ବାଣପୁର ଗସ୍ତରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ: ପାର୍ବଣ ଋତୁରେ କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଲେ ସମୀକ୍ଷା ବୈଠକ

Published: Oct 21, 2020, 9:02 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କ୍ଷିପ୍ର ଗତିରେ କମୁଥିଲେ ସୁଦ୍ଧା ଏହାକୁ ଶୂନ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଆସୁଥିବାରୁ ଯଦି କୋଭିଡ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାନଯାଏ ତାହାଲେ କୋଭିଡ ପୁଣି ବଢିପାରେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ଏନ.ଏ.ସି ର ସଭାଗୃହ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା ବହୁତ କମିଥିବାରୁ ସ୍ଥାନୀୟ ତହସିଲ, ବ୍ଲକ, ଏନ.ଏ.ସି, ପୋଲିସ, ମେଡିକାଲ ପ୍ରଶାସନ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ।

ଏହା ସହ ଏନ୍ଫୋର୍ସମେଣ୍ଟ କୁ ଆହୁରି କଡାକଡି କରିବା, ସାନିଟାଇଜେସନ ଠିକ ଭାବରେ କରିବା, ସି.ଏମ.ସି ମିଟିଙ୍ଗ ଆୟୋଜନ କରିବା ଆଦି ବିଷୟଗୁଡିକୁ ଅତିରିକ୍ତ ଜିଲ୍ଲପାଳ ଗୁରୁତ୍ୱ ଦେଇଥିଲେ। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଅସୁଥିବାସ୍ଥଳେ ଯଦି ଏ ସବୁ ନିୟମକୁ କଡାକଡି ଭାବେ ପାଳନ କରାନଯାଏ ତେବେ ୟୁରୋପୀୟ ଦେଶ ଭଳି ପୁନର୍ବାର କୋଭିଡ ସଂକ୍ରମଣ ବଢିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିବା ସହ ଆଗାମୀ ଦିନରେ ବାଣପୁର ରେ କୋଭିଡ କୁ ଶୂନ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବାଣପୁର ଏନ.ଏ.ସି ର ପୂର୍ବତନ କାଉନ୍ସିଲର ମାନେ ଯୋଗଦେଇଥିଲେ ଏବଂ ସେମାନଙ୍କୁ ନିଜ ନିଜ ୱାର୍ଡ ରେ କୋଭିଡ ସଚେତନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ।

ଉକ୍ତ ବୈଠକରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ବାଣପୁର ଥାନା ଏସ.ଆଇ ପ୍ରସନ୍ନ ଜେନା, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ସି.ଡ଼ି.ପି.ଓ ବିଦ୍ୟୁତପ୍ରଭା ରଥ ଏବଂ ସବୁ ଗ୍ରାମ ପଞ୍ଚାୟତ ମାନଙ୍କର ନୋଡାଲ ଅଫିସରମାନେ ଉପସ୍ଥିତି ଥିଲେ।

ବାଣପୁର ଏନ.ଏ.ସି ତରଫରୁ ଆଜି ଅପରାହ୍ନ ସୁଦ୍ଧା ଦୁଇ ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା କୋଭିଡ ଜରିମାନା ୪୦୦୦ ଟଙ୍କା ଆଦାୟ କରାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଆଲ ସୂଚନା ଦେଇଛନ୍ତି।

Related posts