ବାଣପୁର: ଦେଓଗାଁକୁ ହରାଇ ଗଙ୍ଗାଧରପୁର ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ହେଲା ସାହାସପୁର ଦଳ

Published: Mar 29, 2022, 11:45 am IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁରର ବାବା ନୀଳକଣ୍ଠେଶ୍ଵର କ୍ରିକେଟ ଟିମ ଦ୍ଵାରା ଆୟୋଜିତ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସକାଳେ ଶେଷ ହୋଇଛି। ୮ ଟି ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସାହାସପୁର ଗ୍ରାମର ଜୟ ଜଗନ୍ନାଥ କ୍ରିକେଟ ଟିମ ବିଜେତା ହୋଇଛି। ସାହାସପୁର ଏବଂ ଦେଓଗାଁ କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଏଥିରେ ସାହାସପୁର କ୍ରିକେଟ ଟିମର ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସାହାସପୁର ଟିମ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୭୮ ରନ ସଂଗ୍ରହ କରିଥିଲା। ଜବାବରେ ଦେଓଗାଁ ଟିମ ମାତ୍ର ୪୧ ରନ କରିବାକୁ ସକ୍ଷମ ହୋଇପାରିଥିଲା। ଫଳରେ ସାହାସପୁର ଦଳ ୩୭ ରନରେ ବିଜୟ ଲାଭ କରି ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଘୋଷିତ ହୋଇଥିଲା।

ସାହାସପୁର ପକ୍ଷରୁ ଦୀପକ ମୁଦୁଲି ସର୍ବାଧିକ ୩୮ ରନ ସଂଗ୍ରହ କରିଥିଲେ। ତାଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ସହିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସମ୍ମାନିତ କରାଯାଇଥିଲା। ଶେଷରେ ଆୟୋଜକ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଲବ ପକ୍ଷରୁ ବିଜେତା ଏବଂ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା।

Related posts