
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର ବ୍ଲକରେ ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକ ସିଡ଼ିପିଓ ସରୋଜ ବାଳା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ପ୍ରତି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ଉକ୍ତ ଅଭିଯାନ। ଗତକାଲି ବାଣପୁର ବ୍ଲକର ଦୁଇ ଗୋଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଭେଟେଶ୍ୱର, ଗମ୍ଭାରୀମୁଣ୍ଡା, ଓଡ଼ଗାଁ ଏବଂ ନାଚୁଣୀ ପଞ୍ଚାୟତରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସମସ୍ତ ପଞ୍ଚାୟତରେ ନିଜ ନିଜ ପଞ୍ଚାୟତର ଅଙ୍ଗନବାଡି, ଆଶା କର୍ମୀ ଏବଂ ସୁପରଭାଇଜର ଓ ସ୍ଥାନୀୟ ବିଦ୍ୟାର୍ଥୀମାନେ ସଚେତନତା ରାଲିରେ ଭାଗ ନେଇ ବାଲ୍ୟ ବିବାହ ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଗ୍ରାମବାସି ଙ୍କୁ ବୁଝାଇଥିଲେ। ଯଦି କେହି ଏହାକୁ ଖିଲାପ କରି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଚାଇଲଡଲାଇନ ବିଭାଗ, ସିଡ଼ିପିଓ କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବା ପାଇଁ ଉକ୍ତ ରାଲିରେ ନିବେଦନ କରାଯାଇଛି। ଆସନ୍ତା ଦୁଇ ଦିନ ଭିତରେ ଅବଶିଷ୍ଟ ପଞ୍ଚାୟତ ଗୁଡ଼ିକରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସିଡ଼ିପିଓ ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।