ବାଣପୁର: ଭୀମପୁର ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Published: Jul 4, 2021, 7:25 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରୀ କରୋନାର ଭୟାବହ ସଂକ୍ରମଣରେ ଅମ୍ଳଜାନ ଓ ରକ୍ତ ଅଭାବରୁ ଶହ ଶହ ଜୀବନ ଚାଲିଯାଉଛି। ପ୍ରତିଦିନ ଖବର କାଗଜ ଓ ଦୂରଦର୍ଶନରେ ଏହିସବୁ ଘଟଣା ହତବାକ କରିଦେଉଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଭୀମପୁର ଗ୍ରାମର ଯୁବକମାନେ ରକ୍ତ ଦାନ କରି ଜୀବନ ବଞ୍ଚାଇବାର ଶପଥ ନେଇଛନ୍ତି।

“ଚିନ୍ତାମଣି ବାଳଚର ଯୁବ ସେବା ସଂଘ” ଓ “ଦି ବ୍ଲଡ଼ ଡୋନର୍ସ୍ ଓଡ଼ିଶା” ର ମିଳିତ ଆନୁକୁଲ୍ୟରେ ଭୀମପୁର ଗ୍ରାମର ବାନାମ୍ବର୍ ନୋଡାଲ ହାଇସ୍କୁଲ ପ୍ରାଙ୍ଗଣରେ ଉକ୍ତ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସେବାସଂଘର ବରିଷ୍ଟ ଉପଦେଷ୍ଟା ପ୍ରଫେସର୍ ନଳିନୀ କାନ୍ତ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପାତ୍ର ଓ ଅଧ୍ୟାପକ ବିନୟ ଭୂଷଣ ମିଶ୍ର ମିଳିତ ଭାବରେ ଉଦଘାଟନ କରି ଯୁବ ରକ୍ତ ଦାତାଙ୍କୁ ସ୍ବାଗତ ଜଣାଇଥିଲେ।

ଏହି ଉପଲକ୍ଷେ ସେବାସଂଘର ସଭାପତି ଆନନ୍ଦ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ବାଳ ମୁକୁନ୍ଦ ଦାସ, ଯୁବ ସଂଗଠକ ଚିତ୍ତରଞ୍ଜନ ସାମନ୍ତରାୟ, ସମ୍ପାଦକ ସୁକାନ୍ତ କୁମାର ଜେନା, ରାହାସ ବିହାରି ସାହୁ, ଗୋବିନ୍ଦ ଘଡାଇ ଓ ପୂର୍ବତନ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ସମୟରେ ଏହିପରି ରକ୍ତ ଦାନ ଶିବିରର ଆବଶ୍ୟକତା ଜରୁରୀ ହୋଇପଡ଼ିଥିବାରୁ ପ୍ରତ୍ୟେକ ଅଞ୍ଚଳରେ ଜନସାଧାରଣ ରକ୍ତ ଦାନ ପରି ମହତ୍ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ବାନ କରିବା ସହ ଆୟୋଜକ ‘ଦି ବ୍ଲଡ଼ ଡୋନର୍ସ୍ ଓଡ଼ିଶା’ର ସଭାପତି ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

ଏଥିରେ ସ୍ଥାନୀୟ ଅଞ୍ଚଳର ୪୧ଜଣ ଯୁବକ ଯୁବତୀ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସେମାନଙ୍କୁ ସାଧୁବାଦ ଜଣାଇବା ସହ ପ୍ରତ୍ୟେକ ରକ୍ତଦାତାଙ୍କୁ ବୃକ୍ଷରୋପଣ ନିମନ୍ତେ ଚାରା ବଣ୍ଟନ କରାଯାଇଥିଲା। କେନ୍ଦ୍ରୀୟ ବ୍ଲଡ଼ ବ୍ୟାଙ୍କ୍ କଟକର ମୁଖ୍ୟ ଡାକ୍ତର ଆଲୋକ କୁମାର ସାହୁ, ପ୍ରଦୀପ ସେନାପତି, ସଞ୍ଜୟ ପାତ୍ର, ସରୋଜ ମହାନ୍ତି ଓ ଲକ୍ଷ୍ମୀଧର ପୃଷ୍ଟିଙ୍କ ତତ୍ତ୍ଵାବଧାନରେ ଶିବିର ପରିଚାଳିତ ହୋଇଥିଲା। ସେବାସଂଘର ସହ ସମ୍ପାଦକ ଗୋବିନ୍ଦ ବେହେରା ଓ କୋଷାଧ୍ୟକ୍ଷ ରାକେଶ ଘଡାଇ ଓ ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

Related posts