Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍‌ଭାବନା ସଭାଗୃହ ଠାରେ ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିଭିନ୍ନ ନୋଡାଲ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଉପ-ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ କୋଭିଡ ମାର୍ଗ ଦର୍ଶିକା ଅନୁଯାୟୀ କରିବାକୁ ବିଭିନ୍ନ ନୋଡାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ନିର୍ବାଚନରେ ନିୟୋଜିତ ସମସ୍ତ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀଙ୍କ ଥର୍ମାଲ ସ୍କାନିଂ କରାଯିବ। କୋଭିଡ ଆକ୍ରାନ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇ ରିଜର୍ଭରେ ଥିବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ। ନିର୍ବାଚନ ଦିନ ପ୍ରତ୍ୟେକ ବୁଥ୍‌ରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦ୍ୱରତା ବଜାୟ ରଖିବା, ମାସ୍କ ପରିଧାନ, ହାତ ସାନିଟାଇଜ୍ କରିବା, ଗ୍ଲୋଭ୍‌ସ ପିନ୍ଧିବା, ଥର୍ମାଲ ସ୍କାନିଂ କରିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଥିଲେ।

ଏତଦ୍‌ବ୍ୟତୀତ କ୍ଲଷ୍ଟର ବୁଥ୍‌ମାନଙ୍କରେ ଆସ୍କା ଲାଇଟ୍ ଲଗାଇବା, ଭୋଟ ଗ୍ରହଣ ଦିନ ବୁଥ୍ ବାହାରେ ସାନିଟାଇଜ୍ କରିବା, ୫ଟି ବୁଥ୍‌ର ସ୍ଥାନ ପରିବର୍ତନ ସମ୍ପର୍କରେ ଭୋଟରମାନଙ୍କୁ ସଚେତନତା କରାଇବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ପୂର୍ବଦିନ ଅର୍ଥାତ୍ ୨ ତାରିଖ ଦିନ ସମସ୍ତ ବୁଥ୍‌କୁ ସାନିଟାଇଜ୍ କରାଯିବ। ପ୍ରତ୍ୟେକ ବୁଥ୍ ପାଇଁ ଜଣେ ଲେଖାଏଁ ଆଶାକର୍ମୀଙ୍କୁ ନିୟୋଜିତ କରାଯିବ। ସେମାନେ ଭୋଟରମାନଙ୍କର ଥର୍ମାଲ ସ୍କାନିଂ ଓ ସାନିଟାଇଜ୍ କରିବେ। ଚଳିତ ବର୍ଷ ନୂତନଭାବେ ୫ଟି ବୁଥ୍‌ର ସ୍ଥାନ ପରିବର୍ତନ କରାଯାଇଛି। ଭୋଟରମାନେ ଯେପରି ସେହି ନୂତନ ବୁଥ୍‌କୁ ଭୋଟ ଦେବାକୁ ସହଜରେ ଯାଇ ପାରିବେ ସେଥିପାଇଁ ସେମାନଙ୍କୁ ସଚେତନତା ଦେବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତିର୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୈଠକର ବିବରଣୀରୁ ଜଣାଯାଏ ଯେ ତିର୍ତୋଲ ଉପ-ନିର୍ବାଚନରେ ୨,୩୯,୧୫୩ ଜଣ ଭୋଟରଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ଅଛନ୍ତି। ତିର୍ତୋଲ ଉପ-ନିର୍ବାଚନ ପାଇଁ ମୋଟ ୩୭୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ବିରିଡ଼ି ବ୍ଲକ୍‌ରେ ୧୦୩ଟି, ତିର୍ତୋଲ ବ୍ଲକ୍‌ରେ ୧୬୦ଟି ଓ ରଘୁନାଥପୁର ବ୍ଲକ୍‌ରେ ୧୧୦ଟି ବୁଥ୍ କରାଯାଇଛି। ସମସ୍ତ ବୁଥ୍‌ରେ ସର୍ବନିମ୍ନ ମୌଳିକ ସୁବିଧା ଯଥା – ର‌୍ୟାମ୍ପ୍‌, ପାନୀୟଜଳର ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ, ଦୁଇଦ୍ୱାର ବିଶିଷ୍ଟ ଭୋଟ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ୧୫୫ଟି ବୁଥ୍‌କୁ କ୍ରିଟିକାଲ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର, ୫ ଜଣ ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଥିବା ବେଳେ ୧୧ଟି ସି.ସି.ଟି.ଭି ଲାଗିବାର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଣ୍ଡଳୀରେ ୧୯୪୦ ଜଣ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀ ନିୟୋଜିତ ହୋଇଛନ୍ତି। ତିର୍ତୋଲ ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର୍‌ଙ୍କୁ ନିୟୋଜିତ କରାଯାଇଛି। ଏସ.ଭି.ଏମ୍ କଲେଜରେ ୩୭ ଗୋଟି ଡିସ୍‌ପର୍ସାଲ ଓ ରିସିଭିଙ୍ଗ୍ କେନ୍ଦ୍ର କରାଯାଇଛି। ପୋଲିଙ୍ଗ୍ ପାର୍ଟିଙ୍କୁ ନେବା ଆଣିବା କରିବା ପାଇଁ ୧୫୭ଟି ବସ୍‌, ସେକ୍ଟର ଅଫିସରଙ୍କ ନିମନ୍ତେ ୩୦ଟି ବୋଲେରୋ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୩୦୩୨ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ୱ ଭୋଟର, କୋଭିଡ ସଂକ୍ରମିତ ଓ ସନ୍ଦିଗ୍ଧ ଏବଂ ଭିନ୍ନକ୍ଷମ ଭୋଟର ପୋଷ୍ଟାଲ ବାଲାଟ୍ ପେପର ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ଜଣାଇ ଥିବା ବେଳେ ୨୭ ତାରିଖ ସୁଦ୍ଧା ୨୫୬୪ ଜଣ ଭୋଟଦାନ କରି ସାରିଛନ୍ତି।

ଏହି ବୈଠକରେ ଆଇ.ଜି ଶ୍ରୀ ପରବିନ୍ କୁମାର, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର, ଅତିରିକ୍ତ ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଯୁଗ୍ମ ନିର୍ବାଚନ ଅଧିକାରୀ-ତଥା-ଯୁଗ୍ମ ଶାସନ ସଚିବ ଶ୍ରୀ ଶତୃଘ୍ନ କର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର, ନିର୍ବାଚନ ନିମନ୍ତେ ନିୟୋଜିତ ବିଭିନ୍ନ ନୋଡାଲ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର ଗସ୍ତରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ: ପାର୍ବଣ ଋତୁରେ କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଲେ ସମୀକ୍ଷା ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କ୍ଷିପ୍ର ଗତିରେ କମୁଥିଲେ ସୁଦ୍ଧା ଏହାକୁ ଶୂନ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଆସୁଥିବାରୁ ଯଦି କୋଭିଡ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାନଯାଏ ତାହାଲେ କୋଭିଡ ପୁଣି ବଢିପାରେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ଏନ.ଏ.ସି ର ସଭାଗୃହ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା ବହୁତ କମିଥିବାରୁ ସ୍ଥାନୀୟ ତହସିଲ, ବ୍ଲକ, ଏନ.ଏ.ସି, ପୋଲିସ, ମେଡିକାଲ ପ୍ରଶାସନ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ।

ଏହା ସହ ଏନ୍ଫୋର୍ସମେଣ୍ଟ କୁ ଆହୁରି କଡାକଡି କରିବା, ସାନିଟାଇଜେସନ ଠିକ ଭାବରେ କରିବା, ସି.ଏମ.ସି ମିଟିଙ୍ଗ ଆୟୋଜନ କରିବା ଆଦି ବିଷୟଗୁଡିକୁ ଅତିରିକ୍ତ ଜିଲ୍ଲପାଳ ଗୁରୁତ୍ୱ ଦେଇଥିଲେ। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଅସୁଥିବାସ୍ଥଳେ ଯଦି ଏ ସବୁ ନିୟମକୁ କଡାକଡି ଭାବେ ପାଳନ କରାନଯାଏ ତେବେ ୟୁରୋପୀୟ ଦେଶ ଭଳି ପୁନର୍ବାର କୋଭିଡ ସଂକ୍ରମଣ ବଢିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିବା ସହ ଆଗାମୀ ଦିନରେ ବାଣପୁର ରେ କୋଭିଡ କୁ ଶୂନ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବାଣପୁର ଏନ.ଏ.ସି ର ପୂର୍ବତନ କାଉନ୍ସିଲର ମାନେ ଯୋଗଦେଇଥିଲେ ଏବଂ ସେମାନଙ୍କୁ ନିଜ ନିଜ ୱାର୍ଡ ରେ କୋଭିଡ ସଚେତନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ।

ଉକ୍ତ ବୈଠକରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ବାଣପୁର ଥାନା ଏସ.ଆଇ ପ୍ରସନ୍ନ ଜେନା, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ସି.ଡ଼ି.ପି.ଓ ବିଦ୍ୟୁତପ୍ରଭା ରଥ ଏବଂ ସବୁ ଗ୍ରାମ ପଞ୍ଚାୟତ ମାନଙ୍କର ନୋଡାଲ ଅଫିସରମାନେ ଉପସ୍ଥିତି ଥିଲେ।

ବାଣପୁର ଏନ.ଏ.ସି ତରଫରୁ ଆଜି ଅପରାହ୍ନ ସୁଦ୍ଧା ଦୁଇ ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା କୋଭିଡ ଜରିମାନା ୪୦୦୦ ଟଙ୍କା ଆଦାୟ କରାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଆଲ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ପନ୍ଦର ଦିନରୁ ମାସେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ହେବ : ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କରୋନା ସ୍ଥିତ ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଅନ୍ୟାନ ପ୍ରମୁଖ ସଚିବମାନେ ଉପସ୍ଥିତ ରହିଥିଲେ । କରୋନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ 15 ଦିନରୁ ମାସେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ହେବ ବୋଲି କହିଛନ୍ତି ନବୀନ।  ବିମାନ, ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଆମ ପାଇଁ ଏହା ଚାଲେଞ୍ଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୁଇ ମାସ ଲକ୍‌ ଡାଉନ୍‌ରେ ଆମେ ଅନେକ କଥା ଶିକ୍ଷା କରିପାରିଛୁ । ଏହି ଦୁଇ ମାସରେ ଆମକୁ ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ଶିକ୍ଷା ମିଳିଛି। ଏହି ଶିକ୍ଷାକୁ ଆଧାର କରି ଆମ ପ୍ରତିକ୍ରିୟା ପୁନଃନିର୍ମାଣ କରିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଜୀବାଣୁ ଆଚରଣ ନେଇ ଆମର ଶିକ୍ଷା ଆମକୁ ଆଶା ଦେଇଛି । ସାମାଜିକ ଦୂରତା, ମାସ୍କ, ହାତଧୁଆ ଦ୍ବାରା ମହାମାରୀ ବିସ୍ତାରକୁ ରୋକି ହେବ । ସାମାଜିକ ଦୂରତା, ସାମାଜିକ ବୟକଟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚ ଏବଂ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

ରମେଶ ମହାନ୍ତି
ଜଗତସିଂହପୁର: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ଭି.ସି ରୁମ୍ ରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାରେ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କରିଥିଲେ।

ଜିଲ୍ଲାର ଗ୍ରାମାଞ୍ଚଳରେ ଗତକାଲି ସୁଦ୍ଧା ୧୬୯ଟି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୌରାଞ୍ଚଳର ୪ଟି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତକାଲି ସୁଦ୍ଧା ୧୬ ହଜାରରୁ ଉର୍ଦ୍ଧ୍ଵ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ୧୧୪୯୩.୮୨ କ୍ୱିଣ୍ଟାଲ ଚାଉଳ/ଗହମ ବଣ୍ଟନ କରାଯାଇଛି। ଜିଲ୍ଲାର ୮୨ଟି ପଞ୍ଚାୟତରେ ନିରାଶ୍ରୟ, ଅଭାବଗ୍ରସ୍ତ, ପୀଡିତ ବୃଦ୍ଧ, ବୃଦ୍ଧା ୧୧୯୬୯ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୧୧୫୯ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ୧,୦୪,୨୧୯ ହିତାଧିକାରୀଙ୍କୁ ଗତକାଲି ସୁଦ୍ଧା ୨୨କୋଟି ୨୬ଲକ୍ଷ ୫୨୧ ହଜାର ଟଙ୍କା ବଣ୍ଟନ କରାଯାଇଛି। ୭୭ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଏପ୍ରିଲ ୫ ସୁଦ୍ଧା ସମସ୍ତ ଭତ୍ତା ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟାହ୍ନ ଭୋଜନ ବାବଦରେ ରାଇସ୍ କୁପନ ୭୫,୮୬୫ ପିଲାଙ୍କର ଅଭିଭାବକ ମାନଙ୍କୁ ବଣ୍ଟାଯାଇ ୯୯.୭୩ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଉପଯୁକ୍ତ ଜୀବାଣୁ ଶୁନ୍ୟ କରିବା ଓ ସଫାସୁତୁରା ରଖିବା ପ୍ରତି କେନ୍ଦ୍ର ସହିତ ଅଙ୍ଗନବାଡ଼ି ଓ ଏ. ଏନ୍.ଏମ୍ ସମନ୍ୱୟ ରକ୍ଷାକରିବେ।ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଚାଉଳ ସହିତ ୧ହଜାର ଟଙ୍କା ପ୍ରଦାନ କରାଯିବ। ସମୂହ ପ୍ରାର୍ଥନା, ନମାଜ୍ ଉପରେ କଟକଣା ଜାରି କରାଯାଇଛି। କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସର୍ବସାଧାରଣଙ୍କ ସାମାଜିକ ଦୂରତ୍ୱ ଓ ବାହାରେ ବୁଲାବୁଲି, ଗୃହ ସଂଗରୋଧ ଏବଂ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତେଜରାତି ସଉଦା, ପନିପରିବା,ମାଛ,ମାଂସ,ଫଳ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି। ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ସବୁଦିନ ଖୋଲା ରହିବ। ସାପ୍ତାହିକ ହାଟ ସପ୍ତାହରେ ଗୋଟିଏ ଦିନ ଏହି ସମୟରେ ଖୋଲାରହିବ। ଏହି କଟକଣା ଔଷଧ ଦୋକାନ ପାଇଁ ଲାଗୁ ହେବନାହିଁ। ଜଗତସିଂହପୁର ସୋମନାଥ ହାଟ ପୋଷ୍ଟଅଫିସ୍ ଛକଠାରୁ କଲେଜ୍ ଛକ ପର୍ଯ୍ୟନ୍ତ ଏବଂ ଏସ୍.ଭି.ଏମ୍ କଲେଜ୍ କ୍ୟାମ୍ପସରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।