
ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ନୂତନ ଭାବେ ଗଢି ଉଠିଥିବା ସ୍ଵାମୀ ବିବେକାନନ୍ଦ ସେବା ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇ ସୋଲରୀ ଠାରେ ବୃକ୍ଷ ରୋପଣ କରିଥିଲେ। ଦିନକୁ ଦିନ ବାୟୁମଣ୍ଡଳ ପ୍ରଦ୍ୟୁଷଣ ହେଉଥିବାରୁ ଗଛ ଲଗାଇ ପରିବେଶକୁ ରକ୍ଷା କରିବା ପାଇଁ ପ୍ରୟାସ କରାଯାଇଛି।
ଏହା ସହିତ ଏଭଳି କାର୍ଯ୍ୟରେ ଅଧିକରୁ ଅଧିକ ଯୁବକମାନଙ୍କୁ ଯୋଡିବା ପାଇଁ ଉଦ୍ୟମ କରାଯାଇଛି। କରୋନା ସମୟରେ ଗଢି ଉଠିଥିବା ଏହି ସଂଗଠନର ପ୍ରଥମ କାର୍ଯ୍ୟ ଭାବେ ଏକ ରକ୍ତଦାନ ଶିବିର କରାଯାଇ ସ୍ଥାନୀୟ ଲୋକଙ୍କ ଦ୍ରୁଷ୍ଟି ଗୋଚର ହୋଇଥିଲେ। କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ଏହି ସଂଗଠନର ସଦସ୍ୟମାନେ ରକ୍ତ ଦାନ କରି ସ୍ଥାନୀୟ ଲୋକଙ୍କ ଠାରୁ ପ୍ରଶଂସା ସାଉଣ୍ଟି ଥିଲେ।
ତେବେ ବୃକ୍ଷ ରୋପଣ କରି ପରିବେଶକୁ ରକ୍ଷା କରିବା ପାଇଁ ସ୍ଵାମୀ ବିବେକାନନ୍ଦ ସେବା ସଂଗଠନ ଅଣ୍ଟା ଭିଡିଛି। ଆଗାମୀ ଦିନରେ ବୃକ୍ଷରୋପଣକୁ ବ୍ୟାପକ କରାଯିବା ସହ ଅଞ୍ଚଳରେ ସାମାଜିକ କାର୍ଯ୍ୟ କରିବା ପାଇଁ ସଂଗଠନ ପକ୍ଷରୁ କୁହାଯାଇଛି। ଏଥିରେ ପାଖାପାଖି ୧୦୦ ଟି ବୃକ୍ଷ ରୋପଣ କରାଯାଇଛି।
ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିଦ୍ୟୁତ କୁମାର କାଣ୍ଡି, ଉପସଭାପତି ଶ୍ରୀକାନ୍ତ ପଲାଇ, ସମ୍ପାଦକ ଶିବ ପ୍ରସାଦ ବଳିୟାରସିଂହ, ଉପଦେଷ୍ଟା ସୁମିତପ୍ରଜ୍ଞ ଷଡଙ୍ଗୀ, ନରେଶ ଜେନା, ଟି. ମୋହନ ଦାସ, ପ୍ରଦୀପ ବିଶ୍ଵାଳ, ଶକ୍ତି, ଝରଣା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।