ଉପାଧ୍ୟକ୍ଷ ନିର୍ବାଚନ: ଚିଲିକା ନିର୍ବାଚନ ମଣ୍ଡଳୀର ଉଭୟ ବ୍ଲକ ହାତେଇଲା ବିଜେପି

Published: Mar 23, 2022, 6:41 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସାରା ରାଜ୍ୟରେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଚାଲିଛି। ଅଧ୍ୟକ୍ଷ ପଦ ପାଇଁ ଗତ ୧୨ ତାରିଖରେ ନିର୍ବାଚନ ସରିଯାଇଥିବା ବେଳେ ଆଜି ସମିତି ସଭ୍ୟମାନେ ବ୍ଲକ ଉପାଧ୍ୟକ୍ଷକୁ ନିର୍ବାଚିତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଆଜି ମଧ୍ୟାହ୍ନରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ ଉପାଧକ୍ଷ ନିର୍ବାଚନ ଆରମ୍ଭ ହୋଇଥିଲା। ତେବେ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ ଚିଲିକା ବ୍ଲକ ଉପାଧ୍ୟକ୍ଷ ଭାବେ ହରିପୁର ଗ୍ରାମ ପଞ୍ଚାୟତର ବିଜେପି ସମର୍ଥିତ ନିର୍ବାଚିତ ସମିତି ସଭ୍ୟ ଅରୁଣ ପଟ୍ଟନାୟକ ଗୋଟିଏ ଭୋଟରେ ବିଜୟୀ ହୋଇ ନିର୍ବାଚିତ ହୋଇଛନ୍ତି।

ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଅରୁଣ ପଟ୍ଟନାୟକ ଏବଂ ଅଠରବାଟିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଅମ୍ରିତା ବେହେରା ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ମୋଟ ୧୭ ଗୋଟି ଭୋଟ ମଧ୍ୟରୁ ଅରୁଣଙ୍କ ସପକ୍ଷରେ ୯ ଗୋଟି ଭୋଟ ପଡ଼ିଥିବା ବେଳେ ଅମ୍ରିତାଙ୍କ ସପକ୍ଷରେ ୮ ଗୋଟି ଭୋଟ ପଡିଥିଲା। ପ୍ରକାଶ ଥାଉ କି ଚିଲିକା ବ୍ଲକର ଉଭୟ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ପଦ ବିଜେପି ହାତେଇନେଇଛି।

Related posts