Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

ଭୁବନେଶ୍ୱର: ୨୦୨୦ ମସିହାରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା। ଯାହାଦ୍ୱାରା କି ସାରା ଦେଶରୁ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହିଁ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଓଡ଼ିଶା କୋଭିଡ ମୁକାବିଲା ନିମନ୍ତେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ସେବା ଓ କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୋଲି ଗତ ଗୁରୁବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଆଂଚଳିକ ଟିମ୍ ଲିଡର ଡାକ୍ତର ନିହାର ରଞ୍ଜନ ରାୟ କହିଛନ୍ତି।

ତେବେ ମହାମାରୀ ଯୋଗୁଁ ନିୟମିତ ଟୀକାକରଣ କାର୍ଯ୍ୟ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଥିବା ଡାକ୍ତର ରାୟ କହିଥିଲେ। ଏହା ଦ୍ୱାରା କୋଭିଡ ମହାମାରୀରୁ ବର୍ତ୍ତୀ ଗଲେ ମଧ୍ୟ ଅନେକେ ଟୀକା ଦ୍ୱାରା ପ୍ରତିରୋଧ ହୋଇପାରୁଥିବା ଅନ୍ୟ ରୋଗଗୁଡ଼ିକ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି।

“ଇନ୍‌ଟିଗ୍ରେସନ୍ ଅଫ୍ ଲର୍ଣ୍ଣିଂ ଫ୍ରମ୍ କୋଭିଡ-୧୯ ୱିଥ୍ ରୁଟିନ୍ ଇମ୍ୟୁନାଇଜେସନ୍ ଷ୍ଟ୍ରେନ୍‌ଦେନିଂ ଆଣ୍ଡ ଭ୍ୟାକ୍ସିନ୍ ପ୍ରିଭେଂଟେବୁଲ୍ ଡିଜିଜେସ୍ ସର୍ଭେଲିଆନ୍‌ସ” ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଏହି ବକ୍ତବ୍ୟ ରଖିଛନ୍ତି ଡାକ୍ତର ରାୟ। ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେଲିଆନ୍‌ସ ମେଡିକାଲ୍ ଅଫିସର ଡାକ୍ତର ଅର୍ଚ୍ଚନା ଗାଏନ୍ ଏବଂ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଦେଶରେ ସର୍ବାଧିକ ୯୫.୫ ପ୍ରତିଶତ ଟୀକାକରଣ ଓଡ଼ିଶାରେ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତମାନ ମିଜିଲ୍‌ସ ଓ ରୁବେଲା ଭଳି ରୋଗର ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟରତ ଅଛି ବୋଲି ସେ କହିଥିଲେ।

ମହାମାରୀ ପରେ ରାଜ୍ୟରେ ମିଜିଲ୍ସ ଓ ରୁବେଲାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବର୍ତମାନ ସବୁ ପିଲାମାନଙ୍କୁ ଏଥି ନିମନ୍ତେ ଟୀକାକରଣ କରାଯାଉଛି।

ଡାକ୍ତର ରାୟ କହିଛନ୍ତି ଯେ କୋଭିଡ ମହାମାରୀ ଆରମ୍ଭ ହେବା ପରେ ରାଜ୍ୟ ସରକାର ଏହାର ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍ ଆରମ୍ଭ କରିବାର ନିଷ୍ପତି ନେଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏହାର ଦାୟିତ୍ୱ ନେଇଥିଲା ଏବଂ କରୋନା ଯୋଦ୍ଧା ଭାବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଉଚ୍ଚକୋଟୀର କାର୍ଯ୍ୟ କରିଥିଲେ। କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍ ମଧ୍ୟ ପ୍ରଥମେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ୍‌ରେ କରାଯାଇଥିଲା ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ପୁଣି ବଢିଲା କରୋନା, ଗୋଟିଏ ସପ୍ତାହରେ ୬୩% ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ କୋଭିଡ ମାମଲାରେ ବୃଦ୍ଧି ଘଟିଛି। ଗତ ତିନି ସପ୍ତାହ ମଧ୍ୟରେ, କୋଭିଡ ସଂକ୍ରମଣର ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଗତ ସପ୍ତାହରେ, ୧୮୯୮ ଟି ନୂଆ କରୋନା ମାମଲା ସମଗ୍ର ଦେଶରେ ରେକର୍ଡ କରାଯାଇଛି। ଯଦିଓ, ସମୁଦାୟ ମାମଲା ବର୍ତ୍ତମାନ ବହୁତ କମ୍, କିନ୍ତୁ କରୋନା ମାମଲାରେ ବୃଦ୍ଧି ସଂଖ୍ୟା ନିଶ୍ଚିତ ଭାବରେ ସତର୍କ ରହିବାକୁ ସଂକେତ ଦେଇଛି।

ଗତ ରବିବାର ଶେଷ ହୋଇଥିବା ସପ୍ତାହରେ କରୋନା ମାମଲାରେ ୬୩ ପ୍ରତିଶତ ବୃଦ୍ଧି ଘଟିଛି। ଗତ ସପ୍ତାହରେ ଏହା ୩୯ ପ୍ରତିଶତ ଏବଂ ଏହା ପୂର୍ବରୁ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ଦକ୍ଷିଣ ଭାରତ ଏବଂ ମହାରାଷ୍ଟ୍ରରେ ଅଧିକାଂଶ ନୂଆ ମାମଲା ସାମ୍ନାକୁ ଆସିଛି।

କରୋନା ରୋଗର ଏହି ବୃଦ୍ଧି ଏକ ସମୟରେ ଦେଖାଯାଉଛି ଯେତେବେଳେ ଦେଶରେ ଫ୍ଲୁ ରୋଗ ସାଂପ୍ରତିକ ସମୟରେ ଦେଖାଦେଇଛି। ଏହି ସମୟରେ ମୃତ୍ୟୁ ହାରରେ କୌଣସି ବୃଦ୍ଧି ଘଟି ନ ଥିବାରୁ ଏହା ଆଶ୍ବସ୍ତିକର ବିଷୟ। ତଥାପି, ପରୀକ୍ଷା ବହୁତ କମ୍ ହୋଇଛି ଏବଂ ଏହାକୁ ବୃଦ୍ଧି କରିବା ଆବଶ୍ୟକ।

କୋଭିଡ ପରିସଂଖ୍ୟାନ ଅନୁଯାୟୀ, ଗତ ସପ୍ତାହରେ ଦେଶରେ ୧୮୯୮ ନୂତନ କରୋନା ଜୀବାଣୁ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଥିଲା। ଏହାର ପ୍ରଥମ ଦୁଇ ସପ୍ତାହରେ ଯଥାକ୍ରମେ ୧୧୬୩ ଏବଂ ୮୩୯ ମାମଲା ପଞ୍ଜିକୃତ ହୋଇଥିଲା। ଏହି ସଂଖ୍ୟା ବର୍ତ୍ତମାନ ଅଧିକ ନୁହେଁ, କିନ୍ତୁ ଯଦି ଏହା ଏହିପରି ବଢିବାରେ ଲାଗେ, ତେବେ ଏହା ଚିନ୍ତାର କାରଣ ହେବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ୨୦ ହଜାର ତଳେ କୋଭିଡ ସଂକ୍ରମଣ, ୪୫ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୬୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୦ ଲକ୍ଷ ୧୯ ହଜାର ୮୧୧ କୁ ବୃଦ୍ଧି ପାଇଛି। ଏହି ସମୟରେ କରୋନା ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୬ ହଜାର ୩୫୭ ଜଣଙ୍କର ମୃତ୍ୟୁ ହୋଇଛି।

ସକ୍ରିୟ ମାମଲା ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ଭାରତରେ ୧ ଲକ୍ଷ ୪୩ ହଜାର ୬୭୬ ଜଣ ସକ୍ରିୟ ରୋଗୀ ଅଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୩୩୬ ରୋଗୀ କରୋନାକୁ ପରାସ୍ତ କରିଛନ୍ତି। ଯାହାଫଳରେ ଦେଶରେ ଏପର୍ଯ୍ୟନ୍ତ ୪ କୋଟି ୩୩ ଲକ୍ଷ ୪୯ ହଜାର ୭୭୮ ଜଣ ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ସଂକ୍ରମଣର ମୁକାବିଲା ପାଇଁ ଏହି ୫ ଟି ପଦକ୍ଷେପ, ଫୁସଫୁସକୁ କରେ ମଜବୁତ

ନୂଆଦିଲ୍ଲୀ: ଓମିକ୍ରନ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି। ସାଧାରଣତଃ ଓମିକ୍ରନ୍ ସଂକ୍ରମିତ ହେଲେ ସାମାନ୍ୟ ଥଣ୍ଡା, ଉଚ୍ଚ ଜ୍ୱର, ଗଳା ଯନ୍ତ୍ରଣା, କାଶ, ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଏ। ଏସବୁ ଘରେ ରହି ଚିକିତ୍ସା କରାଯାଏ। ଆପଣ ଘରେ ମଧ୍ୟ ଓମିକ୍ରନ୍ ଚିକିତ୍ସା କରିପାରିବେ। କିନ୍ତୁ ଏହି ସମୟ ମଧ୍ୟରେ, ଯଦି ଆପଣ ଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

ଅନେକ କ୍ଷେତ୍ରରେ, ଯେଉଁମାନଙ୍କର ଫୁସଫୁସ କୋଭିଡ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲା, ରୋଗ ପରେ ସେମାନଙ୍କର ଫୁସଫୁସ ଦୁର୍ବଳ ହୋଇଯାଏ। ଏଭଳି ପରିସ୍ଥିତିରେ, ଯଦିଓ ଓମିକ୍ରନ୍ ସାମାନ୍ୟ ଲକ୍ଷଣ ସୃଷ୍ଟି କରୁଛି, ତଥାପି ଆମ ଫୁସଫୁସର ସ୍ୱାସ୍ଥ୍ୟର ଯତ୍ନ ନେବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କୋଭିଡ ମହାମାରୀର ଏହି ଯୁଗରେ ଫୁସଫୁସକୁ କିପରି ସୁରକ୍ଷିତ ଏବଂ ସୁସ୍ଥ ରଖାଯାଇପାରିବ ଆସନ୍ତୁ ଜାଣିବା।

କୋଭିଡ -୧୯ ଫୁସଫୁସକୁ ସିଧାସଳଖ ଆକ୍ରମଣ କରେ। ଯେଉଁ କାରଣରୁ ଶରୀରରେ ଅମ୍ଳଜାନର ଅଭାବ ରହିଥାଏ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯାଏ। ଏହି କାରଣରୁ, କୋଭିଡ ରୋଗୀଙ୍କୁ ଗଭୀର ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି। ଏହା ଛାତି ଏବଂ ଫୁସଫୁସରେ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ ଏବଂ ଶ୍ୱାସକ୍ରିୟାକୁ ସହଜ କରିଥାଏ।

ମିନେରାଲ୍ ଯୁକ୍ତ ଏବଂ ଭିଟାମିନ୍ ଯୁକ୍ତ ଡାଏଟ୍ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ସହଜ ନିଶ୍ୱାସ ନେବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା କରିବା ଦ୍ୱାରା ଆପଣ ଘରେ ଫୁସଫୁସକୁ ସୁସ୍ଥ କରିପାରିବେ। ବିଶୋଧିତ ଏବଂ ପ୍ରକ୍ରିୟାକୃତ ଖାଦ୍ୟଠାରୁ ଦୂରରେ ରୁହନ୍ତୁ ଏବଂ ଋତୁକାଳୀନ ପନିପରିବା ଖାଅନ୍ତୁ। ବ୍ଲୁବେରି, ଟମାଟୋ, କାକୁଡି, ଗ୍ରୀନ ଟି ଏବଂ ବାଦାମ ଖାଆନ୍ତୁ, ଯାହା ଫୁସଫୁସର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। ଖାଦ୍ୟରେ ଗୁଡ ଏବଂ ସାଇଟ୍ରସ୍ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ।

ଆଣ୍ଟି-ଅକ୍ସିଡାଣ୍ଟ ଖାଦ୍ୟ ମଧ୍ୟ ବହୁତ ଲାଭଦାୟକ ଅଟେ। ରସୁଣ ଏବଂ ହଳଦୀ ଖାଇବା ଅତ୍ୟନ୍ତ ସାହାଯ୍ୟକାରୀ। ଓମେଗା-୩ ରେ ଭରପୂର ଖାଦ୍ୟ ଖାଆନ୍ତୁ, ଯାହା ଫୁସଫୁସରେ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଓଜନ ହ୍ରାସ କରିବାରେ ସାହାଯ୍ୟ କରୁଥିବା ଡାଏଟ୍କୁ ଏଡ଼ାଇବା ପରାମର୍ଶଦାୟକ। କାରଣ ଏହା ପୁନରୁଦ୍ଧାର ସମୟରେ ଆପଣଙ୍କ ଶରୀରରେ ଅତ୍ୟାବଶ୍ୟକ ପୁଷ୍ଟିକର ଅଭାବର କାରଣ ହୋଇପାରେ।

ଧୂମପାନ ବିପଜ୍ଜନକ:

ଧୂମପାନ କେବଳ କୋଭିଡ ସଂକ୍ରମିତ ଲୋକଙ୍କୁ ନୁହେଁ ବରଂ ସାଧାରଣ ଜୀବନରେ ମଧ୍ୟ ଛାଡିଦେବା ଉଚିତ୍। ଫୁସଫୁସ ପାଇଁ ଧୂମପାନ ହେଉଛି ସବୁଠାରୁ ଖରାପ ଜିନିଷ। ଯାହା ଫୁସଫୁସକୁ ଦୁର୍ବଳ କରିଦିଏ। ତେଣୁ ଧୂମପାନ କରନ୍ତୁ ନାହିଁ ଏବଂ ସ୍ୱାସ୍ଥ୍ୟକୁ ଫିଟ୍ କରନ୍ତୁ।

ବ୍ୟାୟାମ କରନ୍ତୁ:

ସୁସ୍ଥ ହେବା ପରେ କରୋନା ରୋଗୀମାନେ ହାଲୁକା କାର୍ଡିଓ ବ୍ୟାୟାମ କରିବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏହା କରିବା ଦ୍ୱାରା ଶ୍ୱାସକ୍ରିୟା ଭଲ ହୋଇଥାଏ। ଏହା ବ୍ୟତୀତ ଯୋଗ କରିବା ଫୁସଫୁସ ସ୍ୱାସ୍ଥ୍ୟ ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। ପ୍ରତିଦିନ ବ୍ୟାୟାମ କରିବାକୁ କରନ୍ତୁ। କିନ୍ତୁ ଧୀରେ ଧୀରେ ଏହାକୁ ବୃଦ୍ଧି କରନ୍ତୁ।

ପ୍ରଦୂଷଣ ଏବଂ ଧୂଆଁରୁ ଦୂରେଇ ରୁହନ୍ତୁ:

କୋଭିଡ-୧୯ ରୁ ସୁସ୍ଥ ହୋଇଥିବା ଲୋକଙ୍କ ଫୁସଫୁସ ଦୁର୍ବଳ ହୋଇଯାଏ। ସେମାନେ ଧୂମପାନ, ପ୍ରଦୂଷିତ ପରିବେଶଠାରୁ ଦୂରରେ ରହିବା ଆବଶ୍ୟକ। ପ୍ରଦୂଷଣ କେବଳ ପୁନଃସଂକ୍ରମଣର କାରଣ ନୁହେଁ ବରଂ ଶ୍ୱାସକ୍ରିୟାକୁ ମଧ୍ୟ କଷ୍ଟସାଧ୍ୟ କରିପାରେ। ଯେତେବେଳେ ଆପଣ ଘରୁ ବାହାରକୁ ଯାଆନ୍ତି ଏକ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ। ବାମ୍ଫ ନେବା ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ।

Categories
ବିଶେଷ ଖବର

କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଆସିବାରୁ ଅବ୍ୟାହତି: ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ, କରୋନାର ତୃତୀୟ ଲହର ପରିପ୍ରେକ୍ଷୀରେ ଗର୍ଭବତୀ ମହିଳା କର୍ମଚାରୀ ଓ ଦିବ୍ୟାଙ୍ଗ କର୍ମଚାରୀମାନେ ନିଜ ନିଜ ଦପ୍ତରକୁ ଆସିବାର ଆବଶ୍ୟକତା ନାହିଁ। ସେମାନଙ୍କୁ ସାମୟିକଭାବେ ଅଫିସ ଆସିବାରୁ ଅବ୍ୟାହତି ଦିଆଯାଇଛି। ତେବେ ସେମାନେ ଅଫିସ ପାଇଁ ଉପଲବ୍ଧ ରହିବେ ଏବଂ ଘରୁ କାମ କରିବେ।

ସେ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଆସିବାରୁ ସାମୟିକ ଭାବେ ଅବ୍ୟାହତି ଦିଆଯାଇଛି। ଯେ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନର ବିଜ୍ଞପ୍ତି ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ସବୁ ଅଧିକାରୀ ଓ କର୍ମଚାରୀ ଅଫିସ ଆସିବାର ଆବଶ୍ୟକତା ନାହିଁ। ଅଣ୍ଡର ସେକ୍ରେଟାରୀ ସ୍ତରରୁ ତଳେ ଥିବା ସବୁ  ପଦର ସରକାରୀ ଅଧିକାରୀମାନଙ୍କ ସଂଖ୍ୟାକୁ ଏହି ସଂକ୍ରମଣ ସମୟରେ ଅଫିସରେ ଉପସ୍ଥିତିକୁ ବାସ୍ତବ ସଂଖ୍ୟାର  ୫୦ ଶତାଂଶକୁ ହ୍ରାସ କରାଯାଇଛି। ଅବଶିଷ୍ଟ ୫୦ଭାଗ କର୍ମଚାରୀ ଘରୁ କାମ କରିବେ। ଏଥିପାଇଁ ସବୁ ବିଭାଗ ପକ୍ଷରୁ ଆବଶ୍ୟକ ରୋଷ୍ଟର ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯିବ।

ଡ. ସିଂହ ଆହୁରି କହିଛନ୍ତି ଯେ, ଯେଉଁ ଅଧିକାରୀ/ କର୍ମଚାରୀମାନେ ଅଫିସକୁ ଆସୁନାହାନ୍ତି ଏବଂ ଘରୁ କାମ କରୁଛନ୍ତି ସେମାନଙ୍କୁ ସବୁ ସମୟରେ ଟେଲିଫୋନ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ଉପଲବ୍ଧ ରହିବାକୁ ପଡିବ। ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବଢୁଥିବାରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ସରକାରୀ ବୈଠକମାନ ଯଥାସମ୍ଭବ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ନିହାତି ଦରକାର ନ ଥିଲେ ଆଗନ୍ତୁକମାନଙ୍କ ସହିତ କର୍ମଚାରୀ / ଅଧିକାରୀମାନଙ୍କ  ବ୍ୟକ୍ତିଗତ ବୈଠକକୁ ବାତିଲ କରାଯାଇଥିବା ସେ କହିଛନ୍ତି।

ସରକାରୀ ଅଫିସ ପରିସରରେ ଗହଳି ଦୂର କରିବା ପାଇଁ କର୍ମଚାରୀଙ୍କ ନିମନ୍ତେ ଦୁଇପ୍ରକାରର କାର୍ଯ୍ୟ ସମୟ (ଷ୍ଟାଗର ଟାଇମ୍‌) ଧାର୍ଯ୍ୟ କରାଯାଇଛି। ଗୋଟିଏ ନିର୍ଘଣ୍ଟ ଅନୁସାରେ କିଛି କର୍ମଚାରୀ ପୂର୍ବାହ୍ନ ନ ଟା  ୩୦ରୁ ଆସି ସନ୍ଧ୍ୟା ୫ଟା ୩୦ଯାଏ ଓ ଅବଶିଷ୍ଟ କର୍ମଚାରୀ ଦିନ ୧୦ଟାରୁ ଆସି ସନ୍ଧ୍ୟା ସାଢେ ଛଅଟା ପର୍ଯ୍ୟନ୍ତ କାମ କରିବେ ବୋଲି ସେ କହିଛନ୍ତି।

ଇତିମଧ୍ୟରେ କୋଭିଡ ନିୟମ ପାଳନ କରିବାକୁ କାର୍ମିକ ବିଭାଗ ପକ୍ଷରୁ ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ  ବାରମ୍ବାର ହାତ ସଫା/ ସାନିଟାଇଜ କରିବା, ଫେସ୍‌ମାସ୍କ /ଫେସ କଭର ପରିଧାନ ଏବଂ ସାମାଜିକ/ ଶାରୀରିକ ଦୂରତ୍ୱ ରକ୍ଷା କରିବା ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦପ୍ତରର ଉପଯୁକ୍ତ ପରିଚ୍ଛନ୍ନତା ରକ୍ଷା ସହିତ ଏହାକୁ ଠିକ୍‌ଭାବେ ସାନିଟାଇଜ୍ କରିବା, ଯେଉଁ ସ୍ଥାନକୁ ଲୋକେ ଅଧିକ ସ୍ପର୍ଶ କରୁଛନ୍ତି ତାହାକୁ ବାରମ୍ବାର ସାନିଟାଇଜ୍ ଓ ସଫା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ତାଙ୍କ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଓ ପରାମର୍ଶ ଚଳିତ ଜାନୁୟାରୀ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଛଡା ନିୟମିତ ଭାବେ ପରିସ୍ଥିତିର ସମୀକ୍ଷା କରାଯାଇ ଆବଶ୍ୟକସ୍ଥଳେ ପରିସ୍ଥିତି ଅନୁସାରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଉପଖଣ୍ଡରେ ଲାଗିଲା ଧାରା ୧୪୪, ଜାଣନ୍ତୁ କେଉଁଠି

ଖୋର୍ଦ୍ଧା: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ ରାଜ୍ୟରେ କରୋନା କଟକଣାକୁ କଡାକଡି କରାଯିବା ନେଇ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଜାନୁୟାରୀ ୧ ତାରିଖ ଠାରୁ ଫେବୃୟାରି ୧ ତାରିଖ ପର୍ଯ୍ୟନ୍ତ କଟକଣାକୁ କଡାକଡି କରିବା ପାଇଁ ନୂଆ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ତେବେ ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏତଦବ୍ୟତୀତ ଆସନ୍ତାକାଲି ଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସରକାର ଏକ ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏବଂ ଏହାକୁ ତଦାରଖ କରିବା ପାଇଁ  ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏସଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇସାଲୱାର ଆସନ୍ତାକାଲି ଅର୍ଥାତ ୩୧ ଡିସେମ୍ବରରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା ସମସ୍ତ ମନ୍ଦିର ଏବଂ ପିକନିକ ସ୍ଥଳ ଗୁଡିକରେ ଧାରା ୧୪୪ ଜାରି କରିଛନ୍ତି। ଉକ୍ତ ସ୍ଥାନ ଗୁଡିକରେ ଜିରୋ ନାଇଟ ଏବଂ ନୂଆବର୍ଷ ପାଳନ ଉପରେ ରୋକ ଲଗାଯାଇଛି। କେବଳ ୫ ଜଣ ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ପୂଜା ହେବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଆଇଆଇସି, ତହସିଲଦାର, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜାଣନ୍ତୁ ଜାନୁୟାରୀ ମାସ ପାଇଁ ନୂଆ ଗାଇଡଲାଇନ:

ରାଜ୍ୟର ସବୁ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

ସେହିଭଳି  ଭିଡ ଜନଗହଳି ଅଞ୍ଚଳକୁ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଜନଗହଳି ଅଞ୍ଚଳରେ କରୋନା କଟକଣାକୁ ବାଧ୍ୟତାମୂଳକ କରାଯାଇଛି। ପାର୍କ, ବେଳାଭୂମି ଉପରେ ବଣଭୋଜିକୁ ବାରଣ କରାଯାଇଛି। ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି। ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦିକୁ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ ଏବଂ ନୃତ୍ୟ ଆଦି ଉପରେ କଟକଣା ଲାଗିଛି।

ଜାନୁୟାରୀ ମାସରେ ଶିକ୍ଷାନୁଷ୍ଠାନକୁ ବଣଭୋଜିକୁ ବାରଣ କରାଯାଇଛି। କୋଭିଡ ନିୟମ ଅନୁଯାୟୀ ଯାତ୍ରା, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ଯାତ୍ରାରେ ସର୍ବାଧିକ ୧ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଥିବା ବେଳେ ଉଭୟ ଡୋଜ କିମ୍ବା ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ।

ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟରେ ୨୫୦ ଲୋକଙ୍କୁ ଅନୁମତି ରହିଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବରଯାତ୍ରୀ ଶୋଭାଯାତ୍ରା କରାଯାଇପାରିବ। ନିୟମ ଉଲ୍ଲଂଘନ କଲେ ବଡ କାର୍ଯ୍ୟାନୁଷ୍ଠାନ ହେବ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅମାନିଆଙ୍କ ଠାରୁ ମୋଟା ଅଙ୍କରେ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ: ଏଭଳି ପାଳନ କରିବାକୁ ଶୁଭେଚ୍ଛୁଙ୍କୁ କଲେ ନିବେଦନ

ଭୁବନେଶ୍ୱର: କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ।

କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ। ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି କୋଭିଡ଼ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତ ଦାନ ଭଳି ମହତ୍ କାର୍ଯରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାର ଏହିସବୁ ଅଞ୍ଚଳକୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ସଂକ୍ରମଣ ବର୍ତ୍ତମାନ ଶୀର୍ଷରେ ଅଛି। ପ୍ରତିଦିନ ବାଣପୁର, ବାଲୁଗାଁ ଏବଂ ଚିଲିକାରୁ ଏକାଧିକ ପଜିଟିଭ ଚି଼ହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଚିହ୍ନଟ ହୋଇଥିବା ଅଞ୍ଚଳଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ବାଲୁଗାଁ ଏନଏସି:

ୱାର୍ଡ ନମ୍ବର ୧ ଅଶୋକ ନଗରର ରବୀନ୍ଦ୍ର ସେଠିଙ୍କ ଘରଠାରୁ ନୀଳମଣି ସାହୁଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ବାଣପୁର ବ୍ଲକ:

ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମର ଗୋଡିପଦର ସାହି ଖଲି ବାରିକଙ୍କ ଘର ଠାରୁ ଲକ୍ଷ୍ମୀନାରାୟଣ ସାହୁଙ୍କ ଘର ପର୍ଯ୍ୟନ୍ତ (ମୋଟ ୭୬ ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

କୁଲେଇ ପଞ୍ଚାୟତ ଆନ୍ତର୍ଗତ ମାନସିଂହପୁର ଗ୍ରାମର ଜ୍ଞାନ ସାହୁଙ୍କ ଘରଠାରୁ ସୁବାସ ଦଳାଇଙ୍କ ଘର ପର୍ଯ୍ୟନ୍ତ( ମୋଟ ୭୫ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଉକ୍ତ ସବୁ ଅଞ୍ଚଳରେ ଆଜି ସଂଧ୍ୟା ୭ ଘଟିକାରୁ ୨୦ ମଇ ରାତି ୯ ଘଟିକା ଯାଏଁ କଟକଣା  ବଳବତ୍ତର ରହିବ।

Categories
ଆଞ୍ଚଳିକ

ବାଣପୁର ଗସ୍ତରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ: ପାର୍ବଣ ଋତୁରେ କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଲେ ସମୀକ୍ଷା ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କ୍ଷିପ୍ର ଗତିରେ କମୁଥିଲେ ସୁଦ୍ଧା ଏହାକୁ ଶୂନ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଆସୁଥିବାରୁ ଯଦି କୋଭିଡ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାନଯାଏ ତାହାଲେ କୋଭିଡ ପୁଣି ବଢିପାରେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ଏନ.ଏ.ସି ର ସଭାଗୃହ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା ବହୁତ କମିଥିବାରୁ ସ୍ଥାନୀୟ ତହସିଲ, ବ୍ଲକ, ଏନ.ଏ.ସି, ପୋଲିସ, ମେଡିକାଲ ପ୍ରଶାସନ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ।

ଏହା ସହ ଏନ୍ଫୋର୍ସମେଣ୍ଟ କୁ ଆହୁରି କଡାକଡି କରିବା, ସାନିଟାଇଜେସନ ଠିକ ଭାବରେ କରିବା, ସି.ଏମ.ସି ମିଟିଙ୍ଗ ଆୟୋଜନ କରିବା ଆଦି ବିଷୟଗୁଡିକୁ ଅତିରିକ୍ତ ଜିଲ୍ଲପାଳ ଗୁରୁତ୍ୱ ଦେଇଥିଲେ। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଅସୁଥିବାସ୍ଥଳେ ଯଦି ଏ ସବୁ ନିୟମକୁ କଡାକଡି ଭାବେ ପାଳନ କରାନଯାଏ ତେବେ ୟୁରୋପୀୟ ଦେଶ ଭଳି ପୁନର୍ବାର କୋଭିଡ ସଂକ୍ରମଣ ବଢିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିବା ସହ ଆଗାମୀ ଦିନରେ ବାଣପୁର ରେ କୋଭିଡ କୁ ଶୂନ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବାଣପୁର ଏନ.ଏ.ସି ର ପୂର୍ବତନ କାଉନ୍ସିଲର ମାନେ ଯୋଗଦେଇଥିଲେ ଏବଂ ସେମାନଙ୍କୁ ନିଜ ନିଜ ୱାର୍ଡ ରେ କୋଭିଡ ସଚେତନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ।

ଉକ୍ତ ବୈଠକରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ବାଣପୁର ଥାନା ଏସ.ଆଇ ପ୍ରସନ୍ନ ଜେନା, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ସି.ଡ଼ି.ପି.ଓ ବିଦ୍ୟୁତପ୍ରଭା ରଥ ଏବଂ ସବୁ ଗ୍ରାମ ପଞ୍ଚାୟତ ମାନଙ୍କର ନୋଡାଲ ଅଫିସରମାନେ ଉପସ୍ଥିତି ଥିଲେ।

ବାଣପୁର ଏନ.ଏ.ସି ତରଫରୁ ଆଜି ଅପରାହ୍ନ ସୁଦ୍ଧା ଦୁଇ ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା କୋଭିଡ ଜରିମାନା ୪୦୦୦ ଟଙ୍କା ଆଦାୟ କରାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଆଲ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ କୋଭିଡସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ: ଲଗାତାର ତୃତୀୟ ଦିନରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଅଣାୟତ୍ତ ହେଲାଣି କରୋନା। କୋଭିଡ ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ରଣନୀତି ପ୍ରୟୋଗ କରୁଛି। ପ୍ରତିଦିନ ଚିଲିକା ନିର୍ବାଚନମଣ୍ଡଳୀକୁ ଜିଲ୍ଲା ଅଧିକାରୀମାନଙ୍କ ଗସ୍ତ ଲାଗି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅପରାହ୍ନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ କରୋନା ସେବକମାନଙ୍କ ଟିମକୁ ଉତ୍ସାହିତ ମଧ୍ୟ କରିଥିଲେ। କରୋନା ସେବକ ମାନେ ଆଗାମୀ ଦିନରେ ଜନସାଧାରଣମାନଙ୍କୁ ସଚେତନ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସ୍ୱତଃ ପ୍ରବୃତ ଭାବେ କୋଭିଡ ଟେଷ୍ଟିଙ୍ଗ କରାଇବା ପାଇଁ ଉତ୍ସାହିତ କରିବେ ଏବଂ ସେମାନଙ୍କ ମନୋବଳ ମଧ୍ୟ ବଢ଼ାଇବେ।

ଏହା ସହିତ ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପଜିଟିଭ ବଢୁଥିବା ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେହି ଗ୍ରାମ ଗୁଡିକ ହେଲା- 

୧-ଚିଲିକା ବ୍ଲକର ବିରିବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆସାହିକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୮.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

୨-ବାଣପୁର ବ୍ଲକର ଦାମିଆ ବରବରା ଗ୍ରାମ ପଞ୍ଚାୟତର ଦାମିଆ ବରବରା ଗ୍ରାମ ଏବଂ ନନ୍ଦପୁର ଗ୍ରାମପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୫.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।

୩-ବାଣପୁର ଏନ.ଏ.ସି ର ୱାର୍ଡ ନମ୍ବର ୪, ୱାର୍ଡ ନମ୍ବର ୧୧ ର ବଡ଼ହନ୍ତୁଆଡ଼ ହରିଜନ ସାହି ଏବଂ ରଙ୍କନାଥପାଟଣା ରେ ଆଜି ତା ୧୮.୦୯ ୨୦୨୦ ଠାରୁ ୨୨.୦୯.୨୦ ପର୍ଯ୍ୟନ୍ତ କଟକଣା ଲଗୁ ରହିବ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଭୟାବହ ସ୍ଥିତିକୁ ଯାଉଛି। ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପିସିସି ସଭାପତି ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ  କଂଗ୍ରେସ ଦଳ ତରଫରୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏହି ଅଭିଯାନକୁ ଏକ ସଫଳତାର ଦିଗରେ ଆଗକୁ ନେବାକୁ ଉଦ୍ୟମ କରିବେ  ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ ନିର୍ଦ୍ଦିଷ୍ଟ ଭାବରେ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି-

୧. ଜଣେ ବ୍ୟକ୍ତି ଯିଏ ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହିଁ, ତା’ ପାଇଁ ବି ବ୍ୟବସ୍ଥା ରହିବା ଆବଶ୍ୟକ। ତା’ର ଚିକିତ୍ସା ପ୍ରାପ୍ତ ହେବାର ଅଧିକାରକୁ ସୁରକ୍ଷା ଦିଆଯାଉ। ପ୍ରତି ବେସରକାରୀ ଓ କର୍ପୋରେଟ୍ ଡାକ୍ତରଖାନା ମାନଙ୍କର ୨୦ ପ୍ରତିଶତ ବେଡ, ପଇସା ଖର୍ଚ୍ଚ କରି ଭଲ ପରିବେଶରେ ଚିକିତ୍ସିତ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ରଖାଯାଉ।

୨. ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ରାଜ୍ୟ ସାରା ଗୃହ ସର୍ବେକ୍ଷଣ କରାଯାଇ ପ୍ରତି ଘରେ ବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଥିବା ଆକ୍ରାନ୍ତଙ୍କୁ ଓ ସମାନ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ।

୩. ରାଜ୍ୟର କୋଭିଡ୍ ହସ୍ପିଟାଲର ସଂଖ୍ୟା ବଢାଯାଇ ମେଡିକାଲ ଇକ୍ୟୁପ୍‌ମେଂଟ ତଥା ଜୀବନ ରକ୍ଷାକରୀ ଇକ୍ୟୁପ୍‌ମେଂଟ ଗୁଡିକ ଯଥେଷ୍ଟ ସଂଖ୍ୟାରେ ମହଜୁଦ୍ ରଖାଯାଉ। କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା କିଟ୍ ଦେବା ବାଧ୍ୟତାମୂଳକ କରାଯାଉ।

୪. ରାଜ୍ୟରେ ପ୍ରତିଦିନ ଟେଷ୍ଟିଂର ସଂଖ୍ୟା ଅନ୍ୟୁନ ୨୫୦୦୦ କରାଯାଉ। କଂଟାକ୍ଟ ଟ୍ରେସିଙ୍ଗ ଗୁରୁତ୍ୱର ସହ କରାଯାଉ ଓ ଟେଷ୍ଟିଂ କରାଯାଉ। ଏକାଧିକ ସଂକ୍ରମଣ ଦେଖାଯାଇଥିବା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ପରିମିିତ ଅଂଚଳରେ ଶହେ ପ୍ରତିଶତ ବ୍ୟକ୍ତିଙ୍କୁ ଟେଷ୍ଟ କରାଯାଉ। ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରୁ ଛାଡିବା ପୂର୍ବରୁ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ କରାଯାଉ।

ସର୍ବୋପରି ଏହି ଭୟଙ୍କର ସଂକ୍ରମଣରୁ ରାଜ୍ୟକୁ ରକ୍ଷାକରିବା ପାଇଁ ସରକାର ଖୋଲା ହୃଦୟରେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ଆଗକୁ ନିଷ୍ପତି ନିଅନ୍ତୁ ଏବଂ ଏହାର ପରିଚାଳନା ଦାୟିତ୍ଵ ମୁଷ୍ଟିମେୟ ଅଧିକାରୀଙ୍କ ହାତରେ ଛାଡିନଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ  ପିସିସି ସଭାପତି  ଅନୁରୋଧ କରିଛନ୍ତି।