ବାଣପୁର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ପରିବେଷଣ ହେଲା କାରୋନା ସଚେତନତା ନାଟକ

Published: Jan 1, 2021, 7:57 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପରିବେଷଣ ହୋଇଯାଇଛି ସଚେତନ ଧର୍ମୀ ନାଟକ। କାରୋନାର ପ୍ରଭାବରେ ଦାଦନ ଶ୍ରମିକଙ୍କ ସତ ଘଟଣା ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ “ଆମ ଘର” ଭୁବନେଶ୍ୱର ନାଟ୍ୟ ଚେତନା ତରଫରୁ ପରିବେଷଣ କରାଯାଇଥିଲା। କାରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି କମ କଳାକାରଙ୍କୁ ନେଇ ଅତି କମ ସମୟ ମଧ୍ୟରେ ଜନସମାଜକୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ନାଟକଟିକୁ ପରିବେଷଣ କରାଯାଇଥିଲା।

ସୁବୋଧ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଧେଶିତ ଏହି କ୍ଷୁଦ୍ର ନାଟକଟି ବିପଦ ବେଳେ କିପରି ବିକଳ ହୋଇ ଘର ଆଉ ଗାଁ କୁ ଲୋକେ ଖୋଜନ୍ତି, ଏଥିରେ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିଲା। ଛୁଆ ଲାଗି ମାଆ କୋଳ ପ୍ରଥମ ଘର, ଯାହାକୁ ସେ ଜାଣେ ମୋ ଘର। ବଡ ହେଲାପରେ ନିଜ ସ୍ଵଜନ ମାନଙ୍କ ସହ ବାସକରୁଥିବା ବିପଦ ଶୁନ୍ୟ ସ୍ଥାନ ଯାହାକୁ ସେ କହେ “ଆମ ଘର”।

କରୋନା ସମୟରେ ଗାଁ ଆଉ ଘର ଠାରୁ ଶାରୀରିକ ଭାବେ ଦୁରେଇ ଗଲେବି ସେହି ଗାଁ ଆକର୍ଷଣ ଏତେ ଶକ୍ତିଶାଳୀ ଯେ  ନିଜର ସବୁ ଶକ୍ତି ଲଗାଇ, ସରକାରୀ ଅଟକକୁ ପାରହୋଇ, ଶହ ଶହ କିଲୋମିଟର ଚାଲିଚାଲି, ସାଇକେଲ ଚଲାଇ, ଟ୍ରକରେ ବସ୍ତାପରି ଲଦିହୋଇ, ନିଜଘରେ ପହଞ୍ଚିବାର ଥିଲା ଆସାଧ୍ୟ ନିଶା। ପହଁଚିବା ପରେ ସେ କିପରି ଶିକାର ହୁଏ ସାମାଜିକ ଦୁରିକରଣର, ରୋଗୀର ଯତ୍ନ ପାଇବା ବଦଳରେ ସେ ପାଏ ବାଛନ୍ଦର ଦଣ୍ଡ। ଏହି ତଥ୍ୟଭିତ୍ତିକ କଥାକୁ ପ୍ରୟୋଗ କରି ଲୋକଙ୍କୁ ସାମାଜିକ ଦୂରତା ନ ଆଣି ବରଂ ଶାରୀରିକ ଦୂରତା ରଖିବା ଉପରେ ଆଧାରିତ ନାଟକ ଥିଲା “ଆମ ଘର”। ଯାହାକି ଦର୍ଶକଙ୍କୁ ସ୍ତମ୍ବିଭୁତ କରାଇ ଅନେକ ପ୍ରସଂଶା ସାଉଁଟି ଥିଲେ ସୁବୋଧ ପଟ୍ଟନାୟକ ଓ ନାଟ୍ୟ ଚେତନା ଅନୁଷ୍ଠାନ।

Related posts