ଖୋର୍ଦ୍ଧା ଉପଖଣ୍ଡରେ ଲାଗିଲା ଧାରା ୧୪୪, ଜାଣନ୍ତୁ କେଉଁଠି

Published: Dec 30, 2021, 9:53 pm IST

ଖୋର୍ଦ୍ଧା: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ ରାଜ୍ୟରେ କରୋନା କଟକଣାକୁ କଡାକଡି କରାଯିବା ନେଇ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଜାନୁୟାରୀ ୧ ତାରିଖ ଠାରୁ ଫେବୃୟାରି ୧ ତାରିଖ ପର୍ଯ୍ୟନ୍ତ କଟକଣାକୁ କଡାକଡି କରିବା ପାଇଁ ନୂଆ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ତେବେ ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏତଦବ୍ୟତୀତ ଆସନ୍ତାକାଲି ଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସରକାର ଏକ ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏବଂ ଏହାକୁ ତଦାରଖ କରିବା ପାଇଁ  ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏସଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇସାଲୱାର ଆସନ୍ତାକାଲି ଅର୍ଥାତ ୩୧ ଡିସେମ୍ବରରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା ସମସ୍ତ ମନ୍ଦିର ଏବଂ ପିକନିକ ସ୍ଥଳ ଗୁଡିକରେ ଧାରା ୧୪୪ ଜାରି କରିଛନ୍ତି। ଉକ୍ତ ସ୍ଥାନ ଗୁଡିକରେ ଜିରୋ ନାଇଟ ଏବଂ ନୂଆବର୍ଷ ପାଳନ ଉପରେ ରୋକ ଲଗାଯାଇଛି। କେବଳ ୫ ଜଣ ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ପୂଜା ହେବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଆଇଆଇସି, ତହସିଲଦାର, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜାଣନ୍ତୁ ଜାନୁୟାରୀ ମାସ ପାଇଁ ନୂଆ ଗାଇଡଲାଇନ:

ରାଜ୍ୟର ସବୁ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

ସେହିଭଳି  ଭିଡ ଜନଗହଳି ଅଞ୍ଚଳକୁ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଜନଗହଳି ଅଞ୍ଚଳରେ କରୋନା କଟକଣାକୁ ବାଧ୍ୟତାମୂଳକ କରାଯାଇଛି। ପାର୍କ, ବେଳାଭୂମି ଉପରେ ବଣଭୋଜିକୁ ବାରଣ କରାଯାଇଛି। ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି। ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦିକୁ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ ଏବଂ ନୃତ୍ୟ ଆଦି ଉପରେ କଟକଣା ଲାଗିଛି।

ଜାନୁୟାରୀ ମାସରେ ଶିକ୍ଷାନୁଷ୍ଠାନକୁ ବଣଭୋଜିକୁ ବାରଣ କରାଯାଇଛି। କୋଭିଡ ନିୟମ ଅନୁଯାୟୀ ଯାତ୍ରା, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ଯାତ୍ରାରେ ସର୍ବାଧିକ ୧ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଥିବା ବେଳେ ଉଭୟ ଡୋଜ କିମ୍ବା ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ।

ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟରେ ୨୫୦ ଲୋକଙ୍କୁ ଅନୁମତି ରହିଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବରଯାତ୍ରୀ ଶୋଭାଯାତ୍ରା କରାଯାଇପାରିବ। ନିୟମ ଉଲ୍ଲଂଘନ କଲେ ବଡ କାର୍ଯ୍ୟାନୁଷ୍ଠାନ ହେବ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅମାନିଆଙ୍କ ଠାରୁ ମୋଟା ଅଙ୍କରେ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି।

Related posts