
ସୀତାରାମ ଅଗ୍ରୱାଲ
ଚିଲିକା: ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ହାର ଜିତକୁ ନେଇ ନେତା, କର୍ମୀ ତଥା ପ୍ରାର୍ଥୀଙ୍କୁ ଚିନ୍ତା ଘାରିଛି। ଏଭଳି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ରେ ଥିବା ବାଲାଟ୍ ପେପର ବାକ୍ସ ଭିତରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି। ଭୋଟ ବାକ୍ସକୁ ଷ୍ଟ୍ରଙ୍ଗରୁମ୍ ଭିତରେ କିଏ ଅଦଳ ବଦଳ କରାଇ ଦେବା ଭୟରେ ପ୍ରାର୍ଥୀ ଏବଂ ବିଜେପି କର୍ମୀମାନେ ଶୀତ କାକରରେ ଜଗି ରହିଥିବା ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିଛି।
ଉଭୟ ବାଣପୁର ଏବଂ ଚିଲିକା ବ୍ଲକ ସମ୍ମୁଖରେ ବିଜେପି କର୍ମୀମାନେ ଷ୍ଟ୍ରଙ୍ଗରୁମ୍ କୁ ଦିନରାତି ଜଗି ରହୁଥିବାର ଦେଖିବାକୁ ମିଳିଛି। ଶାସକ ଦଳ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଯେତିକି ମାତ୍ରାରେ ଏହି ଭୟ ଘାରୁନାହଁ, ତା’ଠାରୁ ଅଧିକ ବିରୋଧୀ ଦଳଗୁଡିକର ସମର୍ଥିତ ପ୍ରାର୍ଥୀମାନେ ଏ ବାବଦରେ ଚିନ୍ତା କରୁଥିବା ଲକ୍ଷ୍ୟ କରାଯାଉଛି। ଏଥର ପଞ୍ଚାୟତ ବଦଳରେ ବ୍ଲକ କାର୍ଯ୍ୟାଳୟରେ ଷ୍ଟ୍ରଙ୍ଗ୍ ରୁମ୍ କରାଯାଇଥିବାରୁ ଭୋଟ୍ ଏପଟ ସେପଟ ହୋଇପାରେ ବୋଲି ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।
ପାଳି ପାଳି କରି କର୍ମୀମାନେ ଚବିଶ ଘଣ୍ଟା ଷ୍ଟ୍ରଙ୍ଗ ରୁମକୁ ପ୍ରହରା ଦେଉଥିବାର ଦେଖାଯାଇଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଭରସା ନାଇଁ, କେତେବେଳେ କିଏ ଓଲଟପାଲଟ କରିଦେବା ଆଶଙ୍କାରେ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏପରି ଆମେ ଷ୍ଟ୍ରଙ୍ଗ ରୁମକୁ ଜଗିବୁ ବୋଲି ବିଜେପି କର୍ମୀ ଓ ସମର୍ଥକମାନେ କହିଛନ୍ତି।