆସାମ, କେରଳ, ତାମିଲନାଡୁ, ବୈଶାଖୀ ପାଳନ କରୁଥିବା ପଞ୍ଜାବ ରାଜ୍ୟର ଅଧିବାସୀମାନଙ୍କୁ ରାଜ୍ୟପାଳ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଥିଲେ ।

ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏପରି ଉତ୍ସବର ମୁହୂର୍ତ ତାଙ୍କ ପାଇଁ ସ୍ୱତନ୍ତ୍ର, କାରଣ ସେ ପ୍ରଥମ ଥର ପାଇଁ ଓଡିଶାରେ ଓଡିଆ ନବ ବର୍ଷ ପାଳନ କରୁଛନ୍ତି । ସଂଯୋଗ ବଶତଃ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ପାଳନରେ ସାମିଲ ହୋଇଛନ୍ତି । କିଛି ଦିନ ପୂର୍ବରୁ ରାଜ ଭବନରେ ଉଗାଡ଼ି ଓ ଗୁଡ଼ି ପଡୱା ଉତ୍ସବ ମୁଖରିତ ପରିବେଶରେ ପାଳିତ ହୋଇଥିଲା, ଯାହା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣର୍ାଟକ ଏବଂ ମହାରାଷ୍ଟ୍ରର ସଂସ୍କୃତି ଓ ପରମ୍ପରାକୁ ଏକତ୍ରିତ କରିଥିଲା ।

ପୂର୍ବ ମାସଗୁଡ଼ିକରେ ମଧ୍ୟ ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଥିଲା ଏବଂ ଏହା ପ୍ରତ୍ୟେକ ରାଜ୍ୟର ସ୍ୱତନ୍ତ୍ର ପରିଚୟ, ଗୌରବମୟ ଐତିହ୍ୟ ଏବଂ ଆଧୁନିକ ଭାରତ ଗଠନରେ ଅବଦାନକୁ ପ୍ରତିଫଳିତ କରୁଥିଲା ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ନୂତନତା, ଆଶା ଏବଂ ଦିବ୍ୟ ଆଶୀର୍ବାଦର ଏକ ଶୁଭ ସମୟର ବାର୍ତ୍ତା ପ୍ରଦାନ କରେ ।

ଏହି ପବିତ୍ର ଦିନ ଆମକୁ ନୂଆ ଆଶା, ନୂଆ ବିଶ୍ୱାସର ସହିତ ନୂତନ ଆରମ୍ଭକୁ ଗ୍ରହଣ କରିବାକୁ ଆମନ୍ତ୍ରଣ କରେ । ଓଡିଶାର କାଳଜୟୀ ମନ୍ଦିର, ଆତ୍ମା ପୂର୍ଣ୍ଣ କଳା ଏବଂ ସ୍ପନ୍ଦନଶୀଳ ପରମ୍ପରା ସହିତ ଏହାର କୃପା ଏବଂ ସ୍ଥିରତା ପ୍ରେରଣା ଦେଇ ଚାଲିଛି । ମହାବିଷୁବ ସଂକ୍ରାନ୍ତିର ଆଲୋକ ଓଡିଶାକୁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମାବେଶୀ ଭବିଷ୍ୟତ ଆଡକୁ ମାର୍ଗଦର୍ଶନ କରିବ ବୋଲି କହିବା ସହିତ ନୂତନ ବର୍ଷ ପ୍ରତ୍ୟେକ ଘରେ ଖୁସି ଆଣୁ ବୋଲି ରାଜ୍ୟପାଳ କାମନା କରିଥିଲେ ।

ଏହି ଅବସରରେ ରାଜ୍ୟପାଳ ଓଡିଶା ଓ ହିମାଚଳ ପ୍ରଦେଶର ସୁନ୍ଦର ସଂପର୍କ ବିଷୟରେ ଅବତାରଣା କରି ୧୯୪୮ ମସିହା ଏପ୍ରେଲ ମାସରେ ହିମାଚଳ ପ୍ରଦେଶ ଗଠନ ହେବା ପର ଠାରୁ ସନ୍ତୁଳିତ ବିକାଶ, ପରିବେଶଗତ ସଂରକ୍ଷଣ ଏବଂ ସାଂସ୍କୃତିକ ଗର୍ବର ଏକ ଉଜ୍ଜଳ ଉଦାହରଣ ଭାବେ ଉଭା ହୋଇଛି ବୋଲି କହିଥିଲେ । ପର୍ଯ୍ୟଟନ, ଉଦ୍ୟାନ କୃଷି, ଶିକ୍ଷା ଏବଂ ପରିବେଶ ସଂରକ୍ଷଣରେ ଦେଶ ଗଠନରେ ହିମାଚଳ ପ୍ରଦେଶର ଭୂମିକା ପ୍ରକୃତରେ ପ୍ରଶଂସନୀୟ ।  ହିମାଚଳ ପ୍ରଦେଶର ଅନେକ ମୂଳ ବାସିନ୍ଦା ଏବେ ଓଡ଼ିଶାକୁ ନିଜର ଦ୍ୱିତୀୟ ଘର ବୋଲି କହୁଛନ୍ତି । ସେମାନଙ୍କର ଅଧ୍ୟୟନ, ବୃତ୍ତିଗତ କାର୍ଯ୍ୟ ଓଡିଶାର ବିକାଶରେ ଯୋଗଦାନ ଦେଇଛି ବୋଲି ରାଜ୍ୟପାଳ କହିଥିଲେ ।

ଏହି ସମାରୋହରେ ବକ୍ତା ଭାବେ ଯୋଗଦେଇ ଲବ୍‌ଧ ପ୍ରତିଷ୍ଠିତ କଥାକାର ପ୍ରଫେସର ଦାଶ୍ ବେନହୁର ଏବଂ ସୁନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ଗୀତା ପଟ୍ଟନାୟକ ଓଡ଼ିଆ ନବ ବର୍ଷ ପାଳନର ତାତ୍ପର୍ଯ୍ୟ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍‌ବ୍ୟତୀତ ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନର ଆସିଷ୍ଟାଂଟ୍ ପ୍ରଫେସର ରାଜ କୁମାର ଓଡିଶା ସହିତ ହିମାଚଳ ପ୍ରଦେଶର ସଂପର୍କ, ନିଜ ରାଜ୍ୟର ବୈଶିଷ୍ଟ୍ୟ ଏବଂ ଓଡିଶାରେ ନିଜର ଅଭିଜ୍ଞତା ଓ ଉପଲବ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଡିସିନାଲ ଡିସିପି ଶ୍ରୀମତୀ ଅମରିତ୍ ପାଲ୍ କୌର୍ ବୈଶାଖୀ ପାଳନର ବିଶେଷତ୍ଵ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଂଜ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତଥା ବିଭିନ୍ନ ଅନୁଷ୍ଠାନ ସୌଜନ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନରେ ବାବାସାହେବ ଡ. ଆମ୍ବେଦକର ଜୟନ୍ତୀ ପାଳିତ, ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତର ମହାନ୍ ସମ୍ବିଧାନର ଜନକ ଭାରତ ରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ତ୍ୟାଗ ଓ ଆଦର୍ଶ ଦେଶ ପାଇଁ ସର୍ବଦା ଆଲୋକବର୍ତ୍ତିକା ହୋଇ ରହିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍‌ଠାରେ ଡ. ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ଆମ୍ବେଦକରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଯୋଗଜନ୍ମା ବାବାସାହେବ ଡ. ଆମ୍ବେଦକର ନବ ଭାରତର ଅନ୍ୟତମ ନିର୍ମାତା ଓ ଭାରତର ମହାନ ସମ୍ବିଧାନର ଜନକ । ଚିଠା କମିଟିର ଅଧ୍ୟକ୍ଷ ଭାବେ ବିଶ୍ୱର ସର୍ବବୃହତ ସମ୍ବିଧାନ ପ୍ରଣୟନରେ ତାଙ୍କର ବିଗବତ୍ତା, ତ୍ୟାଗ, ନିଷ୍ଠା ଓ ସମର୍ପଣ ତାଙ୍କୁ ଚିର ଅମର କରି ରଖିବ । ତତ୍କାଳୀନ ସମାଜରେ ରହିଥିବା ଅସମାନତା, ଅସ୍ପୃଶ୍ୟତା ଦୂର କରି ଏକ ଭେଦଭାବ ବିହୀନ ସମାଜ ଓ ଦେଶ ଗଠନ ପାଇଁ ଡ. ଆମ୍ବେଦକର ଜୀବନତମାମ ସଂଗ୍ରାମ କରିଥିଲେ ।

ସାମାଜିକ ବୈଷମ୍ୟକୁ ଦୂର କରି ଏକ ସୁସ୍ଥ ଓ ଭେଦଭାବହୀନ ସମାଜ ଗଠନ ପାଇଁ ସମ୍ବିଧାନରେ ବ୍ୟବସ୍ଥା କରିବାରେ ଡ. ଆମ୍ବେଦକରଙ୍କ ଅବିସ୍ମରଣୀୟ ଭୂମିକା ରହିଥିଲା । ସମାଜର ଦଳିତ ଓ ପଛୁଆ ବର୍ଗଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିବାବେଳେ ଡ. ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ଅନୁସରଣ କରିଥାନ୍ତି ବୋଲି ରାଜ୍ୟପାଳ କହିଥିଲେ ।

ଡ. ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ସମାଜ ଓ ଦେଶର ପ୍ରଭୁତ ଉନ୍ନତି ସାଧିତ ହୋଇପାରିବ ବୋଲି ରାଜ୍ୟପାଳ ଡ. କମ୍ଭମ୍‌ପାଟି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜଭବନର ଅଧିକାରୀ / କର୍ମଚାରୀମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ନୌସେନାର ମୋଟର କାର ରାଲିକୁ ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି । ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ମୋଟର କାର ରାଲିରେ ଅଂଶ ଗ୍ରହଣ କରିଥିବା ନୌସେନାର ଅଧିକାରୀ / କର୍ମକର୍ତ୍ତାଙ୍କ ସହ ରାଜଭବନର ଅଭିଷେକ ହଲ୍ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ଉକ୍ତ କାର ରାଲି କେବଳ ଏକ ଯାତ୍ରା ନୁହେଁ । ରାଲିରେ ଅଂଶ ଗ୍ରହଣକାରୀମାନେ ଯୁବ ସମୁଦାୟ ଏବଂ ନାଗରିକମାନଙ୍କ ନିକଟରେ ପହଂଚି ଭାରତୀୟ ନୌସେନାରେ ଥିବା କ୍ୟାରିୟର ସମ୍ଭାବନା ସଂପର୍କରେ ସଚେତନ କରାଇବେ । ଦେଶର ସୈନିକ ସ୍କୁଲମାନଙ୍କରେ ଝିଅମାନଙ୍କର ଆଡମିସନ୍ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନେଇଥିବା ଐତିହାସିକ ନିଷ୍ପତ୍ତିକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ସମାଜକୁ ଏକ ସକରାତ୍ମକ ବର୍ତ୍ତା ଦେଉଛି ବୋଲି କହିଥିଲେ ।

ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଭାରତୀୟ ନୌସେନା ସହିତ ଥିବା ତାଙ୍କର ସୁଖଦ ସ୍ମୃତି ମନେପକାଇବା ସହିତ ଦେଶର ସୁରକ୍ଷା ପ୍ରତି ଭାରତୀୟ ନୌସେନାର ଉତ୍କର୍ଷତା, ସମର୍ପଣ ଏବଂ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏକ ମହତ୍ ଉଦ୍ଦେଶ୍ୟ ନେଇ ଭାରତୀୟ ନୌସେନାର ଏଭଳି ମୋଟର କାର ରାଲି ଆୟୋଜନକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ଅଂଶଗ୍ରହଣକାରୀମାନଙ୍କୁ ଅନେକ ଉପଲବ୍ଧି ଓ ମଧୁର ସ୍ମୃତି ପ୍ରଦାନ କରିବ ଏବଂ ଏହି ଅଭିଯାନ ସାମୁଦ୍ରିକ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ ଏବଂ ମୋଟର କାର ରାଲିର ସଫଳତା କାମନା କରିଥିଲେ ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଲେଫ୍ଟନାଂଟ୍ କମାଣ୍ଡର ଅବିନାଶ କ୍ଷେତ୍ରୀଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ର ଲେଫ୍ଟନାଂଟ୍ କମାଣ୍ଡର ଜୁବିନ ଜନ୍ ପ୍ରାରମ୍ଭରେ ମୋଟର କାର ରାଲିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ମୋଟର କାର ରାଲି ଚଳିତ ମାର୍ଚ୍ଚ ୩ ତାରିଖରେ କୋଲକତାର ଆଇଏନ୍‌ଏସ ସୁଭାଷରୁ ଶୁଭାରମ୍ଭ ହୋଇଥିଲା ।

ଏହି ଅଭିଯାନ ଚଳିତ ମାର୍ଚ୍ଚ ୨୧ ମଧ୍ୟରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇ ତାମିଲ୍‌ନାଡ଼ୁ ରାଜ୍ୟର ଚେନାଇରେ ସମାପ୍ତ ହେବ । ରାଲି ପ୍ରାୟ ୩୮୦୦ କି.ମି ଯାତ୍ରା କରିବ ଏବଂ ଏହି ଅବସରରେ ଅଂଶଗ୍ରହଣକାରୀମାନେ ସ୍କୁଲ, କଲେଜ, ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ, ଯୁବପୀଢ଼ି, ନାଗରିକ ତଥା ନୌସେନାର ପୂର୍ବତନ ସୈନିକ, ବୀରାଙ୍ଗନାମାନଙ୍କ ସହିତ ବାର୍ତ୍ତାଳାପ ଜରିଆରେ ନାରୀ ଶକ୍ତି ଓ ମହିଳା ସଶକ୍ତିକରଣ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ଭାରତୀୟ ନୌସେନା ସଂପର୍କରେ ସଚେତନ କରାଇବେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜଭବନରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏକ ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଅଧିବାସୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିବିଧତା ଆମ ଗୌରବ । ଏପରି କାର୍ଯ୍ୟକ୍ରମ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଅଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି ଓ ଆନନ୍ଦ ବାଟିଂବାର ପର୍ବ ଯାହା ଆମର ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରାଉଛି ବୋଲି ରାଜ୍ୟପାଳ କହିଥିଲେ।

ଏତଦ୍‌ବ୍ୟତୀତ ଓଡ଼ିଶାରେ ଶିକ୍ଷା ଲାଭ କରୁଥିବା ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ଞାନର ସଂପର୍କ ସେତୁ ନିର୍ମାଣ ଓ କର୍ମକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନଙ୍କ ଓଡିଶାର ବୌଦ୍ଧିକ ଓ ସାଂସ୍କୃତିକ ବିକାଶରେ ଅଂଶ ଗ୍ରହଣ ଓ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ପୁଣି ରାଜ୍ୟପାଳ କହିଥିଲେ ଯେ ଦେଶର ଉତ୍ତର ପୂର୍ବାଚଂଳ କେବଳ ଏକ ଭୌଗଳିକ ଭୂଖଣ୍ଡ ନୁହେଁ ବରଂ ପରଂପରା, ଉତ୍କର୍ଷ କଳା ଓ ଗଭୀର ମୂଲ୍ୟବୋଧର ଗନ୍ତାଘର । ଏହା ଏପରି ଏକ ଭୂମି ଯେଉଁଠାରେ ପ୍ରକୃତି ଏବଂ ସଂସ୍କୃତି ସହବସ୍ଥାନ କରନ୍ତି ଏବଂ ଏଠାରେ ଗୋଷ୍ଠୀ ଓ ଆତ୍ମ ନିର୍ଭରଶୀଳତାର ଆତ୍ମା ବିକଶିତ ହୋଇଥାଏ। ରାଜ୍ୟପାଳ ଡ. କମ୍ଭମ୍‌ପାଟି ଓଡ଼ିଶା ଆସିବା ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିବା ବେଳର ସ୍ମୃତି ରୋମନ୍ଥନ କରିଥିଲେ ଏବଂ ଉତ୍ତର ପୂର୍ବାଚଂଳର ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଐତିହ୍ୟର ପ୍ରଶଂସା କରିଥିଲେ । ଅରୁଣାଚଳ ପ୍ରଦେଶକୁ “ଉଦିତ ସୂର୍ଯ୍ୟର ଭୂମି” ବୋଲି କୁହାଯାଏ । ସେଠାକାର ପ୍ରକୃତିର ମହିମା ଏବଂ ଦେଶର ସମୃଦ୍ଧ ଜନଜାତି ପରଂପରାର ଝଲକ ଦେଖାଯାଏ।

ଉଭୟ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ମନୋରମ ଭୂଦୃଶ୍ୟ, ବିବିଧତାରେ ଭରପୁର ଉଦ୍ଭିଦ ଓ ପ୍ରାଣୀ, ଅନନ୍ୟ ପରଂପରା ପାଇଁ ବାସ୍ତବରେ ଏହି ଦୁଇ ରାଜ୍ୟ ଉତ୍ତର ପୂର୍ବ ଭାରତର ଅଷ୍ଟଲକ୍ଷ୍ମୀଙ୍କ ଆତ୍ମାର ପ୍ରତୀକ ସାଜିଛି ବୋଲି ରାଜ୍ୟପାଳ କହିଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜଭବନରେ ଉଭୟ ରାଜ୍ୟର ଅଧିବାସୀ / ପ୍ରତିନିଧିଙ୍କ ଉପସ୍ଥିତ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ସାରକୁ ଦର୍ଶାଉଛି।

ଏହି ପରଂପରାର ତତ୍ତ୍ୱାବଧାରକ ଭାବେ ରାଜଭବନ ଆମକୁ ଏକତ୍ରିତ କରିବା, ବିବିଧତାକୁ ସମ୍ମାନିତ କରିବାରେ ଗର୍ବ ଅନୁଭବ କରେ। ଓଡ଼ିଶାରେ କିପରି ବିଭିନ୍ନ ଅଂଚଳର ଗୋଷ୍ଠୀ / ସଂପ୍ରଦାୟ ଏକାଠି ହୁଅନ୍ତି, ଶିକ୍ଷ-ସହଯୋଗ ଓ ପାରସ୍ପରିକ ବୁଝାମଣାକୁ ପ୍ରୋସାହିତ କରାଯାଏ ତାହା ନିହାତି ଭାବେ ଉତ୍ସାହ ଜନକ ବୋଲି ରାଜ୍ୟପାଳ କହିବା ସହିତ ଆମର ସେହି ସଂପର୍କ, ବିବିଧତାରେ ଏକତା ଭାବନାକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ମିଜୋରାମ ରାଜ୍ୟର ରାଜ୍ୟପାଳ ଜେନେରାଲ ଡ. ବିଜୟ କୁମାର ସିଂହଙ୍କ ଶୁଭେଚ୍ଛା ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀମାନେ ନିଜ ନିଜ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଏବଂ ମହାନତା ସଂପର୍କରେ ଅବତାରଣା କରିବା ସହିତ ଓଡ଼ିଶା ସହ ତାଙ୍କ ରାଜ୍ୟର ଅତୁଟ ସଂପର୍କ ଏବଂ ଓଡ଼ିଶାର ବିଶେଷତ୍ୱ ସଂପର୍କରେ ଅଭିଜ୍ଞତା ଓ ଉପଲବ୍ଧି ବାଂଟିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାରେ ଅଧ୍ୟୟନ କରୁଥିବା ଅରୁଣାଚଳ ପ୍ରଦେଶ ଓ ମିଜୋରାମର ଛାତ୍ରଛାତ୍ରୀମାନେ ବିବିଧତାରେ ଏକତା ଉପରେ ଆଧାରିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରମାଦେବୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀ, ସେଚୁଂରିଅନ ୟୁନିଭରସିଟ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଂଟର ଛାତ୍ରଛାତ୍ରୀ ତଥା ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ କାଶ୍ମୀରର ଯୁବ ପ୍ରତିନିଧି

ଭୁବନେଶ୍ୱର: କାଶ୍ମୀର ଉପତ୍ୟକାର ଯୁବବର୍ଗ ଏକ ବିକଶିତ ଭାରତର ନିର୍ମାତା ହୁଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲଠାରେ ପଂଚମ କାଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମରେ କାଶ୍ମୀର ଉପତ୍ୟକାରୁ ଆସିଥିବା ଯୁବ ପ୍ରତିନିଧିମାନେ ରାଜ୍ୟପାଳଙ୍କ ସହ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

କାଶ୍ମୀରର ଯୁବ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ଜାତୀୟ ସଂହତିକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଅଂଚଳର ଯୁବପୀଢ଼ିଙ୍କ ମଧ୍ୟରେ ବୁଝାମଣା ଓ ସଦ୍‌ଭାବ ବୃଦ୍ଧି କରିବା ପାଇଁ ଆମ ଦେଶର ପ୍ରତିବଦ୍ଧତା ସୂଚାଉଛି । ଏହା ମଧ୍ୟ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ପ୍ରତିଫଳିତ କରୁଛି ଯାହା ବିଭିନ୍ନ ରାଜ୍ୟର ଯୁବ ବର୍ଗ ମଧ୍ୟରେ ଏକତା, ସାଂସ୍କୃତିକ ବିନିମୟ ଏବଂ ପାରସ୍ପରିକ ବୁଝାମଣାର ବନ୍ଧନକୁ ମଜବୁତ କରୁଛି ।

ଭାରତରେ ଥିବା ବିବିଧ ସୌନ୍ଦର୍ଯ୍ୟ ଓ ସୁଯୋଗକୁ କାଶ୍ମୀରର ଯୁବ ବର୍ଗ ଅନୁସନ୍ଧାନ କରୁଥିବା ଜାଣି ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ । ରାଜ୍ୟପାଳ କାଶ୍ମୀରର ଯୁବ ପ୍ରତିନିଧିମାନଙ୍କୁ ସମ୍ବୋଧିତ କଲାବେଳେ କହିଥିଲେ ଯେ ଯୁବ ନେତୃତ୍ୱ ଓ ସେମାନଙ୍କର ସଶକ୍ତିକରଣ ହେଉଛି ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ । ଭାରତ ସରକାର ଦକ୍ଷତା ବିକାଶ, ଶିକ୍ଷା, ନିଯୁକ୍ତି ସୁଯୋଗ, କ୍ରୀଡ଼ା ଏବଂ ଉଦ୍ୟୋଗ ମାଧ୍ୟମରେ କାଶ୍ମୀର ଯୁବକଯୁବତୀମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି, ଯାହାକି ସେମାନଙ୍କର ଭବିଷ୍ୟତ ଗଠନ କରିବାରେ ସହାୟକ ହେଉଛି ।

“ପୃଥିବୀର ସ୍ୱର୍ଗ” ଭାବେ ଗୌରବ ବହନ କରେ କାଶ୍ମୀର । କାଶ୍ମୀରର ଯୁବବର୍ଗ ଏହାର ଐତିହ୍ୟ ବହନ କରୁଛନ୍ତି । ମନୋରମ ଉପତ୍ୟକା, ନୈସର୍ଗିକ ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରତିଭାବାନ ଯୁବପୀଢ଼ି ପାଇଁ କାଶ୍ମୀର ଜଣାଶୁଣା ବୋଲି ରାଜ୍ୟପାଳ କହିବା ସହିତ ସେମାନଙ୍କର ଶକ୍ତି, ଦୃଢ଼ ସଂକଳ୍ପ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ।

ଶିକ୍ଷା, ଉଦ୍ୟୋଗ, ଶାସନ କିମ୍ବା ସମାଜସେବା କ୍ଷେତ୍ରରେ ଯୁବପୀଢ଼ି ଦକ୍ଷତା ବିକାଶ କରି ଦେଶ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ରାଜ୍ୟପାଳ କହିଥିଲେ ଯେ ନେହେରୁ ଯୁବ କେନ୍ଦ୍ର ସଂଗଠନ ବିଭିନ୍ନ ଅଂଚଳର ଯୁବବର୍ଗଙ୍କୁ ସଂଯୋଗ କରିବାରେ ଏବଂ ନେତୃତ୍ୱ ବିକାଶକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି କ୍ରମରେ କାଶ୍ମୀର ଯୁବ ପ୍ରତିନିଧିମାନଙ୍କ ଓଡ଼ିଶା ଭ୍ରମଣ ସେମାନଙ୍କୁ ଓଡ଼ିଶାର ସଂସ୍କୃତି, ସମୃଦ୍ଧ ଐତିହ୍ୟ ଓ ପରଂପରା ଏବଂ ବିକାଶ ଯାତ୍ରାକୁ ଦେଖିବା ଓ ବୁଝିବା ସହିତ ଅଭିଜ୍ଞତା ବାଂଟିବାର ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ ।

ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଯୁବ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇ ଏହି କାର୍ଯ୍ୟକ୍ରମ କେବଳ ଜ୍ଞାନ ଏବଂ ଅଭିଜ୍ଞତା ପ୍ରଦାନ କରିବ ନାହିଁ ବରଂ ଜୀବନବ୍ୟାପୀ ବନ୍ଧୁତା ଏବଂ ଅର୍ଥପୂର୍ଣ୍ଣ ସଂଯୋଗ ଗଠନ କରିବାରେ ସହାୟକ ହେବ ବୋଲି କହିଥିଲେ ।

ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପ୍ରତିନିଧିମାନଙ୍କର ଓଡ଼ିଶା ପରିଦର୍ଶନ ସମୟରେ ଫଳପ୍ରଦ ଓ ସୁଖଦ ରହଣୀ କାମନା କରିଥିଲେ । କାଶ୍ମୀରର ଯୁବ ପ୍ରତିନିଧିମାନେ ସେମାନଙ୍କର ଓଡ଼ିଶା ଭ୍ରମଣର ଅନୁଭୂତି ବାଂଟି ଓଡ଼ିଶାର କଳା, ସଂସ୍କୃତି, ଜୀବନଶୈଳୀ, ଆତିଥେୟତା ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଗୁଣର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ କାଶ୍ମୀର ଯୁବ ପ୍ରତିନିଧିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଯାହା ଦେଖି ଅତିଥି ପ୍ରତିନିଧିମାନେ ଓଡ଼ିଶା ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ, ରାଜ୍ୟପାଳ ରଖିବେ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ।

ଆଜି ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଦେବେ। ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବା ବେଳେ ୧୭ ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।

୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ୨୨ରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଶ୍ରୀହର୍ଷ ମିଶ୍ର ସ୍ମୃତି ବିଧିର ବିଦ୍ୟାଳୟର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କଠାରେ ଭରପୁର ପ୍ରତିଭା ରହିଛି। ଏଣୁ ସେମାନଙ୍କଠାରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରକାଶ ପାଇଁ ପ୍ରୋତ୍ସାହନ ଯୋଗାଇବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି। ଏ ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟ, ଜଟଣୀର ଛାତ୍ରାଛାତ୍ରୀମାନେ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ନୈସର୍ଗିକ ଶୋଭାରାଜି ଦେଖିବା ପରେ ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଦୁଇ ଜଣ ଛାତ୍ର / ଛାତ୍ରୀ ନିଜ ଦ୍ୱାରା ଆଙ୍କିତ ରାଜ୍ୟପାଳଙ୍କ ଫଟୋଚିତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।

ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ଓ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ବେହେରାଙ୍କ ଜରିଆରେ ରାଜ୍ୟପାଳ ପିଲାମାନଙ୍କର କୁଶଳ ଜିଜ୍ଞାସା କରିଥିଲେ । ଶ୍ରବଣ ଶକ୍ତିବାଧିତ ପିଲାମାନଙ୍କ ପାଇଁ ଉକ୍ତ ଆବାସିକ ବିଦ୍ୟାଳୟର ସ୍ଥାପନା, ପରିଚାଳନା, ପାଠପଢ଼ା, ଖାଇବା ଓ ରହିବା ବ୍ୟବସ୍ଥା, ଶ୍ରବଣ ଯନ୍ତ୍ର ଯୋଗାଣ, କର୍ମଚାରୀମାନଙ୍କର ଦରମା ବ୍ୟବସ୍ଥା, ସରକାରଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥା ତଥା ବିଦ୍ୟାଳୟର ଆବଶ୍ୟକତା ସଂପର୍କରେ ରାଜ୍ୟପାଳ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରି ବୁଝିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଘୁବର ଦାସଙ୍କ ସ୍ଥାନରେ ଡାଃ ହରିବାବୁ କମ୍ଭମପତି ହେଲେ ଓଡିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟପାଳଙ୍କ ବଦଳି ହୋଇଛି। ଏବେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଡାଃ ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି। ରଘୁବର ଦାସଙ୍କ ସ୍ଥାନରେ ଓଡିଶାର ରାଜ୍ୟପାଳ ଭାବେ ଡାଃ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି।

ହରିବାବୁ ଏବେ ମିଜୋରାମ ରାଜ୍ୟପାଳ ଅଛନ୍ତି। ୧୯୯୯ ମସିହାରେ ସେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୧୪ ରେ ବିଶାଖାପାଟଣାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବରୁ ଆନ୍ଧ୍ରରେ ବିଜେପି ରଜ୍ୟ ସଭାପତି ଥିଲେ। ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ହରିବାବୁ ଆନ୍ଧ୍ରରେ ବିଜେପି ରଜ୍ୟ ସଭାପତି ଥିଲେ। ଏବଂ ଏହା ପରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ଭ ଟାକୁଆ ଖାଇ ମୃତ୍ୟୁବରଣ ଘଟଣା, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଏବଂ କଂଗ୍ରେସ ବିଧାୟକ ମାନଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳି ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜାତୀୟ ଖାଦ୍ୟ ନିରାପତା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ନେତୃବୃନ୍ଦ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜିର ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର କାଡ଼ାମ୍‌, ସାହାନୱାଜ୍ ଚୌଧୁରୀ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଭକ୍ତ ଚରଣ ଦାସ, ଜୟଦେବ ଜେନା, ମହମ୍ମଦ ମୋକିମ୍‌, ରୋଜାଲୀନା ତିର୍କୀ, କିଶୋର ଚନ୍ଦ୍ର ପଟେଲ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନିପତି, ସି.ଏସ୍ ରାଜନଏକ୍କା, ଅଶୋକ କୁମାର ଦାସ, ବିଶ୍ୱରଞ୍ଜନ ମହାନ୍ତି, ସଶ୍ମିତା ବେହେରା, ଭୁଜବଳ ମାଝି,କାଡ୍ରାକା ଆପାଲାସ୍ୱାମି, ନିଳମାଧମ ହିକ୍‌କା, ମଙ୍ଗୁ ଖିଲ, ସୋଫିଆ ଫିର୍ଦ୍ଦୋଶ, ଦେବାଶିଷ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ଚନ୍ଦ୍ରଶେଖର ପରିଡ଼ା, ଅଭିମନ୍ୟୁ ବେହେରା, ନିମାଇଁ ଚନ୍ଦ୍ର ସରକାର, ପ୍ରକାଶ ଜେନା, ମନୋରଞ୍ଜନ ଦାଶ ଓ ମନୋରଞ୍ଜନ ରାଉତ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଅମିତ ଶାହାଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ ରଘୁବର ଦାସ

ନୂଆଦିଲ୍ଲୀ: ଆଜି ରାଜ୍ୟପାଳ ରଘୁବର ଦାସ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟପାଳଙ୍କ ଶାହାଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।

ପୂର୍ବରୁ ରାଜ୍ୟପାଳ ଦାସ ଓଡିଶାର ବିଭିନ୍ନ ଜିଲ୍ଲା, ସହର ଗ୍ରାମାଞ୍ଚଳ ମାରାଥନ ଗସ୍ତ କରି ସେଠାକାର ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ସେ କହୁଥିଲେ ରାଜ୍ୟର ସ୍ଥିତି ସଂପର୍କରେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ତେବେ ଏହି ଗସ୍ତର ସେହି ଉଦ୍ଦେଶ୍ୟ ନା ଆଉ କିଛି ରହିଛି ତାହା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। ଆଜି ସକାଳେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଛି।

ଏଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଏଥିରେ ରାଜ୍ୟ ପୋଲିସ ବାହିନୀ, ଓଡ୍ରାଫ, ଟ୍ରାଫିକ ପୋଲିସ, ଅଗ୍ନିଶମ ବାହିନୀ ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ଅଭିବାଦନ ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ଓଡିଶା ରାଜ୍ୟପାଳଙ୍କ ନିମନ୍ତେ ନିଯୁକ୍ତ ହେଲେ ତିନିଜଣ ଉପଦେଷ୍ଠା, ଜାଣନ୍ତୁ କିଏ

ଭୁବନେଶ୍ବର: ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ତିନିଜଣ ଉପଦେଷ୍ଠାଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନିଯୁକ୍ତି ପ୍ରଦାନ କରିଛି। ଯେଉଁମାନଙ୍କୁ ନିଯୁକ୍ତି ମିଳିଛି ସେମାନେ ହେଲେ

1- ସନ୍ତୋଷ କୁମାର ଶତପଥୀ, ଅବସରପ୍ରାପ୍ତ ଆଇଏଏସ- ମୁଖ୍ୟ ଉପଦେଷ୍ଠା ଆଦିବାସୀ କଲ୍ୟାଣ ଏବଂ ସାଧାରଣ ପ୍ରସଂଗ ସଂକ୍ରାନ୍ତ

2-ପ୍ରଫେସର ସୁକଳ ମହାନ୍ତି- ଉପଦେଷ୍ଠା ଏକାଡେମିକ ସଂକ୍ରାନ୍ତ

3-ସୁବ୍ରତ କୁମାର ମହାନ୍ତି- ଉପଦେଷ୍ଠା ମିଡିଆ ଏବଂ ଆଇଟି ସଂକ୍ରାନ୍ତ

ପୂର୍ବରୁ କୌଣସି ରାଜ୍ୟପାଳଙ୍କର ଏପରି ଉପଦେଷ୍ଠାଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା। ପ୍ରଥମ ଥର ପାଇଁ ଏହି ବରିଷ୍ଠ ପ୍ରଶାସକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ଭେଟିଲେ ତେଲୁଗୁ ଯୋଦ୍ଧା ଟିମ୍‌ର ଖୋଖୋ ଖେଳାଳୀ

ଭୁବନେଶ୍ୱର: ସମଗ୍ର ଦେଶରେ ଖେଳ ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଅଧିକରୁ ଅଧିକ ଯୁବକଯୁବତୀ କ୍ରୀଡ଼ାରେ ଅଂଶ ଗ୍ରହଣ କରୁଛନ୍ତି ଓ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ସଫଳତା ଦେଶକୁ ଗର୍ବିତ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଓ ଉନ୍ନତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟମାନ କାର୍ଯ୍ୟକାରୀ କରାଇଛନ୍ତି ଯେପରି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଯାହା ଯୁବଗୋଷ୍ଠୀଙ୍କୁ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ମଂଚ ପ୍ରଦାନ କରିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି।

ଆଜି ରାଜଭବନର ଅଭିଷେକ ହଲ୍‌ରେ ଅଲଟିମେଟ୍ ଖୋଖୋ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବାକୁ ଆସିଥିବା ତେଲୁଗୁ ଯୋଦ୍ଧା ଟିମ୍‌ର ଖେଳାଳୀମାନଙ୍କୁ ଭେଟିବା ଅବସରରେ ରାଜ୍ୟପାଳ ନିଜ ଉଦ୍‌ବୋଧନରେ କଠିନ ସାଧନା, ଶୃଙ୍ଖଳା ଓ ପରିଶ୍ରମ ଦ୍ୱାରା ଜଣେ ସଫଳ ଖେଳାଳୀ ହୋଇପାରିବ ବୋଲି କହିଥିଲେ।

ସରକାରୀସ୍ତରରେ ଦିଆଯାଉଥିବା ପ୍ରୋତ୍ସାହନ ବର୍ତମାନ କ୍ରୀଡ଼ାକୁ ଏକ କ୍ୟାରିଅର କରିବାରେ ଯଥେଷ୍ଟ ସହାୟକ ହୋଇପାରୁଛି। କବାଡ଼ି, ଖୋ ଖୋ ପରି ପାରମ୍ପରିକ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଉଛି ଓ ଅଧିକରୁ ଅଧିକ ଖେଳାଳୀ ସୃଷ୍ଟି ହୋଇପାରୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ।

ଖେଳାଳୀମାନେ ବିଫଳତାରେ ଭାଙ୍ଗି ନଯାଇ ଏହାର କାରଣ ଅନୁଧ୍ୟାନ କରି ଏହାକୁ ସୁଧାରି ପାରିଲେ ନିଶ୍ଚୟ ସଫଳତା ହାସଲ କରିବେ ଓ ସର୍ବଦା ଖେଳୁୱାର୍ଡ ମନୋଭାବ ନେଇ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ ଖେଳାଳୀମାନଙ୍କୁ ଆଗାମୀ ଟୁର୍ଣ୍ଣାମେଂଟରେ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ। ପ୍ରାରମ୍ଭରେ ଟିମ୍‌ର ସିଇଓ ଶ୍ରୀ ପି.କେ.ଏସ୍‌.ଭି. ସାଗର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଦୁଇ ଜଣ ଖେଳାଳୀ ଓ ପ୍ରଶିକ୍ଷକ ସେମାନଙ୍କର ପ୍ରସୁ୍‌ତି ଓ ଟୁର୍ଣ୍ଣାମେଂଟ ସଂପର୍କରେ କହିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଜିଏମଆର ପ୍ରାୟୋଜିତ ତେଲୁଗୁ ଯୋଦ୍ଧା ଟିମ୍‌ର ପଚିଶ ଜଣ ଖେଳାଳୀ, ପ୍ରଶିକ୍ଷକ ଶ୍ରୀ ବିକାଶ ଓ ଟିମ୍‌ର ସି.ଇ.ଓ. ଶ୍ରୀ ପି.କେ.ଏସ.ଭି. ସାଗର ସପୋର୍ଟ ଷ୍ଟାଫ୍‌ଙ୍କ ସହ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

ଆସନ୍ତା ଡ଼ିସେମ୍ବର ୨୪ରୁ ଆସନ୍ତା ବର୍ଷ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଲ୍‌ଟିମେଟ ଖୋଖୋ ଟୁର୍ଣ୍ଣମେଂଟର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ଜଗରନଟ୍‌ସ ଓ ତେଲୁଗୁ ଯୋଦ୍ଧା ସମେତ ସମୁଦାୟ ଛଅଟି ଦଳ ଅଂଶ ଗ୍ରହଣ କରୁଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ବାଣିଜ୍ୟମେଳା ଫଟୋ ଆଲ୍‌ବମ୍‌ ପ୍ରଦାନ କଲେ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟପାଳ ଶ୍ରୀ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ର ଫଟୋ ସମ୍ବଳିତ ଏକ ଆଲ୍‌ବମ୍‌ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଲିଲିୟନ୍‌ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲରେ ରାଜ୍ୟର କଳାକାର, ବୁଣାକାର, ଶିଳ୍ପୀ ଏବଂ କାରିଗରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ ହୋଇଥିଲା।

ମେଳାରେ ରାଜ୍ୟର ପ୍ରଗତିର ଚିତ୍ର ସହ ନାରୀ ସଶକ୍ତିକରଣର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରଦର୍ଶନ, ଅତିଥି ପରିଚର୍ଯ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ରାଜ୍ୟ ଦିବସ ସମାବେଶ ଓ ଅନ୍ୟାନ୍ୟ ଘଟଣାବଳୀ ସମ୍ବଳିତ ଫଟୋଚିତ୍ର ରହିଥିବା ଆଲ୍‌ବମ୍‌ ରାଜ୍ୟପାଳଙ୍କୁ ନିର୍ଦ୍ଦେଶକ ଶ୍ରୀ ସାମଲ ପ୍ରଦାନ କରିଥିଲେ।

ଶ୍ରୀ ସାମଲ ଆଲ୍‌ବମ୍‌ ପ୍ରଦାନ କରିବା ସମୟରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ ସଂପର୍କରେ ବିଶଦ ଭାବେ ସୂଚନା ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଭବନରେ ବିକଶିତ ଭାରତ- ୨୦୪୭: “ଭଏସ୍ ଅଫ୍ ୟୁଥ୍‌’ କର୍ମଶାଳା

ଭୁବନେଶ୍ୱର: ଆଗାମୀ ୨୫ ବର୍ଷ ଭାରତର ବିକାଶ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟ। ଏହି ଅମୃତ କାଳରେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରତ୍ୟେକ ସଂକଳ୍ପିତ ହେବା ଦରକାର। ଭାରତର ପ୍ରଚୁର ଶକ୍ତି ଓ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ପ୍ରେରଣାଦାୟୀ ନେତୃତ୍ୱ ବଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ସେବା, ସୁଶାସନ, ଗରିବ କଲ୍ୟାଣ; ସବ୍‌କା ସାଥ୍ ଓ ସବ୍‌କା ପ୍ରୟାସର ଭାବଧାରା ଦେଶକୁ ନୂଆ ଦିଶା ଦେଇଛି। ବିକଶିତ ଭାରତର ସ୍ୱପ୍ନ ୧୪୦କୋଟି ଭାରତୀୟଙ୍କର ଏବଂ ଏହାକୁ ସାକାର କରିବାକୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଉଦ୍ୟମ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ବିକଶିତ ଭାରତ-୨୦୪୭: “ଭଏସ୍ ଅଫ୍ ୟୁଥ୍‌’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷାକୁ ଆଗେଇ ନେବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଭାରତ ହେଉଛି ଏକ ଯୁବ ଦେଶ। ପ୍ରତିଭାରେ ପରିପୂର୍ଣ୍ଣ ଦେଶ। ଯୁବ ଶକ୍ତିର ସଫଳ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତ ପାଇଁ ବିଶେଷ ଉପଯୋଗୀ। ଏହା ପରଂପରା ଓ ଆଧୁନିକ ପ୍ରଗତିକୁ ପ୍ରୋତ୍ସାହିତ କରିବ। ଭାରତୀୟ ଜ୍ଞାନ ପରଂପରା ଓ ଆଧୁନିକ ଜ୍ଞାନଧାରା ମଧ୍ୟରେ ସମନ୍ୱୟ ଓ ସଂହତି ସ୍ଥାପନ କରିବା ସହିତ ମାତୃଭାଷାରେ ଶିକ୍ଷାଦାନର ସୁଯୋଗ ସୃଷ୍ଟି କରିବ। ସଂପ୍ରତି ନାରୀ ସଶକ୍ତିକରଣ, କୃଷକ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଗତିର ନୂତନ ଉତ୍ତରଣ ହୋଇଛି। ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଭାରତ ବିଶ୍ୱର ଉପଯୁକ୍ତ ଠିକଣା ହୋଇଛି। ଏହି ସକାରାତ୍ମକ ଭାବ, ଭାବନା ଓ ସ୍ଥିତିର ବିନିଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

ଭାରତର ବିଶାଳ ଅର୍ଥ ବ୍ୟବସ୍ଥା ପୃଥିବୀରେ ପଂଚମ। ୨୦୨୮ ମସିହା ମଧ୍ୟରେ ଏହା ତୃତୀୟସ୍ଥାନକୁ ଯିବ। ଭାରତ ବିଶ୍ୱଗୁରୁ ଥିଲା ଓ ଆଗାମୀ ଦିନରେ ବିଶ୍ୱଗୁରୁ ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ଦୃଢ଼ ଭାବରେ କହିଛନ୍ତି।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କର୍ମଶାଳାକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଅଭିନବ ଚିନ୍ତା ଓ ଚେତନାକୁ ପ୍ରୋତ୍ସାହିତ କରିବା ସହ ତାଙ୍କୁ ସଂକଳିତ କରି ପ୍ରେରଣ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍‌ଲାଇନ୍ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରାଇଥିଲେ । କର୍ମଶାଳାରେ ରାଜ୍ୟର ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପିକା, ବୈଷୟିକ ଓ ସ୍ୱାସ୍ଥ୍ୟ ଶିକ୍ଷା ସଂସ୍ଥାର ମୁଖ୍ୟମାନେ ଯୋଗ ଦେଇ ନିଜର ମତ ମନ୍ତବ୍ୟ, ପ୍ରସ୍ତାବ, ବିଚାର ଓ ପରାମର୍ଶ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ଯ୍ୟ ସମାଜ ପକ୍ଷରୁ ରାଜଭବନରେ ରାଜ୍ୟପାଳଙ୍କୁ ଦିଆଗଲା ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆମ ଦେଶ ଭାରତକୁ କେଉଁ ନେତା ନିର୍ମାଣ କରିନାହାନ୍ତି। ଭାରତ ହେଉଛି ସାଧୁସନ୍ଥମୁନିଋଷିଙ୍କର ଦେଶ। ଆଧ୍ୟାତ୍ମିକତା ଆମର ଭିତ୍ତି ଓ ଶକ୍ତି। ଏହି କାରଣରୁ ଭାରତ ବିଶ୍ୱଗୁରୁ ହୋଇଥିଲା ଏବଂ ସେ ପୁଣି ସେହି ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଆୟୋଜିତ ନାଗରିକ ସଂବର୍ଦ୍ଧନାର ଉତ୍ତରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଆମର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ ଓ ସମୃଦ୍ଧ। ଭାରତ ଶୁଣାଇଛି ପୃଥିବୀକୁ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା। ସଂସ୍କୃତ ଭାଷା ଓ ସଂସ୍କୃତି ଆମ ପରିଚିତିର ଅନନ୍ୟ ବିଭବ। ଏହାର ସଂରକ୍ଷଣ ଓ ପ୍ରସାରରେ ଭାରତୀୟତା ମହକ ପ୍ରସାରିତ ହୋଇପାରିବ।

ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଦ୍ରୁତ ପ୍ରଗତି ହେଉଛି। ଦେଶର ଅପାର ସାମର୍ଥ୍ୟର ସଫଳ ଉପଯୋଗ ହେଉଛି। ଯୋଗକୁ ସାରା ପୃଥିବୀ ଆପଣେଇଛି। ବିଶ୍ୱର ପଂଚମ ବିଶାଳ ଅର୍ଥ ବ୍ୟବସ୍ଥାରୁ ଖୁବ୍ ଶୀଘ୍ର ତୃତୀୟ ସ୍ଥାନକୁ ଯିବାର ସଂଭାବନା ସାକାର ହେବାକୁ ଯାଉଛି। ଏହି ପ୍ରଗତି ପ୍ରକ୍ରିୟାରେ ପ୍ରତ୍ୟେକ ଭାରତୀୟଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ରାଜ୍ୟପାଳ କହିଛନ୍ତି।

ଓଡ଼ିଶା ଏକ ପୁଣ୍ୟ ଭୂମି। ଜଗତର ନାଥ ଜଗନ୍ନାଥ ଏଠି ବିରାଜିତ। ସେହି ରାଜ୍ୟର ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ଆର୍ଯ୍ୟ ସମାଜ, ଓଡ଼ିଶାର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ଲିଖିତ “ଅନୁଭୂତିରେ ସନ୍ଥ ମହିମା’ ପୁସ୍ତକକୁ ଲୋକାର୍ପଣ କରି ରାଜ୍ୟପାଳ ଲେଖକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଉପସ୍ଥାପିତ ସଂନ୍ଥମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି।

ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ.ହରେକୃଷ୍ଣ ଶତପଥୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଡ.ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ଅନନ୍ତ ବଳିଆ ବେଦପୀଠର ବ୍ରହ୍ମଚାରୀମାନେ ବେଦପାଠ କରିଥିଲେ। ଡ. ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ସଂବର୍ଧିତ କରାଯାଇଥିଲା। ଉତ୍ସବରେ ବହୁ ବିଦ୍ୱାନ, ବୁଦ୍ଧିଜୀବୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଲା ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ

ଭୁବନେଶ୍ୱର: ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ଶିକ୍ଷାର ବରିଷ୍ଠ ଯୋଗଦାନ ରହିଛି। ଶିକ୍ଷା ହିଁ ପରିବର୍ତ୍ତନର ପ୍ରମୁଖ ମାଧ୍ୟମ ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ଘରୋଇ ତଥା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀକୁ ସଂବୋଧିତ କରି ରାଜ୍ୟପାଳ କହିଲେ ଯେ, ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷା ନୀତି – ୨୦୨୦ ହେଉଛି ଦୂରଦୃଷ୍ଟିସଂପନ୍ନ ପ୍ରୟାସ। ଏହାକୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଲାଗୁ କରିବା ଦରକାର। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବା ସ୍ପୃହଣୀୟ ନୁହେଁ। ଘରୋଇ ବିଶ୍ୱବିଦ୍ୟାଳୟ ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ସହ ସରକାରଙ୍କ ଆରକ୍ଷଣ ନୀତି ଲାଗୁ କରିବାକୁ ରାଜ୍ୟପାଳ କହିଛନ୍ତି।

ଓଡ଼ିଶାରେ ଶିଳ୍ପାୟନ ବେଶ୍ ଉତ୍ସାହଜନକ। ଶିଳ୍ପ ଓ ବ୍ୟବସାୟ ଜଗତର ଆବଶ୍ୟକତା ଭିତ୍ତିରେ ନୂତନ ଦକ୍ଷତାସଂପନ୍ନ ମାନବ ସଂବଳ ସୃଷ୍ଟି ହେବା ଦରକାର। ପ୍ରାସଂଗିକ ପାଠ୍ୟକ୍ରମ ଓ ସମୟର ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଚେଷ୍ଟା କରିବାକୁ ରାଜ୍ୟପାଳ କହିଛନ୍ତି।

ଭାରତକୁ ବିଶ୍ୱଗୁରୁ ହେବାର ସମୟ ଆସିଛି। ଭାରତର ଯୁବଶକ୍ତି ଆମର ଅମୂଲ୍ୟ ସଂପଦ। ଏହି ଜନସାଂଖିକ ସୁବିଧାର ସଫଳ ଉପଯୋଗ କରିବା ଦରକାର। ଘରୋଇ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ପ୍ରଗତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଆନୁଷ୍ଠାନିକ ସାମାଜିକ ଦାୟିତ୍ୱ ନର୍ବାହ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ଗୁଣାତ୍ମକ ଶିକ୍ଷାର ମାନ ନିର୍ଦ୍ଧାରଣ ନିମନ୍ତେ ଯେଉଁସବୁ ମାନକ ଓ ବିଧିବ୍ୟବସ୍ଥା ରହିଛି, ପ୍ରତ୍ୟେକ ପାଳନ କରିବା ଦରକାର। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୂପ ଚିନ୍ତନ ଓ ପ୍ରସ୍ତୁତି ଆବଶ୍ୟକ। ସମୟର ଆହ୍ୱାନକୁ ସାମ୍ନା କରିବାକୁ ବିଶ୍ୱବିଦ୍ୟାଳୟର କ୍ଷମତା ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ଶୈକ୍ଷିକ ନୀତି ଓ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରିୟାଶୀଳ ସମନ୍ୱୟ ଓ ସଂପର୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ନ୍ୟାସନାଲ ଏକାଡେମିକ ଡିପୋଜିଟୋରର ସୁବିଧାର ଉପଯୋଗ କରିବା, ସରକାରୀ ପ୍ରୋତ୍ସାହନ ସଂପର୍କରେ ସଚେତନତା ସୃଷ୍ଟି ତଥା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଷେତ୍ରରେ ନବସର୍ଜନାକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗ କାମନା କରିଥିଲେ।

ସମ୍ମିଳନୀରେ ରାଜ୍ୟର ୧୩ଗୋଟି ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ, ଆଦର୍ଶ, ପ୍ରଗତି ଓ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ରାଜଭବନର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଉପସ୍ଥିତ ଥିଲେ।