ଚିଲିକା କରୋନା ଅପଡେଟ୍: ଆଜି ଲମ୍ଫ ଡିଆଁ ମାରିଲା ସଂକ୍ରମଣ, ଆସନ୍ତାକାଲି ଦିଆଯିବ ୭ ଶହ ଡୋଜ ଟୀକା

Published: May 31, 2021, 8:55 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ଲମ୍ଫ ଡିଆଁ ନେଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂକ୍ରମଣର ଦୁଇ ଗୁଣ। ଚିହ୍ନଟ ହୋଇଥିବା ୫୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୫ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୬ ଜଣ, ଚିଲିକା ବ୍ଲକରେ ୧୪୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର ମାଇନର ସ୍କୁଲ ଏବଂ ନୀଳାଦ୍ରିପ୍ରସାଦ, ଗମ୍ଭାରୀମୁଣ୍ଡା ଓ ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଆସନ୍ତାକାଲି ୧୦୦ ଲେଖାଏଁ ମୋଟ ୪୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିଭଳି ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଇରୀ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ୧୦୦ ଲେଖାଏଁ ମୋଟ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Related posts