ବାଲୁଗାଁ ମହାବିଦ୍ୟାଳୟରେ ଇରୱାଡି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Nov 27, 2021, 10:44 am IST

ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳଙ୍କ ପ୍ରୋତ୍ସାହନରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଏକ ଇରୱାଡ଼ି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଜାତୀୟ ସେବା ଯୋଜନାର କ୍ୟାଡେଟ ଓ ସ୍ବେଚ୍ଛାସେବୀମାନେ ଯୋଗଦେଇ ସମ୍ବିଧାନ ଦିବସର ସଂକଳ୍ପ ପାଠ କରି ନିଜକୁ ଯୋଗ୍ୟ ନାଗରିକ ଭାବେ ଗଢି ତୋଳିବାକୁ ଶପଥ ଗ୍ରହଣ କରିଥିଲେ।

ଏନ୍ ସି ସି ଅଫିସର୍ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ବାଲୁଗାଁ ବନ୍ୟପ୍ରଣୀ ବନାଞ୍ଚଳ ଅଧିକାରୀ ବନରାମ ନନ୍ଦ, ସହକାରୀ ବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର ନାୟକ, ଜାତୀୟ ସେବା ଯୋଜନାର ବରିଷ୍ଠ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ଵର ଅନନ୍ୟ ବିଭବ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ବିରଳ ପ୍ରଜାତିର ଇରୱାଡି ଡଲଫିନ ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏଥିସହିତ ଚିଲିକାର ଜୈବବିବିଧତା, ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସହିତ ଚିଲିକାର ପରିବେଶ ସୁରକ୍ଷା ପାଇଁ ନିୟମିତ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ପ୍ରୋତ୍ସାହନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ସମସ୍ତ ବନପାଳ, ବନରକ୍ଷୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ।

Related posts